ଗଳ୍ପ

ଗପ ହେଲେ ବି ସତ

Adhyapaka Susant Purohit's Odia Story Gapa Hele Bi Sata

ସ୍କୁଲ୍‌ର ଛାତ୍ର ଓ ସାର୍‌ମାନେ ଭି ତାକୁ ବହି ଖାତା ସବୁ ଦେଇ ଶିଖେଇବାକୁ ଚେଷ୍ଟା କଲେ । ହେଲେ ରଘୁଆ ଦ୍ଵାରା ଆଉ ପାଠ ହେଲା ନାହି । ସେ ଦୁଇ ଥର ଜାକ ଫେଲ ହେଇଗଲା । ତାକୁ ଅଗତ୍ୟା ଚାକିରୀରୁ ବିଦାୟ ନେବାକୁ ହେଲା ।

ଗପ ହେଲେ ବି ସତ

“ରଘୁଆ “, ବାପା ମା ସିନା ଜନ୍ମ ପରେ ଅତି ଆଦର ରେ ନା ଦେଇଥିଲେ “ରାଘବାନନ୍ଦ ପଟ୍ଟନାୟକ” ବୋଲି , ହେଲେ ଭେଣ୍ଡିଆଟେ ହେବା  ଯାଏ ତାକୁ କେହି ରଘୁଆ ଛଡା ଆଉ କିଛି ଡାକନ୍ତିନି । ଗାଁର ଛୁଆ ଠୂ ବୁଢା ଯାଏ ସମସ୍ତଙ୍କ ପାଇଁ ସେ  “ରଘୁଆ ” । ସମସ୍ତେ ତାକୁ କିନ୍ତୁ ପିଲା ଦିନରୁ ଆଦର କରନ୍ତି ତାର ସରଳ ପ୍ରକୃତି , ହସ ହସ ମୁହଁ ପାଇଁ । ସବୁବେଳେ କିଛି ନା କିଛି କାମ ରେ ଲାଗିଥାଏ ରଘୁଆ । ନିଜ ବାଡି ବଗିଚା କାମ ନ ଥିଲେ ପାଖ ପଡୋଶୀଙ୍କ କାମ ଭି କରିଦିଏ ଯାଚି କରି ।

ଗରିବ ତ ବାପା । ଭାଗ ଚାଷ କରି ଭି ତିନି ପ୍ରାଣୀ ପାଇଁ ପେଟ ପୁରେଇବାକୁ ଯଥେଷ୍ଠ ହୁଏନି । ରଘୁଆ ପାଞ୍ଚ ବର୍ଷର ହେଲା ପରେ ବାପା ତାକୁ ଗାଁ ଚାଟଶାଳୀରେ ନା ସିନା ଲେଖେଇ ଦେଲେ, ହେଲେ ସେ ସ୍କୁଲ ଦିନେ ଗଲେ ପାଞ୍ଚ ଦିନ ଯାଇ ପାରେନି । ବାପାକୁ କ୍ଷେତ କାମରେ ସାହାଜ୍ୟ ନ କଲେ ହୁଏନି, ପୁଣି ଗାଈ ଛେଳି ମାନଙ୍କୁ ଚରେଇ ନେବାକୁ ଆଉ କେହି ନ ଥାନ୍ତି । ରଘୁଆ ଫେଲ୍‌ ହେଇ ହେଇ ସେଇ ପ୍ରଥମ ଶ୍ରେଣୀରେ ରହିଗଲା । ଏମିତି କିଛି ବରଷ ଗଲା ପରେ ରଘୁଆ ବାପା ଅଜଣା ବେମାରି ରେ ପଡି ଚାଲିଗଲେ । ରଘୁ ଉପରେ ସବୁ ଭାର ପଡିଗଲା । ଏଣେ ମରୁଡି ଯୋଗୁ ଚାଷ ଭି ଆଉ ହେଲାନି । ଭାଗ୍ୟକୁ ଗାଁରେ ସେ ବର୍ଷ ଗୋଟେ ହାଇ ସ୍କୁଲ ଆରମ୍ଭ ହେଲା ଗାଁ ର ମୁଖ୍ୟ ଲୋକଙ୍କ ଉଦ୍ୟମରୁ । ଗଉନ୍ତିଆ ସାମନ୍ତ ବାବୁ ଭାରି ଭଲ ଲୋକ । ରଘୁକୁ ଡାକି ତାକୁ ସ୍କୁଲରେ ପିଅନ ଚାକିରୀ ଦେଲେ ।

ରଘୁଆ ତ ପରିଶ୍ରମୀ । ଖୁବ ଭଲ ଭାବରେ କାମ କଳା । ମାଷ୍ଟର ମାଷ୍ଟରାଣୀମାନେ ସ୍କୁଲ ପହଞ୍ଚିବା ଆଗରୁ ଆସି ପୁରା ଘର ସଫା କରି, କୂଅରୁ ପାଣି ଆଣି ମାଠିଆ ସବୁ ଭରି ଦିଏ ହେଡମାଷ୍ଟ୍ରଙ୍କ ରୁମକୁ ଭଲ କରି ଝାଡୁ କରି ତାଙ୍କ ଟେବଲ ସଜାଡି ଦେଇ ତାଙ୍କ ଚୌକି ରେ ସାଫା  ତଉଲିଆ ଟିଏ ପକାଇ ଦିଏ ଆଉ ବାହାରେ ବସେ । ପିଲା ମାନେ ଆସିଲେ ରଘୁ କକା  ଡାକି ତାକୁ ଖୁବ ମାନନ୍ତି । ଗାଁ ଲୋକେ ଯେପରି ଭଲ ପାଆନ୍ତି, ସ୍କୁଲ ରେ ଭି ରଘୁଆର ଭାରି ଖାତିର, ପିଅନ ଟିଏ ହେଲେ ଭି ।

ଏମିତି କିଛି ବର୍ଷ ଚାଲିଲା । ତା ପରେ ଦିନେ ସରକାରଙ୍କ ଠାରୁ ଚିଠି ଆସିଲା, ସ୍କୁଲ ସରକାରୀ ହେବ । ସମସ୍ତେ ଖୁସି । ହେଲେ ହେଡମାଷ୍ଟରେ ଚିଠି ଭଲ କରି ପଢି ଚିନ୍ତାରେ ପଡିଗଲେ । ରଘୁଆ ମେଟ୍ରିକ ହେଇ ନ ଥିବା ହେତୁ ପିଅନ ଚାକିରୀ ପାଇଁ ଯୋଗ୍ୟ ନୁହେଁ  । ସମସ୍ତେ ସରକାରୀ ହେଇଯିବେ, ସେ  ଚାକିରୀ  ହରେଇବ । ବଡ ମନ ଦୁଖ କରି ସ୍କୁଲ୍‌ କମିଟି ମିଟିଂ ଡାକିଲେ । ମିଟିଂ ରେ ଗୌନ୍ତିଆଭି ରଘୁଆ ପାଇଁ ଭାରି ଚିନ୍ତା କଲେ ।   ରଘୁଆକୁ ଡକା ଗଲା । ଗୌନ୍ତିଆ ବାବୁ  ତାକୁ କହିଲେ “ସରକାରୀ ନିୟମ ଅନୁସାରେ ତୁ ମାଟ୍ରିକ୍‌ ପାସ୍‌ ନ କରିଥିବାରୁ ସରକାରୀ ହେଇ ପାରିବୁନି । କିନ୍ତୁ ଆମେ ତୋତେ ଛାଡିବାକୁ ଚାହୁନାହୁଁ । ତୋତେ ଦୁଇ ବରଷ ସମୟ ଦିଆଯିବ  । ତୁ ପ୍ରାଇଭେଟ୍‌ ପରିକ୍ଷ୍ୟା ଦେଇ ମାଟ୍ରିକ୍‌ ପାସ୍‌ କରିଯା । ” ରଘୁଆ ପୂର୍ବ ପରି କାମ କରିଚାଲିଲା ଓ ରାତିରେ ବସି ପଢିବାକୁ ଚେଷ୍ଟା କଳା । ସ୍କୁଲ୍‌ର ଛାତ୍ର ଓ ସାର୍‌ମାନେ ଭି ତାକୁ ବହି ଖାତା ସବୁ ଦେଇ ଶିଖେଇବାକୁ ଚେଷ୍ଟା କଲେ । ହେଲେ ରଘୁଆ ଦ୍ଵାରା ଆଉ ପାଠ  ହେଲା ନାହି । ସେ ଦୁଇ  ଥର ଜାକ ଫେଲ ହେଇଗଲା । ତାକୁ ଅଗତ୍ୟା ଚାକିରୀରୁ ବିଦାୟ ନେବାକୁ ହେଲା ।

ଏବେ ରଘୁଆ କଣ କରିବ ? ଏଣେ ବୁଢୀ ମା ସାଙ୍ଗକୁ  ଏତେ ବେଳକୁ ବାହା ହେଇ ତାର ସ୍ତ୍ରୀ ଓ ଗୋଟେ ପିଲା ମଧ୍ୟ । ଚାରି ପ୍ରାଣୀର ପେଟ ତ ପୋଷିବାକୁ ହେବ । ସ୍କୁଲ୍‌ ସାମ୍ନାରେ ଗୌନ୍ତିଆ ବାବୁଙ୍କ ଗୋଟେ ବ୍ୟବହାର ହଉ ନ ଥିବା ଚାଳ ଘର ଥିଲା । ସେଇଟାକୁ ସେ ତାଙ୍କଠୁ ଧାର ସୂତ୍ର ରେ ଆଣି ସେଇଠି ଗୋଟେ ପାନ ଦୋକାନ ଖୋଲିଲା । ପାଖ ସହରକୁ ସାଇକେଲ ରେ ଯାଇ ଜିନିଷ ଆଣି ଆରମ୍ଭ କଲା ବ୍ୟାପାର  । ଭଲ ବ୍ୟବହାର ଯୋଗୁ ତା  ଦୋକାନ ଧୀରେ ଧୀରେ ଭଲ ଚାଲିଲା । ରାସ୍ତାରେ ଯାଉଥିବା ଲୋକ ଭି ତା  ଦୋକାନ ରେ ଅଟକି ପାନ ଖାଆନ୍ତି । କ୍ରମେ ସେ ସହର ରୁ ଆହୁରି ଅନେକ ଜିନିଷ ଆଣି ରଖିଲା । ସ୍କୁଲ ପିଲାଙ୍କ ପାଇଁ ଖାତା , ପେନସିଲ, କଲମ , ଚକଲେଟ ଏମିତି ସବୁ । ସ୍କୁଲ ପିଲାଏ ସବୁ ତା  ଦିକନ ରେ ଭିଡ ଯମେଇଲେ । ତା ପରେ ସେ ଆହୁରି ବଢେଇଲା ତା  ଦୋକାନ । ମନୋହରି ଜିନିଷ ଠୁ ଆରମ୍ଭ କରି ତେଜରାତି ଜିନିଷ ମଧ୍ୟ ରଖିଲା । ଜାଗା ନିଅଣ୍ଟ ହେବାରୁ ନିଜେ ରାତି, ରାତି  ବିଳମ୍ବ ଯାଏ ଲାଗି ଆଉ ଗୋଟେ ବଖୁରି ସାମ୍ନା ରେ ତିଆରି କଳା । ଖୁବ ପରିଶ୍ରମ କରେ ରଘୁଆ, ବଡି ସକାଳୁ ତା ନିଜ ଘର, ବାଡି ବଗିଚା କାମ ସାରି, ଆଠ ତା ଆଗରୁ ଦୋକାନ ଖୋଲି ବସେ । ଗ୍ରାହକ ଆସିବାକୁ ଆରମ୍ଭ ହେଇଯାଏ । ସମସ୍ତେ ତା ବ୍ୟବହାର, ସରଳତାରେ ଖୁସି ।

କ୍ରମେ ଗାଁ ବଢିଲା, ଗାଁ ପାଖ ରାସ୍ତା ଭି ରାଜରାସ୍ତା ହେଇଗଲା । ରଘୁଆର ବ୍ୟାପାର ଆହୁରି ବଢିଲା । ଏକା ସମ୍ଭାଳି ନ ପାରିବାରୁ ଦୁଇ ଟା ସଚୋଟ ପିଲା ଦେଖି ରଖିଲା । ଦୋକାନ ଘର ପଛକୁ ଆଉ ଗୋଟେ ରୁମ୍‌ ବାହାର କଳା, ସାମ୍ନା ଦୋକାନ କୁ  ଭି ନିଜ ପଇସା ରେ ପକ୍କା କରିଦେଲା  । ଗୌନ୍ତିଆ ବାବୁ ଙ୍କୁ ନିୟମିତ ଭଡା ଭି ଦେଲା । ଦିନେ ରଘୁଆ ଶୁଣିଲା ଦୋକାନ ପାଖ ବିନୟ ବାବୁ ତାଙ୍କ ଘର ବିକି ବଡ ସହରକୁ ଚାଲିଯିବେ । ରଘୁଆ ତାଙ୍କ ପାଖ କୁ ଯାଇ ପୁରା ପଇସା ଦେଇ ସେଇ  ଘର ଟା କିଣି ନେଲା । ତେବେ ଦୋକାନ ସେଠିକୁ ନ ଉଠେଇ ସେଠାରେ ଆଉ ଗୋଟେ ନୂଆ ଦୋକାନ ଆରମ୍ଭ କଳା । ସ୍କୁଲ ରୁ ପାସ କରି ଚାକିରୀ  ପାଇ ନ ଥିବା ଗାଁ ର ତିନି ଜଣ ଗରିବ ପିଲାଙ୍କୁ ସେଠି ବିକ୍ରେତା ଭାବେ  ରଖିଲା। ସହରରେ କିଛି ଦିନ କାମ କରିଥିବା ଗାଁ ର ଜଣେ ପଢୁଆ ପିଲାକୁ ବେଶୀ  ଦରମା ଦେଇ ମେନେଜର କରି ଆଣି ରଖିଲା । ସେଠି ସେ ସିମେଣ୍ଟ, ଲୁହା ଛଡ ଆଉ ସବୁ ପ୍ରକାର ଗୃହ ନିର୍ମାଣ ଜିନିଷ ରଖିଲା । ନୂଆ ମେନେଜର ଖୁବ କାମିକା ଲୋକ । ଠିକ ରଘୁଆ ପରି । ବ୍ୟାପାର ଖୁବ ଜୋର ରେ ବଢି ଚାଲିଲା । ଏବେ ରଘୁଆ ର ଦୋକାନ ସେ ଅଞ୍ଚଳ ରେ ସବୁଠୁ ବଡ ଦୋକାନ । ଆଖ ପାଖ ଲୋକଙ୍କ ଯାହା ସବୁ ଦରକାର ହୁଏ ସବୁ ସେଇ ରଘୁଆ କମ୍ପାନୀ  ଦୋକାନରେ ମିଳେ । ଅନତି ଦୂର ରେ ଗୋଟେ ବେଙ୍କ ମଧ୍ୟ ଖୋଲିଥିଲା  । ହେଡ ମାଷ୍ଟରେ ରଘୁଆକୁ ନେଇ ସେଠାରେ ଏକ ଆକାଉଣ୍ଟ ଖୋଲି ଦେଇଥିଲେ  । ରଘୁଆ ସେଇଠି ତାର ସବୁ ଟଙ୍କା ଜମା କରେ । ଯେତିକି ଦରକାର ସେତିକି ହି ବାହାର କରେ ।

କିଛି ବର୍ଷ ପରେ ରଘୁଆ ବହୁତ ପଇସା ଜମା କରି ପାରିଲା । ପରେ ବ୍ୟାପାର ପାଇଁ ଅଲଗା ଆକାଉଣ୍ଟ ଖୋଲି କେବଳ ଲାଭ ପଇସା ନିଜ ଆକାଉଣ୍ଟ ରେ ରଖେ ।  ହେଲେ ତାର ସାଧା  ସିଧା ଚଳଣି ରେ କିଛି ଭି ପରିବର୍ତନ ହେଇ ନ ଥିଲା । ଠିକ ସେମିତି ସରଳତା , କର୍ମ ବ୍ୟସ୍ତ , ହସ ହସ ମୁହଁ । ଦୋକାନକୁ ପୁରୁଖା ନିୟମିତ ଗ୍ରାହକ ଆସିଲେ ସମ୍ମାନ ସହ ନିଜେ ଉଠି ଯାଇ ତାଙ୍କ ପାଇଁ ଜିନିଷ ଦିଏ, ଭଲ ମନ୍ଦ ଦୁଇ ପଦ ପଚାରି ଦିଏ  । ନୂଆ ଲୋକ ମାନେ ତାକୁ ଆଉ ରଘୁଆ ନ ଡାକି ରଘୁବାବୁ ନ ହେଲେ ପଟ୍ଟନାୟକ ବାବୁ ଡାକିଲେଣି । ହେଲେ ରଘୁଆ କୁ ଫରକ ପଡେନି । ସେ ତ ସେଇ ସମସ୍ତଙ୍କର ପ୍ରିୟ “ରଘୁଆ”, ଏବେ ଭି ।

ଦିନେ ଦୋକାନକୁ ବେଙ୍କ୍‌ର ନୂଆ ମେନେଜର ବାବୁ ଆସିଲେ । କହିଲେ “ପଟ୍ଟନାୟକ ବାବୁ , ଆପଣଙ୍କ ନିଜ ଆକାଉଣ୍ଟ ରେ ତ ଏତେ ବେଶୀ ପଇସା ହେଲାଣି । ଜମା ଆକାଉଣ୍ଟ ରେ ଥିବାରୁ ସୁଧା ବେଶୀ  ମିଳୁନି  । ତାକୁ ଯଦି ଷ୍ଟକ , ଶେୟାର, ଆଦି ରେ ବିନିଯୋଗ କରି ଦିଅନ୍ତେ ସେଥିରୁ ବହୁତ ଲାଭ ମିଳନ୍ତା ।”  ରଘୁଆ କହିଲା ” ଆଜ୍ଞା , ମୁ ଅଣପଢା ଲୋକ, ଏଇ ଷ୍ଟକ , ଶେୟାର  ବିଷୟ ମୁ କିଛି ଜାଣି ନାହି । ଆପଣ ଯାହା କରିବା କଥା ମୋ ତରଫ ରୁ କରି ଦିଅନ୍ତୁ । ମୁଁ କେବଳ ଦସ୍ତଖତ ଟିଏ ଦେଇ ଜାଣିବି । ” ମେନେଜର ଆଚମ୍ବିତ ହେଇ ରଘୁଆ କୁ ଦେଖିଲେ । କହିଲେ ସତରେ କଣ ଆପଣ ପାଠ ପଢି  ନାହାନ୍ତି ? ବିନା ପଢା ରେ ଆପଣ ଏତେ ବଡ ବ୍ୟବସାୟଟେ  ଠିଆ କରିଦେଇଛନ୍ତି !!!! ଆପଣ ଯଦି ଆଉ କିଛି ପଢି ଥାଆନ୍ତେ ତେବେ ତ ଧିରୁଭାଇ ଅମ୍ବାନୀ କୁ ଭି ପଛରେ ପକେଇ ଦେଇ ଥାନ୍ତେ !!!”

ରଘୁଆ ହସିଲା , କହିଲା “ସାରେ  ଆସନ୍ତୁ , ସାମ୍ନା ରେ ଦେଖୁଛନ୍ତି ହାଇସ୍କୁଲ ଟା ଅଛି । ମୁ ଯଦି ପଢି ପାରି ମାଟ୍ରିକ୍‌ଟା ପାସ କରିଯାଇ ଥାନ୍ତି , ଯେବେ ସେଇ ସ୍କୁଲ୍‌ ପିଅନ ଥାଇ  ବାରଣ୍ଡାରେ ଏବେ ଘଣ୍ଟା ପିଟୁ ଥାନ୍ତି…”

ଲୋକପ୍ରିୟ ଲେଖା

To Top