ଗଳ୍ପ

ଫୁଲ

ସେ ବିଧବାଭତ୍ତା ଆଣିବାକୁ ଯାଇଛି । ମୁଁ ଆଶ୍ଚର୍ଯ୍ୟହେଲି । କହିଲି ସେ ପରା ତା ସ୍ୱାମୀ ସାଙ୍ଗରେ ଆସେ । ବିଧବା କଅଣ କହୁଛୁ ?

ଫୁଲ

ମୁଁ ମୋ ଝିଅ ପାଖକୁ ବୁଲିବାକୁ ଆସିଥାଏ ରାତିର ଖାଇବା ଅଇଁଠା ବାସନଗୁଡ଼ାଏ ପଡ଼ିରହିଥାଏ । ସକାଳୁ କାମ କରୁଥିବା ସ୍ତ୍ରୀ ଲୋକଟି ଆସିନାହିଁ । ବାସନ ମଜା, ଘର ଓଳିଆ, ଲୁଗାସଫା ସବୁକାମ କିପରି ହେବ ଦୁଇଜଣ ଚିନ୍ତାରେ ଥାଉ । ଠିକ୍ ଏତିକି ବେଳକୁ ବାହାରେ କେହି କଲିଂବେଲ୍ ବଜାଇଲା । କାମ କରିବାକୁ ଆସୁଥିବା ସ୍ତ୍ରୀ ଲୋକଟି ଆସିଛି ଭାବି କବାଟ ଖୋଲିବା ବେଳକୁ ଫୁଲ ବୋଲି ଅନ୍ୟଜଣେ ଆସି ପଚାରୁଛି – ମା’ ଚତୁରୀ ଆସିଛି ?

ତାର ନାଁଟି ଫୁଲ । ତାକୁ ଦେଖି ହଜିବା ଧନ ମିଳିବା ପରି ଖୁସି ଲାଗିଲା । ଏଠିକୁ ଘରକାମ କରିବାକୁ ଆସୁଥିବା ସ୍ତ୍ରୀଲୋକ ସବୁ ଦୂର ଗାଁରୁ ଆସନ୍ତି । ଜଣକା ତିନି ଚାରିଟା କାମ ଧରିଛନ୍ତି । ସମସ୍ତେ ଦିନସାରା ରହି କାମସାରି ଚାରିଟା ବେଳକୁ ଏକାଠି ଚାଲିଚାଲି ଯାଆନ୍ତି ।

ଫୁଲ କିନ୍ତୁ ସେମାନଙ୍କ ସାଙ୍ଗରେ ଆସେ ନାହିଁ । ତାର କୌଣସି ଧରାବନ୍ଧା କାମ ନାହିଁ । ସେ ଡେରିକରି ତାର ସ୍ୱାମୀ ସାଙ୍ଗରେ ସାଇକେଲ୍‌ରେ ଆସେ । ସେ ତାକୁ ଏଠି ଛାଡ଼ି ଦେଇ ଯାଏ । ତା ପରେ ଫୁଲର ଘରଖୋଜା ଆରମ୍ଭ ହୁଏ । ପନ୍ଦରଜଣ ଏକାଠି କାମ କରିବାକୁ ଆସନ୍ତି । ସେଥିରୁ ଜଣେ ନା ଜଣେ ଦିନେ ଦିନେ ନ ଆସି ଘରେ ରହନ୍ତି । ଫୁଲ ସେମାନଙ୍କର କାମ କରେ । ସେମାନେ ମାସକୁ ଦରମା ନିଅନ୍ତି କିନ୍ତୁ ଫୁଲ ପ୍ରତ୍ୟେକଦିନ ଟଙ୍କା ନିଏ । ମାସ ହିସାବରେ ସେମାନେ ଦିନକୁ ଦଶଟଙ୍କା ପାଇଲେ, ଫୁଲନେବ ପନ୍ଦର ଟଙ୍କା । ତା ସହିତ ସକାଳର ଚାହା, ଜଳଖିଆ ଖରାବେଳେ ଭାତ ବି ଖାଏ । ତିନିଘରେ କାମକଲେ ଜଣକ ଘରେ ଭାତ ଖାଇ ବାକି ଦୁଇ ଜଣଙ୍କର ଘରର ଭାତ, ଡାଲି, ତରକାରି ଘରକୁ ନେଇଯାଏ । ଯେଉଁଥିରେ ତାର ରାତି ଖାଇବା ଚଳିଯାଏ ।

ସେ ସ୍ୱାଧୀନ । କାହା ଅଧୀନରେ ମାସକୁ ବନ୍ଧା କାମ କଲେସିନା ଦିନେ ନ ଆସିଲେ ଗୃହିଣୀ ମାନେ ଅସନ୍ତୁଷ୍ଟ ହେଇ ଦି’ପଦ କହିବେ । ଫୁଲର ସେ ଦୃଷ୍ଟିରୁ ଭଲ । ଇଚ୍ଛାହେଲେ ଆସିବ ନ ହେଲେ ନାହିଁ, କାହିଁକି ଆସିଲୁ ନାହିଁ ବୋଲି କେହି କହିବାକୁ ନାହିଁ । ସେ ତାର ପିନ୍ଧିବା ଲୁଗା ମଧ୍ୟ ମାଗିକରି ଚଳାଇନିଏ । ଅବେଳରେ ସାହାଯ୍ୟ କରୁଛିବୋଲି କେହି ଦେବାକୁ ଅମଙ୍ଗ ହୁଅନ୍ତି ନାହିଁ । ତାର କିଛି ଟଙ୍କା ଦରକାର ପଡ଼ିଲେ ମାଗିବାକୁ ଆସେ । ତାର ଦରକାର ବେଳେ ଟଙ୍କା ନ ଦେଲେ ପୁଣି ଆମର ଦରକାର ପଡ଼ିଲେ ଡ଼ାକିଲେ କାଳେ ଆସିବନାହିଁ ଭାବି ଭୟରେ ସମସ୍ତେ ଧାର ଦିଅନ୍ତି ମଧ୍ୟ ।

ଦିନେ ପୁଣି ଆାମର କାମ କରୁଥିବା ସ୍ତ୍ରୀ ଲୋକ ଆସିଲା ନାହିଁ । ଏକମାତ୍ର ଭରସା ଫୁଲ । ସେ ଆସିଛି କି ନାହିଁ ଅନ୍ୟଜଣକୁ ପଚାରିବାରୁ ସେ କହିଲା ଆଜି ଆସିବ ନାହିଁ । ସେ ବିଧବାଭତ୍ତା ଆଣିବାକୁ ଯାଇଛି । ମୁଁ ଆଶ୍ଚର୍ଯ୍ୟହେଲି । କହିଲି ସେ ପରା ତା ସ୍ୱାମୀ ସାଙ୍ଗରେ ଆସେ । ବିଧବା କଅଣ କହୁଛୁ ? ନାହିଁ ମାଉସୀ ଇଏ ତା ଦିଅର ସ୍ୱାମୀ ମରିଗଲା ପରେ ସେ ଦିଅର ପାଖରେ ଅଛି । ବିଧବା ଭତ୍ତା ତାକୁ କେମିତି ମିଳିବ ?

ଯାହା ସେ କହିଲା ଏହିପରି । ଫୁଲ ସକାଳୁ ଉଠି ତା ଦିଅର ସାଙ୍ଗରେ ସାଇକେଲ୍‌ରେ ଭତ୍ତାମିଳୁଥିବା ଅଫିସ୍‌କୁ ଯାଏ । ଅଫିସ୍‌ଠାରୁ ଅଳ୍ପ ଦୂରରେ ରହି ମୁଣ୍ଡରୁ ସିନ୍ଦୂର ପୋଛି ହାତରୁ କାଚ କାଢି ବିଧବା ବେଶ ହେଇ ସେଠାକୁ ଯାଏ । ଭତ୍ତା ପାଇସାରିବାପରେ ପୁଣି ସଧବା ବେଶରେ ଘରକୁ ଫେରେ । ଏହିପରି ବୁଦ୍ଧିଖଟାଇ ସେ ସଂସାର ଚଳାଏ । ତାର ଗୋଟିଏ ଖରାପ ଅଭ୍ୟାସ ଅଛି । ସେ ଯାହାଘରୁ ଯାହା ପାଏ ନେଇଯାଏ । ସାବୁନ, ତେଲ, ସାମ୍ପୁ, ଟିକିଲିସବୁ ତାର ଦରକାର ଆଳୁ, ପିଆଜ, ଅଦା, ରସୁଣ ଇତ୍ୟାଦି ମଧ୍ୟ ମାଗିକରି ନିଏ ପୁଣି ସୁବିଧା ପାଇଲେ ଲୁଚାଇ ନେଇଯାଏ ।

ନାଁ ଟି ତାର ଫୁଲ । କି ସୁନ୍ଦର ନାଁ ଟି । ଫୁଲ ଭିତରେ କୀଟ ଥିବାପରି ଫୁଲର ଏହି ବଦଗୁଣଟା ଅଛି । ଭଗବାନ ଯଦି ଫୁଲକୁ ଏତେ ସୌନ୍ଦର୍ଯ୍ୟ ଦେଇକରି ତା ମଧ୍ୟରେ କୀଟ ସୃଷ୍ଟି କରିଛନ୍ତି ଫୁଲର ସାହାଯ୍ୟ ମନୋବୃତ୍ତି ପାଇଁ ଏ ସବୁକୁ କିଛି ଧରାଯାଇ ପାରିବ ନାହିଁ କୌଶଳ ଜାଣିଲେ ଭଲରେ ଚଳି ପାରିବ । ଭଗବାନ ତାକୁ ଦୀର୍ଘାୟୁ କରନ୍ତୁ ।

ଲୋକପ୍ରିୟ ଲେଖା

To Top