କବିତା

ଦେଶ ଡାକିଲେ

ଦେଶ କଣ ପ୍ରେମର ଅରଣ୍ୟ
ଯେଉଁଠି ମରା ମରା କହୁ କହୁ
ରାମ ରାମ ହୁଏ ଉଚ୍ଚାରିତ !

ଦେଶ ଡାକିଲେ

ଅତୃପ୍ତିର ବୈଶାଖ ଓଠରେ
ହିମ ଶୀତଳ ଜଳ ବୁନ୍ଦେ, ଭାରତ ବର୍ଷ ।

ଯେଉଁଦିନ ମନ ହେଲା ଅଣ୍ଟିଛୁରୀ
ବୁଭୁକ୍ଷାର କଂସେଇ ଖାନାରେ;
ସାମ୍ପ୍ରଦାୟିକ ରକ୍ତଧାର ହେଲା
ଦେଶ ଚଉହଦି ଚିହ;
ଯେଉଁଦିନ ନାଗରିକ ମୁଖା ପିନ୍ଧି
ଆତତାୟୀ କାଟିଦେଲେ ସ୍ୱାଧୀନତା ପର

କେଉଁଠି ଥିଲା ଏ ଡାକ !
କେଉଁ ଗିରି ଗୁହାରେ ଋଷିକଣ୍ଠରେ
କେଉଁ ସାଗରର ଉଛୁଳା ଢେଉରେ
କେଉଁ ବୋଧିଦ୍ରୁମର ଶୀତଳ ଛାଇରେ
କେଉଁ ନାଗେଶ୍ୱରୀର ରହସ୍ୟ ରାଗିଣୀରେ ଯେ
ଡାକିଲା, “ଆ, ମୋ କୋଳକୁ ଆ,
ମୁଁ ନୁହେଁ, ମଶାଣିର ମାଟି, ମୁଁ ପରା
ଜୀବନର ମା” ।

ଦେଶ କଣ ପ୍ରେମର ଅରଣ୍ୟ
ଯେଉଁଠି ମରା ମରା କହୁ କହୁ
ରାମ ରାମ ହୁଏ ଉଚ୍ଚାରିତ !

ଦେଶ କଣ ବ୍ରହ୍ମା ନାଭି ସରୋବର
ଭେଦର ମନ୍ଥନରେ
ତଥାପି ଯେଉଁଠି ଫୁଟେ
ସର୍ଜନର ଦିବ୍ୟ ଅରବିନ୍ଦ !

ଦେଶ ଏମିତି ଆତ୍ମୀୟ ଡାକ
ଯିଏ କେବଳ ଉଚ୍ଚାଟ କରେନା
ଭୋଗ ଅବା ଭାଗର ବାସନା

ଆତତାୟୀ ହୃଦୟରେ ଭରିଦିଏ
ମାଟି ପାଇଁ ମମତାର ମଧୁ ସମ୍ଭାବନା ।

ଲୋକପ୍ରିୟ ଲେଖା

To Top