ତମ ଗାଁ ପଟେ ସୁରୁଜ ଉଠେ
ଆମ ଗାଁ ପାଟ ହସେ
ତମ ଗାଁ ତୁଠେ ଗାଧାଏ ଗୋରି
ଆମ ଗାଁ ତୁଠ ବାସେ ।
ତମ ଗାଁରେ ଫୁଟିଲେ ଫୁଲ
ଆମ ମଧୂପଧାଏଁ
ପୀରତି ମଧୂ ପିଇବା ଆଶେ
ଗୁଣୁ ଗୁଣାଉ ଥାଏ ।
ତମ ଗାଁରେ ଫଗୁଣ ଆସେ
ଆମ କୋଇଲି ଗାଏ
ଆମ ଗାଁ ଶ୍ୟାମ ବାଇଲେ ବଂଶୀ
ତମ ଗାଁ ରାଧା ଧାଏଁ ।
ତମ ଗାଁ ଦାଣ୍ଡ ପଡିଲେ ଶୋଇ
ରାତ୍ରୀ ଯାଏ ନଇଁ
ଆମ ସପନେ ତମ ଗାଁ ଗୋରି
ଆଉ ସେଠି କେ ନାହିଁ ।
ତମ ଗାଁର ଯାନି ଯାତ୍ରାରେ
ସବୁ ଆମ ଗାଁ ଟୋକା
ତମ ଗାଁ ଝିଅ ପ୍ରେମ ପତ୍ରରେ
ଆମ ଠିକଣା ଲେଖା ।
ତମ ଗାଁ ଝିଅ ମୋତି, ମାଣିକ
ଆମ ଗାଁ ସୁନା ବୋହୂ
ତମ ଗାଁ ର ରୂପ ଝଟକେ
ଆମେ ଝଟକୁ ଥାଉ ।
