ଅଣୁଗଳ୍ପ

ନବକଳେବର

କୁମାର ବିଶ୍ୱରଞ୍ଜନଙ୍କ ଓଡ଼ିଆ ଅଣୁଗଳ୍ପ ନବକଳେବର

ପିତାମାତା, ତୁମେ ଯଦି ଧର୍ମ ଓ ପରମ ତପ, ତୁମେ ଯଦି ସ୍ୱର୍ଗଠାରୁ ବଡ଼, ତୁମର ପରିକ୍ରମା ଯଦି ସାରା ବିଶ୍ୱ ପରିକ୍ରମା ଠାରୁ ଶ୍ରେଷ୍ଠ, ତେବେ ତୁମର ପୂଜା ଅନ୍ୟ ଈଶ୍ୱରପୂଜା ଠାରୁ ଶ୍ରେଷ୍ଠ ନୁହେଁ କି ।

ନବକଳେବର

କିଏ ଭଗବାନ୍ ! କାହାକୁ ଆମେ ପୂଜା କରିବା । କାହିଁକି ଅବା ପୂଜା କରିବା । ସେଇ ସେଲ୍ଫ ପ୍ରୋକ୍ଲେମ୍ଡ ବାବା ଯିଏ ମାୟାଜାଲ ବୁଣି ଶୂନ୍ୟରୁ ଫଳ ବାହାର କରିପାରେ ନା ସିଏ ଯିଏ ନିଜର ଆଶ୍ରମକୁ ବୃନ୍ଦାବନର ଆଧୁନିକ ପରିକଳ୍ପନା ବୋଲ ବାହାସ୍ଫୋଟ ମାରି ଗୋପନାରୀଗଣ ସହ ରାସଲୀଳା କରି ନିଜର କାମକୁ ଚରିତାର୍ଥ କରେ । ଅବା ସେହି ପ୍ରସ୍ତ ମୂର୍ତ୍ତିକୁ ପୂଜା କରିବା ଯାହା ଆଦିମ କାଳରୁ ଜୀବନ୍ତ ବୋଲି ଜନଶ୍ରୁତି ପ୍ରଚଳିତ, ଜନସାଧାରଣ ଯାହାକୁ ନିଜର ସ୍ୱାର୍ଥପର ଅଭିଳାଷ ପୂର୍ଣ୍ଣ କରିବା ପାଇଁ ଯୁଗ ଯୁଗ ଧରି ଲାଞ୍ଚ ହିସାବରେ ପୂଜା, ଅର୍ପଣ, ଦର୍ପଣ କରିଆସୁଛି । କାରଣ ପାଇଁ ପୂଜା କରିବା । ବାବାଙ୍କୁର ଯାଦୁକାରୀ ମାୟାଜାଲ ପାଇଁ ନା ଜନଚେଚତନାର ସେହି ଈଶ୍ୱରଙ୍କର ଅଦୃଶ୍ୟ ମିରାକ୍ଲ ପାଇଁ । ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର କିଛି ଲେଖା ମନେପଡ଼ିଯାଉଥାଏ-

(ରଥ ଉପରେ ଚଳନ୍ତି ପ୍ରତିମା ବିରାଜ ମାନ, ରଥ ବୀର ଦର୍ପରେ ପଥ ଉପରେ ଆଗେଇ ଚାଲିଛି, ରାସ୍ତାର ଦୁଇ ପାର୍ଶ୍ୱରେ ଜନତା ଭକ୍ତି ସଙ୍ଗୀତ ଗାନ କରି ପୁଷ୍ପବୃଷ୍ଟି କରୁଛନ୍ତି । କବି କହୁଛନ୍ତି-

“ରଥ୍ ଭାବେ ଆମି ଦେବ୍, ପଥ୍ ଭାବେ ଆମି,
ମୂର୍ତ୍ତି ଭାବେ ଆମି ଦେବ୍, ହସେନ୍ ଅନ୍ତର୍ଯାମୀ ।”

ଏହିପରି ଅନେକ ଚିନ୍ତା, ଅନେକ ଭାବନା, ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ ଭଗବତୀବାବୁଙ୍କ ମନରେ । ହଠାତ୍ ପୌତ୍ରର କରସ୍ପର୍ଶରେ ପ୍ରକୃତିସ୍ଥ ହେଲେ । ରିଟାୟାରମେଣ୍ଟ ପରେ ଅନେକ ଅଳସ ଅପରାହ୍ଣ ଏହିପରି ବିକ୍ଷିପ୍ତ ଭାବନାରେ କଟିଯାଏ । ଅନେକଦିନ ଧରି ବହୁତ ମନେପଡୁଛି ପିଲାବେଳ କଥା, ବାପାଙ୍କ ଚାକିରୀ ବେଳର କଥା, ଗାଁ ମାଟି କଥା ସର୍ବୋପରି ବୋଉ କଥା । ଅସହାୟ ହୋଇପଡୁଛନ୍ତି ଭଗବତୀବାବୁ, ସମୟ ରଜ୍ଜୁରେ ସ୍ମୃତିର ଏହି ରୋମନ୍ଥନରେ । କେଉଁ ଏକ ଅଜଣା ଅପରାଧବୋଧ ମନକୁ ଆଶଙ୍କିତ କରୁଥାଏ । ଅନ୍ତତଃ ବର୍ତ୍ତମାନ ପାଇଁ ଭାବନାରେ ଲଗାମ କଷି ପୌତ୍ର ସହ ସନ୍ଧ୍ୟା ଭ୍ରମଣରେ ବାହାରିଲେ ।

xxxxxxxxxx

ନା ସବୁ ଗୋଟେ ଗୋଟେ ହିପୋକ୍ରେସୀ । ଯଦି ଶୂନ୍ୟରୁ ଫଳ ବାହାର କରିବା ମିରାକ୍ସ ହୋଇପାରେ, ତେବେ ଜଣେ ନାରୀ ନ ମାସ ଗର୍ଭନଷ୍ଟ କରି ଶିଶୁ ଜନ୍ମ କରିବା କ’ଣ ଗୋଟେ ମିରାକ୍ଲ ନୁହେଁ । ଜଣେ ମା’ ନିଜେ ଭୋକିଲା ରହି ଦୁଇ ପଟ ରୁଟି ନିଜ ପିଲାଙ୍କ ପେଟରେ ଦେବା କ’ଣ ମିରାକ୍ସ ନୁହେଁ । ପିଲାଙ୍କ ସବୁ ଦୁଃଖକଷ୍ଟକୁ ପ୍ରଥମେ ନିଜର କରିନେଉଥିବା ପିତା କ’ଣ ଗୋଟେ ମିରାକ୍ଲ ନୁହେଁ । ପିତାମାତା, ତୁମେ ଯଦି ଧର୍ମ ଓ ପରମ ତପ, ତୁମେ ଯଦି ସ୍ୱର୍ଗଠାରୁ ବଡ଼, ତୁମର ପରିକ୍ରମା ଯଦି ସାରା ବିଶ୍ୱ ପରିକ୍ରମା ଠାରୁ ଶ୍ରେଷ୍ଠ, ତେବେ ତୁମର ପୂଜା ଅନ୍ୟ ଈଶ୍ୱରପୂଜା ଠାରୁ ଶ୍ରେଷ୍ଠ ନୁହେଁ କି ।

ତୁମ ଚରଣଧୂଳି ଶରଧାବାଲିଠାରୁ ଶ୍ରେଷ୍ଠ ନୁହେଁ କି ? ନା, ଆଉ ନୁହେଁ । ଭଗବତପ୍ରେମ ନାଁରେ ଚାଲିଥିବା ଏହି ଅର୍କେଷ୍ଟ୍ରେସନକୁ ଆଜ୍ଞାଧୀନ ଅନ୍ଧ ଭାବେ ଅନୁସରଣ କରିବା ଅଭିଳାଷ ଆଉ ନାହିଁ ।

ଆଜି ହେବ ଠାକୁର ଘରର ପୁନଃ ପ୍ରତିଷ୍ଠା- ନବକଳେବର ! ଲମ୍ଫଟ ବାବା ଓ ପାଷାଣ ଠାକୁରମାନଙ୍କଠାରୁ ଉର୍ଦ୍ଧରେ ପୂଜା ପାଇବେ ଜୀବନ୍ତ ପ୍ରତ୍ୟକ୍ଷ ଈଶ୍ୱର । ପତ୍ନୀଙ୍କୁ ଠାକୁର ଘର ଉପର ଥାକ ଖାଲି କରିବାକୁ କହି, ମାତା ପିତାଙ୍କର ଏକ ପୁରୁଣା ଫଟୋ ବନ୍ଧେଇ କରିବା ପାଇଁ ବଜାରକୁ ବାହାରିଗଲେ ଭଗବତୀବାବୁ । ଆଶ୍ଚର୍ଯ୍ୟ ହୋଇ ପତ୍ନୀ ଚାହିଁ ରହିଥିଲେ ଭଗବତୀବାବୁଙ୍କ ଯିବା ବାଟକୁ । ପଡ଼ିଶାଘରୁ ଭାସି ଆସୁଥିଲା ହିନ୍ଦୀ ସିନେମା ମଧୁର-

“ୟେ ତୋ ସଚ୍ ହେ କି ଭଗୱାନ୍ ହୈ,
ହୈ ମଗର୍ ଫିର୍ ଭି ଅନଜାନ୍ ହୈ,
ଧରତୀ ପେ ରୂପ୍ ମା ବାପ କା,
ଉସ ବିଧାତା କି ପେହଚାନ୍ ହୈ. . . ।”

ଲୋକପ୍ରିୟ ଲେଖା

To Top