ଗଳ୍ପ

ଜୋକର

Joker an odia story by Trupti Rekha Paikaray

ଜାନୁଆରୀ ୧୦, ୨୦୧୪ ମସିହା ସେଦିନ କଥା ମନେପଡିଗଲେ ରୂପା ପାଗଳ ପାରିହେଇଯାଏ, ନିଜ ମୁହଁକୁ ଆଇନାରେ ବି ଦେଖିପାରେନି, କାନ୍ଦେ, ଚିଲାଏ ।

ଜୋକର

“ସମୟ କେବେକେବେ କାହାକୁ ଜୋକର ବନେଇଦିଏ । ନିଜ ବୋହିଯାଉଥିବା ଲୁହକୁ ଆଖିରେ ଚାପିରଖି, ଉପରେ ହସିବା କଳା ଏଇ ଜୋକରକୁ ବେଶ ଜଣା । ଅନ୍ୟକୁ ହସିହସାଇ ବେଦମ କରିଦେଉଥିବା ଜୋକରଟିଏ କିନ୍ତୁ ତା ନିଜ ମନରେ କୁହୁଳୁଥିବା କୋହର ନିଆଁରେ ନିଜେ ଜଳିଜଳି ପାଉଁଶ ହେଇଯାଏ । ହେଲେ ତାକୁ ହସିବାକୁ ପଡେ, ଜିଇଁବାକୁ ପଡେ, କେବେକେବେ ସମୟର ଶ୍ରୋତରେ ଭାସିଭାସି ଏକ କୂଳରେ ଅନ୍ତତଃ ପହଞ୍ଚିବାକୁ ପଡେ” ।

ଆଜି ରୂପାର ସେଇ ରୁପା ଜହ୍ନ ପରି ମୁହଁଟିଏ ଟିକେ ମଳିନ ପଡିଯାଇଛି, ଆଖିର ସ୍ୱପ୍ନଗୁଡା ଯେତେବେଳେ ଖଣ୍ଡଖଣ୍ଡ ହେଇ ଭାଙ୍ଗିପଡେ, ମନର କୋହଗୁଡ଼ାବି ଜଳଜଳ ହେଇ ଫୁଟିକି ଦେଖାଯାଏ । ମଣିଷମାନେ ଏଠି ଏମିତି ବଦଳିଯାନ୍ତି, ନିଜଠାରୁ ନିଜର ଭାବୁଥିବା ଲୋକଟି ଏମିତି ଧୋକାଦିଏ, ରୁପାର ମୁଣ୍ଡ ଝାଇଁଝାଇଁ ହେଇପଡୁଥିଲା, ଆଖିରୁ ଧାରଧାର ଲୁହ । ଲୁହ ପୋଛୁପୋଛୁ ହଟାତ ଦେଖିଲା ଆଗରେ ପିଲାମାନେ ପହଞ୍ଚିଗଲେଣି, ସାଙ୍ଗେସାଙ୍ଗେ ନିଜର ସେଇ ଜୋକର ମୁଖାଟାକୁ ମୁହଁରେ ଲଗେଇ, ନିଜକୁ ଟିକେ ସଜାଡିନେଲା । ସେପଟେ ପିଲାମାନେ “ଆମ ଜୋକର ଆସିଗଲା, ଆମ ଜୋକର ଆସିଗଲା” କହି ଦୌଡିଆସୁଥାନ୍ତି । ଏଇ ଜୋକର ସେମାନଙ୍କ କଲୋନୀକୁ ଆସିବା ଦିନଠାରୁ ପିଲାମାନଙ୍କ ଖୁସି କହିଲେ ନସରେ । ନିଜକୁ ଭଳିକି ଭଳି ରଙ୍ଗରେ ସଜେଇ, ଜୋକର ପୋଷାକ ପିନ୍ଧି ହାତରେ ମେଞ୍ଚାମେଞ୍ଚା ବେଲୁନ ଆଉ ଗୋଟେ ବ୍ୟାଗରେ ଭଳିକିଭଳି ଗିଫ୍ଟ ଆହୁରି ଅନେକ ଜିନିଷ ଧରି ପ୍ରତି ରବିବାର ପହଞ୍ଚିଯାଏ ଏହି ଜୋକର, ନିଜ କୁନିକୁନି ସାଙ୍ଗମାନଙ୍କୁ ହସିହସେଇବା ପାଇଁ । ଏଇ ଜୋକର ଦୀର୍ଘ ୩ ବର୍ଷ ହେଲାଣି ଏମିତି ଏହି କଲୋନୀକୁ ଆସେ, ଗୋଟେ ରବିବାର ନ ଆସିଲେ ଏହି ପିଲାମାନଙ୍କ କାନ୍ଦ ଦେଖିବ । କିଏ ସ୍କୁଲ ଯାଏନି, କିଏ ଖାଏନି, ହଁ…. କି କିମିଆ କରିଦେଇଛି କେଜାଣି ଏହି ଜୋକର । ରବିବାର ଠିକ ସକାଳୁ ସକାଳୁ ପହଞ୍ଚିଯାଏ ଏହି କଲୋନୀରେ, ସକାଳୁ ସଞ୍ଜଯାଏ ରହେ, ଲମ୍ବା ଆଉ ପତଳା ଚେହେରା ସାଙ୍ଗକୁ ସେ ଜୋକର ଡ୍ରେସରେ ସେ ଭାରି ଭଲଲାଗେ । ତାପରେ କଲୋନୀଯାକର ପିଲାସବୁ ତା ପାଖରେ, ସମସ୍ତଙ୍କୁ ଭାରି ଭଲ ପାଏ ଜୋକର, ତେଣୁ ପିଲାମାନେ ବି ତାକୁ ଭାରି ଭଲ ପାନ୍ତି’, ସତେ ଯେମିତି ସେ ତାଙ୍କ ବେଷ୍ଟ ଫ୍ରେଣ୍ଡ ପାଲଟି ଯାଇଛି ।

ଜୋକର ଖାଇବ କହି କିଏ ଘରୁ ତା ପାଇଁ ମିଠା, କିଏ ପିଠା, ପୁଣି ଖିରି ଏମିତି ସବୁ ଆଣିକି ଦିଅନ୍ତି । ତାପରେ ଜୋକର ବି ପିଲାଙ୍କୁ ହସାଇହସାଇ ବେଦମ କରିଦିଏ, ତା ସାଙ୍ଗକୁ ଭଳିକି ଭଳି ଶିକ୍ଷଣୀୟ ବିଷୟକୁ ଗପ ବନେଇ କୁହେ, ପିଲାମାନେ ମନଧ୍ୟାନ ଦେଇ ଶୁଣନ୍ତି । ସେ ଖାଲି ହସାଏନି ତା ସହିତ ପିଲାଙ୍କୁ ଖେଳ ଖେଳରେ ପାଠ ପଢ଼ାଏ, ନାଚଗୀତ, ଡ୍ରଇଂ ବି ଶିଖାଏ । ବିଭିନ୍ନ ବହି ଆଣେ ଆଉ ଗୋଟେ ଲାଇବ୍ରେରୀ ପରି ପିଲାଙ୍କୁ ଦିଏ ପଢିବାକୁ । ଶେଷରେ ସବୁ ପିଲାଙ୍କୁ ଛୋଟ ଛୋଟ ଗିଫ୍ଟ ଦିଏ, କାହାକୁ କଲମ, କାହାକୁ କଣ୍ଢେଇ ଆଉ ପିଲାମାନଙ୍କ ଆଗରେ ବ୍ୟାଗ ଥୋଇଦିଏ, ଜଣଜଣ କରି ଡାକେ ଆଉ କୁହେ, ଆଖି ବନ୍ଦକରି ଗୋଟେ ଉଠେଇବାକୁ ଆଉ ଯାହା ଭାଗରେ ଯାହା ଉଠେ ନେଇକି ଖୁସିରେ ଘରକୁ ଯା’ନ୍ତି । କଲୋନୀ ଲୋକ ବି ବେଶ ଖୁସି ଯେ, ଯାହେଉ ମନୋରଞ୍ଜନ ସାଙ୍ଗକୁ ପିଲାମାନେ କିଛି ଶିଖୁଛନ୍ତି, ସେଥିପାଇଁ ସେ ଜୋକରକୁ ଲୋକ ଭାରି ଭଲପାନ୍ତି, ଅଖପାଖ ଜାଗାରୁ ବି ଲୋକମାନେ ତାଙ୍କ ପିଲାଙ୍କୁ ଆଣିକି ଆସନ୍ତି । ସମସ୍ତେ ତାକୁ କୁହନ୍ତି “ଆମ କଲୋନୀକୁ ଟିକେ ଚାଲ”, ହେଲେ ତାକୁ ଏଇ ଜାଗା ସୁହାଇଯାଇଛି, ସିଏ ଏଠୁ ଛାଡି କୁଆଡେ ଯାଏନି । ହେଲେ ଏହି ଜୋକର ମୁହଁ ଆଜିଯାଏ କେହି ଦେଖିନାହାନ୍ତି, କଥା କହିଲାବେଳେ ବି ସେ ଭଳିକିଭଳି ସ୍ୱରରେ କଥାହୁଏ ପିଲାମାନଙ୍କୁ ହସେଇବାକୁ । ହେଲେ ତା ଆଖିତଳର ଲୁହ, ତା ମନର କୋହ ଆଜିଯାଏ କେହି ଦେଖିନାହାନ୍ତି ।

ଏଇ ଜୋକର, ସେଦିନର ସେହି ରୂପା ତା ହସଖୁସିର ଦୁନିଆରେ ମସଗୁଲ ଥିଲା । ଘରେ ବାପାମା’, ଭାଇଭଉଣୀ । ବଡଭାଇ ବିବାହ କରିଥିଲେ ଆଉ ଘରେ ତାଙ୍କ ଭାଉଜ ବି ରୁହନ୍ତି, ବଡ ଭାଇଙ୍କ ତଳେ ରୂପା ଆଉ ରୂପା ତଳେ ଗୋଟେ ସାନଭଉଣୀ ସିଫା । ରୂପା ଏମ.ଏ ପାସ କରିସାରି ଗୋଟେ କମ୍ପାନୀରେ କାମକରୁଥିଲା, ବଡଭାଇ ବି ଗୋଟେ କଲେଜରେ ଅଧ୍ୟକ୍ଷଭାବେ କାର୍ଯ୍ୟରତ, ସାନଭଉଣୀ କଲେଜରେ ପଢୁଛି । ରୂପା ଘରେ ଭାରି ଅଲିଅଳି, ସମସ୍ତେ ତାକୁ ଭାରି ଭଲପାନ୍ତି । ସରକାରୀ ଚାକିରୀ ପାଇଁ ସେ ନିଜକୁ ପ୍ରସ୍ତୁତ ବି କରୁଥିଲା, ତା ସାଙ୍ଗକୁ ଚାକିରୀ ବି କରିଥିଲା । ରୂପା ଦେଖିବାକୁ ଭାରି ସୁନ୍ଦରୀ, ବୁଦ୍ଧିରେ ବି କିଛି କମ ନୁହେଁ । ତା’ପାଇଁ ବହୁତ ଭଲଭଲ ବାହାଘର ପ୍ରସ୍ତାବ ଆସେ । ହେଲେ ରୂପା କିନ୍ତୁ ଭଲପାଏ ତା ପିଲାଦିନ ସାଙ୍ଗ ନୀଲେଶକୁ । ନୀଲେଶ ଆଉ ରୂପା ଦୁହେଁ କ୍ଳାସମେଟ, ନୀଲେଶ ଏମ.ବି.ଏ କରି ବାଙ୍ଗଲୋରରେ ଗୋଟେ କମ୍ପାନୀରେ ଚାକିରୀ କରିଛି, ଦୁହେଁଦୁହିଁଙ୍କୁ ଭାରି ଭଲ ପା’ନ୍ତି ।

ଘରଲୋକ ବି ଏହି କଥା ଜାଣିସାରିଥିଲେ ଆଉ ଏହି ପ୍ରସ୍ତାବରେ ରାଜିଥିଲେ, କାରଣ ନୀଲେଶ ବି ରୂପରେ ଗୁଣରେ କିଛି କମନୁହେଁ । ସେଥିପାଇଁ ସେମାନେ ବି ଶୀଘ୍ର ବାହାଘର କରିଦେବାକୁ ଚାହୁଁଥିଲେ । ରୂପା ସବୁଦିନ ୯ଟାରେ ଅଫିସ ଯାଏ, କେତେବେଳେ ଅଟୋ, କେତେବେଳେ ଟାଉନବସ, ଘରପାଖରୁ ଅଫିସ ପ୍ରାୟ ୧୫ କିଲୋମିଟର ହେବ । ସେଦିନ ଅଫିସ କାମ ସରିଲାବେଳକୁ ଲେଟ ହେଇଯାଇଥାଏ, ସନ୍ଧ୍ୟା ହେଇଗଲାଣି ପୁରା । ରୂପା ଆସି ଟାଉନ ବସକୁ ଅପେକ୍ଷା କରି ଠିଆହେଇଥାଏ । ଅଫିସରୁ କିଛି ବାଟ ଆସିଲାପରେ ବସ ଷ୍ଟପେଜ, ଟିକେ ନିଛାଟିଆ ଜାଗା, ବସ ଆସିବା ବି ଡେରି ହେଇଗଲା । ରୂପା ସେମିତି ଠିଆ ହେଇଥାଏ । ହଟାତ କିଛି ଲୋକ ରୂପା ପିଛା କରୁଥିଲେ, ସେଥିପାଇଁ ତାକୁ ଟିକେ ଡରଲାଗିଲା, ମନରେ ସାହସ ବାନ୍ଧି ସେ ଆଗକୁ ଟିକେ ଚାଲୁଥାଏ । ହେଲେ ହଟାତ ସେମାନେ ଆଖିପିଛୁଳାକେ ରୂପାକୁ କିଛି ଗୋଟେ ଶୁଂଘେଇଦେଲେ, ଆଉ ତାପରେ ଗାଡ଼ିରେ ପୁରେଇ ରୂପାକୁ ନେଇଗଲେ । କିଛିବାଟ ଗଲାପରେ ଗୋଟେ ଜଙ୍ଗଲିଆ ନିରୋଳା ରାସ୍ତା । ସେଠି ଗୋଟେ ଢ଼ାବା, ହେଲେ ସେତେବେଳେ ସେ ଢ଼ାବା ବନ୍ଦରୁହେ ପ୍ରାୟ । ସେମାନେ ରୂପାକୁ ସେଠିକି ନେଇଗଲେ ଆଉ ତାପରେ ଜଣକ ପରେ ଜଣେ ରୂପାକୁ ମାଡିବସି ତା ଇଜ୍ଜତ ଲୁଟିନେଲେ । ରୂପାକୁ ସେ କିଛି ଗୋଟେ ନିଶା ଜିନିଷ ଶୁଂଘେଇଦେଲାପରେ ସେ ନିସ୍ତେଜ ହେଇଯାଇଥିଲା, ଏକା ଝିଅକୁ ୫ଟା ଗୁଣ୍ଡା, ସେମାନେ ମଦପିଇ ରାକ୍ଷସ ପାଲଟି ଯାଇଥିଲେ ଆଉ ରୂପାକୁ ଧର୍ଷଣ କରିଚାଲିଥଲେ । ତା’ସହ ସେମାନେ ରୂପା ଦେହହାତ କ୍ଷତାକ୍ତ କରିଦେଇଥିଲେ ତାକୁ ମାରିମାରି । ରୂପା ଘରେ ସମସ୍ତେ ଚିନ୍ତିତ, ଏଯାଏଁ ଘରେ ପହଁଚିନି ଝିଅ ତାଙ୍କର । ସେତେବେଳକୁ ରାତି ୯ଟା ବାଜିଲାଣି । ହେଲେ ଏପଟେ ରୂପା ସେମିତି ରକ୍ତାତ ଅବସ୍ଥାରେ ପଡିରହିଥାଏ । କିଛି ସମୟପରେ ସେଇବାଟ ଦେଇ କିଛି ଲୋକ ଯାଇଛନ୍ତି ଆଉ ସେମାନେ ହିଁ ପୋଲିସକୁ ଖବର ଦେଲେ ପ୍ରଥମେ । ତା ପରେ କଥା ପୁରା ସହରସାରା ପ୍ରଚାର ହେଇଗଲା, ପୋଲିସ ଆସି ପହଞ୍ଚିଗଲେ । ଏହି ଖବର ଶୁଣି ରୂପା ଘରେ କାନ୍ଦବୋବାଳି ପଡିଗଲା । ତାପରେ ପୋଲିସ ତା କାମ ଆରମ୍ଭକଲା । ରୂପାକୁ ହସ୍ପିଟାଲରେ ଆଡମିଟ କରାଗଲା, ସମସ୍ତ ଡାକ୍ତରୀମାଇନା ଆଉ ଚିକିତ୍ସା ପରେ ରୂପାର ସେନ୍ସ ଆସିଲା । ତା’ପରେ ପୋଲିସର ସବୁ ତଦାରଖ ଚାଲିଥାଏ, ମିଡିଆବାଲା ଆସି ପହଞ୍ଚି ଭଳିକି ଭଳି ନିଉଜ଼ ପ୍ରଚାର ହେବାର ଲାଗିଲା ।

ହେଲେ ରୂପା ଗୋଟେ ଛୋଟପିଲାପରି କାନ୍ଦୁଥାଏ ଜୋରସେ । ତାପରେ ଲୋକଙ୍କ ଅସଲି ରୂପ ସବୁ ସାମନାକୁ ଆସିଗଲା । ଅତି ନିଜର କହୁଥିବା ସାଙ୍ଗସାଥି, ବନ୍ଧୁବାନ୍ଧବ, ଅଫିସ ଲୋକ, ପାଖ ପଡୋଶୀ କେହି ହେଲେବି ଆସିଲେନି, ଯେହେତୁ ରୂପା ଧର୍ଷିତା । ସତେ ଯେମିତ ତାରକିଛି ଭୁଲ ରହିଯାଇଛି, ଆସିଲେ ତାଙ୍କ ମାନସମ୍ମାନ ରେ ଆଞ୍ଚ ଆସିବ । ତା’ସାଙ୍ଗକୁ ପାଖପଡ଼ୋଶୀ ଆଉ ବନ୍ଧୁବାନ୍ଧବଙ୍କ ଟାହିଟାପରି ଆରମ୍ଭ ହେଇଗଲା । ସେମାନେ ରୂପା ପରିବାରକୁ ଆକ୍ଷେପ କରି ବହୁତ କଥା କହିଚାଲିଲେ । କେହି କେବେ ଭାବିନଥିଲେ ରୂପାର ମାନସିକ ସ୍ଥିତି କଣ, ହେଲେ ଥଟ୍ଟାପରିହାସ କରିବାକୁ ଲୋକେ ପଛାଉନଥିଲେ । ରୂପା ତାପରେ ଆଉ ଅଫିସକୁ ଗଲାନି, ଘରେ କାନ୍ଦିକାନ୍ଦି ପଡ଼ିରହିଲା, ଖାଇବାପିଇବା ବି ଛାଡିଦେଲା । ପାଖ ପଡ଼ୋଶିଲୋକ ରୂପା ଘରଲୋକଙ୍କୁ ଅନେକ କଥା କହିଲେ, ତା ବାପାମା’ଙ୍କୁ ଲୋକେ ସେ କଲୋନୀ ଛାଡି ଚାଲିଯିବାକୁ ବି କହିଲେ । ଏସବୁ ଭିତରେ ରୂପା ସାଙ୍ଗସାଥି, ଅଫିସ ଲୋକ ବା ନିଜ ପ୍ରିୟାର ମଣିଷ ନୀଲେଶ କେହିବି ଟିକେ ତାକୁ ସମ୍ପର୍କ କରିବାକୁ ଚେଷ୍ଠା କରିନଥିଲେ । ନୀଲେଶ ଅନ୍ତତଃ ଥରେ ଫୋନକରି କଥା ହେଇପାରିଥାନ୍ତା, ଯାହାକୁ ସେ ଛୋଟଦିନରୁ ଜାଣିଛି, ଯାହାକୁ ସେ ଏତେ ଭଲପାଉଥିଲା ସେ ମଣିଷ ଟିକେ ଫୋନ କରିବାକୁ ବି ଉଚିତ ମନେ କଲାନି । ସେପଟେ ରୂପା ବାପାମା’ ବି କାନ୍ଦିକାନ୍ଦି ଆଉ କାହାକୁ ମୁହଁ ଦେଖାଇପାରୁନଥିଲେ, ଚିନ୍ତିତ ହୋଇ ଅସୁସ୍ଥ ହେଇପଡ଼ିଲେ । ନୀଲେଶ ଥରେ ଫୋନ କରିଥିଲେ ହୁଏତ ରୂପା ମନଭରି ଟିକେ ସେଦିନ ତା ସହିତ କଥା ଦିପଦ ହେଇଥାନ୍ତା, ହେଲେ ସେ କଣ ଏତେ ସ୍ୱାର୍ଥପର ଯେ ନୀଲେଶକୁ କହିଥାନ୍ତା ତାକୁ ବାହାହେବାକୁ ଏସବୁ ପରେବି । ନା, କେବେ ନୁହେଁ, ବରଂ ଟିକେ ନିଜ ମନର ମଣିଷ ସହ ଦିପଦ କଥା ହେଇଥିଲେ ତାକୁ ଭଲ ଲାଗିଥାନ୍ତା । ଯିଏ ଦିନେ ତା ରାତି, ଦିନ, ହସ, ଲୁହ ସବୁକିଛି ଥିଲା ସେ ମଣିଷ ବି ଏମିତି ବଦଳିଯିବ ବୋଲି ରୂପା ଭାବିନାଥିଲା । କଇଁକଇଁ ହେଇ ଛୋଟ ପିଲାଭଳି କାନ୍ଦୁଥାଏ ।

ହେଲେ ସେଦିନ ସେ ବୁଝିଗଲା ଏଇ ମଣିଷ କେତେ ସ୍ୱାର୍ଥପର, ସମସ୍ତେ ସୁଖର ବନ୍ଧୁ ହେଲେ ଦୁଃଖରେ କେହି ନ’ଥାନ୍ତି ସାଙ୍ଗରେ । ସେପଟେ ତା ପାଇଁ ତା ପରିବାର ଲୋକଙ୍କୁ ବି ଇୟାଡୁସିଆଡ଼ୁ ଅନେକ କଥା ସହିବାକୁ ପଡୁଛି । ସେଦିନ ସେ ତା ବାପାମା’ ଆଉ ପରିବାର ଲୋକଙ୍କୁ ଏମିତି ଦୁଃଖରେ ଦେଖି, ଭାବିଥିଲା ସବୁଦିନ ପାଇଁ ତାଙ୍କଠାରୁ ଦୁରକୁ ଚାଲିଯିବ ଆଉ ସେମାନଙ୍କ ଉପରେ ବୋଝହେବନି କି ତା ପାଇଁ ତା ପରିବାର ଲୋକଙ୍କୁ ଖରାପ କଥା ଶୁଣିବାକୁ ପଡ଼ିବନି । ଦିନେ ପାହାନ୍ତାପହରୁ ସେ ଘର ଛାଡି ଚାଲିଗଲା ଆଉ ସେବେଠାରୁ ସେ ଏହି ଜୋକର ପାଲଟିଯାଇଛି । ଘର ଛାଡି ଗଲାପରେ ସେ ଗୋଟେ ବସ୍ତିରେ ପହଁଚିଥିଲା ତା ଘରପାଖରୁ ୬୦ କିଲୋମିଟର ଦୂର ଗଲାପରେ ସେ ବସ୍ତି । ସେଠି ପିଲାମାନଙ୍କୁ ଟ୍ୟୁସନ କରିବ କହି ନିଜ ପାଇଁ ଗୋଟେ ଘର ଯୋଗାଡ଼ କରିଥିଲା, ସେଠି କିଛି ଦିନ ରହିଲା ପରେ, ଘରମାଲିକ ତା ଏକୁଟିଆପଣର ଫାଇଦା ଉଠେଇବାକୁ ଚେଷ୍ଠା କଲେ । ଦୁର୍ଭାଗ୍ୟ ଆଉ ଦୁର୍ଦ୍ଧିନ କେତେବେଳେ ଅଚାନକ ଝଡ ପରି ଆସିଯାଏ । ବାଧ୍ୟହେଇ ୩ ମାସ ରହିଲାପରେ ସେ ଜାଗା ଛାଡିଲା । ଏମିତି ଚାଲିଚାଲି ଯାଇ ଗୋଟେ ଗାଁରେ ପହଞ୍ଚିଲା, ସେଠି ଜଣେ ସ୍ତ୍ରୀଲୋକ ତାର ଦେଖା ହେଲେ, ରୂପା ତାଙ୍କୁ ଦେଖି କହିଲା ସେ ରହିବାକୁ ଗୋଟେ ଘର ଖୋଜୁଛି ଆଉ ସେଠି ସେ ଟ୍ୟୁସନ ପଢେଇବ ଆଉ ରହିବ । ତାପରେ ସେ ଗାଁରେ ପହଞ୍ଚି ପିଲାମାନଙ୍କୁ କିଛିଦିନ ମାଗଣାରେ ପଢ଼େଇଥିଲା, ହେଲେ ତା ପାଠପଢା ଏତେ ଭଲଦେଖି ଗାଁ ଲୋକମାନେ ତାକୁ ଗୋଟେ ଘର ଯୋଗାଡ଼ କରିଦେଇଥିଲେ । ସେ ପିଲାମାନଙ୍କୁ ପଢ଼ାଏ ।

ଜାନୁଆରୀ ୧୦, ୨୦୧୪ ମସିହା ସେଦିନ କଥା ମନେପଡିଗଲେ ରୂପା ପାଗଳ ପାରିହେଇଯାଏ,ନିଜ ମୁହଁକୁ ଆଇନାରେ ବି ଦେଖିପାରେନି, କାନ୍ଦେ, ଚିଲାଏ । ସେଠି ପାଖାପଖି ୧ ବର୍ଷ ରହିଲାପରେ ସେ ଗୋଟେ କମ୍ପାନୀରେ ଚାକିରୀ ପାଇଲା, ଦରମା ଥିଲା ମାସକୁ ୮୦୦୦ ଟଙ୍କା ତେଣୁ ସେ ଭାବିଲା ଚାକିରୀ କରିବ ଆଉ ବଳକା ସମୟରେ ସେ ପିଲାମାନଙ୍କୁ ପଢେଇବ । ସେଥିପାଇଁ ସେ ଅଫିସ ପାଖକୁ ଗୋଟେ ଭଡାଘର ନେଇ ସିଫ୍ଟ ହେଇଗଲା, ସେଠି ରହିଲା ଆଉ ପିଲାଙ୍କୁ ଟ୍ୟୁସନ କରିବାକୁ ୩ କିଲୋମିଟର ଯିବା ଆସିବା କରିବାକୁ ପଡେ । ନିଜ ଅସଜଡ଼ା ଜୀବନକୁ ଯେତେ ସଜାଡ଼ିବାକୁ ଚେଷ୍ଠା କଲେବି ରୂପା ସେଦିନ କଥା କେବେ ଭୁଲିପାରେନି । ସଂସାର ତାର ଉଜୁଡିଗଲା, ତା ପ୍ରିୟର ମଣିଷମାନଙ୍କ ପାଇଁ ସେ ଆଜି ଅଖୋଜା, ଅଲୋଡ଼ା । ଗୋଟେ ଧର୍ଷିତା, ନିସ୍ପେସିତା ନାରୀ ପାଇଁ ସମାଜରେ କୌଣସି ଜାଗାନାହିଁ ସତରେ, ଆଇନାରେ ନିଜ ମୁହଁକୁ ଦେଖି ଘୃଣାକରେ ନିଜେ ନିଜକୁ, ଇଚ୍ଛାହୁଏ ସେ ମୁହଁକୁ ଲୁଚେଇ ଦେବାକୁ । ସେତେବେଳେ ସେ ପାଗଳପରି ହେଇଯାଏ ଆଉ ନିଜକୁ ଜୋକର ବନେଇଦିଏ ସେ ଜୋକର ଡ୍ରେସ ପିନ୍ଧି ଆଉ ଚାଲିଯାଏ ସେଇ କଲୋନୀକୁ ଯେଉଁଠି ତା ପରିବାର, ନୀଲେଶ ପରିବାର ଆଉ ତାର ସବୁ ସ୍ମୃତି ରହିଛି । ବାପାମା’ଙ୍କୁ ଦେଖିବା ପାଇଁ ଇଏ ଗୋଟେ ବାହାନା । ଆସି ପହଞ୍ଚିଯାଏ କଲୋନୀରେ, ପିଲାମାନଙ୍କୁ ସାଙ୍ଗପରି କଥା ହେଇ ସମସ୍ତଙ୍କ କଥା ପଚାରି ବୁଝିନିଏ । ତାପରେ ଖାଇବା ଆଉ ପଇସା ମାଗିବା ବାହାନାରେ ଘରଘର ବୁଲି ଆସେ, ଆଉ ନିଜ ଘରକବାଟ ପାଖରେ ପହଞ୍ଚିଯାଏ, ସାଙ୍ଗରେ ୧୫/୨୦ ପିଲା ଥାନ୍ତି, ଖାଇବା ମାଗେ ଆଉ ସେଇ ବାହାନାରେ ନିଜ ବାପାମା’ଙ୍କୁ ଟିକେ ଦେଖିଦିଏ, ଆଉ କିଛି କ୍ଷଣ ସେଠି ବସେ ଆଉ ସ୍ୱର ପରିବର୍ତ୍ତନ କରି କଥା ହୁଏ । ସେପଟେ ଜୋକର ଡ୍ରେସରେ ଶରୀର ଆବୃତ୍ତ, କେହି ଜାଣିବାର ପ୍ରଶ୍ନ ନାହିଁ । ତାପରେ ଫେରିଆସେ । ଯେତେବେଳେ ପୁରୁଣା କଥା ତାର ମନେପଡେ ସେ ଜୋକର ପାଲଟିଯାଏ ଆଉ ନିଜ ଦୁଃଖକୁ କିଛି ସମୟ ପାଇଁ ଭୁଲିଯାଏ । ପିଲାମାନଙ୍କୁ ହସେଇହସେଇ କିଛି ସମୟ ନିଜ କଷ୍ଟ ଭୁଲିଯାଏ ଆଉ ଜୋକର ବନି ନିଜ ବାପାମାଙ୍କୁ ବି ସେଇ ବାହାନାରେ ଦେଖିଦେଇ ଆସେ ।

ସେଇ ବାହାନାରେ ନୀଲେଶ କଥା ବି ଜାଣିହେଇଯାଏ, କାରଣ ନୀଲେଶର ବଡ଼ ଭାଇଙ୍କ ପୁଅ ବି ଆସେ ସେଠିକି ଖେଳିବାକୁ । ଏହି କିଛିଦିନ ହେବ ସେ ଜୋକର ପାଇଁ ମିଠା ନେଇକି ଯାଇଥିଲା ଆଉ କହିଲା “ମୋ ଦାଦାଙ୍କ ବାହାଘର ହେଇଥିଲା ଆଉ ଘରେ ବହୁତ ମିଠା ଥିଲା, ମୁଁ ମମିଙ୍କୁ କହି ତୁମ ପାଇଁ ଏହି ମିଠା ଆଣିଛି” । ସେଦିନ ସେ ଜାଣିଥିଲା ଯେ ନୀଲେଶ ବାହାହେଇଯାଇଛି, ଆଉ ଛୋଟୁ, ମାନେ ନୀଲେଶର ପୁତୁରା କହୁଥିଲା ଯେ ନୂଆଖୁଡି ଆସିଛନ୍ତି ମୋର । ଆଉ ଦାଦାଖୁଡି ଦୁଇଜଣ ବୁଲିବାକୁ ଯାଇଛନ୍ତି ବାହାରକୁ । ତା ଆଖିରୁ ଧାରଧାର ହେଇ ଲୁହ ଗଡିପଡିଲା, ହେଲେ ସେ ବା ଜୋକର, ତାକୁ ହସିବାକୁ ପଡିବ ଆଉ ଜୋକରବନି ନିଜ ସେ ଅଭାଗା, ଅମଙ୍ଗଳିଆ ମୁହଁକୁ ଅନ୍ତତଃ କିଛି ସମୟ ପାଇଁ ଲୁଚେଇ ଦେଇପାରିବ । ହେଲେ କାହାକୁ ବା ଜଣ। ଏହି ଜୋକର ମନ ଭିତରେ ଥିବା ଦୁଃଖକୁ, କିଏ ବା ଅଛି ତା ଦୁଃଖ ବୁଝିବାକୁ । ଆଜି ସେ ଏକାଏକା, ତାର ଟିକେ ସ୍ନେହ ମମତା ଦରକାର, ସେଥିପାଇଁ ବୋଧେ ସେ ଜୋକର ବନି ଲୁଚିଲୁଚି ଆସେ ଏଠିକି ଟିକେ ସ୍ନେହ ସାଉଁଟିବାକୁ ।

ଲୋକପ୍ରିୟ ଲେଖା

To Top