ଗଳ୍ପ

ଛିନ୍ନପୃଷ୍ଠା

Kalindicharana Panigrahi's odia story Chhinnaprushthaa

ତୁମର ନିମକ୍ ଖାଇ ସେମାନେ ଜୀବନ ଧରି ରହିଛନ୍ତି, ତୁମକୁ ସକଳ ସୁବିଧା ଯୋଗାଇବା ଲାଗି । ତୁମର ତେବେ କି ଚିନ୍ତା ।

ଛିନ୍ନପୃଷ୍ଠା

ଏହି ଛିନ୍ନଜୀବନର ଇତିବୃତ୍ତ ଶୁଣିବାଲାଗି ତୁମେ ଏତେ ଅଧୀର କାହିଁକି ବାବୁ ? ଏଥିରେ ଶୃଙ୍ଖଳା ନାହିଁ, ଧାରା ନାହିଁ । ଏହାର ଘଟଣା ଆଜି ପରସ୍ପର ସଂଲଗ୍ନ ନୁହେଁ, ଶତଧାରରେ ଏହା ବିଚ୍ଛିନ୍ନ, ବିଭକ୍ତ । ଏ ଯେ ଚିର ସଂସାରରେ ଏକ ନିଭୃତ କୋଣରେ ପଡ଼ି ପଡ଼ି ସଢ଼ିଛି । ଏ ଦୀନ ହୀନ ଜୀବନରେ କେହି ସମ୍ୱାଦ ରଖି ନାହିଁ, କେହି ଦିନକ ଲାଗି ସୁଖ ଦୁଃଖ ପୁଚ୍ଛି ନାହିଁ । ବରଂ ଦୁର୍ବଳ ବୋଲି, ପ୍ରତିଶୋଧ ନେବାକୁ ଅକ୍ଷମ ବୋଲି ଏହି ନିରୀହ ପ୍ରାଣୀଟିକି ଲୋକେ ଢେଲା ମାରିଛନ୍ତି । ନିର୍ମମ, ଓହୋ, ନିର୍ମମ ଏ ସଂସାରର ବିଚାର !

ଆଉ ତୁମେ ବାବୁ, ତୁମର ଚିନ୍ତା କ’ଣ ? ବାଳକ ହେଲେ କ’ଣ ହେବ ତୁମର ତ ଅଭାବ କିଛି ନାହିଁ । ତୁମେ ଧନୀର ସନ୍ତାନ, ସୁଖୀ । ତୁମର ପିତାମାତା ନାହାନ୍ତି ସତ୍ୟ, କିନ୍ତୁ ମୋପରି କେତେ ଦାସୀ ଅଛନ୍ତି, ଭୃତ୍ୟ ଅଛନ୍ତି । ତୁମର ନିମକ୍ ଖାଇ ସେମାନେ ଜୀବନ ଧରି ରହିଛନ୍ତି, ତୁମକୁ ସକଳ ସୁବିଧା ଯୋଗାଇବା ଲାଗି । ତୁମର ତେବେ କି ଚିନ୍ତା ।

ମୁଁ ତୁମକୁ ଅନ୍ୟାନ୍ୟମାନଙ୍କ ଅପେକ୍ଷା ଏତେ ବେଶି କାହିଁକି ସ୍ନେହ କରେ ବୋଲି ତୁମେ ଆଶ୍ଚର୍ଯ୍ୟ ହୁଅ ? ତାହାର କାରଣ ଆଉ କିଛି ନୁହେଁ, କେବେଳ ତୁମ ଘରର ଜଣେ ପୁରାତନ ଚାକରାଣୀ ବୋଲି । ବହୁ ପୂର୍ବରୁ ତୁମମାନଙ୍କର ନିମକ୍ ଆତ୍ମସାତ୍ କରି ଆସୁଛି । ତୁମ ଘରକୁ ଛାଡ଼ି ମୋର ଆଉ ଘର ନାହିଁ । ତୁମକୁ ଛାଡ଼ି ମୋର ଆଉ ସମ୍ୱଳ ନାହିଁ । ଅବଳା ମୁଁ, କି ଗତି ମୋର ! ଏତେଦିନ ତୁମର ଖାଇ ଏ ଦେହ ଧରିଛି, ତୁମକୁ ଯତ୍ନ କରିବି ନାହିଁ ତ ଆଉ କାହାକୁ କରିବି ? ତୁମ ପ୍ରତି ଯଦି ମୋର ସ୍ନେହ ମମତା ଥାଏ, ତାହାର ଏକମାତ୍ର କାରଣ କେବଳ ଏହି ଖୋରାକ ପୋଷାକ । ତୁମ ଘରେ ମୋର ପ୍ରତିପତ୍ତି ବେଶି । ସେ କେବଳ ବେଶିଦିନର ଭୃତ୍ୟ ବୋଲି । ମୋର ଶିକ୍ଷା ଦୀକ୍ଷା ସାଧାରଣ ଚାକରାଣୀମାନଙ୍କଠାରୁ ଉଚ୍ଚରେ । ସେ ମୋର ବାଲ୍ୟଶିକ୍ଷାଜନିତ ନୁହେଁ । ଅନେକ ଦିନ ପରେ ନିଜ ଚେଷ୍ଟାରେ ଯତ୍କିଞ୍ଚିତ୍ ଜାଣିବାକୁ ପାଇଲି । ତାହାରି ବଳରେ ଆଜି ଅତୀତ ଜୀବନକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରୁଛି । ତାହା ନ ହେଲେ ସ୍ତ୍ରୀକୁଳରେ ଜାତ ହୋଇ ଆଉ ପୁଣି ଶିକ୍ଷା କିଏ ଦିଅନ୍ତା ?

ବହୁବାର ତୁମେ ମୋତେ ମୋର ପିତା ଏବଂ ଗୁଣ ଗ୍ରାମ ଆଦି ପଚାରିଚ । ସେତେବେଳେ ତୁମେ ଅତ୍ୟନ୍ତ ବାଳକ ଥିଲ, କିନ୍ତୁ ବର୍ତ୍ତମାନ ତୁମର ଯେତେ ଦୂର ଶିକ୍ଷା, ତଦ୍ଦ୍ୱାରା କେତେକ କଥା ବୁଝିପାରିବାର ଶକ୍ତି ହେଲାଣି । ଆଚ୍ଛା, ଏହି ବିକ୍ଷତଜୀବନର ଅଧ୍ୟାୟଗୁଡ଼ିକ ଶୁଣିବାକୁ ତୁମର ଯଦି ଏତେ ଆଗ୍ରହ, ତେବେ ପ୍ରଥମରୁ ଟିକିଏ ଧୈର୍ଯ୍ୟ ଧରି ରହ । କାରଣ ଏ ପର୍ଯ୍ୟନ୍ତ ତୁମର ବାଳକମତି ସଂସାରର କଠିନ ସ୍ପର୍ଶର ପରିଚୟ ପାଇନାହିଁ । ଅପରର ସାମାନ୍ୟ ବ୍ୟଥା ଦେଖି ତୁମେ କାତର ହେବାର, ବିଚଳିତ ହେବାର ଆଶଙ୍କା ଅଛି ।

ମନୁଷ୍ୟ ଜୀବନ ଗୋଟିଏ ଛବି ପରି, ଅସଂଖ୍ୟ ପତ୍ରରେ ଏହା ମୁଦ୍ରିତ । ପ୍ରତ୍ୟେକ ପତ୍ର ଖୋଲିବା ଗୋଟିଏ ଗୋଟିଏ ଗୂଢ଼ ରହସ୍ୟର ଉଦ୍ଘାଟନ, ପ୍ରତି ପତ୍ରରେ ଜୀବନର ଶତ ଶତ ନୂତନର ପ୍ରତିକୃତି । କାହିଁରେ ସପ୍ତରଙ୍ଗର ରଞ୍ଜିତ ଛବି ମଧୁର ସୁନ୍ଦର ହୋଇ ଫୁଟି ଉଠିଅଛି, କେଉଁଠି ପୁଣି ଲୋତକଧାରାରେ ଆର୍ଦ୍ର, ନାନା ସ୍ଥାନରେ ଛିନ୍ନ ବିକଳ । ନିଜ ଜୀବନ ଉପରେ ଦୃଷ୍ଟି ପକାଇଲେ ମନୁଷ୍ୟ ଏହା ବେଶ୍ ବୁଝିପାରିବ । ଏ ଜୀବନ ପ୍ରତି କିନ୍ତୁ ଯେବେ ମୁଁ ଦୃଷ୍ଟି ଫେରାଏଁ, ଏ କେବଳ ମୂଳରୁ ଅଗ୍ର ପର୍ଯ୍ୟନ୍ତ ମସ୍ତ ଗୋଟିଏ ବ୍ୟର୍ଥତା, ଏଥିରେ ରଙ୍ଗ ବିନ୍ୟାସର ବୈଚିତ୍ର୍ୟ ନାହିଁ, ମାଧୁରୀ ନାହିଁ, ସୌନ୍ଦର୍ଯ୍ୟ ନାହିଁ । ପ୍ରେମର ଅପମାନ ଅଥବା ସ୍ନେହର ଆଘାତର ସମ୍ଭୁତ ଅଶ୍ରୁ ଜଳରେ ଏହା ସରସ ନୁହେଁ । କେବଳ ଗୋଟିଏ ଅଖଣ୍ଡ ହାହାକାର, ନୈରାଶ୍ୟ, ଶୁଷ୍କତା । କେଜାଣି କାହିଁକି, ବିଶ୍ୱର କି ବୈଶିଷ୍ଟ୍ୟ ସମ୍ପାଦନ ଲାଗି ବିଧାତା ପୁରୁଷ ଯେପରି ଗୋଟାଏ ସୃଷ୍ଟି-ଛଡ଼ା ଜୀବ ସୃଷ୍ଟି କରିଥିଲେ । ମନୁଷ୍ୟର ଆକାର ଘେନି ଏହାର ଜନ୍ମ, କିନ୍ତୁ ଭିତରେ ପ୍ରାଣ ନାହିଁ । ମାନବର ଅନ୍ତର-ସୁଲଭ ପ୍ରକୃତିର ଆଭାସ ନାହିଁ, କେବଳ ଗୋଟିଏ ଯନ୍ତ୍ରପରି ଅନ୍ଧଭାବରେ ଅପରର ହୁକୁମ୍ ତାଲିମ୍ କରି ଆସିଛି ।

ମନେଅଛି, ଅତି ବାଳୁତ ବୟସରେ କେତେ ଦୁଃଖ କଷ୍ଟ ସହିବାକୁ ହୋଇଥିଲା । ଦରିଦ୍ର ମାତା ପିତାଙ୍କର ଛଅଗୋଟି ସନ୍ତାନ ଥିଲୁ । ଅନ୍ନ ସହିତ ଜଳ ସଂଯୋଗ କରି ଆହାର କରିବା ସେହିଦିନୁ ଅଭ୍ୟାସ । ଜାଲିକ ଗଭୀର ପୁଷ୍କରିଣୀରୁ ଆହରଣ କଲାପରି ସେହି ଜଳମଧ୍ୟରୁ ଅନ୍ନ ଅନ୍ୱେଷଣ କରିଥିଲୁ । ସେ ମଧ୍ୟ ଦୁଇଓଳି ରୀତିମତ ମିଳେ ନାହିଁ, କିନ୍ତୁ ତାହା ଉପରେ ଉତ୍ପୀଡ଼ନ ଅପବାଦ ଯଥେଷ୍ଟ ଥିଲା । ମାତା ପିତାଙ୍କର ନିତ୍ୟ ଅଭିଯୋଗ ଯେ ରାକ୍ଷସ ଛୁଆଗୁଡ଼ାକ ସବୁ ଖାଇଗଲେ । ହାୟରେ ଦାରିଦ୍ର୍ୟ ! – ମାନବର ସ୍ୱାଭାବିକ ବୃତ୍ତି ଉପରେ ତାହାର ଏତେଦୂର ପ୍ରଭାବ । ଏହି ଘଟଣାରୁ ବାବୁ, ତୁମର ଏ ଜୀବନ ଉପରେ ଗୋଟାଏ ସ୍ଥୂଳ ଧାରଣା ଜନ୍ମି ଯାଇଥିବ । ଯାହାର ମାତା ପିତାଙ୍କର ସ୍ୱଭାବ ଏତେଦୂର ଅସ୍ୱାଭାବିକ୍, ସେ ସନ୍ତାନର ଚେଷ୍ଟା ଚରିତ୍ର କ’ଣ ହୋଇ ପାରିଥିବ ?

ତା’ପରେ- ହିଁ, ଆତି ଆବାଲ୍ୟ ବୟସରୁ ବାସନମଜା, ଘରପହଁରା, ଭାତରନ୍ଧା ପ୍ରଭୃତି ସକଳ କର୍ମ କରିବାକୁ ହୋଇଥିଲା । ଏତେଦୂର ତାଡ଼ନାରେ ମଧ୍ୟ ଏ ଜୀବନ କର୍ମ କରିବାକୁ ହୋଇଥିଲା । ଏତେଦୂର ତାଡ଼ନାରେ ମଧ୍ୟ ଏ ଜୀବନ ବର୍ଦ୍ଧିଷ୍ଣୁ ହୋଇଚାଲିଲା । ସେହିଠାରୁ ଏହାର ଗତିପଥ ରୁଦ୍ଧ ହୋଇଗଲା ନାହିଁ । ଅନ୍ୟ ଶିଶୁମାନେ ଆହ୍ଲାଦରେ କ୍ରୀଡ଼ା କରନ୍ତି, ଏ ମୁଖରେ ହାସ୍ୟ ଫୁଟିବାର ଅବକାଶ ନଥିଲା- ଗୋଟିଏ ଅଖଣ୍ଡ ବେଦନାର ଛାୟାରେ ଜୀବନଟା ବିଶୀର୍ଣ୍ଣ ହୋଇ ପଡ଼ିଥିଲା । ସେତେବେଳେ କିନ୍ତୁ ଦିନକ ଲାଗି ମନରେ ଗ୍ଳାନି ଉପୁଜି ନାହିଁ ଯେ, ମୋର ଅବସ୍ଥା ଅନ୍ୟମାନଙ୍କଠାରୁ ଏତେ ପୃଥକ୍ କାହିଁକି ? ସେ ଯେ ଶୈଶବର ଚିତ୍ତ- ଗୋଟିଏ ଶିଶିରସ୍ନାତ ପ୍ରଭାତ ପୁଷ୍ପ ପରି ପତ୍ର, ଉଜ୍ଜ୍ୱଳ । ସେଥିରେ ଏତେ ଆବିଳ ତର୍କ ଉଠିବ କିପରି ? ମାତାପିତାଙ୍କର ସେହି ପାଶବିକତା ସ୍ମରଣ କରି ଆଜି ପ୍ରାଣ ମନ ଉଜ୍ଜ୍ୱଳିତ ହୋଇଉଠେ- ଘୋର ଦାରିଦ୍ର ମଧ୍ୟରେ ସେମାନେ ଏତେଗୁଡ଼ିଏ ନିରୀହ ଜୀବନଙ୍କର ଦଣ୍ଡ ବିହିଲେ କାହିଁକି ?

ତା’ପରେ ମନେପଡ଼େ, ଗୋଟି ଗୋଟି ହୋଇ ଭ୍ରାତା ଭଗିନୀଗୁଡ଼ିକ ସଂସାରରୁ ବିଦାୟ ନେଲେ । ସେତେବେଳେ ବୃଦ୍ଧିବୃତ୍ତି ନିତାନ୍ତ ଅପକ୍ୱ ଥିଲେ ହେଁ ଅକାତରେ ବହୁବାର ଲୋଡ଼ିଛି, ମୁଁ ମଧ୍ୟ ଚାଲିଯାଇ ଏ କଷଣରୁ ରକ୍ଷାପାଏ, କିନ୍ତୁ ଏ ପାଷାଣୀ ପ୍ରାଣର ନିୟତି ଭିନ୍ନ ଧରଣର । ଏଡ଼େ ସହଜରେ ତାହାର ଅବସାନ ହେବ କାହିଁ ! ବିବାହକାଳର କଥା ମନେପଡ଼େ- ସେ ତ କାଲିପରି ମନେ ହେଉଛି । କିନ୍ତୁ ସମୟର କେତେ ସ୍ରୋତ ତରଙ୍ଗ ତା’ ଉପରେ ଦେଇ ଚାଲିଗଲାଣି, କେତେ ବିଭିନ୍ନ ପଥରେ ଜୀବନ ନୌକାଟି ଖରା ବର୍ଷ ସହି ଭାସି ଆସିଲାଣି । ସେହି ବିବାହ କାଳର କଥା- ଜନ୍ମଦାନ କରିବାର ନାନା ଦୁଃଖ ବହନ କରିଥିଲା ଲାଗି ମାତା ନିଃସ୍ୱ ବାଲ୍ୟଜୀବନରୁ ଯାହା କିଛି ଅସୁଲ କରିନେଇ ଥିଲେ, ସେଥିରେ ତାଙ୍କର ମନ ସନ୍ତୁଷ୍ଟ ନଥିଲା । ବିବାହକାଳରେ ତାଙ୍କର ବାକି ଋଣଟା ପରିଶୋଧ କରିବାକୁ ହୋଇଥିଲା । କିନ୍ତୁ ମୁଁ ଏ ସ୍ଥଳରେ ଗୋଟାଏ ନିଷ୍କ୍ରିୟ ଦ୍ରଷ୍ଟା ମାତ୍ର । ମୋହରି ଜୀବନକୁ ଘେନି ଏତେ ଖେଳ କୌତୂକ ଲାଗିଛି, ଅଥଚ ମୁଁ ତା’ର ବିଶ୍ୱାଏ ଧାରି ନାହିଁ । ମୁଁ ସ୍ୱଇଚ୍ଛାରେ କିଛି କରି ନାହିଁ । ଋଣ ମାଗିବାକୁ ଯାଇ ନାହିଁ, ପରିଶୋଧ ସମୟରେ ମଧ୍ୟ ମୁଁ ଅଜ୍ଞାନ । ଆହା ! ମନୁଷ୍ୟ ଜୀବନକୁ ନେଇ କ’ଣ ଏହିପରି ଖେଳାଯାଏ, ଏହାର ପରା ସ୍ୱାତନ୍ତ୍ର୍ୟ ବୋଲି ଗୋଟିଏ ଜିନିଷ ଅଛି- ବିଚାର ବୁଦ୍ଧି ବୋଲି ସମସ୍ତେ ଜୀବ ଜଗତରେ ଗୋଟାଏ ବିଶେଷତ୍ୱ ଅଛି ।

ତା’ପରେ

ଲୋକପ୍ରିୟ ଲେଖା

To Top