ଗଳ୍ପ

ବିବାହିତା ସୁନ୍ଦରୀ

Ashok Kumar Das's odia story Bibaahita Sundari

ରଶ୍ମିତା ଦେବୀ ଏକ ସନ୍ତାନର ଜନନୀ ହୋଇଥିଲେ ମଧ୍ୟ ରବିର ସ୍ପର୍ଶରେ ନିଜର ପତିଦେବଙ୍କୁ ଭୁଲି ସାରିଥିଲେ ।

ବିବାହିତା ସୁନ୍ଦରୀ

ପଢାରେ ଆଗ୍ରହ ନ ଥିବାରୁ ବହୁ କଷ୍ଟରେ ଯୁକ୍ତ ଦୁଇ ପାସ୍ କରିଥିଲା ରବି, ଯିଏ ଯେତେ ଭାଇ ସେତେ ଘର ଓ ନିଜେ ନ ମଲେ ସ୍ୱର୍ଗ ଦେଖି ହୁଏନା ଆଦି ପୁରାତନ ଚିନ୍ତାଧାରାକୁ ନିଜ ମନରେ ପରିପୁଷ୍ଟ କରି ରଖିଥିଲା ପିଲାଦିନରୁ । ଏଣୁ କିଛି ଗୋଟାଏ କାର୍ଯ୍ୟ କରି ଜୀବନରଥକୁ ଆଗେଇ ନେବା ପାଇଁ ଚିନ୍ତା କଲା । କଣ କରିବ ବୋଲି ଭାବି ଶେଷରେ ଭୁବନେଶ୍ୱରରେ କମ୍ପ୍ୟୁଟର ହାର୍ଡଓୟାର ପାଠ୍ୟକ୍ରମ ଶିକ୍ଷା ଲାଭ କରି ବର୍ଷେ ପରେ ଗାଁକୁ ଫେରିଲା । ମନରେ ସ୍ୱପ୍ନ ଥାଏ ଯେ କିପରି ଦୁଇ ପଇସା ରୋଜଗାର କରିବ ଓ ବଡ ମଣିଷ ହେବ । ଛୋଟରୁ ବଡ ହେବାର ଭାବନାକୁ ପାଥେୟ କରି ନିକଟସ୍ଥ ବଜାରରେ ଛୋଟ ଦୋକାନଟିଏ ଖୋଲିଲା ଯେଉଁଠି କମ୍ପ୍ୟୁଟର ସଜାଡିବା ସହିତ କିଛି କମ୍ପ୍ୟୁଟର ପାର୍ଟ୍ସ ମଧ୍ୟ ବିକ୍ରିକଲା । ଆଧୁନିକ ଯୁଗରେ କମ୍ପ୍ୟୁଟରର ଚାହିଦା ଅଧିକ ଥିବାରୁ ସେ ଅଳ୍ପ କିଛି ଦିନ ମଧ୍ୟରେ ଭଲ ମିସ୍ତ୍ରୀ ଭାବରେ ସ୍ୱୀକୃତି ପାଇଗଲା । ଧିରେ ଧିରେ ବେପାର ବଢିଲା ଓ ରୋଜଗାର ବେଶ୍ ଦୁଇ ପଇସା ହେଲା ।

ଏକଦା ରଜନୀବାବୁ ନାମକ ଜଣେ ଭଦ୍ରବ୍ୟକ୍ତି ରବିକୁ ଫୋନ୍ କରି କହିଲେ ଘରକୁ ଆସି କମ୍ପ୍ୟୁଟର ସଜାଡିବାକୁ । ଅଧିକ ପଇସା ଆଶାରେ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ କରି ଯିବାକୁ ସମ୍ମତି ଭରିଲା । ଠିକ୍ ସମୟରେ ରଜନୀବାବୁଙ୍କ ଘରେ ପହଁଞ୍ଚି ଖରାପ ହୋଇଥିବା କମ୍ପ୍ୟୁଟରରେ ସାମାନ୍ୟ ସମସ୍ୟାକୁ ଖୁବ୍ କମ୍ ସମୟ ମଧ୍ୟରେ ସଜାଡିଦେଲା । ରଜନୀବାବୁ ଅତ୍ୟନ୍ତ ଖୁସିରେ ଚାହା ପିଇବାକୁ ଦେଇ ନିଜ ବିଷୟରେ କହି ଚାଲିଲେ । ମୁଁ ହାଇଦ୍ରାବାଦରେ ଏକ ଲଜିଷ୍ଟିକ୍ କମ୍ପାନୀରେ କାମ କରେ । ଏଠାରେ ମୋ ସ୍ତ୍ରୀ ରଶ୍ମିତା ଓ ସାତ ବର୍ଷର ଝିଅ ଅଳକା ରୁହନ୍ତି । ରଶ୍ମିତା ବିଭିନ୍ନ କବିତା ଓ ଶିଶୁ ଗପ ଲେଖାଲେଖି କରନ୍ତି । ସେଥିପାଇଁ କମ୍ପ୍ୟୁଟର ବ୍ୟବହାର କରନ୍ତି । ଆଗାମୀ ସମୟରେ କମ୍ପ୍ୟୁଟରରେ ସମସ୍ୟା ଦେଖାଦେଲେ ଏଠାକୁ ଆସି ସଜାଡି ଦେବାକୁ ଅନୁରୋଧ କଲେ ରଜନୀବାବୁ । ଆଶାଠାରୁ ଅଧିକ ପାରିଶ୍ରମିକ ପାଇ ଖୁସିରେ ରବି ସମ୍ମତି ପରିପ୍ରକାଶ କରି ସେଠାରୁ ପ୍ରତ୍ୟାବର୍ତ୍ତନ କଲା ।

କିଛି ଦିନ ଗଡିଯାଆନ୍ତେ, ପୁନଶ୍ଚ ରଜନୀବାବୁଙ୍କ କମ୍ପ୍ୟୁଟର ଖରାପ ହେଲା । ରଜନୀବାବୁ ହାଇଦ୍ରାବାଦରୁ ଫୋନ୍ ଲଗାଇ କହିଲେ, ଆମ କମ୍ପ୍ୟୁଟରଟା ଖରାପ ହୋଇଯାଇଛି ଦୟାକରି ଘରକୁ ଯାଇ ମରାମତି କରିଦେବେ । ରବି ତୁରନ୍ତ ମରାମତି କରିଦେବାକୁ ପ୍ରତିଶ୍ରୁତି ଦେଲା । ତା ପରଦିନ ପୂର୍ବାହ୍ଣରେ ରଜନୀବାବୁଙ୍କ ଘରେ ପହଁଚି କଲିଂଗ୍ ବେଲ୍ ବଜାଇଲା । ରଜନୀବାବୁଙ୍କ ଧର୍ମପତ୍ନୀ ରଶ୍ମିତାଦେବୀ କବାଟ ଫିଟାଇ ଦେଖନ୍ତି ଜଣେ ଆକର୍ଷଣୀୟ ନବ ଯୌବନ ପ୍ରାପ୍ତ ସୁଢଳ ଯୁବକକୁ । କୃଷ୍ଣଚୂଡା ରଂଗର ଶାଢୀ ପରିହିତା, ଭ୍ରୂଭଙ୍ଗୀଯୁକ୍ତ ମୁଖ ଓ ଅପରୂପା ସୌନ୍ଦର୍ଯ୍ୟବିଶିଷ୍ଟା ରଶ୍ମିତାଦେବୀଙ୍କୁ ଅବଲୋକନ କରି ରବି ମନରେ ଭାବାନ୍ତର ଉଦ୍ରେକ ହେଲା । କିଛି ସମୟ ନିର୍ବାକ୍ ରହିଲା ପରେ ପ୍ରକୃତିସ୍ଥ ହୋଇ କହିଲା ରଜନୀବାବୁ ଫୋନ୍ କରିଥିଲେ କମ୍ପ୍ୟୁଟର ସଜାଡିବା ପାଇଁ । ଘରକୁ ଆସନ୍ତୁ ବୋଲି କହି ରଶ୍ମିତାଦେବୀ ଘର ଭିତରକୁ ଯାଇ କମ୍ପ୍ୟୁଟର ଥିବା ରୁମ୍ ଦେଖାଇଦେଲେ । କମ୍ପ୍ୟୁଟର ମରାମତି କରୁଥିବା ସମୟରେ ରବି ମନ ଭିତରେ ଆନ୍ଦୋଳିତ ହେଉଥିଲା ଅନେକ ଭାବନା । ସଦ୍ୟ ପ୍ରଷ୍ଫୁଟିତ ପୁଷ୍ପରେ ପ୍ରଜାପତିଟିଏ ବସି ଯେପରି ଆନନ୍ଦରେ ରସପାନ କରେ ଠିକ୍ ସେହିପରି ରବି ରଶ୍ମିତା ଦେବୀଙ୍କର ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ମନେ ମନେ ଉପଭୋଗ କରିବାକୁ ଭାବିଲା । ସତେ ଯେପରି ନବପଲ୍ଲବିତ ରକ୍ତବର୍ଣ୍ଣଯୁକ୍ତ ଅଧରପାନ କରି ସ୍ୱର୍ଗାନନ୍ଦ ଅନୁଭବ କରିବ ଯାହା ଅନାସ୍ୱାଦିତ ନବ ମଧୁ ପରି ପ୍ରତୀୟମାନ ହେଉଥିଲା ।

ଏଭଳି ଭାବନାରେ ମନ କାମାସକ୍ତ ଥିଲାବେଳେ ରଶ୍ମିତାଦେବୀ ଚାହା କପେ ନେଇ ସେଠାକୁ ଆସିଲେ । ପଛପଟେ ରଶ୍ମିତା ଦେବୀ ଚାହା କପେ ଦେବାକୁ ଯାଉଥିବା ବେଳେ ହଠାତ୍ ରବି ବୁଲିପଡିବାରୁ ଚାହା କପ୍ ରେ ହାତ ବାଜି ଚାହାତକ ରଶ୍ମିତାଦେବୀଙ୍କ ଉପରେ ପଡିଗଲା । ଗରମ ଚାହା ପଡିଯିବାରୁ ଶାଢୀର ପଣତକାନିଟିକୁ ନିଜ ଦେହରୁ ଖୋଲିଦେଲେ । ଏହି ଅପୂର୍ବ ଦୃଶ୍ୟର ମନୋହର ଚିତ୍ର ଦେଖି ରବି ହୁଏ ଭାବମତ୍ତ । ସେ ରଶ୍ମିତାଦେବୀଙ୍କର ପଣତକାନି ଧରି ଚାହା ଢାଳିହୋଇଥିବା ଜାଗାକୁ ପୋଛି ଦେବାକୁ ଉଦ୍ୟତ ହେଲେ । ବର୍ଷାର ସ୍ପର୍ଶରେ ଦେହ ଓ ମନରେ ଯେପରି ଶିହରିତ ହୁଏ ସେହିପରି ରବି ରଶ୍ମିତାଦେବୀଙ୍କର ସ୍ପର୍ଶରେ ଶିହରିତ ହୋଇଗଲା । ପରସ୍ପର ପରସ୍ପରକୁ ଚାହିଁବାକୁ ଲାଗିଲେ । କିଛି ସମୟ ପାଇଁ ଚାରି ଆଖି ଏକ ଆଖି ହୋଇଗଲା । ରଶ୍ମିତା ଦେବୀ ଏକ ସନ୍ତାନର ଜନନୀ ହୋଇଥିଲେ ମଧ୍ୟ ରବିର ସ୍ପର୍ଶରେ ନିଜର ପତିଦେବଙ୍କୁ ଭୁଲି ସାରିଥିଲେ । ନିଜ ଯନ୍ତ୍ରଣାଠାରୁ ବହୁ ଦୂରରେ ଥିଲେ ରଶ୍ମିତାଦେବୀ । ଉଭୟ ଉଭୟଙ୍କୁ ଆଲିଙ୍ଗନ କଲେ । ମନ ଭିତରର ସମସ୍ତ ତୃଷ୍ଣା ମେଣ୍ଟାଇଲା ରବି । ରଶ୍ମିତାଦେବୀ ମଧ୍ୟ କେଉଁ ଅପୂର୍ବ ଆନନ୍ଦ ଅନୁଭବ କରିଥିଲେ ରବିର ସଂସ୍ପର୍ଶରେ ସେଦିନ ।

ରବି ହାର୍ଡଓୟାର୍ କାମ ଛାଡି ରଶ୍ମିତାଦେବୀଙ୍କ ସଫ୍ଚଓୟାର୍ ବିଷୟରେ ଅଧିକ ଭାବୁଥିଲା । ଏଣୁ ଗୋଟିଏ ଦିନ ନୁହେଁ କି ଦୁଇ ଦିନ ନୁହେଁ ସବୁଦିନ ରବି ରଶ୍ମିତା ଦେବୀଙ୍କ ଘରକୁ ଆସିବାକୁ ଲାଗିଲା ଓ ରଜନୀବାବୁଙ୍କ ଅନୁପସ୍ଥିତର ସୁଯୋଗ ନେଇ ସେ ତାର ଶାରିରୀକ ଲାଳସା ମେଣ୍ଟାଉ ଥିଲା । ଯେହେତୁ ରଶ୍ମିତାଦେବୀଙ୍କ ସ୍ୱାମୀ ବାହାରେ ରୁହନ୍ତି ସେ ମଧ୍ୟ ରବିର କାର୍ଯ୍ୟରେ ଆନନ୍ଦ ଉପଲବ୍ଧି କରୁଥିଲେ । ଦିନକୁ ଦିନ ଏହି ଘଟଣା ଚାରିଆଡେ ବ୍ୟାପିଗଲା । ହଠାତ୍ ଦିନେ କାହାକୁ କିଛି ନ ଜଣାଇ ରଜନୀବାବୁ ଘରକୁ ଆସି ଦେଖନ୍ତି ରବି ଓ ରଶ୍ମିତାଦେବୀଙ୍କ ଅସନ୍ତୁଳିତ ଅବସ୍ଥାକୁ । କ୍ରୋଧରେ ତାଙ୍କ ଦେହ ଥରୁଥାଏ ଓ ମୁହଁ ଲାଲ୍ ପଡିଯାଇଥାଏ । ରବିକୁ ଭର୍ତ୍ସନା କରି ଘରୁ ବାହାର କରିଦେଲେ ରଜନୀବାବୁ । ନିଜ ପତ୍ନୀକୁ ମଧ୍ୟ ବହୁତ ତିରସ୍କାର କଲେ । କିନ୍ତୁ ପରେ ନିଜର କ୍ରୋଧ ସମ୍ୱରଣ କରି ନିଜ ସଂସାରକୁ ନ ଭାଙ୍ଗିବାକୁ ଚିନ୍ତା କରି ପତ୍ନୀଙ୍କୁ ବହୁତ ବୁଝାଇଲେ । ନିଜର କୃତକର୍ମ ପ୍ରତି ଘୃଣା ଭାବ ଆସି ରଶ୍ମିତାଦେବୀଙ୍କ ମୁହଁ ମଳିନ ପଡିଗଲା । ରଶ୍ମିତାଦେବୀ ନିଜର ଭୂଲକୁ ପୂର୍ଣ୍ଣରୂପେ ହୃଦବୋଧ କରି ଆଉ ଏପରି ଘୃଣ୍ୟ କାର୍ଯ୍ୟ ନ କରିବାକୁ ରଜନୀବାବୁଙ୍କୁ ପ୍ରତିଶ୍ରୁତି ଦେଲେ । ରବି ରଶ୍ମିତାର ଏଭଳି ସ୍ୱଭାବକୁ ପରିଲକ୍ଷିତ କରି ନିଜେ ନିଜର କାମରେ ମନ ଧ୍ୟାନ ଦେଲେ । ରବିର ଘର ଲୋକ ଏକଥା ଜାଣି ଏକ ସୁନ୍ଦରୀ ସହ ବିବାହ କରିଦେଲେ । ରବି ନିଜ ସ୍ତ୍ରୀ ସହ ସମୟ ଖୁସିରେ କାଟିଲା । ହେଲେ ଆଜି ମଧ୍ୟ ରବି ରଶ୍ମିତାଦେବୀଙ୍କୁ ଦେଖିଲେ ନିଜ ମନ ଗହ୍ୱରରେ କାମବାସନା ସଦ୍ୟ ପ୍ରସ୍ଫୁଟିତ ସତେଜ କୋମଳ ପୁଷ୍ପ ପରି ଜାଗି ଉଠେ ।

ଲୋକପ୍ରିୟ ଲେଖା

To Top