ଗଳ୍ପ

ଶାଶ୍ୱତ ପ୍ରେମ

Jitendra Seth

ତୁମ କୋଳରେ ଶୋଇ ମତେ ବହୁତ ଭଲ ଲାଗୁଛି । ଲାଗୁଛି ଯେମିତି ମୁଁ ମୋ ଜୀବନର ସବୁକିଛି ପାଇଯାଇଛି । ମୁଁ ଜାଣେନା ଆଉ ଥରେ ପୁଣି ଏହି ସୁଯୋଗ ମତେ ମିଳିବ ନା ନାହିଁ ।

ଶାଶ୍ୱତ ପ୍ରେମ

ଶୁଭ୍ର ସକାଳର ସୁନେଲି କିରଣରେ ନିଜକୁ ହଜାଇ ସ୍ୱପ୍ନ ମହଲର ପରୀଟିଏ ସାଜି ମୀନାର ମନ ଉଡ଼ି ବୁଲୁଥାଏ ରଙ୍ଗୀନ୍ ଦୁନିଆଁର ଉପବନରେ । ପ୍ରଥମ ପ୍ରେମର ସ୍ପର୍ଶରେ ସବୁ ଦୁଃଖଶୋକ ଭୁଲିଯାଇଥାଏ ମୀନା । ପ୍ରେମିକର ଭାବନାରେ ବୁଡ଼ି ରହିଥିବା ବେଳେ ଘର ଭିତରୁ ବୋଉ ଡାକ ଦେଲେ- “ମୀନା ତୋ ଫୋନ୍ ।” ହଠାତ୍ ମୀନାର ମନ ପୁଲକିତ ସ୍ୱପ୍ନ ଦୁନିଆଁରୁ ଫେରିଆସିଲା ବାସ୍ତବ ଦୁନିଆଁକୁ । ମୀନା ବୋଉଙ୍କ ପାଖରୁ ଫୋନ୍ ଆଣି ଦେଖେ ତ ରାହୁଲ ଫୋନ୍ କରିଛି । ଅତି ଧୀର ସ୍ଥିର କଣ୍ଠରେ ରାହୁଲ କହିଲା- “ମୀନା କେମିତି ଅଛ ? ତମ କଥା ଭାରି ମନେ ପଡୁଛି । ମୁଁ ତୁମକୁ ଦେଖିବାକୁ ଚାହେଁ ।” ମୀନା ରାହୁଲର ବିରହୀ ମନର ବେଦନାକୁ ବୁଝିପାରି ପଚାରିଲା- “ତୁମେ କେଉଁଠି ଅଛ ?” ରାହୁଲ କହିଲା- “ହସ୍ପିଟାଲ୍‌ରେ ।” ହସ୍ପିଟାଲ୍‌ର ନାଁ ଶୁଣିଲା ମାତ୍ରକେ ମୀନା ବ୍ୟସ୍ତ ହୋଇ କାନ୍ଦି କାନ୍ଦି କହିଲା- “ଏଇ କ’ଣ ହେଇଛି ତମର ? ମୁଁ ଏବେ ଯାଇ ତମ ପାଖରେ ପହଞ୍ଚୁଛି ।” ମୀନାର କାନ୍ଦଣା ଶୁଣି ରାହୁଲ କହିଲା- “ମୀନା ତୁମେ କାନ୍ଦନି ଆଉ ଶୀଘ୍ର ମୋ ପାଖକୁ ଆସ ।”

ମୀନା ଆଉ ଡେରି ନ କରି ସାଙ୍ଗେ ସାଙ୍ଗେ ରାହୁଲ ପାଖରେ ଯାଇ ପହଞ୍ଚିଲା । ସେତେବେଳେ ରାହୁଲ ଡାକ୍ତରଖାନାର ଚାରିକାନ୍ଥ ଆବଦ୍ଧ ଏକ ବେଡ୍‌ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥାଏ । ମୀନା ରାହୁଲର ଜଣେ ଭଲ ସାଙ୍ଗ ବୋଲି ନିଜର ପରିଚୟ ଦେଇ ରାହୁଲର ବାପାଙ୍କୁ ପଚାରିଲା- “ମଉସା, ରାହୁଲର କ’ଣ ହେଇଛି ?” ରାହୁଲର ବାପା ଛଳଛଳ ଆଖିରେ ଉତ୍ତର ଦେଲେ- “ରାହୁଲକୁ ବ୍ଲଡ୍ କ୍ୟାନ୍ସର୍. . . ।” ଏକଥା ସେ ଏପର୍ଯ୍ୟନ୍ତ ଜାଣିନି । ରାହୁଲର ବାପାଙ୍କଠାରୁ ମୀନା ଏକଥା ଶୁଣି ସାରିଲା ପରେ ମୀନା ମନେ ମନେ ଭାଗବାନଙ୍କୁ ଡାକୁଥାଏ “ହେ ଭଗବାନ୍ ! ଏହା ଏକ ଦୁଃସ୍ୱପ୍ନ ହିଁ ହେଇଥାଉ ।” ଦୁଃଖରେ ଭାଙ୍ଗିପଡ଼ି ମନର କୋହକୁ ଅନ୍ତରେ ଚାପି ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଅସମର୍ଥ ହୋଇପଡୁଥିଲା । ଠିକ୍ ଏହି ସମୟରେ ରାହୁଲର ଚେତା ଆସିଲା । ଚେତା ଆସିବା ପରେ ସର୍ବପ୍ରଥମେ ରାହୁଲ ମୀନା କଥା ପଚାରିଲା । ବାପା କହିଲେ “ହଁ, ତୋର ଜଣେ ପ୍ରିୟ ସାଙ୍ଗ ତତେ ଦେଖା କରିବାକୁ ଆସିଛି ଓ ବାହାରେ ଅପେକ୍ଷା କରିଛି ।” ମୀନା ଆସିଥିବାର ଜାଣି ରାହୁଲ୍ ବେଡ୍ ଉପରୁ ଉଠିବାକୁ ଚେଷ୍ଟା କରୁଥାଏ ହେଲେ ଉଠିପାରୁନଥାଏ । ମନ ତା’ର ଚାହୁଁଥାଏ ଦୌଡ଼ିଯାଇ ମୀନାକୁ କୁଣ୍ଢେଇ ପକାନ୍ତା । ରାହୁଲ ବାପାଙ୍କୁ କହିଲା- “ବାପା ମୁଁ ମୀନା ସହିତ ନିରୋଳାରେ ଦୁଇପଦ କଥା ହେବାକୁ ଚାହେଁ ।” ବାପା ବାହାରକୁ ଆସି ମୀନାକୁ କହିଲେ- “ରାହୁଲ ତୁମ ସହିତ ଦେଖା କରିବାକୁ ଚାହେଁ ।”

ଏହା ଶୁଣି ମୀନା ନିଜର ବ୍ୟାଗ୍‌ପତ୍ର ତଳକୁ ଫିଙ୍ଗି ଦେଇ ରାହୁଲ ରହିଥିବା ରୁମ୍ ପାଖକୁ ଦୌଡ଼ିଲା । ରୁମ୍ ବାହାରେ ଆଖି ଲୁହ ପୋଛି ଦେଲା କାରଣ ଏଇ ବ୍ଲଡ୍ କ୍ୟାନ୍ସର୍ କଥା ଯେମିତି ରାହୁଲ୍ ନ ଜାଣେ । ମୀନା ରାହୁଲ ପାଖକୁ ଯାଇ ପଚାରିଲା- “କେମିତି ଅଛ ?” ରାହୁଲ ହସିକି ଉତ୍ତର ଦେଲା- “ମୀନା ତୁମେ ଆସିଗଲିଣି ଯେତେବେଳେ, ତୁମକୁ ପାଖରେ ଦେଖି ମୁଁ ପୁରାପୁରି ଠିକ୍ ହେଇଯାଇଛି ।” ମୀନା ସବୁକଥା ଜାଣି କାନ୍ଦିବାକୁ ଚାହୁଁଥିଲେ ବି କାନ୍ଦି ପାରୁନଥିଲା । ରାହୁଲର ଗାଲକୁ ଆଉଁସି କହିଲା- “ତୁମେ ଶୀଘ୍ର ଭଲ ହୋଇଯିବ ।” ରାହୁଲ ପ୍ରତ୍ୟୁତ୍ତରରେ କହିଲା- “ମୀନା ! କାଲି ପୁଣି କଲେଜ୍ ଯିବା, ବହୁତ ମଜା କରିବା, ସେଇ ପଛପଟ ସିଟ୍‌ରେ ବସିବା, ଆଉ ଦେଖ ତୁମେ ମତେ ବେଶି ଦେଖିବନି । ତୁମେ ତ ନିଜେ ପଢ଼ନି ଆଉ ମତେ ବି ପଢ଼ିବାକୁ ଦିଅନି ।” ରାହୁଲର କଥା ଶୁଣି ବିଚାରୀ ମୀନା କେତେ ସମୟ ଆଉ ଆଖି ଲୁହକୁ ଚାପି ରଖିପାରିଥାନ୍ତା, ଛଳଛଳ ଆଖିଲୁହକୁ ଓଢ଼ଣୀରେ ପୋଛି ଦେଇ କହିଲା- “ହଉ ଠିକ୍ ଅଛି ତୁମେ ମନ ଦେଇ ପାଠ ପଢ଼ିବ ମୁଁ ଆଉ ଡିଷ୍ଟ୍‌ର୍ବ କରିବିନି ।” ରାହୁଲ ଧୀର ସ୍ୱରରେ କହିଲା- “ମୀନା ତୁମେ ସବୁବେଳେ ମୋର କେତେ ଧ୍ୟାନ ରଖିଛ । କଥାଦିଅ ଯେତେ ବାଧାବିଘ୍ନ ଆସୁ ପଛକେ ମୋ ହାତ କେବେ ଛାଡ଼ିବନି ।” ରାହୁଲର କଥା ଶୁଣି ମୀନା ନିଜକୁ ସମ୍ଭାଳି ନ ପାରି କାନ୍ଦି ପକାଇଲା । ରାହୁଲ ମୀନା ଆଖିର ଲୁହକୁ ପୋଛି ଦେଇ କହୁଥାଏ- “ଏ ମୀନା. . . ! ମୋର କିଛି ହେବନି, ମୁଁ ଶୀଘ୍ର ଠିକ୍ ହେଇଯିବି ତୁମେ ଜମାରୁ କାନ୍ଦନି ।” ମୀନା କାନ୍ଦି କାନ୍ଦି ରାହୁଲକୁ କୁଣ୍ଢେଇ ପକାଇ କହିଲା- “ମୁଁ କାନ୍ଦୁନି ରାହୁଲ. . . ମୋର ସବୁ ହସ ଖୁସି, ମୋ ବୟସ ତୁମକୁ ଲାଗିଯାଉ । ମୁଁ ତୁମର କିଛି ବି ହେବାକୁ ଦେବିନି ।”

ଦୁହିଁଙ୍କ ମନରେ ଲୁଚି ରହିଥିଲା ସ୍ୱର୍ଗୀୟ ଓ ଶାଶ୍ୱତ ତଥା ଚିରନ୍ତନ ପ୍ରେମର ଭଣ୍ଡାର । ମନର ଦୁଃଖକୁ ହାଲ୍କା କରିବା ପାଇଁ ତ ସାଥିଟିଏର ଦରକାର ପଡ଼ିଥାଏ । ହେଲେ ସମୟର ବିଡ଼ମ୍ୱନା ଦେଖ. . . ଗୋଟିଏ ପଟେ ରାହୁଲ ଜାଣିନଥିଲା ତା’ କାଳ କେବେ ସରିବ ଓ ଅନ୍ୟପଟେ ମୀନା ସବୁ ଜାଣି ମଧ୍ୟ ନ ଜାଣିଲା ପରି କିଛି କହିପାରୁନଥିଲା ତା’ର ପ୍ରାଣ ପୂଜକ ରାହୁଲକୁ । ରାହୁଲ ମୀନାର କୋଳରେ ମୁଣ୍ଡ ରଖି କିଛି ସମୟ ଶୋଇବାକୁ କହିଲା ଯେଉଁ ସ୍ୱପ୍ନକୁ ସେ ବହୁତ ଆଗରୁ ଦେଖିଥିଲା । – ପ୍ରତିଦିନ ଛୋଟ ପିଲାଟି ପରି ମୀନାର କୋଳରେ ସେ ମୁଣ୍ଡ ରଖି ଶୋଇବ, କେତେ ଦୁଃଖସୁଖ ହେବେ, କେତେ ମଜା କରିବେ, ତାଙ୍କ ପ୍ରେମ କାହାଣୀର ପୁରୁଣା ପୃଷ୍ଠାକୁ ଓଲଟାଇ ବିତିଯାଇଥିବା ଦିନର ଅଭୁଲା ସ୍ମୃତିକୁ ମନେ ପକାଇବେ । ଅଜାଣତେ ହେଲେ ମଧ୍ୟ ରାହୁଲ ପାଇଁ ଆଜି ଥିଲା ସେ ସ୍ୱପ୍ନର ଶେଷ ସମୟ । ମୀନାର ଆଖିରୁ ଝରଝର ଝରୁଥାଏ ଛାତିଫଟା ବେଦନାର ଲୁହ । ରାହୁଲକୁ କୋଳରେ ଶୁଆଇ କାନ୍ଦୁଥାଏ ମୀନା । ଏହି ସମୟରେ ରାହୁଲ ଗମ୍ଭୀର କଣ୍ଠରେ କହିଲା- “ତୁମ କୋଳରେ ଶୋଇ ମତେ ବହୁତ ଭଲ ଲାଗୁଛି । ଲାଗୁଛି ଯେମିତି ମୁଁ ମୋ ଜୀବନର ସବୁକିଛି ପାଇଯାଇଛି । ମୁଁ ଜାଣେନା ଆଉ ଥରେ ପୁଣି ଏହି ସୁଯୋଗ ମତେ ମିଳିବ ନା ନାହିଁ ।” ମୀନାର ହାତପରସରେ ରାହୁଲ ଶୋଇବା ପୂର୍ବରୁ କହିଥିଲା- “ମୀନା ! ମୁଁ ତୁମକୁ ସବୁବେଳେ ବହୁତ ମନେ ପକାଇବି । ରିୟଲି ଆଇ ଉଇଲ୍ ମିସ୍ ୟୁ ଏ ଲଟ୍. . . ।”

କିଛି ସମୟ ପରେ ମୀନା ଜାଣିପାରିଲା- ରାହୁଲ ଆଉ ଏଇ ଦୁନିଆଁରେ ନାହିଁ । ସେହି “ମିସ୍ ୟୁ” ଶବ୍ଦଟି ତା’ ପାଇଁ ଥିଲା ବୋଧେ ଶେଷ ଶବ୍ଦ । ରାହୁଲ ଆଉ ନାହିଁ- ଏକଥା ଜାଣି ମଧ୍ୟ ମୀନା କୁଣ୍ଢେଇ ଧରିଥାଏ ରାହୁଲକୁ । ମୀନା ଦୁଃଖର କୋହରେ ଭାବୁଥାଏ ସେ ପୂର୍ବଦିନର କଥା ସବୁ । ରାହୁଲ ଥରେ କହିଥିଲା- “ମୁଁ ଯଦି ମରିଯାଏ ???”

ମୀନା- “ଏଇ ଚୁପ୍, ତମେ ଭୁଲ୍‌ରେ ବି ଏମିତି କେବେ କହିବନି । କାରଣ ତୁମେ ମରିବା ପୂର୍ବରୁ ମୁଁ ନଥିବି । ପ୍ରଥମେ ମୁଁ ମରିବି ତା’ପରେ ତୁମେ । ଆମେ ପରା ‘ସାଥି’ । ସାଙ୍ଗ ହେଇ ବଞ୍ଚିବା ସାଙ୍ଗ ହେଇ ମରିବା ।”

ବାସ୍. . . ଏତିକି. . . । ଏକଥା ଭାବି ଭାବି ମୀନାର ମଧ୍ୟ ନିଶ୍ୱାସ ବନ୍ଦ ହୋଇ ସାରିଥିଲା । କିଛି ସମୟ ପରେ ଯେତେବେଳେ ରାହୁଲ ବାପା ରୁମ ଭିତରକୁ ଯାଇ ଦେଖିଲେ- ରାହୁଲ ମୀନାର କୋଳରେ ମୁଣ୍ଡ ରଖି ଜୀବନ ହାରି ସାରିଥିଲା ଓ ମୀନା ମଧ୍ୟ ରାହୁଲକୁ କୁଣ୍ଢେଇ ଧରି ତା’ ସାଥି ସାଙ୍ଗରେ ସାଥି ହେବାର ସ୍ୱପ୍ନକୁ ପୁରା କରିସାରିଥିଲା ।

ସତରେ ଭାଗ୍ୟରେ ଥିଲେ ଏମିତି ସ୍ୱର୍ଗୀୟ, ଚିରନ୍ତନ ଓ ଶାଶ୍ୱତ ପ୍ରେମ କରିବାର ସୁଯୋଗ ମିଳେ । ଏଇ ମରଣ ମରଣ ନୁହେଁ ଏହା ଥିଲା ଦୁଇଟି ମନର, ଦୁଇଟି ହୃଦୟର ତଥା ଦୁଇଟି ଆତ୍ମାର ପ୍ରକୃତ ମିଳନ ।

ଲୋକପ୍ରିୟ ଲେଖା

To Top