ପ୍ରବନ୍ଧ

ଶିକ୍ଷା

ତେଣୁ ଆଧୁନିକ ଶିକ୍ଷାରେ ମଣିଷ ପରମୁଖାପେକ୍ଷୀ ଓ ଅନ୍ୟତ୍ର ଚାକିରୀ କରିବା ଉଦ୍ଦେଶ୍ୟରେ କିଛି ଜାଣିବାପାଇଁ କିଛି ଶିଖୁଛନ୍ତି ।

ଶିକ୍ଷା

ଭାରତର ସୁପ୍ରସିଦ୍ଧ ବ୍ୟାକରଣବିଦ୍ “ପାଣିନି”ଙ୍କ ମତରେ ଶିକ୍ଷା ଶବ୍ଦ “ଶକ୍” ଧାତୁରୁ ଉତ୍ପନର୍ । ଶକ୍-ଧାତୁର ଅର୍ଥ ଶକ୍ତି, ସାମର୍ଥ୍ୟ, ଯୋଗ୍ୟତା, ସେବା । ଅର୍ଥାତ ଯେ ଯେଉଁ ବିଷୟରେ ଶିକ୍ଷା ଲାଭ କରିଛନ୍ତି, ସେ ସେହି ବିଷୟରେ ବିଶେଷ ଦକ୍ଷ, ପ୍ରବୀଣ, ଶକ୍ତିମାନ, ସାମର୍ଥ୍ୟବାନ, ଯୋଗ୍ୟ ଓ ସେହିବିଷୟରେ ସମସ୍ତଙ୍କୁ ସେବା ଦେବାରେ କ୍ଷମ (ସକ୍ଷମ ଶବ୍ଦ ଏକ ଅପପ୍ରୟୋଗ, କାରଣ ଅକ୍ଷମର ବିପରୀତ ଶବ୍ଦ କ୍ଷମ) । ଶିକ୍ଷାର ମୂଳଉଦ୍ଦେଶ୍ୟ ବୈଶିଷ୍ଟ୍ୟର ପରିପୂରଣ, ବ୍ୟକ୍ତିତ୍ୱର ସ୍ଫୁରଣ । ନିଜର ଆତ୍ମକ ଶକ୍ତିକୁ ଜାଗ୍ରତ କରିବା, ସଂସ୍କାରଗତ ସୁପ୍ତ ଶକ୍ତିକୁ ଜାଗ୍ରତ କରିବା ।

ଆଧୁନିକ ଶିକ୍ଷାବିତ୍‌ଙ୍କ ମତରେ ଶିକ୍ଷା ଶବ୍ଦ “ଶିକ୍ଷ” ଧାତୁରୁ ନିଷ୍ପନ୍ନ, ଯାହାର ଅର୍ଥ ଶିଖିବା ବା ଜାଣିବା । ତେଣୁ ଆଧୁନିକ ଶିକ୍ଷାରେ ମଣିଷ ପରମୁଖାପେକ୍ଷୀ ଓ ଅନ୍ୟତ୍ର ଚାକିରୀ କରିବା ଉଦ୍ଦେଶ୍ୟରେ କିଛି ଜାଣିବାପାଇଁ କିଛି ଶିଖୁଛନ୍ତି ।

ଭାରତୀୟ ମୁନି, ଋଷି ଓ ମନୀଷୀ ପ୍ରଣିତ ଶିକ୍ଷାର ଉଦ୍ଦେଶ୍ୟ ହେଲା, ବିଦ୍ୟାର୍ଥୀଟିକୁ ସମସ୍ତ ଦିଗରେ ସାମର୍ଥ୍ୟବାନ କରି ଗଢ଼ିବା । ତେଣୁ ସେମାନେ ଶିକ୍ଷା ଦେଉଥିଲେ -“ମାତୃ ଦେବୋ ଭବ, ପିତୃ ଦେବୋ ଭବ, ଆଚାର୍ଯ୍ୟ ଦେବୋ ଭବ” । (ଚୈତ୍ତରୀୟ ଉପନିଷଦ୍ ୧/୧୧) ।

ମା’ ହେଲେ ସନ୍ତାନର ପ୍ରଥମ ଶିକ୍ଷକ, ମା’ଙ୍କର ଆଚରଣ, ବ୍ୟବହାର, ରୀତି-ନୀତି, ସେବା ଏସମସ୍ତ ସନ୍ତାନ ପ୍ରଥମେ ଶିକ୍ଷା କରେ ।

ମା’ଙ୍କୁ ଜଣେ ଚିନ୍ମୟୀ ଦେବୀ ରୂପେ ମନେ କରି ସନ୍ତାନ ସେ ସମସ୍ତ ଶିକ୍ଷା କରେ । ତା ପରବର୍ତ୍ତି ଦେବତା ହେଲେ ପିତା । ତାଙ୍କଠାରୁ ଶାସନ, ଅତିଥି ଓ ଶିକ୍ଷକଙ୍କ ପ୍ରତି ବ୍ୟବହାର ପ୍ରଭୃତି ଶିକ୍ଷା କରେ । ତା ପରେ ଶିକ୍ଷାଦାତା ବା ଆଚାର୍ଯ୍ୟ, ଯେ ନିଜ ଆଚରଣକରି ସେହି ବିଦ୍ୟାକୁ ଆୟତ କରିଛନ୍ତି ଓ ଅନ୍ୟକୁ ଜଣାଇବାରେ ପାରଙ୍ଗମ । ସେ ଯାହା କହନ୍ତି, ନିଜେ ମଧ୍ୟ ସେହି ଅନୁଶାସନ ମାନି ଚଳନ୍ତି । ତେଣୁ ବିଦ୍ୟାର୍ଥୀଟିଏ ଏପରି ଆଚାର୍ଯ୍ୟଙ୍କ ସହିତ ରହି ନିଜର ସମସ୍ତ କର୍ମ ନିଜେ କରିବା ଓ ପରମୁଖାପେକ୍ଷୀ ନ ହେବା ଶିକ୍ଷା କରେ । ଆଚାର୍ଯ୍ୟ ଅନୁରକ୍ତିହିଁ ଭାରତୀୟ ଶିକ୍ଷା ପରମ୍ପରାର ଶ୍ରେଷ୍ଠ ଅଙ୍ଗ ।

ତେଣୁ ଗୀତାରେ କୁହାଯାଇଛି-
“ଯୋ ଯଚ୍ଛ୍ରଦ୍ଧଃ ସ ଏବ ସଃ ।” ଗୀତା ୧୭/୩

ଯେ ଯେପରି ଶ୍ରଦ୍ଧାଯୁକ୍ତ ଓ ଶ୍ରଦ୍ଧାବାନ ତା’ର ନିଷ୍ଠା ସେହିପରି ଅର୍ଥାତ ତା’ର ସ୍ୱରୂପ ମଧ୍ୟ ସେହିପରି ।

“ଶ୍ରଦ୍ଧାବାଁଲ୍ଲଭତେ ଜ୍ଞାନମ୍”( ଗୀତା ୪/୩୯)

ଅର୍ଥାତ, ଶ୍ରଦ୍ଧାବାନ ମନୁଷ୍ୟ ହିଁ ଜ୍ଞାନ ଲାଭକରେ ।

ଶ୍ରଦ୍ଧାବାନ ବିଦ୍ୟାର୍ଥୀହିଁ ସୁକେନ୍ଦ୍ରିକ, ସୁନିୟନ୍ତ୍ରିତ, ନିଷ୍ଠାବାନ୍ ଓ ଚରିତ୍ରବାନ ହୁଏ । ତା’ର ଅଭ୍ୟାସ ଓ ବ୍ୟବହାର ନୀତି ସମ୍ପନ୍ନ ହେବା ଯୋଗୁ ସେ ଧାରଣ-ପାଳନ-ସମ୍ୱେଗସିଦ୍ଧ ବ୍ୟକ୍ତିରେ ବିବର୍ତ୍ତିତ ହୁଏ । ସେ ସମସ୍ତଙ୍କର ମଙ୍ଗଳ ବିଧାନ କରେ ଓ ସାତ୍ୱତ ଆଚରଣରେ ସମସ୍ତଙ୍କୁ ସୁଆଚରଣମୁଖୀ କରି ଗଢ଼େ, ତେଣୁ ଚାଣକ୍ୟ କହିଛନ୍ତି -“ବୃଦ୍ଧୋପସେବାୟା ବିଜ୍ଞାନମ୍” ଅର୍ଥାତ ଯେ ବୃଦ୍ଧି ଦିଗରେ ଚାଳିତ କରନ୍ତି ତାଙ୍କର ସେବା କରିଲେ ବି -ଅର୍ଥାତ ବିଶେଷ, ବିବର୍ଦ୍ଧିତ, ବିହିତ ଜ୍ଞାନ ଲାଭ ହୁଏ । ବିଦ୍ୟାର୍ଥୀଟି ଶିକ୍ଷକଙ୍କ ପ୍ରତି ଯେତେ ଆନତ ଓ ଅନୁରକ୍ତ ରହିବ ସେତେ ଶିକ୍ଷା ଲାଭକରିପାରିବ ।

ଜ୍ଞାନ ଶିକ୍ଷା ଲାଭ କରିବାକୁ ମଧ୍ୟ ବିଦ୍ୟା କୁହାଯାଏ ।

“ବିଦ୍ୟା ଦଦାତି ବିନୟମ୍”

ଅର୍ଥାତ ଯେ ବିଦ୍ୟା ଅର୍ଜନ କରେ ସେ ବିନୟୀହୁଏ । ବିନୟ ଅର୍ଥ ନମ୍ର; ବିଶେଷ ଭାବରେ ଆନୟନ କରିବା ।

“ନମ୍ରନ୍ତି ଫଳିନୋ ବୃକ୍ଷା, ନମ୍ରନ୍ତି ଗୁଣିନଃ ଜନାଃ”

ଅର୍ଥାତ ଗଛ ଯେପରି ଫଳଭାରରେ ନଇଁପଡେ, ଗୁଣବାନ ବିଦ୍ୟାର୍ଥୀ, ସେହିପରି ନମ୍ର ହୁଏ । ଅର୍ଥାତ ଭଦ୍ର ଓ ସରଳ ହୁଏ । ପୁଣି, ଯେ ପ୍ରକୃତ ବିଦ୍ୟା ଅର୍ଜନ କରି ବିନୟ ପ୍ରାପ୍ତ କରିଛନ୍ତି ସେ ଅନ୍ୟମାନଙ୍କୁ ସ୍ୱୀୟ ମତକୁ ଆନୟନ କରିପାରନ୍ତି । ବିଦ୍ୟା-“ବିଦ୍” ଧାତୁରୁ ନିଷ୍ପନ୍ନ; ବିଦ୍-ଧାତୁ ଅର୍ଥ ପ୍ରାପ୍ତି, ଜ୍ଞାନ, ଲାଭ, ଚେତନ, ଗତି ଓ ଜାଣିବା । ତେଣୁ ବିଦ୍ୟା ଅର୍ଥ ଅସ୍ତିତ୍ୱକୁ ବଜାୟ ରଖି ନିଜକୁ ଓ ଅନ୍ୟମାନଙ୍କୁ ଗତିଶିଳ କରାଇବାର ଜ୍ଞାନ ।

ପୁଣି ଅଛି-

“ସା ବିଦ୍ୟା ଯା ବିମୁକ୍ତୟେ”

ଅର୍ଥାତ ଯାହା ସଂସାର ବନ୍ଧନରୁ ମୁକ୍ତି ପ୍ରଦାନ କରେ, ତାହାହିଁ ବିଦ୍ୟା ।

ଯଥାର୍ଥ ଅନୁଭୂତିରୁ ଜାତ ଅର୍ଥଯୁକ୍ତ-ସମ୍ୱନ୍ଧାନ୍ୱିତ-ମିଳନ ସ୍ୱଭାବ ଜାଣିବା ହିଁ ବିଦ୍ୟା ।

ଜଣେ ବିଦ୍ୟାର୍ଥୀ ଲେଖା ପଢ଼ାରେ ଖୁବ୍ ଦକ୍ଷ, ମାତ୍ର ଗର୍ବୀ, ଉଦ୍ଧତ, ଦୁଷ୍ଟ । ସେପରି ବିଦ୍ୟାର୍ଥୀକୁ ଶିକ୍ଷିତ ବା ଶିକ୍ଷାଲାଭ କରିଛି ବୋଲି କୁହାଯାଇ ପାରେନା ବରଂ ଲେଖା ପଢ଼ାରେ ଦୁର୍ବଳ ଥାଇ ମଧ୍ୟ ଜଣେ ବିଦ୍ୟାର୍ଥୀର ଅଭ୍ୟାସ, ବ୍ୟବହାର, ଚାଲିଚଳନ ଭଲ ଓ ସେ ଦୟାଳୁ, ପରୋପକାରୀ, ସେର୍ହି, ପ୍ରେମୀ, ପର ଦୁଃଖରେ ଦୁଃଖୀ, ସେ ହିଁ ପ୍ରକୃତ ଶିକ୍ଷା ଲାଭକରିଛି ଓ ଶିକ୍ଷିତ । ତାର ଏହିସବୁ ଗୁଣଯୋଗୁ ସେ ଆସ୍ତେ ଆସ୍ତେ ଲେଖାପଢ଼ା ମଧ୍ୟ ଆୟତ କରି ପାରିବ । କାରଣ ଶିକ୍ଷାର ଏକ ଉଦ୍ଦେଶ୍ୟ ଚରିତ୍ର ଗଠନ ।

“ଅଜ୍ଞ ଭବତି ବୈବାଳଃ ପିତା ଭବତି ମନ୍ତଦଃ” (ମନୁ ସଂହିତା ୨/୩୫)

ଜ୍ଞାନରହିତ (ବୟସ୍କ) ବ୍ୟକ୍ତି ବାଳକ ସଦୃଶ ଓ ଶିକ୍ଷାଦାତା (ଅଳ୍ପ ବୟସର ହେଲେ ମଧ୍ୟ) ପିତା ସଦୃଶ ।

ବିଦ୍ୟାର୍ଥୀଟିର ଯେଉଁ ନିତିଶିକ୍ଷା ଜ୍ଞାତ ହେଲା, ତାକୁ ଯଦି ଚରିତ୍ରାୟିତ ନ କରେ ତାହା ପ୍ରକୃତ ଶିକ୍ଷା ନୁହେଁ । ପ୍ରକୃତ ଶିକ୍ଷା କଲ୍ୟାଣର ନବୀନ ମନ୍ତ୍ର ଓ ଜୀବନର ଜୟଗାନ । ଜଣେ ବିଦ୍ୟାର୍ଥୀ, ଜଣେ ଆଚାର୍ଯ୍ୟ (ଆଚରଣଶୀଳ ଶିକ୍ଷକ)ଙ୍କ ପ୍ରତି ଯେତେ ଅନୁରକ୍ତ, ନମ୍ର, ସେବା ପରାୟଣ ହୋଇ ତାଙ୍କର ଅନୁସରଣ, ଅନୁଶରଣ ଓ ଅନୁଶୀଳନ କରେ, ସେ ସେତେ ଜ୍ଞାନର ଅଧିକାରୀ ହେବ । ଅନୁସରଣ ର ଅର୍ଥ ପଶ୍ଚାତ୍‌ଗମନ ଓ ଅନୁଶରଣ ର ଅର୍ଥ ଆଜ୍ଞା ପାଳନ ।

ଯଥା

“କ୍ଷୀଣ ବୃତ୍ତେ ରଭିଜାତ ସ୍ୟେବ ମତୋର୍ଗହିତୃ ଗ୍ରହଣ ଗ୍ରାହ୍ୟେଷୁ ତତସ୍ଥଂ ତଦଂ ଜନତା ସମାପତ୍ତିଃ” (ପତଞ୍ଜଳିକୃତ ଯୋଗ ଦର୍ଶନ ୧/୪୧)

ସ୍ୱଚ୍ଛ ମଣି ନିକଟରେ ଭିନ୍ନ ଭିନ୍ନ ରଙ୍ଗର ପଦାର୍ଥ ରଖିଲେ ମଣିଟି ମଧ୍ୟ ସେହି ରଙ୍ଗର ଦେଖାଯାଏ । ଉପଯୁକ୍ତ ଆଚାର୍ଯ୍ୟ (ଆଚରଣଶୀଳ ଶିକ୍ଷକ)ଙ୍କ ସଂସ୍ପର୍ଶରେ ଆସିଲେ ବିଦ୍ୟାର୍ଥୀମଧ୍ୟ ସ୍ୱଚ୍ଛ ମଣି ପରି କାର୍ଯ୍ୟ କରେ ଓ ଗ୍ରହୀତା, ଗ୍ରହଣ ଏବଂ ଗ୍ରାହ୍ୟ ବସ୍ତୁର ଏକାତ୍ମତା ଓ ଏକଭାବ ପ୍ରାପ୍ତ ହୁଏ । ବିଦ୍ୟାର୍ଥୀର ମନ ଶିକ୍ଷାଦାତାଙ୍କ ଶିକ୍ଷାରେ ଯେତେ ସମାହିତ ହୁଏ, ବିଦ୍ୟାର୍ଥୀଟି ସେହିଗୁଣରେ ଭୂଷିତ ହୁଏ ।

ପୁଣି ଶିକ୍ଷକ ଯଦି ତାଙ୍କ ନିଜ ଶିକ୍ଷକଙ୍କ ପ୍ରତି ଅନୁରକ୍ତ ଓ ଭକ୍ତିମାନ ନ ଥାନ୍ତି, ସେ ମଧ୍ୟ ପଠିତ ବିଦ୍ୟାକୁ ନିଜ ବିଦ୍ୟାର୍ଥୀଠାରେ ଠିକ୍ ରୁପେ ସଞ୍ଚାରିତ କରିପାରନ୍ତି ନାହିଁ । ଶିକ୍ଷକଙ୍କର କଥା ଓ କାର୍ଯ୍ୟରେ ମେଳ ନ ଥିଲେ, ବିଦ୍ୟାର୍ଥୀଟି ମଧ୍ୟ ତାହାହିଁ ଶିକ୍ଷାକରେ ଅର୍ଥାତ ନୀତି କଥା କହି ଅନୀତି କାର୍ଯ୍ୟ କରିପାରେ । ତେଣୁ ଶିକ୍ଷାଦାତା ନିଜେ ମଧ୍ୟ ଆଚରଣସିଦ୍ଧ ଓ ଚରିତ୍ରବାନ୍ ହେବା ଉଚିତ୍ ।

କେତେକ ଶିକ୍ଷା ଅନୁଷ୍ଠାନରେ ତର୍କ ପ୍ରତିଯୋଗିତା ହୁଏ । ଯାହାର ଭଲ ଫଳ କିଛି ହୁଏନା । ମନେକରାଯାଉ “ନାରୀଶିକ୍ଷା” ଉପରେ ବିତର୍କ ଆରମ୍ଭ ହେଲେ କିଛି ବିଦ୍ୟାର୍ଥୀ ଏହାର ସପକ୍ଷରେ ଓ ଅନ୍ୟକିଛି ବିପକ୍ଷରେ କହିବେ, ଯାହା ସମୀଚୀନ ନୁହେଁ । ଆମେ ସମସ୍ତେ ଉପଲବ୍ଧି କରୁଛୁ ଯେ, ନାରୀର ଶିକ୍ଷା ଆବଶ୍ୟକ । ନାରୀମାନେ କିପରି ଶିକ୍ଷା ପାଇବେ, ସେହି ବିଷୟରେ ପ୍ରତ୍ୟେକ ନିଜର ସୁଚିନ୍ତିତ ମତ ଦେବା ଉଚିତ୍ । ଯାହା ତର୍କ ପ୍ରତିଯୋଗିତା ନୁହେଁ ବରଂ ଆଲୋଚନା, ଯାହା ଆମ ସମସ୍ୟାର ସମାଧାନ କରିପାରିବାରେ ସାହାଯ୍ୟ କରିବ ।

ଆଧୁନିକ ଶିକ୍ଷା ଅପେକ୍ଷା ଭାରତୀୟ ମନୀଷୀ ଗଣଙ୍କର ଶିକ୍ଷାହିଁ ପ୍ରକୃତ ଶିକ୍ଷା । କାରଣ ଭାରତୀୟ ମନୀଷୀଙ୍କ ମତରେ ତାହାହିଁ ପ୍ରକୃତ ଶିକ୍ଷା ଯାହା ଶିକ୍ଷାଲାଭକାରୀର ଜୀବନକୁ ସୁବିନାୟିତ କରି, ବୋଧ ବିନାୟିତ ସୁସନ୍ଦିପନୀ ନିୟମନରେ ସତ୍ତାକୁ ଉଚ୍ଛଳ କରେ ।

“ମଦାତ୍ମା ସର୍ବଭୂତାତ୍ମା” – ଅର୍ଥାତ ସମସ୍ତଙ୍କଠାରେ ଯେଉଁପରି ଆତ୍ମା ଅଛନ୍ତି, ମୋ ଠାରେ ମଧ୍ୟ ସେହିପରି ଆତ୍ମା ବିଦ୍ୟମାନ । ସମସ୍ତଙ୍କ ମଧ୍ୟରେ ମୁଁ ମଧ୍ୟ ଜଣେ । ତେଣୁ କୌଣସି ଜଣେ ଲୋକ ଯଦି ବେଦନାହତ ହୁଏ ତେବେ ମୁଁ ମଧ୍ୟ ବେଦନାହତ ହେବି । ଆତ୍ମନିୟନ୍ତ୍ରଣ ଶକ୍ତି ନ ଆସିଲେ ଆତ୍ମିକ ଶକ୍ତିକୁ ନିଜ ମଧ୍ୟରେ ଜାଗ୍ରତ କରିପାରିବା କଷ୍ଟକର । ସେଥିଲାଗି ଭକ୍ତି ନିତ୍ୟାନ୍ତ ଆବଶ୍ୟକ । ମୋ ମା, ମୋ ବାପା, ମୋ’ର ପରିବେଶ କଣ ପସନ୍ଦ କରନ୍ତି । ମୁଁ କିପରି ହେଲେ ମୋର ମା’, ବାପା, ଗୁରୁଜନ, ଗୁରୁ ସମସ୍ତେ ଖୁସି ହେବେ । ଏହା କରିବା ଉଦ୍ଦେଶ୍ୟରେ ଚଳୁ ଚଳୁ ସେହି ସମସ୍ତ ଚଳନ ପ୍ରତି ମଧ୍ୟ ଅନୁରାଗ ଆସେ, ଓ ସେ ସବୁରେ ବିଦ୍ୟାର୍ଥୀଟି ଅଭ୍ୟସ୍ତ ହୁଏ । ପ୍ରକୃତ ଶିକ୍ଷା ଜଣେ ବିଦ୍ୟାର୍ଥୀକୁ ଏକ କୁଲା ପରି କରିଦିଏ । କୁଲା ଯେପରି ନିଜ ପାଖରେ କେବଳ ଭଲ ଜିନିଷକୁ ରଖି ଖରାପ ଜିନିଷକୁ ଦୂରକୁ ଫିଙ୍ଗିଦିଏ, ଯାହା ଫଳରେ ତା’ର ବ୍ୟକ୍ତିତ୍ୱର ସ୍ଫୁରଣ ହୁଏ ଓ ଜ୍ୟୋତିଃ ବିକଶିତ ହୁଏ ।

ପରବର୍ତ୍ତି କାଳରେ ସେ ପୁଣି ନିଜକୁ ସୁନିୟନ୍ତ୍ରିତ କରି ଚାଲୁଣି ପରି ହୁଏ । ଅର୍ଥାତ ବର୍ଜ୍ୟ ବସ୍ତୁ(ଖରାପ)କୁ ସାମୟିକ ଭାବରେ ପାଖରେ ରଖି ଭଲକୁ ସଂଗ୍ରହ କରି, ପରେ ବର୍ଜ୍ୟ ବସ୍ତୁକୁ ପରିତ୍ୟାଗ କରେ । ଏହି ପରି ଶିକ୍ଷାଲାଭକାରୀ ବିଦ୍ୟାର୍ଥୀ ଦୁର୍ଜନଠାରୁ ମଧ୍ୟ ତା’ର ଆବଶ୍ୟକ (ଆବଶ୍ୟକୀୟ ଏକ ଅପ ପ୍ରୟୋଗ) କାର୍ଯ୍ୟ ହାସଲ କରି, ଦୁର୍ଜନଙ୍କୁ ନିୟନ୍ତ୍ରିତ କରି ସୁଜନରେ ପରିଣତ କରିଥାଏ ।

ବର୍ତ୍ତମାନ ପାଶ୍ଚତ୍ୟ ଶିକ୍ଷା ଅନୁକରଣରେ ବ୍ୟାକରଣ ଭାଷା ଶିକ୍ଷାର ଏକ ଅଙ୍ଗ ହେଲେ ମଧ୍ୟ ବ୍ୟାକରଣରେ ଯେଉଁ ଶବ୍ଦକୁ ଅପ ପ୍ରୟୋଗ ବୋଲି ପଢ଼ା ଯାଉଅଛି ସାହିତ୍ୟର ଅନ୍ୟ ବିଭାଗ ଯଥା ଗଦ୍ୟ, ପଦ୍ୟ ଓ ନାଟକରେ ସେହିପରି ଅପପ୍ରୟୋଗ ଶବ୍ଦକୁ ଶୁଦ୍ଧ ବୋଲି ପ୍ରଚାର କରାଯାଉଅଛି । ଉଦାହରଣ ସ୍ୱରୂପ ‘ସୃଜନ’, ‘ସକ୍ଷମ’, ‘ଅମୀୟ’ ଅପପ୍ରୟୋଗ ଓ ଏହାର ଶୁଦ୍ଧରୂପ ସର୍ଜନ, କ୍ଷମ ଓ ଅମିୟ ହୋଇଥିଲେ ମଧ୍ୟ ବେସରକାରୀ ସଂସ୍ଥା ଓ ସରକାରଙ୍କ ଦ୍ୱାରା ପ୍ରଚାରିତ ପୁସ୍ତକ ମାନଙ୍କରେ ସୃଜନ ଯଥା – ସୃଜନଶୀଳ କବିତା, ସକ୍ଷମ ଓ ଅମୀୟ ଶବ୍ଦର ବ୍ୟବହାର ବହୁଳ ।

ଉଚ୍ଚତର ଶିକ୍ଷା ମଣିଷକୁ ସାହସୀ, ବିନୟୀ, ଦାୟିତ୍ୱ ସଂପନ୍ନ, ବିବେକୀ ଓ ଧୈର୍ଯ୍ୟଶିଳ କରିବା ସଙ୍ଗେ ସଙ୍ଗେ ଜୀବନ ପ୍ରତି ଏକ ଆଧ୍ୟାତ୍ମକ ଦୃଷ୍ଟିଭଙ୍ଗୀ ବିକାଶ କରାଏ । ଶିକ୍ଷା ଭୌତିକଜଗତ ଓ ଆଧ୍ୟାତ୍ମିକ ଜଗତ ଉଭୟ କ୍ଷେତ୍ରରେ ମଣିଷକୁ ସୁରକ୍ଷିତ ଓ କ୍ଷମ କରାଏ ।

ବାହାରୁ ସଂଗୃହିତ କିଛି ତତ୍ତ୍ୱ ଓ ତଥ୍ୟ ବିଦ୍ୟାର୍ଥୀଠାରେ ଭର୍ତ୍ତି କରିଦେବା ପ୍ରକୃତ ଶିକ୍ଷା ନୁହେଁ ବରଂ ବ୍ୟକ୍ତିର ଶ୍ରେଷ୍ଠତମ ଅନ୍ତର୍ନିହିତ ସୁଗୁଣ ସମୂହକୁ ବିକଶିତ କରିବାହିଁ ଶିକ୍ଷା ।

ଏକ ସୁସମନ୍ୱିତ ବ୍ୟକ୍ତିତ୍ୱ ଗଠନରେ ସହାୟତ କରିବା ପାଇଁ ଯୁକ୍ତିନିଷ୍ଠ ଓ ସୁଚତୁର ଭାବରେ ସେହି ସବୁ ସୁଗୁଣ ଓ ପ୍ରତିଭାର ଏବଂ କୃଷ୍ଟିର ବିକାଶ ହିଁ ପ୍ରକୃତ ଶିକ୍ଷା ।

ନୈତିକତା ଓ ଆଧ୍ୟାତ୍ମିକତାର ବିକାଶର ମାଧ୍ୟମ ରୂପେ ମାତା-ପିତା “ଗୃହ ଶିକ୍ଷକ” ଓ ଶିକ୍ଷାନୁଷ୍ଠାନର ଶିକ୍ଷକଗଣ ଶିକ୍ଷାନୁଷ୍ଠାନର ମାତା-ପିତା ।

ଆଦର୍ଶନୀଷ୍ଠ, ସଂଯମୀ, ନିୟନ୍ତ୍ରିତ ଜୀବନ ହିଁ ମନୁଷ୍ୟ ଜୀବନର ସୌନ୍ଦର୍ଯ୍ୟ ।

ନିୟନ୍ତ୍ରିତ ମନୁଷ୍ୟ ଭକ୍ତି, ନିଷ୍ଠା, ସହିଷ୍ଣୁତା, ଉଦାରତା, ଦୟା, କ୍ଷମା ଓ ସେବା ପରାୟଣତାର ପୂଜାରୀ । ଏ ସମସ୍ତ ଗୁଣ ସଭ୍ୟତାର ମାପକାଠି ଓ ଜୀବନର ମାନଦଣ୍ଡ । ପାର୍ଥିବ ସମସ୍ତ ସମ୍ପତ୍ତିରୁ ଅନ୍ୟମାନେ ଭାଗନେବେ ମାତ୍ର ସୁଶିକ୍ଷା ଦ୍ୱାରା ଅର୍ଜିତ ସୁଗୁଣ, ମାନବିକତା କୁ କେହି ଭାଗନେଇପାରିବେ ନାହିଁ । ଅନୁରାଗ, ସ୍ନେହ, ପ୍ରେମଦେଇ ଅର୍ଜନ କରିବାକୁ ଚାହିଁଲେ, ଜ୍ଞାନଦାତାଙ୍କର ଜ୍ଞାନର ପରିସୀମା ମଧ୍ୟ ଉତ୍ତୋରତ୍ତର ବୃଦ୍ଧି ହୁଏ । କାରଣ “ସୂତା ମାଜିଲେ ସରୁ, କଥାକୁ ମାଜିଲେ ଗରୁ” । ବିଦ୍ୟାକୁ ଯେତେ ଦାନ କରିବ, ତାହା କମି ନ ଯାଇ ଆହୁରି ବଢ଼ିଯିବ । “ଯେତେହିଁ କରିବ ଦାନ, ସେତେ ଯିବ ବଢ଼ି” ।

ତା’ପରେ

ଲୋକପ୍ରିୟ ଲେଖା

To Top