ଗଳ୍ପ

ସ୍ୱପ୍ନଭଙ୍ଗ

ମୁଁ ତା’ ପାଖକୁ ବେଶି ଯାଉନଥିଲି । ସେ ନାନୀ ସହିତ ଏକୁଟିଆା ବହୁତ ସମୟ ଗପୁଥିଲା ବେଡ଼ରୁମ୍‌ରେ ।

ସ୍ୱପ୍ନଭଙ୍ଗ

ଯେଉଁ ଲୋକଟା ମୋତେ ଭଲପାଏନା ତା’ ଚୁମ୍ୱନରେ ଶିହରିତ ହୋଇଗଲା ମୋର ତନୁମନ । ନିଦ ଭାଙ୍ଗିଗଲା । ଓହୋ, ମୁଁ ସ୍ୱପ୍ନ ଦେଖୁଥିଲି । ଧନ୍ୟରେ ! ଭଲ ପାଉନଥିବା ଲୋକଟିଏ ମୋତେ କୋଳେଇ ନେବ, ସେପରି କେମିତି ମୁଁ ଭାବିପାରିଥାନ୍ତି ? ଆଚ୍ଛା ! ସ୍ୱପ୍ନ ଦେଖିଲି ତା’ ହେଲେ ! ତଥାପି ମନଟା ଖରାପ ହୋଇଗଲା ମୋର । ଭଲ ହୋଇଥାନ୍ତା ବରଂ ପୂରା ସ୍ୱପ୍ନଟା ଦେଖିବା ପରେ, ନିଦରେ ନିଦରେ ସକାଳୁ ଭୁଲିଯାଇଥାନ୍ତି । ମନେ ହିଁ ପଡ଼ିନଥା’ନ୍ତା ଯେ ସ୍ୱପ୍ନଟେ ଦେଖିଥିଲି ପୂର୍ବ ରାତିରେ । ସେମିତି, ବହୁବାର ହୁଏ ତ !

ସ୍ୱପ୍ନ ଭାଙ୍ଗିଗଲେ ନିଦ ବି ଭାଙ୍ଗି ଯାଏ । ରାତିରେ ଥରେ ନିଦ ଭାଙ୍ଗିଗଲେ ମୋତେ ଆଉ ସହଜରେ ନିଦ ହୁଏନା । ସ୍ୱପ୍ନ ଗଢ଼ିବାକୁ ଦିନେ ନିଦକୁ ଭୁଲିଥିଲି । ଆହୁରି କେତେକେତେ ମୁଲ୍ୟ ଦେବାକୁ ହେଲା: ସ୍ୱାର୍ଥ୍ୟ, ଅର୍ଥ, ସ୍ୱାଭିମାନ, ସ୍ୱଚ୍ଛ ବିଚାର, ମୂଲ୍ୟବୋଧ, ନୈତିକତା, ସ୍ୱଚ୍ଛତା ଓ ମୁଣ୍ଡ । ଏବେ ସ୍ୱପ୍ନ ଭାଙ୍ଗିଲେ, ନିଦ ଭାଙ୍ଗି ଯାଉଛି ।

ତଥାପି ମୋର ବିଶ୍ୱାସ, ଭଲ ହେଇଛି ମୁଁ କ୍ୟାମ୍ପସ୍ ସିଲେକ୍ସନରେ ପାଇ ଏ କମ୍ପାନୀରେ ଯୋଗ ଦେଇଛି । ଘରେ ବସିବାକୁ ସମୟ ପାଇନି । କେବେ ମୋର ସମୟ ଥିଲା କି ! ସମୟ ତ ପ୍ରତିଦ୍ୱନ୍ଦିତାର । ସାଢ଼େ ତିନିବର୍ଷ ବୟସରୁ ମୋତେ ଶ୍ରେଣୀରେ ପ୍ରଥମ ହେବାକୁ ପଡ଼ିଥିଲା । ପ୍ରଥମେ ପ୍ରଥମେ ତ ହୋଇଯାଉଥିଲି, ମୋ ମା’ ମତେ ଘରେ କଣ ଖେଳିବାକୁ ଦେଉଥିଲା କି ! ମୋର ଛୋଟ ବେଳେ, ଆମେ ଯେଉଁଠି ରହୁଥିଲୁ, ସେଇଠି ପିଲାମାନେ ଧୂଳିରେ ଭାତ ତରକାରି ରାନ୍ଧୁଥିଲେ । ସେମାନେ ସନ୍ଧ୍ୟାରେ ନିଶ୍ଚୟ ବାହାରେ, ବହୁତ ସମୟ ଖେଳୁଥିଲେ । କିଛି ନହେଲେ ବି ରାସ୍ତାରେ ବତି ଜଳିବା ପର୍ଯ୍ୟନ୍ତ । ମୋ ମା’ ମତେ ଯିବାକୁ ଦେଉନଥିଲା ସେମାନଙ୍କ ପାଖକୁ ।

ଉପର ଶ୍ରେଣୀକୁ ଯିବାପରେ ପ୍ରଥମ ହେବା ଆଉ ସହଜ ବ୍ୟାପାର ନଥିଲା । ଜାଣିଲି ଯେ ଖାଲି ବହି ପଢ଼ିଦେଲେ ହେବନି । ସ୍କୁଲ୍ ମଧ୍ୟ ତ ବଦଳି ଯାଇଥିଲା । କେତେ କେଉଁ ଅଲଗା ସ୍କୁଲ୍‌ରେ ପ୍ରଥମ ହୋଇଥିବା ପିଲାମାନେ ଆସି ହାଇସ୍କୁଲ୍‌ରେ ମୋ ସାଙ୍ଗରେ ପଢ଼ିଲେ । ସେତେବେଳେ ଯାଣିଲି ଗୋଟିଏ ସ୍କୁଲ୍‌ରେ ପ୍ରଥମ ହୋଇଯିବାରେ ସେମିତି କିଛି ଗୌରବ ନାହିଁ: ଗର୍ବିତ ହେବାର କାରଣ ନାହିଁ ।

ମୁଁ ଲୋଚନା, ଲୋଚନା ଲେଖାପାଳ, ମୋର ପୂର୍ବପୁରୁଷ ହିସାବ ରକ୍ଷକ ଭାବେ ବିଖ୍ୟାତ ଓ “ଲେଖାପାଳ” ସେମାନଙ୍କ ଉପାଧି ଏବଂ ଏ ପିଢ଼ିରେ ଆମେ ବହୁରାଷ୍ଟ୍ରୀୟ କମ୍ପାନୀରେ ଅତି ଉଚ୍ଚ ବେତନଭୋଗୀ ଇଞ୍ଜିନିୟର୍ । ମୁଁ ଓ ମୋ ସାନଭାଇ । ମୁଁ ପୁଣି ତିନିଥର ବିଦେଶ ଯାଇ କାମକରି ଅନୁଭୂତି ହାସଲ କଲିଣି । ବାସ୍ତବରେ ଅନୁଭୂତି ପାଇଁ ବିଦେଶ ଯିବା ପ୍ରତ୍ୟେକଙ୍କର ଦରକାର, ଏପରିକି ପଶୁ ହୋଇଥିଲେବି, ମୋର ବିଶ୍ୱାସ ଦୃଢ଼ିଭୂତ ହୋଇଛି । ସେଠାରେ ପଶୁମାନଙ୍କର ବାସ୍ତବରେ ସୌଖୀନ ଜୀବନ, ପ୍ରକୃତ ବିଳାସ ସେମାନେ କରୁଛନ୍ତି, ମଣିଷର ସମୟ କାହିଁ ?

ସବୁଠି ପ୍ରତିଦ୍ୱନ୍ଦିତା । ସାଢ଼େ ତିନିବର୍ଷରୁ ଆରମ୍ଭ ହୋଇ ମୋତେ ଏବେ ତିରିଶ ଚାଲିଲାଣି, ଏଯାଏ ସରିନି ।

ସ୍ୱପ୍ନ ମଉଳି ଗଲାଣି । ସମୟ ପାଇଲେ, ନିଦ ଲାଗିଯାଏ । ଚାକିରି ବୋଇଲେ, ଚାକିରି । ନିର୍ଦ୍ଦେଶକ ମୋଟେ ସମୟ ଦିଏନା । ଟଙ୍କା ଲୋଭ ଦେଖାଏ । ରାତିରେ ଖାଇବା, ପିଇବା, ରହିବାର ରାଜକୀୟ ବ୍ୟବସ୍ଥା ବି କରି ରଖିଥାଏ, ସେଇ ଅଫିସ୍ ପାଖରେ । ପିଇବାକୁ ବି ଥରେ ଥରେ ଚାପ ପକାଏ । ଡାଇରେକ୍ଟରଟା ! ତା ହାବୁଡ଼ରୁ ଖସିବାକୁ, ବୁଦ୍ଧି ଖଟାଇ ଖଟାଇ ହାଲିଆ ହେବାକୁ ପଡ଼େ । କଥାରେ ଭୁଲାଇ ଝାଳେଇ ଯିବାକୁ ପଡ଼େ ।

ସମୟ ମିଳିଲେ ଶୋଇପଡ଼ିବାକୁ ମୋର ଇଚ୍ଛା ହୁଏ । କିନ୍ତୁ ଯୋଉଠି ସେଇଠି ଶୋଇପଡ଼ିବି କେମିତି । ମୁଁ ପୁଣି ଝିଅଟିଏ । ତିରିଶ ବର୍ଷର ଯୁବତୀ ।

ମୋତେ ଆଶ୍ଚର୍ଯ୍ୟ ଲାଗେ, ତଥାପି ସମସ୍ତେ ଭାବନ୍ତି ମୁଁ ଜଣେ ଯୁବତୀ । ମଉଳି ଗଲାଣି କହି ଭୁଲ୍ କଲି, ମୋର ସ୍ୱପ୍ନ ଗୁଡ଼ିକ ହଜିମରି କେଉଁଠି ବିଲୀନ ହୋଇଗଲେଣି । ଏବେ ତ ସ୍ୱପ୍ନ ଭାଙ୍ଗିଲେ ମୋ ନିଦ ଭାଙ୍ଗେ । ଯାହା କେବେ ବି ନଘଟିବାକଥା ସେପରି ଘଟିଲେ ନିଦ ଭାଙ୍ଗିଯିବନି ? ନିଦ ଭାଙ୍ଗିଲେ ସ୍ୱପ୍ନ ତୁଟିବା ଯେ ସୁନିଶ୍ଚିତ । କିନ୍ତୁ କେଉଁଟା ପ୍ରଥମେ ଭାଙ୍ଗେ , ନିଦ ନା ସ୍ୱପ୍ନ ? ମୋର ପ୍ରତିଥର ମନେହୁଏ, ସ୍ଵପ୍ନ ର୍ହିଁ ତୁଟିଯାଏ ଆଗ, ତା’ ପରେ ନିଦ ।

ଥରେ ତୁଟିଗଲେ ଆଖିରେ ଆଉ ଧରା ଦିଏନା ନିଦ । ସ୍ୱପ୍ନ ବି ।

ମୋର ମନେପଡ଼େ ନବମ ଶ୍ରେଣୀ ବେଳେ ମା’ ମୋତେ ପଚାରିଥିଲା – ମାସିକ ପରୀକ୍ଷାରେ ତୋତେ ଟପିଯାଇ ପୁଅପିଲାଟେ କେମିତି ଶ୍ରେଣୀରେ ପ୍ରଥମ ହୋଇଗଲା ?

ମା’ ମୋର ସ୍ୱପ୍ନ ଭାଙ୍ଗିବାକୁ ଦେଉନଥିଲା, ବରଂ ବଞ୍ଚାଇ ରଖିବାକୁ ମୋ ଖେଳଘର ପଛେ ଭାଙ୍ଗି ଦେଉଥିଲା । ମୁଁ ଲୁଚିଲୁଚି ଚାଲି ଯାଉଥିଲି । ନିମିଷକେ ସେ ଜାଣିଯାଉଥିଲା । ଯାଇ ମୋତେ ନେଇ ଆସୁଥିଲା ।

ଚାକିରି କ୍ଷେତ୍ରରେ ମୋର ନିୟନ୍ତ୍ରକ, ସେ ମୋର ନିର୍ଦ୍ଦେଶକ, ଡକ୍ଟର୍ ଡେଭିଡ଼ ଅବଶ୍ୟ ଭାରତୀୟ । ତଥାପି କହନ୍ତି – ଯେତେ ଯାହା ହେଲେ ବି ପୁଅମାନେ ଟପ୍‌ରେ ରହିବେ । ଝିଅ ମାନଙ୍କର ଅତ୍ୟାଧିକ ସ୍ୱାଚ୍ଛନ୍ଦ୍ୟ ଓ ନିରାପତ୍ତା ଦରକାର । ସେସବୁ ଥିଲେବି ସେମାନେ ବିଳମ୍ୱିତ ରାତି ପର୍ଯ୍ୟନ୍ତ କାମ କରିବାକୁ ଅନିଚ୍ଛୁକ ।

ମୁଁ ନିୟମ ଭଙ୍ଗ କରିଥିଲି । ବହୁ ବିଳମ୍ୱ ପର୍ଯ୍ୟନ୍ତ କାମ କରୁଥିଲି । ପ୍ରତିଦ୍ୱନ୍ଦିତା । ପୁଅମାନେ ମୋର ପ୍ରତିଦ୍ୱନ୍ଦୀ । ତଥାପି ବସ୍‌କୁ ସନ୍ତୁଷ୍ଟ କରିବା ସମ୍ଭବ ହୁଏନା । ଆବଶ୍ୟକ ହେଲେ ବିଶ୍ରାମକକ୍ଷରେ ଶୋଇଯିବା ପାଇଁ, ନିଦ ଲାଗିବା ପର୍ଯ୍ୟନ୍ତ, କାମ କିଏ କରିବ ? ଯେମିତି ହେଲେ, ରାତିରେ, ମୁଁ ମୋ ଫ୍ଲାଟ୍‌କୁ ଫେରିବାକୁ ଚାହେଁ । ଅଫିସ୍‌ଠୁ ପାଖ ପୁଣି ମୁଁ ନିଜେ ମୋ କାର୍ ଚଲାଏ ।

– ନିଦ ଲାଗିବ କ’ଣ, ଶୋଇଯିବାକୁ ପଡ଼ିବ ସିନା ! ଶୋଇପାରିଲେ ସିନା ନିଦ । ଯେଉଁଠି ଶୋଇହେବନି ସେଇଠି ନିଦ ଲାଗିବ କେମିତି ? ମୁଁ ଥରେ କହୁ କହୁ କହିଦେଇଥିଲି । ଭାବି ପାରିଲିନି ଯେ ମିଃ. ଡେଭିଡ୍ ଜଣେ ବୃଦ୍ଧ, ମୋର ନିର୍ଦ୍ଦେଶକ ମାଇଣ୍ଡ୍ କରିପାରନ୍ତି । ଜାଣି ପାରି ନଥିଲି ସେହିଦିନ ସକାଳ ଆଠଟା ଠାରୁ ମୋର ମନ୍ଦ ସମୟ ଚାଲିବା ଆରମ୍ଭହୋଇଯାଇଥିଲା; ପରେ ଜାଣିଲି ।

ପୂର୍ବରୁ ଯେ କାହାର ଅପ୍ରିୟ ହୋଇନଥିଲି, ତାହା ନୁହେଁ । ଦୁଃଖେନ୍ଦୁ ଭାଇଙ୍କ ହସ୍ତକ୍ଷେପ ପରେ ସବୁ ପୁଣି ଠିକ୍ ଠାକ୍ ହୋଇଯାଉଥିଲା । ଏଥର ଯେ ଖୋଦ୍ ନିର୍ଦ୍ଦେଶକଙ୍କ ମୁହେଁ ମୁହେଁ କହିଦେଇଛି , କହିଲା କଥା ଓ ବହିଲା ପାଣି କି ଫେରେ ? ଦୁଃଖେନ୍ଦୁ ଭାଇ ମଧ୍ୟ କିଛି କରିପାରିବେନି ବୋଲି ଦରଦୀ ସ୍ୱରରେ ଘୋଷଣା କରିଦେଲେ । ସେ କେବଳ ଦୁଇଟି ଉପାୟ ବତାଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ନିର୍ଦ୍ଦେଶକଙ୍କୁ କ୍ଷମା ମାଗିବାକୁ ହେବ ଅଥବା ଥରେ ସୀମାନ୍ତର ସାହାଯ୍ୟ ଲୋଡ଼ାଯାଇପାରେ ।

ଦୁଃଖେନ୍ଦୁ ଭାଇ ସୀମାନ୍ତର ସାହାଯ୍ୟ ଲୋଡ଼ିବା ପ୍ରସ୍ତାବ ଦ୍ୱିତୀୟରେ ଦେଲେ, କାରଣ ସେ ଜାଣିଥିଲେ ଭଲରୂପେ, ତାହା ମୋ ପାଇଁ ପ୍ରିତିକର ନୁହେଁ । ତାଙ୍କୁ ଏକଥା ବି ଜଣାଥିଲା ଅବଶ୍ୟ, ମୁଁ କାହାକୁ କ୍ଷମା ମାଗିବା ଭଳି ଝିଅ କେବେ ନ ଥିଲି । ମୁଁ ନିଜେ ନିଜକୁ କ୍ଷମା କରେନା, ଅନ୍ୟକୁ କ’ଣ ମାଗିବି ?

କିଏ କାହାକୁ କ୍ଷମା ଦିଏ ? ଦେଉଥିଲେ ମାଗିବାକୁ ପଡ଼ନ୍ତା କି ?

କମ୍ପାନୀରେ ମୋର ବଢ଼ି ଚାଲିଥିବା ଗୁରୁତ୍ୱକୁ ଯଥେଷ୍ଟ କମାଇ ଦିଆଯାଇଥିଲା । ପୃଥିବୀ ପ୍ରସିଦ୍ଧ ହୋଇଥିଲେ ସୁଦ୍ଧା ମୁଁ ସେ କମ୍ପାନୀ ଛାଡ଼ି ଚାଲିଯିବାକୁ ମନସ୍ଥ କରିସାରିଥିଲି ।

ଅସୀମ ଖ୍ୟାତି ଓ ବିପୁଳ ଅର୍ଥ ପଛେ ନମିଳୁ କୌଣସି ପରିସ୍ଥିତିରେ ସୁଦ୍ଧା ସୀମାନ୍ତର ସାହାଯ୍ୟ ଭିକ୍ଷା କରିନଥାନ୍ତି, ବରଂ ମୃତ୍ୟୁ ଶ୍ରେୟସ୍କର ।

ନିଜର ସ୍ୱାଭିମାନକୁ ସମ୍ମାନଦିଏ ବୋଲି ମୁଁ, ଲୋଚନା ଲେଖାପାଳ, ତିଷ୍ଠି ରହିଛି । ତଥାପି ବହୁତ ସମ୍ମାନ ହାନୀ ହୋଇଗଲାଣି । ସମ୍ମାନ ବଢ଼ାଇବାକୁ ସୀମାନ୍ତର ଦ୍ୱାରସ୍ଥ ହୋଇଥାନ୍ତି ଯଦି, ନିଜ ପ୍ରତି, ଅଧିକ ଅସମ୍ମାନ ହୋଇଥାନ୍ତା ? ସିମାନ୍ତ କିଏ, ମୋର କିଏ କି ? ଡେଭିଡ଼୍ ସହ ତାହାର ଭଲ ଚିହ୍ନା ଥାଇପାରେ, ତଥାପି ମୁଁ କାହିଁକି ତା’ ଶରଣପଶିବି?

ମୋ ଠାରୁ ଛଅ ବର୍ଷ ବଡ଼, ସିମାନ୍ତକୁ ଏବେ ବୟସ ଛତିଶ ବର୍ଷ ହେବଣି । କେବେଠୁ ବାହା ହୋଇ ତା’ର ଝିଅଟିଏ ଓ ପୁଅଟିଏ । ହେଲା ଏବେ କିଏ କହିପାରିବ, ସେ ମୋତେ ହୁଏତ ଭଲପାଉନଥିଲା । ତା’ ହେଲେ ସୁବିଧା ପାଇଲେ ଗପ କରିବାକୁ ଏତେ ହମହମ ହେଉଥିଲା ! ସେ ଜାଣିପାରେ ମୁଁ ତାକୁ ଆଭଏଡ଼୍ କରୁଛି, ତଥାପି ଚେଷ୍ଟାରୁ ବିରତ ହେଉନଥିଲା । କିଛି ନହେଲେ ଉପରେ ପଡ଼ି ଜୋକ୍ସ୍ ଶୁଣାଇବ । କ’ଣ ସେ ଜୋକ୍ସ ଯେ ହେଲେ କାହାକୁ ହସ ଲାଗନ୍ତା ? ହସ କଥାଟା ଏତେ ବାସ୍ତବ ହେଲେ ଚଳେ କି ?

ଆମେ ସେତେବେଳେ ରହୁଥିବା ସେହି ଶିଳ୍ପ ସହରର ଏକ ପରିବା ବଜାରରେ ଥରେ ପଶିଥାଏ ସୀମାନ୍ତ । ସେକଥା କହିବାବେଳେ ସେ ସୂଚାଇ ଦିଏ ଯେ ଗୃହସ୍ଥ ସାଜିବା ପୂର୍ବରୁ ସେ ଧର୍ମର ପ୍ରଶିକ୍ଷଣ ନେଉଛି ।

– ମୋଷ୍ଟ୍ ଏଲିଜିବ୍ଲ ବ୍ୟାଚେଲର ! ନାନୀ ବି ସେମିତି କହୁଥିଲା ।

ମୁଁ ଯେଉଁଦିନ ନାନୀ ଘରକୁ ଯାଏ ସେଦିନ ନିଶ୍ଚୟ ସେ ମଧ୍ୟ ଚାଲିଆସୁଥିଲା । ଘରେ ଘରେ ଫୋନ୍ । ଜାଣିବାର ଅଭ୍ୟନ୍ତର କ’ଣ ଅଛି ! ପୁଣି ସେ କୁଆଡ଼େ ଦୁଃଖେନ୍ଦୁଙ୍କର ସାନଭାଇ ଭଳି ! ଗୋଟିଏ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଚାକିରି । ଏକା ଡିପାର୍ଟମେଣ୍ଟ୍ । ବୟସ ଓ ବ୍ୟାଚରେ ଚାରିବର୍ଷ ସାନ । ଉଭୟଙ୍କର ଜନ୍ମ ସେହି ସହରରେ । ସେଠିକା ଇଞ୍ଜିନିୟରିଂ କଲେଜର ଛାତ୍ର ଦୁହେଁ ଓ ପୁଣି ଚାକିରି ବି ସେଠାରେ । ଘନିଷ୍ଠତାକୁ ସନ୍ଦେହ କରାଯାଇନପାରେ ।

ସୀମାନ୍ତ ମୋ ନାନୀଠାରୁ ବର୍ଷଟିଏ ସାନ । ନାନୀକୁ ସେ ଭାଉଜ ବୋଲି ଡାକେ ଦୁଃଖେନ୍ଦୁଙ୍କୁ ଭାଇ ସମ୍ୱୋଧନ କରେ । ଘରକୁ ତା’ର ଅବାଧ ଗତାଗତ, ଦୁଃଖେନ୍ଦୁ ଥାଆନ୍ତୁ କି ନଥାନ୍ତୁ ।

ସେ ମୋତେ ଭଲ ପାଇନଥାଇପାରେ, କିନ୍ତୁ ନାନୀ ଚାହୁଁଥିଲା ମୋର ପଢ଼ା ସରିବା ପର୍ଯ୍ୟନ୍ତ ମୁଁ ତାକୁ କିଛି କିଛି ସମୟ ଦେଇଚାଲିଥାଏ, ସମ୍ପର୍କ ଯୋଡ଼ିବାକୁ ଚାହିଁଥିଲା ସେ । ନାନୀ ଆଖିରେ ଇଞ୍ଜିନିୟର୍‌ଟା ବଡ଼, ତା ସ୍ୱାମୀ ମଧ୍ୟ ଜଣେ ଇଞ୍ଜିନିୟର୍ ଓ ଭାରି ସ୍ୱାଛନ୍ଦରେ ରହିଛି । ନାନୀ ନିଜେ ଗ୍ରାଜୁଏଟ୍ । କିନ୍ତୁ ମୁଁ ନିଜେ ଯେ ପାଶ୍ କରିବା ପୂର୍ବରୁ ଇଞ୍ଜିନିୟର୍ ହେବି । ପରୀକ୍ଷା ଦେବି ଓ ସିଧା ଯାଇ ଚାକିରିରେ ଯୋଗ ଦେବି କେଉଁ ବହୁରାଷ୍ଟ୍ରୀୟ କମ୍ପାନୀରେ ୟା’ଠାରୁ ବଡ଼ ନଗରୀରେ, ମୋ ଠାରୁ ସିଏ କେତେ ବଡ ! କେବଳ ପୁଅଟିଏ ଯାହା ! ସେଥିରେ ତାର କି କୃତିତ୍ୱ ? ମୁଁ ତ ତା’ଠାରୁ ଦୁଇଗୁଣରୁ ତିନିଗୁଣ ଦରମାରେ ଚାକିରି ଆରମ୍ଭ କରିବି ।

ସେ ପରିବା କିଣୁଥାଏ, ସେପରି ଭାବେ ମଜା କଥାଟିଏ କହିବା ଆରମ୍ଭ କରିଥାଏ ସୀମାନ୍ତ, ଆଉ ଜଣେ ଲୋକ ଆସି ଟମାଟର ଦର ପଚାରିଲା । ବିକ୍ରେତା ଉତ୍ତର ଦେଲା – ପା’ ପନ୍ଦର । ଶୁଣୁଶୁଣୁ ସେ ଲୋକଟା ଯୋଉଠି ସେଇଠି ଟଳିପଡ଼ିଲା । “କ’ଣ ହେଲା” ବୋଲି ବ୍ୟସ୍ତ ହୋଇ ଲୋକ ତାକୁ ଉଠାଇବାକୁ ଗଲା ବେଳକୁ ଆପେ ଉଠି ଝାଡ଼ିଝୁଡ଼ି ହୋଇ ସେ କହିଲା – କିଛି ହେଇନି, ଠିକ୍ ଅଛି ମୁଁ ଏ ସହରରେ ନୂଆ ତ ! ଟମାଟ ପାଏକୁ ପନ୍ଦରଟଙ୍କା ବୋଇଲେ କିଲୋଟେ ନେଲେ ଷାଠିଏ ! ହଉ, କର କର ବେପାର କର । ଡରେ ମୁହିଁ ହିଟି ପଡ଼ିଲି । ମୋତେ ହସ ଲାଗେନା । ତା’ ମୁହଁ ଫିକା ପଡ଼ିଯାଏ । ତେଣୁ ତଥାପି ସେ ମୋତେ ଭଲ ପାଇନଥାଇପାରେ, ମୁଁ କାହିଁକି ଦାବି କରିବି ଯେ ମୋତେ ସେ ଭଲପାଉଥିଲା ! ଭଲ ନପାଇବା ଲୋକ ହସେନା, ହସ ନ ଲାଗିଲେ ! ସେମିତି ସୀମାନ୍ତ ବୁଝିନଥିଲା, ମୋ ଠାରୁ ବୟସରେ ଛଅବର୍ଷ ବଡ଼ ଥାଇ ପୁଅଟିଏ ହୋଇ ।

ମୋତେ ହସ ଲାଗୁନଥିଲା ତା’ର କୌଣସି ଜୋକ୍ସ୍ ଶୁଣିଲେ ବି । ମୁଁ ହସି ପାରୁନଥିଲି । ସେ ଧରିନେଇଥିବ, ମୁଁ ତାକୁ ପସନ୍ଦ କରନା । ସେ ଜଣେ ପୁଅପିଲା । ତା’ର ଅଭିମାନ ବେଶୀ । ସେ ଭଲ ନପାଇପାରେ ।

କୌଣସି ସେପରି ସର୍ତ୍ତ କେଉଁଠି ନଥିଲା । ଭଲ ପାଇବାରେ ସର୍ତ୍ତ କଣ ? ହସ ଲାଗିଲେ ଜଣେ ହସିବ ନହେଲେ ନାହିଁ । ଯିଏ ହସାଇବାକୁ ସମର୍ଥ ତା’ କଥା ନଶୁଣି ବି ହସ ଲାଗିପାରେ । ମୋତେ ବି ହସ ଲାଗେ, କିନ୍ତୁ ତା ସାମର୍ଥ୍ୟ ଯୋଗୁ ନୁହେଁ, ତାର ଅପାରଗତାରେ ।

ଜଣେ ଯଦି ବୁଝିପାରେ, ସେ ଅପାରଗ କାହାକୁ ଭଲପାଇ ପାରିବ କେମିତି ? ସେ ମୋତେ ଭଲ ପାଇନଥିଲା, ତଥାପି ସାନିଧ୍ୟ ଲୋଡ଼ୁଥିଲା । ମୁଁ ତା’ ପାଖକୁ ବେଶି ଯାଉନଥିଲି । ସେ ନାନୀ ସହିତ ଏକୁଟିଆା ବହୁତ ସମୟ ଗପୁଥିଲା ବେଡ଼ରୁମ୍‌ରେ । ମୁଁ ଏକାକୀ ବସିରହୁଥିଲି ଡ୍ରଇଂରୁମ୍‌ରେ । ଏକାଏକା କେତେ ସମୟ ବସିବି ପୁଣି ନାନୀ ନିଜେ କାର୍‌ରେ ଯାଇ ହଷ୍ଟେଲ୍‌ରୁ ମୋତେ ଆଣିଛି, ଡିନର ପରେ ଫେରିଯିବି ପୁଣି । ମୁଁ ନାନୀ ସହ ବସି ଗପ କରିଥାନ୍ତି – ଏ ଚଣ୍ଡାଳ କାହିଁକି ଆସିଲା ! ମୋ ମନ ବିଦ୍ରୋହରେ ତାତୁଥାଏ ।

ସେ କେମିତି ହେଲେ ଖବର ପାଇଯାଏ । ହୁଏତ ନାନୀ ହିଁ ଖବରଟା ଜଣାଇ ଦେଇଥାଏ, ଦୁହିଙ୍କର ଭେଟ କରାଇବାକୁ । କିନ୍ତୁ ପଚାରିଲେ ମାନେନା । ଦୁଃଖେନ୍ଦୁ ଫେରିନଥାନ୍ତି ଡ୍ୟୁଟିରୁ । ସୀମାନ୍ତ ଫେରି ତା’ ଘରୁ ଧୁଆଧୋଇ ହୋଇ ଆସି ଗଲାଣି । ନାନୀ ସହିତ ଗପୁଛି ଶୟନକକ୍ଷରେ । କେତେ ସମୟ ବସିରହିଥାନ୍ତି ବୈଠକ ଖାନାରେ ! ମୁଁ ଗଲାବେଳକୁ ଥରେ ଥରେ ଦେଖେ ସୀମାନ୍ତ ଅତର୍କିତ ତା’ ହାତ ନାନୀର କାନ୍ଧ ଉପରୁ ଖସାଇ ନେଉଛି । ନାନୀ ସେତେବେଳେ ହସୁଥାଏ, ଅବଶ୍ୟ ତା ମୁହଁ ସର୍ବଦା ହସହସ ।

ତା’ପରେ

ଲୋକପ୍ରିୟ ଲେଖା

To Top