ଗଳ୍ପ

ଡ୍ରଇଂ ଖାତା

ତା’ର ଏ ଅବସ୍ଥା, ନିଜ ପ୍ରତି ଘୋର୍ ଅବହେଳା କାହା ଉପରେ କୌଣସି ପ୍ରଭାବ ହିଁ ପକାଉ ନଥିଲା । ସ୍ୱାମୀ ଥାଇ ନ ଥିଲା ପରି ।

ଡ୍ରଇଂ ଖାତା

ଆଜି ମଧ୍ୟ ଡାକବାଲା ତାଙ୍କ ଫାଟକ ପାରି ହୋଇ ଆଗକୁ ବଢ଼ିଲା । ରଜନୀ ଲୁଗାକାନିରେ ମୁହଁ ପୋଛିଲେ । ଖରାଟାରେ ତାକୁ ଅପେକ୍ଷା କରୁଥିଲେ କେତେବେଳୁ ଫୁଲ ତୋଳିବାର ବାହାନା କରି । ରମୁ ଘର ଛାଡ଼ି ଯିବା ଦିନଠାରୁ ଏମିତି ଏଇ ଝଙ୍କାଳିଆ ମନ୍ଦାର ଗଛ ପାଖରେ ଠିଆ ହୋଇ ଡାକବାଲାକୁ ଅପେକ୍ଷା କରନ୍ତି । କାଳେ ରମୁର କିଛି ଖବର ଅନ୍ତର ନେଇ ମାଟିଆ ଚିଠି ଖଣ୍ଡେ ପହଞ୍ଚିବ ।

ରମୁ ଗଲାଦିନକ ପୂର୍ବରୁ ହିଁ ଇସ୍କୁଲ୍‌ରୁ ଆଣି ଏ ଡାଳଖଣ୍ଡକ ପୋତିଥିଲା ଫାଟକ ସାମ୍ନାରେ । ସେଇ କୁନି ଗଛଟା ବର୍ଷକ ନ ପୁରୁଣୁ କଢ଼ିରେ ଭର୍ତ୍ତି ହୋଇଗଲା । ଯୋଉ ଦିନ ଗଛରେ ପ୍ରଥମ ଫୁଲ ଫୁଟିଲା ରଜନୀ ସେଦିନ ବାହୁନି ଉଠିଲେ । ପାଖ ପଡ଼ୋଶୀ ସମସ୍ତେ ଧାଇଁ ଆସିଲେ କାଳେ କ’ଣ ଅଘଟଣର ଖବର ମିଳିଲା କି ? ରଜନୀକୁ ଭିଡ଼, କୋଳାହଳ କିଛି ଶୁଭୁ ନଥିଲା ସେତେବେଳେ ସେ ଫୁଟୁଥିବା ଫୁଲର ପାଖୁଡ଼ାକୁ ଆଉଁସୁଥିଲା । ତାକୁ ଲାଗୁଥିଲା ଏ ଫୁଲ ନୁହେଁ, ତା’ର ସଙ୍ଗେ ସଙ୍ଗେ ଜନ୍ମ ହୋଇଥିବା ରମୁ । ତା’ର କୁନି କୁନି ହାତ ପାଦ ଗୋଲାପି ଦେହ । ପ୍ରଥମ ମାଆ ହେବାର ଗୌରବ । ପାକୁଆ ପାଟିର ହସ ଅଳସ ଚେହେରା ବନ୍ଦ ହୋଇଥିବା ଆଖି । ଆଖି ବନ୍ଦ କରି ରଜନୀ ବୁଲୁଥିଲା ଅନ୍ୟ ଏକ ଜଗତରେ । ଯୋଉଠି ସେ ଥିଲା, ରମୁ ଥିଲା ଆଉ କେହି ନୁହେଁ । କେବଳ ସେ ଦୁହେଁ, ନାହି ନାଡ଼ର ସମ୍ପର୍କ । ମାଆ ପୁଅର ଅବିଚ୍ଛେଦ୍ୟ ଅନବଦ୍ୟ ଐଶରୀକ ସମ୍ପର୍କ ।

ଦାଣ୍ଡରେ ଗୋଟେ ନାଚ ତାମ୍ସା ଚଳେଇଛି ବଜାତ୍ ମାଇକିନା, ମୋ ଇଜତ୍ ମହତ୍‌କୁ ଦି’ଗଣ୍ଡା ଦି’କଡ଼ା କଲାଣି. . . ବିପିନ୍ ମହାପାତ୍ର । କର୍ପୂର ଉଡ଼ିଗଲା ପରେ କନାର ଯୋଉ ଅବସ୍ଥା । ସେଇ ପୂର୍ବକାଳର ଜମିଦାରୀ ବାସ୍ନାକୁ ଅଣ୍ଟାରେ ଧରି ଜମିଦାରି ଠାଣି ଦେଖାଉଥିବାର ସେ ଲୋକଟିକୁ ସ୍ୱାମୀ ବୋଲି ହୃହୟ ତା’ର ମାନିଛି କି ନାଇଁ ସେ କଥା ଆଜି ଯାଏ ବୁଝି ପାରିଲାନି ରଜନୀ । ମନ ନୁହେଁ ବିବେକ ସହ ଯେମିତି ବାନ୍ଧି ହୋଇଯାଇଛି ତା’ର ସମ୍ପର୍କ । ପୂର୍ବଜଙ୍କ ଅତ୍ୟାଚାର ବ୍ୟଭିଚାରର ରକ୍ତର କ୍ଷରଣ ଏବେ ବି ତାଙ୍କ ଦେହରେ । ପୁରୁଷକାର ନମୁନା ତାଙ୍କ ମତରେ ।

ତାଙ୍କ ଧକ୍କାରେ ପଡ଼ି ଯାଉ ଯାଉ ନିଜକୁ ସମ୍ଭାଳି ନେଇଥିଲା ରଜନୀ । କିନ୍ତୁ ସେ ଗଛ ପାଖକୁ ଯିବାକୁ ନିଜକୁ ରୋକି ପାରି ନଥିଲା ରମୁ ପରେ ଯାହା ସହ ତା’ର ଆତ୍ମାର ସମ୍ପର୍କ ଗଢ଼ି ଉଠିଥିଲା ସେଇଟା ସେ ଲଗାଇଥିବା ମନ୍ଦାର ଗଛ । ଅଜସ୍ର ଫୁଲ ଭାରରେ ଲଦି ହୋଇ ନଇଁ ପଡ଼ିଥିବା ଗଛଟି ଏବେ ତାଙ୍କ ପାଇଁ ଛାୟାଚ୍ଛନ୍ନ ଆଶ୍ରୟ ପାଲଟି ଯାଇଛି । ଘିଅରଙ୍ଗର ପାଖୁଡ଼ା ଠିକ୍ ମଝିରେ ଗୋଲ ଖଇରିଆ ଟୋପା । ସବୁଜ ପତ୍ର ଲୁଚିଯାଏ କୋଉ ଆଢୁଆଳରେ । ଫୁଲଭର୍ତ୍ତିଗଛଟି ସମସ୍ତଙ୍କୁ ନିଜ ଆଡ଼କୁ ଟାଣି ନିଏ । ଯିବା ଆସିବା ଲୋକଙ୍କର ଆଖି କ୍ଷଣକ ପାଇଁ ହେଉ ପଛେ ଅଟକିଯାଏ ।

ଦୀର୍ଘଶ୍ୱାସ ନେଲା ରଜନୀ । ଲୁହ ଢାଳି ଢାଳି ଆଖିର ଜ୍ୟୋତି କମି ଆସିଲାଣି କି ଶାରୀରିକ ଦୁର୍ବଳତା ପାଇଁ ତାଙ୍କୁ ଏବେ ଅଧିକାଂଶ ସମୟ ଅନ୍ଧାର ଦେଖାଯାଏ । ଥିବ ଥିବ ହଠାତ୍ ନଇ ଆସିବ ଆଖିରେ କଳା ରଙ୍ଗର କିଟିକିଟି ଅନ୍ଧାର । ସେତେବେଳେ ମଧ୍ୟ ଅନ୍ଧାର ଭିତରେ ଯାହା ଚିକ୍ ଚିକ୍ କରେ ସେ ରମୁ । ତାଙ୍କ ଆତ୍ମଜ ।

ଫାଟକ ପାଖରୁ ଫେରିବା ପାଇଁ ପାଦ ବଢ଼ାଇଲା ରଜନୀ । ତାଙ୍କ ପାଦରେ ଯେମିତି ମହଣ ଓଜନର ବେଡ଼ି । ମୁଣ୍ଡ ବୁଲାଇଲା ଲଥ୍ କରି ବସି ପଡ଼ିଲା ସେଇଠି । ସେଇ ଗଛ ମୂଳେ । ଛପି ଛପିକା ଛାଇ ଆଲୁଅର ଖେଳ । ଟିକେ ଟିକେ ଖରା ସେ ଛାଇ ମଝିରେ ସୁନ୍ଦର ଛବି ପରି ଦିଶୁଛି । ପୁଣି ଲୁଚି ଯାଉଚି ତ ବେଳେବେଳେ ସବୁ ଅନ୍ଧାର ।

– ନୂଆ ଉ’. . . ନୂଆ ଉ’…

କେହି ଗୋଟେ ଡାକୁଛି ବୋଧହୁଏ । ଆଖି ଖୋଲିବାକୁ ଚାହିଁ ବି ଚାହିଁ ପାରୁନି, ତା’ ଆଖିପତା ବେଶ ଓଜନିଆ ଲାଗୁଛି ପଥର ଲଦା ହେଇଛି କି କ’ଣ ।

କେତେବେଳକୁ ଆଖି ଖୋଲିଲା ରଜନୀ । ପାଖରେ ରମା ତା’ର ସାନଯା’ । ଚାରିଆଡ଼କୁ ବଲ ବଲ କରି ଦେଖୁଥିଲା । ହାଉଯାଉ ଲୋକ । କୋଉଠି ଛୋଟ ଛୁଆର କାନ୍ଦ ତ କୋଉଠି ବଡ଼ଲୋକର କୁନ୍ଥାଣ । ଔଷଧର ବାସ୍ନା । ଅଇ ଉଠି ଆସୁଛି ତା’ ପେଟ ଭିତରୁ । ରମା କଞ୍ଚା ତଟକା ଲେମ୍ବୁଟେ ତୋଳି ଧରୁଛି ତାଙ୍କ ନାକ ପାଖରେ ।

– ଜାଇଁଲ ଦେଇ ନ ଖାଇ ନ ପିଇ ତମ ଦେହ ଦୁର୍ବଳ ହେଲାଣି । ଡାକ୍ତର ୟା’ଙ୍କୁ ବହୁତ ଗାଳି ଦେଲେ । ତେମେ ତମର ଖାଇବନି, ଇଏ କାହିଁକି ଗାଳି ଶୁଣିବେ କହିଲ । କାହା ଯତନକୁ ଅନାଇ ବସିଛ । ତମ ଲାଗି କାହାର ନିଘା ନାହିଁ । ତମ କଥା ତମକୁ ବୁଝିବାକୁ ହେବ । ଆଉ କିଏ ଅଛି କହିଲ. . . ?

ଚୁପ୍ ରହିଲା ରଜନୀ । ସାନଯା’ର ଆଉ କିଏ ଅଛିର ଜବାବ୍ ଖୋଜିବାକୁ ପଡ଼ିଲାନି ତାକୁ ଯାହା ତା’ର ଅସ୍ଥିମଜାଗତ ହୋଇଯାଇଅଛି । ସ୍ୱାମୀ ଥାଇ ନ ଥିଲା ପରି । ଆଉ ପୁଅ. . . ପୁଣି ଥରେ ଦୋହଲିଗଲା ତା’ର ସ୍ଥିତି ଏବଂ ବର୍ତ୍ତମାନ । ଦୁଇଧାର ଲୁହ ନିଗିଡ଼ି ଆସିଲା ।

ଦଶବର୍ଷ ରମୁ ତା’ କାନି ଧରି ଅଝଟ ହେଉଛି । ଅଳି କରି ପଇସା ମାଗୁଛି । ପାଖେ ପାଖେ ରହି ଛୋଟ ଛୋଟ ହାତରେ ତାକୁ କାମରେ ସାହାଯ୍ୟ କରୁଛି । ବାପାଙ୍କ ଭୟରେ ଦୁଇହାତ ଘୋଡ଼ାଇ ଲୁଚୁଥିବା ରମୁ । ବିପିନ୍‌ଙ୍କ କଟୁକ୍ତି ।

– “ରଜନୀ ଏଇଟା ମୋ ପୁଅ ତ. . . ମୋର ତ ସନ୍ଦେହ ହେଉଛି । ତା’ ରକ୍ତରେ କାହିଁ ସେ ଜମିଦାରୀ ରକ୍ତ । ଏଇଟା ତ ସୁଦୁ ମାଇଚିଆ. . . ପିମ୍ପୁଡ଼ି ମାରିବାକୁ ବି ଭୟ ତା’ର ।” ରଜନୀ ତାଟକା ହେଇଯାଏ ଲୋକଟାର କଥା ଶୁଣି । କେଡ଼େ ଅବେଇଜ ନିର୍ଲଜ । ସନ୍ଦେହ କରୁଛି ନିଜ ରକ୍ତକୁ । ସାରା ଦେହରେ ନିଆଁ ଚରିଯାଏ । ଇଚ୍ଛା ହୁଏ ଜାଳି ଜୁଳି ସବୁ କିଛି ନଷ୍ଟ କରି ଦେବ । ପୋଡ଼ିଯିବ ଏ ଅଯଥା ଅହଂକାର । ଆତ୍ମ ଗର୍ବ ଏବଂ ଅଭଦ୍ର ଲୋକଟାର ହାଡ଼ଜଳା କଥା ।

ରମୁ ବିକଳରେ ଜାବୁଡ଼ି ଧରେ ପଛପଟୁ । ବାପର ସ୍ନେହ ଆଦର ଟୋପେ ନ ପାଇ ରମୁ ବଢୁଥିଲା ସମୟ ସହ ତାଳ ଦେଇ । କୋଉ ଅସୁରଙ୍କ ନଗରରେ ଦେବ ଶିଶୁଟିଏ ଅବା । ଅତ୍ୟାଚାରୀ ପିତାର ସୁପୁତ୍ର ରମୁ । ଜଣେ ଅନ୍ୟ ଆଖିରେ ଲୁହର ସମୁଦ୍ର ସୃଷ୍ଟି କଲାବେଳେ ଅନ୍ୟ ଜଣେ ତାକୁ ଶ୍ରଦ୍ଧାରେ ପୋଛୁଥିଲା । ଦୁଇଜଣଙ୍କ ମଧ୍ୟରେ ଠିଆ ହୋଇ ରଜନୀ କେବେଠୁ ଅଣେଇ ଯାଇଥିଲା ତା’ର ପୁଅ ପଟେ । ସଂସାର କହିଲେ ସେ ବୁଝୁଥିଲା ସେ ଏବଂ ତା’ ପୁଅ ରମୁ ।

ରମୁ ବିନା ତା’ର ଶ୍ୱାସ ପ୍ରଶ୍ୱାସ ସବୁ ରୋକିଯାଏ । ଅଧାଗଢ଼ା ହୋଇ ରହିଯାଏ ତା’ ଜୀବନର କୋଣାର୍କ । ଧର୍ମପଦର ଅପେକ୍ଷାରେ ସେ ଗଣୁଥାଏ ନିଜ ହୃତ୍ପିଣ୍ଡର ଉଠପଡ଼ ଶବ୍ଦ । ସେ ଅପେକ୍ଷାର ମୁହୂର୍ତ୍ତ ଲମ୍ୱିଯାଏ ଦିନ, ମାସ, ବର୍ଷ ହୋଇ । କେବେ ଆଉ ଫେରିବ ରମୁ । କେବେ. . . ? ନିଜ ପ୍ରଶ୍ନର ପ୍ରତିଧ୍ୱନି କେବଳ ନିଜକୁ ହିଁ ଶୁଭେ ।

ଡାକ୍ତରଖାନାରୁ ଆସିଲା ପରେ ରଜନୀ ଧିରେ ଧିରେ ଜୀଅଁନ୍ତା ଶବ ପାଲଟିଗଲା । ଖାଇବା ପିନ୍ଧିବା ଶୋଇବାର କୌଣସି ଠିକ୍ ଠିକଣା ନ ଥିଲା । ତା’ର ଏ ଅବସ୍ଥା, ନିଜ ପ୍ରତି ଘୋର୍ ଅବହେଳା କାହା ଉପରେ କୌଣସି ପ୍ରଭାବ ହିଁ ପକାଉ ନଥିଲା । ସ୍ୱାମୀ ଥାଇ ନ ଥିଲା ପରି । ରଜନୀ ମଲାଗଲା ହଜିଲା ତାଙ୍କର ଯାଏ ଆସେ କ’ଣ । ସେ ନିଜ ଖୁସି ଆନନ୍ଦ ଏବଂ ସର୍ବୋପରି ରଙ୍ଗମହଲ ନିଜର ଆନନ୍ଦ ଅନ୍ୱେଷଣରେ ବ୍ୟସ୍ତ । ବେଳେବେଳେ ଇଚ୍ଛା ହୁଏ ନଈ କି ପୋଖରୀକୁ ଡେଇଁ ପଡ଼ିବ କିମ୍ୱା ବିଷ କି ଜହର ଖାଇ ଶୋଇଯିବ । କିନ୍ତୁ ସେ ପାରେ ନାହିଁ ।

ଯଦି ରମୁ ଫେରିଆସି ତାଙ୍କୁ ଖୋଜିବ ।

ତେବେ, ତେବେ. . . ।

ବଢ଼ାଇଥିବା ପାଦ ପଛକୁ ଫେରେ ।

ରଜନୀ ସେମିତି ପଡ଼ିଥାଏ ଘରକୋଣରେ ଅଳିଆ ପରି ନତୁବା ବିଛଣାରେ । ମାତ୍ର ଆଖି ଖୋଲାଥାଏ ଏବଂ ସେ ଆଖିରେ ଥାଏ ମହଣ ମହଣ ପ୍ରତୀକ୍ଷା ।

ଧୀରେ ଧୀରେ ତା’ର ପାଗଳାମି ପଢୁଥିଲା । ପ୍ରଳାପ କରୁଥିଲା ରାତି ଅଧରେ । ଦଉଡ଼ିଯାଇ ଠିଆ ହେଉଥିଲା ସେଇ ମନ୍ଦାର ଗଛ ମୂଳେ । ଗଛର ଡାଳପତ୍ର ଫୁଲକୁ ଗେଲ କରୁଥିଲା ରମୁ ଭାବି । କେତେବେଳଏ କାନ୍ଦୁଥିଲା, କେତେବେଳେ ହସୁଥିଲା । ରଜନୀ ଶେଷରେ ପୁରାପୁରି ପାଗଳ ହୋଇଗଲା । ଏଇ କଥା ଗାଁ ସାରା ଫୁସ୍‌ଫାସ୍‌, ଟୁପ୍‌ଟାପ୍‌ ।

ଗଛମୂଳରୁ ଉଠିଯାଇ ରଜନୀ ବସିଲା ଦାଣ୍ଡରେ । ସେଇଠୁ ଖଞ୍ଜା ଘରେ । କ’ଣ ମନ ହେଲା କେଜାଣି ଉଠିଗଲା ରମୁର ପଢ଼ାଘରକୁ । ଚେଆର୍ ଟେବୁଲ୍, ଆଲଣାରେ ଝୁଲୁଛି ତା’ ପ୍ୟାଣ୍ଟସାର୍ଟ । ଟେବୁଲ୍‌ରେ ବହି, କଲମ, ଖାତା । ଆଉଁସିଲା । ସବା ଶେଷକୁ ଡ୍ରଇଂଖାତା । କେତେ ସୁନ୍ଦର ଚିତ୍ର ଆଙ୍କିଛି ରମୁ । ପୃଷ୍ଠା ପରେ ପୃଷ୍ଠା ଓଲଟାଇଲା । ଫୁଲ, ବତକ, ହାତୀ, ବାଘ, ମୟୂର, ଚଢ଼େଇ, ଆମ୍ୱ, ସେଉ, କଦଳୀ । ତା’ପରେ ପରେ ଚମକି ଉଠିଲେ ରଜନୀ । ଏଇଟା କାହା ଚିତ୍ର. . . । ଆଖିର ଏକଦମ୍ ପାଖକୁ ଉଠାଇ ଆଣିଲେ ରଜନୀ ।

ଗୋଟିଏ ନିର୍ମମ ଅତ୍ୟାଚାରର ଚିତ୍ର. . . ।

ଅଙ୍କା ପେନ୍ସିଲ୍‌ରେ ଅଙ୍କିତ ଚିତ୍ର । ଗୋଟିଏ ଙ୍କକାଳସାର ଚେହେରା ଉପରେ ଜଣେ ସବଳ ଦୁର୍ଦ୍ଦାନ୍ତ ବ୍ୟକ୍ତିର ଅତ୍ୟାଚାର । ତଳେ ଲେଖା ହେଇଛି, ଜମିଦାର ବିପିନ୍ ମହାପାତ୍ର. . . । ଖଣ୍ଡେ ଦୂରରେ ଛୋଟ ପିଲାଟିଏ ମୁହଁ ଘୋଡ଼ାଇ ଛିଡ଼ା ହେବାର ଛବି । ତା’ପରେ ପରେ ପିଲାଟିର ପଛକୁ ଚାଲିଯିବାର ଦୃଶ୍ୟ. . . ।

ରମୁ. . . ! ଛାତି ଫଟାଇ କରୁଣ ଚିତ୍କାରଟିଏ ଭାସି ଆସିଲା । ଗତାନୁଗତିକ ବିଳାପ ମନେକରି କେହି ତାଙ୍କ ପାଖକୁ ଆସିଲେନି । ସେ କିନ୍ତୁ ନିଜ ଛାତିକୁ ବାଡ଼େଇ ବାଡ଼େଇ ବାହୁନୁଥିଲା । ତଳେ ମଥା ପିଟୁଥିଲେ ଢୋ’ ଢୋ’ କରି ।

ରମୁ ତାଙ୍କୁ ଛାଡ଼ି ଚାଲିଯାଇଛି । ତା’ର ଅତ୍ୟାଚାରୀ ପିତାର ଅତ୍ୟାଚାର ସହି ନପାରି ଗୃହତ୍ୟାଗୀ ହୋଇଯାଇଛି । ବିଚରା. . . ଏତେ ସବୁ ଭିତରେ ଅଣନିଃଶ୍ୱାସୀ ରୁନ୍ଧି ହୋଇ ଯାଉଥିଲା ନିଜ ଭିତରେ । ମା’କୁ ତା’ର କହି ନଥିଲା କେବେ । ଏକୁଟିଆ ନିଷ୍ପତ୍ତି ନେଇଗଲା କୋଉ ଗୋଟେ ମୁହୂର୍ତ୍ତରେ । ଥରେ ଭାବିଲା ନାଇଁ ତାଙ୍କ କଥା । ରଜନୀ କେମିତି ରହିବେ ଏଇ ଘରେ । କେମିତି ଜୀଇଁବେ ପୁଅ ବିନା । ଆଉ କାହା ଲୋଭରେ ପଡ଼ି ରହିବେ । ରମୁ କ’ଣ ଆଉ ସତରେ ଫେରିବନି ତାଙ୍କର ଏଇ ଶୂନ୍ୟ କୋଳକୁ ? କାନିରେ ମୁହଁ ଲୁଚାଇ ନିଜକୁ ସୁରକ୍ଷିତ କରିବନି କେବେ. . . ?

ନିସ୍ତେଜ ଶରୀର । ପ୍ରବଳ ଜ୍ୱରରେ ପ୍ରଳାପ କରୁଥିଲେ ରଜନୀ । ଅସ୍ପଷ୍ଟ ସ୍ୱରରେ ସ୍ପଷ୍ଟ ଶୁଭୁଥିଲା ଦୁଇଟି ଶବ୍ଦ । ରମୁ ଫେରିଆ. . . । କେଇ ଘଣ୍ଟା ପରେ ରଜନୀର ମୃତ ଶରୀରକୁ ଆବିଷ୍କାର କରିଥିଲେ ତାଙ୍କ ସାନଯା’ । ଡକାଡକି ହୋଇ ସାଇପଡ଼ିଶା ହାଜର । ଶେଷ ଯାତ୍ରାରେ ସାମିଲ୍ ହେବାକୁ ଯୋଡ଼ା ଯୋଡ଼ା ପାଦ ସାମିଲ୍ ହୋଇଥିଲେ ମାତ୍ର ଯାହାଙ୍କର ଉପସ୍ଥିତି ଏକାନ୍ତ ଆବଶ୍ୟକତା ଥିଲା ସେ ହିଁ ନ ଥିଲେ । ଅହ୍ୟସୁଲକ୍ଷଣୀ ରୂପରେ ସଜ୍ଜିତ କରି କୋକେଇରେ ବୁହା ହେବା ପୂର୍ବରୁ ତାଙ୍କୁ ତାଙ୍କ ପ୍ରିୟ ମନ୍ଦାର ଗଛ ନିକଟକୁ ଅଣାଯାଇଥିଲା । କାନ୍ଦିବାତୁଲ୍ୟ ଗଛଟି ପବନରେ ବେଳେବେଳେ ନଇଁଯାଇ ଛୁଇଁ ଦେଉଥିଲା ତାଙ୍କ ଦେହ ମୁଣ୍ଡକୁ ।

ଶେଷ ଯାତ୍ରା ପାଇଁ କୋକେଇ ଉଠିଲା ବେଳକୁ ରଜନୀଙ୍କ ମୁଣ୍ଡ ତଳୁ ଖସିପଡ଼ିଥିଲା ରମୁର ଡ୍ରଇଂ ଖାତା ସାନଯା ସଜନୀଙ୍କର ଖାତା ଲେଉଟାଇଲା ପରେ ଶେଷ ପୃଷ୍ଠାରେ ଲାଖି ଯାଇଥିଲା ଆଖି । ଆସ୍ତେ କରି କିଛି କହିଲା ବେଳକୁ ସେ ଅନ୍ୟମନସ୍କ ହୋଇଯାଇଥିଲେ । ତାଙ୍କ ଲୁହକୁ ଦ୍ୱିଗୁଣିତ କରିଦେଇଥିଲା ଡ୍ରଇଂ ଖାତାର ଶେଷ ଚିତ୍ର. . . । ରମୁର ଗୃହାନ୍ତରୀ ଅଙ୍କାବଙ୍କା ରେଖାରେ ଅଙ୍କିତ ଚିତ୍ରଟିକୁ ଦେଖି ତାଙ୍କ ଆଖିରୁ ଝରି ଆସିଥିଲା ଲୁହ । ସେ ବୁଝିଲେ କାହିଁକି ଖାତାଟିକୁ ସବୁବେଳେ ପାଖରେ ରଖୁଥିଲେ ବଡ଼ଯାଆ । ସେଇ ଚିତ୍ର ଭିତରେ ଖୋଜୁଥିଲେ ରମୁକୁ ।

“ରାମ ନାମ ସତ୍ୟ ହେ. . .” ଶବ୍ଦରେ ଆଖ ପାଖର ପୃଥିବୀ ଶୋକାତୁର ହୋଇ ଉଠିଲା ବେଳକୁ ହଠାତ୍ ଦେଖାଗଲା କିଶୋର ରମୁ ଦାଣ୍ଡରେ । ଛାତିରେ ଭିଡ଼ି ଧରି ଭୋ’ ଭୋ’ କରି କାନ୍ଦି ଉଠିଥିଲେ ସଜନୀ । ମାତ୍ର ଯାହାଠାରୁ ଏଇ କ୍ରନ୍ଦନ ଅଧିକ ଆଶା କରାଯାଉଥିଲା ସେ ନିରବ ହୋଇଯାଇଥିଲା ନିଜ ଭିତରେ । ରମୁ ନିର୍ବାକ ନିସ୍ପନ୍ଦ ହୋଇ ଦେଖୁଥିଲା ତା’ ମା’ର ନିର୍ଜୀବ ଶରୀରକୁ । ଶବଦାହ ପରେ ତା’ର ପତ୍ତା ମିଳୁ ନଥିଲା ଆଉ ।

ସେଦିନ ସେଇ ମଶାଣି ନିକଟରୁ କୁଆଡ଼େ ଯେମିତି ଉଭାନ୍ ହୋଇ ଯାଇଥିଲା ସେ. . . ଡ୍ରଇଂ ଖାତାର ଶେଷ ଚିତ୍ରଟିକୁ ଜୀବନ୍ତ କରି ।

ଲୋକପ୍ରିୟ ଲେଖା

To Top