ଗଳ୍ପ

ଅପରାଜିତ ଖେଳାଳୀ

ଶ୍ରୀ ଅରବିନ୍ଦ ଦାସଙ୍କ ଓଡ଼ିଆ ଗଳ୍ପ ଅପରାଜିତ ଖେଳାଳୀ

ଠିକ୍ ଅଛି, ଆଜି ସନ୍ଧ୍ୟାରେ ଖେଳିବା । ମଉସା ଅପାଣଙ୍କ ପଇସାଟା ଆଦାୟ କରିନେବା । ପଛପଟୁ ବୋଉ ଆସି କହିଲା, “ତୁ ତୋ ବାପାଙ୍କ ଫୁଟାଣିଆ କଥା କହିଁକି ଶୁଣୁଛୁ ବା? କୁଜି ଅସରପା ଉପରେ କାଣୀ ବିଲେଇ ରାଜା ।”

ଅପରାଜିତ ଖେଳାଳୀ

”ଶୁଣ, ତମେ ଏଥର ଭିଲାଇ ଗଲା ପୂର୍ବରୁ ବାପାଙ୍କୁ କିଛି ଟଙ୍କା ଦେଇକରି ଯିବ ।” ପ୍ଲେଷ୍ଟେସନଟା ବନ୍ଦ କରି ଅବନୀ ଅନେଇଲା ସ୍ତ୍ରୀ ମିନୁ ଆଡକୁ, ଠିକ୍ ଯେମିତି ସିଜୁବୁଦା ଉପରୁ ଏଣ୍ଡୁଅଟେ ମୁଣ୍ଡଟେକି ଅନାଇଲା ପରି । ଭଲ କରି ବୋଧେ ବୁଝିପାରୁନଥିଲା ମିନୁର କଥାକୁ ।

”ବାପାଙ୍କର କଣ ଟଙ୍କା ଦରକାର ? ବୋଉ କହୁଥିଲା କି ? ତମେ କେମିତି ଜାଣିଲ ? କଣ ପାଇଁ ଦରକାର?” ପ୍ରଶ୍ନଗୁଚ୍ଛର ତୀର ଗୁଡାକୁ ନିକ୍ଷେପ କଲେ ଅବନୀ, ସ୍ତ୍ରୀଙ୍କର ଗୋଟିଏ ପ୍ରଶ୍ନର ଜବାବରେ । ମିନୁ ଖଟରେ ବସିବଡି, ପାଖରେ ଶୋଇଥିବା ପୁଅ ବୁନୁକୁ କହିଲେ, ” ତୁ ଜେଜେଙ୍କ ସହ ଦୋକାନ ଯିବୁ ପରା ? ତୋ ପାଇଁ ଜେଜେ ତଳେ କାର୍‌ରେ ଅପେକ୍ଷା କରିଛନ୍ତି ।”

ପ୍ଲେଷ୍ଟେସନ୍ ଛାଡି ବାହାରକୁ ଯିବାର ମନ ବୋଧେ ନଥିଲା ବୁନୁର । ମମିର ଜବରଦସ୍ତି ଯୋଗୁ ବାଧ୍ୟ ହୋଇ ବାହାରିଲା ।

ଏଥରେ ଅବନୀଙ୍କ ପାଖକୁ ଲାଗିଆସି କହିଲା ମିନୁ, ”ମୋର ଯାହା ମନେ ହେଉଛି, କିଛି ବୋଧେ ପଇସା ପତ୍ରର ଅସୁବିଧା ହୋଇଛି । ବାପାଙ୍କୁ ସଉଦା ତାଲିକା ଦେଲା ବେଳେ, ବୋଉ ବାରମ୍ବାର କେଉଁ ଜିନିଷ କେତେ ଦାମ୍‌ବାଲା ଆଣିବେ, ତାହା ଚେତେଇ ଦେଇ କହୁଥିଲେ । ସର୍‌ବତି ଗହମ ବଦଳରେ ଏବେ କଣ୍ଟ୍ରୋଲ ଗହମ ଆସୁଛି । ଟଙ୍କା ଦେଲାବେଳେ ବୋଉ ବାପାଙ୍କୁ ଅଯଥା ଖର୍ଚ୍ଚ ନକରିବା ପାଇଁ ମନେପକାଇ ଦେଉଥିଲେ ।”

କିଛି ଗୋଟେ ବଡ ଅସୁବିଧା କଥା ଶୁଣିବ ବୋଲି ପ୍ରସ୍ତୁତ ଥିବା ଅବନୀ, ସ୍ତ୍ରୀ ଠାରୁ ଏଇ ସାମାନ୍ୟ କଥା ଶୁଣି କହିଲା, ”ତମେ ଖାଲିଟାରେ ବ୍ୟସ୍ତ ହେଉଛ । ଆଜିକାଲି ଦରଦାମ୍ ଯାହା ହେଲାଣି, ସେଥିରେ ହୁସିଆର ହୋଇ ଚଳିବା ଉଚିତ୍ । ଏବେତ ଭୁବନେଶ୍ୱରର ଅବସ୍ଥା ଦିଲ୍ଲୀ, ବମ୍ବେ ପରି ମହଙ୍ଗା ହେଲାଣି । ସେଥିପାଇଁ ବୋଉ ଏମିତି କହୁଥିବ ।”

”ମୁଁ ତ ସେଇଆ କହୁଛି । ବାପାଙ୍କ ପେନ୍‌ସନ୍ ଓ ତଳ ଘର ଭଡା ଛଡା ଆଉ କଣ ଇନ୍‌କମ୍ ଅଛି ବାପାଙ୍କର? ବେଳେବେଳେ ଅବଶ୍ୟ ଗେଷ୍ଟଲେକ୍ଚର ହୋଇ କୁଆଡେ କୁଆଡେ ଯାଉଛନ୍ତି । ଘରଖର୍ଚ୍ଚ, ଡ୍ରାଇଭର୍, କାର୍ ମେଣ୍ଟେନାନ୍ସ, ତାଛଡା ଘରେ ତ ସବୁବେଳେ ଗେଷ୍ଟ । ତା ଉପରେ ପୁଣି ତମ ଭଉଣୀ ମାନଙ୍କ ଘରକୁ ଦେବାନବା ଅଲଗା ।” ମିନୁର କଥା ଶୁଣି ଟିକିଏ ଚିନ୍ତାକଲା ଅବନୀ । ସତରେ ଖର୍ଚ୍ଚ ବହୁତ ବଢ଼ିଯାଇଛି । ହୁ ହୁ ହୋଇ ଦରଦାମ୍ ବଢ଼ୁଛି । ବାପାଙ୍କୁ ପଇସା ଦେଲେ ଜମା ନେବେ ନାହିଁ, ଭାରୀ ସ୍ୱାବଲମ୍ବୀ ଲୋକ ସେ । କଲେଜ ପ୍ରଫେସର ହିସାବରେ ତାଙ୍କର ଯେତିକି ଖ୍ୟାତି, ଆତ୍ମଅଭିମାନ ବି ସେହି ପରିମାଣରେ ଅଧିକ ।

”ବାପାଙ୍କ ପେନ୍‌ସନ୍ ଓ ଘରଭଢ଼ା ଛଡା ଗାଁ ଠାରୁ ବି ତ ଚାଉଳ ମୁଗ, ବିରି ଆସୁଥବ । ଦୁଇଜଣ ଲୋକ ଚଳିବା ପାଇଁ କିଛି ଅସୁବିଧା ହେଉନଥିବ ।” ଅବନୀ କଥା ଶୁଣି ମିନୁ କହିଲା, ”ତମେ କେବେ ନିଜଆଡୁ ପଚାରିଛ ? ବାପା ଓ ବୋଉଙ୍କର ଔଷଧ ପାଇଁ ବି ଗୁଡାଏ ଖର୍ଚ୍ଚ ହେଉଛି । ତାଛଡା ଆମେ ଯେତେବେଳେ ଆସି ପହଞ୍ଚି ଯାଉଛେ, ଖର୍ଚ୍ଚତ ଆହୁରି ଅଧିକ ହେଉଥିବ ।”

ଅବନୀ ଭାବୁଥିଲା, ମିନୁ କଥାରେ ସତ୍ୟତା ଅଛି । ସେମାନେ ବର୍ଷରେ ଥରେ ବା ଦୁଇଥର ଘରକୁ ଆସନ୍ତି । ବୁନୁର ଛୁଟି ଓ ତା ଅଫିସ୍ ଛୁଟିକୁ ଦେଖି ଘରକୁ ଆସିଲେ ସେ ଅବଶ୍ୟ ଯାଇଁ ମାର୍କେଟିଂ କରେ; ହେଲେ ବହୁତ କମ୍ । ସେମାନଙ୍କ ପସନ୍ଦର ସବୁ ଜିନିଷ ବାପା ହିଁ କିଣି ଆଣନ୍ତି । ଇଲିଶି ମାଛ, ଖାସୀ ମାଂସୁଠୁ ଆରମ୍ଭ କରି କଖାରୁ ଫୁଲ, ଓଉ ପର୍ଯ୍ୟନ୍ତ, ବରା, ପିଆଜି, ଦହିବରା, ରୋଲ୍, ଏମିତି କେଉଁ ଜିନିଷ ନାହିଁ, ଯାହା ବାପା, ବୋଉ ଭୁଲନ୍ତି ସେମାନଙ୍କୁ ଖୁଆଇବା ପାଇଁ ।

ସତେତ ପୁରାପୁରି ଭୁଲିଯାଇଛନ୍ତି ବାପାଙ୍କ ବ୍ଲଡ୍‌ପ୍ରେସର ଓ ବୋଉର ଡାଇବେଟିସ୍ କଥା । ଔଷଧ ବାବଦରେ ଗୁଡାଏ ଖର୍ଚ୍ଚ ହେଉଥିବ । ବୋଉ ପୁଣି ସ୍ପଣ୍ଡାଲିସିସ୍ ପାଇଁ ଫିଜିଓଥେରାପି କରୁଛି । ଡ୍ରାଇଭର୍ ତ ପାଞ୍ଚ ହଜାର ନେଉଥବ । କାର୍ ର ପେଟ୍ରୋଲ୍ ଖର୍ଚ୍ଚ, ଘରର ପେଣ୍ଟିଙ୍ଗ ଓ ମେଣ୍ଟନାନସ୍ ଗୋଟିଏ ବୋଲି ଗେଲବସର ପୁଅ ବୋଲି କେମିତି ଭୁଲିଯାଉଛନ୍ତି ଏସବୁ ? ବାପାଙ୍କ ହସହସ ମୁହଁ ଏବଂ ବୋଉର ମମତାମୟୀ ଓଢ଼ଣା ଆଢ଼ୁଆଳେ ଲୁଚିଯାଇଛି ସେମାନଙ୍କର ଅସୁବିଧା । ବାପା ବୋଉ କେବେହେଲେ ନିଜ ପିଲାଙ୍କୁ ମୁହଁ ଖୋଲି କିଛି ମାଗନ୍ତି ନାହିଁ । ଜନ୍ମଦିନ, ପ୍ରଥମାଷ୍ଟମୀରେ ଏବେ ବି ବୋଉ ଅବନୀ ପାଇଁ ନୂଆ ଡ୍ରେସ୍ ପଠାନ୍ତି । ସାବିତ୍ରୀ ବୋହୁ ପାଇଁ ଶାଢ଼ୀବି ମଧ୍ୟ । ହେଲେ ବୋଉକୁ ନେଇ ତା ପାଇଁ ଶାଢ଼ୀଟିଏ କିଣିବାକୁ ଗଲାବେଳେ, ଜମାରୁ ମଙ୍ଗିବନି, “ଏତେ ଶାଢ଼ୀ ମୋର ଅଛି । ବୁଢ଼ୀ ବୟସରଙ୍କ ନୂଆଶାଢ଼ୀଗୁଡାକ କଣ ହେବ ?” ବାପାଙ୍କ ପାଇଁ ବି କିଛି କିଣିଲେ କହିବେ, ”ଅଜଥାରେ ପଇସା ଖର୍ଚ୍ଚ କରିବା
ଦରକାର ନାହିଁ, ସେଭିଂ କର ନିଜ ଭବିଷ୍ୟତ ପାଇଁ ।”

”କଣ ବସି ଭାବୁଛ ?” ମିନୁ କଥାରେ ବାସ୍ତବତାକୁ ଫେରିଆସିଲା ଅବନୀ ।

”ତମେ ଠିକ୍ କହିଛି । ବାପାଙ୍କ ପାଶ୍‌ବୁକରେ କିମ୍ବା ବୋଉ ନାଁରେ କିଛି ଟଙ୍କା ଫିକ୍ସ୍ ଡିପୋଜିଟ୍ କରିଦେବ ।”

”ପାଗଳ ହେଲ ତମେ ? ସାଙ୍ଗେ ସାଙ୍ଗେ ଫେରେଇଦେବେ । ଅନ୍ୟ କିଛି ଉପାୟ ଦେବାକୁ ପଡିବ । ଯିବା ଆଗରୁ ଅଧିକ ଅଧିକ ରାସନ ଆଣି ଘରେ ରଖିଦିଅ । ବାପା ଓ ବୋଉଙ୍କ ପାଇଁ ଭଲ ମେଡିକ୍ଲେମ୍ ପଲିସି କଲେ ଭଲ ହୁଅନ୍ତା । ମୋ ମନକୁ ଗୋଟେ ଉପାୟ ଆସୁଛି ।” ଫୁସ୍ ଫୁସ୍ କରି କିଛି କଥା ଅବନୀଙ୍କ କାନରେ କହିଲା ମିନୁ ।

କଥାଟା ମନକୁ ପାଇଗଲା ଅବନୀଙ୍କର । ”ସତରେ ତମ ବ୍ରେନ୍‌ଟା ବହୁତ ତୀକ୍ଷ୍ମ । ତମେ ଯଦି ଚେସ୍ ଖେଳୁଥାନ୍ତ, ତେବେ ବିଶ୍ୱନାଥ ଆନନ୍ଦକୁ ବି ହରାଇ ଦେଇଥାନ୍ତ” ଅବନୀ କହିଲା ।

ଖଟରୁ ଉଠିପଡି କହିଲା ମିନୁ “ମୋ ବ୍ରେନ୍ ତୀକ୍ଷ୍ମ ହୋଇଥିଲେ ତମକୁ କଣ ବାହାହୋଇଥାନ୍ତି ? ଏତେ ଦିନ ପରେ ଗ୍ୟାରିକାସ୍ପାରୋଭ୍‌ଙ୍କ ମୁଁହରୁ ସ୍ତ୍ରୀ ର ପ୍ରସଂସା ? ସୂର୍ଯ୍ୟ କେଉଁଦିଗରେ ଉଇଁଛି କେଜାଣି ? ହସି ହସି ଚାଲିଗଲା ମିନୁ ।

ବୋକାଙ୍କ ପରି ଅନେଇ ରହିଥିଲେ ଅବନୀ । ମନକୁ ହାଲକା କରିବା ପାଇଁ ବେଳେବେଳେ ଚେସ୍ ଖେଳନ୍ତି ସେ । ଏବେ ତ କମ୍ପ୍ୟୁଟରରେ ନହେଲେ ପ୍ଳେ ଷ୍ଟେସନ୍‌ରେ ଚେସ୍ ଖେଳନ୍ତି । ପିଲାବେଳେ ବାପାଙ୍କ ଠାରୁ ଶିଖିଥିଲେ ଏହି ଚେସ୍ ଏବେବି ବାପା ତାଙ୍କ ସାଙ୍ଗମାନଙ୍କୁ ଘରକୁ ଡକାଇ ଚେସ୍ ଖେଳନ୍ତି । ମିନୁର କଥା ତାଙ୍କ ମନକୁ ଆସିଲା । ଯାହାହେଉ ଉଲ ଉପାୟଟେ ଜୁଟିଛି । ଦେଖାଯାଉ କେମିତି କାମରେ ଲଗାଉଛନ୍ତି ସେ ।

ଖରାବେଳେ ପଡିଶାଘର ବ୍ରଜମଉସାଙ୍କ ସହ ଚେସ୍ ଖେଳୁଥାନ୍ତି ସତ୍ୟବ୍ରତ । ଚେୟାର୍‌ରେ ବସି ଦେଖୁଥାଏ ଅବନୀ “ଆଉ ତୋ ରାଜାକୁ ବଞ୍ଚେଇ ପାରିବୁ ନାହିଁ ଖେଳଖତମ୍”, ଖୁସିରେ ପାଟି କରିଉଠିଲେ ସତ୍ୟବ୍ରତ ।

“ଆଜି ତୋ ଭାଗ୍ୟ ଭଲ । କାହା ମୁଁହ ଚାହିଁଥିଲି କେଜାଣି ? ଶହେଟଙ୍କା ପାଣିରେ ପଡିଲା । କାଲି ମୁଁ ନିଶ୍ଚୟ ଜିତିବି” । ଉଠୁ ଉଠୁ କହୁଥିଲେ ବ୍ରଜ ମଉସା । “ସେ ମିଛ ଫୁଟାଣି ମାରନା । କେତେଥର ହରାଇଛୁ ମୋତେ?” ପଚାରୁଥିଲେ ସତ୍ୟବ୍ରତ । ଅବନୀଆଡକୁ ଅନାଇ ବ୍ରଜମଉସା କହିଲେ, “ତୋ ବାପାକୁ ଦେଖେ, ଆମ ପରି ଅଣଖେଳାଳିଙ୍କୁ ହରାଇ ଫୁଟାଣି ମାରୁଛି । କାଲି ତୁ ଟିକେ ମୋ ପାଇଁ ଖେଳିବୁ । ହଜାରେ ଟଙ୍କା ବାଜି ମୁଁ ଲଗାଇବି ।”

“ତା ହେଲେ ତ ତୋ ପଇସା ନିଶ୍ଚୟ ବୁଡିଲା ବୋଲି ଜାଣ । ଅବୁକୁ ମୋ ନାତିଟୋକା ବି ହରାଇ ଦେବ । ମୋ ସାଙ୍ଗରେ ସେ ପରା ଡରିକରି ଖେଳୁନି ।” ପ୍ରତିଦ୍ୱନ୍ଦୀକୁ ରଣହୁଂକାର ଦେଲାପରି ଆହ୍ୱାନ କରୁଥିଲେ ସତ୍ୟବ୍ରତ । ଟିକିଏ ଲାଜ ମାଡିଲା ଅବନୀକୁ ବାପାଙ୍କ ମୁଁହରୁ ଏମିତି କଥା ଶୁଣି । ସବୁବେଳେ ଚେସ୍ ବୋର୍ଡଟା ଆଗରେ ବସୁଛନ୍ତି ବୋଲି ଯେ ବାପା ତାକୁ ହରାଇଦେବ, ଏ କଥା ତାର ହୃଦୟଙ୍ଗମ ହେଉନଥିଲା । ପିଲାବେଳେ ଭଲକରି ଖେଳ ଶିଖିନଥିଲା ବୋଲି ହାରିଯାଉଥିଲା । କିନ୍ତୁ ବାପାଙ୍କୁତ ସେ ବହୁଥର ହରାଇଛି ।

ଏ ଚ୍ୟାଲେଞ୍ଜ୍ ସେ ଗ୍ରହଣ କରି ଦେଖାଇଦେବ ବଡ ଖେଳାଳୀ କିଏ ?

ଠିକ୍ ଅଛି, ଆଜି ସନ୍ଧ୍ୟାରେ ଖେଳିବା । ମଉସା ଅପାଣଙ୍କ ପଇସାଟା ଆଦାୟ କରିନେବା । ପଛପଟୁ ବୋଉ ଆସି କହିଲା, “ତୁ ତୋ ବାପାଙ୍କ ଫୁଟାଣିଆ କଥା କହିଁକି ଶୁଣୁଛୁ ବା? କୁଜି ଅସରପା ଉପରେ କାଣୀ ବିଲେଇ ରାଜା ।”

ସ୍ତ୍ରୀଙ୍କ ଛୁଗୁଲେଇବାଟାକୁ ହସରେ ଉଡାଇଦେଲେ ସତ୍ୟବ୍ରତ । ବୁନୁ କହିଲା, “ଜେବେ, ତମେ ମୋ ଡ୍ୟାଡିକୁ ହରାଇଦେବ? ମୁଁ ତମ ଟିମ୍‌ରେ ରହିବି ।”

ନାତିକୁ କୋଳକୁ ଆଉଜାଇ ଗର୍ବର ସହ ଘୋଷଣା କଲେ ସତ୍ୟବ୍ରତ “ଦେଖିବୁ ରହ, କେମିତି ହାରିବ ତୋ ଡ୍ୟାଡି ।”

ସନ୍ଧ୍ୟାରେ ବର୍ଷା ଆରମ୍ଭ ହୋଇଯାଇଥିଲା । ବ୍ରଜ ମଉସା ଛତା ନେଇ ଆସିଯାଇଥିଲେ । ଗରମ ଗରମ ପକୁଡି ଆଉ ଚା ସହିତ ଚେସ୍ ଖେଳ ଆରମ୍ଭ ହୋଇଯାଇଥିଲା । ସିସିଲିଆନ୍‌ଡିଫେନସ୍‌ରେ ଖେଳ ଆରମ୍ଭ କରିଥିଲେ ଅବନୀ । ବାପାଙ୍କ ସମସ୍ତ ଚାଲ୍ କୁ ଆକଳନ କରି ନିଜର ଚାଲ୍ ଚଳାଉଥିଲେ । ପ୍ରଥମ ଗେମ୍ ଜିଣି ଅବନୀ ହଜାରେ ଟଙ୍କା ଜିତିଲେ । ପୁଣି ବାଜି ଲାଗିଲା, ପାଙହଜାର, ଖେଳ ଚାଲିଲା ।

ଚମତ୍କାର ଖେଳୁଥିଲେ ସତ୍ୟବ୍ରତ । ହେଲେ ଅବନୀ ବି ନିଜର ପାରଙ୍ଗମତା ଦେଖାଉଥିଲେ ଯାହା ସବୁ ଇଣ୍ଟରରନେଟ୍‌ରୁ ଶିଖିଥିଲେ ।

ବ୍ରଜମଉସା ଖେଳଦେଖାରୁ ଉଠି ଚାଲିଯାଇଥିଲେ, ଯେତେବେଳେ ଅବନୀ ପନ୍ଦର ହଜାର ହାରିଗଲା । ବାଜି ଅବଶ୍ୟ ଅବନୀ ଲଗାଉଥିଲା । ହେଲେ ତାକୁ ସପୋର୍ଟ କରୁଥିବାରୁ ଅପମାନର ବୋଝ ବ୍ରଜ ମଉସାଙ୍କୁ ମୁଣ୍ଡେଇଲା ପରି ଲାଗୁଥିଲା । ସତ୍ୟବ୍ରତଙ୍କ ପଟେ ମିନୁ ଓ ବୁଲ୍ଟୁ ଥିଲେ ।

ଖେଳ ସରିବା ବେଳକୁ ୩୫ ହଜାର ଟଙ୍କା ହାରିଯାଇଥିଲେ ଅବନୀ । ବିଶ୍ୱଚମ୍ପିଆନ୍‌ଶିପ୍ ଜିତିଲା ପାରି ସେଲିବ୍ରେସନ୍ କରୁଥିଲେ ସତ୍ୟବ୍ରତ, ମିନୁ ଓ ବୁନୁ । ପରଦିନ ବ୍ୟାଙ୍କରୁ ଟଙ୍କା ଉଠାଇ ବାପାଙ୍କ ହାତକୁ ବଢ଼ାଇନେଇଥିଲେ ଅବନୀ, ଯଦିଓ ସତ୍ୟବ୍ରତ ମନାକରୁଥିଲେ ।

ଆଉଟିକେ ଭଲକରି ପ୍ରାକ୍ଟିସ୍ କରି ଆପଣଙ୍କୁ ନିଶ୍ଚୟ ହରାଇ ମୋ ପଇସା ଅସୁଲ କରିନେବି , କହିଲା ଅବନି । ବୋଉ କିନ୍ତୁ ବାପାଙ୍କ ଉପରେ ଚିଡୁଥିଲା । ପୁଅକୁ ହରାଇ ଦେଇଛନ୍ତି ବୋଲି । ପରଦିନ ଭିଲାଇ ଫେରିଯାଇଥିଲେ ସେମାନେ । ଟ୍ରେନ୍‌ରେ ବସି ମ୍ୟାଗାଜିନ୍ ପଢ଼ୁଥିଲା ଅବନୀ । ମିନୁ ଟ୍ରେନ୍‌ର କାଚବାଟେ ବାହାରର ଦୃଶ୍ୟ ଦେଖୁଥାଏ ।

“ଭଲ ହେଲା, ଖେଳ ବାହାନାରେ ବାପାଙ୍କୁ କିଛି ପଇସା ଦେଇଦେଲ ।”

“ଆଇଡିଆ ତ ତମର । ତେଣୁ ସଫଳତାର ଅଧିକାରୀ ତମେ । ମୁଁ ଭାବୁଥିଲି ପଚାଶହଜାର ହୋଇଥିଲେ ଭଲ ହୋଇଥାନ୍ତା ।”

ଅବନୀ କହିଲା “ତମେ କିନ୍ତୁ ଯାହା କୁହ, ବାପା ସତରେ ଜଣେ ଭଲ ଖେଳାଳୀ । ମୋତେ ଜମା ଲାଗୁନଥିଲା କି ତମେ ଜାଣିଶୁଣି ହାରୁଛ ବୋଲି ।” ମିନୁକଥା ଶୁଣି ଆଶ୍ଚର୍ଯ୍ୟ ହେଲେ ଅବନୀ । କଣ କହି ବୁଝାଇବେ ସ୍ତ୍ରୀ କୁ? ତାଙ୍କ ଖେଳାଳୀପଣ ଉପରେ ସନ୍ଦେହ ମିନୁର? କାହିଁକି ଭଲା ହାରୁଥିଲେ ସେ କେଜାଣି ? ଚିଡିଯାଉଥିଲେ ଭିତରେ । ଭିତରେ କେମିତି ବୁଝାଇବେ ମିନୁକୁ ?

”ବାପା ଭଲ ଖେଳନ୍ତି, ହେଲେ ଚାହିଁଲେ ମୁଁ ତାଙ୍କୁ ଅତି ସହଜରେ ହରାଇ ଦେଇପାରିବି । ଆଟାକିଂ ଗେମ୍ ସିନା ଖେଳନ୍ତି, ହେଲେ ତାଙ୍କ ଡିଫେନ୍ସ୍ ପୁରା ଉଇକ୍” । ଅବନୀ ନିଜ ତରଫରୁ ସଫେଇ ଦେଉଥିଲା ।

”ତମେ ଠିକ୍ କରିଛ ଡ୍ୟାଡି । ଜେଜେଙ୍କୁ ଭଲଭାବେ ଖେଳି ଆସେନା । ତମେ ତାଙ୍କଠାରୁ କେମିତି ହାରିଲ କେଜାଣି ? ଆଜି ସକାଳେ ମୋ ଠାରୁ ଚେସ୍‌ରେ ପାଞ୍ଚଥର ହାରିଗଲେ । ଚ୍ୟାଲେଞ୍ଜରେ ହାରିଯାଇ ମୋତେ ପଇସା ବି ଦେଇଛନ୍ତି ।” ନିଜ କାନ୍ଧଗଳା ବ୍ୟାଗ୍ ବିତରୁ କାଗଜ ପ୍ୟାକେଟ୍‌ଟା ବାହାର କରି ଆଣିଲା ବୁନୁ , “ନିଜ ହାର୍ ମାନିନେଇ ଓଡିଆରେ କଣ ସବୁ ଲେଖିଛନ୍ତି ।”

ବାପାଙ୍କ ହାତଲେଖା କାଗଜ ଖଣ୍ଡେ “ଏ ପଇସା ବୁଲ୍ଟୁ ନାଁରେ ଫିକ୍ସ୍ ଡିପୋଜିଟ୍ କରିନେବୁ” ।

ପ୍ୟାକେଟ୍ ଖୋଲି ଦେଖିଲେ ଅବନୀ ବୁଲ୍ଟୁ ନାଁରେ ୩୬ ହଜାର ଟଙ୍କାର ଚେକ୍‌ଟେ । ବୁମେରାଂ ପରି ପଇସା ଫେରିଆସିଥିଲା । ବାପା ପୁଣି ଅଧିକ ହଜାରେ ଟଙ୍କା ଦେଇଛନ୍ତି । ସବୁଥର ଯେମିତି ବୁଲ୍ଟୁ ହାତରେ ଦିଅନ୍ତି । ମିନୁ କହୁଥିଲା, “ବାପା ପଇସା ଫେରେଇ ଦେଲେ ?”

ଅବନୀ ବୁଝିପାରୁଥିଲେ ବାପାଙ୍କ ଦୃଦୟଟା ସମୁଦ୍ରପରି ଗଭୀର ଓ ଅକଳନୀୟ । ସମୁଦ୍ର କଣ କେବେ କାହାଠାରୁ କିଛି ଗ୍ରହଣ କରେ? ନା, ବରଂ ତା ବକ୍ଷକୁ ଆମେ ନିକ୍ଷେପ କରିଥିବା ଜିନିଷ ସବୁ ଲହରୀମାଳାରେ ଆମକୁ ପୁଣି ଫେରେଇ ଦିଏ । ବାପାଙ୍କୁ ହରାଇବା ସତରେ ସହଜ ନୁହେଁ ।

ମନେମନେ ଭାବୁଥିଲା ଅବନୀ “ସତରେ ବାପା ଜଣେ ଅଦ୍ୱିତୀୟ ଅପ୍ରତିନ୍ଦ୍ୱନ୍ଦୀ ଖେଳାଳୀ ।”

ଲୋକପ୍ରିୟ ଲେଖା

To Top