ପ୍ରବନ୍ଧ

ଅମୂର୍ତ୍ତ ଆତ୍ମାର ମୂର୍ତ୍ତିକାର କବି ଦୀପକ ମିଶ୍ର

ଷାଠିଏ ଦଶକର ଆରମ୍ଭରେ ଦୀପକ ମିଶ୍ରଙ୍କ ପ୍ରଥମ କବିତା ସଂକଳନ ଅସମାପିକା ପ୍ରକାଶିତ ହୁଏ । ଏହି କବିତା ପୁସ୍ତକଟି ପ୍ରକାଶିତ ହେବା ସହିତ ତାଙ୍କୁ ମିଳେ କବିର ସାବାସି ଓ ସ୍ୱୀକୃତି । ସେତେବେଳେ ଆକାଶବାଣୀର ସାପ୍ତାହିକ ସାହିତ୍ୟ କାର୍ଯ୍ୟକ୍ରମରେ ଏହାକୁ ସମୀକ୍ଷା କରି ବସନ୍ତି ଯଶସ୍ୱୀ ସାହିତ୍ୟିକ ମନୋଜ ଦାସ । ଏଇଠୁ ଆରମ୍ଭ ହୁଏ ତାଙ୍କ ଦୀର୍ଘ କବିତା ରଚନାର ନିଦାଘ ଯାତ୍ରା । ସରେ ସୁଖ ସଂହିତାରେ । ବିଚିତ୍ରବର୍ଣ୍ଣା ସୁଖାନୁଭୂତିର ସ୍ପର୍ଶ ଅଭିବ୍ୟକ୍ତିରେ । ବିଂଶ ଶତାବ୍ଦୀର ଶେଷ ଅର୍ଦ୍ଧଶତକରୁ ଏକବିଂଶ ଶତାବ୍ଦୀର ଆଦ୍ୟକାଳ ପର୍ଯ୍ୟନ୍ତ ତାଙ୍କ ବିଚ୍ଛୁରିତ କାବ୍ୟ ସ୍ଫୁରଣର ଏକ ଅଭ୍ୟୁଦିତ ନିରବଧି ଯାତ୍ରା । ପ୍ରାଜ୍ଞିକ ପ୍ରଗ୍ଳଭତାର ଯୁଗପତ୍ ସମନ୍ୱୟରେ ସେ ରଚନା କରି ବସନ୍ତି କବିତା ପରେ କବିତା । ନିରାଭରଣ ଆତ୍ମବୋଧର ଶବ୍ଦଚଞ୍ଚଳ ବର୍ଣ୍ଣମାଳା । ନିବିଡ଼ ନିଃଶ୍ୱାସରେ ପହଁରି ବୁଲୁଥିବା ଏକ ବିଶୁଦ୍ଧ ସୁରଭି ହେଉଛି ତାଙ୍କ କବିତା ।

ସେ ଥିଲେ ଅନ୍ତରାତ୍ମାର କବି । ଅନ୍ତରାତ୍ମାର ସ୍ୱରକୁ ଶୁଣି ତାକୁ ବର୍ଣ୍ଣମୟ କରିବାରେ ତାଙ୍କ କବିତାର ସିଦ୍ଧିତ୍ୱ । ଯୁକ୍ତି ବାଦିତା ବଦଳରେ ଏକ ଶୁଭ୍ର ଅନୁଚ୍ଚାରିତ ପ୍ରଶ୍ନକୁ ବିବିଧ ଦୃଶ୍ୟ ଆବେଦନ ଜରିଆରେ ଉପସ୍ଥାପିତ କରିବା ତାଙ୍କ କବିତାର ବୈଚିତ୍ର୍ୟ । ଏଥିରେ ଦୃଶ୍ୟସ୍ତ ହୁଅନ୍ତି ପୁରାଣଠାରୁ ଆରମ୍ଭ କରି ଇତିହାସର ଚିତ୍ର ଓ ଚରିତ୍ର, ନଦୀରୁ ନକ୍ଷତ୍ର ପର୍ଯ୍ୟନ୍ତ ରାଶି ରାଶି ରୂପକଳ୍ପ । ପୁଣି ଗାଁ ଚାଟଶାଳୀର ଗୌରମୋହନ ମାଷ୍ଟ୍ରେଙ୍କ ପରି ଅତି ସାଧାରଣ ମଣିଷ । ପ୍ରେମ ଓ ଯନ୍ତ୍ରଣା, ଦେହ ଓ ଦହନ, ପାପ ଓ ପ୍ରକ୍ଷାଳନ ପରି ଜୀବନର ଦୁଇପାର୍ଶ୍ଵର ଦୁଇ ଭାବଭୂମିର ପ୍ରସାରିତ ଦିଗନ୍ତ ହେଉଛି ତାଙ୍କ କବିତା । ତାଙ୍କର ପ୍ରକାଶିତ ପ୍ରଥମ କବିତା ସଂକଳନର ପ୍ରଥମ କବିତା ଆରମ୍ଭ ହୁଏ- ମୋ ଆତ୍ମାକୁ ଦେଖିଛ । (ବାର୍ତ୍ତା) ପ୍ରଶ୍ନରେ ଓ ଶେଷ ପ୍ରକାଶିତ କବିତା ସଂକଳନର ଶେଷ କବିତା (ଚନ୍ଦ୍ରସେଣାର ସୁଖ)ରେ ଦୁଃଖକୁ ନିଃଶେଷ ସୁଖରେ ପରିଣତ କରିପାରୁଥିବା ପ୍ରତ୍ୟୟରେ । ନିଜର ପଚାଶ ବର୍ଷରୁ ଉର୍ଦ୍ଧ୍ଵ କବି ଜୀବନରେ ସେ ରଚନା କରିଯାଇଛନ୍ତି ରାଶି ରାଶି କବିତା । ସମୁଦାୟ ଅଠରଗୋଟି ସଂକଳନରେ ଏ ସବୁଗୁଡ଼ିକ ସଂକଳିତ ।

କବିଙ୍କ ନିଜସ୍ୱ ଉପଲବ୍ଧିର ଭାଷାରେ ବର୍ଣ୍ଣନାତୀତ ଦୁଃଖ, ଯନ୍ତ୍ରଣା ଓ ରକ୍ତକ୍ଷରଣରେ ଅବଗାହନ କରି ଜନ୍ମ ନିଏ ଶବ୍ଦଟିଏ ଖାସ୍ କବିତା ପାଇଁ । ତା’ର ତୀବ୍ରବେଦନା ବୋଧ ଆଚ୍ଛନ୍ନ କରି ରଖିଥାଏ ମଗ୍ନ ଚୈତନ୍ୟକୁ । କ୍ଷଣଭଙ୍ଗୁର ପାର୍ଥିବତା ଓ ଚିରନ୍ତନତାର ନିରବଧି ଆକର୍ଷଣ ପରସ୍ପର ବିରୋଧି ହୋଇ ତାଙ୍କ ଭାବକେନ୍ଦ୍ରରେ ସୃଷ୍ଟି କରିଥାଏ ଏକ ଅମୂର୍ତ୍ତ ଉଦ୍ବେଳନ । ଯାହାର ମୂର୍ତ୍ତିମନ୍ତ ରୂପ ହେଉଛି କବିତା । ଯେଉଁଥିରେ ସମାନ ଭାବରେ ପ୍ରକାଶିତ ହୋଇଥାଏ ଉଭୟ ବ୍ୟକ୍ତି ବିଶ୍ୱ ଓ ବିଶ୍ୱବ୍ୟକ୍ତି । କବି ନିଜର ତୃତୀୟ ନୟନରେ ପ୍ରତ୍ୟକ୍ଷ କରିପାରେ ସଚରାଚର ଜାଗତିକ ଜୀବନର ଭୂତ ଓ ଭବିଷ୍ୟ, ନଶ୍ୱର ଇହକାଳ । ଖ୍ୟାତି, ଯଶ, କୀର୍ତ୍ତି ବିଭବ ଓ ପରାଭବ ଆଦି ସବୁ ସମୟର ପ୍ରବାହରେ ଗୋଟିଏ ଚିରନ୍ତନତାରେ ପରିଣତ ହିଁ ହେବେ । ଏକଥା ସୂଚାଇ ଦେଇଛନ୍ତି ସେ ଧୂଳିର ସିଂହାସନରେ-

ଦେଖୁ ଦେଖୁ ତୋର ସିଂହାସନ ବି । ପରିଣତ ହୋଇଯିବ ଆଉ କାହାର ସିଂହାସନରେ । ଓ ସେ ଲୋକର ସିଂହାସନ କାଳକ୍ରମେ । ଖସିଯିବ ଅନ୍ୟ ଜଣକ ହାତକୁ ଓ ଶେଷରେ । ପହଞ୍ଚିଯିବ ଧୂଳିର ସିଂହ ଦୁଆରରେ ।

ମନ, ଚେତନା, ଅନୁଭବରେ କବିତାର ରୂପ, ରଙ୍ଗ ରସ ସହିତ ଏକାତ୍ମ ହୋଇ କବିତାର ଚାରଣଭୂମିରେ ପଦବ୍ରାଜକ ସାଜନ୍ତି କବି ଦୀପକମିଶ୍ର । ସେଥିପାଇଁ ତାଙ୍କ ଭାବବସ୍ତୁର ସୀମା ଓ ସରହଦ ଖୁବ୍ ବ୍ୟାପକ । ଗହନ ଅବଚେତନ ମନରୁ ଜାଗ୍ରତ ମନ ଯାଏ, ଶିଶୁର ଅବୋଧ ବିସ୍ମୟଠାରୁ ବୟସ୍କ ନିର୍ଲିପ୍ତତା ଯାଏ, ଏହି ସଂଯୋଗର ବିନ୍ଦୁରେ ତାଙ୍କ କବିଚାର ପ୍ରତିବିମ୍ୱ ପ୍ରତିଫଳିତ ହୋଇଥାଏ । ଯେପରିକି ଏକ ରସସିକ୍ତ କବିସତ୍ତାଟିଏ ନିର୍ମୋହ ଆବେଗରେ ନିଜ ଅବ୍ୟକ୍ତ ପୁଲକର ପ୍ରଥମ ଶିହରଣକୁ ପରଶି ଦେଉଛି ଆଣି ପ୍ରିୟ ପାଠକଙ୍କ ଆଗରେ । ଅହରହ ପରିବର୍ତ୍ତନଶୀଳ ଜଗତ ଓ ଜୀବନର ଉଦ୍ଭାସିତ ସତ୍ୟକୁ ଗଭୀର ଦ୍ରଷ୍ଟାପଣରେ ଅବଲୋକନ କରି କବିତାକୁ ସ୍ୱକୀୟ ଆତ୍ମିକ ନିର୍ଯ୍ୟାସରେ ରସବୋଧ ପ୍ରାପ୍ତି କରାଇବା ତାଙ୍କ ରଚନାର ବୈଶିଷ୍ଟ୍ୟ । ଏଥିପାଇଁ କେବେ ତାଙ୍କ କବିତା ବାକ୍ ବିନ୍ୟାସର ମୁକ୍ତଶୈଳୀରେ ଅଶୃଙ୍ଖଳିତ । ପୁଣି କେବେ ମନ୍ତ୍ରଗାନର ଗମ୍ଭୀରତା ପରି ଶବଳିତ ଓ ଶୃଙ୍ଖଳିତ । କବିର ନିଷ୍ଠାପରତା ନେଇ ତାଙ୍କର ଅଧିକାଂଶ କବିତା ହୃଦୟର ସ୍ୱପ୍ନକୁ, ସ୍ୱପ୍ନର ସତ୍ୟକୁ, ସତ୍ୟର ବାସ୍ତବତାକୁ ତାଜା ଅନୁଭବର ଉଚ୍ଚାରଣରେ ପ୍ରକାଶିତ କରିବାକୁ ଉନ୍ମୁଖ । ସେହିସବୁ କବିତାର ଅନ୍ତରୀଣ ସ୍ୱରରେ ରହିଛି ଉଭୟ ପ୍ରାପ୍ତି ଓ ଅପ୍ରାପ୍ତିର ଜଟିଳତା, ଆଶା ଓ ନିରାଶାର ତୀକ୍ଷ୍ଣ ଅଥଚ ସୂକ୍ଷ୍ମ ସମ୍ୱେଦନା, କୋମଳ ଅନ୍ଧାର ସହିତ ଉଜ୍ଜ୍ୱଳ ଆଲୋକର ସମ୍ମିଶ୍ରଣ ଓ ମୃତ୍ୟୁ ଚେତନା ସହିତ ଦିବ୍ୟ ଚେତନାର ସମ୍ମେଳନ । ତାଙ୍କ ମତରେ କବିର ଭାଗ୍ୟ ଚିରକାଳ ନିର୍ଦ୍ଧାରିତ । ଯେପରି-

“ଚିରକାଳ କାଳିଦାସ । ଯୋଉ ଡାଳରେ ବସିଥାଏ
ସେଇ ଡାଳକୁ ହାଣୁଥାଏ । ନିଜକୁ ହାଣୁଥାଏ, ହାଣି ଚାଲିଥାଏ
ଅନ୍ୟ ହୃଦୟର ଡାକଟିଏ ଶୁଣିବ ବୋଲି । ଅନ୍ୟ ମୁହଁରେ ହସଟିଏ ଦେଖିବ ବୋଲି
ନୂଆ ମେଘର ପଟୁଆରକୁ ଛୁଇଁବ ବୋଲି । କବିତାଟିଏ ପାଇବ ବୋଲି କୁରାଢ଼ୀ ଶବ୍ଦରେ ।” (ଋକ:୬୨)

ତାଙ୍କ ଅନୁଭବର ଭାଷାରେ- ଶବ୍ଦ ଯେଉଁଠି ବାଙ୍ମୟ, ରୂପ ଯେଉଁଠି ରୂପାତୀତ, ମନ ଯେଉଁଠି ଦିଗନ୍ତ, ହୃଦୟ ଯେଉଁଠି ସାଗର, ଚେତନା ଯେଉଁଠି ଆକାଶ ପରି ବ୍ୟାପ୍ତ ଏବଂ ଅପର ପକ୍ଷରେ ଅନ୍ନମୟ ପିଣ୍ଡ ଯେଉଁଠି ନିତ୍ୟ ନୈମିତିକ ସୁଖ, ଦୁଃଖ, ହସ, ଲୁହ ଓ ଅଛି- ନାଇଁର ସ୍ୱାଭାବିକ୍ ଘୂର୍ଣ୍ଣବାତ୍ୟାରେ ଜଣାପଡ଼େ ସ୍ୱପ୍ନହୀନ. . . ସେଇ ସ୍ୱପ୍ନହୀନତାର ଉଦାରତାରେ ଓହ୍ଲାଇ ଆସେ କବିତାର ଶବ୍ଦ ମନ୍ତ୍ର । (କବିତାର ଜନ୍ମ- ପ୍ରତିକ୍ଷଣରେ) ସମଗ୍ର ଜୀବନକୁ କେତେବେଳେ ଦୁଃଖର ଏକ ଅଂଶ ରୂପେ ତ କେତେବେଳେ ସୁଖର ପ୍ରତିପଦ ରୂପେ ଗ୍ରହଣ କରି ସେ ମଣିଷର ବିମର୍ଷ ଭାଗ୍ୟକୁ ଶଙ୍କା ରହିତ ଭାଷାରେ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀରେ ଉପସ୍ଥାପିତ କରିଛନ୍ତି । ତାଙ୍କର ଦୁଃଖଭୋଗ ତାଙ୍କ ଜୀବନ ଦୃଷ୍ଟିର ଅଂଶ ସ୍ୱରୂପ କବିତାରେ ବିଦ୍ୟମାନ ହୋଇଥାଏ । ଯନ୍ତ୍ରଣାକୁ ବରଣ କରିନେବା ଭିତରେ ସେଥିରେ ନିହିତ ଥାଏ ଚିରନ୍ତନ ମୁକ୍ତିବୋଧ ପ୍ରତି ଅଧିକ ଉନ୍ମୁଖତା । ସ୍ୱକୀୟ କାବ୍ୟ ଚେତନାର ଉତ୍ତରଣ ଭିତରେ ତାଙ୍କ ଭିତରର କାବ୍ୟ ପୁରୁଷଟି ବହୁଧା ଭାବରେ ପ୍ରସାତି ହୋଇ ସୂକ୍ଷ୍ମାତିସୂକ୍ଷ୍ମ ଉପଲବ୍ଧିକୁ ପରିପ୍ରକାଶ କରିଛି । ସୁଖର ସନ୍ଧାନ ଦେବାକୁ ଯାଇ ସେ ଯେଉଁ ଶେଷ ସିଦ୍ଧାନ୍ତ ନିକଟରେ ଉପନୀତ ହୁଅନ୍ତି, ସେଠି ସୁଖ ସ୍ୱୟଂ ନିଜେ ଗୋଟିଏ କବିତା-

“କଳଙ୍କରେ ନାଇଁ ମୁଁ । ପଲଙ୍କରେ ନାଇଁ
ଖେଳୁଥାଏ ନିରୋଳା ପ୍ରେମରେ । ସଂଘରେ ନାଇଁ ମୁଁ
ଶ୍ରମଣରେ ନାଇଁ । ଶୋଇଥାଏ କାମନା ଓ କରୁଣାର କୁଶୀନଗରରେ,
କୃଷକର ନୁହଁ ମୁଁ । ଫସଲର ନୁହଁ,
ଚୁମୁ ଥାଏ ମାଟିର ସଜଳ ମୁହଁ । ମେଘର ନୁହଁ ମୁଁ
ପବନର ନୁହଁ । ପାତି ଥାଏ ବାମନ ହାତ ମୋର
ପାଇବାକୁ ତୁମ ନିର୍ଜନ ଆକାଶର । ନୀଳ ନିର୍ମଳ ମୋହ ।” (ସୁବର୍ଣ୍ଣ ସୁଖ)

ଜୀବନର ଯନ୍ତ୍ରଣା, ନୈରାଶ୍ୟ ଓ ନିଃସଙ୍ଗତା ପ୍ରଭୃତିକୁ ଚିତ୍ରଣ କରୁଥିଲେ ବି ସେ କବିତାର ଅନ୍ତଃସ୍ୱରରେ ଥିଲେ ନିଦା ଜୀବନବାଦୀ । ତାଙ୍କ କବିତା ସବୁର କେନ୍ଦ୍ରରେ ରହିଛି ଜୀବନ ଓ ଏହାକୁ ନେଇ ଅସରନ୍ତି ପ୍ରଶ୍ନବାଚୀ । ଏପରି ସ୍ୱତଃପ୍ରବୃତ୍ତ ସମ୍ୱେଦନଶୀଳ ପ୍ରଶ୍ନର ପରିଣତି ଦିଗରେ ସେ ନିଜର କବିତାଗୁଡ଼ିକୁ ଅଗ୍ରସର କରାଇଥାନ୍ତି । କହିବାକୁ ଗଲେ ଏହା ହିଁ ତାଙ୍କ କବିତାର ଉପଜୀବ୍ୟ । ଏଥିରେ ଥାଏ କବି ପ୍ରାଣର ଅବିଚଳିତ ଅନ୍ୱେଷ ଓ ଅବିଚ୍ଛେଦ୍ୟ ଆତ୍ମିକ ସମ୍ପର୍କ । ଜୀବନାଭୂତି ସଜୀବ ଓ ସଚିତ୍ର ଶବ୍ଦାବଳୀରେ ହୋଇଛି ରୂପାୟିତ । ଯେତେ ବାରେ ହୋଇପାରେ ସମ୍ଭବତଃ ସେତେ ବାଗରେ ସେ ନିଜର ସ୍ପଷ୍ଟ ଓ ଶେଷ ଉଚ୍ଚାରଣକୁ ବ୍ୟକ୍ତ କରିବାର ଅବକାଶକୁ ହାତଛଡ଼ା କରିନାହାନ୍ତି । ଅତଳତଳ ଜୀବନର ଉନ୍ମେଷ ଓ ଉତ୍ତରଣର ଅନୁସନ୍ଧାନ ତାଙ୍କ କବିସତ୍ତାର ପ୍ରମୁଖ ଆକର୍ଷଣ ରୂପେ ପ୍ରତିଭାତ ହୋଇଛି ।

ସ୍ୱାଧୀନତାର ପରବର୍ତ୍ତୀ ଆଧୁନିକ ଓଡ଼ିଆ କବିତାର ସେ ହେଉଛନ୍ତି ଅନ୍ୟତମ ଅଗ୍ରଣୀ କବି । ତାଙ୍କ କବିତାର ଅନ୍ୟ ଏକ ବିଶେଷ ଦିଗ ହେଉଛି ଆବେଗ ଓ ବୁଦ୍ଧିର ସମନ୍ୱୟ । ଆବେଗ ତାଙ୍କ କବିତାକୁ ଅନନ୍ୟ ଅନୁଭୂତିର ପ୍ରାଣୋଚ୍ଛଳତାରେ ମୁଖର କରିଥିବା ବେଳେ ବୁଦ୍ଧି ତାକୁ କରିଛି ପରିଚ୍ଛନ୍ନ । ଗୋଟିଏ ବାକ୍ୟରେ କହିଲେ ଆବେଗ ତାଙ୍କ କବିତାର ପ୍ରାଣ ହୋଇଥିବା ବେଳେ ବୁଦ୍ଧି ହେଉଛି ତା’ର ପରିଚୟ । ବିଭିନ୍ନ ସମୟରେ ଭାବ ଓ ଶବ୍ଦକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷାର ବଳୟ ଭିତରେ ତାଙ୍କ କବିତାର ସ୍ୱରକୁ ସ୍ୱଷ୍ଟ ରୂପେ ଚିହ୍ନି ହୋଇଥାଏ । ଚାକ୍ଷୁଷ ଚିତ୍ର ନିର୍ମାଣ, ତରଳିତ ଭାବାବେଗ ଓ ଚମତ୍କାର ଅନୁରଞ୍ଜନ ଜରିଆରେ ସେ କେବଳ ନିଜର ସ୍ୱତନ୍ତ୍ର ଶୈଳୀ ପ୍ରତିଷ୍ଠା କରିନାହାନ୍ତି ଏଥିସହିତ ନିଜର କବିତାକୁ ଦେଇଛନ୍ତି ଏକ ଭିନ୍ନ ଦ୍ୟୋତନା । ଯାହା ଅନୁଭବର ସ୍ୱଚ୍ଛତାରେ, ଦୃଷ୍ଟିକୋଣର ତୀର୍ଯକତାରେ ଓ କାବ୍ୟବସ୍ତୁର ମାଧୁର୍ଯ୍ୟମୟ ଅଭିବ୍ୟକ୍ତିରେ ଯେତିକି ବୈଚିତ୍ରମୟ ସେତିକି ମର୍ମସ୍ପର୍ଶୀ । ତାଙ୍କର ଜୀବନ ଦୃଷ୍ଟି ପାରମ୍ପରିକ ଜୀବନବୋଧ ପ୍ରତି ଯେତିକି ସତ୍ୟନିଷ୍ଠ, ଅକଥ୍ୟ ଯନ୍ତ୍ରଣାବୋଧ ଓ ମୃତ୍ୟୁ ଚେତନା ପ୍ରତି ସେତିକି ଆଗ୍ରହନିଷ୍ଠ । ଜୀବନ୍ତ ଚିତ୍ରକଳ୍ପ ଓ ଶକ୍ତିଶାଳୀ ମିଥ୍ର ପ୍ରୟୋଗ ତାଙ୍କ କବିତାର ଚେତନଶୀଳ ସମଗ୍ରତାକୁ ଦେଇଛି ସମର୍ଥପରିଭାଷା । ବୌଦ୍ଧିକ ଭାବଖଣ୍ଡକୁ ନେଇ କବିତାର ବିଷୟପିଣ୍ଡ ନିର୍ମାଣ କରୁଥିଲେ ମଧ୍ୟ ସେ ନିଜ କବିତାରେ ରୋମାଣ୍ଟିକ୍ ଚେତନାକୁ ପରିହାର କରିନାହାନ୍ତି । ବରଂ କବିତାର ଛତ୍ରେ ଛତ୍ରେ ଉହ୍ୟ ଥିବା ଏହି ସଂକ୍ଷିପ୍ତ ଧାରାଟି ତାଙ୍କ କବିତାକୁ ଅଧିକ ହୃଦୟଗ୍ରାହୀ କରି ଗଢ଼ି ତୋଳିଛି । ତାହାର ଏକ ଅନୁପମ ନମୁନା ଦେଖନ୍ତୁ-

“ଆଉ ଏତେବେଳେ । ମୃତ୍ୟୁର କଥା ନୁହଁରେ ସଜନୀ
ଦୁଃଖର କଥା ନୁହଁ । ମରଣକୁ କହ କାଲିକି ଆଶିବ
ଦୁଃଖକୁ କହ ବାଟ ଭୁଲିଯିବ । ଏପରିକି କହ କ୍ଷୁଧାକୁ ଆମର
ଅପେକ୍ଷାରେ ଥାଉ କିଛି କାଳ । ନିଦ୍ରାକୁ କହ
ଆମ ପଲକରେ ଆଉ ଜାଗା ନାହିଁ । ତନ୍ଦ୍ରାକୁ କହ
ନୁପୂର ଶବ୍ଦେ ଉର୍ବଶୀର ଉଠୁ ତାଳ ।” (ଗୋଟିଏ ନିଚ୍ଛୁକ ପ୍ରେମ କବିତା)

ନିର୍ମଳ ଆତ୍ମାର ସୁପରିବ୍ୟାପ୍ତ ହ୍ରଦରେ ଅବଗାହନ କରିବା ଥିଲା ତାଙ୍କର କାବ୍ୟାଭିଳାଷ । ସେଥିରେ ତାଙ୍କୁ ମିଳୁଥିଲା ଆକଣ୍ଠ ପରିତୃପ୍ତି, ଅନିର୍ବଚନୀୟ ଆନନ୍ଦ । ଆତ୍ମାର ଦର୍ପଣରେ ସଚରାଚର ଜଗତକୁ, ସଚରାଚର ମଣିଷକୁ ପ୍ରତୀକିତ କରି ଏକ କାଳଶୂନ୍ୟ ଶବ୍ଦର ନୈବେଦ୍ୟ ପ୍ରସ୍ତୁତ କରିବାରେ ତାଙ୍କ କବିପଣର ସାର୍ଥକତା କିପରି ରୂପାୟିତ ହୋଇଛି ଦେଖନ୍ତୁ-

“ଯାହା, ଯାହା କହିବାକୁ ସ୍ଥିର କରିଛ । ମୋ ଶ୍ରାଦ୍ଧ ସଭାରେ
ଶୋକ ପ୍ରସ୍ତାବ ଜରିଆରେ । ସବୁ ଆଜି କୁହ

-xxxxxxx-

ଆତ୍ମାର ଆତ୍ମା ହୋଇ ବସ । ଠିକ୍ ଠିକ୍ ସବୁଯାକ କହିଯାଅ
ଛଳନାର ଚାପା ଉଚ୍ଛ୍ୱାସ ନ ରଖି ।” (ବିଷାକ୍ତ କଣ୍ଟା ହୋଇଯିବ ବୈଶାଖର ମଲ୍ଲୀଫୁଲ)

ହୃଦୟ ଓ ହୃଦୟାବେଗକୁ, ଆତ୍ମା ଓ ଆତ୍ମ ଅନ୍ୱେଷଣକୁ ଏକଇ ପାତ୍ରରେ ତିଳତଣ୍ଡୁଳିତ କରି ନିଃସର୍ତ୍ତ ପ୍ରଲମ୍ୱିତ ପ୍ରତୀକ୍ଷାର ଶବ୍ଦର ନିକ୍ୱଣ ପିନ୍ଧାଇ ପାରୁଥିବା ଅମୂର୍ତ୍ତର ଶିଳ୍ପୀ ଥିଲେ କବି ଦୀପକ ମିଶ୍ର । ଶୁଭ୍ର ବିଭୂତିର ନିରବ ଉଜ୍ଜ୍ୱଳ ଆକର୍ଷଣ ପରି ତାଙ୍କ କବିତା । ପାଠକର ମଗ୍ନ ଚୈତନ୍ୟରେ ବୀଣା ଧ୍ୱନିର ଶାସ୍ତ୍ରୀୟ ଝଙ୍କାର ହେଉଛି ତାଙ୍କ କବିତା ।

ଲୋକପ୍ରିୟ ଲେଖା

To Top