କାର୍ତ୍ତିକ ଏକ ପୂଣ୍ୟ ମାସ କି?

ଯେଉଁକାଳ ଅଶୁଦ୍ଧ, ଏଥିରେ ସାମନ୍ୟତମ ଭୁଲ୍ ମଧ୍ୟ କଠିଣ ଦଣ୍ଡ ପ୍ରଦାନ କାରୀ । ତେଣୁ ଏହି ସମୟରେ ନାନା ଦେବ ଦେବୀ ପୂଜା, ଜପ, ତପ, ହୋମ, ଓଷା, ବ୍ରତ ଓ ସଂକୀର୍ତ୍ତନ ଆଦି କରାଯାଏ ।

କାର୍ତ୍ତିକ ଏକ ପୂଣ୍ୟ ମାସ କି?

“ଧୂମୋରାତ୍ରିସ୍ତଥା କୃଷ୍ଣଃଷଣ୍ମାସା ଦକ୍ଷିଣାୟନମ୍ ।
ତତ୍ର ଚାନ୍ଦ୍ରମସଂ ଜ୍ୟୋତିର୍ଯୋଗୀ ପାପ୍ୟ ନିବର୍ତତେ ।। ଗୀତା ୮/୨୫

ଯେଉଁ ମାର୍ଗରେ ଧୂମର ଅଧିପତି ଦେବତା, ରାତ୍ରିର ଅଧିପତି ଦେବତା, କୃଷ୍ଣ ପକ୍ଷର ଅଧିପତି ଦେବତା ଓ ଛଅମାସ ବିଶିଷ୍ଟ ଦକ୍ଷିଣାୟନର ଅଧିପତି ଦେବତା ଥାଆନ୍ତି, ସେହି ମାର୍ଗରେ ଶରୀର ତ୍ୟାଗ କରିଥିବା ଯୋଗୀ (ସକାମୀ ମନୁଷ୍ୟ) ଚନ୍ଦ୍ର ଜ୍ୟୋତି ପ୍ରାପ୍ତ ହୋଇ ଜନ୍ମମରଣ ପାଶକୁ ଫେରିଆସେ ।

“ଅଗ୍ନିର୍ଜ୍ୟୋତିରହଃ ଶୁକ୍ଳଃ ଷଣ୍ମାସା ଉତ୍ତରାୟଣମ୍ ।
ତତ୍ର ପ୍ରୟାତା ଗଚ୍ଛନ୍ତି ବ୍ରହ୍ମ ବ୍ରହ୍ମବିଦୋ ଜନାଃ ।। ଗୀତା ୮/୨୪

ଯେଉଁ ମାର୍ଗରେ ଜ୍ୟୋତିସ୍ୱରୂପ ଅଗ୍ନିର ଅଧିପତି ଦେବତା, ଦିନର ଅଧିପତି ଦେବତା, ଶୁକ୍ଳ ପକ୍ଷର ଅଧିପତି ଦେବତା ଓ ଛଅମାସ ବିଶିଷ୍ଟ ଉତ୍ତରାୟଣର ଅଧିପତି ଦେବତା ଥାଆନ୍ତି, ସେହି ମାର୍ଗରେ ଶରୀର ତ୍ୟାଗ କରି ଯାଉଥିବା ବ୍ରହ୍ମବେତା ପୁରୁଷ (ନିଷ୍କାମ ମନୁଷ୍ୟ) ବ୍ରହ୍ମକୁ ପ୍ରାପ୍ତ କରନ୍ତି ।

ଦକ୍ଷିଣାୟନ ସୌର କର୍କଟ ମାସଠାରୁ ଧନୁ ମାସ ପର୍ଯ୍ୟନ୍ତ । ଯାହା ଚାନ୍ଦ୍ର ମାସର ଶ୍ରାବଣଠାରୁ ପୌଷ ମାସ ପର୍ଯ୍ୟନ୍ତ । ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ହରିଶୟନ ଏକାଦଶୀଠାରୁ ଅଶୁଦ୍ଧକାଳ ଆରମ୍ଭ । ଏହି ଅଶୁଦ୍ଧକାଳ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ପର୍ଯ୍ୟନ୍ତ । ଏହି ଏକାଦଶୀ ଦେବ ଉତ୍ଥାପନା ଏକାଦଶୀ ।

ଯେଉଁକାଳ ଅଶୁଦ୍ଧ, ଏଥିରେ ସାମନ୍ୟତମ ଭୁଲ୍ ମଧ୍ୟ କଠିଣ ଦଣ୍ଡ ପ୍ରଦାନ କାରୀ । ତେଣୁ ଏହି ସମୟରେ ନାନା ଦେବ ଦେବୀ ପୂଜା, ଜପ, ତପ, ହୋମ, ଓଷା, ବ୍ରତ ଓ ସଂକୀର୍ତ୍ତନ ଆଦି କରାଯାଏ । ପରନିନ୍ଦା, ନାନା ଦ୍ୱନ୍ଦ ଓ ଦ୍ୱେଷ ଆଦିରୁ ଦୂରରେ ରହିବାର ଏହା ଏକ ଅମୋଘ ଅସ୍ତ୍ର । ଅଶୁଦ୍ଧକାଳ ଯୋଗୁ ତାର ପ୍ରଭାବକୁ ପ୍ରତିହତ କରିବାକୁ ନାନା ପ୍ରକାରର ଦେବ ଆରାଧନାରେ ମନୋ ନିବେଶ କରାଯାଏ । ତାହା ବୋଲି ଏହା କ’ଣ ଏକ ପୁଣ୍ୟ ମାସ ? ଏ ସବୁର ଫଳ ବହୁପୁଣ୍ୟ ପ୍ରଦାନ କରେ ? କର୍ମର ଫଳ ଅବଶ୍ୟ ଅଛି । ଭୁଲ୍ କର୍ମରୁ ନିବୃତ୍ତ ରହିବା ପାଇଁ ହିଁ ପୁଣ୍ୟକର୍ମ କରାଯାଉଛି ।

ଉତ୍ତରାୟଣ ଅପେକ୍ଷା ଦକ୍ଷିଣାୟନରେ ବହୁ ଓଷା, ବ୍ରତ ଓ ଶ୍ରୀ ଜଗନ୍ନାଥଙ୍କର ନାନାଦି ବେଶ ଦର୍ଶନର ପ୍ରଚଳନ । ଅଶୁଭ କର୍ମ କରି ବିଶେଷ ପାପଭାଗୀ ହେବାରୁ ନିବୃତ୍ତ କରିବା ପାଇଁ ଭାରତୀୟ ମନିଷୀମାନଙ୍କର ଏହି ଉଦ୍ୟମ ।

ଓଡ଼ିଆମାନଙ୍କର ପ୍ରାଣର ଦେବତା ଜଗନ୍ନାଥଙ୍କର ଏହି ଦକ୍ଷିଣାୟନରେ ହିଁ ବହୁ ବେଶ ହୁଏ, ଯଥା –

ଭାଦ୍ରମାସ କୃଷ୍ଣପକ୍ଷ ଦଶମୀ – ବଣଭୋଜି ବେଶ, ଏକାଦଶୀ – କାଳୀୟଦଳନ ବେଶ, ଦ୍ୱାଦଶୀ – ପ୍ରଳୟାସୁର ବଧ ବେଶ, ତ୍ରୟୋଦଶୀ – କୃଷ୍ଣବଳରାମ ବେଶ ।

ଆଶ୍ୱିନ କୃଷ୍ଣପକ୍ଷ ଦଶମୀ – ରାଧା ଦାମୋଦର ବେଶ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ – ଲକ୍ଷ୍ମୀ ନାରାୟଣ ବେଶ, ଦ୍ୱାଦଶୀ – ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀ – ଆଡ଼କିଆ ବେଶ, ଚତୁର୍ଦ୍ଦଶୀ – ଡାଳିକିଆ ବେଶ, ପୂର୍ଣ୍ଣମୀ – ରାଜବେଶ ।

ପୁଣି ଯେଉଁ ବର୍ଷ ଏହି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ବା ପଞ୍ଚକ ଛ ଦିନ ପଡ଼େ, ସେ ବର୍ଷ ସେହି ଅଧିକ ଦିନରେ (ମଳ ତିଥିରେ) ଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହୁଏ ।

ଉତ୍ତରାୟଣରେ ଶ୍ରୀ ଜଗନ୍ନାଥଙ୍କର ବେଶ ଯଥା –

ମାଘମାସ କୃଷ୍ଣପକ୍ଷ ଦ୍ୱିତୀୟା – ପଦ୍ମମୁଖ ବେଶ, ପୂର୍ଣ୍ଣିମା – ଗଜ ଉଦ୍ଧାରଣ ବେଶ ।
ଜ୍ୟେଷ୍ଠ ମାସ ପୂର୍ଣ୍ଣିମା – (ଦେବସ୍ନାନ) – ସ୍ନାନ ମଣ୍ଡପରେ ଗଜାନନ ବେଶ ।
ଆଷାଢ଼ମାସ ଶୁକ୍ଳପକ୍ଷ ଏକାଦଶୀ – ରଥଉପରେ ସୁନା ବେଶ ।

କାର୍ତ୍ତିକ ମାସର ଶେଷ ପାଞ୍ଚ ବା ଛଅ ଦିନ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପଞ୍ଚକରେ ପ୍ରାତଃସ୍ନାନ କରି ଦର୍ଶନ କରୁଥିବା ବେଳେ ଦକ୍ଷିଣାୟନରେ ଶେଷମାଷ ପୌଷ ମାସ ସାରା ରାତି ଚାରିଟା ବେଳୁ ଆରତି ହୋଇ ପ୍ରାୟ ଦିନ ଆଠଟା ବେଳକୁ ପହିଲି ଭୋଗ ହୋଇଥାଏ । ପୌଷର ଶେଷଦିନ ସାତଥର ମଧ୍ୟ ମନ୍ଦିର ପରିକ୍ରମା ହୁଏ, ଯାହାକୁ ନବାଙ୍କ ବେଢ଼ା ପରିକ୍ରମା କୁହାଯାଏ ।

କାର୍ତ୍ତିକ ମାସର ଏକ ବିଶେଷତ୍ୱ ।

ଏକ ପ୍ରଚଳିତ କଥା ଅଛି ଯେ “ଦେଖା ଶିଖା ଓଡ଼ିଆ’ । ଅର୍ଥାତ ଓଡ଼ିଆମାନେ ଯାହା ଜୀବନୀୟ, ଯାହା ସେମାନଙ୍କର ଜୀବନ ଓ ବର୍ଦ୍ଧନରେ ସାହାଯ୍ୟ କରେ, ସେ କଥା ଗୁଡ଼ିକୁ ଯେଉଁଠାରୁ ହେଲେ ଜାଣି କାର୍ଯ୍ୟରେ ପରିଣତ କରି, ସେଗୁଡ଼ିକୁ ନିଜ ଜୀବନରେ ଚରିତ୍ରାୟିତ କରି ସୁଖମୟ ଜୀବନ ଯାପନ କରନ୍ତି ।

ବୃହଦାରଣ୍ୟକ ଉପନିଷଦରେ ଅଛି –

“ଓ୩ମ୍ ଅସତୋ ମା ସଦ୍‌ଗମୟ ।
ତମସୋ ମା ଜ୍ୟୋତିର୍ଗମୟ ।
ମୃତ୍ୟୋର୍ମାଽମୃତଂଗମୟ । (ବୃ.ଉ. ୧ା୩ା୨୮)

ହେ ପରମେଶ୍ୱର ! ମୋତେଅସତ୍‌ରୁ ସତ୍ ପଥକୁ ନିଅନ୍ତୁ, ଅନ୍ଧକାରରୁ ଆଲୋକ ପଥକୁ ନିଅନ୍ତୁ, ମୋତେ ମୃତ୍ୟୁ ପଥରୁ ଅମୃତ ପଥକୁ ନିଅନ୍ତୁ । ଅସତ ଓ ଅନ୍ଧକାରହିଁ ମୃତ୍ୟୁ, ମୋତେ ଅମର ପଥକୁ ନିଅନ୍ତୁ ।

ନାରୀମାନେ ମାତୃଜାତି । ତେଣୁ ସେମାନେ ପରମ ମାତାଙ୍କର ତତ୍ତ୍ୱ ଓ ଆଦର୍ଶ ଉତ୍ତମ ରୂପେ ଅନୁଭବ କରି ତାହା ନିଜ ଚରିତ୍ରରେ ପରିସ୍ଫୁଟ କରି, କାର୍ଯ୍ୟରେ ପରିଣତ କରନ୍ତି, “ମା” ଶବ୍ଦ ମ୍ ଓ ଆ ଦ୍ୱାରା ଗଠିତ । ମ୍ – ଅର୍ଥ ଆନନ୍ଦ ପ୍ରଦାୟିନୀ, ଆ-ଅର୍ଥ ବାଧା ପ୍ରତିହତ କାରିଣୀ, ତେଣୁ “ମା” ଅର୍ଥ ଯେ ସମସ୍ତ ପ୍ରକାର ବାଧାକୁ ପ୍ରତିହତ ବା ଦୂରୀଭୂତ କରି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି । ସେ ପୁଣି ଶକ୍ତି ସ୍ୱରୂପିଣୀ, ଦୂର୍ଗତିନାଶିନୀ, ଅମୃତରୂପିଣୀ । ନିଜେ ସମସ୍ତ ଦୁଃଖ, କଷ୍ଟ, ଯନ୍ତ୍ରଣା ସହି ଅନ୍ୟମାନଙ୍କୁ ସୁଖ, ଶାନ୍ତି, ଆନନ୍ଦ, ସମୃଦ୍ଧି ଓ ଅମୃତ ପ୍ରଦାନରେ ଅଗ୍ରଦୂତ ।

ପୂର୍ବକାଳରେ ଓଡ଼ିଶାର ସାଧବଗଣ କାର୍ତ୍ତିକ ପୂର୍ଣ୍ଣମୀ ଦିନ ବେପାର ବଣିଜ କରିବାକୁ ଜଳପଥରେ ସୁଦୂର ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓ ପ୍ରଭୃତି ସ୍ଥାନକୁ ବୋଇତରେ ଯାଉଥିଲେ । କର୍ପୂର ଉଡ଼ି ଯାଇଛି, ମାତ୍ର କନା ଖଣ୍ଡିକ ପଡ଼ିଛି । ହେଲେ ସେଥିରୁ ମଧ୍ୟ ଏହି ତତ୍ତ୍ୱ ମିଳୁଛି । ବୋଇତ ବନ୍ଦାଣ ଉତ୍ସବ ଏକ ମୃତ ସଂସ୍କାର ରୂପେ ରହିଛି । ଲକ୍ଷ ଲକ୍ଷ ଲୋକ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସୋଲର ଡଙ୍ଗା କରି ଜଳାଶୟ ମାନଙ୍କରେ ଭସାଉ ଅଛନ୍ତି “ଆ-କା-ମା-ଭୈ (ଏହାକୁ ଅପଭ୍ରଂଶ କରି ଅ କା ମା ବୈ କୁହାଯାଉଛି) ।

ଆ-କା-ମା-ଭୈ ର ଅର୍ଥ ଆଷାଢ଼ ମାସଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଭୟନାହିଁ । ସାଧବଗଣ କାର୍ତ୍ତିକ ପରେ ମାର୍ଗଶୀର ମାସରୁ ଜ୍ୟେଷ୍ଠ ମାସ ପର୍ଯ୍ୟନ୍ତ ନୌବାଣିଜ୍ୟ କରି ଜ୍ୟେଷ୍ଠ ମାସ ଶେଷରେ ଗୃହକୁ ଫେରୁଥିଲେ । ଗୃହରେ ଆଷାଢ଼ ମାସଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଭୟ ନାହିଁ । ଆ-ଆଷାଢ଼ମାସ(ଠାରୁ ) କା-କାର୍ତ୍ତିକ ମାସ (ପର୍ଯ୍ୟନ୍ତ) ମା-ଅର୍ଥ ନାହିଁ, ଭୈ ଅର୍ଥ ଭୟ । ଆ-କା-ମା-ଭୈ ଅର୍ଥ ଆଷାଢ଼ ମାସଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଭୟ ନାହିଁ । ଜଳଯାତ୍ରା ଜନିତ ଶରୀରର ଅସୁସ୍ଥତା, ଜଳଦସ୍ୟୁଙ୍କ ଆକ୍ରମଣ, ଝଡ଼ବତାସ ଓ ପ୍ରତିକୂଳ ପାଗ, ନୌକା ବୁଡ଼ି ଧନ, ଜୀବନ ନାଶର ଭୟ ନାହିଁ । କାର୍ତ୍ତିକ ପରେ ସାଧବ ନୌବାଣିଜ୍ୟ କୁ ଯିବେ, ତେଣୁ ସେମାନଙ୍କର ଶୁଭ କାମନା କରି କାର୍ତ୍ତିକ ମାସ ସାରା ନାନା ପୂଜା ବ୍ରତ କରାଯାଏ ।

ଉତ୍ତରାୟଣ ଦକ୍ଷିଣାୟନ
ଜ୍ୟୋତିଃର ଅଧିପତି ଦେବତା ଧୂମର ଅଧିପତି ଦେବତା
ଦିନର ଅଧିପତି ଦେବତା ରାତିର ଅଧିପତି ଦେବତା
ଶୁକ୍ଳ ପକ୍ଷ କୃଷ୍ଣ ପକ୍ଷ
ବ୍ରହ୍ମବେତା ପୁରୁଷର ବ୍ରହ୍ମ ପ୍ରାପ୍ତି ଯୋଗୀର ଜନ୍ମମରଣ ପ୍ରାପ୍ତି

ଏସବୁ ପଢ଼ିଲା ବେଳେ ସାଧାରଣତଃ ଧାରଣା ହୁଏ ଯେ, ଯେଉଁମାନେ ଦିନରେ, ଶୁକ୍ଳପକ୍ଷରେ, ଉତ୍ତରାୟଣରେ ଶରୀର ତ୍ୟାଗ କରନ୍ତି ସେମାନେ ବ୍ରହ୍ମଲୋକ ପ୍ରାପ୍ତି କରନ୍ତି ଏବଂ ଯେଉଁମାନେ ରାତିରେ, କୃଷ୍ଣ ପକ୍ଷରେ ଓ ଦକ୍ଷିଣାୟନରେ ଶରୀର ତ୍ୟାଗ କରନ୍ତି, ସେମାନେ ପ୍ରାପ୍ତ କରିଥିବା ଲୋକରେ ସୁଖଭୋଗ କରି ପୁଣି ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ନ୍ତି । ବାସ୍ତବରେ ସେପରି ହୁଏନା ।

ଯେଉଁମାନେ ସତ୍ତ୍ୱଗୁଣୀ, ସାଧୁ, ଭଗବତ୍ ଭକ୍ତ ସେମାନେ ରାତି ବା ଦିନ, କୃଷ୍ଣପକ୍ଷ ବା ଶୁକ୍ଳପକ୍ଷ, ଦକ୍ଷିଣାୟନ ବା ଉତ୍ତରାୟଣ ଯେଉଁ ସମୟରେ ଶରୀର ତ୍ୟାଗ କରନ୍ତୁ ପଛକେ ଇହ ଜନ୍ମରେ କରାଯାଇଥିବା କର୍ମ ଅନୁସାରେ ସେ ଭଗବତ୍ ଧାମକୁ ଯାଆନ୍ତି ।

ଏଠାରେ ପ୍ରଶ୍ନ ଆଶେ, ଯଦି ଏସବୁ ସମୟର କିଛି ମୂଲ୍ୟ ନାହିଁ ତା ହେଲେ ତତ୍ତ୍ୱଜ୍ଞାନୀ ପିତାମହ ଭୀଷ୍ମ ଉତ୍ତରାୟଣ ପର୍ଯ୍ୟନ୍ତ ଶରଶଯ୍ୟାରେ ରହିଲେ କାହିଁକି ?

“ଦ୍ୟୌ” ନାମକ ବସୁ ଅଭିଶାପ ପାଇ ମୃତ୍ୟୁଲୋକକୁ ଭୀଷ୍ମ ରୂପରେ ଆସିଥିଲେ । ସେ ଦେବଲୋକକୁ ଯିବା କଥା । ଦକ୍ଷିଣାୟନ ଅର୍ଥାତ ଦେବଲୋକରେ ରାତି ଓ ଉତ୍ତରାୟଣ ଦେବଲୋକରେ ଦିନ । ରାତ୍ରିରେ ଦେବଲୋକର ଦ୍ୱାର ବନ୍ଦ ଥାଏ, ତେଣୁ ସେ ଦେବଲୋକର ଦ୍ୱାରଦେଶରେ ଉତ୍ତରାୟଣ ବା ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ଅପେକ୍ଷା ମର୍ତ୍ତ୍ୟ ଲୋକରେ ରହିବାକୁ ଉଚିତ ମନେ କରିଥିଲେ ।

ମର୍ତ୍ତ୍ୟଲୋକରେ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ, ସତ୍‌ସଙ୍ଗ ଛାଡ଼ି, ଦେବଲୋକ ଦ୍ୱାରରେ ଏକାକୀ ରହିବାକୁ ପସନ୍ଦ କରି ନ ଥିଲେ ।

– ତାପରେ –

ଲୋକପ୍ରିୟ ଲେଖା

To Top