ପ୍ରବନ୍ଧ

ନାୟିକାର ନାଁ ରୁକ୍ମଣୀ

Manjulata Ratha's odia prose Naayikaara Naan Rukmini

ଆମେ ଭୁଲିଯାଉଛେ, ଉଦ୍ୟମ ବଳେ ସର୍ବସିଦ୍ଧି । ଖାଲି ସରକାରଙ୍କୁ ଦୋଷ ଦେଲେ କିଛି ଲାଭ ହେବନି । ବରଂ ଆମର କ୍ଷତି ହେବ । ପରିବାରର ଆର୍ଥିକ ସମସ୍ୟା ସମୟରେ ମହିଳାମାନେ ପୁରୁଷଙ୍କୁ ଦୋଷ ଦେଇ ।

ନାୟିକାର ନାଁ ରୁକ୍ମଣୀ

ସମସ୍ୟା ହିଁ ସମାଧାନର ଜନନୀ, ଯେଉଁଠି ସମସ୍ୟା ନାହିଁ, ସେଠି ଉନ୍ନତି ନାହିଁ । ଉନ୍ନତି ପାଇଁ ଆମକୁ ନିଷ୍ଠାପର ଭାବେ କର୍ମ କରିବାକୁ ପଡ଼ିବ । ଏମିତି ଏକ ନିଷ୍ଠାପର କର୍ମୀ ଋକ୍ମଣୀ ନାୟକ । ତାଙ୍କ ସମ୍ପର୍କରେ ଏକ ଚମକପ୍ରଦ ଆଲେଖ୍ୟ ।

ସମସ୍ୟା ତ ଜୀବନରେ ଅନେକ ଆସେ । କେବଳ ଦୃଢ଼ମନା ବ୍ୟକ୍ତି ତା’ର ସମାଧାନ କରିପାରେ । ବିଭିନ୍ନ ସମସ୍ୟା ମଧ୍ୟରୁ ଅର୍ଥାଭାବ ଏକ ଜଟିଳ ବ୍ୟାପାର । ଅର୍ଥ ସର୍ବ ସମାଜରେ ବିନା ଅର୍ଥରେ ଜୀବନ ନିର୍ବାହ କରିବା, ଏକ ଦୂରୁହ ତଥା ଯନ୍ତ୍ରଣା ଦାୟକ । ସେହିଭଳି ଏକ ପରିବାରର ମହିଳା ଋକ୍ମଣୀ ନାୟକ । ବୟସ ୪୭ । ନିଜର ସ୍ୱଳ୍ପ ପୈତୃକ ଜମିରେ କିପରି ଅଧିକ ଫସଲ ଅମଳ କରିହେବ ସେ ସ୍ୱପ୍ନ ଦେଖିଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ୍ କଟରପଡ଼ା ପଞ୍ଚାୟତ ସାଙ୍କିଲୋ ଗ୍ରାମର ସଞ୍ଜୟ ନାୟକଙ୍କ ସ୍ତ୍ରୀ ରକ୍ମଣୀ । ସ୍ୱପ୍ନକୁ ସାକାର କରିବାକୁ ଚାଷ କ୍ଷେତକୁ ଓହ୍ଲାଇଛନ୍ତି । ଏହି ବିଜ୍ଞାନ ଯୁଗରେ କୃଷି କ୍ଷେତ୍ରରେ ଅସମ୍ଭବକୁ ସମ୍ଭବ କରିହେବ ବୋଲି ବିଶ୍ୱାସ ରଖିଲେ । ବ୍ଲକ କୃଷି ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟସ୍ତରୀୟ କୃଷି ଅଧିକାରୀଙ୍କ ସହ ଆଲୋଚନା କରି ଶୁଭାରମ୍ଭ କଲେ, ଅତ୍ୟାଧୁନିକ ପ୍ରଣାଳୀରେ ଧାନଚାଷ । ଜାତୀୟ ଧାନ ଗବେଷଣା କେନ୍ଦ୍ରର ତତ୍କାଳୀନ ନିର୍ଦ୍ଦେଶକ ତ୍ରିଲୋଚନ ମହାପାତ୍ରଙ୍କ ପରାମର୍ଶ ଓ ଡଃ. ଲିପି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦୧୪ ମସିହାରେ ସାଙ୍କିଲୋ ଗ୍ରାମର ୩୦ ଜଣ ମହିଲାଙ୍କୁ ନେଇ ଅନନ୍ୟା ମହିଳା ବିକାଶ ସମିତି ଗଠନ କରି ସେମାନଙ୍କୁ ପ୍ରଶିକ୍ଷଣ ଦେଲେ । ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଯନ୍ତ୍ରପାତି ସାହାଯ୍ୟରେ ନିଜ ଅଞ୍ଚଳରେ ଥିବା ୧୫ ଏକର ଚାଷ ଜମିରେ ଧାନ ଚାଷ କରି, ବେଶ ପ୍ରଶଂସିତ ହେଲେ । ଚାଷରେ ଆଣିଲେ ସବୁଜ ବିପ୍ଳବ । କେବଳ ଧାନଚାଷ ନୁହେଁ, ଗୋପାଳନ, ପରିବା ଚାଷ, ଜୈବିକ ଖତ ପ୍ରସ୍ତୁତି କ୍ଷେତ୍ରରେ ସେ ଅଞ୍ଚଳରେ ଅନନ୍ୟା ସଂଗଠନର ସଭାପତି ଋକ୍ମଣୀ ନାୟକ ପାଲଟିଗଲେ ଆଲୋକ ବର୍ତ୍ତିକା । ଏଥିପାଇଁ ତାଙ୍କୁ କେନ୍ଦ୍ର ସରକାର ଉଦୀୟମାନ କୃଷକ ସମ୍ମାନରେ ସମ୍ମାନୀୟ କରିଛନ୍ତି । ବଡ଼କଥା ହେଲା ଋକ୍ମଣୀଙ୍କର ପୁଅ, ଝିଅ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ମାଙ୍କୁ ଚାଷ କାମରେ ସାହାଯ୍ୟ କରୁଛନ୍ତି । ଚାଷ କାର୍ଯ୍ୟକୁ ନ୍ୟୁନ ମନେକରି, ବେକାରୀ ସମସ୍ୟା ବଢ଼ିଚାଲିଛି । ଚାକିରୀ ସର୍ବସ୍ୱ ବୋଲି ଭାବିବା ଠିକ୍ ନୁହେଁ । ଚାଷ କାର୍ଯ୍ୟରେ ସ୍ୱାବଲମ୍ୱୀ ହୋଇପାରିବା । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଉପସ୍ଥିତି ଜାହିର କରୁଛନ୍ତି ମହିଳା ।

ଦେଖାଯାଉଛି, ଆମ ଓଡ଼ିଶାରେ ଦାରିଦ୍ର୍ୟ ହେଉଛି ଏକ ପ୍ରମୁଖ ବ୍ୟାଧି । କଠିନ ପରିଶ୍ରମ ବିନା ଦାରିଦ୍ର୍ୟ ଦୂରୀକରଣ ସମ୍ଭବ ନୁହେଁ । ପରିବର୍ତ୍ତନ ସହ ମହିଳାମାନେ ମଧ୍ୟ ନିଜର ପାରଦର୍ଶିତା ଜଣାଇବା ଉଚିତ୍ । ଯାହାଦ୍ୱାରା ଅବଳା ଦୁର୍ବଳା ନ ହୋଇ ଶୀର୍ଷରେ ପହଞ୍ଚିପାରିବ । ଯେଉଁଠି ପୁରୁଷ ଚାଷୀମାନେ ଚାଷରେ ଅକୃତକାର୍ଯ୍ୟ ହୋଇ ଆତ୍ମହତ୍ୟାକୁ ସମାଧାନର ବାଟ ବୋଲି ଧରି ନେଉଛନ୍ତି । ସେଇଠି ମହିଳା ଚାଷୀ ଋକ୍ମଣୀ ଚାଷୀ ସମାଜର ନମସ୍ୟ । କଥାରେ ଅଛି ଚାଷ ଅଛି ଯାହାର, କି ଆନନ୍ଦ ତାହାର ସେହି ସିନା ଦୁନିଆଁକୁ ଯୋଗାଉଛି ଆହାର ।

ଆମେ ଭୁଲିଯାଉଛେ, ଉଦ୍ୟମ ବଳେ ସର୍ବସିଦ୍ଧି । ଖାଲି ସରକାରଙ୍କୁ ଦୋଷ ଦେଲେ କିଛି ଲାଭ ହେବନି । ବରଂ ଆମର କ୍ଷତି ହେବ । ପରିବାରର ଆର୍ଥିକ ସମସ୍ୟା ସମୟରେ ମହିଳାମାନେ ପୁରୁଷଙ୍କୁ ଦୋଷ ଦେଇ । ନିଜ ଘରେ ଘୋର ଅଶାନ୍ତି ସୃଷ୍ଟି କରନ୍ତି । ଯାହା ଫଳରେ ଅସୁସ୍ଥ ପରିବାର, ବିଭିନ୍ନ ନିଶା ସେବନକୁ ଆପଣେଇ ନିଅନ୍ତି । ତା’ପରେ ଯାହା ଘଟିବା କଥା ଘଟେ । ଯେଉଁ ମହିଳାମାନେ ପାଠ ପଢ଼ିଛନ୍ତି । ସେମାନେ ସ୍ୱଭାବିକ୍ ଚାକିରୀ କରି ପରିବାରକୁ ସ୍ୱଚ୍ଛଳ କରିପାରୁଛନ୍ତି । କିନ୍ତୁ କଥା ହେଲା, ଯେଉଁମାନଙ୍କର ପାଠପଢ଼ାର ସାର୍ଟିଫିକେଟ୍ ନାହିଁ । ସେମାନେ ଚିନ୍ତା କରିବା କଥା, ଚାକିରୀ ବ୍ୟତୀତ ଆହୁରି ଅନେକ କାମ ଅଛି, ଟଙ୍କା ରୋଜଗାର କରିପାରିବେ । ପରିବାରକୁ ଆର୍ଥିକ ସହାୟତା ହେଇପାରିବେ । ଆଉ ଏହି ସବୁ କାମରେ ସାହାଯ୍ୟ କରିବାକୁ ରାଜ୍ୟ ତଥା କେନ୍ଦ୍ର ସରକାର ଆଗେଇ ଆସୁଛନ୍ତି । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ବର୍ତ୍ତମାନ ସମୟ ଆସିଛି ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରୁ ବାହାରକୁ ବାହାରି ନିଜ ନିଜର ପ୍ରତିଭାକୁ ଲୋକ ଲୋଚନକୁ ଆଣନ୍ତୁ, ନ ହେଲେ କଥାରେ କଥାରେ ପ୍ରତିଭାମାନେ ହଜିଯିବେ । ଚାଷ ହେଉଛି ଏକ ଆତ୍ମସନ୍ତୋଷ କାର୍ଯ୍ୟ । ଫୁଲଚାଷ, ମାଛଚାଷ, ଛତୁଚାଷ, କୁକୁଡ଼ା ପାଳନ, ଗୋପାଳନ, ଏମିତି ଅନେକ କାମ କିବାକୁ ବ୍ୟାଙ୍କମାନେ ଋଣପ୍ରଦାନ କରୁଛନ୍ତି । ତେଣୁ ଜଣେ ଚାହିଁଲେ ଜିରୋରୁ ହିରୋ ହୋଇପାରିବ । ପ୍ରବଳ ଆତ୍ମସନ୍ତୋଷ ମିଳିବ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି କହୁଥିଲେ ବେକାର ସମୟ କାଟୁଥିବା ସ୍ତ୍ରୀଲୋକମାଙ୍କୁ ସେ ଘୃଣା କରନ୍ତି, ତାଙ୍କର କହିବା ହେଲା, ଯାହାକୁ ଯାହା ଭଲ ଲାଗେ, ସେ କାମଟି ସେ କରିବା ଭଲ, ନିଜେ ଅଯଥାରେ ସମୟ କାଟିଲେ, ଆତ୍ମୀୟମାନଙ୍କୁ କି ଶିକ୍ଷା ଦେବେ । ଏହି ଯଥାର୍ଥ ଉକ୍ତିଟି ତାଙ୍କ ବୋହୂ ଏକ ଟି.ଭି. ସାକ୍ଷାତକାରରେ ପ୍ରକାଶ କରିଥିଲେ ।

ପିଲାଦିନେ ସାହିତ୍ୟ ବହିରେ ପଢ଼ିଥିବା, ଗୁପ୍ତଧନ ବିଷୟଟି ଆପଣଙ୍କର ମନେଥିବ । ଯେଉଁଥିରେ ବୁଢ଼ାବାପା ତାଙ୍କର ଚାରିପୁଅଙ୍କୁ କିଛି ଗୁପ୍ତଧନ ରଖିଛନ୍ତି ବୋଲି ସୂଚନା ଦେଇଥିଲେ । ଧନ ପାଇବା ଆଶାରେ ସମସ୍ତେ ବାପାଙ୍କର ସେବା ଶୁଶ୍ରୂଷା କରି ଚାଲିଲେ । ଅନ୍ତିମ ସମୟରେ ପଚାରିଲେ, ବାପା ଗୁପ୍ତଧନ କେଉଁଠି ରଖିଛନ୍ତି । ବାପା ଉତ୍ତରରେ କହିଲେ, ଘରକୁ ଲାଗି ଯେଉଁ ଜମିଖଣ୍ଡେ ଅଛି, ସେଥିରେ ମୁଁ ତାକୁ ପୋତି ଦେଇଛି । ଏହା କହି ଶେଷ ନିଶ୍ୱାସ ତ୍ୟାଗ କଲେ । ତା’ପରେ ଗୁପ୍ତଧନ ପ୍ରାପ୍ତି ଆଶାରେ ଚାରିପୁଅ ଜମିଟିକୁ ସମ୍ପୂର୍ଣ୍ଣଭାବେ ଖୋଳି ଦେଲେ, କିନ୍ତୁ କୌଣସି ସନ୍ଧାନ ପାଇଲେ ନାହିଁ । ନିରାଶ ହେଲେ । ବର୍ଷା ହେବାରୁ ବଡ଼ଭାଇ କହିଲେ ଚାଲ କିଛି ଧାନ ବୁଣି ଦେବା । କିଛିଦିନ ପରେ କ୍ଷେତରେ ଧାନର ସୁନେଲି ଢେଉ ଖେଳୁଥାଏ । ଚାରିଭାଇ ଖୁସି ମନରେ ଧାନ କ୍ଷେତକୁ ଦେଖୁଥାନ୍ତି । ମନେ ପକାଉଥାନ୍ତି ବାପା ଯେଉଁ ଗୁପ୍ତଧନ କଥା କହୁଥିଲେ ତାହା ଏହି ଧାନଫସଲ । ପରିଶ୍ରମ ବୃଥା ଯାଏନା । ଏଥିରୁ ଆମେ ଶିକ୍ଷା କଲେ ବାପା ତାଙ୍କ ପୁଅମାନଙ୍କୁ ସ୍ୱାବଲମ୍ୱୀ ହେବା ଶିଖାଇ ଯାଇଛନ୍ତି । ଯଦି କିଛି ଗୁପ୍ତଧନ ରଖିଥାନ୍ତେ ତାହା ସେମାନଙ୍କୁ ଅଳସୁଆ କରିଥାନ୍ତା ଆଉ ବସି ଖାଇଲେ ନଈ ବାଲି ସରେ ପରି କଥାଟା ହୋଇଥାନ୍ତା । ପୁତ୍ର ଯଦି ଯୋଗ୍ୟ ହୁଏ, ଧନ କାହିଁ ସଞ୍ଚୁ, ପୁତ୍ର ଯଦି ଅଯୋଗ୍ୟ ହୁଏ ଧନ କାହିଁ ସଞ୍ଚୁ ।

ରାଷ୍ଟ୍ରର ପ୍ରଗତି ତଥା ଜନତାଙ୍କ ମଙ୍ଗଳ ସରକାରଙ୍କ ଦାୟିତ୍ୱ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହେଲେ ହେଁ, ଏଠାରେ କୃଷି ଓ କୃଷକ ଚିର ଅବହେଳିତ । ଏକଥା ସତ, ସରକାର ଯୋଜନା ପରେ ଯୋଜନା କରି ଚାଲୁଛନ୍ତି । କିନ୍ତୁ ସେସବୁ କାଗଜ କଲମରେ ସୀମିତ ରହିଯାଉଛି । ତାହା ଆଦୌ ଫଳପ୍ରଦ ହେଉନି । କିମ୍ୱା ସରକାର ଜାଣି ଅଜଣା ପରି ରହିଯାଉଛନ୍ତି । ତାହା ଭାବିବାର ସମୟ ଆସିଛି । ତେଣୁ କ୍ରମାଗତ, କେଉଁଠୁ ନା କେଉଁଠୁ ଚାଷୀ ଆତ୍ମହତ୍ୟା ଖବର ଆସୁଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକରେ ତାଙ୍କ ରାଜ୍ୟର କୃଷି ଋଣ ଛାଡ଼ କରିଛନ୍ତି । ଏହାକୁ ଅନୁକରଣ କରି ଆମ ଓଡ଼ିଶା ସରକାର ଏବେ ଏବେ କୃଷି ଋଣ ଛାଡ଼ କରିଛନ୍ତି । ଏହା ଚାଷୀଙ୍କ ପାଇଁ ଏକ ପ୍ରକାର ସାନ୍ତ୍ୱନା । କଥା ହେଉଛି, ଏତିକି ସାନ୍ତ୍ୱନା ଚାଷୀମାନଙ୍କର ସମସ୍ୟା ସମାଧାନ କରିପାରିବନି । କାରଣ ଏହା ହେଉଛି ସାମୟିକ ଆଶ୍ୱସ୍ତିମୂଳକ ଘୋଷଣା । ପରବର୍ତ୍ତୀ ସମୟରେ ଚାଷୀ କେବେ ବି ଉପକୃତ ହୋଇପାରିବନି । କୃଷିକୁ ଏକ ଉନ୍ନତ ଅର୍ଥନୀତିରେ ପହଞ୍ଚାଇବାକୁ ହେଲେ ଉଚିତ୍ ମୂଲ୍ୟରେ କୃଷି ଉତ୍ପାଦନ ବିକ୍ରି କରାଯାଉ । ଚାଷୀ ସଙ୍କଟର ସମାଧାନ ପାଇଁ ଦୀର୍ଘକାଳୀନ ଯୋଜନା କରାଯାଉ । ଅଧିକରୁ ଅଧିକ ଜମିକୁ ଜଳସେଚନ ବ୍ୟବସ୍ଥା, କୃଷି ଉତ୍ପାଦନର ସଂରକ୍ଷଣ ପାଇଁ ଅଧିକ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଉତ୍ତମ ବଜାର ଦର ବ୍ୟବସ୍ଥା । ଏସବୁ କରାଗଲେ ଚାଷ ପ୍ରତି ଆଗ୍ରହ ବଢ଼ିବ । ସରକାର ମହଙ୍ଗାଭତ୍ତା ବୃଦ୍ଧି କରୁଛନ୍ତି ଅଥଚ ଚାଷୀର କଷ୍ଟ ଅର୍ଜିତ ଫସଲର ମୂଲ୍ୟ ବଢୁନି । ଧାନର ସହାୟକ ମୂଲ୍ୟ ବୃଦ୍ଧି ହେବା ଆବଶ୍ୟକ । ଏ ବର୍ଷ ତ ବିଲାତି ବାଇଗଣ, କୋବି, ଅନ୍ୟାନ୍ୟ ପରିବା ଯଥା କଞ୍ଚାଲଙ୍କା ପ୍ରଭୃତିର ବଜାର ଦର ଚାଷୀ ଆଖିରେ ଲୁହ ଆଣି ଦେଲା । ସରକାର ଏସବୁ ପ୍ରତି ଦୃଷ୍ଟି ଦିଅନ୍ତୁ । କୁମ୍ଭୀର କାନ୍ଦଣା ନ କାନ୍ଦି, ପ୍ରକୃତ ଦରଦ ଦେଖାନ୍ତୁ । ମୁଖ୍ୟମନ୍ତ୍ରୀ ବିଶେଷ କରି କୃଷି ମନ୍ତ୍ରୀ ତୃଣମୂଳ ସ୍ତରରୁ ଚାଷର ଉନ୍ନତି ପାଇଁ କାର୍ଯ୍ୟ କରନ୍ତୁ ।

ଲୋକପ୍ରିୟ ଲେଖା

To Top