ଅଣୁଗଳ୍ପ

ଅସରନ୍ତି ଭାବନା

ତୁ ଆସୁଥିଲୁ ସାଇକେଲ୍‌ରେ ଆଉ ମୁଁ ଥିଲି ତୋ ପଛରେ, ତୁ ଯେବେ ଜାଣିଲୁ କି ମୁଁ ତୋ ପଛରେ ଅଛି ସେତେବେଳେ ତୁ ସାଇକେଲ୍‌ରୁ ଓହ୍ଲେଇ ପଡ଼ିଲୁ ଆଉ ମତେ ପଚାରିଲୁ ସେ ଝିଅ କିଏ ?

ଅସରନ୍ତି ଭାବନା

ମୁଣ୍ଡଫଟା ଖରା ସହ ପ୍ରବଳ ଗୁଳୁଗୁଳିରେ ବି ଅପଲକନୟନରେ ବହୁଦୂର ଆଡ଼େ ବହୁ ସମୟରୁ ଚାହିଁଥାଏ ସୁବ୍ରତ, କାବ୍ୟାର ଆସିବାକୁ । କାଲି ଫୋନ୍ କରିଥିଲା ଆଜି ଆସିବାକୁ । ଆସୁଥିବ, ବାଟରେ ପାଇଥିବ ବୋଧେ ଏପରି ଭାବୁଥାଏ ସୁବ୍ରତ । କଲେଜ୍ ରାସ୍ତାରେ ଥିବା ଫୋନ୍ ବୁଥ୍ ପାଖରେ ଛାଇ ପାଇବ ବୋଲି ଭାବି ସେ ସେଠାକୁ ଚାଲିଗଲା । ହଳଦିଆ ରଙ୍ଗର ସେ ସ୍କୁଲ୍ ବସ୍‌ଟାର ପଛରୁ ବାହାରୁ ଥାଏ ପ୍ରଦୂଷିତ କଳା ଧୂଆଁ । ସେ କଳାରଙ୍ଗର ଧୂଆଁରୁ ମୁହଁ ଆଡ଼େଇ ଦେଉଥିଲା ସୁବ୍ରତ କିଛି ଗୋଟେ ପାଇଗଲା ପରି ହଠାତ୍ ବୁଲି ଚାହେଁ ତ ଦେଖେ କାବ୍ୟା ସେପଟରୁ ଚାଲି ଚାଲି ଆସୁଛି । ସୁବ୍ରତର ମନ ସମ୍ପୂର୍ଣ୍ଣ ପ୍ରଫୁଲ । ସେ ଧାଇଁଗଲା କାବ୍ୟା ଆଡ଼କୁ । କାବ୍ୟ ଆହୁରି ଅଧିକ ସୁନ୍ଦର ଦିଶୁଥିଲା ମୁହଁର ଝାଳରେ ଓଦା ହୋଇ । ଦେଖା ହେଉ ହେଉ ଦୁହିଁଙ୍କ ଭିତରେ ଆରମ୍ଭ ହେଇଗଲା ଡହରାମି । କେହି କାହାଠୁ କମ୍ ନୁହଁନ୍ତି କଥା କହିବାରେ ।

– ଏ କାବ୍ୟା ତତେ ଗୋଟେ କଥାଟେ କହିବି ?
– ହଁ, କହୁନୁ କ’ଣ ପଇସା ପଡୁଛି କି ତତେ କହିବା ପାଇଁ ।
– ତାହା ନୁହେଁରେ ପାଗେଳି, କହିବି ତ ସତ ! ହେଲେ ତୁ ରାଗିବୁନି ତ ?
– ବୋପା ଲୋ. . . ପୁଅ ଆଉ ଫୁଲେଇ ହଅନା. . . ବୋ. . . କହ ସତରେ ।
– କହୁଚି ଶୁଣ, ବୁଝିଲୁ, କାଲି ତୁ ମୋ ସ୍ୱପ୍ନରେ ଆସିଥିଲୁ । ମୁଁ ଗୋଟେ ସୁନ୍ଦରୀ ଝିଅଟେ ସହ ଆଇସ୍କ୍ରିମ୍ ଖାଉଥିଲି ତୁ ମୋତେ ଦେଖିଲୁ ସିନା ହେଲେ କିଛି ବି କହିଲୁନି ସେଠାରୁ ଚାଲିଗଲୁ ରାଗ ତମ ତମ ହୋଇ । ଆଉ ତା’ ପରଦିନ ଦେଖା ହେଲୁ କଲେଜ୍ ଆସିବା ବାଟରେ । ତୁ ଆସୁଥିଲୁ ସାଇକେଲ୍‌ରେ ଆଉ ମୁଁ ଥିଲି ତୋ ପଛରେ, ତୁ ଯେବେ ଜାଣିଲୁ କି ମୁଁ ତୋ ପଛରେ ଅଛି ସେତେବେଳେ ତୁ ସାଇକେଲ୍‌ରୁ ଓହ୍ଲେଇ ପଡ଼ିଲୁ ଆଉ ମତେ ପଚାରିଲୁ ସେ ଝିଅ କିଏ ? ଆଉ ମୋ ଉତ୍ତର ଶୁଣି ତୁ ହଠାତ୍ ରାଗିଯାଇ ମୋତେ ଗୋଟେ ଶକ୍ତ ଚାପୁଡ଼ା ମାରିଲୁ ।

ଏ କଥା ଶୁଣି କାବ୍ୟା ଚମକି ପଡ଼ିଲା । ଆଉ ସୁବ୍ରତକୁ ପ୍ରଶ୍ନ କଲା, କାଇଁରେ ? ମୁଁ ତତେ କ’ଣ ପାଇଁ ମାରିଲି, ତୁ ଏମିତି କ’ଣ କହିଲୁ କି ?

– କହୁଚି ଶୁଣ, ମୁଁ ତତେ ମିଛରେ କହିଦେଲି କି ସେ ମୋ ନୂଆ ପ୍ରେମିକା ବୋଲି, ହେଲେ ତୁ କିଛି ନ ବୁଝି ତ ମତେ ମାରିଲୁ । ଆଉ ଏଇ କଥା ଶୁଣି କାବ୍ୟା ଟିକେ ହସିଦେଇ ପୁଣି ଏକ ଶକ୍ତ ଚାପୁଡ଼ା ମାରିଲା ସୁବ୍ରତର ଗାଲକୁ । ଆଉ କହିଲା, ଏ କଥାକୁ ସ୍ୱପ୍ନରେ ମିଛଟାରେ କହିଲୁ ବୋଲି ଏତେ ମାଡ଼ ଖାଇଲୁ ଆଉ ଯଦି କେବେ ସତରେ କହୁ କିମ୍ୱା ଏପରି କାମ କେବେ କରୁ ତେବେ ତୋ ଅବସ୍ଥା. . ., ବୁଝୁଚୁ ତ । ଏପରି ପରିସ୍ଥିତିରେ ସୁବ୍ରତ୍ କାବ୍ୟାକୁ ଆଉ କିଛି ନ କହି ଭାବିବାକୁ ଲାଗିଲା । ଆଜି ଯାଏଁ ମଧ୍ୟ ସୁବ୍ରତ ସେଇ ଅସରନ୍ତି ଭାବନାରେ ।

ଲୋକପ୍ରିୟ ଲେଖା

To Top