ଗଳ୍ପ

ପୂର୍ଣ୍ଣିମାର ଅନ୍ଧକାର

Sangram Mohapatra's odia story Poornimaara Andhakaara

ହଠାତ ଜାନି ଆଖି ଖୋଲିଲା । ଦୁଇ ଆଖି ମେଲି ମୁହୂର୍ତ୍ତଟିଏ ପାଇଁ ଶୁକ୍ରୁକୁ ଚାହିଁ ଆଖି ବନ୍ଦ କରିଦେଲା । ଶୁକ୍ରୁ ନିଜ ଗାମୁଛାରେ ମୁହଁକୁ ଚାପିଧରି କଇଁ କଇଁ ହୋଇ କାନ୍ଦିଲା

ପୂର୍ଣ୍ଣିମାର ଅନ୍ଧକାର

କାହିଁ କେତେ ଯୁଗରୁ କନ୍ଧ ଓ ପାଣ ସଂଘର୍ଷ ଲାଗିରହିଛି । ଜମି, ଜାତିକୁ ନେଇ ଗଣ୍ଡଗୋଳ, ହିଂସା । କ୍ରମଶଃ ଏହା ହିନ୍ଦୁ ଖ୍ରୀଷ୍ଟିୟାନ ରୂପ ନେଇ ଧର୍ମଭିତ୍ତିକସଂପ୍ରଦାୟିକଦଙ୍ଗା ଭାବେ ଦିନକୁ ଦିନ ବ୍ୟାପି ଭୟାନକ ଅବସ୍ଥାରେ ପହଞ୍ଚିଲାଣି । ସମଗ୍ର ଜଙ୍ଗଲରେ ଉତ୍ତେଜନା । ସ୍ଵାମୀଜୀଙ୍କର ନୃଶଂସ ହତ୍ୟାପରେ ପରିସ୍ଥିତି ଅଣାୟତ୍ତ । ଦିନ ପରେ ଦିନ କେତେ ଗାଁ ପୋଡି ଭସ୍ମୀଭୂତ ହୋଇଯାଉଛି । କିଏ କେତେ ମଲେଣି, ତାର ହିସାବ ନାହିଁ । ରିଲିଫ ଶିବିରରେ ଆସି ଅନେକ ଆଶ୍ରା ନେଇଛନ୍ତି । ଘରେ ଘରେ ତୀବ୍ର ଉତ୍ତେଜନା ।

ପୂର୍ବ ବର୍ଷମାନଙ୍କରେ କନ୍ଧ ପାଣ ସଂଘର୍ଷ ଗୋଟିଏ ଦୁଇଟି ଗାଁରେ ସୀମିତ ହୋଇ ରହୁଥିଲା । ପାଖ ଗାଁ ମାନଙ୍କରେ ଉତ୍ତେଜନା ବ୍ୟାପିଲେ ବି ସମସ୍ତେ ହିଂସାକୁ ଡେଇଁ ପଡୁନଥିଲେ । ସମସ୍ତଙ୍କର ବିଶ୍ଵାସ ଥିଲା ଯେ କିଛି ଦିନ ପରେ ଉତ୍ତେଜନା ଆପେ ପ୍ରଶମିତ ହୋଇଯିବ । କ୍ଷଣିକ କ୍ରୋଧ ବା ତିଷ୍ଟିବ କେତେ ଦିନ ? ବର୍ତ୍ତମାନ କିନ୍ତୁ ଚିନ୍ତାରବିଷୟ ଥିଲା କ୍ଷୀପ୍ରଭାବରେଅଗ୍ରସର ହେଉଥିବା ଉଗ୍ର ମାଓବାଦୀ କାର୍ଯ୍ୟକଳାପ । ମାଓବାଦୀ ହିଂସାକାଣ୍ଡ ବ୍ୟତୀତ ଅନ୍ୟାନ୍ୟ ଦଙ୍ଗା ମାନ ଆଇନଶୃଙ୍ଖଳା ସମସ୍ୟାଭାବେ ପରିଗଣିତ ହେଉଥିବା ବେଳେ ମାଓବାଦୀହିଂସା ଥିଲା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି ଏକ ଶକ୍ତ ଆହ୍ଵାନ । ସ୍ଵାମୀଜୀଙ୍କ ହତ୍ୟାକାଣ୍ଡ ମାଓବାଦୀଙ୍କ ଦ୍ଵାରା ହୋଇଥିବାର ଦୃଶ୍ୟ ଗଣମାଧ୍ୟମରେ ଚତୁର୍ଦିଗ ବ୍ୟାପିଯିବା ପରେ ସମଗ୍ର ଜିଲ୍ଲା ଏକ ଅଦ୍ଭୁତ ପରିସ୍ଥିତିର ସମ୍ମୁଖୀନ ହେଲା । ଦଙ୍ଗା ବ୍ୟାପିବାକୁ ଲାଗିଲା ଗାଁକୁ ଗାଁ । ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶହ ଶହ ଲୋକ ରାସ୍ତା ଉପରକୁ ଓହ୍ଲାଇଲେ। ହିଂସା ବ୍ୟାପକ ଓ ମାରାତ୍ମକ ହେଲା ।

କେଉଁଠି ହିନ୍ଦୁ ଗାଁ ପୋଡିଗଲାଣି ତ କେଉଁଠି ଖ୍ରୀଷ୍ଟିଆନ ଗାଁ । ଅଧିକ କ୍ଷତିଗ୍ରସ୍ତ ଖ୍ରୀଷ୍ଟିଆନ ପଡା । ଖ୍ରୀଷ୍ଟିଆନମାନେ ସମୂହ ଭାବେ ଉଠି ଆସି ତିନି ଚାରୋଟି ବଡ ବଡ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି । ଦିନକୁ ଦିନ ଶିବିରରେ ଜନ ସଂଖ୍ୟା ବଢୁଛି । ସରକାରଙ୍କ ତରଫରୁ ମାଗଣା ଖାଇବା, ଔଷଧ ଯୋଗାଇ ଦିଆଯାଉଥାଏ । ରାତିରେ ରାସ୍ତାରେ ବଡ ବଡଗଛକାଟି ଉତ୍ତ୍ୟକ୍ତ ଜନତା ପକେଇ ଦେଉଥିବାରୁ ପୁଲିସ ପାଇଁ ଗାଡିରେପଇଁତରା ମାରିବା ବିପଦ ଶଙ୍କୁଳ ।

ତଥାପି ଡୁମିରୁମା ପଡ଼ାର ଶୁକ୍ରୁଡିଗଲ ଦୃଢ ନିଶ୍ଚିତ ଥିଲା ତାର କିଛି ହେବ ନାହିଁ । ଏସବୁ ଗଣ୍ଡଗୋଳ ଜୀବନରେ ସେ କେତେ ଦେଖିଛି । ପଡ଼ାରେ ମୀମାଂସା କରିଛି । କନ୍ଧ ଭାଇମାନଙ୍କୁ ନେହୁରା ହୋଇ ସନ୍ତୁଷ୍ଟ କରିପାରିଛି । ଜଙ୍ଗଲ ଅଭ୍ୟନ୍ତର ଏକ ଗାଁ ଡୁମିରୁମା, ପାରମ୍ପାରିକ ଶତ୍ରୁ କନ୍ଧ ଓ ପାଣମାନଙ୍କର ଦୁଇ ପଡା । ଶୁକ୍ରୁଡିଗଲର ବୟସ ଷାଠିଏ, ପ୍ରଥମ ଦୁଇ ପୁଅ ଜନ୍ମର ଦଶ ବାର ବର୍ଷ ପରେ ଭାଲୁ କାମୁଡାରେ ପ୍ରାଣତ୍ୟାଗ କରିଥିଲେ । ଏବେ ଦୁଇ ଝିଅ ଜାନି ଓ ବିଶି । ବୟସ ଅଠର, ବାର । ଶୁକ୍ରୁଡିଗଲ ନିଜ ଖ୍ରୀଷ୍ଟିଆନ ଭାଇ ସମ୍ବନ୍ଧଭିତରେ ଭିନ୍ନ ଗାଁରେ ବଡ ଝିଅଜାନି ପାଇଁ ବର ଖୋଜୁଛି । ଭଲ ଭେଣ୍ଡିଆ ମିଳିଲେ ତୁରନ୍ତ ଦୁଇ ହାତ କରିବ । କେତେ ଦିନ ଆଉ ଯୁବତୀ ଝିଅକୁ ଘରେ ରଖି ବିଲରେ ଖଟାଇବ ? ସେମାନେ ତ ପର ଘରର !

ଶୁକ୍ରୁଡିଗଲ ଘରକୁ ଲାଗି ମାଣେ ଚାଷ ଜମି । ମକା, ହଳଦୀ ଭରପୁର ହୋଇ ଫଳେ । ପ୍ରତି ବର୍ଷ ପାଖ ହାଟକୁ ନେଇ ବିକେ । ହାଟରେ ଶୁକ୍ରୁ ମକା ଓ ହଲଦୀର ଚାହିଦା ବେଶୀ । ଏସବୁ ଗଣ୍ଡଗୋଳରେ ଘର ନଛାଡ଼ି ଯିବାର ଅନ୍ୟତମ କାରଣ ତଥା ଅଦମ୍ୟ ଆକର୍ଷଣ ହେଉଛି ତା ମକା, ହଳଦୀ ଜମି । କେତେ କଷ୍ଟରେ ତାକୁ ଏତେ ଫଳେଇଛି !

ଜାନି କିନ୍ତୁ ସନ୍ଦୀହାନ ଥିଲା । ତାର ଯେତେ ସାଙ୍ଗ,ପଦ ଲୋକ ସମସ୍ତେ ଘର ଛାଡି ଶିବିରକୁ ଚାଲିଯାଇଥିଲେ । ପୁରା ପଡାଟା ଖାଁ ଖାଁ,ଭୟଙ୍କର ଭାବେ ଶୁନଶାନ । ଶୁଖିଲା ପତ୍ର ପଡିଲେ ବି ତାର ଶବ୍ଦ ଯେମିତି ପ୍ରତିଧ୍ଵନି ସୃଷ୍ଟି କରୁଛି ! ଦିନ ବେଳା ଯାହା ଘରୁ ଗୋଡ କାଢି ବାହାରକୁ ଯାଇ ହୁଏ । ରାତି ହେଲେ ଭୟାନକ ବିପଦ ଲାଗେ ତାକୁ, ଯେପରି ଅସୁରଟାଏ ଜଗି ବସିଛି ତାକୁ ଖାଇଯିବା ପାଇଁ ! କନ୍ଧ ପଡାର ବି କେହି ଜଣଙ୍କର ବି ଦେଖା ନାହିଁ କି ପାଦ ପଡିନାହିଁ ଏଇ କିଛି ଦିନ ହେବ । ରାତିରେ ଦୂରରୁ ଭାସିଆସୁଥିବା ଶୃଗାଳ ଓ ଶ୍ଵାନମାନଙ୍କର ବୋବାଳିରେ ଯେପରି ଏକ କ୍ରୂର ଅଟ୍ଟହାସ୍ୟର ପ୍ରତିଧ୍ଵନି ! ତାକୁ ଏକ ବିଚିତ୍ର ସ୍ଵର ଝାପସା ଭାବରେ ଶୁଣାଗଲା, ସମସ୍ତେ ମିଶି ଏକ ସ୍ଵରରେ କହୁଥିଲେ “ବଜରଙ୍ଗ ବାଲି କି ଜୟ “ । ଜାନି ଡରିଗଲା । ଏପରି ସ୍ଲୋଗାନ ରାତିରେ ସେ କେବେ ଶୁଣିନଥିଲା । ସେ ଗୋଟାପଣେ ଥରି ଘର ଭିତରକୁ ଏକା ନିଃଶ୍ଵାସରେ ପଶିଗଲା ।

ତାର ଅଦ୍ଭୁତ ଅନୁଭବ ଓ ଭୟକୁ ଶୁକ୍ରୁଡିଗଲ ଆଗରେ କହିଲା । ଶୁକ୍ରୁ ହସରେ ଉଡାଇଦେଲା । ଜାନିକୁ ବୁଝାଇଲା , ସେମାନଙ୍କର କିଛି ଭୟ କରିବାର ନାହିଁ । ପିଲାବେଳକୁ ଏମିତି କେତେ ଗଣ୍ଡଗୋଳ ସେ ଦେଖିଛି । ଆଜି ସେ ବୁଢା ହେଲାଣି । ଜଙ୍ଗଲରେ ରହି ସେମାନେ କଣ ବାଘ, ଭାଲୁଙ୍କୁ ଡରୁଛନ୍ତି ? ମଣିଷକୁ କାହିଁକି ଡରିବେ? କାହିଁ କେତେ କାଳରୁ ନିତି ଚଳପ୍ରଚଳ କନ୍ଧମାନଙ୍କ ସହିତ ତ ଲାଗିରହିଛି । ଜଙ୍ଗଲରେ ନିଆଁ ଲାଗେ, ପୁଣି ଆପେ ଲିଭେ । ପ୍ରଭୁ ଅଛନ୍ତି, ମଣିଷର ହୃଦୟ ବିବେକ ଅଛି, ଏଥିରେ ଭୟ କରିବାର କିଛି ନାହିଁ । ସାବଧାନ ହୋଇ ଚଳିବାକୁ ହେବ କେବଳ ଏଇ କିଛି ଦିନ । ତଥାପି ଜାନି ଜିଦ ଧରେ କନ୍ଧମାନଙ୍କୁ ବିଶ୍ୱାସ ଅଛି ହେଲେ ରକ୍ତମୁହାଁ ମଣିଷ ଯେତେବେଳେ ପିଶାଚ ହୋଇଯାଏ, ସେ ସବୁ ଭୁଲିଯାଏ , ତାର ହୃଦୟ ବିବେକ, ସମ୍ପର୍କ । ନିଜ ସୁରକ୍ଷା ପାଇଁ ରିଲିଫ ଶିବିରରେ କିଛି ମାସ ରହି ଶାନ୍ତି ଫେରିଲେ ପଡାକୁ ଲେଉଟି ଆସିବା ଉଚିତ ହେବ । ଶୁକ୍ରୁଡିଗଲ ନଛୋଡବନ୍ଧା । ଜୀବନକୁ, ପଡାକୁ, ମଣିଷମାନଙ୍କୁ ସେ ଅଧିକ ଚିହ୍ନିଛି ,ତାର ଅନୁଭୂତି ଅଧିକ,ଜାନି କେତେ ଛୋଟ ପିଲା !

ତଥାପି ଜାନିର ଜିଦକୁ ଏଡାଇ ନପାରି ଶୁକ୍ରୁରାତିରେ ଲୁଚି ଲୁଚି ଯାଇ ସାନ ଝିଅ ବିଶିକୁ ରିଲିଫ ଶିବିରରେ ଛାଡିଆସିଲା । ଶରଣାର୍ଥୀଶିବିରରେ ନିଜ ଖ୍ରୀଷ୍ଟିଆନଭାଇମାନଙ୍କ ପାଖରୁ ଟାହି ଟାପରା ଶୁଣିଲା, କେହି କେହିତାକୁ ଉପହାସ କରି କହିଲେ ଶୁକ୍ରୁ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଯାଇଛି, ଏଣୁ ଗାଁରେ ରହୁଛି ! ଏ ସବୁ ସେ ଜାନି ପାଇଁ ସହିଗଲା । ପଡୋଶୀ ଘର ହେପାଜତରେ ବିଶିକୁ ଛାଡି ସେ ଓ ଜାନି ନିଜ ଘରକୁ ରାତିରେ ଲୁଚି ଲୁଚି ଫେରିଆସିଲେ । ଜାନିକୁ ସେ ଅନୁରୋଧ ଓ ବାଧ୍ୟ କରିଥିଲା ବିଶି ସହ ଶିବିରରେ ରହିବା ପାଇଁ । ଜାନି ଜିଦ ଧରିଲା ସେ ବାପକୁ ଏକୁଟିଆ ଗାଁରେ ଛାଡିବ ନାହିଁ । ତା ସହ ଫେରିବ ଡୁମୁରିମାକୁ । ଏଣୁ ଉଭୟେ ଫେରିଥିଲେ ।

ଜଙ୍ଗଲଟା ଦିନକୁ ଦିନ ଅଧିକ ଶୁନଶାନ ମନେ ହେବା ସହ ଭୟଙ୍କର ଲାଗୁଛି । ଦଙ୍ଗା କମିବାର ନାଁ ଧରୁନାହିଁ । ଦିନବେଳା କି ରାତିବେଳା କେତେବେଳେ ବି ଘରୁ ବାହାରିବା କାହା ପାଇଁ ବି ବିପଦ ।

ଜନ୍ମାଷ୍ଟମୀ ପରଠାରୁ ନିଆଁ ଲାଗିଛି । ରାତିରେ କେଉଁ କୋଣରେ କୋଉ ଦୂର ଗାଁରେ ନିଆଁ ଲାଗିଥିବ । ଏବେ ଥରେ ଅଧେ ଗୁଡୁମଗୁଡୁମ ଶବ୍ଦ ଶୁଣିଲାଣି ଜାନି। ଶୁକ୍ରୁ ଦିନ ଗଣେ କେତେ ଦିନ ଗଣ୍ଡଗୋଳ ହେଲା, ପଡାଟା ଅଶାନ୍ତ ହେବ। ଆଉ କେତେ ଦିନ ! ଘରେ କେତେ ଦିନ ବନ୍ଦୀ ଭଳି ରହିବ ? ଜାନିକୁ ଏକୂଟିଆ ଛାଡି ଜଙ୍ଗଲକୁ ଯାଇ ହେଊନାହିଁ । ନିଜକୁ ନିର୍ଜୀବ ଭଳି ଲାଗିଲାଣି । ଜାନିର ଓ ସମସ୍ତଙ୍କର ମଙ୍ଗଳ କାମନା କରି ସେ ପ୍ରଭୁଙ୍କୁ ପ୍ରାର୍ଥନା କଲା । ଶୁକ୍ରୁ ମନଟା ଏଇ କିଛି ଦିନ ହେବ ଅଧିକରୁ ଅଧିକ ଭାରାକ୍ରାନ୍ତ ମନେହେଉଛି । ପଡୋଶୀଙ୍କ ହେପାଜତରେ ବିଶିକୁ ରିଲିଫ କ୍ୟାମ୍ପରେ ଛାଡିଆସିଥିଲେ ବି ଛୁଆ ପାଖରେ ମନଟା ଆଉଟୁ ପାଉଟୁ ହୁଏ । ବେଶ ବ୍ୟତିବ୍ୟସ୍ତ ଲାଗେ, କିନ୍ତୁ ସେ ନାଚାର ।

ଏଥର ଜନ୍ମାଷ୍ଟମୀ ଏପରି ଭୟାନକ ହେବ ଏହା ତା କଳ୍ପନାର ବାହାରେ ! ପୂର୍ବ ବର୍ଷମାନଙ୍କରେ କେତେ ଯାକଯମକରେ ପାଳନ ହୋଇଛି । କନ୍ଧ ପଡାରୁ କୀର୍ତ୍ତନ କରି ସେମାନେ ଖ୍ରୀଷ୍ଟିଆନ ପଡାକୁ ଆସନ୍ତି । ମିଛିମିଛିକା କଂସ ବଧ ଅଭିନୟ ହୁଏ । ଏକା ସାଙ୍ଗରେ ପଙ୍ଗତ ହୁଏ । ଖୁସି ଓ ଆନନ୍ଦରେ ଡୁମୁରିଆ ଗାଁଟା ଫାଟି ପଡେ । ଏ ବର୍ଷ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ତାଟି କବାଟ ପଡିଛି ଘରେ ଘରେ । ଶୁକ୍ରୁ ମନରେ ବେଶ କଷ୍ଟ ହେଲା ।

ସକାଳେ ହଳଦୀ କିଆରିରେ ଶୁଷ୍କ ପତ୍ରଗୁଡାକ ଛିଣ୍ଡାଇଲାବେଳେ ଜାନି ବାପା ଆଡକୁ ଚାହିଁଲା । ଆଜି ଶୁକ୍ରୁ କାହିଁକି ଭିନ୍ନ ମନେ ହେଉଛି । ଶୁକ୍ରୁ ହାତରେ ଇସାରା କରି ଜାନିକୁ ପାଖକୁ ଡାକିଲା, “ଆଜି ବିଶି କଥାଟା ସକାଳଠାରୁ ବେଶ ମନେପଡୁଛି । ତାକୁ ରାତିରେ ଯାଇ ରିଲିଫ କ୍ୟାମ୍ପରୁ ନେଇ ଆସିବା । ଏଇ କିଛି ଦିନ ବିତିଗଲାଣି, କ’ଣଟା ହୋଇଗଲା ଯେ ?”

ଜାନି ବାପାକୁ ଆଉଁସି ଦେଇ ‘ହଁ’ ଭରିଲା । ଶୁକ୍ରୁ ମନରେ ଆଶ୍ଵାସନା ଓ ଶାନ୍ତି ଭରିଗଲା ।

ଆଜି ରାତିକୁ ଅପେକ୍ଷା । ଦୁହେଁ ଲୁଚି ଲୁଚି ଯାଇ କ୍ୟାମ୍ପରୁ ବିଶିକୁ ନେଇ ଆସିବେ ।

ପୂର୍ଣ୍ଣିମା । ଜଙ୍ଗଲରେ ବିଛାଡି ହୋଇ ପଡିଛି ରୂପସୀ ଜହ୍ନର ରୂପେଲି ଆଲୋକ । କିମିଆଁ କଲା ପରି କେଉଁଠି ଚକ ଚକ ସଫା ଦୃଶ୍ୟ ତ କେଉଁଠି ବୃକ୍ଷ ଅଢୁଆଳରଘନ ଅନ୍ଧକାର । ଅଚିହ୍ନା ପକ୍ଷୀଟିଏର କାକଳି ନିଃଶବ୍ଦ ମୁହୂର୍ତ୍ତକୁ ତୀର ଭଳି ବିନ୍ଧ କଲା ।

ଶୁକ୍ରୁ ଓ ଜାନି ଯିବା ପାଇଁ ପ୍ରସ୍ତୁତ ।

ଏ ସମୟରେ କବାଟରେ ଠକ ଠକ ଶବ୍ଦ ହେଲା । ଜାନି ଚମକି ପଡିଲା । ଭୟରେ ଶିହରି ଉଠିଲା । କିଛି ସମୟପରେ କବାଟରେ ଠକ ଠକ ଶବ୍ଦ ସହିତ ଏକ ପରିଚିତ ସ୍ଵର ଶୁଣାଗଲା, “ଶୁକ୍ରୁ, ମୁଁ ଟୁବୁରୁ କହୁଛି । ଟୁବୁରୁକାଲେସିକା ।“

ଶୁକ୍ରୁ ଓ ଜାନି ହୃଦୟରୁ ଦୀର୍ଘଶ୍ଵାସବାହାରିଗଲା । ଏକ ବିରାଟ ବିପଦ ଓ ଅନାଗତ ଆଶଙ୍କାରୁ ଯେପରି ମୁକ୍ତି ମିଳିଗଲା ।

ଶୁକ୍ରୁ ଯାଇ କବାଟଟା ଖୋଲିଦେଇ ଟୁବୁରୁକୁ କୁଣ୍ଢେଇ ପକେଇଲ। । ଶୁକ୍ରୁ ଆଖିରେ ଅଜାଣତରେ ଲୁହ ଭର୍ତ୍ତିହୋଇଗଲା । କେତେ ବର୍ଷର ନିବିଡ ସମ୍ପର୍କ ଟୁବୁରୁ ସହିତ ଶୁକ୍ରର । କନ୍ଧ ପଡାରେ ଘର, ଟୁବୁରୁ ଦେହ ଭୀଷଣ ଖରାପ ବେଳେ ଶୁକ୍ରୁ ବେତାରେ ବୋହି ଜଙ୍ଗଲ ପାରିହୋଇ ଡାକ୍ତରଖାନାରେ ପହଞ୍ଚେଇ ତାକୁ ରୋଗମୁକ୍ତ କରିବାରେ ସାହାଯ୍ୟ କରିଥିଲା । ଟୁବୁରୁ କ୍ଷେତରେ ଶୁକ୍ରୁ ଓ ଟୁବୁରୁ ଉଭୟେ ମିଶି ମକା ଓ ହଳଦୀ ଚାଷ କରନ୍ତି । ଦୁହିଁଙ୍କ ଭିତରେ ନିବିଡତା ବଢି ଦୁହେଁ ବେଶ ଅନ୍ତରଙ୍ଗ । ଡୁମୁରିମାରେ ଦୁହେଁ ବନ୍ଧୁତ୍ଵର ଜ୍ଵଳନ୍ତ ଉଦାହରଣ ।

ଟୁବୁରୁ କହିଲା, “ଶୁକ୍ରୁ, ଏ ଦଙ୍ଗା ପାଇଁ ମୁଁ ଆସିପାରୁନଥିଲି । ନେଲୁ ତୋ ପାଇଁ ଏ ପିଠା ଆଣିଛି । ଜନ୍ମାଷ୍ଟମୀ ପିଠା, ଡେରି ହେଲେ ବି ତୋ ପାଇଁ ଜାନି, ବିଶି ପାଇଁ ଆଣିଛି ।“

ଶୁକ୍ରୁ କୃତଜ୍ଞତାରେ କିଛି କହି ପାରିଲା ନାହିଁ । ତା କଣ୍ଠ ବାଷ୍ଫରୁଦ୍ଧ । ପ୍ରତିବର୍ଷ ଜନ୍ମାଷ୍ଟମୀ ଅବସରରେ ଟୁବୁରୁ ପିଠା ନେଇଆସେ । ପିଠା ସାଙ୍ଗରେ, ହଳଦୀ ଅଧା ବସ୍ତା । ନିଜ କ୍ଷେତର ପାରିଶ୍ରମିକ।

ଶୁକ୍ରୁ କହିଲା, “ତୋରି ସମ୍ପର୍କ, ଭରସାକୁ ପାଥେୟକରି ମୁଁ ପଡା ଛାଡିଯାଇନାହିଁ । ତୁ ଯେ ଅଛୁ ମୋ ବିପଦରେ ଅଣ୍ଟା ଭିଡିବା ପାଇଁ ।“ ଏତକ କହିସାରି ଶୁକ୍ରୁ ଆଉଥରେ ଟୁବୁରୁକୁ କୁଣ୍ଢେଇ ପକେଇଲା ।

“ତୋ ଋଣ ଏ ଜୀବନରେ କ’ଣ, କୋଉ ଜନ୍ମରେ ମୁଁ ସୁଝିପାରିବି ନାହିଁ ମୁଁ ଯଦି ବଞ୍ଚିଛି କେବଳ ତୋରି ପାଇଁ । ତୁ ଯଦି ବେତାରେ ବୋହି ବୋହି ମୋତେ ନେଇନଥାନ୍ତୁ, ମୁଁ କ’ଣ ଜୀବନରେ ଥାନ୍ତି ? ତୁ ମୋତେ ପୁର୍ନଜନ୍ମ ଦେଇଛୁ । ମୁଁ ତୋ ପାଖରେ ଆଜନ୍ମ ଋଣୀ ।“ ଟୁବୁରୁ କହିଲା ।

ଜାନି ସବୁ ଶୁଣୁଥାଏ । ତା ମନଟା ବିଶି ପାଖରେ । ସେ ସ୍ଥିର କରିଛି ଶୁକ୍ରୁକୁ ନେଇ ରିଲିଫ କ୍ୟାମ୍ପରେ ପହଞ୍ଚି ସେଠାରେ ଜିଦ ଧରିବ ଯେ ସେ ଆଉ ପଡାକୁ ଫେରିବ ନାହିଁ । ଶୁନଶାନରେ ପଡାରେ ଘରଟାକୁ ଏକୁଟିଆ ଜଗି କେତେଦିନ ଚଳିହେବ ? ପୁରା ସମାଜଟା ତ ଶିବିରରେ ! ଶୁକ୍ରୁ ଖାଲି ଘରୁ ଗୋଡ କାଢୁ ! ଜାନି ତା ମନ କଥାକୁ ବାପା ପାଖରେ ଲୁଚେଇ ରଖିଥାଏ ।

“ଛୋଟଟାକୁ ଦେଖୁ ନାହିଁ ?” ଟୁବୁରୁ ପଚାରିଲା ।

“ତାକୁ ରିଲିଫ କ୍ୟାମ୍ପରେ ଛାଡିଆସିଛି । ଜାନିଜିଦ କଲା । ମୋର ଟିକେ ବି ଇଚ୍ଛା ନଥିଲା । ଆଜି ଯାଉଛୁ ତାକୁ ଫେରାଇ ଆଣିବୁ । ତୁ ନ ଆସିଥିଲେ ଆମେ କିଛି ବାଟରେ ପହଞ୍ଚି ସାରିଥାନ୍ତୁ ।“ ଶୁକ୍ରୁ ଉତ୍ତର ଦେଲା ।

“ମୁଁ ତାହେଲେ ଭୁଲ ସମୟରେ ପହଞ୍ଚିଲି । ହଉ ସାଙ୍ଗରେ ଏ ପିଠା ନେଇଯିବୁ । ବିଶିକୁ ଖୁଆଇବୁ । କହିବୁ ଟୁବୁରୁ କକା ଦେଇଛି ।“ଶୁକ୍ରୁକୁ ଆଲିଙ୍ଗନ କରି ଟୁବୁରୁ ବିଦାୟ ନେଲା ।

ଶୁକ୍ରୁଆଖିକୋଣରେ ଲୁହ ଜକେଇ ଆସିଲା । ଟୁବୁରୁ ବିଦାୟ ନେଲାପରେ ଶୁକ୍ରୁ କବାଟ ବନ୍ଦ କଲା ।

ପୂର୍ଣ୍ଣିମାର ଜହ୍ନ ବେଳକୁ ବେଳକୁ ବୃକ୍ଷ ଶୀର୍ଷ ଉପରକୁ ଉଠୁଥାଏ । ଘଞ୍ଚ ବୃକ୍ଷମାନଙ୍କର ଅଢୁଆଳରେ ଛପିଥିବା ଦଶ ଜଣ ଲୋକ ବାହାରି ଆସିଲେ । ଟୁବୁରୁ ଅଟକିଲା । ଦଶ ଜଣଙ୍କ ହାତରେ ଲାଠି, କିରୋସିନ ବୋତଲ, ନିଆଁହୁଳା ଓ ଟାଙ୍ଗିଆ ।

ଟୁବୁରୁ ହସିଲା।

“କେତେଜଣ?” ଜଣେପଚାରିଲା ।

“ଦୁଇଜଣ । ଶୁକ୍ରୁ ଓ ଜାନି ।“

ଟୁବୁରୁ ଏତକ କହିଗଲା ବେଳେ କିରୋସିନ ବୋତଲ ଧରିଥିବା ଲୋକଟା ଟୁବୁରୁ କାନ୍ଧକୁ ଖୁସିରେ ଥାପୁଡେଇ ଦେଲା ।

ପୂର୍ଣ୍ଣିମାର ଅନ୍ଧକାରରେ ଟୁବୁରୁ ତା ଘରକୁ ତରତରରେ ଚାଲିଲା । ବିପରୀତ ଦିଗରେ ଅଗ୍ରସର ହେଲେ ଦଶ ଜଣ ଲୋକ ।

ଶୁକ୍ତୁ ଚେତା ଫେରିଲା ବେଳକୁ ତା ଘର ପୋଡି ଛାରଖାର। ମାଡରେ ତା ଗୋଡ, ହାତ ଫୁଲି ଯାଇଛି। ଖଣ୍ଡିଆ,ଖାବରା । ସେହଳଦୀ କିଆରିରେ ପଡିରହିଛି ।

ବହୁ କଷ୍ଟରେ ଉଠି ପାଗଳ ଭଳି ଚାରିଆଡକୁ କ୍ଷେପିଗଲା । ଚିତ୍କାରକଲା “ଜାନି ଜାନି ।“ ଭୋ ଭୋ ହୋଇ ଛାତି ଫଟାଇ କାନ୍ଦିଲା, ବୋବାଳି ଛାଡିଲା । ନିଜ କାନ୍ଦର ପ୍ରତିଧ୍ୱନିରେ ସେ ଯେପରି ନର୍କଯନ୍ତ୍ରଣା ଭୋଗୁଥାଏ । ଜାନିର ଚିହ୍ନବର୍ଣ୍ଣ ନଥାଏ । “ଜାନି ଜାନି,” ଚିତ୍କାର ଛାଡିଲା ଶୁକ୍ରୁ । କିଛି ପ୍ରତ୍ୟୁତ୍ତର ନଥାଏ । ନିଜ ଡାକର ଶୂନ୍ୟ ଉତ୍ତର ତା ପାଖକୁ ଫେରିଆସିଲା। ସେ ଅଧିକ ଚିତ୍କାର କରି ବେହୋସ ହୋଇଗଲା ।

ଚେତା ଆସିଲା ପରେ ସେ ଦମ୍ଭଧରି ଆଗେଇଲା । ଆଉ ମୃତ୍ୟୁକୁ ଡ଼ର କଣ ? କଣ ବା ରହିଲା ଏ ଜୀବନରେ ? ଛୋଟେଇ ଛୋଟେଇ ସେ ଜଙ୍ଗଲ ଭିତରେ ଆଗେଇଲା, ଡୁମୁରିମାକୁ ପଛରେ ଛାଡି, ଚିହ୍ନା ଅଙ୍କାବଙ୍କା ରାସ୍ତା ବି ତାକୁ ରୁକ୍ଷ, ନିଷ୍ଠୁର ଲାଗୁଥିଲା । ଜାନିକୁ ମାଡିବସିବାର ଦୃଶ୍ୟ, ଶୁକ୍ରୁଉପରେ ଶକ୍ତ ପ୍ରହାର, ଘର ଜାଳିବାର ଦୃଶ୍ୟ ତା ମନକୁ କବଳିତ କରିଥାଏ । କି ଭୟଙ୍କର ନରପିଶାଚ ସମସ୍ତେ ମୁହଁକୁ ଗାମୁଛାରେ ଗୁଡେଇ ରଖିଥାନ୍ତି, ଖାଲି ଚିତ୍କାର, ଶୁକ୍ରୁଉପରେ ମାଡ, ଓଃ, ଜାନି …… ସେଥରିଉଠିଲା । ସେ କେବଳ ଚିତ୍କାର କରୁଥିଲା, “ମୋତେ ମାରିଦିଅ, ମୋ ଝିଅକୁ ଛାଡିଦିଅ।’’ ବାରମ୍ବାର ସେଇ ଗୁହାରି ।

କିନ୍ତୁ ସେମାନେ ଥିଲେ ପିଶାଚ…..। ଜାନି ଏବେ କୋଉଠି ? ରିଲିଫ କ୍ୟାମ୍ପରେ ଶୁକ୍ରୁ ପହଞ୍ଚିଲା ପୂର୍ବରୁ କଥା ପ୍ରଘଟ ହୋଇସାରିଥାଏ । ସମସ୍ତେ ଉତ୍ତ୍ୟକ୍ତ ହୋଇ ଚାହିଁଥାନ୍ତି ।

ଶୁକ୍ରୁ ପହଞ୍ଚୁ ପହଞ୍ଚୁ ବିଶି ଦୌଡିଆସି ପଚାରିଲା, “ଜାନି, ଜାନି କାହିଁ ? ସେ କଣ ପଡ଼ାରେ ? ତାର କ’ଣ ହୋଇଛି ?” ଶୁକ୍ରୁ ବିଶିକୁ କୋଳେଇ ଆଣିଲା ।

ଉପସ୍ଥିତ ଉତ୍ତେଜିତ ଜନତା କେବଳ ମୂକଭାବରେ ଚାହିଁଥିଲେ ।

ରିଲିଫ କ୍ୟାମ୍ପ ବାହାରେ ପୋଲିସର ଘନ ଘନ ପଇଁତରା ।

କିଛି ଦିନ ବିତିଗଲା । ଶୁକ୍ରୁ ଆଖିରେ ନିଦ ଆସେନା । ନିଦ ଆସିବା ମାତ୍ରକେ ପୂର୍ଣ୍ଣିମା ରାତିର ଭୟଙ୍କର ଦୃଶ୍ୟଟା ମନେପଡି ତା ଦେହ ମନ ଶୀତେଇଯାଏ। ତାକୁ ପାଗଳ ଭଳି ଲାଗେ । ତଳେ ଛଟପଟ ହୁଏ ।

ଦିନେ ସକାଳୁ କ୍ୟାମ୍ପରେ ପୁଲିସ ପହଞ୍ଚି ଖବର ଦେଲା, “ଡାକ୍ତରଖ।ନାରେ ଜଣେ ଝିଅ କିଛି ଦିନ ହେବ ଚିକିତ୍ସିତ ହେଉଛି । ଘର ଗାଁ ଜଣା ନ।ହିଁ । ସେ ବି କିଛି କହିପାରୁନି । କାହାର ଯଦି ହୋଇଥିବ, ଯାଇ ଦେଖିଆସ।“

ଶୁକ୍ରୁଚମକି ପଡିଲା । ପୁଲିସ କଥା ଯଦି ସତ ତେବେ ! ବିଶିକୁ ଶିବିରରେ ଛାଡି ଏକା ନିଃଶ୍ଵାସରେ ଶୁକ୍ରୁଡାକ୍ତରଖାନାରେ ପହଞ୍ଚିଲା । ଡାକ୍ତରଖାନାରେ ଖୋଜି ଚମକିପଡିଲା । ଜାନି ! ଅଚେତ ଅବସ୍ଥାରେ ଶୋଇଛି । ପାଖରେ ନର୍ସ ଆସି କହିଲା, “ଏ ବୁଢା, କ’ଣ ଦେଖୁଛୁ ।“

ଶୁକ୍ରୁ କହିଲା, “ମୋ ଝିଅ ।“

ଅଜାଣତରେ ଶୁକ୍ରୁ ପଛପଟେ ପୁଲିସ ଛିଡାହେଲାଣି ।

ନର୍ସ କହିଲା, “ଝିଅକୁ ପୁଲିସ ଟିମ ରାସ୍ତାରୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଲା ବେଳୁ ଏ ପର୍ଯ୍ୟନ୍ତ ବେଳେ ବେଳେ ଚେତା ଆସୁଛି । ଦେହଯାକ ଖଣ୍ଡିଆ, ଖାବରା । ଖାଲି ଯାହା ନିଃଶ୍ଵାସ ଚାଲିଛି । ଡାକ୍ତର ବାବୁଙ୍କ ହାତରେ କିଛି ନାହିଁ । ରାଜଧାନୀର ବଡ ଡାକ୍ତରଖାନାକୁ ପଠାଇବାକୁ ପଡିବ ।“

ଶୁକ୍ରୁ ଅଚେତ ଜାନିର ମୁଣ୍ଡକୁ ଆଉଁସି ପକାଇଲା । ବିଚାରୀ ! ଶୁକ୍ରୁ ନିଜେ ପାପୀ । ଯଦି ଜାନିରକଥା ମାନି ଆରମ୍ଭରୁ ପଡା ଛାଡିଦେଇଥାନ୍ତା !

ପଛରେ ଠିଆ ହୋଇ ଥିବା ପୁଲିସ ଶୁକ୍ରୁକୁ କଣେଇ ଚାହିଁଥାଏ । କିଛି ସମୟ ପରେ ପଚାରିଲା, “ତୁ ସେ ଝିଅର ବାପା ।“

ହଠାତ ଜାନି ଆଖି ଖୋଲିଲା । ଦୁଇ ଆଖି ମେଲି ମୁହୂର୍ତ୍ତଟିଏ ପାଇଁ ଶୁକ୍ରୁକୁ ଚାହିଁ ଆଖି ବନ୍ଦ କରିଦେଲା । ଶୁକ୍ରୁ ନିଜ ଗାମୁଛାରେ ମୁହଁକୁ ଚାପିଧରି କଇଁ କଇଁ ହୋଇ କାନ୍ଦିଲା “ଜାନି ……. ।“

ପୁଲିସ ଦେଖୁଥାଏ । କିଛି ସମୟ ପରେ ଶୁକ୍ରୁକୁ ଡାକି ପଚାରିଲା,“ତୋ ନାଁ କ’ଣ ?”

“ଶୁକ୍ରୁ ଡିଗାଲ ।“

“ଗାଁ ?

“ଡୁମୁରିମା, ଖ୍ରୀଷ୍ଟିଆନ ପଡା ।“

“କେତେ ଜଣ ଲୋକ ଥିଲେ ?”

“ପାଖା ପାଖି ଦଶ ଜଣ ।“

“ଚିହ୍ନା ମୁହଁ ?”

“ସମସ୍ତେ ମୁହଁରେ ଗାମୁଛା ବାନ୍ଧିଥିଲେ ।“

“ଶେଷ ଦେଖା ତୋର କାହା ସହ ହୋଇଥିଲା ? କେଉଁ ଚିହ୍ନା ମୁହଁ ?”

ଶୁକ୍ରୁ ମନେପକାଇଲ।, ‘ଶେଷ ଦେଖା ତ ଟୁବୁରୁ ସହ । ଜନ୍ମାଷ୍ଟମୀ ପିଠା, ହଳଦୀ ବସ୍ତା ।‘

ପୁଲିସ କଥାକୁ ଦୋହରେଇଲା, “ହଁ ଶୁକ୍ରୁ ମନେପକା, କାହାକୁ ଶେଷଥର ତୋ ଘରେ ଭେଟିଥିଲୁ । ଶେଷ କଥା କାହା ସହିତ ?”

ଶୁକ୍ରୁ ନିରବ ରହିଲା । ସେ କାହାକୁ ଦେଖି ନାହିଁ । ‘ତେବେ କ’ଣ ଟୁବୁରୁ !’ଶୁକ୍ରୁ ଆପାଦ ମସ୍ତକ ଶିହିରିଉଠିଲା। ନିଜକୁ କଷ୍ଟେ ମଷ୍ଟେ ସମ୍ଭାଳି ନେଲା ।

ପୁଲିସ ପୁଣି ପଚାରିଲା, “ମନେପକା, କାହା ସହ ଶେଷଥର କଥା ହୋଇଥିଲୁ ?” ଶୁକ୍ରୁ ନିରବ । ସେ କାହାକୁ ଦେଖି ନାହିଁ କି, ତାର କିଛି ମନେ ନାହିଁ ।

“ମନେ ନାହିଁ, ଆଜ୍ଞା ।“ଶୁକ୍ରୁ ଧୀରେ କହିଲା ।

ପୁଲିସ ଫେରିଯାଇ ଦୂରରେ ପଡିଥିବା ଚୌକିରେ ବିଶ୍ରାମ ନେଲା । ଶୁକ୍ରୁ ପାଇଁ ବାକି ଜୀବନ ପୁର୍ଣିମା ଆଣି ଦେଇଥିଲା ଅନ୍ଧକାର । ପୁଲିସ ଠଉରେଇ ପାରିଥିଲା ଶୁକ୍ରୁ ମୁହଁର ଭାବଭଙ୍ଗୀରୁ ଯେ ଶୁକ୍ରୁକେଉଁ ଏକ ଚିହ୍ନା ମୁହଁକୁ ଲୁଚେଇବାକୁ ବାରମ୍ବାର ଚେଷ୍ଟା କରିବାକୁ ଯାଇ ବାରମ୍ବାର ବିଫଳ ହେବା ସତ୍ତ୍ୱେ ନାମକୁ ଅପ୍ରକାଶ ରଖୁଛି । ଶୁକ୍ରୁର ଶରୀର ଯେପରି ପଥର ଖଣ୍ଡଟାଏ ମାର୍ତ୍ତୁଲରେ ଚୂନା ହେଲା ପରି ଗୁଣ୍ଡ ହୋଇଯାଉଛି ।

ପୁଲିସର ମଧ୍ୟ ହୃଦୟ ଅଛି । ଶୁକ୍ରୁର ମାନସିକ ଅବସ୍ଥାରେ ଅଧିକ ଜୋର ନ ଦେବାକୁ ସ୍ଥିର କରି ସେ ଚୌକିରେ ବିଶ୍ରାମ ନେଲା । ମିଛକୁ ସଠିକ ଅନୁମାନ କରିପାରିବା ସତ୍ତ୍ୱେ ଶୁକ୍ରୁର ଶେଷ ଉତ୍ତରକୁ ପୁଲିସ ସତ ବୋଲି ମାନିନେଲ। ।

ଏକ ମୃତବତ ଜାନି ପାଖରେ ଶୁକ୍ରୁ ବସି ଭାବୁଥିଲା ତା ପୃଥିବୀର ମଣିଷମାନଙ୍କର କଥା ।

ଲୋକପ୍ରିୟ ଲେଖା

To Top