ଗଳ୍ପ

ରାଗ-ଅନ୍ଧାରୀ

Odia Author Biraja Routray

ଆପଣ ସାରେ ହାଟ ପର୍ଯ୍ୟନ୍ତ ନିଶ୍ଚୟ ଯିବେ । ମୋତେ ସେହି ହାଟ ଛକରେ ଛାଡ଼ିଦେବେ, ମୁଁ ସେଉଠୁ ଚାଲିଯିବି

ରାଗ-ଅନ୍ଧାରୀ

ବାହାରକୁ ଦେଖିଲେ ମୋ ସହିତ ତା’ର ସେପରି କିଛି ଦୀର୍ଘଦିନର ସମ୍ପର୍କ ନଥିଲା । ଯେଉଁଥିପାଇଁ ମୋତେ ଆଜି ତା’ର ନାଁ, ଗାଁ, ଠିକଣା ପଚାରି ବୁଝି ବାଟ ଖୋଜିବାକୁ ପଡ଼ୁଥିଲା । ଖୁବ୍ କମ୍‌ଦିନ, କହିବାକୁ ଗଲେ ପ୍ରାୟ କିଛି ମାସ ତଳୁ ଆରମ୍ଭ ହୋଇଥିଲା ତା’ ସହିତ ମୋର ସମ୍ପର୍କ । ତାହା ପୁଣି ସହରଠାରୁ ସାମାନ୍ୟ ଦୂରରେ ଥିବା ଏହି ହାଟକୁ ଯିବା ବାଟରେ । ସପ୍ତାହକୁ ଦୁଇଥର ହାଟ । ଭଲ ସଜ ପରିବାପତ୍ର ମିଳୁଥିବାରୁ ତାରି ଆକର୍ଷଣରେ ମୁଁ ଅନ୍ତତଃ ରବିବାର ଦିନଟି ବ୍ୟାଗ୍ ଖଣ୍ଡେଧରି ଆସିଥାଏ ଏହି ପରିବା ହାଟକୁ । ରାସ୍ତାଟି ମୁହଁ ସିଧାରେ ଆଗକୁ ଯାଇ କେତେ କେତେ ଗାଁ ଗୁଡ଼ିକୁ ଛୁଇଁ ଯାଇଛି ତା’ର ସଠିକ୍ ଭୌଗଳିକ ହିସାବ ଯଦିଓ ମତେ ଜଣା ନଥିଲା । କିନ୍ତୁ ଆଜି ମୋତେ ସେହି ରାସ୍ତାରେ ବାଟ ପଚାରି ଯିବାକୁ ପଡ଼ୁଥିଲା । ମୁଁ ଯାହାକୁ ଖୋଜି ହେଉଥିଲି ସେହି ଠିକଣାଟି ମୋତେ ମିଳିବାରେ ବହୁତ ସମୟ ଲାଗି ଯାଇଥିଲା ।

ବାଟରେ ଯାଉଥିବା ଯାହାକୁ ବି ବାବୁଲାର ନାଁ କହି ତା’ର ଗାଁ ଠିକଣା ପଚାରି ବୁଝିଲା ବେଳକୁ ସେପରି କିଛି ଆସ୍ତିସୁଚକ ଉତ୍ତର କାହା ମୁହଁରୁ ଶୁଣିବାକୁ ମିଳିନଥିଲା । ଶେଷରେ ମୋ ଅନିଚ୍ଛା ସତ୍ତ୍ୱେ ଏକ ଦହନୀୟ ଚିତ୍ର ସୂଚାଉଥିବା ବର୍ଣ୍ଣନାକୁ ଉପସ୍ଥାପନ କରି ପଚାରିଲି – “ଏଇ ଯେଉଁ ପନ୍ଦର କି ଷୋଳ ବର୍ଷର ପିଲାଟି ହେବ, ଯିଏ ଦେଖିପାରେନା, ଅନ୍ଧ…। ଫି’ ରବିବାରକୁ ରବିବାର ଗୋଟାଏ ଅନ୍ଧ ବାଡ଼ିକୁ ଧରି ଏଇପଟେ ସହରକୁ ଯିବା ଆସିବା କରେ, ତା’ର ଠିକଣା କିଏ ଜାଣିଛ କି ? ମୋଠାରୁ ଏତିକି କଥା ଶୁଣିଲା ପରେ ଯାଇ ଜଣେ ବାଟୋଇ ମୁହଁ ଖୋଲି କହିଲେ – “ଓଃ, ସେଇ ଅନ୍ଧ ଟୋକାଟା କଥା କହୁଛନ୍ତି କି ? ତୁଣୁପୁର ପଣ୍ଡା ସାହିରେ ତା’ ଘର । ଏହି ସିଧା ରାସ୍ତାରେ ଦୁଇ ମାଇଲ ଖଣ୍ଡେ ଆଗକୁ ଗଲେ ସେହି ଗାଁ ପଡ଼ିବ । ତାକୁ ଅନ୍ଧ ବାବୁଲା ନକହି ଖାଲି ବାବୁଲା ବୋଲି ପଚାରିଲେ କିଏ ଅବା ଠଉରେଇବ” । ଏହି ଶେଷ ଧାଡ଼ିଟିକୁ ନିଜକୁ ଶୁଣାଇଲା ଭଳି ଗୁଣୁ ଗୁଣୁ ହୋଇ କହି ସେ ତା’ର ଉତ୍ତରକୁ ସାରିଥିଲା । ମୁଁ ତା’ର ସଠିକ୍ ଠିକଣାଟି ପାଇଲା ପରେ ସାମାନ୍ୟ ଖୁସି ହୋଇ ସେ ନିର୍ଦ୍ଦିଷ୍ଟ ଗାଁ ଆଡକୁ ମୋର ମୋଟରସାଇକେଲଟିକୁ ମୁହାଁଇଲି ।

ଏହି ହାଟ ଛକକୁ ଆସିବା ବାଟରେ ଏମିତି ଦିନେ ଭେଟ ହୋଇଗଲା ମୋ ସହିତ ବାବୁଲାର । ନିଛାଟିଆ ସରୁ ପିଚୁ ରାସ୍ତାରେ, ସହରରୁ ଗାଁ ଆଡ଼କୁ ଏକମୁହାଁ ହୋଇ ଆଗକୁ ଆଗକୁ ଚାଲିଥିଲା ହାତରେ ଧରିଥିବା ତା’ର ଏକମାତ୍ର ସାହାରା ବାଡ଼ିଟକୁ ଠକ୍ ଠକ୍ କରି । ବାଟରେ ଯେଉଁ ଗାଡ଼ି ତାକୁ ଅତିକ୍ରମ କରୁଥିବାର ଶବ୍ଦ ସେ ଶୁଣୁଥାଏ, ରାସ୍ତାଆଡ଼କୁ ସାମାନ୍ୟ ବୁଲିପଡ଼ି ହାତଟେକି ଲିଫ୍ଟ ମାଗେ । ଯିଏ ଦୟାପରବଶ ହୋଇ ଲିଫ୍ଟ ଟିକେ ଦେଲା ଦେଲା ନହେଲେ ନାହିଁ । ପୂର୍ବ ପରି ପୁଣି ସେ ପିଚୁ ରାସ୍ତାର ପିଠିରେ ତା’ର ଛୋଟ ବାଡ଼ିଟିକୁ ଠକ୍ ଠକ୍ କରି ରାସ୍ତା ଅଣ୍ଡାଳି ଆଗକୁ ପାଦ ପକାଇ ଥାଏ । ବାଟର ଦୂରତା ଭୁଲିବା ପାଇଁ ଆଉ ନିଜକୁ ଯାତ୍ରାର ଏକାକୀତ୍ୱରୁ ସାମାନ୍ୟ ଲାଘବ କରିବା ପାଇଁ ସମୟ ସମୟରେ ପାଟି ଖୋଲି ବଡ଼ ପାଟିରେ କେଉଁ ଏକ ଭଜନ ବା ଜଣାଣର ସ୍ୱରକୁ ଲହରଉଥାଏ ।

ମୁଁ ତା ସହିତ ସାମ୍ନା ସାମ୍ନି ଭେଟ ହେବା ଆଗରୁ ସେ ପଛରୁ ଗାଡ଼ି ଆସୁଥିବାର ଶବ୍ଦ ଶୁଣି ରାସ୍ତା ପଟକୁ ବୁଲିଯାଇ ହାତରେ ଧରିଥିବା ବାଡ଼ିଟିକୁ ହଲାଇ ସାହାଯ୍ୟ ମାଗିବାର ସଙ୍କେତ ଦେଇଥିଲା । ସେହି ସଙ୍କେତରୁ ପିଲାଟି ଅନ୍ଧ ଭାବି ମୁଁ ତାକୁ ସାହାଯ୍ୟ କରିବାକୁ ଆଗଭର ହୋଇଥିଲି । ଗାଡ଼ି ରଖୁ ରଖୁ ଖୁବ ଆଚମ୍ୱିତ ଭାବରେ ସହସା ସେ ମୋର ଗାଡ଼ି ଓ ଦେହକୁ ଛୁଇଁବାର ପ୍ରୟାସରେ ଶୁନ୍ୟରେ ଦୁଇ ହାତକୁ ବୁଲାଇ ପାଖରେ ଆସି ପହଞ୍ଚି ଯାଇଥିଲା । ତା’ପରେ ମୋର ଦୁଇ କାନ୍ଧକୁ ଶକ୍ତ ଭାବରେ ଭରାଦେଇ ଆଖି ପିଛୁଳାକେ ଚଢ଼ିଗଲା ଗାଡ଼ିର ପଛ ସିଟ୍‌କୁ ଖୁବ ସହଜ ଭାବରେ । ମୁଁ ତା’ର ଏହି ଗାଡ଼ି ଚଢିବାର କୌଶଳକୁ ଦେଖି ମନେ ମନେ ପ୍ରଶଂସା ନକରି ରହିପାରି ନଥିଲି । ଭାବିଲି ଏମିତି ଯାଇ ଯାଇ ଅଭ୍ୟାସ ହୋଇଯାଇଥିବ ବୋଧେ । ଟିକେ ପଛକୁ ଚାହିଁ ମୁହଁ ଖୋଲି ପଚାରିଲି-“କେଉଁ ଯାକେ ଯିବ ବାବୁ ?’ ମୋ ପଚାରିଥିବା ପ୍ରଶ୍ନକୁ ସେ ସିଧାସଳଖ ଭାବେ ନକହି ପରୋକ୍ଷ ଭାବରେ ଉତ୍ତର ଦେଇ କହିଲା – “ଆପଣ ସାରେ ହାଟ ପର୍ଯ୍ୟନ୍ତ ନିଶ୍ଚୟ ଯିବେ । ମୋତେ ସେହି ହାଟ ଛକରେ ଛାଡ଼ିଦେବେ, ମୁଁ ସେଉଠୁ ଚାଲିଯିବି” ।

ବାଟରେ ହଠାତ ଏପରି ଏକ ପିଲା ସହ ଭେଟ ହେବ ବୋଲି ମୋର କେବେ ଧାରଣା ନ ଥିଲା । ଶରୀର ଦୃଷ୍ଟିରୁ କ୍ଷୀଣକାୟ ଲାଗୁଥିବା ତାର ପ୍ରକୃତ ବୟସଠାରୁ ସେ ଦିଶୁଥିଲା ଯଥେଷ୍ଟ କମ୍ । ଏକ ପରିଷ୍କାର ନିରୀହପଣ ତା ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ମୁହଁର ସୌନ୍ଦର୍ଯ୍ୟକୁ ଅଧା ମୁଦି ହୋଇଯାଇଥିବା ଦୁଇଟି ନଷ୍ଟ ଆଖି ଅନେକ ପରିମାଣରେ ବ୍ୟାହତ କରୁଥିଲେ ବି ତାର ଶିଶୁ ସୁଲଭ ମୁଖ ମଣ୍ଡଳରେ ଏକ ଅନ୍ତର୍ନିହିତ ଉଜ୍ଜ୍ୱଳତା ଭରି ରହିଥିଲା । ସେଥିରୁ ବୁଝି ହେଉଥିଲା ଯେ ସେ ଯେପରି ନିଜର ଅନ୍ଧତ୍ୱ ବିଷୟରେ ସଚେତନ ଥାଇ ଏକ ସ୍ୱାଭାବିକ ଜୀବନ ଜୀଇଁବା ପାଇଁ ଆଗ୍ରହୀ ।

ତା ସମ୍ପର୍କରେ ଅଧିକ ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରିବାରୁ ସେ କହିଚାଲିଥିଲା- ନାଁ ତାର ବାବୁଲା । ଘର ହାଟଛକ ସେପଟେ ଥିବା ଗାଁରେ । ପ୍ରାୟ ଛକଠାରୁ ପାଞ୍ଚମାଇଲ ଖଣ୍ଡେ ଦୂରରେ ହେବ । ଜନ୍ମରୁ ସେ ଅନ୍ଧ ନ ଥିଲା । ତାକୁ ଯେତେବେଳେ ସାତ ବର୍ଷ ବୟସ ହୋଇଥିଲା କେଉଁ ଗୋଟେ ଅଜଣା ଆଖିରୋଗ ତାକୁ ଆକ୍ରାନ୍ତ କରିଥିଲା । ସେତେବେଳକୁ ସେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା । ବାପା ତାକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତରବାବୁ ଦୁଇ ଆଖିଯାକର ଅପରେସନ ହେବ କହି ପାଖାପାଖି ସେତେବେଳକୁ ଦଶହଜାର ଟଙ୍କା ଖର୍ଚ୍ଚହେବ ବୋଲି ଜଣାଇଥିଲେ । ମାତ୍ର ମାଣେ ଜମିକୁ ଭରସା କରି ଚଳୁଥିବା ବାପା ତାର ଡରି ପଛଘୁଞ୍ଚା ଦେଲା । କେଉଁ ହୁକୁମ୍ ବାବାଙ୍କ ଠାରୁ ମନ୍ତୁରା ପାଣି ଆଣି ଆଖିରେ ଠୋପା ଠୋପା ଦେଲା । ସେଥିରୁ କିଛି ଲାଭହେଲା ନାହିଁ । ଆଖି ଦୁଇଟା ତାକୁ ଅନଉ ଅନଉ ଜଳକା କରି ଅନ୍ଧକରି ଛାଡ଼ିଦେଇଗଲା । ସେହି ଦିନରୁ ସ୍କୁଲ୍ ଯିବା ବନ୍ଦ, ପାଠପଢ଼ା ବନ୍ଦ, ବାହାରକୁ ଯାଇ ଖେଳିବା ଓ ବୁଲିବା ବନ୍ଦ । ଏମିତିକି କଅଁଳି ଆସୁଥିବା ତା ଶୈଶବ ଜୀବନର ଯେତେ ଯାହା ପଦାକୁ ପଡ଼ିଥିଲା ସବୁବାଟ ବନ୍ଦ ହୋଇଯାଇଥିଲା ପଛକୁ ପଛ । ବାପା ଆଣି ହାତରେ ଧରାଇଦେଲେ ଏହି ସାହାରା ବାଡ଼ି ଖଣ୍ଡିକ । ସେହି ଦିନଠାରୁ କାନରେ ଶବ୍ଦବାରି ସେ ଜୀବନଟା ଜୀଇଁ ଆସୁଛି ।

ତାଠାରୁ ସେଦିନ ଏତକ କଥା ଶୁଣି ସାରିଲାପରେ ମୁଁ ଯେପରି ତା ମୁହଁର ଦୁଇ ବନ୍ଦ ଆଖି ଝରକା ସେପଟେଥିବା ଅନ୍ଧକାରର ଗଭୀରତାକୁ ଖୁବ୍ ସ୍ପଷ୍ଟ ଭାବେ ଦେଖିପାରିଥିଲି । ଆଖି ନ ଥାଇ ଜନ୍ମରୁ ଅନ୍ଧତ୍ୱ ବରଣ କରିନେବାର କଷ୍ଟଠାରୁ ତାହାର କଷ୍ଟ ଦୁଇଗୁଣ ଥିଲା । ସିଏ ବି ଆମ ଭଳିଆ ଆଖି ପାଇ ଜନ୍ମ ହୋଇଥିଲା । ଖେଳି ବଢ଼ି, ପାଠପଢ଼ି ଆସୁଥିଲା । ଅଥଚ ଭଲକରି ଆଖି ପୁରାଇ ପୃଥିବୀକୁ ଦେଖିବା ଆଗରୁ ଆଖି ତା ପାଖରେ ଆଉ ନ ଥିଲା । ଦେଖି ପୁଣି ଦେଖି ନ ପାରିବାର ସୀମାହୀନ ଦୁଃଖ ଭିତରେ କେତେବେଳେ ତାର ଶୈଶବ ଆସି ଆଦ୍ୟ ଯୌବନରେ ପଦାର୍ପଣ କରିସାରିଥିଲା । ଶରୀରର ଏହି ରୂପାନ୍ତରକୁ ସେ ବିଚରା ନିଜେବି ଦେଖିପାରିନଥିବ । ସେହି ପ୍ରଥମ ପରିଚୟରେ ମୋ ମନରେ ତା ପ୍ରତି ଅଶେଷ ସହାନୁଭୂତିର ଭାବ ସୃଷ୍ଟି ହୋଇଥିଲା ଭାଗ୍ୟର ବିଚିତ୍ର ଗତିପଥରେ କେଉଁ ମଣିଷ କେତେବେଳେ କେଉଁ ରୂପରେ ଆସି ଠିଆ ହେବ ସେ କଥା କିଏବା କହିବ ?

ମାତ୍ର ନିଜର ଅନ୍ଧତ୍ୱକୁ ଏକ ଅଭିଶାପ ବା ନିୟତିର ନିର୍ଦ୍ଦେଶ ରୂପେ ବରଣ କରି ଖଣ୍ଡିତ ଅସ୍ତିତ୍ୱକୁ ନେଇ ବଞ୍ଚିରହିଥିବା ଏହି ପିଲାର ଜୀବନରେ ଦେଖିହେଲାଭଳି ଆଉଏକ ଦୃଶ୍ୟମାନ ଅଂଶବିଶେଷ ମଧ୍ୟ ରହିଥିଲା । ଗଲା କିଛିଦିନ ତଳେ ସେ ରବିବାରକୁ ରବିବାର ସହରକୁ ଗୀତ ଶିଖିବାକୁ ଆସୁଥିଲା । ଗୀତ ବୋଲିବାକୁ ତାର ଭାରି ଇଚ୍ଛା ଆଉ ପ୍ରବଳ ଆଗ୍ରହ ବି । ଗାଁ ରେ ପଡ଼ିଶା ଘରେ ରେଡ଼ିଓଟି କେତେବେଳେ ବାଜିବ ସେହି ସମୟକୁ ସେ ଅପେକ୍ଷା କରି କାନ ଡେରି ବସିଥିବ । ଗୀତଟିଏ ବାଜିଲେ ମୁହଁ ଖୋଲି ବଡ଼ ପାଟିରେ ପଦ ପଛକୁ ପଦ ଅନୁକରଣ କରି ଗୀତ ଗାଇବାକୁ ଚେଷ୍ଟା କରୁଥିବ । ସେଥିରେ ତାକୁ ମିଳେ ପରମ ତୃପ୍ତି । ଏମିତିକି ସେ ଭୋକଶୋଷ ଭୁଲି ଦାଣ୍ଡପିଣ୍ଡାରେ ସେମିତି ତୁନିହୋଈ ବସିରହିଥାଏ । ସେପଟେ ତା’ ବୋଉ କେତେଥର ଘର ଭିତରକୁ ଖାଇବାକୁ ଡାକି ଡାକି ନୟାନ୍ତ ହୋଇ ଶେଷକୁ ଦାଣ୍ଡକୁ ଆସି ତାକୁ ପିଣ୍ଡାରୁ ଘୋଷାରି ଘୋଷାରି ନେଇଯାଏ ଘର ଭିତରକୁ । ଘରକୁ ଖଣ୍ଡେ ରେଡ଼ିଓ ଆଣିବା ପାଇଁ ସେ ତା’ ବାପା ଆଗରେ କେତେଥର ଅନୁରୋଧ କରିସାରିଥିଲା, ହେଲେ ପଇସା କୁଆଡ଼ୁ ଆସିବ କହି ବାପା ସବୁଥର ତା’ର କଥାକୁ ଏଡ଼ାଇ ଦେଇଥାନ୍ତି ।

ତା’ର ଏହି ଗୀତ ଶୁଣିବା ଓ ବୋଲିବା ଆଗ୍ରହକୁ ଦେଖି ଗାଁ ର କେତେ ଲୋକ ତା ବାପାକୁ ସହରରେ ଥିବା ସଂଗୀତ ସ୍କୁଲକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ବାପାକୁ ତାର ସବୁଦିନିଆ ଚାଷବାସ, ମୂଲମଜୁରୀରୁ ଫୁର୍‌ସତ ବି କେଉଁଠି ଥିଲା ଯେ ସିଏ ତାକୁ ସାଇକେଲରେ ବୋହି ଗୀତ ଶିଖିବାକୁ ଏତେଗୁଡ଼ା ବାଟ ଆଣିଥାନ୍ତା ପୁଣି ନେଇଥାନ୍ତା । ଏହି ପ୍ରତିକୂଳ ସ୍ଥିତିରେ ବି ବାବୁଲାର ମନଥିଲା ସଂଗୀତ ପ୍ରତି ଯେପରି ଉତ୍ସର୍ଗୀକୃତ । ସେ ସ୍ଥିର କରିଥିଲା ଯେତେ ଯାହା ହୋଇଯାଉପଛେ ସେ ସହରକୁ ଯିବ ଓ ଗୀତ ଶିଖିବ । ସେହି ଏକ ଜିଦିରେ କଷ୍ଟ ଲାଗିଲେ ବି ସପ୍ତାହକୁ ସପ୍ତାହ ଦଶକୋଶ ବାଟ ଡେଇଁ ଗୀତ ଶିଖିବାକୁ ଆସୁଥିଲା । କେବେ ଯଦି କିଏ ଗାଡ଼ି ପଛରେ ଟିକେ ତାକୁ ବସେଇ ନେଇ ତା’ର କଷ୍ଟକୁ ଟିକେ ଉଣା କରିଦେଉଥିଲା ନ ହେଲେ ନାହିଁ । ସେଥିରେ ତା’ଭିତରୁ ସଂଗୀତ ଶିଖିବାର ଝୁଙ୍କ କେବେ କମିଯାଇନଥିଲା । ଏକ୍‌ ତ ଏତେ ଦୂରବାଟକୁ ଖାଲି ହାତରେ ବାଡ଼ିଟାଏ ଧରି ରାସ୍ତା ବାରି ବାରି ଆସିବା ଭିତରେ ଥିଲା ବହୁତ ବାଧା । କେବେ ଖାଲଢ଼ିପକୁ ଝୁଣ୍ଟି ଖଣ୍ଡିଆ ଖାବରା ହେବାର ଭୟ ତ କେବେ ଚଳନ୍ତା ଗାଡ଼ିମୁହଁ ଆଗକୁ ଆସିଯିବାର ଭୟ । କିନ୍ତୁ ତା’ର ଗୀତ ଶିଖିବା ନିଶା ଆଗରେ ଏଗୁଡ଼ିକ ଯେପରିଥିଲା ଖୁବ୍ ମାମୁଲି ଆଉ ସାଧାରଣ । ନିଜଭିତରେ ବଳବତ୍ତର ଥିବା ଗୀତ ଶିଖିବାର ଏକାନ୍ତ ଅଭୀଷ୍ଟ ଇଚ୍ଛାଟି ତାକୁ ଏକ ଦୁଃସାହସିକ ପଥର ଯାତ୍ରୀ କରିଦେଇଥିଲା । ଘନଘୋର କଳା ରଙ୍ଗର ରାତ୍ରି ପାଲଟି ଯାଇଥିବା ତା ଜୀବନରେ ଏହି ସଂଗୀତର ସାମାନ୍ୟ ମୂର୍ଚ୍ଛନା ଟିକକ ବିଜୁଳି ପରି ଖେଳିଉଠି ଯେପରି ଆଲୋକିତ କରିଦେଉଥଲା ତାର ସମଗ୍ର ଭାବସତ୍ତାକୁ । ସେହି କେତୋଟି ମୁହୁର୍ତ୍ତ ଭିତରେ ସେ ଯେପରି ଜୀବନକୁ ଦେଖୁଥିଲା ଓ ଜୀବନକୁ ଅନ୍ତରଙ୍ଗ ଭାବେ ଅନୁଭବ କରୁଥିଲା ।

ସେହି ପ୍ରଥମ ସାକ୍ଷାତ ଦିନରୁହିଁ ବାବୁଲା ପ୍ରତି ମୋର ସମ୍ପର୍କର ଘନିଷ୍ଠତା କ୍ରମଶଃ ବଢ଼ିଆସିଥିଲା । ସ୍ୱାଭାବିକ ଭାବରେ ମୁଁ ତା ବ୍ୟକ୍ତିତ୍ୱରେ ଆକର୍ଷିତ ହୋଇଉଠିଥିଲି । ଆଉ ଏହି ଆକର୍ଷଣ ପଛରେ ତାର ଦୃଷ୍ଟିହୀନତା ମୋତେ ଆଦୌ ଦେଖାଯାଉ ନ ଥିଲା । ହଁ ଦେଖାଯାଇଥିଲା ତାର ନିଦାରୁଣ ଜୀବନ ନଦୀରେ ପ୍ରବାହିତ ଏକ ଛଳଛଳ ପ୍ରାଣ, ଯିଏ ଅନ୍ଧତ୍ୱର କୁଳଲଂଘି ଉଛୁଳି ଯିବାକୁ ଚାହୁଁଥିଲା ଆନନ୍ଦରେ ।

ଏହା ଭିତରେ ଏକାଧିକଥର ତା ସହିତ ମୋର ଦେଖାସାକ୍ଷାତ ହୋଇ ସାରିଥିଲା । ଦୁଇଜଣଙ୍କ ଭିତରେ ଥିବା ଚିହ୍ନା ପରିଚୟ ମଧ୍ୟ ଯଥେଷ୍ଟ ବଢ଼ିଯାଇଥିଲା । ଦୁହେଁ ଯେମିତି ଦୁହିଁଙ୍କର ଘନିଷ୍ଠ ବନ୍ଧୁ ପାଲଟି ଯାଇଥିଲୁ ନିଜ ନଜର ବୟସ ନିର୍ବିଶେଷରେ । ସବୁ ରବିବାରକୁ ରବିବାର ସଂଗୀତ ସ୍କୁଲ୍‌ରୁ ଗୀତ ଶିଖିସାରି ସେ ବଜାରର ଶେଷ ମୁଣ୍ଡରେ ଥିବା ଛକ ନିକଟରେ ମୋ’ର ହାଟକୁ ଯିବା ସମୟକୁ ଅପେକ୍ଷାକରି ବସିଥାଏ । ମୁଁ ମଧ୍ୟ ଅଭ୍ୟାସବଶତଃ ହାଟକୁ ଯିବା ବାଟରେ ସେହି ନିର୍ଦ୍ଧିଷ୍ଟ ଛକ ପାଖରେ ପହଞ୍ଚି ଗାଡ଼ିର ଗତିକୁ ସ୍ଥିର କରି ତାକୁ ଖୋଜିଥାଏ । ଯଦି ଦୈବାତ ତା’ର ଆସିବାରେ ବିଳମ୍ୱହୁଏ ମୁଁ ସେଠାରେ ରହି ଅପେକ୍ଷା କରେ । ମୋର ଯଦି ଆସିବାରେ କେଉଁଦିନ ଡେରି ହୋଇଥାଏ ସିଏ ସେମିତି ରାସ୍ତାକଡ଼ରେ ଛିଡ଼ାହୋଇଥାଏ ବହୁ ସମୟ ଧରି । ଆସିବା ଅଧିକ ବିଳମ୍ୱ ହେଲେ ନିଜର ଅନିଚ୍ଛା ସତ୍ତ୍ୱେ ଖୁବ ମନ୍ଥର ଗତିରେ ଆଗକୁ ପାଦ ପକାଏ । ସ୍ମୃତିକୋଷରେ ମୋ ଗାଡ଼ିର ଫଟ୍ ଫଟ୍ ଶବ୍ଦକୁ ଏପରି ସାଇତି ରଖିଥାଏ ଯେ ସେହି ଶବ୍ଦ ତା କାନରେ ପଡ଼ିଲାମାତ୍ରେ ରାସ୍ତାଅଧାକରୁ ପଛକୁ ମୁହଁ ବୁଲାଇ ଚାହିଁ ରହେ । ପବନ ଛୁଆଁରେ ପାଣିର ଛୋଟ ଛୋଟ ଢେଉ ଖେଳି ଉଠିବା ପରି ସହସା ତା ମୁହଁରେ ଖେଳିଉଠେ ଖୁସିର ଛୋଟଛୋଟ ଲହରୀ ।

ଗଲା କିଛିଦିନ ହେଲା ବାବୁଲା ସହିତ ମୋର ଦେଖା ନ ହୋଇପାରିଥିବାରୁ ମନ ଭିତରେ ତାକୁ ଭେଟିବାର ଏକ ଓଜନିଆ ଇଚ୍ଛା ଜାଗାମାଡ଼ି ବସିଥିଲା । ଶେଷରେ ସେହି ମନକୁ ବୁଝାଇ ଆଜି ରବିବାର ହାଟବାରି ଦେଖି ମନସ୍ଥ କରିଥିଲି ତା’ ଗାଁ ଆଡ଼େ ଟିକେ ମାଡ଼ିଯିବାକୁ । ହୁଏତ ଦେହପା ଟିକେ ଖରାପ ହୋଇପାରେ ସେଥିପାଇଁ ବୋଧହୁଏ ଆଉ ଗୀତ ଶିଖିବାକୁ ସହରକୁ ଆସୁନାହିଁ । ଆଜି ତା’ ପାଖକୁ ଯିବା ବାଟରେ ବାଟସାରା ଖାଲି ତାରି କଥାହିଁ ମନପଡ଼ୁଥାଏ । ତା’ର ଗାଁ ଯେତିକି ପାଖେଇ ଆସୁଥାଏ ତା ସହିତ ବିତାଇଥିବା ମୁହୁର୍ତ୍ତମାନଙ୍କର ସ୍ମୃତି ସେତିକି ସଜୀବ ହୋଇ ଚାଲୁଥାଏ ମୋ ସହିତ ବାଟସାରା ।

ମୋତେ ବାଟ କହିଦେଇଥିବା ଲୋକର ସୂଚନା ଅନୁଯାୟୀ ଏଇ ଯେଉଁ ଆଗ ବାଙ୍କ ମୁହଁ ଦେଖା ଯାଉଛି ତାର ଡାହାଣ ପଟକୁ ଥିବା ପ୍ରଥମ ମାଟିକାନ୍ଥର ଚାଳଘର ହେଉଛି ବାବୁଲାର ଘର । ସେହି ଘର ପାଖକୁ ମୁଁ ଯେତିକି ଆଗେଇଯାଉଥାଏ, ତାକୁ ପୁଣି ଆଜି ଆଉଥରେ ଦେଖିବାର ଉତ୍କଣ୍ଠା ମୋ ମନରେ ଦ୍ୱିଗୁଣିତ ହୋଇଚାଲିଥାଏ । “କ’ଣ କରୁଥିବ ଏବେ ସେ, ଏମିତି କଣ ଅସୁବିଧା ହେଲା ଯେ ଆଉ ରବିବାର ଗୀତ ଶିଖିବାକୁ ଗଲା ନାହିଁ, ସଂଗୀତ ବିନା କେମିତି କଟୁଥିବ ତାର ଏହି ରବିବାର ? ଭଗବାନ କରନ୍ତୁ ସେମିତି କିଛି ଅଘଟଣ ଏହା ଭିତରେ ଘଟିନଥାଉ’ । ଏହିଭଳି ନାନାରକମର ଶୁଭ ଅଶୁଭ ଚିନ୍ତା କରୁ କରୁ ମୁଁ ଆସି ସେହି ବାଙ୍କ ମୁଣ୍ଡ ପାଖ ଘର ଆଗରେ ଗାଡ଼ିକୁ ରଖିଲି । ଆଖି ଆଗରେ ଥିଲା ଏକ ମାଟି କାନ୍ଥର ଚାଳଛପରୀ ଘର । ଦେଖିଲି ଦାଣ୍ଡଆଡ଼କୁ ଗୋଡ଼ ଓହଳାଇ ମାଟି ପିଣ୍ଡାଟା ଉପରେ ଚୁପ୍‌ଚାପ୍ ଏକୁଟିଆ ବସି ରହିଛି ବାବୁଲା । ତାର ଗୋଟିଏ ଗୋଡ଼ରେ ଖଣ୍ଡେ ଦଉଡ଼ି ବନ୍ଧାଯାଇ ଆରପଟଟି ପିଣ୍ଡାକୁ ଲାଗିଥିବା ବାଉଁଶ ଖୁଣ୍ଟିସହ ଶକ୍ତ ଭାବରେ ବନ୍ଧାଯାଇଛି । ମୁଣ୍ଡର ଉପର ଅଂଶରେ ଗୋଲ୍‌କରି ବୁଲାଯାଇ ବନ୍ଧାଯାଇଛି ଏକ ଧଳା ରଙ୍ଗର ବ୍ୟାଣ୍ଡେଜ ପଟି । ଦେହ ଓ ହାତର କେତେକ ସ୍ଥାନରେ ଖଣ୍ଡିଆ ଖାବରାର ଚିହ୍ନ । ମୋତେ ଆଉ ବୁଝିବାକୁ ବିଳମ୍ୱ ହେଲା ନାହିଁ ଯେ ସେ ଏହାଭିତରେ କେବେ କେଉଁଠି ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି ବୋଲି ।

ପାଖରୁ ମୋ ଗାଡ଼ିର ପରିଚିତ ଶବ୍ଦକୁ ଶୁଣି ସେ ଖୁସିରେ ଚମକି ଉଠିଲା ପରି ପାଟି କରି କହିଲା “ସାରେ, – ସାରେ, ଆପଣ ଆସିଛନ୍ତି” ! ଖୁବ୍ ଆନନ୍ଦିତ ହୋଇ ଆଉକିଛି କହିବାକୁ ଯାଉଥିଲା ବୋଧେ । ତା’ ପୂର୍ବରୁ ମୁଁ ଆଶ୍ଚର୍ଯ୍ୟ ଚକିତ ଆଖିରେ ତାକୁ ଚାହିଁ ପଚାରିଲି – “ଏସବୁ କେମିତି ହେଲା ବାବୁଲା ?” ଏତିକି ବେଳେ ଘର ଭିତରୁ ପଦାକୁ ବାହାରି ଆସିଲେ ଜଣେ କିଏ ମଧ୍ୟମ ବୟସର ଲୋକ । ବୋଧହୁଏ ବାବୁଲାର ବାପା ହୋଇଥିବେ । ବାହାରକୁ ଗୋଡ଼ କାଢ଼ୁ କାଢ଼ୁ ମୋ ମୁହଁକୁ ଚାହିଁ କିଛିକ୍ଷଣ ରହି କ’ଣ ଭାବିଲେ କେଜାଣି, ହୁଏତ ମୋତେ ଅଚିହ୍ନା ଭାବି ଦାଣ୍ଡ ରାସ୍ତା ଆଡ଼କୁ ମୁହଁ କରି ବଡ଼ ପାଟିରେ ଶୁଣାଇ କହିଲେ – “ଯୋଉ କଥାକୁ ମୋର ଡର ଥିଲା, ଶେଷକୁ ସେଇକଥା ହେଲା । ଏକୁଟିଆ ଏତେଗୁଡ଼ା ବାଟ ଯିବାକୁ ମୁଁ ଜମା ତାକୁ ଛାଡ଼ୁନଥିଲି । ହେଲେ ଏ ଗୀତ ତାକୁ ବାୟା କଲା । ମନକୁ ମନ ଯିଦି କରିଗଲା ଯେ ଏବେ ଫଳ ଭୋଗୁଛି । ଗାଡ଼ି ଧକ୍କା ଖାଇ ଖଣ୍ଡିଆ ଖାବରା ହୋଇ ପଡ଼ିଛି । ଆରେ, ଅନ୍ଧ ପିଲା ତୁ, କ’ଣ ମିଳିବ ତୋତେ ସେ ଗୀତ ଫିତରୁ ? ତୋର ଘରଟା ଭିତରେ ଜଗିରଖି ଚଳିବାକଥା, ବାହାରକୁ ଗୋଡ଼ କାଢିବା କ’ଣ ଦରକାର’ ? ଏତିକି କହିସାରି ସେ ଲୋକ ଜଣକ ଫଁ ଫଁ ମୁହଁରେ ବାବୁଲା ଆଡ଼କୁ ବୁଲିପଡ଼ି ତାକୁ ଦଣ୍ଡେ ଅନାଇ ମୋ ଆଡ଼କୁ ଚାହିଁଲେ । ମୁଁ ଅଗତ୍ୟା ବାବୁଲାର ଏ ଦହନୀୟ ବନ୍ଦୀ ଅବସ୍ଥାକୁ ଦେଖି ପ୍ରଶ୍ନ କରି ବସିଲି – “ହେଲେ ତାକୁ ଏପରି ବାନ୍ଧି ରଖିଛ କାହିଁକି” ?

– ନହେଲେ ତାକୁ ସମ୍ଭାଳିବ କିଏ ? ଆଚମ୍ୱିତ କଲାପରି ମୋ ପ୍ରଶ୍ନର ଉତ୍ତରକୁ ପ୍ରଶ୍ନରେ ଦେଇଥିଲେ ସେ ଲୋକ ଜଣକ । ତା’ପରେ ସାମାନ୍ୟ ଦବିଯାଇ ସଫେଇ ଦେଲାପରି ଯୋଡ଼ି କହିଲେ – ରବିବାର ହେଲା ମାତ୍ରେ ସେ ପୁରାପୁରି ଘରେ ରହିବାକୁ ନାରାଜ । ଏପରି ଦୂର୍ଘଟଣା ଘଟିଲା ପରେବି ତା’ର ପୁଣି ସେଇ ଏକା କଥା ସେ ଗୀତ ଶିଖିବାକୁ ଯିବ । ସେଇଥିପାଇଁ ରବିବାର ଦିନଟି ତାକୁ ଏପରି ଘରେ ବାନ୍ଧିକରି ବସେଇବାକୁ ପଡୁଛି ।

ଏତକ ଶୁଣି ସାରିଲା ପରେ ମୁଁ ନିରୁତ୍ତର ରହି ବାବୁଲାର ମୁହଁକୁ ଚାହିଁ ରହିଲି । ତା ମୁହଁ ସେଦିନ ଦିଶୁଥିଲା ଖୁବ୍ କରୁଣ, ବିଷର୍ଣ୍ଣ ଗୋଧୁଳି ଆକାଶର ରଙ୍ଗ ପରି ଫିକା ଓ ରଙ୍ଗହୀନ । ସେ ମୋତେ ମୁହଁ ଖୋଲି କିଛି କହିବାକୁ ଚାହୁଁଥିଲା । ପ୍ରଗଳ୍ଭା ନଦୀପରି ତା ଭିତରେ ଥିଲା ଅନେକ କଥା, ଅନେକ ବ୍ୟଥା । ପୁଣି କ’ଣ ଭାବିଲା କେଜାଣି କହିବ କହିବ ବୋଲି ଚୁପ ରହିଗଲା । ଗୀତ ଶିଖିବାର ସମସ୍ତ ବ୍ୟାକୁଳତା ମୁଁ ତା ମୁହଁରୁ ସ୍ପଷ୍ଟ ପଢ଼ିପାରୁଥିଲି । ହେଲେ ମୁଁ ଥିଲି ନିରୁପାୟ । ହଠାତ୍ ଆମ ଦୁହିଙ୍କ ଭିତରେଥିବା ନୀରବତାକୁ ଭଙ୍ଗକରି ପାଖଘରୁ ରେଡ଼ିଓ ବାଜିବାର ଶବ୍ଦ ଶୁଣାଗଲା । ସେହି ଶବ୍ଦରେ ପହଁରି ଆସିଲା କେଉଁ ଏକ ଶାସ୍ତ୍ରୀୟ ସଂଗୀତର ରାଗ । ଯାହା ମୋତେ ଅଜଣା ଥିଲା । ମାତ୍ର ବାବୁଲା ସେହି ରାଗସହ ତାଳଦେଇ ପାଟି ଖୋଲି ଗୁଣୁ ଗୁଣେଇବା ଆରମ୍ଭ କରିଦେଇଥିଲା । ତା’ର ଦୁଇ ଅନ୍ଧାର ଆଖି କୋଣରୁ ବୋହିପଡ଼ୁଥିଲା ଧାର ଧାର ଲୁହ । ମୋତେ ଲାଗିଲା ସତେ ଯେମିତି ସେ ତା ଅନ୍ତରର ସବୁ କୋହ ସବୁ ଦୁଃଖକୁ ଚାପିରଖି ଏକାତ୍ମ ଚିତ୍ତରେ ଗାଇ ଚାଲିଥିଲା ଏକ ନୂତନ କରୁଣ ରାଗ, ରାଗ -ଅନ୍ଧାରୀ……..!

ଲୋକପ୍ରିୟ ଲେଖା

To Top