ପ୍ରବନ୍ଧ

ମହିୟସୀ ନାରୀ ଉର୍ମିଳା

Pratap Chandra Rout

ଉର୍ମିଳାଙ୍କ ଭକ୍ତି ସମର୍ପଣ ଉତ୍ସର୍ଗୀକୃତ ଶରଣାଗତ ଭାବକୁ ରାମାୟଣରେ ପ୍ରମୁଖ ସ୍ଥାନ ଦିଆଯାଇନାହିଁ । ସେ ଥିଲେ ସତ୍ୟ, ଧର୍ମ ଓ ତ୍ୟାଗର ମୁର୍ତ୍ତିମନ୍ତ ରୂପ ।

ମହିୟସୀ ନାରୀ ଉର୍ମିଳା

କୈକେୟୀଙ୍କୁ ଦିଆଯାଇଥିବା ବର ଅନୁସାରେ, ରାମଙ୍କର ଅଭିଶେକ ହେଲା ନାହିଁ, ରାମଙ୍କୁ ଚଉଦବର୍ଷ ବନବାସ କରିବାକୁ ପଡ଼ିଲା । ସେହି ବର ଅନୁସାରେ କେବଳ ରାମ ବନକୁ ଯିବା କଥା । କିନ୍ତୁ ଯଥାର୍ଥ ଯୁକ୍ତି ଦର୍ଶାଇ ତାଙ୍କ ପତ୍ନୀ ସୀତା ରାମଙ୍କ ସହିତ ବନବାସରେ ଯିବା ପାଇଁ ତାଙ୍କୁ ରାଜି କରାଇଥିଲେ । ପରେ ଲକ୍ଷ୍ମଣ ମାତା ସୁମିତ୍ରାଙ୍କୁ ଆଶୀର୍ବାଦ ମାଗିଲେ ରାମଙ୍କ ସହ ବନକୁ ଯିବାପାଇଁ । ମାତା ସୁମିତ୍ରା ନିଃସଙ୍କୋଚରେ ଲକ୍ଷ୍ମଣଙ୍କୁ ରାମଙ୍କ ସହ ବନବାସରେ ଯିବାପାଇଁ ଅନୁମତି ଓ ଆଶିର୍ବାଦ ଦେଲେ ।

ତା’ ପରେ ଲକ୍ଷ୍ମଣ ରାମଙ୍କ ସହିତ ଯିବାପାଇଁ ତାଙ୍କର ନିଷ୍ପତ୍ତି ଜଣାଇବା ପାଇଁ ତାଙ୍କ ପତ୍ନୀ ଉର୍ମିଳାଙ୍କ ପାଖକୁ ଗଲେ । ଉର୍ମିଳା ଅତି ଗୁଣବତୀ ଥିଲେ । ତାଙ୍କର ତ୍ୟାଗ ଥିଲା ଅତୁଳନୀୟ । ଘଟଣା ଗୁଡ଼ିକ ବିଷୟରେ ସେ କିଛି ଜାଣିନଥିଲେ । ହଠାତ ଲକ୍ଷ୍ମଣ ତାଙ୍କୁ କହିଲେ – “ରାମଙ୍କ ଅଭିଶେକ ମାତା କୈକେୟୀଙ୍କ ଯୋଗୁ ବନ୍ଦ ହୋଇଗଲା” । ସେ ରାମ ଓ ସୀତାଙ୍କ ସେବା କରିବା ପାଇଁ ସେମାନଙ୍କ ସହ ବନକୁ ଯାଉଛନ୍ତି । ଏହି ନିଷ୍ପତ୍ତିରେ ଉର୍ମିଳା ତିଳେହେଲେବି ଦୁଃଖ କଲେନାହିଁ । ବରଂ ଆନନ୍ଦିତ ହେଲେ । ପରମ ଭକ୍ତିର ସହିତ ରାମ ଓ ସୀତାଙ୍କ ସେବା କରିବାକୁ ସେ ପରାମର୍ଶ ଦେଲେ । କହିଲେ “ହେ ନାଥ ମୋ ଶାଶୁ ସୁମିତ୍ରା ତୁମକୁ ସେବା ମାର୍ଗରେ ବ୍ରତୀ ହେବାପାଇଁ ଜନ୍ମ ଦେଇଛନ୍ତି । ତୁମେ ଶ୍ରୀରାମଙ୍କ ସେବା ପାଇଁ ଉଦ୍ଦିଷ୍ଟ । ତେଣୁ ତୁମେ ତୁମର କର୍ତ୍ତବ୍ୟ ସମ୍ପାଦନ କର, କିନ୍ତୁ ବନରେ ଚଉଦବର୍ଷ ରହିବା କାଳରେ ତୁମେ କୌଣସି ସମୟରେ ମୋ’ କଥା ସ୍ମରଣ କରିବ ନାହିଁ । ମୁହୁର୍ତ୍ତକ ପାଇଁ ବି ମୋ କଥା ଚିନ୍ତା କଲେ ପୂର୍ଣ୍ଣ ହୃଦୟରେ ସୀତା ଓ ଶ୍ରୀରାମଙ୍କ ସେବା କରିବାକୁ ସମର୍ଥ ହେବ ନାହିଁ” ।

ସେ ପରମ ଭକ୍ତିରେ ଶ୍ରୀରାମ ଓ ସୀତାଙ୍କ ସେବା କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ସେ କହିଲେ – “ସବୁବେଳେ ସେମାନଙ୍କର କଲ୍ୟାଣ କାମନା କର ଓ ନିଷ୍ଠାର ସହ ସେମାନଙ୍କର ସେବା କର । ଏବଂ ବର୍ତ୍ତମାନ ଠାରୁ ଚଉଦବର୍ଷ ପାଇଁ ମୋତେ ପୁରାପୁରି ଭୁଲିଯାଅ” ।

କୌଣସି ସ୍ତ୍ରୀ ଏପରି ନିଃସ୍ୱାର୍ଥପର ଭାବରେ କହିପାରିବ କି ? ନାଁ, ତାଙ୍କ ନିଃସ୍ୱାର୍ଥପରତା ଲକ୍ଷ୍ମଣଙ୍କ ଆଖିକୁ ଛଳଛଳ କରିଦେଇଥିଲା । ଲକ୍ଷ୍ମଣ ତାଙ୍କୁ ପ୍ରଶଂସା କରି କହିଲେ – “ଉର୍ମିଳା, ତୁମର ଏହିନିଃସ୍ୱାର୍ଥପରତା ଓ ମହତ ଆକାଂକ୍ଷାକୁ ସର୍ବଦା ମୋ ହୃଦୟରେ ସାଇତି ରଖିବି” । ଉର୍ମିଳା କହିଲେ “ମୋର ମହତ ଆକାଂକ୍ଷା କଥା ଚିନ୍ତା କରନାହିଁ । ସୀତା ଓ ଶ୍ରୀରାମଙ୍କର ମହାନତା କଥା ଚିନ୍ତାକର ଓ ସେମାନଙ୍କ ଆଦେଶ ପାଳନ କର, ସେମାନେ ଯେପରି କୌଣସି ଅସୁବିଧାରେ ସମ୍ମୁଖୀନ ନହୁଅନ୍ତି ସେ କଥା ଦେଖ” । ଉର୍ମିଳାଙ୍କ ଏପରି ମହାନତା ଓ ତ୍ୟାଗ ଏ ବିଶ୍ୱରେ କେଉଁଠି ପାଇବା କଷ୍ଟକର ।

ପୁଣି ଯେତେବେଳେ ଲକ୍ଷ୍ମଣ ଯୁଦ୍ଧରେ ମୂର୍ଚ୍ଛିତ ହୋଇଯାଇଥିଲେ, ବୈଦ୍ୟଙ୍କ କଥାନୁସାରେ ହନୁମାନ ସଞ୍ଜୀବନୀ ବୃକ୍ଷ ଚିହ୍ନିନପାରି ପର୍ବତଟିକୁ ଉଠାଇଆଣି ଆସୁଥିବା ବେଳେ ଭରତଙ୍କ ବାଣରେ ସେ ତଳକୁ ପଡ଼ିଗଲେ । ଭରତ ହନୁମାନଙ୍କ ପରିଚୟ ପାଇବା ପରେ ଓ ତାଙ୍କଠାରୁ ଲକ୍ଷ୍ମଣଙ୍କ ବିଷୟରେ ଜାଣିବାପରେ ତାଙ୍କୁ ଉର୍ମିଳାଙ୍କ ପାଖକୁ ନେଇ ତାଙ୍କର ପରିଚୟ କରାଇଲେ । ଲକ୍ଷ୍ମଣ ବନକୁ ଯିବା ବେଳେ ଉର୍ମିଳା ଯେଉଁ ଘରେ ଥିଲେ ସେହିଠାରେ ସେ ଲକ୍ଷ୍ମଣଙ୍କ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଦୀର୍ଘ ଚଉଦ ବର୍ଷ ରହିଥିଲେ । ତାଙ୍କର ଏହିପରି ସଙ୍କଳ୍ପ ମଧ୍ୟ ଥିଲା । ହନୁମାନ କେଉଁଠୁ ଆସିଛନ୍ତି ବୋଲି ସେ ପଚାରିଲେ । ଲକ୍ଷ୍ମଣ ଯୁଦ୍ଧରେ ମୂର୍ଚ୍ଛିତ ହେବାଠାରୁ ଆରମ୍ଭକରି ସବୁ ଘଟଣା ହନୁମାନ ବର୍ଣ୍ଣନା କରି କହିଲେ । ହନୁମାନଙ୍କ କଥାଶୁଣି ହସିଲେ ଓ କହିଲେ -“ହନୁମାନ ! ତୁମେକଣ ଜାଣିନାହଁ ଯେ ଲକ୍ଷ୍ମଣଙ୍କର ନିଶ୍ୱାସ ଶ୍ରୀରାମଙ୍କ ଦିବ୍ୟ ନାମରେ ପରିପୂର୍ଣ୍ଣ । ଏପରି ଜଣେ ବ୍ୟକ୍ତି ଉପରେ ବିପଦ ପଡ଼ିବ କିପରି” ? ଉର୍ମିଳାଙ୍କ ଭକ୍ତି ସମର୍ପଣ ଉତ୍ସର୍ଗୀକୃତ ଶରଣାଗତ ଭାବକୁ ରାମାୟଣରେ ପ୍ରମୁଖ ସ୍ଥାନ ଦିଆଯାଇନାହିଁ । ସେ ଥିଲେ ସତ୍ୟ, ଧର୍ମ ଓ ତ୍ୟାଗର ମୁର୍ତ୍ତିମନ୍ତ ରୂପ । ତାଙ୍କର ଆଦର୍ଶ ପୃଥିବୀ ପାଇଁ ଆଦର୍ଶ ଜୀବନର ଆଲୋକସ୍ତମ୍ଭ ଅଟେ । ସେ ଆମ ସମସ୍ତଙ୍କର ଚିର ନମସ୍ୟ ଅଟନ୍ତି ।

ଲୋକପ୍ରିୟ ଲେଖା

To Top