ଗଳ୍ପ

ନୀରବତାର ଭାଷା

ହେଲେ ଅତୀତ ତ ଅତୀତ, ବର୍ତ୍ତମାନ ଭିତରକୁ ସେ ସେତେବେଳେ ପଶିଆସେ ଯେତେବେଳେ ବର୍ତ୍ତମାନରେ କିଛି ଫାଙ୍କ ରହିଯାଏ । ଗୋଟେ କଥା ପଚାରିବି ସତ କହିବ ଲୋପା, “ତୁମେ କ’ଣ “ଜ୍ୟୋତି” ନାମକ ଯୁବକକୁ ଏବେ ବି ଭଲ ପାଅ ?”

ନୀରବତାର ଭାଷା

“ସାଢ଼େ ଏଗାରଟାରେ ମୋର ଜରୁରୀ ମିଟିଂ ଅଛି । ଆଡ଼ମିସନ୍ ପାଇଁ ସକାଳ ନଅଟାରେ ସମୟ ଧାର୍ଯ୍ୟ କରିଛନ୍ତି ପରା ପ୍ରିନ୍ସିପାଲ୍ । ମୋତେ ପୁଣି ଆସି ତୁମକୁ ଘରେ ଛାଡ଼ିବାକୁ ପଡ଼ିବ ।” ଜୋତା ପିନ୍ଧୁ ପିନ୍ଧୁ ଚିଲାଉ ଥିଲେ ଅଜିତ୍ ।

ବିଟୁର ଆଜି ନୂଆ ସ୍କୁଲ୍‌ରେ ଆଡ଼ମିସନ୍ । ଫୋର୍ଥ ଷ୍ଟାଣ୍ଡାର୍ଡରେ ପଢ଼େ । ଅଜିତ୍‌ଙ୍କର ଅଚାନକ ବଦଳି । କ୍ଲାସ୍ ଆରମ୍ଭ ହେବାର ତିନିମାସ ବିତିଗଲାଣି । ଯାହା ହେଉ ସହରର ଭଲ ଇଂରାଜୀ ମିଡ଼ିୟମ୍ ସ୍କୁଲ୍‌ରେ ନାଁ ଲେଖା ହେବାକୁ ଯାଉଛି, କିଛି କମ୍ ଗର୍ବର କଥା ନୁହେଁ ।

ଆରେ ଲୋପା ଅପା ମୁଁ ବିଶ୍ୱାସ କରିପାରୁନଥିଲି ନିଜକୁ । ପ୍ରିନ୍ସିପାଲ୍‌ଙ୍କ ସିଟ୍‌ରେ ଲୋପା ଅପାଙ୍କୁ ଦେଖି । ଆଖିରେ ଚଷମା, ମୁହଁରେ ଅପେକ୍ଷାକୃତ ଗାମ୍ଭୀର୍ଯ୍ୟ । ଟିକେ ଦୋ’ ଦୋ’ ଚିହ୍ନା ହୋଇ ମୋତେ ଚାହିଁଲେ । ଆଉ ତାଙ୍କ ସଙ୍ଗେ ବିଟୁ ଓ ଅଜିତ୍‌ଙ୍କର ପ୍ରଶ୍ନବାଚୀ ଆଖି । ମୁଁ ଟିକେ ଅପ୍ରସ୍ତୁତ ହୋଇଗଲି । “ତୁ ଶ୍ୱେତା ନା ?” ନିରବତା ଭାଙ୍ଗି ଲୋପା ଅପା କହିଲେ, ମୁଁ ଆଶ୍ୱସ୍ତ ହେଲି । ଦେଖ୍‌, ପ୍ରାୟ ଆଠ ବର୍ଷ ପରେ ଆମର ଦେଖା । ଆଡ଼ମିସନ୍ ପର୍ବ ସରିଲା ପରେ ଅଫିସ୍ ପାଇଁ ତରତର ହେଉଥିଲେ ଅଜିତ୍ । ଗପିବାକୁ ମନ ଛଟପଟ ହେଉଥିଲେ ବି ଲୋପା ଅପାଙ୍କର ଠିକଣାଟା ନେଇ ଫେରିବାକୁ ବାଧ୍ୟ ହେଲି ।

ହଷ୍ଟେଲ୍‌ରେ ମୁଁ ଓ ଲୋପା ଅପା କେବଳ ଗୋଟିଏ ରୁମ୍‌ରେ ଏକାଠି ରହୁନଥିଲୁ, ଏକାଠି ଖାଉଥିଲୁ, ପଢୁଥିଲୁ, ସୁଖଦୁଃଖ ବାଣ୍ଟୁଥିଲୁ । ସବୁଠୁ ବଡ଼ କଥା ହେଲା ଆମ ଦୁହିଁଙ୍କର ଚଳଣିରେ ଏତେ ସାମଞ୍ଜସ୍ୟ ଥିଲା ଯେ କେବେ ଆମେ କେହି କାହାକୁ କୌଣସି କଥାରେ ବିରୋଧ କରିନୁ । ପ୍ରାୟ ହଷ୍ଟେଲ୍‌ର ଝିଅମାନେ ଛୁଟିକୁ ଅପେକ୍ଷା କରନ୍ତି, ଛୁଟି ହେଲେ ଘରକୁ ଯିବେ, ଆପଣାର ଲୋକମାନଙ୍କ ସହ ଖୁସି ମଜା କରିବେ, ହେଲେ ଆମେ ଦୁହେଁ ଛୁଟି ପାଖାପାଖି ହେଲେ ଦୁଃଖରେ ଭାଙ୍ଗିପଡୁ । କେମିତି ଛୁଟି ଖୋଲିବ ଆମେ ଦୁହେଁ ବୋଧେ ଏଇ ଚିନ୍ତାରେ ଥାଉ ।

ସବୁଥର ପରି ଦୁର୍ଗାପୂଜା ଛୁଟି ସରିଯାଇଥିଲା । ମୁଁ ଆଗ ଆସି ହଷ୍ଟେଲ୍‌ରେ ପହଞ୍ଚି ସାରିଥିଲି । ତିନିଦିନ ବିତିଗଲା ହେଲେ ଲୋପା ଅପା କାହାନ୍ତି ??

ସେଦିନ ସନ୍ଧ୍ୟାରେ ସେ ଫେରିଲେ । ମୁଁ ତାଙ୍କ ଉପରେ କୃତ୍ରିମ କ୍ରୋଧ କରି ମୁହଁ ଫୁଲାଇ ବସିଥାଏ ।

“କେବେ ଘରୁ ଆସିଲୁ । ମଉସା, ମାଉସୀ, ମନୁ କେମିତି ଅଛନ୍ତି ? କ’ଣ ରାଗିଛୁ, କଥା ହେବୁନି । ଗୋଟେ ଖୁସି ଖବର ଅଛି, ଜାଣିଛୁ ତୋ ଲୋପା ଅପାର ବାହାଘର ଠିକ୍ ହୋଇଯାଇଛି ।” କହୁଥିଲେ ଲୋପା ଅପା । ମୁଁ ସବୁ ରାଗ ଭୁଲି ଏକ ରକମ ଖଟରୁ ଡେଇଁ ପଡ଼ି କୁଣ୍ଢେଇ ପକାଇ ପଚାରିଲି, “ବାହାଘର, କ’ଣ ଜ୍ୟୋତି ଭାଇଙ୍କ ସାଙ୍ଗରେ ?” ପୂର୍ଣ୍ଣମୀ ଆକାଶରେ ମେଘଘୋଟି ଆସିବା ପରି ଫିକା ପଡ଼ିଗଲା ତାଙ୍କ ମୁହଁ । କେବଳ ଗୋଟିଏ ଅବୁଝା ହସଟିଏ ହସି ସେ କହିଲେ । “ଭଗବାନ ଯଦି ମଣିଷକୁ ମନଯନ୍ତ୍ରଟିଏ ଦେଇ ନ ଥାନ୍ତେ ତେବେ ଖୁବ୍ ଭଲ ହୋଇଥାନ୍ତା । ନ ପାଇବାର କଷ୍ଟଠାରୁ ବୋଧେ ଇଚ୍ଛା କରିବାର କଷ୍ଟଟା ବେଶି, ଆଉ ଇଚ୍ଛା କରିବାର କଷ୍ଟଠାରୁ ବୋଧେ ଇଚ୍ଛାଟିକୁ ପରିପ୍ରକାଶ କରିବାର କଷ୍ଟଟା ବହୁତ ବେଶୀ । ଜ୍ୟୋତିକୁ ମୁଁ ବାହା ହେଉ ନିଲୋ । ପ୍ରିୟ ବସ୍ତୁଟିକୁ ସମସ୍ତେ ପାଇବାକୁ ଇଚ୍ଛା କରନ୍ତି ମାତ୍ର ସେହି ପ୍ରିୟ ଜିନିଷଟି ହାତ ମୁଠାରେ ମିଳିଗଲା ପରେ ତା’ର ମୂଲ୍ୟ କମିଯାଏ । ସତ କ’ଣ ଜାଣୁ ? ଜ୍ୟୋତି ଜାଣେନା ଯେ ମୁଁ ତାକୁ ଭଲ ପାଏ ବୋଲି । ମୁଁ ତାକୁ ଭଲ ପାଏ, ସେ ମୋତେ ଭଲ ପାଉ ଏହା ତ ବାଧ୍ୟ ନୁହେଁ ।” ଚମକି ଗଲି ମୁଁ । କ’ଣ କହୁଛନ୍ତି ଲୋପା ଅପା । ଜୀବନରେ ପ୍ରତିଟି କଥାକୁ ଖୁବ୍ ଗୁରୁତ୍ୱ ଦେଉଥିବା, ଖୁବ୍ ସହଜରେ ପ୍ରକାଶ କରିପାରୁଥିବା ଝିଅ ଲୋପା ଅପା ଏତେ ହାଲୁକା ଭାବେ ଏ କଥା କହି ଦେଲେ ।

ଯେଉଁ ଜ୍ୟୋତିକୁ ନେଇ ଏତେ ହସ, ଏତେ କାନ୍ଦ, ଏତେ ଚିନ୍ତା, ଏତେ ବ୍ୟାକୁଳତା ସେ ଜାଣେନି ଯେ ଲୋପା ଅପା ତାକୁ ହୃଦୟ ଭରି ଚାହାଁନ୍ତି ବୋଲି । ରାତି ରାତି ଅନିଦ୍ରା ହୋଇ ସେ ନିଜ ଡାଏରୀର ପୃଷ୍ଠା କରିଛନ୍ତି ଜ୍ୟୋତିର୍ମୟ । ଅଥଚ. . . ! ଭାବିଲି ବୋଧେ ଅଧିକ ଭଲ ପାଉଥିବା ଜିନିଷକୁ ମଣିଷ ହରାଇବାକୁ ଚାହେଁନା, ଏଇ ଭୟରେ ସେ ସତ୍ୟକୁ ସାମ୍ନା କରିପାରେ ନା ।

ବାହାଘର ପରେ ଲୋପା ଅପା ହଷ୍ଟେଲ୍ ଛାଡ଼ିଲେ, ଆଉ ତାଙ୍କ ଫାଇନାଲ୍ ପରୀକ୍ଷା ପରେ ସେ ସହର ବି । ଦେବ ଭାଇନାଙ୍କର ଦୂରକୁ ବଦଳି ହୋଇଗଲା । ତା’ପରେ ଆମେ ଦୁହେଁ ପ୍ରାୟ ଚିଠି ଦେବା ଓ ଉତ୍ତର ପାଇବାର ଅପେକ୍ଷାରେ ଥାଉ । ବର୍ଷେ ପରେ ଚିଠି କେବଳ ଗଲା ମୋ’ଠୁ ହେଲେ ଉତ୍ତର ଲୋପା ଅପା ପାଖରୁ ଆସିଲାନି । ମୋର ମଧ୍ୟ ଫାଇନାଲ୍ ପରୀକ୍ଷା ପାଖେଇ ଆସିଥିଲା । ପରୀକ୍ଷା ଚିନ୍ତାରେ ଏତେଟା ଗୁରୁତ୍ୱ ଦେଲିନି ଚିଠିର ଉତ୍ତର ନ ଆସିବାଟାକୁ । ପରୀକ୍ଷା ପରେ ହଠାତ୍ ଅଜିତ୍‌ଙ୍କ ସହ ବାହାଘର ଓ ନିଜର ସଂସାର ଗଢୁଗଢୁ ମୁଁ ପୁରାପୁରି ଲୋପା ଅପାଙ୍କୁ ଭୁଲି ଯାଇଥିଲି । ହେଲେ ଆଜି ଏତେ ବର୍ଷ ପରେ ଏମିତି ଦେଖା ହେବ ଏ ବିଶ୍ୱାସ ନ ଥିଲା ।

ରବିବାରଟା ସତରେ ବଡ଼ ବ୍ୟସ୍ତ ଦିନଟା । ବାହାରକୁ ଯାଉଥିବା ମଣିଷମାନେ ଘରେ ରହି ବ୍ୟସ୍ତ କରିପକାନ୍ତି । ସେଦିନ ଭାରତ ପାକିସ୍ଥାନ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ ଚାଲିଥାଏ । ଅଜିତ୍ ଓ ବିଟୁ ମ୍ୟାଚ୍ ଦେଖାରେ ଭୋଳ । ଶୀଘ୍ର ରୋଷେଇ ଓ ଖାଇବା କାମଟା ସାରି ଦେଲା ପରେ, ମୁଁ ଲୋପା ଅପାଙ୍କ ଘରକୁ ବାହାରିଲି । ଅଜିତ୍ କହୁଥିଲେ ମୋତେ ଛାଡ଼ି ଦେବେ ତାଙ୍କ ଘରେ, ହେଲେ ମନ ଖୋଲି ଗପି ହେବନି । ମୁଁ ରିକ୍ସାଟିଏ ନେଇ ଲୋପା ଅପାଙ୍କ ଘରକୁ ବାହାରି ଗଲି ।

ଅମାନିଆ ଛୋଟ ପିଲାଟି ପରି ମୋ ହାତ ଧରି ଘର ଭିତରକୁ ଟାଣି ନେଉ ନେଉ ଅଜିତ୍ ଓ ବିଟୁକୁ ନ ଆଣିଥିବାରୁ ଅଭିମାନ କଲେ ଲୋପା ଅପା । ପଚାରିଲି “ଭାଇନା ନାହାନ୍ତି କି ? ଆଉ ପିଲାମାନେ କାହାନ୍ତି ?” ଭାଇନା ଦୁଇଦିନ ପାଇଁ ଅଫିସ୍ କାମରେ ଦିଲ୍ଲୀ ଯାଇଛନ୍ତି । ଆଉ ଆଜି ପରା ରବିବାର ଛୁଟି ପିଲାଙ୍କୁ ଦେଖିବୁ କ’ଣ ? “ମାନେ ?” ମୁଁ ପଚାରିଲି । ଆଲୋ ବୁଝିପାରୁନୁ ସ୍କୁଲ୍‌ରେ ତ ମୁଁ ଏତେ ପିଲାଙ୍କ ଯତ୍ନ ଠିକ୍‌ରେ ନେଇପାରୁନି, ପୁଣି ପିଲା କରି କ’ଣ କରିଥାନ୍ତି ? ଓଃ ! ମୁଁ ଶଙ୍କା ପାଇଲି । ପିଲାଙ୍କ କଥା ପଚାରି ଲୋପା ଅପାଙ୍କୁ ଆହତ କରିନି ତ ??

ଖାଇସାରି ଆମେ ଦୁହେଁ ଖଟରେ ପାଖାପାଖି ଗଡ଼ପଡ଼ ହେଉଥିଲୁ । ମୁଁ ଅନର୍ଗଳ ଗପି ଚାଲିଥାଏ ଲୋପା ଅପା ହଷ୍ଟେଲ୍ ଛାଡ଼ିବା ପରର କଥା, ଅଜିତ୍‌ଙ୍କ ପସନ୍ଦ ଅପସନ୍ଦ, ବିଟୁର ଦୁଷ୍ଟାମୀ । ଆରେ ଏ କ’ଣ ଲୋପା ଅପା ଆଖିରେ ଲୁହ ? ସେ ତ ଏମିତି ଯେ ସବୁ ଦୁଃଖକୁ ଚଳୁ କରି ପିଇଯିବେ ପଛେ ତା’ର ଆଭାସ ମୁହଁରେ ଆସିବାକୁ ଦେବେନି । ଅଥଚ ସେ କାନ୍ଦୁଛନ୍ତି । ଡରି ଡରି ପଚାରିଲି “ମୁଁ କ’ଣ ପଚାରି ଦେଲି ବୋଲି ରାଗିଲ ଲୋପା ଅପା ??” “ତୋ ଲୋପା ଅପା ହାରିଯାଇଛି, ଭାଙ୍ଗିଯାଇଛି ଲୋ”, କହି ଭୋ’ ଭୋ’ କାନ୍ଦି ଉଠିଲେ ସେ । ମୁଁ କେବଳ ଅବୁଝା ଆଖିରେ ତାଙ୍କୁ ଚାହିଁ ରହିବା ଛଡ଼ା ଅନ୍ୟ ଭାଷା ପାଇଲି ନାହିଁ ତାଙ୍କୁ ବୁଝାଇବା ପାଇଁ ।

ଅନେକ ସମୟର ନିରବତା ପରେ ସେ ସହଜ ହେଲେ । କହିଲେ “ନିଚ୍ଛକ ଖୋଲା ମଣିଷଟେ ଦେବକାନ୍ତ । ସତକୁ ଖୁବ୍ ଆଦରରେ ଗ୍ରହଣ କରିନିଅନ୍ତି ଆଉ ଦୋଷ ସ୍ୱୀକାର କରି ନେଲେ ଶତ୍ରୁକୁ ମଧ୍ୟ କୋଳେଇ ନିଅନ୍ତି । ଖୁବ୍ ଖୁସିରେ ଥିଲୁ ଆମେ । ମୁଁ ହିଁ ଅଧିକ ସୁଖରେ ସଂସାର ଗଢ଼ିବାର ଇଚ୍ଛାରେ ଅନାବଶ୍ୟକ ଛଳନା କରୁ କରୁ ହାରିଗଲି । ପ୍ରେମିକ ଓ ପତି ଭିତରେ ଲୁଚକାଳି ଖେଳୁ ଖେଳୁ ଧରା ପଡ଼ିଗଲି । ଏଇଆ ତ ହୁଏ । ଅଧିକ ଉଚ୍ଚାକୁ ଉଠିଗଲେ ଖୁବ୍ ଧକ୍କା ଲାଗି ତଳେ ପଡ଼ିବାକୁ ପଡେ଼ ।”

ଜାଣିଲୁ ଶ୍ୱେତା “ହଠାତ୍ ଦିନେ ମୁଁ ଅନୁଭବ କଲି ଛୁଆଙ୍କ ପରି ପ୍ରତିମୁହୂର୍ତ୍ତ ଅଳି ଅଝଟ କରି ବ୍ୟସ୍ତ କରି ପକାଉଥିବା ମଣିଷଟିର କୋଳାହଳ ବନ୍ଦ ହୋଇଯାଇଛି । ଗହଳ ଚହଳରେ ଫାଟି ପଡୁଥିବା ଘରେ ନିର୍ଜନତା ଖାଁ ଖାଁ କରି ଗୋଡ଼ାଉଛି । ଗପୁଡ଼ା ମଣିଷଟା ହଠାତ୍ ଚୁପ୍ ହୋଇଗଲେ ଡର ଲାଗେନି । ଦେବକାନ୍ତ ଅଫିସ୍ ଯାଉଥିଲେ, ଠିକ୍ ସମୟରେ ଫେରୁଥିଲେ, ଖାଉଥିଲେ, ମୋର ଭଲମନ୍ଦ ବୁଝୁଥିଲେ, ଆବଶ୍ୟକ ଜିନିଷ ଆଣି ଦେଉଥିଲେ । ତଥାପି କିଛିଟା ବ୍ୟତିକ୍ରମ ବାରି ହୋଇଯାଉଥିଲା ।”

ଖୁବ୍ ଶୀଘ୍ର ଘରକୁ ଫେରିଥିଲେ ସେଦିନ ଦେବକାନ୍ତ ଖବର କାଗଜଟା ଧରି ଅନ୍ୟମନସ୍କ ଭାବେ ଚାହା ପିଉଥିଲେ । ମୁଁ ପଚାରି ଦେଲି “କ’ଣ ହୋଇଛି ତୁମର ? ଏଇ କେତେଦିନ ହେବ ଖୁବ୍ ଅବଶ ଦେଖାଯାଉଛ ।”

“ଅତୀତକୁ ବର୍ତ୍ତମାନ ଭିତରକୁ ଟାଣି ଆଣି ମଣିଷ ବହୁତ ଦୁଃଖ ପାଏନା ଲୋପା”, ଖୁବ୍ ଉଦାସ ସ୍ୱରରେ କହିଲେ ଦେବକାନ୍ତ । ହେଲେ ଅତୀତ ତ ଅତୀତ, ବର୍ତ୍ତମାନ ଭିତରକୁ ସେ ସେତେବେଳେ ପଶିଆସେ ଯେତେବେଳେ ବର୍ତ୍ତମାନରେ କିଛି ଫାଙ୍କ ରହିଯାଏ । ଗୋଟେ କଥା ପଚାରିବି ସତ କହିବ ଲୋପା, “ତୁମେ କ’ଣ “ଜ୍ୟୋତି” ନାମକ ଯୁବକକୁ ଏବେ ବି ଭଲ ପାଅ ?”

“ଏ ସ୍ୱାଭାବିକ୍ ଯେ ଯୁବ ପ୍ରାଣ ଅନେକ ସ୍ୱପ୍ନ ଦେଖେ । କାହାକୁ ନେଇ ସ୍ୱପ୍ନ ଦେଖିବା ତ ଭୁଲ୍ ନୁହେଁ । ହେଲେ କ’ଣ ମୋ ଭଲ ପାଇବାରେ କିଛି ଊଣା ରହିଯାଉଛି ଯେ ତୁମେ ଏବେ ବି “ଜ୍ୟୋତି”କୁ ମନେ ପକାଉଛ । ମୁଁ ଉତ୍ତର ଚାହେଁ”, କହୁଥିଲେ ଦେବକାନ୍ତ । ହେଲେ ମୁଁ ଥିଲି ନିରୁତ୍ତର । ଜାଣୁ ଶ୍ୱେତା ସେଦିନର ସେ ମୌନତା ମୋ ଜାବନକୁ ଓଲଟ ପାଲଟ କରିଦେଲା ।

ଅଳସ ଅପରାହ୍ନରେ ଦେବଙ୍କ ଅନୁପସ୍ଥିତିରେ, ଏକୁଟିଆ ବେଳେ “ଜ୍ୟୋତି” ମନ ମଧ୍ୟକୁ ପଶିଆସି ମୋତେ ବ୍ୟସ୍ତ କଲାବେଳେ ମୋ ଡାଏରୀର କିଂୟଦଶ ହୋଇଛନ୍ତି । ଆଉ ଏଇ ସଦ୍ୟତମ ଦିନର ଅଧ୍ୟାୟରୁ ପଢ଼ି ଦେବକାନ୍ତ ଆଜି ରୁଷ୍ଟ ।

ମୁଁ ନିର୍ଦ୍ଦୋଷ ବୋଲି ନିଜକୁ ପ୍ରମାଣ କରିପାରିଲିନି ଶ୍ୱେତା । କ’ଣ ଥିଲେ ତ ପ୍ରମାଣ କରିଥାନ୍ତି । କେମିତି କହିଥାନ୍ତି “ଜ୍ୟୋତି” ସତ ନୁହେଁ ସ୍ୱପ୍ନ, ଏକ କଳ୍ପନା । କହିଲେ ବି ବିଶ୍ୱାସ କରିଥାନ୍ତେ କି ଦେବ ?

ଖୁବ୍ ଭଲ ହୋଇଥାଆନ୍ତା ଯଦି ଦେବକାନ୍ତ ମୋତେ ଆହାତ କରିଥାନ୍ତେ, ମୋ ଚରିତ୍ରରେ କଳଙ୍କ ଥିବାର ଦ୍ୱାହି ଦେଇ ଅପମାନିତ କରିଥାନ୍ତେ । କିଛି ଭାଙ୍ଗି ଯାଇଥିଲେ ତ ନୂଆ କିଛି ଗଢ଼ା ହୋଇଥାନ୍ତା । କିନ୍ତୁ ନା, ସେମିତି କିଛି ଘଟିଲାନି । ସବୁ ଦୋଷକୁ ନିଜ ଆଡ଼କୁ ଟାଣି ନେଇ, ନିଜ ପତି ପଣିଆରେ ଦୋଷ ରହିଗଲା ବୋଲି ନିଜକୁ ଦାୟୀ କରି ସେ ନିରବ ରହିଗଲେ । କିଛି ନ କହି ଦେବକାନ୍ତ ଦେବତା ହୋଇଗଲେ, ଆଉ ମୁଁ କିଛି ନ କହି ଦୋଷୀ ହୋଇ ରହିଗଲି ।

ଯେଉଁ ନିରବତାକୁ ମୁଁ ମଧୁର ବୋଲି “ଜ୍ୟୋତି” ପାଇଁ ଧରି ନେଇଥିଲୁ, ସେହି ନିରବତା କଠୋର ହୋଇଗଲା ଦେବକାନ୍ତଙ୍କ ପାଇଁ । ଆମେ ଏକାଠି ଗୋଟିଏ ଛାତ ତଳେ ରହୁଛୁ, ମାତ୍ର ମନ ଭିତରେ ବିରାଟ ପ୍ରାଚୀର । ଆଠ ବର୍ଷ ହେଲା ଅଭିନୟ କରି କରି ମୁଁ ଥକି ଗଲିଣି ଶ୍ୱେତା ।

ତୋତେ ମୁଁ ବହୁତ ଖୋଜିଛି ଶ୍ୱେତା, କାରଣ ତୁ ସବୁ ଜାଣିଥିଲୁ । ପାରିବୁ ତୁ ଦେବକାନ୍ତଙ୍କୁ ବୁଝେଇ । । ଆମ ଭିତରେ ଥିବା ଅକୁହା ପାଚେରୀକୁ ଉଠେଇ ପାରିବୁ ତୁ ?? ଲୋପା ଅପା ମୋ ହାତ ଧରି ନେହୁରା ହେବା ପରି ଅନୁରୋଧ କରୁଥିଲେ ।

ମୁହଁରେ ପାରିବାର ମୃଦୁ ହସ ଫୁଟାଇ ମୁଁ ଭାବୁଥିଲି “ପତିପତ୍ନୀ ସମ୍ପର୍କର ସେ ରେଶମୀ ଡୋରୀ ଯେ କେତେ ସୂକ୍ଷ୍ମ, ଯାହା କେବଳ ବିଶ୍ୱାସର ସାହାରାରେ ବନ୍ଧାଯାଇପାରେ ତାକୁ ମୁଁ କେମିତି ଯୋଡ଼ିବି ?”

ଲୋକପ୍ରିୟ ଲେଖା

To Top