ଗଳ୍ପ

ସବୁଜ ପ୍ରେମ

Prashant Kumar Swain's odia story Sabuja Prema

ଯେଉଁ ଛୁଆଁର ସ୍ପର୍ଶ ପାଇବା ପରେ ମୋ ପ୍ରେମିକା ଶିହିରି ଉଠୁଥିଲା । ନା, ନା ତୁମେ ଏମିତି କରନା । ତୁମେ ନା ଭାରି ଦୁଷ୍ଟ ହୋଇଗଲଣି । ଏମିତି କହି ମୋ ଆଡ଼କୁ ଆଉ ଟିକେ ଆଉଜି ହୋଇ ଆସୁଥିଲା ।

ସବୁଜ ପ୍ରେମ

ଦୀର୍ଘ ୪ ବର୍ଷ ତଳେ ଯେମିତି ଥିଲା ଆଜି ବି ଠିକ୍ ସେମିତି । ଆଜି ବି ଦୁହେଁ ସେମିତି ବାନ୍ଧି ହୋଇ ରହିଛନ୍ତି ଗୋଟିଏ ସୂତାର ଗଣ୍ଠିରେ । ଆଜି ମଧ୍ୟ ଦୁହିଁଙ୍କ ଭିତରେ ଅଛି ସେହି ପ୍ରେମ, ସେହି ଅନାବିଳ ଭଲପାଇବା, ସତେ ଯେମିତି ଜଣଙ୍କ ବିନା ଅନ୍ୟ ଜଣେ ଅଧୁରା, ଗୋଟିଏ ଅଚଳ ମୁଦ୍ରା । ଦୁହିଁଙ୍କ ସମ୍ପର୍କର ବିରାଟ ପ୍ରାଚୀରରେ ଦେଖିବାକୁ ମିଳୁନାହିଁ ଟିକିଏ ବି ଫାଟ । ଦୁହିଁଙ୍କ ମଧ୍ୟ ଦେଇ ପବନ ସୁଦ୍ଧା ଯାଇପାରିବ ନାହିଁ ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ । ଚାହିଁଲେ ମଧ୍ୟ ଉଭୟଙ୍କ ଭିତରେ କେହି ସୃଷ୍ଟି କରିପାରିବେ ନାହିଁ ଦ୍ୱନ୍ଦ୍ୱ । କର୍ମମୟ ଜୀବନର ନାନା ଜଞ୍ଜାଳ ଭିତରେ ଛନ୍ଦି ହୋଇପଡ଼ିଥିବାରୁ ସେଠାକୁ ଯିବା ସମ୍ଭବ ହୋଇନାହିଁ । ସେତେବେଳେ ସେଠାକୁ ଉତ୍‌ଫୁଲ୍ଲ ମନ ନେଇ ଯାଉଥିଲି । ହେଲେ ଆଜି ଭାରାକ୍ରାନ୍ତ ମନ ନେଇ ମୁଁ ଯାଇଥିଲି ସେଠାକୁ । ମନ ଭିତରେ ଜମାଟ ବାନ୍ଧି ରହିଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ । ଭାବିଥିଲି ସମୟ ବଦଳିବା ସହ ବଦଳିଯାଇଥିବ ଅନେକ କିଛି ।

ସତ ହୋଇଥିଲା ଭାବନା । ବଦଳିଯାଇଥିଲା ଅନେକ କିଛି । ପୂର୍ବରୁ ଥିବା ସବୁଜ ରଙ୍ଗର ଘାସ ଗାଲିଚା ଚାରିକଡ଼େ ତିଆରି ହୋଇଛି ୱାକିଂ ପାଥ୍ । ଖାଲି ଥିବା ପଡ଼ିଆରେ ନିର୍ମାଣ ହୋଇଛି ୱାଟର ଫାଉଣ୍ଟେନ୍ । ସମସ୍ତ ସ୍ଥାନରେ ଲାଗିଛି ନାନା ରଙ୍ଗବେରଙ୍ଗର କେତେ ଫୁଲଗଛ । ପୂର୍ବରୁ ଥିବା ପଦ୍ମ ପୋଖରୀଟା ସଫା କରାଯାଇ ସେଠାରେ ଚାଲୁଛି ବୋଟ୍ । ପୂର୍ବରୁ ସେଠାକୁ ସାପ ଭୟରେ କେହି ଯାଉନଥିବା ବେଳେ ବୋଟ୍‌ର ଶବ୍ଦ ସହ ସେଠାରେ ଜମୁଛି ଭିଡ଼ । ବୋଟିଂର ମଜା ନେବା ପାଇଁ ଲାଗୁଛି ଲାଇନ୍ । ଆଣ୍ଠୁ ଲୁଚୁନଥିବା ଅସନା ଲୁଗା ପିନ୍ଧି ତିନି ହାତିଆ ଖୋରଧା ଗାମୁଛା ଖଣ୍ଡେ ମୁଣ୍ଡରେ ଭିଡ଼ି ଫୁଲ ଗଛରେ ବାଲଟିରେ ନେଇ ପାଣି ଦେଉଥିବା ବୃଦ୍ଧ ମାଳୀ ମଧ୍ୟ ଆଉ ନାହିଁ । ପାଇପ୍ ସାହାଯ୍ୟରେ ସମସ୍ତ ଗଛରେ ପାଣି ଦେଉଛି ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଜଣେ ଯୁବକ । ଭଙ୍ଗା ଦଦରା କାଠ ଚେୟାର ସ୍ଥାନରେ ପଡ଼ିଛି ମୋଜାକି ଚେୟାର । ପୂର୍ବାପେକ୍ଷା ଢେର ଗୁଣରେ ବଢ଼ିଛି ଭିଡ଼ । ବଦଳିଯାଇଥିଲା ଅନେକ କିଛି । ହେଲେ ବଦଳି ନ ଥିଲେ ସେ ଦୁହେଁ । ଦୁହେଁ ସେମିତି ହସୁଥିଲେ ଯେମିତି ହସୁଥିଲେ ଦୀର୍ଘ ୪ ବର୍ଷ ତଳେ । ଦୁହେଁ ଦୁହିଁଙ୍କ ପାଇଁ ସେମିତି ବ୍ୟଗ୍ର, ଯେମିତି ହେଉଥିଲେ ଅତୀତରେ । ପୂର୍ବାପେକ୍ଷା ଦୁହିଁଙ୍କ ବୟସ ଟିକେ ବଢ଼ିଛି, ମାତ୍ର ଯୁବାବସ୍ଥାର ଚପଳତା ଦୁହିଁଙ୍କଠାରେ ସ୍ପଷ୍ଟ ବାରି ହୋଇପଡୁଛି ।

ସେ ଦୁହେଁ ଆଉ କେହି ନୁହେଁ, ସେ ଦୁହେଁ ଥିଲେ ପାର୍କର ଶେଷ କୋଣରେ ଥିବା ସେହି ଗୋଲାପ ଗଛ, ଆଉ ଲାଜକୁଳୀ ଲତା । ଦୀର୍ଘ ୪ ବର୍ଷ ତଳେ ସେହି ପାର୍କ ଥିଲା ମୋ ପାଇଁ ସବୁ କିଛି । ମୋ ପାଇଁ ଜୀବନରେ ଖୁସିର ମାନେ ଥିଲା ସେହି ପାର୍କ । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପ୍ରେମିକା ସହ ଦେଖାହେଉଥିଲା ସେହି ପାର୍କରେ । ସକାଳେ ମର୍ଣ୍ଣିଂ ୱାକ୍‌ର ବାହାନା, ଆଉ ସନ୍ଧ୍ୟାରେ ସାନ୍ଧ୍ୟ ଭ୍ରମଣ । ଏମିତି ପ୍ରେମିକାର ଅର୍ଦ୍ଧଚନ୍ଦ୍ର ମୁହଁଟିକୁ ସକାଳେ ଓ ସନ୍ଧ୍ୟାରେ ଦେଖି ମୁଁ ସବୁଦିନ ମନ ଭିତରେ ଖିଲିଖିଲି ହୋଇ ହସୁଥିଲି । ଖୁସିରେ ପ୍ରେମିକା ସହ ସବୁଜ ରଙ୍ଗର ଘାସ ଗାଲିଚା ଉପରେ ବସି ସନ୍ଧ୍ୟାର ଶୀତଳ ସମୀରଣର ଛୁଆଁକୁ ଅନୁଭବ କରୁଥିଲି । କଅଁଳ ଘାସକୁ ଦାନ୍ତରେ କାମୁଡ଼ି ତା’ର ଅଗ୍ରଭାଗକୁ ନେଇ ପ୍ରେମିକାର ନରମ ଗାଲରେ ସ୍ପର୍ଶ କରୁଥିଲି । ଘାସ ଗାଲିଚା ଉପରେ ପଡ଼ିଥିବା କାକର ବିନ୍ଦୁକୁ ହାତ ଅଙ୍ଗୁଳିରେ ନେଇ ପ୍ରେମିକାର ବେକ ଭାଗରେ ଛୁଆଁଇ ଦେଉଥିଲି । ଯେଉଁ ଛୁଆଁର ସ୍ପର୍ଶ ପାଇବା ପରେ ମୋ ପ୍ରେମିକା ଶିହିରି ଉଠୁଥିଲା । ନା, ନା ତୁମେ ଏମିତି କରନା । ତୁମେ ନା ଭାରି ଦୁଷ୍ଟ ହୋଇଗଲଣି । ଏମିତି କହି ମୋ ଆଡ଼କୁ ଆଉ ଟିକେ ଆଉଜି ହୋଇ ଆସୁଥିଲା । କଅଁଳ ଘାସର ସ୍ପର୍ଶ, ଆଉ କାକର ବିନ୍ଦୁର ଛୁଆଁ ତା’ ଶରୀରରେ ତରଙ୍ଗ ଖେଳାଇ ଦେଉଛି ବୋଲି ମୁଚୁକୁନ୍ଦା ହସ ଟିକେ ଦେଇ କେତେ ଲାଜେଇ ହୋଇ କହୁଥିଲା ।

ସତରେ ତା’ର ଏହି ଲାଜ ଭିତରେ ଲୁଚି ରହିଥିଲା ଲକ୍ଷେ ଫଗୁଣ । ମୁଚୁକୁନ୍ଦା ହସ ଭିତରେ ଭରି ରହିଥିଲା କୋଟିଏ ମୋତିର ସମାହାର । ଆଉ ଯେତେବେଳେ ଟୋପାଏ ଟୋପାଏ କାକର ବିନ୍ଦୁକୁ ନେଇ ମୋ ହାତ ଆଞ୍ଜୁଳିରେ ଏକାଠି କରି ମୋ ପ୍ରିୟାର ଅଜାଣତରେ ତାର ସ୍କୋୟାରକଟ୍ ଡ୍ରେସ୍‌ର ପୃଷ୍ଠ ଭାଗରେ ଢାଳି ଦେଉଥିଲି ମୁଁ, ସେତେବେଳେ ବଦଳି ଯାଉଥିଲା ମୋ ପ୍ରିୟାର ରଙ୍ଗ । ସେ ପାଲଟିଯାଉଥିଲା ଏକ ରଙ୍ଗିନ ପ୍ରଜାପତି । ତା’ର ଭି-କଟ୍ ଶରୀରର ଉପରିସ୍ଥ ଭାଗ ପୂର୍ବାପେକ୍ଷା କିଛି ମାତ୍ରାରେ ଫୁଲି ଉଠୁଥିଲା । ମୁଦ୍ରିତ ନୟନରେ ସେ ପଢ଼ିପାରୁଥିଲା ପ୍ରେମର ଅଙ୍କାବଙ୍କା ସୂତ୍ରରେ ଗୁନ୍ଥା ଗଣିତ ପୁସ୍ତକ । ତା’ର ମୁଖମଣ୍ଡଳରେ ଝଲସି ଉଠୁଥିଲା ଇନ୍ଦ୍ରଧନୁର ସପ୍ତରଙ୍ଗ । ଯେଉଁ ରଙ୍ଗ ସହ ଖେଳିବାକୁ ଇଚ୍ଛା ହେଉଥିଲା ହୋଲି ।

ସପ୍ତରଙ୍ଗ ସହ ହୋଲି ଖେଳିବା ପୂର୍ବରୁ ଜାମୁ ଡାଳ ପଡ଼ିଥିବା, ଗୋବର ଓ ରଙ୍ଗ ମାଟିରେ ଲିପା ଯାଇଥିବା ସୁସଜ୍ଜିତ ବେଦୀରେ ମୋ ହାତ ଉପରେ ତୁମ ହାତ ରଖି କେତେ ପ୍ରକାର ମନ୍ତ୍ର ଉଚ୍ଚାରଣ କରି ବ୍ରାହ୍ମଣ ପକାଇଦେଲା ଗଣ୍ଠି । ପ୍ରେମିକାରୁ ତୁମେ ହୋଇଗଲ ପତ୍ନୀ । ନିଜର ବିଭିନ୍ନ ଅଙ୍ଗକୁ କେତେ ପ୍ରକାର ସଜେଇ ମୋତେ ଦେଖା କରିବାକୁ ଧାଇଁ ଆସୁଥିବା ବେଳେ ଏବେ ତୁମେ ମୋ ଅର୍ଦ୍ଧାଙ୍ଗିନୀ । ଆଗକୁ ମୋ ରକ୍ତ, ମାଂସକୁ ନିଜ ଗର୍ଭରେ ଧାରଣ କରି ତୁମେ ହେବ ଜନନୀ । ବାଇକ୍‌ରେ ବସି ଜହ୍ନ ଆଲୁଅରେ ଖୋଲା ପବନର ମଜା ନେଉଥିବା ବେଳେ ଏବେ ମୋତେ ହେବାକୁ ପଡ଼ିଲା ସଂସାର ରଥର ସାରଥି । ଆରମ୍ଭ ହେଲା ଏକ ଛୋଟିଆ ତେଲ ଲୁଣର ସଂସାର ।

ସତରେ ପୁରୁଷ ପାଇଁ ଲୋଡ଼ା ନାରୀଟିଏ, ଆଉ ନାରୀ ପାଇଁ ପୁରୁଷ ।

ବେଶ୍ ହସ ଖୁସିରେ ବିତୁଥିଲା ଦିନ । ସକାଳୁ ତୁମେ ମୋ ପାଇଁ ରୋଷେଇ କରି ଦେଉଥିଲ । ଉଭୟେ ସାଙ୍ଗ ହୋଇ ଖାଇସାରିବା ପରେ ମୁଁ ନେଇ ତୁମକୁ ଛାଡ଼ୁଥିଲି ସେକ୍ରେଟାରିଏଟ୍‌ରେ । କାରଣ ତାହା ଥିଲା ତୁମ କର୍ମସ୍ଥଳ । ତା’ ପରେ ମୁଁ ଯାଉଥିଲି ମୋ ଅଫିସ । ପୁଣି ରାତି ୮ଟାରେ ହେଉଥିଲା ଉଭୟଙ୍କ ଦେଖା । ପ୍ରଥମେ ସବୁକିଛି ଠିକ୍‌ଠାକ୍ ଚାଲିଥିବା ବେଳେ ଧୀରେ ଧୀରେ ପିତା ହେବାରେ ଲାଗିଥିଲା ସମ୍ପର୍କର ମଧୁରତା । ଧରା ବନ୍ଧା ରୁଟିନ୍ ଭିତରେ ଉଭୟେ ହୋଇଯାଇଥିଲେ ଅଣନିଶ୍ୱାସୀ । ତୁମେ ମୋତେ ଦୋଷ ଦେଉଥିଲ ମୁଁ ତୁମକୁ ସମୟ ଦେଉନି । ମୁଁ ମଧ୍ୟ ସମାନ ଦୋଷ ଲଦି ଦେବାକୁ ଚାହୁଁଥିଲି ତୁମ ଉପରେ । ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ହେଉଥିଲା ଝଗଡ଼ା । ତୁମ ଆଗରେ ମୁଁ ମୋ ସହ କାମ କରୁଥିବା ଝିଅର ଲମ୍ବା କେଶକୁ ନେଇ ପ୍ରଶଂସା କରିଦେଲେ ତୁମେ ମୋତେ ଅନେକ କଥା କହୁଥିଲ । ତୁମେ ତୁମ ବନ୍ଧୁ ସହ ଉଠାଇଥିବା ଫଟୋକୁ ନେଇ ମୁଁ ମଧ୍ୟ ତୁମକୁ ଥଟ୍ଟାମଜାରେ କେତେ କଥା କହି ଚିଡ଼ାଉଥିଲି । ମାତ୍ର ସେହିଦିନ ଝଗଡ଼ା ଉଗ୍ର ରୂପ ନେଇଥିଲା ଯେଉଁଦିନ ମନ ଭିତରକୁ ପଶିଆସିଥିଲା ସନ୍ଦେହ ।

ସେହିଦିନ ବର୍ଷାରେ ଭିଜି ତୁମେ ତୁମ ଅଫିସ୍‌ର ଜଣେ କର୍ମଚାରୀଙ୍କ ସହ ଘରକୁ ପେରୁଥାଅ । ସେହି ସମୟରେ ମୁଁ ମଧ୍ୟ ଫେରୁଥାଏ ଅଫିସ୍‌ରୁ ଘରକୁ । ତୁମ ସହ ଦେଖା ହେଲା ରୁପାଲି ଛକରେ । ବର୍ଷାରେ ଭିଜିଯାଇଥିବାରୁ ତୁମ ପତଳା ଶାଢ଼ି ଦେଇ ବକ୍ଷ ବନ୍ଧନୀର ଧଳା ଫିତା ଦୁଇଟି ବାହାରକୁ ଦେଖାଯାଉଥିଲା ସ୍ପଷ୍ଟ ଭାବରେ । ଯାହାକୁ ନେଇ ସେଦିନ ମୁଁ ବହୁତ ଜୋର୍‌ରେ ରାଗିଯାଇଥିଲି । ଏପରି ଶାଢ଼ି ପିନ୍ଧିବ ନାହିଁ ବୋଲି ଆକଟ କରିଥିଲି । ନାରୀର ଆଭୂଷଣ ତା’ର ଲଜ୍ଜା ବୋଲି ବୁଝାଇବାକୁ ଚେଷ୍ଟା କରିଥିଲି । ହେଲେ ମୋ ମନର ଭାବକୁ ବୁଝିବା ବଦଳରେ ତୁମେ ମୋତେ ଦେଇଥିଲ ଜବାବ । ଲମ୍ବା କେଶ ରଖିଥିବା ଝିଅ ସହ କାମ କରିବା ପରେ ତୁମ ପ୍ରତି ପ୍ରେମ କମିଯାଇଥିବାର ଆରୋପ ଲଗାଇଲ ମୋ ଉପରେ । କହିଲ, ତୁମ ସ୍ୱାଧୀନତା ଉପରେ ମୁଁ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରୁଛି । ତୁମ ଚାକିରି ପ୍ରତି ମୋ ମନରେ ଈର୍ଷା ଭାବ ଜାତ ହେଉଛି, ଯାହା ଥିଲା ସମ୍ପର୍କର ସୂତା ଖିଅକୁ ଛିଡ଼ାଇବାର ଏକ ତୀକ୍ଷ୍ମ ଅସ୍ତ୍ର । ଚାକିରିଆ ଦମ୍ପତିଙ୍କ ପେଟ କଥା ବୁଝେ ଚାକର । ସେମାନଙ୍କ ଝଗଡ଼ାର ନାଟ ଦେଖେ ପୋଷା କୁକୁର । ଆଉ ଜୀବନରେ ଦେଖାଦେଉଥିବା ସମସ୍ୟା ସମାଧାନର ବାଟ ଦେଖାଏ ଛାଡ଼ପତ୍ରରେ ଏକ ଛୋଟିଆ ସିଗ୍ନେଚର । ଯାହା ଘଟିଥିଲା ଆମ ଜୀବନରେ । ସମାଧାନର ପନ୍ଥା ବାହାର କରିବା ପରିବର୍ତ୍ତେ ଆମେ ଭୀରୁ ପରି ହୋଇଯାଇଥିଲେ ଅଲଗା । ଚାକିରିର ଗର୍ବରେ ତୁମେ ମୋତେ କିଛି ବୁଝାଇବା ବଦଳରେ ଡାଇଭର୍ସ ପ ପରରେ ସିଗ୍ନେଚର କରିଦେଲ । ସତ କହୁଛି, ତୁମକୁ ପାଖରୁ ଦୂରେଇବା ପାଇଁ ଟିକେ ବି ଇଚ୍ଛା ନଥିଲା । ହେଲେ ମରଦ ପୁଅକୁ ନାରୀର ଟାଣ କଥା ମାଡ଼ ପରି । ପୁରୁଷର ଅହଙ୍କାରକୁ ଆଖିରେ ରଖି ତୁମକୁ ଦେଖାଇ ଦେଇଥିଲି ଫାଟକର ବାଟ । ସେହିଦିନଠାରୁ ମନ ଝୁରୁଛି ତୁମକୁ, ହେଲେ ତୁମ ମାନ ଭାଙ୍ଗିବାର ବାଟ ବନ୍ଦ ।

ଏମିତି ଦୁଃଖର ହୃଦୟ ଭିତରେ ଟିକେ ହସ ଫୁଟାଇବାକୁ ଯାଇଥିଲି ସେହି ପାର୍କକୁ, ଯେଉଁଠାରେ ସାଙ୍ଗ ହୋଇ ଯାଇ ବସୁଥିଲେ । ସେହି ଲାଜକୁଳୀ ଲତା ଆଉ ଗୋଲାପ ଏବେ ବି ଏକାଠି ଅଛନ୍ତି । ତାଙ୍କ ଭିତରେ କୌଣସି ବି ଝଗଡ଼ା ନାହିଁ । ମାନ ଅଭିମାନର ଗନ୍ଧ ସୁଦ୍ଧା ନାହିଁ । ଆମଠାରୁ ସେମାନେ ଆହୁରି ରୋମାଣ୍ଟିକ୍ । କେତେବେଳେ ଗୋଲାପ ଦେହରେ ଗୁଡ଼ାଇ ହୋଇ ଲାଜକୁଳୀ ଲତା ତା’ ଶରୀରର ଉତ୍ତାପ ମାପୁଛି ତ ଆଉ କେତେବେଳେ ଆଖି ସଦୃଶ ପତ୍ରଗୁଡ଼ିକୁ ବନ୍ଦ କରି ଗୋଲାପର କଅଁଳ ଜଙ୍ଘ ସଦୃଶ ଚେରରେ ମୁଣ୍ଡ ରଖି ଶାନ୍ତିରେ ଶୋଇଯାଉଛି । ଆଉ ଗୋଲାପ ତା’ର ହାତ ସଦୃଶ ପତ୍ରରେ ଲାଜକୁଳୀ ଲତାର ମୁଣ୍ଡକୁ ସାଉଁଳିଦେଇ ଉତ୍ତମ ପ୍ରେମିକାର ପରିଚୟ ଦେଉଛି । ବେେଳବେଳେ ଗୋଲାପ ତା’ର ନରମ ପାଖୁଡ଼ାକୁ ନେଇ ଲାଜକୁଳୀ ଲତାରେ ଫୁଟିଥିବା ଧଳା ଫୁଲରେ ବାଡ଼େଇ ଦେଉଛି । ଜଣାଇଦେଉଛି ମୁଁ ତୁମ ଓଠକୁ ସ୍ପର୍ଶ କଲି । ତୁମ ଓଠର ନରମ ଛୁଆଁ ମୋତେ ଲୋଡ଼ା । ମୁଁ ନିରବରେ ବସି ଦେଖୁଥାଏ ଉଭୟଙ୍କ ପ୍ରେମ । ହଠାତ୍ ଆରମ୍ଭ ହେଲା ବର୍ଷା । ଭିଜିଗଲେ ଗୋଲାପ ଆଉ ଲାଜକୁଳୀ । ବର୍ଷା ମାଡ଼ରେ ଗୋଲାପର ପତ୍ରଗୁଡ଼ିକ ତଳ ମୁହାଁ ହୋଇଯିବାରୁ ତାର ଶରୀର ସ୍ପଷ୍ଟ ଭାବେ ଦେଖାଗଲା ବାହାରକୁ, ଯେମିତି ଭିଜିଯିବା ପରେ ଦେଖା ଯାଉଥିଲା ତୁମ ବକ୍ଷ ବନ୍ଧନୀର ଧଳା ଫିତା । ଲାଜକୁଳୀ ଲତା ଗୋଲାପକୁ ଗାଳି କରିନଥିଲା ।

ବରଂ ନିଜକୁ ନେଇ ଗୋଲାପର ସମସ୍ତ ଅଂଶରେ ଗୁଡ଼ାଇ ଦେଇ ତାର ଶରୀରକୁ ଘୋଡ଼ାଇ ଦେଇଥିଲା । ବର୍ଷା ଛାଡ଼ିବା ପରେ ଭିଜି ଯାଇଥିବା ଗୋଲାପର ସୁନ୍ଦର ଫୁଲଟିକୁ ତୋଳିବା ପାଇଁ କେତେକ ଆଗେଇ ଆସିଥିଲେ । ମାତ୍ର ଲାଜକୁଳୀ ତା’ର ଛୋଟ ଛୋଟ କଣ୍ଟାରେ ସେମାନଙ୍କୁ ଆଘାତ ଦେଇ ସେଠାରୁ ଦୂରେଇ ଦେଇଥିଲା । ଜଣାଇଦେଇଥିଲା, ପ୍ରେମିକ ଆଗରେ ତା’ର ପ୍ରେମିକାକୁ ଅନ୍ୟ କେହି ଛୁଇଁବା ତ ଦୂରର କଥା, ଅନାଇବା ମନା । ସୁନ୍ଦର ଜିନିଷକୁ ସମସ୍ତେ ଟିକେ ଆଖି ପକାନ୍ତି । ପାଖରୁ ହେଉ ବା ଦୂରରୁ ଛୁଇଁବାକୁ ଚେଷ୍ଟା କରନ୍ତି । ମାତ୍ର ପ୍ରେମିକ ବା ପତିର କାମ ସେହି ସୁନ୍ଦର ପ୍ରେମିକା ବା ପତ୍ନୀକୁ ସୁରକ୍ଷା ଦେବା, ଜୀବନରୁ ଦୂରେଇଦେବା ନୁହେଁ । ଉଭୟ ଗୋଲାପ ଏବଂ ଲାଜକୁଳୀ ଲତା ସେଦିନ ମୋତେ ଅଟ୍ଟହାସ୍ୟ କରିଥିଲେ । ଜଣାଇଦେଇଥିଲେ ତୁମ ପରି ଆଜିକାଲିକା ଯୁବକଯୁବତୀଙ୍କ ଦେହାତୀତ ପ୍ରେମ ପରି ଆମ ପ୍ରେମ ନୁହେଁ । ଅନେକ ଯୁବକଯୁବତୀ ଏଠାକୁ ଆସନ୍ତି । ପ୍ରେମ ଗପ କରନ୍ତି । ଦେହ ମିଶାଇବାର ଲାଳସା ମେଣ୍ଟିଯିବା ପରେ ଉଭୟ ଉଭୟଙ୍କୁ ଭୁଲିଯାନ୍ତି । କିଛି ଦିନ ପରେ ସେହି ପୁଅ ଆଉ କେଉଁ ଝିଅ ସହ, ଆଉ ସେହି ଝିଅ ଆଉ କେଉଁ ପୁଅ ସହ ଏହି ସ୍ଥାନରେ ବସି ନିଜ କାମନାର ନିଆଁରେ ଘିଅ ଢାଳି ଆତ୍ମସନ୍ତୋଷ ଲାଭ କରନ୍ତି । ଦେବାନେବାର ସମ୍ପର୍କ ଭିତରେ ସୀମିତ ଥାଏ ସେମାନଙ୍କ ପ୍ରେମ । ଏମିତି ଅନେକଙ୍କ ସହ ପ୍ରେମ ସମ୍ପର୍କ ରଖି କେହି କେହି ସତୀର ସିନ୍ଦୂର ଟୋପା ପିନ୍ଧି ପ୍ରେମକୁ କଳୁଷିତ ଓ କଳଙ୍କ ବୋଲି କହି ବୁଲୁଥିବା ବେଳେ ଆଉ କେହି କେହି ମଥାରେ କଳା ଟିକା ପିନ୍ଧି ଆତ୍ମହତ୍ୟାର ପନ୍ଥାକୁ ଆପଣାଇ ନିଅନ୍ତି । ସଂସାର ଭାଙ୍ଗିଯିବା ଦୁଃଖରେ ମ୍ରିୟମାଣ ହୋଇ ଅନେକ ଯୁବକ ପାଗଳ ପରି ଘୂରିବୁଲନ୍ତି । ପ୍ରେମର ମାନେ ନୁହେଁ ସନ୍ଦେହର ମାୟା ଜାଲରେ ଛନ୍ଦି ହୋଇ ଛଟ୍‌ପଟ୍ ହେବା । ପତିର ରାଗକୁ ମନ ଭିତରେ ଧରି ଛାଡ଼ପତ୍ରରେ ଦସ୍ତଖତ କରିଦେବା । ଠିକ୍ ସେମିତି ପତ୍ନୀକୁ ଜେଲ୍ ସଦୃଶ ଘରର ଚାରିକାନ୍ଥ ଭିତରେ ମୁଣ୍ଡରେ ଓଢ଼ଣି ପକାଇ କଣ୍ଢେଇଟିଏ ପରି ରଖିବା ପତିର କାମ ନୁହେଁ । ଉତ୍ତମ ପତିର କର୍ତ୍ତବ୍ୟ ପତ୍ନୀକୁ ସୁରକ୍ଷା ଦେବା । ତା’ର ଛୋଟବଡ଼ ଭୁଲକୁ ସୁଧାରିବା, ରାଗରେ ଛାଡ଼ିଦେବା ନୁହେଁ ।

ବର୍ଷାରେ ଭିଜି ଭିଜି ଲାଜକୁଳୀ ଲତା ଓ ଗୋଲାପର ଏହି ଅଟ୍ଟହାସ୍ୟ ମୁଁ ଶୁଣୁଥିଲି । ମୋତେ ସେଦିନ ବ୍ୟଥିତ କରିଥିଲା ସେମାନଙ୍କର ଏହି ଅଟ୍ଟହାସ୍ୟ । ସେହି ଓଦା ପୋଷାକରେ ମୁଁ ସେଦିନ ଯାଇ ପହଞ୍ଚିଥିଲି ମୋ ପ୍ରେମିକା ତଥା ପତ୍ନୀଙ୍କ ଘରେ । ବଢ଼ାଇ ଦେଇଥିଲି ପ୍ରସାରିତ ଦୁଇ ବାହୁ ତାଙ୍କରି ଆଡ଼କୁ । ସେତେବେଳେ ତାଙ୍କ ଅଗଣାରେ ଥିବା ତୁଳସୀ ଗଛ ମୁଳେ ସେ ଜାଳୁଥିଲେ ଦୀପ । ହଠାତ୍ ଧାଇଁ ଆସି ମୋ ଛାତି ଉପରେ ମୁଣ୍ଡ ରଖି ଶକ୍ତ ଭାବେ ଜାବୁଡ଼ି ଧରିଥିଲେ ମୋତେ ଓ କହିଥିଲେ, ମୁଁ ଜାଣିଥିଲି ତୁମେ ନିଶ୍ଚୟ ଫେରିବ । ମୋ ନିଚ୍ଛକ ପ୍ରେମ ତୁମକୁ ମୋ ପାଖକୁ ଟାଣିଆଣିବ । ପ୍ରତିଦିନ ସଞ୍ଜରେ ମୁଁ ତୁମରି ନାଁରେ ତ ଜାଳୁଛି ଏହି ସଞ୍ଜବତି । ତୁମେ ଆଜି ଆସିନଥିଲେ କିଛି ଦିନ ପରେ ମୁଁ ତୁମ ପାଖକୁ ଫେରିଯାଇଥାନ୍ତି । କାରଣ ମୁଁ ବୁଝିସାରିଛି ପ୍ରେମିକା ଆଉ ପତ୍ନୀ ଭିତରେ ପାର୍ଥକ୍ୟ କ’ଣ । ପ୍ରେମିକାର ଅର୍ଦ୍ଧଅନାବୃତ ଶରୀର ପ୍ରେମିକକୁ ଭାରି ଭଲ ଲାଗେ । ପ୍ରେମିକାକୁ କେହି କଣେଇ ଚାହିଁଲେ ତା’ର ପସନ୍ଦ ଭଲ ବୋଲି ପ୍ରେମିକ ଗର୍ବ କରେ । ଦେଖ ଏବେ ମୁଁ ତୁମ ପାଇଁ ମୋ କେଶ ବଢ଼ାଇଦେଇଛି, ମୋତେ ବି ଟିକେ ପ୍ରଶଂସା କର ।

ଲୋକପ୍ରିୟ ଲେଖା

To Top