ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

କେବେଦିନେ କୁଟାଖଣ୍ଡେ ଉଠାଇ ନ ଥିବା ଅଳସୀକନ୍ୟା ସାଂସାରିକ ଝଡ଼ର ମୁକାବିଲା କିପରି କରିବେ ? ଆଗରୁ ଶୁଖିଲା ପତ୍ରଟିଏ ବି ତାଙ୍କ ଉପରେ ଝଡ଼ିନି କେବେ । ପଥର ପଡ଼ିଲେ କିପରି ସହିବେ ?

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୁର୍ବରୁ :-

ଅନ୍ୟମାନେ ମାନେ କିଏ କି ଛୁଆମାଲିକାଣୀ ? ମୁଁ ତ କାଇଁ ଏତେ ଲାଜର ଅର୍ଥ ବୁଝିପାରୁନି । ଆଇନାଟାକୁ ଛାତିରେ ଜଡ଼ାଇ ଧରି ସେ ଆନନ୍ଦରେ ଅଧୀର ହୋଇ କହିଲେ- ପାର ସବୁଝିଅଙ୍କର ଗୋଟେ ସ୍ୱପ୍ନ ଥାଏ ନା ଆଖି ତଳେ ? ଯେ ସେମାନଙ୍କ ସ୍ୱାମୀ କିପରି ହେବ ? ଚିର ଇପ୍ସିତ ବିବାହ ସେ ମାଙ୍ଗଳିକ ମୁହୂର୍ତ୍ତଟି କିପରି ବିତିବ ? ତା’ ରୂପକୁ ଦେଖି ଆକାଶର ଜହ୍ନ ଲାଜେଇ ଯାଇ ବଉଦମାନଙ୍କ ଭିତରେ ଲୁଚେଇ ଦେଉଥିବ ଯେମିତି । ଆଉ ନିଜେ ସ୍ୱାମୀ ଯଦି ବଧୂର ରୂପକୁ ପ୍ରଶଂସା କଲା, ତେବେ ଆଉ କ’ଣ ଦରକାର କହିଲୁ ? ଜୀବନ ଓ ସେ ମୁହୂର୍ତ୍ତଟି ସାର୍ଥକ ହୋଇଯିବନି । କେମିତି ମୋ ବାହାଘର ଖବର ତମକୁ ଦେଇଥାନ୍ତି ଛୁଆମାଲିକାଣୀ । ଆମମାନଙ୍କର ବାହାଘରରେ ସ୍ୱପ୍ନ ଗୋଟାଏ କ’ଣ ? ଶାଢ଼ୀ, ଶଙ୍ଖା ପିନ୍ଧି ଚାଲିଯିବାକୁ ହେବ ଅଚିହ୍ନା ମରଦର ଘରକୁ । ବାଜା ନାହିଁ, ରୋଷଣୀ ନାହିଁ କି ଗହଳଚହଳ କିଛି ନାହିଁ । ଖାଲି କେଇଟା ଲଙ୍ଗଳା ଛୁଆ । ବଳକା ଖାଦ୍ୟ ପରି ଗୁଞ୍ଜି ହେବାକୁ ପଡ଼େ ଅନ୍ୟ ଘରେ । ଆଉ ଆଇନା କ’ଣ ଦରକାର ସୁନ୍ଦର ଅସୁନ୍ଦର ବାରିବାକୁ । ଆମମାନଙ୍କ ଘରେ ଜନ୍ମ ନେବା ଆତ୍ମହତ୍ୟା ସହିତ ସମାନ । ଆମେ ବି ସେସବୁ ଖୁସିରେ ଗ୍ରହଣ କରିନେଇଛୁ । ଆଜିକାଲି ଆଉ ଦୁଃଖ ନ କରି ନିଜ ଇଚ୍ଛା ମତେ ଚାଲିଯାଉଛନ୍ତି ଅନ୍ୟସାଥୀରେ । ଭୋଜି ଭାତ ହେବା ବି ଭାଗ୍ୟର କଥା । ସେତକ ଦେବାକୁ ବଳ ନ ଥିଲେ ବି ଦୁଃଖ ନାହିଁ । ତା’ ଭିତରେ ସ୍ୱପ୍ନ କ’ଣ. . . ଆଶା କ’ଣ. . . ? କଣା କେମ୍ପା କି କୁଜାଟା ହେଲେ ବି ସ୍ୱାମୀ ତ । ସେଇ ଭାଗ୍ୟ ।

ସତରେ ଏମିତି ହୁଏ ତୁମମାନଙ୍କ ଭାଗ୍ୟରେ ! ଆଉ ତୁ ବି ଯାଇଥିଲୁ ତୋ ବରଘରକୁ ଆଉ ସେଇଠି ତୋର ବାହାଘର ହେଲା ଓ ହାତଗଣ୍ଠି ପଡ଼ିଲା ।

ହଅ. . . ତୋଳାକନ୍ୟା ବାହାଘର. . . ଯେଉଁଠି ଝିଅ ଯାଏ ତା’ ବରଘରକୁ ବିବାହ ପାଇଁ ।

ଭାରି ଡର ଲାଗୁଥିବ ନା ପାର ?

କୁକୁଡ଼ାକୁ ହାଣିବାକୁ ନେଲାବେଳେ ସେ ଜାଣିପାରେ, ଯେତେବେଳେ ତାରି ଆଖିଆଗରେ ତା’ ଜାତିଭାଇମାନେ ବଳି ପଡୁଥାନ୍ତି । ସେ ଠଉରେଇ ନେଇପାରେ ତା’ର ଦୁର୍ଭାଗ୍ୟକୁ । ହେଲେ ଆଉ ଚାରା କ’ଣ ? ଡରିଲେ କ’ଣ ବାପାମାଆ ଫେରାଇ ଆଣିବେ ନା ଶାଶୁଘର ଲୋକେ ବୁଝାଇ ଦେବେ !

ପାର, ସତରେ ତୋର ଭାରି ଛାତି ଟାଣ । ତୁ ଥିଲେ ମୋର କିଛି ଡର ନାହିଁ । ତେବେ ଛାଡ଼ ସେକଥା. . . ବରଯାତ୍ରୀମାନେ ଆସିଲେ ତୁ ଚୁପ୍ କିନା ଯାଇ ଦେଖି ଦେଇ ଆସିବୁ ଆଉ କହିବୁ ସେ କେମିତି ଦେଖିବାକୁ ? ଶୁଣିଥିଲି ସେ କୁଆଡ଼େ ରାଜାଙ୍କ ଭଳି ସୁନ୍ଦର । ହେଲେ ବରବେଶରେ ସେ କିଭଳି ଦିଶୁଛନ୍ତି । ଆଉ ହଁ କେହି ନ ଥିଲାବେଳେ ତୁ ଝଅଟ ଆସି ମୋତେ ନେଇଯିବୁ ଛାତ ଉପରର ସେ ନିଚ୍ଛାଟିଆ ଜାଗାକୁ । ସେଇଠି ମୁଁ ଦେଖିବି ତାଙ୍କୁ ନିଜ ଆଖିରେ ।

ବାଡୁଅ ପାଣି ଦେହରେ ପଡ଼ିସାରିଲାଣି ଅନ୍ଧାରରେ ଏକୁଟିଆ ମୁଁ ତମକୁ କୁଆଡ଼େ ନେବିନି ଲୋ ମାଆ ! ମାଲିକାଣୀ ମତେ ରଖିବେଟି ।

ଆରେ ମୁଁ କହୁଛି ପରା. . . ।

ତୁମେ ଏମିତିକା କଥା କାହିଁକି କହୁଛ ? ଏ ବେଶରେ ପରା ଭୂତପ୍ରେତ କିମିଆଁ ହୋଇ ଶରୀରରେ ପ୍ରବେଶ କରନ୍ତି । ଯଦି ତୁମ ଦେହରେ ପ୍ରବେଶି ଯିବେ ।

ସତେକି. . . ! ଏତେ ବଡ଼ ବଡ଼ ଆଖି କରି ପଚାରିଲେ ସେ । ତା’ ହେଲେ ଥାଉ । ହେଲେ ଝର୍କା ପାଖରୁ ମୋତେ ଟିକେ ଦେଖାଇ ଦେବୁ ଯେମିତି ହେଲେ । କାମରେ ପଡ଼ି ଭୁଲିଯିବୁନି । ନ ହେଲେ ତୋ ସହିତ ମୁଁ ଜମାରୁ କଥାହେବିନି ଏଠାରୁ ଯିବା ଯାଏଁ ।

ଆହା ଲୋ ମାଆ. . . ଏବେଠାରୁ ଏତେ ସରାଗ ଭାବିସ୍ୱାମୀଙ୍କ ପାଇଁ । ପୁଣି ଘରର ଏରୁଣ୍ଡିବନ୍ଧ ବି ଡିଆଁ ହୋଇନି । ବ୍ରାହ୍ମଣ ବେଦମନ୍ତ୍ର ବି ପଢ଼ିନାହାନ୍ତି । ଏତିକି କହି ବଧୂବେଶରେ ବସିଥିବା ଛୁଆମାଲିକାଣୀଙ୍କ ମୁହଁକୁ ଆସ୍ତେ ହଲେଇ ଦେଲା ପାର । ଆଉ ସେ ଲାଜରେ ନିଜ ମୁହଁକୁ ତାଙ୍କ ଦୁଇ ହାତ ପାପୁଲିରେ ଲୁଚାଇ ଦେଉଥିଲେ ।

ତା’ ର ପିଲାବେଳଠାରୁ ଏତେ ଅୟସରେ ବଢ଼ିଆସିଥିବା ମାଲିକାଣୀ ବୋହୂ ସାଜିବେ କାହାଘରେ । କେବେଦିନେ କୁଟାଖଣ୍ଡେ ଉଠାଇ ନ ଥିବା ଅଳସୀକନ୍ୟା ସାଂସାରିକ ଝଡ଼ର ମୁକାବିଲା କିପରି କରିବେ ? ଆଗରୁ ଶୁଖିଲା ପତ୍ରଟିଏ ବି ତାଙ୍କ ଉପରେ ଝଡ଼ିନି କେବେ । ପଥର ପଡ଼ିଲେ କିପରି ସହିବେ ? ଏତେ ଅଲିଅଳି ହୋଇ ବଢ଼ିଥିବା ମାଲିକାଣୀ କିପରି ଚଳିବେ ସେଠାରେ ? ଏସବୁ ଭାବି ଘରେ ସମସ୍ତେ ବ୍ୟସ୍ତ । ସେତେବେଳେ ଜେଜେମା’କୁ ସେମାନେ ମାଲିକାଣୀଙ୍କ ସହିତ ତାଙ୍କ ଶାଶୁଘରକୁ ଯିବାକୁ କହିଲେ କିଛିଦିନ ପାଇଁ । ଜେଜେମା କିନ୍ତୁ ରାଜି ନଥିଲା । କୋଳର ଅବୋଧ ଶିଶୁକୁ ନେଇ ପାର କିପରି ଯାଇପାରିଥାନ୍ତା । ମନା କରିଦେଲା ସେ । ଜେଜେମା’ର ମାଆ ବି ରାଜି ହେଲା ନାହିଁ । ସେ ବି ମାଆ ହିସାବରେ ତା’ ଝିଅର ସୁଖକର ଭବିଷ୍ୟତ ଚାହେଁ । କ୍ଷୀର ଖାଉଥିବା ପିଲାଟିକୁ ତା’ ମାଆଠାରୁ ସେ କ’ଣ ଅଲଗା କରିପାରିବ ? ଆଉ କୋଳ ଛାଡ଼ିନଥିବା ଶିଶୁଟାକୁ ନେଇ ତା’ ମାଆ କ’ଣ ପର ଘରେ ଖଟିପାରିବ ? ପାର ପାଇଁ ଏବେ ବିଶ୍ରାମ ଲୋଡ଼ା । ହେଲେ ସେମାନେ ବଡ଼ଲୋକ । ଆବଶ୍ୟକ ପଡ଼ିଲେ ଆଗୁଆ ଟଙ୍କା ଗଣିଦିଅନ୍ତି । ହଠାତ୍ ମନା କ’ଣ କରିହେବ ତାଙ୍କୁ ! କଥାଟା ଖରାପ ହେବ । ତେଣୁ ବାଧ୍ୟ ହୋଇ ପାରକୁ ମାଲିକାଣୀଙ୍କ ଶାଶୁଘରକୁ ଆସିବାକୁ ହୋଇଥିଲା କିଛିଦିନ ପାଇଁ । ହେଲେ କିଛିଦିନ ପରେ ସେ ଫେରିବ ତା’ ସଂସାରକୁ । ତା’ ପିଲା, ସ୍ୱାମୀ ଓ ମାଆ ସହିତ କାମ ଧନ୍ଦା କରି ସେ ବି ତା’ ଭାଗର ଜୀବନକୁ ଜୀଇଁବ । ତା’ ମଥା ଉପରର ଆକାଶକୁ ଚାହିଁ ତା’ ମନ ତଳର ଜହ୍ନ ଦେଖିବ । ତା’ ପୃଥିବୀ ଉପରେ ସେ ନିଜର ପାଦଥାପି ତନ୍ମୟ ହେବ । ସେ ଜୀଇଁବ ତା’ ମନ ମୁତାବକ । ପାଦରେ ଅନୁଶାସନର ବେଡ଼ି ନ ଥିବ । ଏଇଟା କର, ସେଇଟା ଦେଖ୍ ଆଦିର ହୁକୁମନାମା ନ ଥିବ । ସେ ନିଜେ ଥିବ ନିଜ ଘରର ମାଲିକାଣୀ । ସେ ନିଜେ ହୁକୁମ୍ ଦେବ ନିଜକୁ । ଆଉ ମନେ ମନେ ବେଜାଏ ହସିବ । ଏମିତି ଅନେକ ସ୍ୱପ୍ନ ଦେଖେ ସେ । ମନ ଭିତରେ ବିଭୋର୍ ହୁଏ । ଲାଗେ ତା’ ଜୀବନରେ ବି ଦିନେ ଭୋର୍ ହୋଇଆସିବ । ଏ କାଳରାତ୍ରୀ ପାହିଯିବ ଆଉ ସୂର୍ଯ୍ୟକିରଣରେ ତା’ ସଂସାର ଆଲୋକିତ ହୋଇଉଠିବ । ଭାବନା ମଝିରୁ ମାଲିକାଣୀ ଡାକ ଦିଅନ୍ତି- ଆଲୋ ଅଟା ଚକଟା ହୋଇନି । ପରିବା ବି କାଟିଦେ’ । ଚାଉଳରେ କାଲି ଗୋଟେ ଗୋଡ଼ି ବାହାରିଥିଲା । ସେତକ ବି ବାଛି ସଫା କରିପକା । ଆଜି ଯେମିତି ଗୋଡ଼ି ବାହାରିବନି । ନ ହେଲେ ମାଲିକ ମୋ ଉପରେ ରାଗିବେ । କହିବେ ଭଲ ଝିଅକୁ ଦେଖି ଆଣିଛୁ ସାଥୀରେ କାମ କରିବାକୁ ଯେ ସେ ଚାଉଳରୁ ଗୋଡ଼ି ବାଛିପାରୁନି । ଯେମିତି କେହି ଉଲୁଗୁଣା ଦେବେନି । ସ୍ୱପ୍ନମାନଙ୍କୁ ସେଇଠି ଛାଡ଼ିଦେଇ ସେ ଚାଲିଯାଏ ରୋଷେଇଘରକୁ । ତା’ ଭିତରେ ପୁଣି ହୁକୁମ୍ ଆସେ. . . ପାଣି ଗରମ କରିଦେ । ଏସବୁ ଜଞ୍ଜାଳ ଭିତରେ ସେ ଯନ୍ତ୍ର ମଣିଷ ପାଲଟି ଯାଉଥାଏ ।

କେବେକେବେ ବେଳଉଣ୍ଡି ପାର ଆସୁଥିଲା ଘରକୁ । ଦେଖିଯାଉଥିଲା ବାର୍ଦ୍ଧକ୍ୟରେ ପଡ଼ିଥିବା ନିଜ ମାଆଟିକୁ ଓ ଆଉ କାମକୁ ଯାଇପାରୁନଥିବା ରୋଗୀଣା ସ୍ୱାମୀଙ୍କୁ । ସେ ଧାଉଁଥିଲା ସରକାରୀ ଡାକ୍ତରଖାନାକୁ । ବିଭିନ୍ନ ଡାକ୍ତରଙ୍କୁ ଦେଖାଉଥିଲା । କେତେ କ’ଣ ଔଷଧପତ୍ର ଖୁଆଉଥିଲା । ହେଲେ ସୁସ୍ଥ ହେଉନଥିଲେ କେହି । ମାତ୍ର କେଇଟା ଦିନ ପରେ ସେମାନଙ୍କର ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରି ସାରି ସେ ଡାକ୍ତରଙ୍କଠାରୁ ଜାଣିଲା ଯେ- ରାଜଯକ୍ଷ୍ମା ହୋଇଛି ତା’ ସ୍ୱାମୀକୁ । ମାଆ ବି ଦିନକୁ ଦିନ ଦୁର୍ବଳ ହୋଇପଡୁଛି । ତା’ ପେଟକୁ ଆଉ ଦାନା ଯାଉନି । ସବୁ ବାହାରି ଆସୁଛି ବାହାରକୁ ପଥରୁଦ୍ଧା ନାଳଟିକୁ ହଠାତ୍ ଖୋଲି ଦେବା ପରି । ମାଲିକ ବି ଭାରି ଭଲ ଲୋକ । ହାତରେ କିଛି ଟଙ୍କା ବି ଧରାଇ ଦେଲେ । ସେ ଗ୍ରହଣ କରିବାକୁ ଅମଙ୍ଗ ହେଉଥିଲା ପ୍ରଥମେ ପ୍ରଥମେ । ହେଲେ ଆଗକୁ ଔଷଧପତ୍ର ପାଇଁ କାଳେ କିଛି ଦରକାର ପଡ଼ିବ ବୋଲି ସେତକ କାନିରେ ବାନ୍ଧିଲା ବାଧ୍ୟ ହୋଇ । ଦିନକୁ ଦିନ ସେମାନେ ଶୁଖିଲାପତ୍ରଟି ପରି ଶୁଖି ଶୁଖି ଆସୁଛନ୍ତି । ଅଥଚ ସେ ଅସାଧ୍ୟ ରୋଗକୁ ସେ ଭଲ କରିପାରୁନାହିଁ । ଡାକ୍ତର କହି ସାରିଛନ୍ତି- ଖୁବ୍ ଡେରି ହୋଇଗଲାଣି । କିଛି ଚମତ୍କାରର ଆଶା ରଖି ଠାକୁରଙ୍କୁ ଡାକ । ହେଲେ ପାର୍ବତୀର ବିଶ୍ୱାସ ତା’ ସ୍ୱାମୀ ଓ ମାଆ ଦୁଇଜଣଯାକ ଭଲ ହୋଇଯିବେ । ଆଗଭଳି କାମକୁ ଯିବେ ପର ପାଇଁ ଓ ନିଜ ପାଇଁ ଖଟିବେ । ସଂସାରର ନାଆ ଆଗଭଳି ସୁରୁଖୁରୁରେ ଆଗକୁ ବଢ଼ିବ । ଚଉଁରାମୂଳରେ ନିତି ସଞ୍ଜ ଦେଇ ଲୁହଭରା ଆଖିରେ ସେ ଠାକୁରଙ୍କୁ ଡାକୁଛି । ହେଲେ ସେମାନଙ୍କ ବିକଳ ଦେଖି ସେ ବିଶ୍ୱାସର ପାଚେରୀ ଭାଙ୍ଗିଯାଉଛି । ତା’ ପରିବାର କହିଲେ ତ ସେଇମାନଙ୍କୁ ବୁଝାଏ । କୋଳର ଛୁଆଟାର ବି ଠିକ୍‌ରେ ତତ୍ତ୍ୱ ନେଇ ପାରୁନଥିବାରୁ ସେ ବି ଅସୁସ୍ଥ ହୋଇ ପଡ଼ିଲା । ଏସବୁ ଜଞ୍ଜାଳ ଭିତରେ ଆକଣ୍ଠ ବୁଡ଼ି ଧୀରେ ଧୀରେ ତା’ର ଧୈର୍ଯ୍ୟବନ୍ଧ ଭାଙ୍ଗି ଯାଉଥିଲା । ହସ୍ପିଟାଲ୍ ବିଛଣାରେ ମାଆ ଓ ତା’ ସ୍ୱାମୀ ବେଶ୍ କିଛି ଦିନ ଲଢ଼ିଲେ ଜୀବନ ସହିତ । ସେଦିନ ଗୋଟେ ଅଳସ ଅପରାହ୍ଣରେ ସେ ଡାକିଲା-

– ଏଇ, ଶୁଣିପାରୁଚ ମତେ । ଟିକେ ଆଖି ଖୋଲ । ଏମିତି ଅସହାୟ କରିଦିଅନା ମୋତେ । କେତେଥର ଏମିତି ଡାକିବା ପରେ ନିସ୍ତେଜ ଆଖି ଯୋଡ଼ିକ ଧୀରେ ଧୀରେ ଖୋଲି ଉଠିଲା କିଛି ସମୟ । ସତେ ଯେପରି ସେ କିଛି କହିବାକୁ ଚାହୁଁଥିଲେ ସେ । ପାରୁ ପୁଣି ଥରେ ପଚାରିଲା- କିଛି କହିବ । ଟିକେ ଚେଷ୍ଟା କର କହିବାକୁ । ଏଇ ଦେଖ, ତୁମ ପୁଅ. . . ଗୁରୁଣ୍ଡିଲାଣି । ତୁମେ କ’ଣ ତାକୁ ଟିକେ କୋଳକୁ ନେବନି । ସେ ଆଖିରୁ ଝରିପଡ଼ିଲା ଦି ବୁନ୍ଦା ଲୁହ । ଶୁଖିଲା ଓଠ ଦୁଇଟି କିଛି ସମୟ ପାଇଁ ଥରି ଉଠିଲେ କଅଁଳପତ୍ର ପରି । ଦୁହେଁ କାନ୍ଦିଲେ. . . ବୁଝିପାରିଲେ ପରସ୍ପରକୁ । ଅଥଚ. . . ନା ଅବ୍ୟର୍ଥ ପାଲଟିଗଲା ସେସବୁ । ସବୁତକ ଚେଷ୍ଟା ବିଫଳ ହୋଇଗଲା ପାରର । ପାର ପଚାରିଲା- କ’ଣ ଦେବି ଖାଇବାକୁ ? ନିଅ. . . କହି କମଳାରୁ ଚୋପା ଛଡ଼େଇ ଚିରୁଡ଼ାଏ କମଳା ତା’ ପାଟିରେ ଭର୍ତ୍ତି କରେ- ଖାଅ, ଖାଇବାକୁ ଚେଷ୍ଟା କର । ମନକୁ ଦୃଢ଼ କର । ନହେଲେ ବିଛଣାରୁ ଉଠିବ କେମିତି ? ଆମ ପାଇଁ ତୁମକୁ ଭଲ ହେବାକୁ ପଡ଼ିବ । ହେଇଟି, ମୁଁ ଏ ସଂସାରକୁ ଏକା ଏକା ସମ୍ଭାଳି ପାରିବିନି କହି ଦଉଚି । ଆଉ ତମେ ଭଲ ହେବା ପରେ ଯିଏ ଯେତେ କହିଲେ କି ନେହୁରା ହେଲେ ବି ମୁଁ ଆଉ କୋଉଠି କାମ ବି କରିବିନି ଜମାରୁ । ତମେ ଯାହା ଆଣିଦବ ସୁଖରେ ଆଦରି ନେବି । ଖାଲି ସୁସ୍ଥ ହୋଇ ଉଠିବସ । ଶୁଣୁଚ ନା ନାହିଁ ମୋ କଥା । ସେପଟେ ଜଡ଼ ହୋଇ ଆସୁଥିଲା ସମଗ୍ର ଶରୀର । ତା’ ପ୍ରଶ୍ନର ଉତ୍ତର ନ ଥିଲା । ଡକାଡକି ହୋଇ ଶାଶୁ ଜ୍ୱାଇଁ ଦିନ କେଇଟାରେ ଚାଲିଗଲେ ଆରପାରିକୁ । ସ୍ୱାମୀ ସୁଖ କ’ଣ ଭଲ କରି ଜାଣି ନଥିବା ଜେଜେମା’ ହୃଦୟରୁ ଲୁହ ନୁହେଁ ତ ଯେପରି ଲହୁ ଝରୁଥିଲା । ସେ ଏବେ ସଂସାରରେ ଏକା, କୋଳରେ ବର୍ଷକର ଛୁଆ । କେମିତି ପାଳିବ ସେ ତାକୁ ଏକାଟିଆ । ମନ ତଳେ ଅସରନ୍ତି କୋହ. . . ଈଶ୍ୱର କ’ଣ ସତରେ ନାହାନ୍ତି ଗରିବଙ୍କ ପାଇଁ ? ବସ୍ତିରେ ଥିବା ଘର ଏବେ ସରକାରଙ୍କ କବ୍‌ଜାରେ । ସେତିକିବେଳେ ମାଲିକାଣୀଙ୍କ ଶାଶୁଘରୁ ତା’ ପାଇଁ ଡାକରା ଆସିଲା । କିନ୍ତୁ ତା’ର ଇଚ୍ଛା ନ ଥିଲା ସେଠାକୁ ଯିବାକୁ । ସେଠିକୁ ଯିବା ପରେ ତ ତା’ ସଂସାର ସୁଖ ସରିଛି । ଏଇ ମାଲିକ ଓ ମାଲିକାଣୀଙ୍କ ମନ ତଳେ କ’ଣ ଗୋଟେ ମଣିଷର ମନ ନଥାଏ ? ଏମାନେ କ’ଣ ସବୁବେଳେ ନିଜ ଚିନ୍ତାରେ ଏତେ ଆକୁଳ ଯେ ତାଙ୍କ ସାମ୍ନାର ମଣିଷକୁ ସେମାନେ ଦେଖିପାରନ୍ତି ନାହିଁ ? କିମ୍ୱା ତା’ର ଦୁଃଖ ସେମାନଙ୍କୁ ଅଧୀର କରିପାରେନାହିଁ ? ଏମିତି ଭାବିଭାବି ଅନେକ ଦିନ ବିତିଗଲାଣି ।

ଏବେ ହାତରେ ଟଙ୍କାଟିଏ ବି ନାହିଁ । ପୁଅ ତା’ର ଆଣ୍ଠେଇଲାଣି । ଭାତ, ଡାଲି ଖାଇଲାଣି । ଆଉ କିଛି ଦିନ ପରେ ସେତକ ବି ସେ ଯୋଗାଡ଼ କରିପାରିବନି । ସାରା ସଂସାର ତାକୁ ଅନ୍ଧାର ଦିଶୁଛି । ସେ କ’ଣ କରିବ ଭାବିପାରୁନି । ହଠାତ୍ ଜୀବନରେ ଦୁର୍ଦ୍ଦିନର କଳାବାଦଲ ଘୋଟି ଆସିଛି । ଅହର୍ନିଶି ଆଖିରୁ ଲୁହ ଝରାଇ ଝରାଇ ସେ ବି ଦୁର୍ବଳ ହୋଇଗଲାଣି । ଏଭଳି ଦୁଃଖକୁ ସେ ଆଜି ଯାଏଁ ବି ସହିପାରୁନି କି ଗ୍ରହଣ କରିପାରୁନି ଅଚିରେ । ଏକାଥରକେ ସ୍ୱାମୀ ଓ ମାଆର ମୃତ୍ୟୁକୁ ସେ ଭୁଲିପାରୁନି । ପାଖ ପଡ଼ୋଶୀ କେତେଜଣ ତାକୁ ପୁନଶ୍ଚ ବିବାହ କରିବାକୁ ପ୍ରସ୍ତାବ ଦେଲେଣି । ଦୁଇଟା ଘରଛାଡ଼ି ସେ ଅନାଦିଟି ଭାରି ଭଲ ପିଲା । ଏ ବସ୍ତିର ସବୁଠାରୁ କାମିକା ଭଦ୍ର ଓ ବିଶ୍ୱସ୍ତ ପିଲା । ସବୁରି ମୁଖରେ ତା’ର ପ୍ରଶଂସା । ଏଇ କିଛି ଦିନ ହେବ ସେ ବି ତା’ ବାହାଘରର ଚାରିମାସ ନ ପୁରୁଣୁ ତା’ ସ୍ତ୍ରୀକୁ ହରାଇଛି । ବୋଧହୁଏ ବିହି ଏ ଦୁଇଜଣଙ୍କୁ ଏକତ୍ର ମିଶାଇବାକୁ ଏପରି ଅବସ୍ଥା ସୃଷ୍ଟି କରିଛି ବୋଲି କେତେକ କୁହାକୁହି ହେଉଛନ୍ତି । ପାର କାନକୁ ଏସବୁ ଅବାସ୍ତବ ଲାଗୁଛି । ସେ କିଛି ଭାବିପାରୁନି । କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନି । ଅନାଦି ବି କେତେଥର ଖାଇବା ଧରି ତା’ ପାଖକୁ ଆସିଛି, ତାକୁ ବୁଝାଇବାକୁ ଚେଷ୍ଟା କରୁଛି । ଜୀବନ ରାତିକୁ ଗ୍ରହଣ କରିଯିବାକୁ ଉପଦେଶ ଦେଉଛି । ହେଲେ ଏତେ ଶୀଘ୍ର କ’ଣ ନିଜର ଲୋକମାନଙ୍କୁ ଭୁଲି ହୁଏ ? ଜୀବନର ପୋଡ଼ା ଘା’ଟି କ’ଣ ଏତେ ଶୀଘ୍ର ଶୁଖିଯାଏ ? ଅଥଚ ଜୀବନଟା ଯାକ ସେ ଦାଗ ଯେ ଅଲିଭା. . . ସବୁବେଳେ ତା’ର ଅବସ୍ଥିତିକୁ ମନେ ପକାଉଥାଏ, ଉଖାରୁଥାଏ । ଜୀବନର ଦୋଛକିରେ ପଡ଼ି ଛଟପଟ ହେଉଥିଲା ପାର । ତା’ର ଏଭଳି ଅଭାବିତ ଖବର ଶୁଣି ମାଲିକାଣୀ ନିଜେ ଆସିଲେ ତା’ କୁଡ଼ିଆକୁ । କିଛିଦିନ ପରେ ସରକାରଙ୍କ ବୁଲ୍‌ଡୋଜର୍‌ରେ ଏ ଜାଗା ମାଟିରେ ମିଶିବ । ତା’ପରେ ତା’ର କ’ଣ ହେବ ସେ ଜାଣେନି ।

ତା’ପରେ

ଲୋକପ୍ରିୟ ଲେଖା

To Top