କବିତା

ଆଠଟି କ୍ଷୁଦ୍ର କବିତା

Debadatta Jadumani Nayak's odia poem Aathati Khyudra Kabitaa

ତୁମ ଆଖିରୁ ଡେଇଁବାକୁ ଉଦ୍ୟତ ଥିବା ପ୍ରେମ
ମୋ ଛାତିରେ ପଡ଼ିଲା ତ ଭଲ,
ନହେଲେ ବିକଳାଙ୍ଗ ହେବା ସୁନିଶ୍ଚିତ ।

ଆଠଟି କ୍ଷୁଦ୍ର କବିତା

ଅପରାଧ

ଅଦାଲତରେ ବୟାନ ବଦଳାଇଥିବା ସାକ୍ଷୀ ପରି
ବଦଳିଗଲା ତୁମ ହୃଦୟ
ଆଉ ମୁଁ ବନିଗଲି ପ୍ରେମିକରୁ ଅପରାଧୀ !

ବିକଳାଙ୍ଗ

ତୁମ ଆଖିରୁ ଡେଇଁବାକୁ ଉଦ୍ୟତ ଥିବା ପ୍ରେମ
ମୋ ଛାତିରେ ପଡ଼ିଲା ତ ଭଲ,
ନହେଲେ ବିକଳାଙ୍ଗ ହେବା ସୁନିଶ୍ଚିତ ।

ଘର୍ଷଣ

ତୁମ ହୃଦୟର ପିଚ୍ଛଳ ରାସ୍ତାରେ
ଘର୍ଷଣ ବିନା
ଖସି ନ ଯାଉ ମୋର ପ୍ରେମ ଚକ !

ସୁପାରିଶ

ତୁମ ଓଠ କେବେ ଡାକିବ ତା’ ଅପେକ୍ଷାରେ ବସି
ପ୍ରବଳ ଶୀତରେ ନିଆଁ ପୋଉଁଥିବା ‘ପ୍ରେମ’
ମତେ କହୁଛି ତାର ସୁପାରିଶ କରିଦେବା ପାଇଁ ।

ବ୍ୟାୟାମ

ରୁହ! ମୋ ଓଠ ଧାରରେ ଠିଆ ହୋଇ
ତୁମକୁ ହାତ ହଲାଇ ‘ହାଏ’ କହିବାକୁ ଚାହୁଁଥିବା ପ୍ରେମ
ଏବେ ବ୍ୟାୟାମରେ ବ୍ୟସ୍ତ ।
କହୁଛି, ଆଗ ଦୁର୍ବଳ ଶରୀରକୁ ସିକ୍ସ-ପ୍ୟାକ୍ ଯୁକ୍ତ କରେ ।

ନିୟନ୍ତ୍ରଣ

ସବୁଜ ସଙ୍କେତ ଥିଲା ବୋଲି
ଆଗେଇଥିଲି ପ୍ରେମର ରାସ୍ତାରେ,
ହଠାତ୍ ତୁମ ମୁହଁ ଲାଲ ପଡ଼ିଗଲା
ଓ ମୁଁ ଅଟକିଗଲି ତିନି ଛକରେ !

ରାସ୍ତାରୋକ

ସେମାନେ ବହୁତ ଚେଷ୍ଟା କରି
ରାସ୍ତା ରୋକିବାରେ ବିଫଳ ହେଲେ ।
ମୁଁ କହୁଥିଲି
ତୁମକୁ ଠିଆ କରାଇଦେବା ପାଇଁ !

ଯଥାର୍ଥ

ଗାଁ ପୋଖରୀ ହୁଡ଼ାରେ ଜଗି ରହିଲେ କ’ଣ ହେବ?
ସୂର୍ଯ୍ୟୋଦୟ ଦେଖିବ ତ
ଚନ୍ଦ୍ରଭାଗା ଯିବାକୁ ପଡ଼ିବ ।

ଲୋକପ୍ରିୟ ଲେଖା

To Top