ଅଣୁଗଳ୍ପ

ଭିକାରୀ

Akshaya Sahoo

ଅଜୟ ସେହି ଲୋକଟିର କଥା ଶୁଣି ଭିକାରୀ ଆଡକୁ ଅନାଇବା ମାତ୍ରେ କାହିଁକି କେଜାଣି ତା’ର ଦେହ ଶିତେଇ ଉଠିଲା ।

ଭିକାରୀ

ଅଜୟ ଅଫିସ୍‌କୁ ଯାଉଥିବା ସମୟରେ ଦେଖିଲା ଯେ, ଲୋକମାନଙ୍କର ଭିଡ଼ । ଘଟଣାଟି କ’ଣ ଜାଣିବାକୁ ଇଚ୍ଛାଥିଲେ ବି ସମୟ ନ ଥିବାରୁ ସେ ନ ପଚାରି ଅତିକ୍ରମ କରି ଚାଲିଯିବାକୁ ଚାହୁଁଥିବା ସମୟରେ କେତେ ଜଣ ତା’ର ପଥକୁ ଅଟକାଇ ଠିଆ ହେଲେ ଓ ସେମାନଙ୍କ ମଧ୍ୟରୁ ଜଣେ କହିଲା – ବାବୁ, ଏ ଭିକାରୀକୁ କିଛି ସାହାଯ୍ୟ କରନ୍ତୁ । ନ ହେଲେ ଏ ଭିକାରୀଟି ମରିଯିବ ଆଜ୍ଞା । ବଡ଼ ରୋଗ ଆକ୍ରାନ୍ତ କରିଛି । ତାକୁ ଭଲ କରିବା ପାଇଁ ଆମ୍ଭେମାନେ ଚାନ୍ଦା ଆଦାୟ କରୁଛୁ । ଅଜୟ ସେହି ଲୋକଟିର କଥା ଶୁଣି ଭିକାରୀ ଆଡକୁ ଅନାଇବା ମାତ୍ରେ କାହିଁକି କେଜାଣି ତା’ର ଦେହ ଶିତେଇ ଉଠିଲା । ସଙ୍ଗେ ସଙ୍ଗେ ସେ ପକେଟ୍‌ରୁ ୨୦ଟଙ୍କା ଲୋକଟି ହାତରେ ଧରାଇ ଦେଇ ଚାଲିଗଲା । ଏମିତି ଅଫିସ୍ ଯିବା ଆସିବା ସମୟରେ ଅଜୟ ଦେଖେ ଯେ, ଲୋକମାନେ ତା ପାଇଁ ଚାନ୍ଦା ଆଦାୟରେ ମଜ୍ଜି ଯାଇଛନ୍ତି । ଯାହାହେଉ ଲୋକମାନଙ୍କର ଦୟା ଜାଗ୍ରତ ହେଉଛି ବୋଲି ସେ ଖୁସି ହୋଇ ଯାଇଥିଲା । କିନ୍ତୁ ଅନେକ ଦିନ ପରେ ସେ ସେହି ଭିକାରୀକୁ ତା ମାମୁଁ ଘର ଗାଁରେ ଦେଖି ଅବାକ୍ ହୋଇ ଯାଇଥିଲା । ସେହି ଭିକାରୀ ପାଖକୁ ଯାଇ ପଚାରିବାରୁ ସେ କହିଲା – ଆପଣ ଜାଣି ନାହାଁନ୍ତି ବାବୁ, ସେମାନେ ସବୁ ମଣିଷ ନୁହଁନ୍ତି ପଶୁ ସହିତ ସମାନ, ମୋତେ ଧମକାଇ ସେମାନେ କହିଥିଲେ, ଆମେ ମିଛଟାରେ ତୋ ନାଁରେ ଟଙ୍କା ଆଦାୟ କରିବୁ । ତୋତେ ସେଥିରୁ ଅଧା ବି ଦେବୁ । ମୋର ଇଚ୍ଛା ନ ଥିଲେ ବି ସେମାଙ୍କ ଡରରେ ମୁଁ ରାଜି ହୋଇ ଯାଇଥିଲି । କିନ୍ତୁ ସେ ଆଦାୟ ସମସ୍ତ ଟଙ୍କାରେ ପ୍ରତି ସନ୍ଧ୍ୟାରେ ମଦମାଂସରେ ବୁଡି ରହୁଥିଲେ । ମୁଁ ଟଙ୍କା ମାଗିଲେ କିଛି ଖାଇବା ପାଇଁ, ସେମାନେ ମୋତେ ମାଡ଼ ମାରୁଥିଲେ । ଆଉ ସହି ପାରିଲିନି, ସେଠାରୁ ଲୁଚି ଏଠାକୁ ପଳାଇ ଆସିଛି ଭିକାରୀର କଥା ଶୁଣି ଅଜୟ ସବୁ ଶୁଣି ଯାହା ନ ଶୁଣିବା ପରି ଠିଆ ହୋଇ ଥୁଣ୍ଟା ଗଛ ଆଡେ ଚାହିଁ ରହି ଅନେକ କିଛି ଭାବୁଥିଲା ।

ଲୋକପ୍ରିୟ ଲେଖା

To Top