କାନ୍ଥସାରା ସିନେମା ନାୟକଙ୍କର
ସାର୍ଟହୀନ ସୁଦୃଢ ଚିତ୍ରପଟ;
ରୁମ୍ସାରା ଛିନ୍ଛତ୍ର ବଳକା
ଫାଷ୍ଟଫୁଡ୍ ପୁରିସାରି ପେଟ ।
ରାତିର କୋଣାର୍କ ଏ ମଡର୍ଣ୍ଣ ମଠ,
କେତେକେତେ ଲୁଙ୍ଗୁଡାଙ୍କୁ ପଢେଇଚି
ସଂସାର ବୈରାଗ୍ୟର ପାଠ !
ସୁଟିଂସେଟ୍ଠାରୁ କୋଉଥିରେ କମ୍ ଯମା ନୁହେଁ ଡର୍ମିଟୋରୀ;
କ୍ୟାଟୱାକ୍ କରୁଥାନ୍ତି ତା ଭିତରେ କେତେ
ଆଇଟମ ଗାର୍ଲ ଓ ସୁନ୍ଦରୀ !
ଆଇଡିଆ ଖର୍ଚ୍ଚ ନକରି,
ଅଜାଣତେ ଆତଯାତ ହେଉଥାନ୍ତି
ନାନା ପ୍ରକାର ଫ୍ୟାସନ ଡିଜାଇନିଧାରୀ !!
ପଢାପଢି ପାଇଁ ମୋବାଇଲି ନମ୍ବର
ଥାଏ ସୁଇଚ୍ ଅଫ;
ଜ୍ଞାନଚକ୍ଷୁ ସମ ଅହରହ ଖୋଲାଥାଏ
ମହାନ ହ୍ୱାଟ୍ସଆପ !
ଫ୍ରି ୱାଇଫାଇ ଲଘୁଚାପ,
ଧୋଇଦିଏ ମୁହଁ, ଲୁହ,
ହୃଦୟ ଓ ଶରୀରର ପାପ !!
ସାନ କହେ ମୁଁ ବଡ
ବଡକହେ ମୁଁ ବଢିନାଇଁ;
ଭିତର ବାହାର ପ୍ରେମିକାଏ ଭଣଭଣ
କିନ୍ତୁ ଏଠି ପ୍ରେମ ନାହିଁ !
ପ୍ରେମିକର କାଆରକୁ ଚାହିଁ,
ଚେପିନାକୀକୁ ସୁନ୍ଦରୀ ସହିପାରେ ନାଇଁ !!
ରୋଷେଇ ହୁଏନି କିନ୍ତୁ ବେଶୀ ବିକ୍ରୀହୁଏ
କାକୁଡି ଓ ଅମିତାଭମାର୍କା ବାଇଗଣ;
ଗେଟ୍ବନ୍ଦ୍ ସିନା ବାଧାନାଇଁ
ଯେତେ ନିଅ ଆଣ !
ଅନ୍ଧାରଟି ପ୍ରାଣ,
ଆଲୋକଠୁ ବେଶୀ ପାୱାରକଟ୍ର ଡିମାଣ୍ଡ
କାହିଁରୁ କଅଣ !!
ମୋବାଇଲି ଗସିପ୍ର ମିଠାସ୍ରେ
ପିଇହୁଏ ବିନାଚିନି ଚାହା;
ଲୁଣପାଇଁ କିନ୍ତୁ ମନ
ଦୋକାନ କି ଡାଇନିଂ ଧାଆଁ !
ଅନେକଙ୍କ ଥାଏ ଗୋଟେ ନାଆଁ,
ବେବୋ, ହନି, ଧନ, ସୁନା
ଶୁଣି ପ୍ରେମଭୋକେ ଖୋଲିଯାଏ ଆଁ !!
ନୁଡୁଲ୍କୁ ଇର୍ଷାକରି ବହୁବାର
ଆତ୍ମହତ୍ୟା କରିଥାଏ ଭାତ;
ବାଥରୁମ୍ ହଷ୍ଟେଲର ଗର୍ଭଗୃହ
ଏଠି ଲିଭିଂରୁମ୍କୁ ମାତ୍ଦିଏ ଏ ଛାତ !
ବହି ପରାହତ,
ଅତୀତ ଓ ଭବିଷ୍ୟତ ମିଛ ଏଠି
ଆଜି, ଏବେ, ବର୍ତମାନ ସତ !!