ଗଳ୍ପ

ସାଉଁଟା ସ୍ୱପ୍ନ

Dr Sharat Chandra Parida's odia story Saauntaa Swapna

ସେ ଚିତାରେ ଜଳି ପାଉଁଶ ହୋଇଗଲେ ମୁଁ ଚିନ୍ତାରେ ଜଳି ପୋଡ଼ି ଛଟପଟ ହେଉଛି । ଝଡ଼ ପରେ ଏବେ ସବୁ ଶାନ୍ତ । କୁଆ କୋଇଲିଟା ବି ମୋ ପାଖ ମାଡୁ ନାହାଁନ୍ତି ।

ସାଉଁଟା ସ୍ୱପ୍ନ

ବାଦାମ୍‌ବାଡ଼ି ! ଭାରି ଭିଡ଼ । ଆନମନା ହେବା ମାତ୍ରେ ଦୁର୍ଘଟଣା । ଆରେ, ବାପ୍‌ରେ ବାପ୍ । ସେଦିନର ଦୃଶ୍ୟ । ମୋ ଆଖି ଆଗରେ ଜଳଜଳ ହୋଇ ଦିଶି ଯାଉଚି । ରୋମ ଟାଙ୍କୁରି ଉଠୁଚି । ଡ୍ରାଇଭର୍‌ର ପରୱା ନାଇଁ । ଲୋକେ ହାଁ ହାଁ କରି ଚିତ୍କାର କରୁଚନ୍ତି । ହଠାତ୍ ପଛକୁ ଚାହିଁ ଦେଲା ବେଳକୁ ଆଖି ଖୋସି ହୋଇଗଲା । ଠିକ୍ ପାଖରେ ରାସ୍ତା ମଝିରେ ଏକ ଯୁବତୀ ସ୍ତ୍ରୀଲୋକ । କୋଳରେ ଛୁଆଟିଏ । ଧଇଁ ସଇଁ ହୋଇ କୁଆଡ଼େ ନିଘା ନ ରଖି ଧାଇଁଚନ୍ତି । ପାରାଦୀପ ବସ୍‌ଷ୍ଟପ୍ । ଅଳ୍ପ କେତେକ ନିମିଷ ମଧ୍ୟରେ ସେ ରହି ଯାଇଥାନ୍ତେ ଚକା ତଳେ । ପରଦାର ସ୍ପର୍ଶ ପାପକୁ ପଛ କରି ବାହୁଟାକୁ ଧରି ଭିଡ଼ି ଆଣିଲି । ସେ ଆବାକାବା ହୋଇ ଖାଲି ଚାହିଁଥାନ୍ତି । ପରିସ୍ଥିତିରେ ଗମ୍ଭୀରତା ସେ ବୁଝିଗଲେ ଅଳ୍ପ କେଇଟା ମୁହୂର୍ତ୍ତ ମଧ୍ୟରେ । ଆସନ୍ନ ବିପଦରୁ ଜୀବନ ଫେରି ପାଇଥିବା ତାଙ୍କ ଆଖି ଦୁଇଟି ପାଲଟି ଯାଇଥିଲା ଅଟ୍ରିର ଉଷ୍ଣ ପ୍ରସ୍ରବଣ । ଲୁହ ପୋଛୁ ପୋଛୁ କହି ଉଠିଲେ, “ତୁମକୁ ଦେଖିଲେ ଦୋ’ ଦୋ’ ଚିହ୍ନା ଲାଗୁଚି । ତୁମେ ରାଜୁ ନୁହଁ ତ ?”

– “ହଁ, ଅଲି ଭାଉଜ । ଭାଇ ଚାଲିଯିବା ଶୁଣି ବହୁ ମର୍ମାହତ ହେଲି । ଦୂର ସମ୍ପର୍କୀୟ ହେଲେ ମଧ୍ୟ ଆପଣଙ୍କ କଥା ବହୁ ବାର ମନକୁ ଆସେ । ନାନା ଜଞ୍ଜାଳ ମଧ୍ୟରେ ପୁଣି ମନ ଫେରିଯାଏ । ହେଲେ ଆପଣ ମୁଣ୍ଡ ଫଟା ଖରାରେ ଏ ପିଲାଟାକୁ ଧରି । ଉତିଆଣି ପିଲାଟା ଯେ ପୂରା ସିଝି ଗଲାଣି ।”

– “ଆଉ କ’ଣ କରିବି ? କିଏ ଅଛି ମୋର ? ପିଲାଟିର ଦେହ ଜରରେ ଖଇ ଫୁଟିବାରୁ ବଡ଼ ମେଡ଼ିକାଲ୍ ଆଣିଥିଲି । ଅଟୋରୁ ଓହ୍ଲାଇ ବସ୍ ପାଖକୁ ଏକମୁହାଁ ହୋଇ ଧାଉଁଥିଲି । ତମେ ମୋ ଜୀବନଟା ବଞ୍ଚାଇ ଦେଲ ରାଜୁ ।”

– “ଥାଉ, ଆସନ୍ତୁ ବସ୍ ଛାଡ଼ିବା ବେଳ ହୋଇଗଲାଣି । ମୁଁ ଜୟପୁର ପର୍ଯ୍ୟନ୍ତ ଯିବି । ଆପଣଙ୍କ ଆଉ କେତେ ବାଟ ଯେ ?”

ଦୁହେଁ ବସ୍ ଚଢ଼ିଲୁ । ପାଖାପାଖି ସିଟ୍ । “ଅଲି ଭାଉଜ, ମୁଁ ବିଶ୍ୱାସ କରିପାରୁ ନାଇଁ ଏସବୁ କ’ଣ ଘଟିଗଲା ।” ମୋର ଏମିତି କଥାରେ ଗମ୍ଭୀର ହୋଇଗଲେ ସେ । ଆଖି ଦୁଇଟି ଛଳ ଛଳ ହୋଇଗଲା । ଛାତି ଭିତରଟା ମନ୍ଥି ହୋଇଗଲା । କୋହ ଉଛୁଳି ପଡ଼ିଲା । ସମ୍ଭ୍ରମ ରକ୍ଷା କରି କହିଲେ- “କ’ଣ କରିବି ରାଜୁ ? ମୁଁ ସେଦିନ ସୁଦଶା ବ୍ରତ କରିଥାଏ । ସକାଳୁ ସକାଳୁ ମୋତେ ସବୁ ପୂଜା ପଦାର୍ଥ ଜୁଟେଇ ଦେଇ କ’ଣ ଗୋଟିଏ କାମ ଅଛି ବୋଲି କହି ତୁମ ଭାଇ ଏଇ କଟକ ବାହାରି ପଡ଼ିଲେ । ମୋ ମନ କିନ୍ତୁ ବୁଝୁ ନ ଥାଏ । ଖାଲି ଗୋଳେଇ ଘାଣ୍ଟି ହେଉଥାଏ । ଖରା ମହଲଣ ପଡ଼ିଲାଣି । ଅନ୍ଧାରକୁ ନିମନ୍ତ୍ରଣ କରି ସୂର୍ଯ୍ୟ ଆକାଶରୁ ଓହ୍ଲାଇ ଯାଉଥାନ୍ତି । ତଥାପି ଭାଇ ଫେରି ନଥାନ୍ତି । ହଠାତ୍ ଦେଖିଲି କେତେ ଲୋକ ଏକ ଗାଡ଼ି ଭିତରୁ ତୁମ ଭାଇଙ୍କୁ ବାହାର କରି ଆଣୁଚନ୍ତି । ମୁଁ ଚମକି ପଡ଼ିଲି । ସେମାନେ ଭାଇଙ୍କୁ ଲମ୍ୱ କରି ଶୁଆଇ ଦେଲେ । କୁଆଡ଼େ ଏକ ଛୋଟ ଶିଶୁର ଜୀବନ ରକ୍ଷା କରିବାକୁ ଯାଇ ସ୍କୁଟରର ସଡ଼ନ୍ ବ୍ରେକ୍ ଦେଲେ । ଗାଡ଼ିରୁ ଓଲଟି ପଡ଼ିଲେ । ଚେତା ବୁଡ଼ିଗଲା ଯେ ଆଉ ଫେରିଲା ନାଇଁ । ଯେତେ ବାଡ଼େଇ କଚାଡ଼ି ହେଲେ ବି ଆଉ ଉଠିଲେ ନାଇଁ । ସାଇପଡ଼ିଶା, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ ଯିଏ ଯେଉଁଠାରେ ଥିଲେ କ’ଣ ହୋଇଗଲାରେ କହି ଦୌଡ଼ି ଆସିଲେ । ଅନେକ ମୋ ସାଙ୍ଗରେ ଲୁହ ଗଡ଼େଇଲେ । ମୋତେ ଦିଗ ବିଦିଗ କିଛି ଦେଖା ଯାଉନଥାଏ । ଭୟରେ, ଆଶଙ୍କାରେ, ଆତଙ୍କରେ ମୁଁ ଗୋଟାପଣେ ଥରୁଥାଏ କଦଳୀ ପତ୍ର ପରି । ଅଦିନିଆ ମେଘ ମୋ ଉପରେ ତୁହାକୁ ତୁହା ହତାଶା ବର୍ଷା କରି ଯାଉଥାଏ । କେତେବେଳେ ବିଜୁଳି ଚମକି ଯାଉଥାଏ ତ କେତେବେଳେ ଘଡ଼ଘଡ଼ି ସ୍ତବ୍ଧ କରି ଦେଉଥାଏ । ଅକୁହା ବେଦନା ସବୁ ଲୁହ ହୋଇ ଝର ଝର ହୋଇ ଆଖିରୁ ଛୁଟୁଥାନ୍ତି । ମୋ ଭିତରେ ପବନ ପ୍ରବାହ ଯେମିତି ବନ୍ଦ ହୋଇଯାଉଥାଏ । ମୁଁ ପ୍ରମତ୍ତ କି ପ୍ରକୃତିସ୍ଥ, ମୃତ କି ଜୀବିତ ନିଜକୁ ନିଜେ ପରେଖି ନେଉଥାଏ । ତାଙ୍କ ମୁହଁକୁ ଡହଳ ବିକଳ ହୋଇ ଚାହିଁ ରହିଥାଏ ।

ଭାଇ, ବନ୍ଧୁ, କୁଟୁମ୍ୱଙ୍କ ହାତ ଧରି ପଚାରୁ ଥାଏ ମୁଁ କ’ଣ କରିବି ? କୁଆଡ଼େ ଯିବି ? କିଛି ଉତ୍ତର ପରିବର୍ତ୍ତେ ମୋ ପ୍ରଶ୍ନର ପ୍ରତିଧ୍ୱନି ଖାଲି ମୋ ପାଖକୁ ଫେରି ଆସୁଥାଏ । ଖାଲି ଗତାନୁଗତିକ ସାନ୍ତ୍ୱନା । ଧୈର୍ଯ୍ୟ ଧରିବାକୁ ପ୍ରବୋଧନା । ସମସ୍ତଙ୍କର ସହାନୁଭୂତିର ଚାହାଁଣି । ମୋ ମୁହଁକୁ ଖାଲି ବଲବଲ କରି ଅନେଇ ରହିଥାନ୍ତି ଅନେକ ଆଖି । ଶେଷରେ ଦିଅର କହିଲେ, “ଭାଉଜଙ୍କୁ ଛାଡ଼ । ସେ ମନ ଇଚ୍ଛା କାନ୍ଦନ୍ତୁ ।” ତାହା ହିଁ କଲି । ହଠାତ୍ ଜଣେ ପୁରୁଖା ଲୋକ ଆସି ମୋ ହାତ ଦୁଇଟାକୁ ଭିଡ଼ି ଧରିଲେ । ସଧବା ନାରୀର ଶ୍ରେଷ୍ଠ ସମ୍ପତ୍ତି ମୋ ହାତର ଶଙ୍ଖା ସବୁ ବାଡ଼େଇ ଚୂନା କରିଦେଲେ ଓ ମୋ କପାଳରୁ ସିନ୍ଦୂର ପୋଛି ନେଇଗଲେ କୋକେଇ ପାଖକୁ । ମୁଁ ଭେଁ ଭେଁ ରଡ଼ି ଛାଡ଼ି ଭୂଇଁରେ ଗଡୁଥାଏ । ଶବ ଚାଲିଲା ମହାନଦୀର ନଈପଠା ମଶାଣିକୁ । ମୁଁ ଟାଣି ହୋଇଗଲି ଜୀବନ ଜୀବିକାର ମରଣ ଜନ୍ତାକୁ । ସେ ଜୁଇରେ ଶୋଇଲେ ମୁଁ ଜାଇ ପରି ଜଞ୍ଜାଳ ଚକିରେ ପେଶି ହୋଇ ଯାଉଚି । ସେ ଚିତାରେ ଜଳି ପାଉଁଶ ହୋଇଗଲେ ମୁଁ ଚିନ୍ତାରେ ଜଳି ପୋଡ଼ି ଛଟପଟ ହେଉଛି । ଝଡ଼ ପରେ ଏବେ ସବୁ ଶାନ୍ତ । କୁଆ କୋଇଲିଟା ବି ମୋ ପାଖ ମାଡୁ ନାହାଁନ୍ତି ।

ଆଖିର ଶ୍ରାବଣରେ ଛାତିର କଲିଜା ସବୁ ବରଫ ପାଲଟିଗଲା । ଏବେ ବହୁଚି କାଳ ବୈଶାଖୀର ଝଡ଼ । ଦୁଃଖର ଝାଞ୍ଜି ପବନରେ ଲୁହ ଶୁଖିଗଲାଣି । ଲହୁ ଗଡୁଚି । ଚୁଲି ଉପରେ ଥିବା ଜାଉ ପରି ମୁଁ ସିଝିସିଝି ଫୁଟୁଛି, ଫୁଟି ଫୁଟି ସିଝୁଛି । ଜ୍ଞାତିକୁଟୁମ୍ୱ ସାଇପଡ଼ିଶା ଆଗ ପରି ଆଉ ସହାନୁଭୂତି ଦେଖାଉ ନାହାଁନ୍ତି । ଦେଖାଉଛନ୍ତି ଅବଜ୍ଞା ଅବହେଳା । ସାନ୍ତ୍ୱନା ବଦଳରେ ଶାଣିତ ଦୃଷ୍ଟିରେ ଦେଖୁଚନ୍ତି । ମୋତେ ସାହସ ଦେବା ବଦଳରେ ଉପହାସ କରୁଛନ୍ତି । ଅନୁକମ୍ପା ଅସୂୟା କରୁଚନ୍ତି । ସେମାନେ କହିଲେଣି ବିଧବାର ପୁଣି ସୁଖ କ’ଣ ? ଶବ ସାଙ୍ଗରେ ସୁଖ ତ ସବୁ ପୋଡ଼ି ଯାଇଚି । ଖଣ୍ଡେ ଭଲ ଶାଢ଼ି ପିନ୍ଧିଲେ ସେମାନଙ୍କ ଦେହରେ ଯାଏନି । ମୁଣ୍ଡରେ ଟିକେ ତେଲ ମାଖିଲେ ଅସହଣିକତାରେ ସେମାନେ ଗର ଗର ହୁଅନ୍ତି । ସେମାନେ ଚାହାଁନ୍ତି ମୁଁ ମଇଳା କୋଚଟ ଛିଣ୍ଡା ଛେଦା ଧଳା ଶାଢ଼ି ଖଣ୍ଡେ ପିନ୍ଧେ । ମୁରୁକୁଟିଆ ଶୁଖିଲା ମୁକୁଳା କେଶରେ ଅସନୀ ଯୋବରୀ ବାୟାଣୀ ପରି ଦିଶେ । ମୋର ସରାଗ ମୁହଁରେ ହସ ନ ଉକୁଟୁ । କାନ୍ଦୁରା ମୁହଁରେ ହତାଶାର ଅମାବାସ୍ୟା ରଟୁ । ମୋତେ ଯେଉଁମାନେ ଘରର ଲକ୍ଷ୍ମୀ ପ୍ରତିମା ବୋହୂ ବୋଲି ଗେଲବସରରେ ଡାକୁଥିଲେ ଏବେ ଘଇତା ଖାଇ ଅଲକ୍ଷଣୀ ବୋଲି ଗାଳି କରୁଚନ୍ତି । ଯେଉଁମାନେ ସ୍ନେହରେ ଡାକି ପାଖରେ ବସାଉ ଥିଲେ ସେମାନେ ଡାହାଣୀ ବୋଲି ଭାବି ଦୂର ଦୂର କରୁଛନ୍ତି । ଯେଉଁମାନେ ଅଦରରେ ରାଣୀ ବୋଲି ଡାକୁଥିଲେ ଏବେ ରାଣ୍ଡ ବୋଲି ସମ୍ପୁଛନ୍ତି । ଗାଁ ଗଣ୍ଡାରେ ସାଇପଡ଼ିଶାରେ ପରିବାର ଭିତରେ ଯେତେ ସବୁ ମାଙ୍ଗଳିକ କର୍ମ ସେଥିରୁ ମୁଁ ଧୀରେ ଧୀରେ ଅବାଞ୍ଛିତ ଭାବେ ବାଛନ୍ଦ ହୋଇଗଲିଣି । ସ୍ୱାମୀଙ୍କ ଚିତାରେ ସତେ ଯେପରି ମୋ ମାନମର୍ଯ୍ୟାଦା ଜଳି ଲାଞ୍ଛନାର ଅଙ୍ଗାର ପାଲଟି ଯାଉଛି । ଅତି ସନ୍ତର୍ପଣରେ ମୁଁ ସେଠାରୁ ନିଜକୁ ଓହରାଇ ନେଉଛି । ପରିବାରରେ କାହାର କିଛି ଅସୁବିଧା କି ଦୁର୍ଘଟଣା ଘଟିଲେ ସବୁରି ପାଇଁ ମୁଁ ଦାୟୀ ହେଉଚି । ମୁଁ ପାଲଟି ଯାଇଛି ଏକ ଅପଶକୁନ । ଅଶୁଭ ସଙ୍କେତ । କେଉଁ ଅପଦେବତାର ଅଭିଶାପ । ମୋତେ ଦେଖିଲେ କାହାର କାଳେ ଅମଙ୍ଗଳ ହୋଇଯିବ ଭାବି ମୁଁ ଡରି ମରି କେଉଁ ଆଢୁଆଳରେ ନିଜକୁ ଲୁଚାଇ ରଖୁଚି । ଏହି ଆତ୍ମ ନିର୍ବାସିତ ଜୀବନରେ ଦିନରାତ୍ରିର ପ୍ରତ୍ୟେକ ମୁହୂର୍ତ୍ତ ମୋ ପାଇଁ ବିଡ଼ମ୍ୱିତ ।

ଶାଶୂଙ୍କର ସ୍ନେହ ବୋଳା କଥା ଆଉ ଶୁଣିବାକୁ ମିଳୁ ନାଇଁ । ଶ୍ୱଶୁରଙ୍କ ସ୍ୱର ବେଳକୁ ବେଳ ରୁକ୍ଷ ହୋଇ ଯାଉଚି । ଦେଢ଼ଶୁର ଶୁଖିଲାଟାରେ ଗଜର ଗଜର ହେଉଛନ୍ତି । ଯା’ ଖାଲିଟାରେ ଖେଟେଇ ଖେଟେଇ ହେଉଛନ୍ତି । ସେମାନେ ଆମ ମା’ ଝିଅଙ୍କ ବୋଝ ଆଉ କେତେଦିନ ସମ୍ଭାଳିବେ ? ଗାଁରେ ଜଣେ ସମ୍ପର୍କୀୟ ଅଛନ୍ତି । ଭାଇଙ୍କ ବ୍ୟବସାୟ ବୁଝାସୁଝା କରିଦେଉଛନ୍ତି । ନିଜ ଘର କଥା ନିଜକୁ ବୁକ୍କା । ନିଃସ୍ୱାର୍ଥପର ହୋଇ କିଛି ପାଇବାର ଆଶା ନ ଦେଖି କିଏ ବା କାଇଁକି ଶୁଖିଲାଟାରେ ଅନ୍ୟକୁ ସାହାଯ୍ୟ କରିବ ? କାମିନୀ କାଞ୍ଚନ ପ୍ରତି କାହାର ବା ଲୋଭ ନାଇଁ । ଏବେ ନେଉଥିବା ଲାଭଟା ଯେତେବେଳେ ଲୋଭରେ ପରିଣତ ହେବ, ଏ କ୍ଷୁଦ୍ର ଗଳ୍ପଟା ଯେ ଉପନ୍ୟାସରେ ପରିଣତ ନ ହେବ କିଏ କହିବ ? ପରପୁରୁଷର ବାହୁ ବଳରେ ମୁଁ କ’ଣ ଏଡ଼େ ବଡ଼ ସଂସାରଟାକୁ ପାରି ହୋଇ ପାରିବି ? ଏବେ ତ ଟାହି ଟାପରା କାନରେ ବାଜିଲାଣି । ଆଗକୁ ତ ଅଛି । ବଢେ଼ଇ ବାରସିରେ ମୋର ସବୁ ଆଶା ଭରସା ଚାଞ୍ଛି ହୋଇ ଯାଉଚି । ଯୌବନ ସାଜିଚି ମୋ ପାଇଁ ଜଉଘର । ସେ ଯାତନାର ଯବନିକା ନାଇଁ ।”

– “ଆଚ୍ଛା, ଭାଉଜ ଆପଣଙ୍କ ବାପ ଘରେ କ’ଣ କେହି ନାହାନ୍ତି ?”

– “ହଁ, ମୋର ସମସ୍ତେ ଅଛନ୍ତି, ହେଲେ ମୋ ଦୁଃଖ ବାଣ୍ଟି ନେବାକୁ କେହି ନାହାନ୍ତି । ଅଭାବ ଗ୍ରସ୍ତ ମଧ୍ୟବିତ୍ତ ପରିବାରରେ ଯେଝା ସଂସାରକୁ ନେଇ ଯେଝା ଚଳୁଛନ୍ତି । ବାପଘରକୁ ଦିନେ ଦୁଇଦିନ ସିନା ଯାଏ, ଦିନ କେଇଟା ପରେ ବିଲେଇ ପରି ଛୁଆଟାକୁ କୋଳରେ ଜାକି ପୁଣି ଫେରିବାକୁ ହୁଏ । ଦେଲା ନାରୀ ହେଲା ପାରି ରୀତିରେ ମୋର ସ୍ଥିତିକୁ ମୁଁ ସେଠାରେ ଜାହିର କରିବା କେଉଁ ନୀତି ସଙ୍ଗତ କଥା ଯେ ?”

କଥାର ଦିଗ ବଦଳାଇ ରାଜୁ ସାନଦିଅରଙ୍କ କଥା ପଚାରିଲେ । ଏ ପ୍ରସଙ୍ଗ ଉଠାଇଲା ମାତ୍ରେ ଅଲି ଭାଉଜଙ୍କର କ’ଣ ହେଲା କେଜାଣି ଉଚ୍ଛୁଳା ନଈ ପରି ତାଙ୍କର କୋହ ବନ୍ଧବାଡ଼ କିଛି ମାନିଲା ନାଇଁ । ଚନ୍ଦ୍ରକୁ ଦେଖି ସାଗରର ଲହର ସତେ ଯେମିତି କୂଳ ଲଙ୍ଘି ଯିବ କି ? ଏପରି ଅବସ୍ଥା ହେବାରୁ ରାଜୁ କ୍ଷମା ପ୍ରାର୍ଥନା କଲେ ।

– “ନିଜକୁ ସେପରି ଭାବନା ରାଜୁ । ତୁମର ଏ ଜିଜ୍ଞାସା ମୋ ଜୀବନର ଏକ ବିରାଟ ପ୍ରଶ୍ନବାଚୀ । ଲଜ୍ଜା ନାରୀର ଭୂଷଣ । ମୁହଁ ଖୋଲି କିଛି ନ କହିଲେ ପେଟର ଭୋକ କଷଣର କାରଣ ହେବା ସାର ହେବ । ଦିଅର ଏବେ ଦୂରରେ ଚାକିରୀ ପାଇଛନ୍ତି । ତାଙ୍କର କଥା ଓ କାମ ମୋତେ ବହୁତ ଭଲ ଲାଗେ । ସେ ମଧ୍ୟ କେଉଁ ଝିଅ ବୋହୂଙ୍କୁ ଆଡ଼ ଆଖିରେ ଚାହାଁନ୍ତି ନାଇଁ । ଉଚ୍ଚ ଶିକ୍ଷିତ । ଭଦ୍ର, ଦରଦୀ, ପର ଦୁଃଖରେ ଦୁଃଖୀ । ଭ୍ରାତୃଭକ୍ତ । ହେଲେ ମନ ଖୋଲି କିଛି କହି ପାରନ୍ତି ନାହିଁ । ପାଟି ଖୋଲିଲେ ଖାଲି ଆଦର୍ଶ ଓ ଉପଦେଶ । ତାଙ୍କ ପାଇଁ ପାତ୍ରୀ ଖୋଜା ଚାଲିଛି । ଲକ୍ଷ ଲକ୍ଷ ଟଙ୍କା, ଯାନଯୌତୁକ ଓ ଆଭିଜାତ୍ୟ କେତେ କ’ଣ ତାଙ୍କ ପାଦ ତଳେ ଅଜାଡ଼ି ହୋଇ ପଡୁଚି ।”

– “ନା, ନା, ନା, ଭାଉଜ ନା. . . ! ଦେବର ଦ୍ୱିତୀୟ ବର । ବଡ଼ଭାଇ ଚାଲି ଗଲେ ସାନଭାଇ ଭାଉଜରୁ ଭାର୍ଯ୍ୟା ରୂପରେ ଆଦରି ନେବାର ସୁନ୍ଦର ପରମ୍ପରା ଆମ ସମାଜରେ ଥାଉ ଥାଉ ପୁଣି ପାତ୍ରୀ କ’ଣ ଲୋଡ଼ା ?”

– “ନା ରାଜୁ ! ତାଙ୍କ ଯୁବ ସୁଲଭ କେତେ ସ୍ୱପ୍ନ ଥିବ । ତାଙ୍କୁ ମୁଁ ମୋ ସୁଖ ପାଇଁ ମୋ ସ୍ୱାର୍ଥ ପାଇଁ କେମିତି ଧୂଳିସାତ୍ କରିଦେବି । ମୁଁ ତ ପୋଡ଼ା କପାଳିନୀ ହୀନିମାନୀ । ମୋର ବା କ’ଣ ଅଛି ତାଙ୍କୁ ଦେଇ ସନ୍ତୁଷ୍ଟ କରିପାରିବି ।”

ରାଜୁ ନିଜକୁ ଜଣେ ସମାଲୋଚକ ସଂସ୍କାରକର ଭୂମିକାରେ ରଖି ବାସ୍ତବଧର୍ମୀ କଥାଗୁଡ଼ାକ ରୋକ୍ ଠୋକ୍ ଭାବରେ କହିବାକୁ ଆରମ୍ଭ କଲେ । “ଯିଏ ନିଜର ଭାଉଜଙ୍କୁ ନିନ୍ଦା, ଅପମାନ, ଅପବାଦର ଅନ୍ଧାର ଗୋହିରିକ ଠେଲିଦିଏ, ସେ କି ପ୍ରକାର ଭ୍ରାତୃଭକ୍ତ ? ନିଜ ଉପରୁ ଦାୟିତ୍ୱ ଖସାଇ ଦେବାର ଏହା ଏକ ସୁନ୍ଦର ଅପଚେଷ୍ଟା ! ଏକ ଛଳନା ! ଏକ ପ୍ରତାରଣା ! ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ହେବାକୁ ଭୟ କରି କାଳ୍ପନିକ ଆଦର୍ଶ କୋଳରେ ଆଶ୍ରୟ ନେବାଟା ଏକ ଭୀରୁତା, କାପୁରୁଷତା । ଏକ ଭ୍ରାନ୍ତି ଭାଙ୍ଗିବା ନୁହେଁ ଯୋଡ଼ିବା ହିଁ ଜୀବନ । ଅସଙ୍ଗତି ନୁହେଁ ସଙ୍ଗତି ହିଁ ଜୀବନ । ଦୂରେଇ ଦେବା ନୁହେଁ, ଆପଣେଇ ନେବା ହିଁ ଜୀବନ । ବିଧବା ବୋହୂ ପାଇଁ ଠାକୁର ଘର ଓ ସାନ ପୁଅ ପାଇଁ ବାହାଘର ଖୋଜିବା ଦାୟିତ୍ୱବୋଧର ପରିଚୟ ନୁହେଁ । କେବଳ ଭାବପ୍ରବଣତା ଅପରିଣାମଦର୍ଶିତା । ମୁଁ ନିଜେ ଯିବି ଭାଉଜ । ସେମାନଙ୍କୁ ବୁଝେଇବି । ସେମାନେ ଅନୁଭୂତି ସମ୍ପନ୍ନ ଲୋକ । ପୁରୁଷ ହେଉ ବା ନାରୀ ପ୍ରତ୍ୟେକ ଜଣେ ଜୀବନ । ପ୍ରତ୍ୟେକର ଜୈବିକ ଧର୍ମ ରହିଛି । ଦେହର ଭୋକ ଓ ମନର ଶୋଷ କାହାକୁ ପୀଡ଼ା ନ ଦିଏ । ହୃଦୟର ଭାବ ବିନିମୟ ଓ ଆତ୍ମାର ମିଳନ ଇଚ୍ଛା ଆବେଗିକ । ଦେହ ଚାହେଁ ଦେହ । ମନ ଚାହେଁ ମନ । ହୃଦୟ ଚାହେଁ ଏକ ସମ୍ୱେଦନଶୀଳ ହୃଦୟ । ପ୍ରାଣ ଚାହେଁ ପ୍ରାଣ । ଆତ୍ମା ଚାହେଁ ଆତ୍ମା, ସାଥି ଓ ସାରଥୀ ହୋଇ ସଂସାର ରଥକୁ ବାଟ କଢେ଼ଇବାକୁ ସାଙ୍ଗ ହୋଇ ବଞ୍ଚିବାକୁ । ମିଳିମିଶି ଚଳିବାକୁ । ପୁରୁଷ ନାରୀଠାରେ ଖୋଜେ ମାଧୁର୍ଯ୍ୟ ଆଉ ନାରୀ ପୁରୁଷଠାରେ ଖୋଜେ ଐଶ୍ୱର୍ଯ୍ୟ । ଉଭୟର ମିଳନରେ ଚେତନାର ବିକାଶ ସାଧିତ ହୁଏ । ବୁଦ୍ଧି ଓ ଭାବର ଔତ୍କର୍ଷ୍ୟ ପ୍ରତିପାଦିତ ହୁଏ । ପରିପୂର୍ଣ୍ଣତା ଓ ପରିତୃପ୍ତିର ବାଟ ଉନ୍ମ୍ରକ୍ତ ହୁଏ ।

ସ୍ୱାମୀ ସିନା ତଣ୍ଟି କାଟି ଚାଲିଗଲେ । ଏବେ ବାସ୍ତବତାର ସାମ୍ନା କରିବ କିଏ ? ଭଙ୍ଗା ସଂସାରର ତତ୍ତ୍ୱ ନେବ କିଏ ? ବିପତ୍ନୀଙ୍କର ପତ୍ନୀ ଗ୍ରହଣ କରିବାରେ ତ ପାପ ଭାବନା, କାଇଦା କଟକଣା ନାଇଁ । ହେଲେ ବିଧବା ଧବ ଗ୍ରହଣ କଲେ ଏତେ ଭ୍ରୁକୁଞ୍ଚନ କାହିଁକି ? ବିଧବା କ’ଣ ଜଣେ ନାରୀ ନୁଏଁ ? ତାଙ୍କ ପାଇଁ କ’ଣ ଫଗୁଣ ଆସେନା, ତାଙ୍କ ପାଇଁ କ’ଣ ମଲ୍ଲୀ ଫୁଚେନା, ତାଙ୍କ ପାଇଁ କ’ଣ ଜହ୍ନ ଉଏଁନା ? ତାଙ୍କ ଆଖିରେ ସ୍ୱପ୍ନ ଅଛି । ତାଙ୍କ ହୃଦୟରେ ପୁଲକ ଅଛି । ଆମେ ଯଦି ତାଙ୍କୁ ଯଥା ସମୟରେ ଥଇଥାନ ରୂପକ ସାମାଜିକ କର୍ତ୍ତବ୍ୟ ନ କରିବା ଭବିଷ୍ୟତ ଆମକୁ କ୍ଷମା ଦେବ ନାଇଁ । ଖାଲି ଅନୁଶୋଚନା ହିଁ ଆମକୁ ଉପହାସ କରିବ । ଲମ୍ପଟ କାମୁକ ପୁରୁଷଗୁଡ଼ାକ ଡାହାଳ କୁକୁର ପରି ତା’ ମାଂସ ଖାଇ ରକ୍ତ ପିଇବାକୁ ସାରା ଜୀବନ ତା’ ପଛରେ ଗୋଡ଼ାଉ ଥିବେ । ହେଲେ କେହି ଦେଖି ପାରୁ ନଥିବେ ତା’ ମନ ତଳେ ଜଳୁଥିବା କୁହୁଳା ନିଆଁକୁ । ତା’ ବୁକୁ ତଳେ ବହୁଥିବା ଅଣଚାଶ ପବନକୁ । ତା’ ଛାତି ତଳେ ଲହଡ଼ି ଭାଙ୍ଗୁଥିବା ଅସରନ୍ତି ଗ୍ଲାନିର ଢେଉକୁ । କୁହୁଳା ନିଆଁ, ଅଣଚାଷ ପବନ ଓ ଢେଉ ଏକାଠି ହୋଇଗଲେ ସମାଜର ତଥାକଥିତ ମାନସମ୍ମାନର ଅଟ୍ଟାଳିକା ଭାଙ୍ଗି ଭୁଶୁଡ଼ି ପଡ଼ିବ ଆଉ ସୃଷ୍ଟି ହୋଇଯିବ ଅପବାଦର ଏଇ ବିଭତ୍ସ ଧ୍ୱଂସସ୍ତୂପ !”

– “ଆରେ ରାଜୁ ! ତମେ ପାଗଳଙ୍କ ପରି କ’ଣ ଏଣୁତେଣୁ ଗପୁଚ ? ହେଇ, ତମ ବସ୍‌ଷ୍ଟପ୍ ଆସିଲାଣି ।” “ଆରେ, ହଁ ତ, ମନ ଉଣା କରିବନି ଭାଉଜ । ଏ ପାଗଳ ମଉସା ମାଉସୀଙ୍କ ପାଖକୁ ଯିବ । ସବୁ ଖୋଲି କହିବ । ମୋର ଆଶା, ପୁଣି ସାହାନାଇ ବାଜି ଉଠିବ । ଯଥା ରାବଣସ୍ୟ ମନ୍ଦୋଦରୀ ମନ୍ତ୍ରପାଠ ହେବ ।” ବୁଣି ହୋଇଥିବା ସ୍ୱପ୍ନକୁ ସାଉଁଟିବା ପାଇଁ ଉଙ୍ଗିତ ଦେଇ ବସ୍‌ରୁ ଓହ୍ଲାଇ ଗଲେ ରାଜୁ. . . ମକଚି ହୋଇ ଯାଇଥିବା ଚୂନା ଚୂନା ଆଶା ଓ ବିଶ୍ୱାସ ଉପରେ ମେଞ୍ଚା ମେଞ୍ଚା କଳ୍ପନା ଭାସିବାକୁ ଲାଗିଲେ. . . ।

ଲୋକପ୍ରିୟ ଲେଖା

To Top