ପ୍ରବନ୍ଧ

କର୍ମ ସିଦ୍ଧାନ୍ତ ଓ ସମାଜ ଗଠନ

Balmiki Nayak's odia prose Karma Siddhanta O Samaaj Gathana

ଯଦି ସମାଜ ବ୍ୟବସ୍ଥାରେ ପିତା ପୁତ୍ର ପାଇଁ ଧନ ଛାଡ଼ି ଯିବା ଠିକ୍ ନୁହେଁ, ପୁତ୍ର ନିଜେ କର୍ମ କରି ଧନ ରୋଜଗାର କରିବା ପାଇଁ ନିୟମ ରହିବ ତେବେ ପରମ୍ପରା କ୍ରମେ ଚାଲି ଆସିଥିବା ଧନୀ ଓ ଗରିବର ଅନୁପାତ କମ ହୋଇଯିବ ।

କର୍ମ ସିଦ୍ଧାନ୍ତ ଓ ସମାଜ ଗଠନ

ମଣିଷ ସମାଜ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି- ଗୋଟିଏ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ କିଏ ଦାୟୀ ? କିଏ ଏହି ବ୍ୟବସ୍ଥା ତିଆରି କରିଛି ? ଏଥିରେ ସମୟାନୁସାରେ ପରିବର୍ତ୍ତନ କିପରି ଆସେ ? କିଏ ଏହି ପରିବର୍ତ୍ତନ କରେ ?

ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ ଦାର୍ଶନିକ, ସମାଜଶାସ୍ତ୍ରୀ, ଇତିହାସ ବିଶେଷଜ୍ଞ ଏବଂ ଧର୍ମଗୁରୁମାନେ ନିଶ୍ଚୟ ପ୍ରୟାସ କରିଛନ୍ତି କିନ୍ତୁ ଯିଏ ବି ଏହି ବିଷୟରେ ଯେତିକି ଅଧ୍ୟୟନ କରିଛନ୍ତି ସେ ସେତିକି ବିଭ୍ରାନ୍ତ ହୋଇଛନ୍ତି । କାରଣ ପ୍ରଶ୍ନ ଗୁଡ଼ିକର ତଥ୍ୟ ମୂଳକ ଉତ୍ତର ଦେବା କଷ୍ଟକର ହୋଇ ପଡ଼ିଛି । ପ୍ରତ୍ୟେକ ବ୍ୟକ୍ତି ଏହା ବିଷୟରେ ନିଜ ନିଜର ଜ୍ଞାନର ସୀମା ଓ ଦୃଷ୍ଟିକୋଣରୁ ହିଁ ବିଚାର କରିଛନ୍ତି । କେତେକ ବିଚାର ପଛରେ ସେମାନଙ୍କର ନ୍ୟସ୍ତ ସ୍ୱାର୍ଥ ଥିବା ଭଳି ଲାଗୁଛି । ହୁଏତ ସେଇଥି ପାଇଁ ଏଭଳି ସିଦ୍ଧାନ୍ତ ପ୍ରତିପାଦିତ କରି ଦିଆଯାଉଛି ଯାହା ଦ୍ୱାରା ସାମାଜିକ୍ ବ୍ୟବସ୍ଥା ସ୍ଥାୟୀ ରୂପେ କାମ କରିବ ଏବଂ ଏହି ବ୍ୟବସ୍ଥାକୁ ନେଇ ବାଦ ବିବାଦ ହେବ ନାହିଁ । ବ୍ୟବସ୍ଥାକୁ ପ୍ରଚଳନ କରିଥିବା ଗୋଷ୍ଠୀର ସ୍ୱାର୍ଥ ସାଧନ ହୋଇପାରିବ । କେତେକ ସ୍ଥଳରେ ଦେଖାଯାଇଛି, ବୈଜ୍ଞାନିକ ସିଦ୍ଧାନ୍ତକୁ ବି କାଳାନ୍ତରରେ ସମ୍ପୂର୍ଣ୍ଣ ଓଲଟା ଅର୍ଥରେ ପ୍ରତିପାଦିତ କରି ଦିଆଯାଇଛି, ଯାହାଦ୍ୱାରା ସ୍ୱାର୍ଥନ୍ୱେଷୀ ଲୋକମାନଙ୍କର ହିଁ ଫାଇଦା ହେବେ ।

ଆଉ କିଛି ପ୍ରଶ୍ନ ଉପରେ ବି ବିଚାର କରାଯାଉ । କିଛି ମଣିଷ ଗରିବ କାହିଁକି ? ସେ ଗରିବ ଘରେ ଜନ୍ମ ହେଲା କାହିଁକି ? କିଏ ଉଚ୍ଚ ଜାତିର କିଏ ନୀଚ୍ଚ ଜାତିର ବୋଲି କୁହାଯାଏ କାହିଁକି ?

ସମାଜ ବିଜ୍ଞାନ ଅନୁସାରେ ଏହିସବୁ ପ୍ରଶ୍ନର ଉତ୍ତର ତର୍କ ସଙ୍ଗତ ଭାବେ ଦିଆଯାଇପାରିବ କିନ୍ତୁ ଧର୍ମ ଗୁରୁମାନେ କୁହନ୍ତି- ବ୍ୟକ୍ତିର ଗରିବ ହେବା କିମ୍ୱା ନିମ୍ନ ଜାତିରେ ଜନ୍ମ ଗ୍ରହଣ କରିବା ପଛରେ ଥିବା ମୁଖ୍ୟ କାରଣ ହେଉଛି ପୂର୍ବ ଜନ୍ମରେ ସେମାନେ କରିଥିବା କର୍ମର ଫଳ । ଏହି ଜୀବନରେ ମଣିଷ ଭୋଗ କରୁଥିବା ସୁଖ, ଦୁଃଖ, ଯଶ, ଅପଯଶ, ଧନୀ, ଗରିବ, ଦରିଦ୍ର, ଛୁଆଁ, ଅଛୁଆଁ ସବୁ କିଛି ପୂର୍ବଜନ୍ମର ଫଳ ।

କେବଳ ବ୍ୟକ୍ତି ଉପରେ ଲାଗୁ ହେଉଥିବା ଏହି ସିଦ୍ଧାନ୍ତ କ୍ରମେ କ୍ରମେ ସମାଜ ଉପର ବି ଲାଗୁ କରି ସମାଜ ଗଠନ ହେଉଛି । ଏହାକୁ ବିଜ୍ଞାନ ସିଦ୍ଧ ସମାଜ ବୋଲି ବି ଦାବି କରାଯାଉଛି ।

ରୁଷ୍‌ର ପ୍ରସିଦ୍ଧ ଦାର୍ଶନିକ କାର୍ଲମାର୍କ୍ସ କହିଥିଲେ- ଗରିବ ଓ ଧନୀ ହେଉଛି ସାମାଜିକ ଢାଞ୍ଚାର ପରିଣାମ । ସମାଜରେ ବ୍ୟକ୍ତିଗତ ଭାବେ ଧନସଞ୍ଚୟ କରିବା ପାଇଁ ଖୋଲା ଅନୁମତି ଥିବାରୁ କେତେକ ଚତୁର ଲୋକ ଜମି, ସୁନା, ପଶୁ ଓ ଉତ୍ପାଦନ ବସ୍ତୁ ଉପରେ ଆଧିପତ୍ୟ ବିସ୍ତାର କରି ନେଉଛନ୍ତି । ସେମାନେ ଅନ୍ୟମାନଙ୍କୁ ଧନ ପାଇଁ ସହଜରେ ଶୋଷଣ କରପାରୁଛନ୍ତି ।

ମଣିଷକୁ ସଫଳତା କେବଳ କର୍ମ ଦ୍ୱାରା ହିଁ ମିଳିବ । ଏହି ବୈଜ୍ଞାନିକ ସିଦ୍ଧାନ୍ତକୁ କିଏ ବା ଅସ୍ୱୀକାର କରିବ ? ଯେମିତି କର୍ମ, ସେମିତି ଫଳ । ଏଥିରେ ବି ବିବାଦ ନାହିଁ । ବିବାଦ ହେଉଛି- ପୂର୍ବଜନ୍ମରେ କରିଥିବା କର୍ମର ଫଳ ଏହି ଜନ୍ମରେ କିପରି ମିଳିବ ? କିମ୍ୱା ଏହି ଜନ୍ମରେ କରିଥିବା କର୍ମ ପାଇଁ ଜନ୍ମରେ ଫଳ ନ ପାଇଁ ଆସନ୍ତା ଜନ୍ମରେ କିପରି ପାଇବି ?

ଏଥିରୁ ସ୍ପଷ୍ଟ ବୁଝାପଡୁଛି ଯେ ପୂର୍ବଜନ୍ମର କର୍ମ ସିଦ୍ଧାନ୍ତ ସବୁ ଭୁଲ୍ ଏବଂ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଦ୍ୱାରା କେବଳ ଶୋଷଣ କରିବା ପାଇଁ ପ୍ରଚାର କରାଯାଉଛି । ସେଥିପାଇଁ ଅନେକ ବିଜ୍ଞାନ ସିଦ୍ଧ କର୍ମ ଗୁଡ଼ିକୁ ବି ଧର୍ମ ସହିତ ଗୋଳେଇ ଘାଣ୍ଟି ବିକୃତ କର୍ମ ସିଦ୍ଧାନ୍ତ ରୂପେ ସମାଜରେ ସ୍ଥାୟୀ ବ୍ୟବସ୍ଥା ବନେଇ ଦିଆଯାଇଛି ।

ଅସଲ କଥା ହେଉଛି ସେମାନଙ୍କ ଜୀବନ ସ୍ତରକୁ ସୁଧାରିବା ପାଇଁ କିଏ ନାହିଁ ? ସୁଧାରିବାର ଉପାୟ ସେମାନଙ୍କୁ ବୁଝେଇବ କିଏ ? ବ୍ୟକ୍ତି ବର୍ତ୍ତମାନ କର୍ମ କରି ଧନ ପ୍ରାପ୍ତ କରିବା ଏକ ଅଲଗା କଥା କିନ୍ତୁ ଧନୀ ଘରେ ଜନ୍ମ ହୋଇ କର୍ମ ନ କରି ବହୁସମ୍ପତ୍ତିର ମାଲିକ ହେବା ଅଲଗା କଥା । ଧନୀ ବ୍ୟକ୍ତି ପୂର୍ବଜନ୍ମରେ କରିଥିବା ପୁଣ୍ୟ କର୍ମ ଯୋଗୁଁ ଆଜି ଧନୀ ହୋଇଛି ବୋଲି ଗର୍ବ କରିବା ଏକ ଆତ୍ମପ୍ରବଞ୍ଚନା ମାତ୍ର । ଏଥିରୁ ପ୍ରମାଣିତ ହେଉଛି ଯେ ଗରିବ ବା ଧନୀ ହେବା କର୍ମ ଉପରେ କର୍ମ ଆଧାରିତ ବରଂ ସାମାଜିକ ବ୍ୟବସ୍ଥା ଉପରେ ବେଶୀ ନିର୍ଭର କରୁଛି । ସମାଜର ଯେଉଁ ଭଳି ବ୍ୟବସ୍ଥା ହେବ ସେହି ଭଳି ଧନୀ ଓ ଗରିବଙ୍କ ଅନୁପାତ ରହିବ । ଜଣେ ବ୍ୟକ୍ତି ଧନ ରୋଜଗାର କରି ପେଟ ପୋଷିବା ହେଉଛି ବର୍ତ୍ତମାନ କର୍ମର ଫଳ କିନ୍ତୁ ପିତା ଅର୍ଜନ କରି ଛାଡ଼ିଯାଇଥିବା ଧନ ପୁତ୍ର ଭୋଗ କରିବା ହେଉଛି ସାମାଜିକ ବ୍ୟବସ୍ଥା କୌଣସି ପୂର୍ବଜନ୍ମର ଫଳ ନୁହେଁ ।

ଯଦି ସମାଜ ବ୍ୟବସ୍ଥାରେ ପିତା ପୁତ୍ର ପାଇଁ ଧନ ଛାଡ଼ି ଯିବା ଠିକ୍ ନୁହେଁ, ପୁତ୍ର ନିଜେ କର୍ମ କରି ଧନ ରୋଜଗାର କରିବା ପାଇଁ ନିୟମ ରହିବ ତେବେ ପରମ୍ପରା କ୍ରମେ ଚାଲି ଆସିଥିବା ଧନୀ ଓ ଗରିବର ଅନୁପାତ କମ ହୋଇଯିବ । ସାମାଜିକ ବ୍ୟବସ୍ଥା ଅନେକ ଦେଶରେ ପରିବର୍ତ୍ତନ ହୋଇଛି । ଆମ ଦେଶରେ ବି ଅନେକ ଦିନରୁ ରାଜା, ମହାରାଜମାନଙ୍କ ଭୂସମ୍ପତ୍ତିକୁ ସରକାର ଦାଖଲ କରି ନେଇଛନ୍ତି । ଆୟ ବହିର୍ଭୁକ୍ତ ସମ୍ପତ୍ତି ଉପରେ ଅଧିକାରକୁ ବେଆଇନ୍ ଘୋଷଣା କରାଯାଇଛି । ଆଇନ୍‌କୁ ଆଖିଠାର ମାରି ଧନୀ ଲୋକମାନେ ସରକାରଙ୍କୁ କର ବା ଟିକସ୍ ନ ଦେଇ ଧର୍ମ ଅର୍ଜନ ନାମରେ କୋଟି କୋଟି ଟଙ୍କା ମନ୍ଦିରକୁ ଦାନ କରି ଦେଉଛନ୍ତି କିନ୍ତୁ ଦୁଃଖ ଓ ଗରିବ ଲୋକଙ୍କୁ ନ ଦେଇ କାମଚୋର ଅଳସୁଆ ପୂଜକମାନଙ୍କୁ ଦେଉଛନ୍ତି । ଆମ ସମାଜରେ ଆହୁରି ଅନେକ ପ୍ରକାର ସୁଧାର ଆଣିବା ଦରକାର ପଡୁଛି ।

ସାଧାରଣତଃ କୁହାଯାଏ ପରଶ୍ରମ କରୁନଥିବା ଲୋକମାନେ ହିଁ ଗରିବ ରୁହନ୍ତି । ଆମ ଦେଶରେ ଦେଖାଯାଉଛି ଅଧିକ ଶାରୀରିକ ପରିଶ୍ରମ କରୁଥିବା ଲୋକମାନେ ହିଁ ବେଶୀ ଗରିବ ଶ୍ରେଣୀରେ ଅଛନ୍ତି । କ୍ଷେତରେ କାମ କରୁଥିବା କୃଷକ, କାରଖାନାରେ କାମ କରୁଥିବା ଶ୍ରମିକ, ଗୃହ, ସଡ଼କ ଓ ମନ୍ଦିର ତିଆରି କରୁଥିବା ମୂଲିଆମାନେ ଗରିବ । ଏହାର ବିପରୀତ କୌଣସି ଉତ୍ପାଦନ ମୂଳକ କାମ ନ କରି ମଠ ଓ ମନ୍ଦିରରେ ବସି ଭାଷଣ ଝାଡୁଥିବା ସାଧୁ, ସନ୍ନ୍ୟାସୀ, ପୂଜାରୀ ଇତ୍ୟାଦି ଅପାର ସମ୍ପତ୍ତିର ମାଲିକ ହୋଇ ବସିଛନ୍ତି । ଖାଲି ସେତିକି ନୁହେଁ, ଶାରୀରିକ ପରିଶ୍ରମ କରୁଥିବା ଲୋକମାନଙ୍କ ସାମାଜିକ ସମ୍ମାନ ବି କମ୍ ଥାଏ । ସବୁ ଠାରୁ ଦୁଃଖର ବିଷୟ ଯେ ସଭ୍ୟ ମଣିଷ ଜାତିର ଅତିଜରୁରୀ ପାଇଖାନା ସଫେଇ କରୁଥିବା ଲୋକମାନଙ୍କୁ ଅଛୁଆଁ କରି ରଖାଯାଇଛି । ସଭ୍ୟ, ଶିକ୍ଷିତ ଲୋକମାନେ ପାଇଖାନା ସଫା କରିବା ପାଇଁ ବହୁତ କମ୍ ପାରିଶ୍ରମିକ ଦେଇଥାନ୍ତି । ସେହି ଭଦ୍ର ଲୋକମାନେ ଓ ଭଦ୍ରମହିଳାମାନେ କୌଣସି ଗେରୁଆ ବସ୍ତ୍ର ପିନ୍ଧା ସାଧୁ (ଚୋର, କି ଠକ, ବ୍ରାହ୍ମଣ କି ଶୂଦ୍ର ଜାଣିବା ଆବଶ୍ୟକ ମଣନ୍ତି ନାହିଁ) ଦ୍ୱାର ମୁହଁରେ ଠିଆ ହେବା ଦେଖିଲେ ତାକୁ ସସମ୍ମାନରେ ଘରକୁ ପାଛୋଟି ନିଅନ୍ତି । ତାକୁ ସୁସ୍ୱାଦୁ ଭୋଜନ ସହିତ ଦକ୍ଷିଣା ଦେଇ ବିଦା କରନ୍ତି । ଏହା ପାଇଁ ବି ସେହି ପୁନର୍ଜନ୍ମ ବାଦର କର୍ମ ସିଦ୍ଧାନ୍ତ ହିଁ ଦାୟୀ । ଅଛୁଆଁ ସଫେଇ କର୍ମଚାରୀକୁ ଦେଲେ ପାପ ହେବ, କାରଣ ପୂର୍ବଜନ୍ମରେ ସେ ପାପ କରିଛି । ସାଧୁମାନଙ୍କୁ ଦେଲେ ପୁଣ୍ୟ ହେବ କାରଣ ସେ ପୂର୍ବଜନ୍ମରେ ପୁଣ୍ୟ କାମ କରିଛି । ସଫେଇ କର୍ମଚାରୀ ଓ ସାଧୁର ଆଜିର କାମକୁ ଭଦ୍ରଲୋକମାନେ ତୁଳନା କରି ଦେଖନ୍ତି ନାହିଁ ।

ସାମାଜିକ ବ୍ୟବସ୍ଥାରେ ଧନୀ ଘରର ଛୁଆ ପିଲାଟି ଦିନରୁ ଭଲ ଖାଇବା, ଭଲ ପିନ୍ଧିବା, ଭଲ ପରିବେଶରେ ରହିବା ପାଉଛି ତେଣୁ ତା’ର ଭବିଷ୍ୟତ ଭଲ ହେବାର ସମ୍ଭାବନା ଅଧିକ ଥାଏ । ଗରିବ ଘର ଛୁଆ ସେସବୁ କିଛି ବି ପାଏ ନାହିଁ ତେଣୁ ଭବିଷ୍ୟତରେ ଭଲ ହେବାର ସମ୍ଭାବନା କମ୍ ଥାଏ । ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରି ଦେଖନ୍ତୁ । ପ୍ରଥମେ ଗରିବ ବା ଦଳିତ ପିଲାକୁ ଧନୀ ପିଲା ସହିତ ଉପଯୁକ୍ତ ଶିକ୍ଷା ଓ ଟ୍ରେନିଂ ଦିଆଯାଉ । ଦ୍ୱିତୀୟରେ ଧନୀ ବ୍ୟକ୍ତିର ଯୁବକ ପୁଅକୁ ବାପାର ସମ୍ପତ୍ତିରୁ ବେଦଖଲ କରି ଗୋଟିଏ ଗରିବ ଘରର ଯୁବକ ସହିତ ଯେ କୌଣସି କ୍ଷେତ୍ରରେ ନିଜେ ପରିଶ୍ରମ କରି ଧନ ରୋଜଗାର କରିବାକୁ କୁହାଯାଏ । ସେମାନଙ୍କର ପରିଶ୍ରମ ଅନୁସାରେ ପାରିଶ୍ରମିକ ଦିଆଯାଉ । ତା’ପରେ ଦେଖାଯିବ ପୂର୍ବଜନ୍ମରେ କିଏ କେତେ ଭଲ ବା ମନ୍ଦ କାମ କରିଛି । ତେଣୁ କିଏ କେତେ ଅଧିକ ଧନ ପାଉଛି । ଆମେ ଦେଖିବା ପଣ୍ଡିତମାନଙ୍କ ସବୁ ଗଣତି ଏଇଠି ଭୁଲ୍ ହୋଇଯିବ ।

ଆପଣ ଯଦି ବାରମ୍ୱାର କହିବେ ତୁ ଗରିବ, ତୁ ଅଛୁଆଁ, ତୁ ଛୋଟ ଜାତିର ଲୋକ ତେବେ ଏହା ନିଶ୍ଚିତ ଭାବେ ଦଳିତ ଲୋକମାନଙ୍କ ମନରେ ଏକ ହୀନ ଭାବନା ଜାତ ହେଉଛି । ସେମାନେ ସତରେ ଭାବୁଛନ୍ତି ଆମେ ପୂର୍ବଜନ୍ମରେ ନିଶ୍ଚୟ କିଛି ମନ୍ଦ କର୍ମ କରିଛୁ । ଏହି ଜନ୍ମରେ ଦୁଃଖ ସହି ଉଚ୍ଚ କୁଳର ଲୋକମାନଙ୍କୁ ସେବା କଲେ ଆସନ୍ତା ଜନ୍ମରେ ମଙ୍ଗଳ ହେବ । ସରଳବିଶ୍ୱାସୀ ଜନତାଙ୍କୁ କିଏ କେମିତି ବୁଝେଇ ପାରିବ ଯେ ପୁନର୍ଜନ୍ମ ହୁଏ ନାହିଁ । ହେଲେ ବି କେଉଁ ଗ୍ୟାରେଣ୍ଟି ଅଛି ତୁମେ ଆସନ୍ତା ଜନ୍ମରେ ମଣିଷ ହୋଇ ଜନ୍ମ ହେବ । କାରଣ ହିନ୍ଦୁ ଧର୍ମ ଅନୁସାରେ ଜୀବନ ୮୪ ଲକ୍ଷ ଯୋନି ପରେ ମଣିଷ ଯୋନି ପାଏ । ଆସନ୍ତା ଜନ୍ମରେ ଯଦି ତୁମେ ବୁଲା କୁକୁର କିମ୍ୱା ଘୁଷୁରୀ ହେବ ତ କ’ଣ ହେବ ? କ’ଣ ଖାଇବ ଜାଣିଛ ତ ?

ଆଦିମ କାଳରୁ ହିନ୍ଦୁମାନଙ୍କୁ କର୍ମ ସିଦ୍ଧାନ୍ତର ଅବୁଝା ଗୋଲୋକଧନ୍ଦା ଭିତରେ ଏମିତି ବାନ୍ଧି ଦିଆଯାଇଛି ଯେ ଆଜି ବି ଯେତେ ଶିକ୍ଷିତ ହେଲେ ମଧ୍ୟ ସେମାନେ ନିଜକୁ ମୁକ୍ତ କରିପାରୁନାହାନ୍ତି । ଅବଶ୍ୟ ଆଜିର କେତେକ ଶିକ୍ଷିତ ଓ ଚାଲାକ୍ ଲୋକମାନେ ବୁଝି ସାରିଲେଣି ଯେ ଦଳିତମାନଙ୍କୁ ଆଉ କର୍ମ ସିଦ୍ଧାନ୍ତ ବାହାନାରେ ଠକି ହେବ ନାହିଁ । ଦଳିତ ସମାଜକୁ ଏହି ମାୟା ଜାଲରୁ ମୁକ୍ତ କରିବାକୁ ଆଜି ଅନେକ ବୁଦ୍ଧିଜୀବୀ, ସମାଜସେବୀ, ଦଳିତ ନେତା ଆଗେଇ ଆସିଲେଣି । ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ବିଦ୍ରୋହର ନିଆଁ ଜଳି ଉଠିଲାଣି । ନିଜର ଅଧିକାର ଦାବି କରି କେତେକ ସ୍ଥାନରେ ଶସ୍ତ୍ର ଉତ୍ତୋଳନ କଲେଣି । ଏହା କିନ୍ତୁ ସେମାନଙ୍କ ଅସଲ ସମସ୍ୟାର ସମାଧାନ ନୁହେଁ । ଯେତେ ଦିନ ପର୍ଯ୍ୟନ୍ତ ସେମାନେ ମାନସିକ ଗୋଲାମୀକୁ ଅସ୍ୱୀକାର ନ କରିଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଶୋଷଣର ଶିକାର ହେଉଥିବେ । ଏଥିରେ ସନ୍ଦେହ ନାହିଁ ।

ଲୋକପ୍ରିୟ ଲେଖା

To Top