ଗଳ୍ପ

ଅନିନ୍ଦିତା ଅପରାଜିତା

ସ୍ତିମିତ ଆଳୁଅରେ ମୁଁ ପଢ଼ିନେଲି, ତା’ ମୁହଁରେ ଚିନ୍ତାର ଛାପ ନ ଥିଲା ପରି ଲାଗୁଥିଲା । ଏମିତି ଗୋଟେ ଘଟଣା ଘଟିଯିବ ବୋଲି ସେ ଆଗରୁ ଯେମିତି ପ୍ରସ୍ତୁତ ଥିଲା । ମୁଁ ତାକୁ ଶାଢ଼ୀ ବଦଳାଇବା ପାଇଁ କହିଲି ।

ଅନିନ୍ଦିତା ଅପରାଜିତା

ସନ୍ଧ୍ୟାଟା ଭାରି ପାଦରେ ଓହ୍ଲେଇ ସାରିଥିଲା ଅନେକ ବେଳୁ । ପବନଟା ନାନାବାୟା ଗୀତ ଗାଇ ଫୁଲମାନଙ୍କୁ ଆଦରରେ ଶୁଆଇ ପକାଉଥିଲା । ମୁଁ ପୁଣି ହସୁଥିବା ଜହ୍ନଟାକୁ ଚାହିଁ ରହିଲି । ସୃଷ୍ଟିର ଆଦିମ କାଳରୁ ହସୁଥିବା ଜହ୍ନଟା ଦେହରେ କିଛି ବି ନୂତନତ୍ୱ ନାହିଁ, ତଥାପି ଜହ୍ନଟା କେମିତି ଭାରି ଆପଣାର । ମୁଁ କ’ଣ ଲେଖିବି ଭାବି ପାରୁନଥିଲି । କିଛି ଗୋଟାଏ ଲେଖିପାରିଲେ ମୋର ଓଜନିଆ ମନଟାକୁ ହାଲୁକା କରିପାରନ୍ତି । ଖୁସି ହୋଇପାରନ୍ତି ।

ହଠାତ୍ ମୋର ମନେ ହେଲା, ରେନି ଅପାକୁ ନେଇ ଯଦି କିଛି ଲେଖି ହୁଅନ୍ତା ।

ସେଦିନର ଘଟଣାଟା ମନେ ପଡ଼ି ଭାରି ହସ ମାଡ଼ିଲା । ନନ୍ଦନକାନନରୁ ଫେରିଲା ବେଳେ ବସ୍ ଭାରି ଭିଡ଼ । ବୟସ୍କ ଭଦ୍ରଲୋକ ଜଣେ ରେନି ଅପାର ହାତକୁ ଦାବି ଦେଲେ । ରେନି ଅପା ଛାଡ଼ି ଦେବା ଝିଅ ନୁହେଁ । ଆହତ ନାଗୁଣୀ ପରି ସଁ ସଁ ହୋଇ କହିଲା ଭାଗ୍ୟ ଭଲ ମୁଁ ଓହ୍ଲାଇ ଯାଉଛି, ନ ହେଲେ ଦେଖୁଛନ୍ତି ନା, ନୂଆ ଚପଲ କିଣିଛି ।

ଲୋକେ ଜମିଗଲେ । ବେଶ୍ କଣ, କାହିଁକି, କିଏ, କେଉଁଠିର ଏକି ବିରାଟ ପ୍ରଶ୍ନର ପରିଧି ଘେରିଗଲା ରେନି ଅପାକୁ । ରେନି ଅପା ସେଇ ଭଦ୍ରଲୋକଙ୍କୁ ଲକ୍ଷ୍ୟ କରି କହିଲା, ଝିଅଙ୍କ ପରି କାହିଁ ମୁହଁ ତଳକୁ କରିଛନ୍ତି । ଉପରକୁ ଉଠାନ୍ତୁ ।

ତା’ପରେ ଭିଡ଼ ଠେଲି ମତେ ଟାଣି ଆଣିଲା ରେନି ଅପା । ଛିଃ ଛିଃ କି କଦର୍ଯ୍ୟ ପ୍ରକୃତି ଲୋକଟାର । ଟିକିଏ ଛୁଇଁଦେଲେ କ’ଣ ଭଲ ପାଆନ୍ତି । ଆଜିକାଲିର ଝିଅ ମୁହଁ ଖୋଲିବା ଉଚିତ୍ । ଲଜ୍ଜା ଆଉ ନାରୀର ଭୂଷଣ ନୁହେଁ ।

ଆଉ ରେନି ଅପା, ସେ ତ କବିର କବିତା ବନିତା ଲତା ନୁହେଁ । ଜୀବନର ନକ୍ସାକୁ ଦେଖି ପରଖି ତନଖି ତନଖି ଠିକ୍ ଭାବରେ ଚାଲିଛି । ଥରେ ବି ହୁଡ଼ି ନାହିଁ, ବାଟ ଭୁଲି ନାହିଁ । ଦୁନିଆଁକୁ ଠିକଣା ଜବାବ୍ ଦେବା ପାଇଁ ରେନି ଅପା ପରି ଝିଅ ନିଶ୍ଚିତ ଦରକାର ।

ରେନି ଅପାକୁ ଦେଖିଲେ ହଠାତ୍ ଜାଣିହେବ ନାହିଁ ତା’ ମନର ପାଣ୍ଡୁଲିପି । ତା’ ମନର ଧୂସର ଉପତ୍ୟକାରେ ଅନ୍ୟ କାହାର ପଦଧ୍ୱନୀ ଯେ ଶିହରଣ ଆଣିଥିଲା, ଏକଥା କହିହେବ ନାହିଁ । ତା’ ଆଖିର ଚାହାଁଣୀରୁ ତା’ ଅତୀତର ପ୍ରତିବିମ୍ୱ ଚିହ୍ନିବା ମଧ୍ୟ ନିହାତି କଷ୍ଟ । ତା’ଠାରୁ ସବୁ ବୁଝିବାର ଆଗ୍ରହ ଯଦିଓ ଅଛି, ସେତିକି ଆନ୍ତରିକତା ନାହିଁ ।

ଅନୁଭୂତିର ବାସ୍ନା ନଥିଲେ ଗପ ଲେଖିବା ନିହାତି କଷ୍ଟ ।

ସାମ୍ନା କ୍ୱାଟରଟା ରେନି ଅପାର । ଝରକାରେ ରେଲିଂ ନାହିଁ । ଷ୍ଟୋର୍ ରୁମ୍‌ରେ କବାଟ ନାହିଁ । ତଥାପି ରେନି ଅପା ନିଜକୁ ସଜାଡ଼ି ନିଏ । ଜଣେ ମଣିଷ ତ, ଚାକରାଣୀ ରୋଷେଇ କରେ । ଟିକେ ସମୟ ମିଳିଲେ ଚାଲିଆସେ ମୋ ପାଖକୁ ।

ରେନି ଅପାକୁ ସମସ୍ତେ ଈର୍ଷା କରନ୍ତି । ଏତେ ବଡ଼ ବୟସ୍କା ଝିଅଟା ଏକା ଏକା ଅଛି । ବାହା ହୋଇନାହିଁ । ପୁରୁଷମାନଙ୍କ ସାଙ୍ଗରେ ଚା’ ପିଏ । ବଣଭୋଜିକୁ ଯାଏ । ଯୁକ୍ତିତର୍କ କରି ମୁହଁ ଟାଣ କରି କଥା କହେ । କାହାରି ସାହାଯ୍ୟ ସେ ଚାହେଁ ନାହିଁ । କାହାର ସ୍ନେହ ସହାନୁଭୂତିକୁ ସେ ଅପେକ୍ଷା କରେ ନାହିଁ ।

ରେନି ଅପା ମତେ ସବୁ କହେ । ତା’ ସାମ୍ନାରେ ଝିଅମାନଙ୍କ ଚରିତ୍ରର କଦର୍ଯ୍ୟ ସମାଲୋଚନା ହୁଏ । ତା’ ଚିଠି ଫାଇଲ୍ କେମିତି ଲୁଚା ହୁଏ । ନୈଶ୍ୟ ଭୋଜିରେ ଯୋଗ ନ ଦେଲେ କଟୁ ମନ୍ତବ୍ୟ ଶୁଣିବାକୁ ପଡ଼େ ।

ରେନି ଅପା ବେଳେ ବେଳେ ସହିଯାଏ । କାରଣ ସେ ପୁରୁଷ ନୁହେଁ, ନାରୀ । ନାରୀ ପରା ବସୁଧା ।

ରେନି ଅପାକୁ ନେଇ କବିତା ଲେଖି ହେବ କି ? ସେମିତି ତ ରେନି ଅପା କୋଟି ଲାବଣ୍ୟବତୀ ନୁହେଁ କି ମାନିନୀ ରାଧିକା ନୁହେଁ । ରେନି ଅପାର ଓଠ ଅରଣ୍ୟରେ ଫୁଲ ସବୁ ରଙ୍ଗହୀନ । ତା’ର ବୟସର ବାନାନୀର ଟୋପାଏ ବି ମୌସୁମୀର ଇଙ୍ଗିତ ନାହିଁ । ତା’ର କଜ୍ଜଳ କେଶରାଶିରେ ବିନ୍ଦୁଏ ବି ସ୍ପନ୍ଦନ ନାହିଁ । କ’ଣ ଯେ ସତେ ରେନି ଅପା ।

ସିଏ ଆଦ୍ୟ ଶୀତର କାକର ଭିଜା ପ୍ରଭାତ କି ଶେଷ ବସନ୍ତର ସରି ସରି ଆସୁଥିବା ମେଞ୍ଚାଏ ସୁରଭି କି ଆସନ୍ନ ସନ୍ଧ୍ୟାର ମୁଠା ମୁଠା ଛାଇ ଆଲୁଅ । ରେନି ଅପା ହ୍ରଦ ନା ତଟିନୀ, ତଟିନୀ ହେବାର ଲିପ୍ସା କ’ଣ ତା’ ମନରେ ଗୋଟେ ନାହିଁ ।

ହୁଏତ ରେନି ଅପା କାହାକୁ ମନେ ମନେ ପ୍ରେମ କରିଥାଇପାରେ, କି ତା’ ସ୍ୱାମୀକୁ ଡାଇଭର୍ସ କରିଥାଇପାରେ, ଯଦିଓ ତା’ କଥା ସହିତ କିଛି ଭେଜାଲ୍ ମିଶାଇ ଦିଆଯାଏ ।

ତାକୁ ନେଇ ଗପ କି କବିତା କିଛି ବି ଲେଖାଯାଇ ପାରିବନି । ସେ ଏକ ବିରାଟ ଅସରନ୍ତି ଉପନ୍ୟାସ । ଅଛିଣ୍ଡା ପାଣ୍ଡୁଲିପି ।

ତା’ପରଦିନ ଝଡ଼ ମୁଖର ରାତିରେ ଏକ ଆଚମ୍ୱିତ ଘଟଣା ଘଟିଲା, ଯାହା କି ଲେଖିବା ପାଇଁ କିଛି ଖୋରାକ ଯୋଗାଇ ଦେଲା ।

ରେନି ଅପା ଓଦା ଜୁଡୁବୁଡୁ କ’ଣ ହୋଇଛି । ଏତେ ରାତିରେ ତା’ କ୍ୱାଟରକୁ ନ ଯାଇ ଏଠାକୁ । ମତେ ସବୁ ଭୂତକୋଠିର ଖେଳ ପରି ଲାଗୁଥିଲା ।

କହିଲି ତୁମେ ଟୁର୍‌ରେ ଯାଇଥିଲ ପରା ।

ତନ୍ଦ୍ରାଳସ କଣ୍ଠରେ ରେନି ଅପା କହିଲା, ସେଇ ଟୁର୍‌ରେ ଯାଇ ଏଇ ଦୁର୍ଘଟଣା । ସ୍ତିମିତ ଆଳୁଅରେ ମୁଁ ପଢ଼ିନେଲି, ତା’ ମୁହଁରେ ଚିନ୍ତାର ଛାପ ନ ଥିଲା ପରି ଲାଗୁଥିଲା । ଏମିତି ଗୋଟେ ଘଟଣା ଘଟିଯିବ ବୋଲି ସେ ଆଗରୁ ଯେମିତି ପ୍ରସ୍ତୁତ ଥିଲା । ମୁଁ ତାକୁ ଶାଢ଼ୀ ବଦଳାଇବା ପାଇଁ କହିଲି । ତା’ ପାଇଁ ଚା’ କରିଦେଲି ।

କିଛି କ୍ଷଣ ନୀରବତା ପରେ ସେ କହିଲା ପୁରୁଷର ଆକର୍ଷଣ ସହଜାତ ଆଉ ସ୍ୱାଭାବିକ । କିନ୍ତୁ ଜଣେ ବିବାହିତ ପୁରୁଷର ଯେ ଭୋକିଲା କୁକୁରର କ୍ଷୁଧା ଥାଇପାରେ ବୋଲି ମୁଁ ଅନୁମାନ କରିପାରିନଥିଲି । ଅନ୍ଧାରରେ ଗାଡ଼ି ଖରାପ ହେବାର ବାହାନା କରି ସେ ଲୋକଟା କ’ଣ କହିଲା ଜାଣୁ । ମତେ ହଲେଇ ଦେଇ କହିଲା ତୁ କୁଆଡ଼େ ଲେଖା ଲେଖି କରୁ ପରା । ଆଜିର ଏ ଘଟଣାକୁ ଭିତ୍ତି କରି ଗପଟିଏ ଲେଖିଦେଲେ କେମିତି ହୁଅନ୍ତା । ଭଲ ହୁଅନ୍ତା ନାହିଁ । ରେନି ଅପାର କ’ଣ କେହି ବି ନାହାନ୍ତି ? ସେ କ’ଣ ଦୁନିଆଁରେ ଏକଲା ଉଦାସୀ ପକ୍ଷୀଟିଏ । ରେନି ଅପା ବୟସର ଝିଅମାନେ ମଧ୍ୟ ଆଜିକାଲି ବାହା ହେଉଛନ୍ତି । ରେନି ଅପାର ଚଲାପଥ କ’ଣ ଏତେ ଶୁଷ୍କ ନୀରସ ? କେହି କ’ଣ ତାକୁ ମିଳିଲେ ନାହିଁ ?

ବିବାହ ନାରୀ ପାଇଁ ନିରାପଦ ଛାତଟାଏ । ସବୁ ନିନ୍ଦା ଅପମାନର ଟେକା ପଥର ସେ ଛାତରେ ବାଜି ଚୁରମାର୍ ହୋଇଯାଏ । ଏମିତି କ’ଣ ବଞ୍ଚି ହୁଏ ଏକା ଏକା ? ଏମିତି କ’ଣ ଜୀବନକୁ ସାମ୍ନା କରିହୁଏ ? ସବୁ ଦୁଃଖର ଗରଳ ଜାଣି ଜାଣି ପିଇ ଦେଇ ଯନ୍ତ୍ରଣାର ପ୍ରଲେପ ବୋଳି ହସିବାକୁ ହୁଏ । ମୁଁ ସତକୁ ସତ ପଚାରିଦେଲି । ମତେ ସ୍ଥିର ଦୃଷ୍ଟିରେ ଚାହିଁ ସେ କହିଲା ଏକାକୀତ୍ୱର ଜୀବନ କ’ଣ ଜୀବନ ନୁହେଁ ? ବିବାହ କଲେ ଯେ ମୁଁ ସୁଖୀ ହେବି ଏହା କ’ଣ ନିଶ୍ଚିତ ଭାବେ ସତ୍ୟ ? ତା’ ଛଡ଼ା ସେଇ ନିର୍ଦ୍ଧାରିତ ବୟସକୁ ମୁଁ ଅତିକ୍ରମ କରି ସାରିଲିଣି । ସେଥିପାଇଁ ଗ୍ଲାନି, ହତାଶ କି ଅବଶୋଷ ନାହିଁ । ହୁଏତ ଆହୁରି କିଛି ବୟସର ପାହାଚ ଚଢ଼ି ସାରିଲାପରେ ଦୁନିଆଁରେ ସମ୍ମାନ ମିଳିପାରେ । ଏକା କଣ ନିଜ ପ୍ରତି ବିତୃଷ୍ଣା ନା ଏକ ମିଛ ସ୍ୱାଭିମାନ ନେଇ ଦୁନିଆଁ ଆଗରେ ସଫେଇ ଦେବାର ଅପଚେଷ୍ଟା । ରେନି ଅପା ନଈକୁ ଡେଇଁ ପଡୁନାହିଁ କି ରମା ଭାଉଜ ପରି ଫ୍ୟାନ୍‌ରେ ଝୁଲି ପଡୁନାହିଁ ।

କ’ଣ ଭାବିଲା କେଜାଣି, ରେନି ଅପା ନିଜକୁ ନିଜେ ସନ୍ତୋଷଜନକ ଉତ୍ତର ଦେଲା ପରି କହିଲା, ଆଜି ମୋର ମନେ ହେଉଛି କ’ଣ ଜାଣୁ ? ଏକା ଏକା ଜୀବନ କଟେଇବା ନିହାତି କଷ୍ଟ । ଜୀବନ ଜୀଇଁବା ପାଇଁ କେହି ଜଣେ ଦରକାର । ସେ ସ୍ୱାମୀ ହେଉ କି ବନ୍ଧୁ ହେଉ । ବିବାହର ଆକର୍ଷଣ ଆଉ ନାହିଁ, ଆବଶ୍ୟକତା ଅଛି ବୋଲି ମାନୁଛି । ତେବେ ସେମିତି ଜଣେ ପୁରୁଷକୁ ଖୋଜିବା ଆଉ ନ ଖୋଜିଲେ ବି ମିଳିଯିବାର ସମ୍ଭାବନା ନିହାତି ଅସହଜ ।

ଜୀବନଟା ଏକ ପୁରୁଣା ଦଲିଲ୍ ଆଉ ନୂଆ ସନ୍ଧିପତ୍ର ।

କାହିଁକି ? ରେନି ଅପା କ’ଣ କୌଣସି ପୁରୁଷ ଦ୍ୱାରା ପ୍ରତାରିତା, ଯେଉଁଥିପାଇଁ ତା’ର ଆଶ୍ୱାସନାର ଆକାଶଟା ସବୁବେଳେ ମେଘାଚ୍ଛନ୍ନ । ସେଠାରେ ସୂର୍ଯ୍ୟ ଉଦୟ କି ଚନ୍ଦ୍ର ଉଦୟ ତା’ ପାଇଁ ଏକା କଥା । ତାକୁ ସହାନୁଭୂତି ଜଣାଇବା ପାଇଁ କହିଲି ବଞ୍ଚିବା ପାଇଁ ସମାଜର ସ୍ୱୀକୃତି ମାନି ନେବାକୁ ପଡ଼ିବ ।

ନିଦୁଆ ସ୍ୱରରେ ରେନି ଅପା କହିଲା, ଏ ସମାଜ କିନ୍ତୁ ଜଣେ ଅବିବାହିତା ଝିଅର ଚରିତ୍ର ସପକ୍ଷରେ ଭାରି ସନ୍ଦେହୀ । ସ୍ୱାଧୀନ ଭାବରେ ଜୀବନ କଟାଇ ପାରିବା ପାଇଁ ତା’ର ଯେମିତି ଅଧିକାର ନାହିଁ । ବିବାହ କରିଦେଲେ ସବୁ ସମସ୍ୟାର ସମାଧାନ କ’ଣ ହୋଇଯିବ ? କେଉଁ ସୁପୁରୁଷ ଫାଟକ ଖୋଲି ଚାଲିଆସିବ । ସେତେବେଳେ ତାହା ଯେମିତି ଅସହଜ ଥିଲା, ଆଜି ବି ଅପୂର୍ଣ୍ଣ ।

ତା’ପର ଦିନ ଗୁଡ଼ିକ କିନ୍ତୁ ମୋ ପାଇଁ ପରମ ବିସ୍ମୟ କୁହୁକ ଦ୍ୱୀପ ପାଲଟିଗଲା । ଲକ୍ଷ୍ୟକଲି ରେନି ଅପା ଆଗ ଅପେକ୍ଷା ଅନେକ ପ୍ରଗଳ୍‌ଭା ହୋଇ ଉଠୁଛି । କ୍ଷୀଣସ୍ରୋତା କଲ୍ଲୋଳିନୀ ଯେମିତି ଦୁଇକୂଳ ଖାଇ ଛୁଟି ଚାଲିଛି । କେରଳୀ ଝିଅ ଦେହରେ ଓଡ଼ିଆଣୀ ବେଶ ଶୃଙ୍ଗାର । କପାଳରେ କୁଙ୍କୁମ, ହାତରେ ଚୁଡ଼ି, ଦେହରେ ଗହଣା । ରେନି ଅପାର ଏ ଅଭିସାରିକା ବେଶ କାହିଁକି, କାହା ପାଇଁ ? ସତରେ ରେନି ଅପା ମାୟାପୁରୀର ମୌନାବତୀ ଯାଦୁକନ୍ୟା ।

କଲୋନୀରେ ତାରି କଥା, ତାରି ଚର୍ଚ୍ଚା ।

ଏଇ ରେନି ଆସୁଛି । ରେନି ହସୁଛି । ରେନି ରାୟବାବୁଙ୍କ ସାଙ୍ଗରେ ଚା’ ପିଉଛି । ରେନି ମହାପାତ୍ର ବାବୁଙ୍କ ସହିତ ପ୍ରାତଃ ଭ୍ରମଣରେ ବାହାରିଛି । ସଞ୍ଜବେଳଟାରେ କାହା ସାଙ୍ଗରେ ଏମିତି ଚୁପ୍‌ଚାପ୍‌ କଥା । ଏତେ ତାରୁଣ୍ୟ ସେ କେଉଁଠି ଲୁଚାଇ ରଖିଥିଲା ଯେ । ମତେ କେମିତି ଅଜବ ଲାଗିଲା । ରେନି ଅପାର ଏଇ ଅଦ୍ଭୁତ ଆଚରଣ ଆଉ ବ୍ୟକ୍ତିତ୍ୱକୁ । ନ ହେଲେ ଚରିତ୍ରକୁ ନେଇ ବଡ଼ ବଡ଼ କଥା କହୁଥିବା ସେଇ ବୟସ୍କା ଝିଅଟା । ନାରୀର ଗତି ସବୁବେଳେ କ’ଣ ତଳକୁ ତଳକୁ ? ତାକୁ ନେଇ ଗପ ଲେଖିବାର ନିଶା କାହିଁକି ଯେ ମୋ ମନରେ ଅଙ୍କୁରି ଉଠିଲା ? ଏଇ ରେନି ଅପା କଥାରୁ ମତେ କ’ଣ ମିଳିବ ? ମୁଁ ତାକୁ ଭୁଲିବାକୁ ଚେଷ୍ଟା କଲି । ରେନି ଅପାକୁ ମୁଁ ଘରକୁ ଡାକି ଚା’ ପିଉ ପିଉ ଗପ ଜମାଉ ନଥିଲି । ତା’ର ଏକଲା ଜୀବନକୁ ନେଇ ଗପ ଲେଖିବାର ନିଶା ଆଉ ନଥିଲା ।

ହଠାତ୍ ଦିନେ ରେନି ଅପା ଘର ସମ୍ମୁଖରେ ଲୋକାରଣ୍ୟ । ଲାଇନର୍ ସବୁଯାକ ଲୋକ ସେଇଠି । ପାଞ୍ଚ ପାଞ୍ଚଟା ପୁରୁଷକୁ ବନ୍ଦୀ କରି ରେନି ଅପା ଖସି ଚାଲିଯାଇଛି । ରେନି ଅପାର ବେଡ୍‌ରୁମ୍‌ରେ ପାଞ୍ଚ ପାଞ୍ଚଟା ପୁରୁଷ ବନ୍ଦ ହୋଇ ରହିଛନ୍ତି । ଅଥଚ ରେନି ଅପାର ପତ୍ତା ନାହିଁ । ତାଲା ଭଙ୍ଗା ହୋଇ ସେମାନଙ୍କୁ ଉଦ୍ଧାର କରାହୋଇଛି । ରେନି ଅପାର ଘର ଚାରିପଟେ ପୋଲିସ୍ ପହରା । ରେନିଅପା ଗଲା କୁଆଡ଼େ ।

ବହୁଦିନର ଗପଟିଏ ମନେ ପଡ଼ିଲା । ମାଲ୍ୟାଣୀ ଝିଅ ଅପରୂପ ସୁନ୍ଦରୀ । ରାଜନଅରକୁ ଯାଏ । ଭଳି ଭଳିକା ଫୁଲ ଦିଏ । ସିଏ ନିଜେ ବି ତ ଫୁଲ ମାଳଟିଏ, ଏକଥା ମନେରଖି ସତର୍କ ହୋଇ ଚଳେ । ଫୁଲର ସୁରଭି ବିଞ୍ଚି ହୋଇଗଲା ପରି ହଇଚଇ ଲାଗିଯାଏ ସେ ଅନରରେ ପହଞ୍ଚିଗଲେ । ରଜାଘରେ ଫୁଲ ଦେଇ ସାରି ମାଲ୍ୟାଣୀ ଝିଅ ଯାଏ ମନ୍ତ୍ରୀ ଘରକୁ । ତା’ପରେ କଟୁଆଳ ଘରକୁ । ରଜା ପୁଅ ଦିନେ ଭଲ ପାଇ ବସିଲେ ମାଲ୍ୟଣୀ ଝିଅକୁ । ଆଉ ତା’ପରେ ପରେ ମନ୍ତ୍ରୀ ପୁଅ, କଟୁଆଳ ପୁଅ ବି । ମାଲ୍ୟଣୀ ଝିଅ ବି ଆଖି ନଚାଇ ବେଣୀ ହଲାଇ ଛଳନା କରିବାକୁ ଲାଗିଲା । ଦିନେ ରଜା ପୁଅ ଫୁଲ ନେଉ ନେଉ ମାଲ୍ୟାଣୀ ଝିଅର ହାତ ଧରିନେଲେ । ମାଲ୍ୟାଣୀ ଚଟ୍ କରି ବୁଝି ନେଲା କଥାଟା । ସମୟ ମଧ୍ୟ ଦେଇ ଦେଲା ରଜା ପୁଅକୁ ରାତ୍ରୀର ପ୍ରଥମ ପ୍ରହର । ସେହିପରି ମଧ୍ୟ ସମୟ ଦେଲା ମନ୍ତ୍ରୀ ପୁଅକୁ ରାତ୍ରୀର ଦ୍ୱିତୀୟ ପ୍ରହର ଆଉ କଟୁଆଳ ପୁଅକୁ ରାତ୍ରୀର ତୃତୀୟ ପ୍ରହର । ଫୁଲରାଣୀ ସଜବାଜ ହୋଇ ଅପେକ୍ଷା କଲା । ରାଜା ପୁଅ ଆସିଲେ । ତାଙ୍କୁ ତାମ୍ବୁଳ ଦେଇ ଆପ୍ୟାୟାନ କଲାବେଳକୁ ଅନେକ ସମୟ ଅତିକ୍ରାନ୍ତ ହୋଇଗଲାଣି । ସେତେବେଳେ ରାତ୍ରୀର ଦ୍ୱିତୀୟ ପ୍ରହର । ମନ୍ତ୍ରୀ ପୁଅର ଇସାରା ଦାଣ୍ଡ କବାଟରେ । ମାଲ୍ୟାଣୀ ଆଗରୁ ଯୋଜନା କରିଥିଲା । ରାଜା ପୁଅକୁ ନେଇ ତେଲକୁଣ୍ଡରେ ଲୁଚାଇ ରଖିଲା । ମନ୍ତ୍ରୀ ପୁଅ ସହିତ ମାନଭଞ୍ଜନ ଶେଷ ହେଲାବେଳକୁ କଟୁଆଳ ପୁଅର ଶବ୍ଦ । ମାଲ୍ୟାଣୀ ଝିଅ ରଜା ପୁଅକୁ ତେଲକୁଣ୍ଡରୁ କାଢ଼ି ତୁଳାକୁଣ୍ଡରେ ଲୁଚାଇ ରଖିଲା ଆଉ ମନ୍ତ୍ରୀ ପୁଅକୁ ତେଲ କୁଣ୍ଡରେ ବୁଡ଼ାଇ ରଖିଲା । ପୁଣି ମନ୍ତ୍ରୀ ପୁଅକୁ ତେଲକୁଣ୍ଡରୁ କାଢ଼ି ତୁଳାକୁଣ୍ଡରେ ଲୁଚାଇଲା । ଆଉ ତା’ପରେ କଟୁଆଳ ପୁଅର ପାଳି ତେଲକୁଣ୍ଡରେ ବୁଡ଼ିବା ପାଇଁ । ତେଲକୁଣ୍ଡରେ ବୁଡ଼ି ତୁଳାକୁଣ୍ଡରେ ବୁଡ଼ିସାରିଲା ପରେ ରଜା ପୁଅ, ମନ୍ତ୍ରୀ ପୁଅ ଆଉ କଟୁଆଳ ପୁଅ ଏକ ଅଦ୍ଭୁତ ଜୀବ ପାଲଟି ଯାଇଥିଲେ । ମାଲ୍ୟାଣୀ ପରି ରେନି ଅପା ବି ଠିକ୍ ଶାସ୍ତି ଦେଇଛି ସେମାନଙ୍କୁ । ତେବେ ବିଗତ ଯୌବନା ରେନି ଅପା ତ ମାଲ୍ୟାଣୀ ଝିଅ ନୁହେଁ ।

ତାକୁ ଯେତେବେଳେ ପୁରାପୁରି ଭୁଲି ଯାଇଥିଲି, ସେତେବେଳେ ତା’ଠାରୁ ପାଇଲି ଗୋଟେ ଛୋଟ ଚିଠି ।

ସ୍ନେହର ସୁ,

ସ୍ନେହ ନେବୁ । ସୁଦୂର କେରଳରୁ ତୋ ପାଖକୁ ଚିଠି ଲେଖୁଛି । ସବୁକଥା ଜଣାପଡ଼ିବଣି । ଦେଖିଲୁ ତ ଏ ପୁରୁଷ ଜାତିଟା କେମିତି ପତଙ୍ଗ ପରି ଝାସ ଦିଅନ୍ତି । ଚାଲି ଆସିଲି ମୋ ଜନନୀ ଜନ୍ମଭୂମି ପାଖକୁ । ବିବାହିତ ପୁରୁଷମାନଙ୍କର ଯଦି ଏମିତି ଦୁର୍ଦ୍ଦାନ୍ତ କ୍ଷୁଧା ଥାଇପାରେ ତା’ ହେଲେ ବିବାହ ପରି ଏକ ଯୂପକାଠରେ ମୁଣ୍ଡ ନଗଳେଇ ହୁଏତ ମୁଁ କିଛି ଭୁଲ୍ କରିନି । କେତେ ନିର୍ବୋଧ ଏ ପୁରୁଷ ଜାତିଟା । ତା’ ନହେଲେ ସେଇ ପୁରୁଷମାନେ ବିନା ପ୍ରତିବାଦରେ ମୋ ଆତିଥ୍ୟକୁ ସ୍ୱୀକାର କରିନଥାନ୍ତେ । ଦୁଃଖ ଆସୁଛି ମନରେ । ନାରୀ ସବୁଦିନ ନାରୀ । ତା’ ଉପରେ ଅତ୍ୟାଚାର କେବେ ବି ବନ୍ଦ ହେବନି । ତା’ ଆବେଗ ଉଚ୍ଛ୍ୱାସ ସବୁ ଶୂନ୍ୟରେ ମିଳେଇ ଯିବ । ତୋ ଉପରେ ମୋର ଅନେକ ଭରସା । ତୁ ୟା’କୁ ନେଇ ନିଶ୍ଚୟ ଗୋଟେ ଗପ ଲେଖିବୁ ।

ଇତି
ରେନି

ଇସ୍ ବିଚାରି ରେନି ଅପା, ବ୍ୟଥା ବିଜଡ଼ିତ ହୃଦୟରେ କେତେ ବଡ଼ ଧୈର୍ଯ୍ୟର ପ୍ରଲେପ । କେତେଜଣ ଏମିତି ଆଗେଇ ଆସନ୍ତି ଦୁନିଆଁ ଆଗରେ, ପୁରୁଷ ଆଗରେ ସାମ୍ନା କରିବାକୁ ତାକୁ ନେଇ ମୁଁ ନିଶ୍ଚୟ ଲେଖିବି ।

ସେ ଅନିନ୍ଦିତା, ଅପରାଜିତା ।

ଲୋକପ୍ରିୟ ଲେଖା

To Top