ଗଳ୍ପ

ଅପରିଚିତ ଝଡ଼

କେହି ନାରୀ ଲେଖିକା କ’ଣ ଏମିତି ସାହସ କରିପାରେ ? କ’ଣ ଭାବିବେ ଶାନ୍ତନୁ ? ମୋର ସେଇ ସବୁ ନଗ୍ନ ଜୀବନର ପୃଷ୍ଠା ସବୁ ଉନ୍ମୋଚନ କରି ସାରିବା ପରେ ସେ ମୋତେ ସହଜରେ ଗ୍ରହଣ କରିବେ ତ ?

ଅପରିଚିତ ଝଡ଼

ଆସନ୍ତାକାଲି ମୋର ଅଦ୍ୟବଧିର ଆତ୍ମଜୀବନୀ “ଅବ୍ୟକ୍ତ କାହାଣୀ”ର ଶୁଭ ଉନ୍ମୋଚନ ହେବ ।

ଓଡ଼ଆ ସାହିତ୍ୟ ଜଗତର ବହୁ ନାମୀଦାମୀ କଥାକାର, ବରିଷ୍ଠ ପତ୍ରକାର, ଟେଲିଭିଜନ୍ ସମ୍ୱାଦଦାତାଙ୍କ ଗହଳରେ ଗୋଟିଏ ଓଡ଼ିଆ ନାରୀ ଜୀବନର ବହୁ ଅକୁହା, ଅଜଣା କଥା ଲୋକଲୋଚନକୁ ଆସିବ ।

ରାତି ସାଢ଼େ ଗୋଟେ ହୋଇଗଲାଣି, ହେଲେ ନିଦ ଆସୁନି । ଏମିତିକି ନିଦ ଔଷଧ ଖାଇକିବି । ସେ ଯାହା ବି ହେଉ ଶୋଇବାକୁ ତ ହେବ କାରଣ ମଞ୍ଚ ଉପରେ ନାରୀ ଲେଖିକା ହିସାବରେ ଭଲ ଲେଖା ସଙ୍ଗରେ ଭଲ ଦେଖାଯିବା ବି ଜରୁରୀ, ଏ ମୋର ପ୍ରଥମ ବହି ଯାହା ଉନ୍ମୋଚିତ ହେବାକୁ ଯାଉଛି, ତେବେ କ’ଣ ପାଇଁ ଏ ଅସ୍ଥିରତା ।

“ମଣିଷକୁ ଦୁଇଟି କାରଣରୁ ନିଦ ହୁଏନି, ଖୁବ୍ ଖୁସିରେ ବା ଖୁବ୍ ଦୁଃଖ ବା ଚିନ୍ତାରୁ ।”

ଏ କ’ଣ ଖୁସିର ଉତ୍ସବ ପୂର୍ବରୁ ଖୁସିର ନିଶାରେ ମାତାଲ ହେବାର ଲକ୍ଷଣ ନା ଭୟର । ଅପରିଚିତ ଝଡ଼ର କଳ୍ପନାରେ ଅସ୍ଥିରତାର ଲକ୍ଷଣ ।

ବହୁତ କମ୍ ଲେଖକ ଲେଖିକା ନିଜ ଆତ୍ମଜୀବନୀ ଲେଖିଛନ୍ତି । ନାରୀ ଲେଖିକାଙ୍କ ସଂଖ୍ୟା ତ ହାତଗଣା । ସବୁ କଥା କ’ଣ ଖୋଲି କି ଲେଖିହୁଏ । ପୁଣି ନାରୀ ଜୀବନର ଅନେକ ଅବ୍ୟକ୍ତ ଅକୁହା କାହାଣୀ । ବହୁତ ସତର୍କ ହେବାକୁ ପଡ଼େ ବାଟ ଚାଲିଲା ବେଳେ ନାରୀକୁ ।

କାଳେ ଝିଅ, ଭଉଣୀ, ସ୍ତ୍ରୀ, ବୋହୂ, ମା’, ବୁଢ଼ୀମା’ର କର୍ତ୍ତବ୍ୟ କରୁ କରୁ କଳଙ୍କିତ ଇତିହାସର ଚାବୁକ୍ ପ୍ରହାର ନ ବାଜିଯାଉ ।

ଛୋଟବେଳୁ ଡାଏରୀ ଲେଖିବାର ସଉକ ଥିଲା ମୋର । ପ୍ରଥମେ ପ୍ରଥମେ ମୁଁ ଜାଣିପାରୁ ନଥିଲି କ’ଣ ଲେଖାଯାଏ ଡାଏରୀରେ । ଦିନର ସବୁ ମହତ୍ତ୍ୱପୂର୍ଣ୍ଣ ଘଟଣା । ନା ଯାହା ଭଲ ଲାଗିଲା, ନା ଯାହା ଖରାପ ଲାଗିଲା ? ମୁଁ ତ ସବୁ ଲେଖି ଦେଉଥିଲି, ଦିନରେ କେତେବେଳେ ଉଠିଲି, କେତେବେଳେ ଗାଧୋଇଲି, ଖାଇଲି, କ’ଣ କାହା ସହ ଗପିଲି, କେଉଁଠି କି ଗଲି, କ’ଣ ପଢ଼ିଲି, ଟିଭିରେ କ’ଣ ଦେଖିଲି ଇତ୍ୟାଦି ଇତ୍ୟାଦି । ଡାଏରୀର ସେ ସୀମିତ ପୃଷ୍ଠାରେ ଦିନସାରାର ଟିକିନିକି ବିବରଣୀ ଜାଗା ଧରୁ ନଥିଲା । ବେଳେବେଳେ ହାଲିଆ ହୋଇ ଡାଏରୀ ସେଦିନ ପାଇଁ ନ ଲେଖିଥିଲେ ତା’ ପରଦିନ ଲେଖିନିଏ । ଯଦି କିଛି ଦୁଃଖ ଘଟଣା ଘଟୁଥିଲା କିଛି ସେ ବିଷୟରେ ଲେଖି ଘଟଣାକୁ ମନ ପକାଇ ଆଉ ଥରେ ଦୁଃଖୀ ହେଉଥିଲି । କିନ୍ତୁ, ଦିନ ପରେ ମନ ଭଲ ହେଲେ ଲେଖୁଥିଲି । ତାଜୁବ୍ କଥା ଯେ ମୋର ସବୁ ମନେ ପଡ଼ିଯାଉଥିଲା ସେ ଦିନର ଘଟଣାବଳୀ ସବୁ, ଯେମିତି ଚିତ୍ରଫଟ ପରି, ବହୁତ ଦିନ ପରେ ଡାଏରୀରେ ଲେଖିଲାବେଳେ ।

ଧୀରେ ଧୀରେ ବଡ଼ ହେବା ପରେ ଡାଏରୀ ଲେଖାର ଶୈଳୀ ବଦଳାଇଲି । କ’ଣ ମୁଁ ଶିଖିଲି, ସେଦିନରେ ଘଟିଥିବା ବିଶେଷ ଘଟଣାରୁ, କ’ଣ ମୁଁ ଭୁଲ୍ କଲି, କାହାର କେଉଁ କଥା ଭଲ ନ ଲାଗିଲା ତାକୁ ଲେଖିଲି । ଧୀରେ ଧୀରେ ଘର ଛାଡ଼ି ହଷ୍ଟେଲ୍‌ରେ ରହିବା ପରେ ସେ ଦିନରେ କରିଥିବା ଖର୍ଚ୍ଚ ବି ଦିନର ସେ ପୃଷ୍ଠାର ଉପରେ ଲେଖି ଦେଉଥିଲି । ଏତେ ସବୁ ନିଜର ଭୁଲ୍ ଠିକ୍‌କୁ ଲେଖିଲା ପରେ ସତରେ କ’ଣ ମୁଁ ନିଜକୁ ସଜାଡୁ ଥିଲି ? ଭାବୁଥିଲି ମୋ ଭିତରେ ଥିବା ବହୁ ଅସଜଡ଼ା ଜିନିଷ ସଜାଡ଼ିବାକୁ, ନା ଖାଲି ନିଜକୁ ହାଲୁକା କରିବା ପାଇଁ ମୁଁ ଡାଏରୀ ଲେଖୁ ଥିଲି । ଡାଏରୀରେ କିଛି ଗୋପନୀୟକୁ ଗୋପନୀୟ ଭାବେ ରଖିବା ଅପେକ୍ଷା, ନିଜ ବିଷୟରେ ନିଜେ ବହୁ ଜିନିଷ ବାହାରେ କହି ଦେଉଥିଲି । ବୋଧେ କିଛି ଜିନିଷ ନ କହିଲେ ଭଲ ବୋଲି ମୁଁ ବୁଝି ନଥିଲି ।

ଥରେ ମୋ ହଷ୍ଟେଲ୍ ସାଙ୍ଗ ସେଲି ମୋ ଡାଏରୀ ଛଡ଼େଇ କି ନେଇ ପଢ଼ି ଦେଇଥିଲା । ତା’ ପରେ ନିଜେ ଆସି ଫେରାଇ ଦେଇଗଲା । କହିଲା, “ନାନୀ ମୁଁ ଅଧିକା ପଢ଼ିପାରିଲିନି, ଏ ଡାଏରୀ ଯେମିତି ଏକ ‘ଜୀବନ୍ତ ପୁସ୍ତକ’ ଏତେ ପ୍ରାକୃତିକ ଯେ ମୋର ଲୁହ ମୋର ବୋଲ ମାନିଲାନି ।”

ମୁଁ ଜାଣେନି ମୁଁ କ’ଣ ଜୀବନ୍ତ ଲେଖିଥିଲି । ମାତ୍ର ମୁଁ ଭାବୁଥିଲି ବହୁତ କଥା ଯାହା ମୁଁ ଲେଖିବାକୁ ଚାହୁଁଥିଲି ଲେଖିପାରୁ ନଥିଲି । ଏମିତି କି ଚାକିରୀ ପାଇବା ପରେ ବି ମୋର ଡାଏରୀ ଲେଖା ଜାରି ରହିଥିଲା । ଥରେ ମୋର ଜଣେ ଅନ୍ତରଙ୍ଗ ସାଙ୍ଗ (ଯିଏ ବୟସରେ ସାନ ମାତ୍ର ଯାହା ସହ ମୁଁ ଖୁବ୍ ସହଜରେ ସବୁ ଅକୁହା କଥା ବ୍ୟକ୍ତ କରିପାରେ) ସଞ୍ଜୁ କହିଲା, ଦିଦି ତୁମେ ଡାଏରୀ ଲେଖା ବନ୍ଦ କର, ବାହାଘର ପରେ ତୁମକୁ ହଇରାଣ ହୋଇପାରେ । ତୁମ ସଂସାରରେ ଝଡ଼ ସୃଷ୍ଟି କରିପାରେ କେଉଁ ଏକ ଛୋଟ ଲେଖା ତୁମର । ସେମିତି କିଛି ହୋଇନି । ବାହାଘର ପୂର୍ବରୁ ସବୁ ନୂଆ ବର୍ଷକୁ ମୋ ନନା ମୋତେ ଗୋଟେ ଡାଏରୀ ଓ କଲମ ଦିଅନ୍ତି । ଆଉ ବାହାଘର ପରେ ମୋ ସ୍ୱାମୀ ଏ ପ୍ରଥା ଚାଲୁ ରଖିଲେ ।

ଶାନ୍ତନୁ ସ୍ୱାମୀ କମ୍ ବନ୍ଧୁ ବେଶୀ ଥିଲେ । ଯେମିତି ମୁଁ ଚାହିଁ ଥିଲି, ବୋଧହୁଏ ସବୁ ଝିଅମାନେ ଯେମିତି ସ୍ୱାମୀ ଚାହାଁନ୍ତି । ଆଦର କରୁଥିବେ, ମନ ବୁଝିପାରୁଥିବେ, ସମ୍ମାନ ଦେଉଥିବେ ଇତ୍ୟାଦି ଇତ୍ୟାଦି. . . । ସେମିତି କା’ ଥିଲେ ଶାନ୍ତନୁ । କୁହାଯାଏ “ରାଜା ଓ ପତି ପାଖରେ ମଣିଷକୁ ପରିସ୍ଥିତି ଦେଖି ଆବଶ୍ୟକ କଥା କୁହାଯାଏ ।” ମାତ୍ର ମୋତେ ଶାନ୍ତନୁ ସେମିତି କିଛି ଅନୁଭବ କରିବାକୁ ଦେଇନାହାଁନ୍ତି ।

ମୋର ଧାରଣା ଥିଲା ଭଲ ପାଇବାକୁ ବାହାରେ ପ୍ରକାଶ କରିଦେଲେ ମଣିଷ ଦୁର୍ବଳ ହୋଇଯାଏ । ଛୋଟ ହୋଇଯାଏ । ଭଲ ପାଇବାର ମହତ୍ତ୍ୱ କମିଯାଏ । “ଭଲ ପାଇବା ପରି ବିରାଟ ଶବ୍ଦ କ’ଣ ଶବ୍ଦରେ ପ୍ରକାଶ କରିହୁଏ ।” କେହି ଜଣେ କହିଛନ୍ତି, “ପ୍ରେମର ପରିଭାଷା ନାହିଁ” । ମାତ୍ର ପ୍ରେମକୁ ପରିଭାଷା ନ ଦେଲେ ଅନ୍ୟ ଜଣେ ଜାଣିବ କେମିତି । ଏତେ ସହଜ ନୁହେଁ ପ୍ରେମର ପରିଭାଷାକୁ କହିବା ଓ ବୁଝିବା ।

ମାତ୍ର ଖୁବ୍ ସହଜରେ ମୋତେ ସେ ଭାଷା ବୁଝେଇ ଦେଇଥିଲେ ମାଇକେଲ୍ । କମ୍ପାନୀ କାମରେ କାମରେ ଲଣ୍ଡନ ଯାତ୍ରା, ବିଦେଶୀ ମାଇକେଲ୍‌ଙ୍କ ସହ ପ୍ରେମ ଚିର ଅଭୁଲା ରହିବ ।

ଜଣେ ଅଫିସର୍ ବନ୍ଧୁ କେମିତି ପ୍ରେମିକ ହୋଇଗଲା, ଆଉ ଖୁବ୍ ଦୃଢ଼ ଭାବରେ ଜୀବନର ଏକ ଅଭୁଲା ଗାଥା ହଇ ରହିଗଲା ଜାଣି ହେଲାନି ।

ଜଣେ ବିଦେଶୀ ବି ଏମିତି ଅନାବିଳ ପ୍ରେମ କରିପାରେ ? ମାଇକେଲ୍‌ଙ୍କ ଠାରୁ ମୁଁ ଗୋଟେ ବନ୍ଧୁର ବନ୍ଧୁତ୍ୱ, ପିତାର ସ୍ନେହ, ଗୁରୁର ଶିକ୍ଷା, ଭାଇର ଭାବ ଓ ପ୍ରେମୀର ପ୍ରେମ ପାଇଛି । ମାଇକେଲ୍‌ଙ୍କ ସହ ମୋର ବିବାହ ମୋର ପିତା କଠୋର ଭାବେ ବିରୋଧ କରିଥିଲେ । ଏକରେ ମାଇକେଲ୍ ବିଦେଶୀ, ଗୋଟିଏ ରକ୍ଷଣଶୀଳ ବ୍ରାହ୍ମଣର ଝିଅ ଜଣେ ଫିରଙ୍ଗୀକୁ ବିବାହ କରିବା ଦ୍ୱିତୀୟ ବିରୋଧର କାରଣ ଥିଲା ।

ଶାନ୍ତନୁଙ୍କୁ ମୁଁ ମାଇକେଲ୍‌ଙ୍କର ମୋର ହୃଦୟର ମିଳନ ଓ ପ୍ରେମ କଥା କହିସାରିଛି । ମାତ୍ର ଏମିତି ବହୁତ କଥା ଅଛି ମାଇକେଲ୍ ଓ ମୋ ବିଷୟରେ ଯାହା ଶାନ୍ତନୁ ଜାଣି ନାହାଁନ୍ତି ।

ଇବିସ୍ (ଇବିସ୍) ହୋଟେଲର ସେ ମଧୁମୟ ମୁହୂର୍ତ୍ତ, ବହୁ ସନ୍ଧ୍ୟା, ରାତ୍ରି, ସକାଳର ସେ ରୋମାଞ୍ଚମୟ ପୃଷ୍ଠା କେବଳ ମୁଁ ନିଜେ ହିଁ ନିଜ ଭିତରେ ଅନୁଭବ କରି ପୁଲକିତ ହୁଏ ।

ସତ କହିବାକୁ ଗଲେ ଶାନ୍ତନୁ ଏତେ ଖୋଲା ହୃଦୟବାନ୍, ମୋତେ ଏତେ ଭଲପାଆନ୍ତି ତଥାପି ମୁଁ ତାଙ୍କ ପ୍ରେମରେ ସେ ନିଚ୍ଛକତା ଦେଖିପାରିନି ଯାହା ମୁଁ ବିଦେଶୀ ମାଇକେଲ୍‌ଙ୍କର ପବିତ୍ର, ସ୍ୱଚ୍ଛ ପ୍ରେମରେ ଦେଖିଥିଲି । ଏତେ ଝଡ଼ଝଞ୍ଜା ଜୀବନ ଭିତରେ ମୋ ଜୀବନର ସେଇ ସୁନେଲୀ ପୃଷ୍ଠା ସବୁ ରଙ୍ଗୀନ୍ ଓ ଜୀବନ୍ତ ହୋଇ ରହିଛି । ଏବେ ବି ମୋ ଓଠରେ ମାଇକେଲ୍ ଓଠର ମାଦକତା, ମୋ ହାତରେ ମାଇକେଲ୍ ହାତର ଉଷ୍ଣତା, ମୋ ବାହୁରେ ମାଇକେଲ୍‌ଙ୍କର ବାହୁର ରୋମାଞ୍ଚ ମୁଁ ଅନୁଭବ କରେ ।

ଅନେକଥର ମୁଁ ନିଜେ ନିଜକୁ ପଚାରିଛି, କ’ଣ ସତରେ ଅଧିକା ଥିଲା ମାଇକେଲ୍‌ଙ୍କର ପ୍ରେମ ଯାହା ଆଜି ଯାଏ ଏତେ ଦୂରରେ ରହିବି ମୁଁ ସେ ସ୍ୱଳ୍ପଦିନର ପ୍ରେମ ଅନୁଭବ କରିପାରୁଛି ? କ’ଣ କମ୍ ଅଛି ଶାନ୍ତନୁଙ୍କ ପ୍ରେମରେ, ଯାହା ଏତେ ପାଖରେ ରହି ମଧ୍ୟ ଗ୍ରହଣ କରିପାରୁନି । ବୋଧହୁଏ, “ପ୍ରେମର ପରିଭାଷା ନାହିଁ” । ପ୍ରେମକୁ ହୃଦୟରେ କରାଯାଏ । ବୁଝିଶୁଝି ନୁହେଁ । ଜଣେ ଲୋକକୁ ବୁଝିସାରିଲା ପରେ ଆଉ ପ୍ରେମ କ’ଣ ଥାଏ ? କେବଳ ବୁଝାମଣା ହିଁ ଥାଏ ।

କିଛି ବି ମୁଁ ଲୁଚାଏନି ଶାନ୍ତନୁଙ୍କ ପାଖରେ, ମାତ୍ର ଏ ସବୁ କହି ହୁଏନି । ଏତେ ଦିନ ଯାଏ ନ କହି ମୁଁ ଖୁବ୍ ଭଲ ସ୍ତ୍ରୀ, ମା’ ହୋଇପାରିଛି । ଏମିତି ନୁହେଁ ଯେ ଛୋଟ ବଡ଼ ଝଡ଼ ଆମ ସଂସାରରେ ଆସିନି । “ଝଡ଼ ବିନା ଜୀବନର କି ମଜା ଥାଏ ।”

ଯାହା ମୁଁ କହିନଥିଲି ତାହା ମୋର ଆତ୍ମଜୀବନୀ “ଅବ୍ୟକ୍ତ କାହାଣୀ” କାଲି କହିଦେବ । କେହି ନାରୀ ଲେଖିକା କ’ଣ ଏମିତି ସାହସ କରିପାରେ ? କ’ଣ ଭାବିବେ ଶାନ୍ତନୁ ? ମୋର ସେଇ ସବୁ ନଗ୍ନ ଜୀବନର ପୃଷ୍ଠା ସବୁ ଉନ୍ମୋଚନ କରି ସାରିବା ପରେ ସେ ମୋତେ ସହଜରେ ଗ୍ରହଣ କରିବେ ତ ?

ସରଳ, ନିଷ୍ପାପ, ପବିତ୍ରତାର ଏକ ପ୍ରତିମୂର୍ତ୍ତି ଭାବେ ଆଜିଯାଏ ମୋତେ ପୂଜା କରି ଆସିଛନ୍ତି ଶାନ୍ତନୁ । ପତ୍ନୀ ହିସାବରେ, ଏକ ଦରଦି ବନ୍ଧୁ ଭାବରେ, ଅଧିକନ୍ତୁ ପ୍ରାଣପ୍ରିୟା ପ୍ରେମିକାର ସମ୍ମାନ ଦେଇ ଆସିଛନ୍ତି ଆଜିଯାଏ । କ’ଣ ଅନୁଭୂତି ଆଣିବ ମୋର କଲେଜ୍ ପଢୁଥିବା ଝିଅ “ସାଇନି” ମୋ ଉପରେ ?

ଏ ଅପରିଚିତ ଝଡ଼, “ଅବ୍ୟକ୍ତ କାହାଣୀ” ଜୀବନଧାରାକୁ ଦୋହଲାଇ ଦେବନି ତ ?

ଲୋକପ୍ରିୟ ଲେଖା

To Top