କବିତା

କେବଳ ପାକିସ୍ଥାନ ପାଇଁ

ଗୋଟେ “ଦେଶ”ର କଥା
ଖାଲି “ଦେଶ” କହିଲେ କ’ଣ ଠିକ୍ ହେବ
ଗୋଟେ “ସଭ୍ୟତା”ର କଥା
ନା ଗପ ନା କବିତା ନା କଳ୍ପନାର ଗୋଟେ
କାହାଣୀ ହେଇଚି ଯେ’ ଯେମିତି ଚାହିଁବ
କେଇଧାଡ଼ିରେ କହିହେଇଯିବ;

କେବଳ ପାକିସ୍ଥାନ ପାଇଁ

ଆଜି ସକାଳୁ ତୋରି କଥାହିଁ କେବଳ ଭାବୁଚି
ପାକିସ୍ଥାନ ।

କ୍ରମଶଃ ଦୂରେଇ ଯାଉଥିବା
ଏଇ ଯୋଡ଼ିଏ ରାସ୍ତା ଯାହାର ଆରମ୍ଭ ଦିନେ
ଗୋଟିଏ ବିନ୍ଦୁରୁ ହୋଇଥିଲା, ଆମେ କ’ଣ
ସାରା ଜୀବନ ଏମିତି ଏକା ଏକା
ଚାଲୁଥିବା ?

ଡାଳରେ ଡାଳ ମିଶାଉଚି ଗଛ
ପାଦରେ ପାଦ ମିଶାଉଚି ମେଘ
ଏଇ ଯେଉଁ ଖରା ଆଜି ଏତେ ଟାଣ ଲାଗୁଛି
ଯେମିତି ବର୍ଷିଯିବ ମୁଣ୍ଡ ଉପରେ, ଦେଖ
ଛାଇ ବଢେ଼ଇ ଦେଉଛି ହିମାଳୟ ।

ଆକାଶ ଛୁଉଁଚି ଆକାଶକୁ
ସମୁଦ୍ର ଛୁଉଁଚି ସମୁଦ୍ରକୁ
ମାଟିକୁ ଛୁଉଁଚି ମାଟି, ଅଥଚ
ଆମକୁ ଏବେ ମନା ଆମର ପରସ୍ପରର
ଆକାଶ, ସମୁଦ୍ର, ମାଟି ।
ତୁ ଯେଉଁ ସାମ୍ପ୍ରଦାୟିକତାର ବୀଜ ବପନ କରିଥିଲୁ
ଏବେ କାହିଁ କେତେ ବଢ଼ି ଗଲାଣି ଯେ’
ତାର ସବା ମୂଳ ଲହକା ଡାଳ ଖଣ୍ଡକଟିକୁ
ବି ଛୁଇଁ ହେଉନାହିଁ ।

ନା, ବେଶୀ ନୁହେଁ
ଏଇ ଛାତିତଳେ ଏବେ ଏଇମାତ୍ର
ପଚାଶ ବର୍ଷ ତଳର ଇତିହାସ ।

ଆମର ଅଣୁବିଜ୍ଞାନୀଙ୍କ କୌଶଳ କାହାରିକୁ
ଅଛପା ନାହିଁ । ଜାଣୁ ?
ତୋର ଭୃଣ ସବୁ ଏବେବି ସଂରକ୍ଷିତ ତକ୍ଷଶିଳାରେ
ଥରେ ଚିନ୍ତାକରି ଦେଖିଛୁକି
କେମିତି ଥିଲା ଆମର ସେ’ ପ୍ରେମର
ଅଖଣ୍ଡ ଭାରତ ବର୍ଷ
ଆମର ପୂର୍ବ ପୁରୁଷ ?

ଗୋଟେ “ଦେଶ”ର କଥା
ଖାଲି “ଦେଶ” କହିଲେ କ’ଣ ଠିକ୍ ହେବ
ଗୋଟେ “ସଭ୍ୟତା”ର କଥା
ନା ଗପ ନା କବିତା ନା କଳ୍ପନାର ଗୋଟେ
କାହାଣୀ ହେଇଚି ଯେ’ ଯେମିତି ଚାହିଁବ
କେଇଧାଡ଼ିରେ କହିହେଇଯିବ;

ଇଏ, ଆମ ଲୁହ ଲହୁ ହସ କାନ୍ଦର
ଅଙ୍ଗେ ଲିଭା କଥାତି,
ଏମିତିରେ ତ ସବୁକିଛି ଛାଡ଼ିଛୁଡ଼ି କହିବାକୁ ଗଲେ
ଆମର ବଞ୍ଚିବାଟା ଏମିତି ଏକ
ରେଳ ଧାରଣା ଉପରେ ଯେ’
ଯାହାର ଗୋଟେପଟ ଭାରତରେ
ଆରଟି ପାକିସ୍ଥାନରେ ।

ଲୋକପ୍ରିୟ ଲେଖା

To Top