କବିତା

ସକାଳ ଜିଜ୍ଞାସା

Sakaala Jignyaasa an odia poem by Harish Chandra Kar

କେଉଁଦିନୁ ହୁଏ ଉଦୟ, ଅସ୍ତ କିମ୍ପାଇଁ ଯାଏ
ଠାଆକରେ ସ୍ଥିର ନ ରହି, ପୂର୍ବୁ ପଶ୍ଚିମେ ଧାଏଁ ।

ସକାଳ ଜିଜ୍ଞାସା

ପୂର୍ବ ଦିଗ୍‌ବଳୟେ ଦେଖ ମା’, ଉଠେ ନାଲି ସୁରୁଜ
ତା’ ଶେଯରେ କିଏ ବୁଣିଛି, ନାଲି ନେଳି ମୁରୁଜ
କାଲି ସଞ୍ଜରୁ ସେ ଏ ଯାଏଁ, ଅବା ଥିଲା ସେ କାହିଁ
ଅନ୍ଧାର ରାତିରେ କେଉଁଠି, ଅବା ରହିଲା ଯାଇ
ସକାଳ ହେବାରୁ ମୋ ପରି, ସେ କି ଛାଡ଼ିଲା ଶେଯ ।
ଅବା ଆବିର୍ଭାବ ତାହାର, ଡାକି ଆଣେ ସକାଳ ।
କେଉଁଦିନୁ ହୁଏ ଉଦୟ, ଅସ୍ତ କିମ୍ପାଇଁ ଯାଏ
ଠାଆକରେ ସ୍ଥିର ନ ରହି, ପୂର୍ବୁ ପଶ୍ଚିମେ ଧାଏଁ ।
ତା’ ସାଥେ ଧାଇଁବା ପାଇଁକି, ମନ ବଳେ ମୋ ନିତି
ରକେଟ୍ ଗୋଟିଏ ଦିଅ ମା’, ଯିବି ତାହାର କତି ।

କଅଁଳ କିରଣ ସାଥୀକୁ, ସୁଶୀତଳ ପବନ
ସଅଳ ପ୍ରାନ୍ତର ଭ୍ରମଣେ, ଉଲ୍ଲସଇ ମୋ ମନ ।
କୁଆ କୁମ୍ଭାଟୁଆ କୋଇଲି ଆଦି ଯେତେ ବିହଙ୍ଗ
ଉଠିଲେଣି ତାଙ୍କ ଶେଯରୁ ଶୁଣ କାକଳୀ ରଙ୍ଗ
ନିତ୍ୟକର୍ମ ସାରି ଏ ବେଳେ ପଢ଼ି ବସିବି ପାଠ
ପଢ଼ା ସାରି ସିନା ଖାଇବି ଯେଣୁ ହେବି କର୍ମଠ
ଆଜି ସିନା ସାନ ପିଲା ମୁଁ କାଲି ହୋଇବି ବଡ଼
ମାନବିକ ଗୁଣେ ଲଭିବି ସଭିଁଙ୍କର ଆଦର ।

ଲୋକପ୍ରିୟ ଲେଖା

To Top