ପ୍ରବନ୍ଧ

ଏକ ବିବାଦୀୟ ଶ୍ଳୋକ

ମାତ୍ର ସାଧାରଣତଃ ଏହା ଦେଖାଯାଏ ଯେ, ନୀଳପଦ୍ମ (ନୀଳକଇଁ) ଦେଢ଼ଫୁଟ କିମ୍ୱା ଦୁଇଫୁଟ ଜଳଥିବା ସ୍ଥାନରେ ଫୁଟେ । ଗଭୀର ଜଳରେ ଏହା ଫୁଟେ ନାହିଁ ।

ଏକ ବିବାଦୀୟ ଶ୍ଳୋକ

ଶ୍ରୀମଦ୍ ଭଗବଦ୍‌ଗୀତା ଧ୍ୟାନରେ ଏକ ବିବାଦୀୟ ଶ୍ଳୋକ ଅଛି ଯଥା

ଭୀଷ୍ମଦ୍ରୋଣତଟା ଜୟଦ୍ରଥଜଲା ଗାନ୍ଧାରନୀଲୋତ୍ପଲା ।
ଶଲ୍ୟଗ୍ରାହବତୀ କୃପେଣ ବହନୀ କର୍ଣ୍ଣେନ ବେଲାକୂଲା ।
ଅଶ୍ୱତ୍‌ଥାମାବିକର୍ଣ୍ଣ ଘୋରମକରା ଦୁର୍ଯ୍ୟୋଧନାବର୍ତିନୀ ।
ସୋତ୍ତୀର୍ଣ୍ଣା ଖଲୁ ପାଣ୍ଡବୈ ରଣନଦୀ କୈବର୍ତକଃ କେଶବଃ ।

ଉକ୍ତ ଶ୍ଳୋକରେ କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରକୁ ସମୁଦ୍ରରେ ମିଶୁଥିବା ଏକ ବିରାଟ ଓ ଭୟଙ୍କର ନଦୀ ସହିତ ତୁଳନା କରାଯାଇଛି । ଯେଉଁ ନଦୀର ଦୁଇ କୋଣ ହେଲେ ଭୀଷ୍ମ ଏବଂ ଦ୍ରୋଣ । ଜୟଦ୍ରଥ ଏହି ନଦୀର ଜଳସ୍ୱରୂପ, ଗାନ୍ଧାରୀଙ୍କର ପୁତ୍ରଗଣ ନୀଳପଦ୍ମ (ଯାହାକୁ ସାଧାରଣତଃ ନୀଳକଇଁ କୁହାଯାଏ, ଯାହାକୁ ରାମଚନ୍ଦ୍ର ଅର୍ପଣ କରି ଦୁର୍ଗାପୂଜା କରିଥିଲେ । ଯାହା କଇଁ ପରି ରାତିରେ ନ ଫୁଟି ଦିନ ୧୦ଘଣ୍ଟା ବା ୧୧ ଘଣ୍ଟା ବେଳକୁହିଁ ଫୁଟିଥାଏ ଓ ଯାହା ପଦ୍ମଶ୍ରେଣୀୟ) । ଶଲ୍ୟ ଏକ ଭୟଙ୍କର କୁମ୍ଭୀର, କୃପାଚାର୍ଯ୍ୟ ସେହି ନଦୀର ପ୍ରଖର ସ୍ରୋତ, କର୍ଣ୍ଣ ସମୁଦ୍ରର ବେଳାଭୂମି, ଯେଉଁଠାରେ ଏନଦୀ ସମୁଦ୍ରରେ ମିଶୁଛି । ଅଶ୍ୱତ୍‌ଥାମା ଓ ବିକର୍ଣ୍ଣ ଦୁହେଁ ଘୋର ମଗର । ଦୁର୍ଯ୍ୟୋଧନ ପ୍ରଚଣ୍ଡ ଜଳ ଭଉଁରୀ । ପାଣ୍ଡବମାନେ ଏହିପରି ଏକ ଘୋରତମ ନଦୀକୁ ପାର ହେବାକୁ ଇଚ୍ଛୁକ, ଯେଉଁମାନଙ୍କର ନାବିକ ହେଲେ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ।

ମାତ୍ର ସାଧାରଣତଃ ଏହା ଦେଖାଯାଏ ଯେ, ନୀଳପଦ୍ମ (ନୀଳକଇଁ) ଦେଢ଼ଫୁଟ କିମ୍ୱା ଦୁଇଫୁଟ ଜଳଥିବା ସ୍ଥାନରେ ଫୁଟେ । ଗଭୀର ଜଳରେ ଏହା ଫୁଟେ ନାହିଁ । ପୁଣି ଯେଉଁଜଳରେ ପ୍ରଚଣ୍ଡ ଭଉଁରୀ, ପ୍ରବଳ ସ୍ରୋତ, ଯାହା କୁମ୍ଭୀର ଓ ମଗରଙ୍କର ବାସ ସ୍ଥଳ, ସେଠାରେ ଏହା ତିଷ୍ଠିରହିବା ଅସମ୍ଭବ । ଏହି ପରିପେକ୍ଷୀରେ “ନୀଲୋତ୍ପଲା’ ସ୍ଥଳରେ “ନୀଲୋପଲା’ ବେଶୀ ସମୀଚୀନ । “ନୀଲୋପଲା’ (ନୀଳ ଉପଳ)ର ଅର୍ଥ ନୀଳ ରଙ୍ଗର ପଥରଖଣ୍ଡ, ଯାହା ଏପରି ଭୟଙ୍କର ସ୍ଥଳର ଭୟାନକତାକୁ ବହୁଗୁଣିତ କରିଦେଉଛି । କାରଣ ପ୍ରବୀଣ ନାବିକହିଁ ଏପରି ଜଳସ୍ରୋତ, ଜଳଭଉଁରୀ, ପଥରଖଣ୍ଡ, କୁମ୍ଭୀର ଓ ମଗରମାନଙ୍କ ମଧ୍ୟରେ ନୌକାକୁ ଠିକ୍ ପାର କରିପାରିବ । ସାମାନ୍ୟ ବ୍ୟତିକ୍ରମରେ ଡଙ୍ଗା ପଥରରେ ପିଟି ହୋଇ ଖଣ୍ଡ ଖଣ୍ଡ ହୋଇଯିବାର ସମ୍ଭାବନା ଖୁବ୍ ବେଶୀ ।

ଏଣୁ “ନୀଲୋତ୍ପଲା’ ସ୍ଥଳରେ “ନୀଲୋପଲା’ ବେଶୀ ସମୀଚୀନ । ଯାହା ନୀଳପଦ୍ମକୁ ନ ବୁଝାଇ ନୀଳ ରଙ୍ଗର ପଥରକୁ ବୁଝାଉଛି ।

ଲୋକପ୍ରିୟ ଲେଖା

To Top