ପ୍ରବନ୍ଧ

ମକର ସଂକ୍ରାନ୍ତି

ସୂର୍ଯ୍ୟ ମକରରୁ କର୍କଟ କ୍ରାନ୍ତିକୁ ଗତି କରିବାକୁ ୬ମାସ ସମୟ ନିଅନ୍ତି ଓ ଏହାକୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କୁହାଯାଏ ।

ମକର ସଂକ୍ରାନ୍ତି

ମାଘ ମାସର ସଂକ୍ରାନ୍ତିଟି ମକର ସଂକ୍ରାନ୍ତି ନାମରେ ପରିଗଣିତ । ଏହା ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ପ୍ରାରମ୍ଭ ଦିବସ । ପୃଥିବୀକୁ ସମାନ ଦୁଇ ଭାଗରେ ଯେଉଁ ରେଖାଟି ବିଭକ୍ତ କରେ ତାହା ବିଷୁଭ ରେଖା । ଏହାର ଦକ୍ଷିଣର ୨୩.୫ ଡିଗ୍ରୀରେ ମକର କ୍ରାନ୍ତି ଓ ଉତ୍ତରର ୨୩.୫ ଡିଗ୍ରୀରେ କର୍କଟ କ୍ରାନ୍ତି । ସୂର୍ଯ୍ୟ କର୍କଟରୁ ମକର କ୍ରାନ୍ତିକୁ ଯିବାଲାଗି ୬ମାସ ନିଅନ୍ତି ଓ ସୂର୍ଯ୍ୟଙ୍କର ଏହି ଗତିକୁ ଦକ୍ଷିଣାୟନ ଗତି କୁହାଯାଏ । ଠିକ୍ ସେହି ପରି ସୂର୍ଯ୍ୟ ମକରରୁ କର୍କଟ କ୍ରାନ୍ତିକୁ ଗତି କରିବାକୁ ୬ମାସ ସମୟ ନିଅନ୍ତି ଓ ଏହାକୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କୁହାଯାଏ । ଏହି ଦିବସଟି ଆମ ସଂସ୍କୃତିରେ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ । ମକର ସଂକ୍ରାନ୍ତିରେ ସୁପ୍ତଥିବା ଦେବଦେବୀଗଣ ଜାଗ୍ରତ ଅବସ୍ଥାକୁ ଆସନ୍ତି । ପୂଜା, ଅର୍ଚ୍ଚନା, ହୋମ, ଯଜ୍ଞ ଇତ୍ୟାଦି ଶୁଭାଦି କର୍ମ କରିବାର ଉତ୍ତମ ମୂହୂର୍ତ୍ତ । ରାତି ଚାରିଘଟିକା ଠାରୁ ସବୁ ଦେବଦେବୀଙ୍କୁ ପୂଜା, ଅର୍ଚ୍ଚନା, ଆଳତୀ କରାଯାଏ । ମକର ସଂକ୍ରାନ୍ତି ପ୍ରତ୍ୟେକ ଦେବଦେବୀ ମନ୍ଦୀରରେ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ଏହିଦିନ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ମକର ଚାଉଳ ଘରେ ପୂଜା ପାଉଥିବା ଦେବ ଦେବୀଙ୍କୁ ଲାଗି କରାଯାଏ ।

ମକରଚାଉଳ ଲାଗି ଆବଶ୍ୟକ ଦ୍ରବ୍ୟ –

ମୁଠାଏ ଅରୁଆ ଚାଉଳ, ଚାରୋଟି ପାଚିଲା ପାଟକପୁରା କଦଳୀ, ଫାଳେ ନଡ଼ିଆ, ଆବଶ୍ୟକ ଅନୁସାରେ ଗୁଡ଼/ଚିନି, ୭ଟି ଗୋଲମରିଚ, ଦୁଇଟି ଗୁଜୁରାତି ।

ପ୍ରସ୍ତୁତି ପ୍ରଣାଳୀ –

ଅରୁଆ ଚାଉଳକୁ ଭଲ ଭାବରେ ଧୋଇ ଦରବଟା କରିଦିଅନ୍ତୁ, ଚିକ୍କଣ କରି ବାଟିବେ ନାହିଁ । ନଡ଼ିଆ ଫାଳେ କୋରିଦିଅନ୍ତୁ, ଗୋଲମରିଚ ଓ ଗୁଜୁରାତିକୁ ଭଲଭାବେ ଗୁଣ୍ଡ କରି ଦିଅନ୍ତୁ । ଏଥର ଗୋଟିଏ ବଡ଼ ପାତ୍ରରେ ବଟା ଅରୁଆ ଚାଉଳ, ଚାରୋଟି କଦଳୀ, କୋରା ନଡ଼ିଆ, ଗୋଲମରିଚ ଏବଂ ଗୁଜୁରାତି ଗୁଣ୍ଡ, ଆବଶ୍ୟକ ଅନୁସାରେ ଗୁଡ଼/ଚିନି ପକାଇ ଚକଟି ଦିଅନ୍ତୁ । ଆପଣଙ୍କ ମକରଚାଉଳ ପ୍ରସ୍ତୁତ ହୋଇଗଲା । ଭୋଗକରି ସମସ୍ତଙ୍କୁ ଖୁଆନ୍ତୁ ଓ ନିଜେ ଖାଆନ୍ତୁ ।

ଲୋକପ୍ରିୟ ଲେଖା

To Top