ବଇଶାଖୀ ପ୍ରଚଣ୍ଡ ଖରାବେଳେ ରଘୁଦାସ ପହଞ୍ଚିଲେ ଗୋକୁଳି ଘର ପାଖରେ । ହାତଯୋଡ଼ି କହିଲେ, “ଦେଖ ଗୋକୁଳି । ମୁଁ ହାତଯୋଡ଼ି ଅନୁରୋଧ କରୁଛି । ଶେଷଥର ପାଇଁ ମୋତେ ଖଣ୍ଡେ ଭୋଟ୍ ଦିଅ ।”
ଗୋକୁଳି କହିଲା, “ମାଷ୍ଟ୍ରଙ୍କର ଦରମା ବଢୁଛି । ଅଫିସର୍ ଦରମା ସଙ୍ଗରେ କିଳାପୋତି ବଢୁଛି । ଏମ୍.ଏଲ୍.ଏ.ଙ୍କର ଭତ୍ତା ବଢୁଛି । ମୋ ମାଆ ଶହେଟି ଟଙ୍କା ଭତ୍ତା ପାଇଲାନି । ସରପଞ୍ଚ ୱାର୍ଡମେମ୍ୱରଙ୍କୁ କେତେ କହିଲି । ଶେଷକୁ ମୋ ମାଆ ଭାବି ଭାବି ସଂସାରରୁ ଗଲା । ଆପଣଙ୍କୁ ବି କହିଛି ।”
ରଘୁଦାସ କହିଲେ, “ସେ ସବୁ ମୋ କର୍ମୀଙ୍କ ପାଇଁ । ଛାଡ଼ ସେ କଥା, ତମ ମା’ର ଅତୃପ୍ତ ଆତ୍ମାକୁ ତୃପ୍ତ କରିବାକୁ ପଡ଼ିବ । ଯେଉଁମାନେ ବାର୍ଦ୍ଧକ୍ୟ ଭତ୍ତା ଅସହାୟ ଭତ୍ତା ବିଧବା ଭତ୍ତା ନ ପାଇ ସଂସାରରୁ ଗଲେ, ସେମାନଙ୍କ ଅତୃପ୍ତ ଆତ୍ମାକୁ ଶାନ୍ତି ଦେବାକୁ ମୁଁ ଯଦି ଜିତିଯାଏ ବିଧାନସଭାର ପ୍ରଥମ ଅଧିବେଶନରେ ଏକ ଶୋକସଭା କରାଇବି । ଏକ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରି ସ୍ୱର୍ଗପୁରକୁ ଯାଇ ମୃତ ଲୋକଙ୍କୁ ସେମାନଙ୍କ ଭତ୍ତା ଦେଇ ଆସିବି । ଏହା ଆମ ଦଳର ନିଷ୍ପତ୍ତି ।”
ଗୋକୁଳି କହିଲା, “ଆମ ଭୋଟରଙ୍କ ନିଷ୍ପତ୍ତି ହେଉଛି ଯେଉଁମାନେ ଭୋଟ ନେଇ ଆମ ପାଇଁ କିଛି କରୁନାହାନ୍ତି ସେମାନେ ମରିଗଲା ପରେ ଆମେ ତାଙ୍କୁ ସ୍ୱର୍ଗପୁରରେ ଯାଇ ଭୋଟ ଦେବୁ ।”