ଗଳ୍ପ

ଦ୍ୱିତୀୟ ଶ୍ମଶାନ

ଦେଖ, ଯୋଗ ଏମିତି ଯେ ସେଇ ହାଣ୍ଡି ପଛଆଡ଼େ ତାକିଜୁକି ହୋଇ ତିନିଫୁଟ ଲମ୍ୱର ଚିତିସାପ ଚୋରଟିଏ ଭଳି ଲୁଚି ରହିଛି । ଏତେବଡ଼ କାମ କରିସାରିବା ପରେ ତା’ର ବିଶ୍ରାମ ଲୋଡ଼ା ।

ଦ୍ୱିତୀୟ ଶ୍ମଶାନ

ଖଟର ଗୋଟିଏ ପାଖରେ ମୁଁ, ଅନ୍ୟ ପାଖରେ ପ୍ରୀତି । ଦୁହିଁଙ୍କ ମଝିରେ ଚାରି ବର୍ଷର ଝିଅ । ଅନେକ ବେଳୁ ସେ ଶୋଇ ପଡ଼ିଲାଣି । ମୋ ବେକରେ ହାତ ଗୁଡ଼ାଇ ସେ ରାଜା, ରାଣୀ, ରାଜକୁମାର, ରାଜକୁମାରୀଙ୍କ କଥା ଶୁଣୁଥିଲା । କୌଣସି ରାତିରେ ମୋ କାହାଣି ଶେଷ ହୋଇପାରେ ନାହିଁ । ରାଜାଙ୍କର ସୁନାନାକି ଝିଅ ଖୁବ୍ ବେଶି ହେଲେ ନିର୍ଜନ ପୋଖରୀ ତୁଠରେ ଗୋଡ଼ ଘସି ବାସି ଅଳତାର ଗାର ଲିଭାଉଥିବ । ଛନଛନ ଆଖିରେ ଚାହୁଁଥିବ ଚାରିଆଡ଼େ । ମନ ଭିତରେ କାରଣ ନଥିବା ରୁଦ୍ଧ ଆବେଗ ଏକ ବିଚିତ୍ର ଶିହରଣ ଓ ଯନ୍ତ୍ରଣା ସୃଷ୍ଟି କରୁଥିବ । ଆଉ ବେଶି ଆଗେଇବାକୁ ହୁଏ ନାହିଁ । ମୋ ବେକ ଉପରେ ଝିଅର ହାତ ଶିଥିଳ ହୋଇଯାଏ । ମୋ ଛାତି ଭିତରକୁ ଘୁଞ୍ଚିଆସି ସେ ଶୋଇପଡେ ନିଶ୍ଚିନ୍ତରେ ।

ଜିରୋଓ୍ୱାଟ୍ ବଲ୍ବର କୁହୁଡ଼ିଆ ଆଲୁଅ ଭିତରେ ଅଧାରହିଯାଏ କଳ୍ପନାର କାହାଣୀ । ଏଭଳି କାହାଣୀ, ଏଭଳି ଶ୍ରୋତା ପାଖରେ କହିବାରେ ସତର୍କତା ଅବଲମ୍ୱନର ଆବଶ୍ୟକତା ବା କ’ଣ ? ଏ କାହାଣୀ ଲମ୍ୱିଯାଇ ପାରେ ଯେ କୌଣସି ଦିଗରେ, ମୋ ଭାବନା ଭଳି । ଯେଉଁ କାହାଣୀ ଯୁକ୍ତି ଓ ବାସ୍ତବତା ଉପରେ ପ୍ରତିଷ୍ଠିତ ନୁହେଁ, ତାହା କେଡ଼େ ସୁନ୍ଦର ଓ କୋମଳ ! ମାତ୍ର ଝିଅ ଶୋଇପଡ଼ିବା ପରେ ମୁଁ ଓ ପ୍ରୀତି ପରସ୍ପରକୁ ଯେଉଁ କାହାଣୀ ଶୁଣାଉ, ତାହା ବେଳେବେଳେ ଭାରି ଭୀଷଣ ଓ ଅଟ୍ଟହାସ୍ୟମୟ ଜଣାପଡ଼େ । ଏ କାହାଣୀ ଜୀବନର ମାୟା, କଳ୍ପନାପ୍ରବଣତାକୁ ଗ୍ରାସ କରିଦିଏ । ଆମେ ଦୁହେଁ ଦେଖୁ ଖାଲି ଜୀବନର ସତ୍ୟତା, ସଂସାରର ନିଚ୍ଛକ ରୂପ । ଝିଅ ଯଦି କେବେ କୌତୂହଳ ବସତଃ ଶୋଇ ରହିଥିବାର ଛଳନା କରି ଆମ ଦୁହିଁଙ୍କ କାହାଣୀ ଶୁଣନ୍ତା, କ’ଣ ବୁଝନ୍ତା ସେ ? ବେଳେବେଳେ ଏମିତି ପ୍ରଶ୍ନ ନିଜକୁ ପଚାରେ । ସେ ଶୁଣିଥିବା କାହାଣୀ ଓ ଆମ କାହାଣୀ ଭିତରେ ଯେଉଁ ତାରତମ୍ୟ, ତାହା ସେ କ’ଣ ଅତିକ୍ରମ କରି ପାରନ୍ତା ?

ପ୍ରୀତିର ସ୍ୱର ସେତେବେଳକୁ ତନ୍ଦ୍ରା ବିଜଡ଼ିତ ହୋଇଯାଉଥିଲା । ମୁଁ ଦୀର୍ଘଶ୍ୱାସ ତ୍ୟାଗ କରି ତା’ ମୁହଁରୁ ଦୃଷ୍ଟି ଫେରାଇ କୋଠରୀର ଛାତ ଆଡ଼କୁ ଚାହିଁଲି । ହାଇମାରି ଆଖି ବନ୍ଦ କଲାବେଳକୁ ଆମ ବାରିପଟ କବାଟରେ କରାଘାତ ଶୁଣିଲି ।

ସେ କରାଘାତ ଅକ୍ଟୋବର୍ ମାସର ନିସ୍ତବ୍ଧ, ଅନ୍ଧକାର ରାତିର ମେରୁଦଣ୍ଡକୁ ଦୋହଲାଇ ଦେଲା ଭୟଙ୍କର ଭାବରେ । ସମସ୍ତ ବ୍ୟାକୁଳତା ଓ ଅସ୍ଥିରତାର ସହିତ ଗୋଟାଏ ବାଷ୍ପାକୁଳ ଆର୍ତ୍ତନାଦ ଶୁଭିଲା – “ଭାଇ । ଭାଇ ଟିକିଏ ଉଠ । ମୋର ସବୁ ସରିଗଲା ।”

ମୋର ମନେହେଲା, ବାରିପଟ କବାଟ ହୁଏତ ଭାଙ୍ଗିଯିବ କରାଘାତର ମାଡ଼ରେ । ଲୋକଟିର କଣ୍ଠ ଫାଟିଯିବ ବ୍ୟାକୁଳତା ଓ ଅସହାୟତାର ତୀବ୍ରତାରେ । ପ୍ରୀତି ଓ ମୁଁ ଏକାସଙ୍ଗେ ଓହ୍ଲାଇପଡ଼ିଲୁ ଖଟରୁ । ଝିଅ ଗଳାଫଟାଇ କାନ୍ଦିଉଠିଲା; ସତେ ଯେପରି ସେ ବୁଝିପାରିଥିଲା କେଉଁଠି ଗୋଟେ କିଛି ଅଘଟଣ ଘଟି ଯାଇଛି ।

ବ୍ୟସ୍ତତାର ସହିତ ମୁଁ ବାରିପଟକୁ ଆସି କବାଟ ଖୋଲି, ଟର୍ଚ୍ଚ ଟିପିଲି । କୁମର ଦାଦାର ଯନ୍ତ୍ରଣା ଜର୍ଜରିତ ଆର୍ତ୍ତଚିତ୍କାର ଆମ ଗାଁ ର ଶିରା-ପ୍ରଶିରାରେ ଚାଞ୍ଚଲ୍ୟ ଓ ଆଶଙ୍କାର ତଡ଼ିତ ଛୁଟାଇଦେଲା ।

-“କଥା କ’ଣ ଏମିତି…”

ମୋ କଥାକୁ ଶେଷ ହେବାକୁ ନ ଦେଇ ସେ ଘୋଷଣା କଲା -“ମୋ ମଞ୍ଜୁକୁ ସାପ କାମୁଡ଼ି ଦେଇଛି ।”

ଅଳ୍ପକେଇଟା ମୁହୂର୍ତ୍ତ ପାଇଁ ସବୁ ସ୍ତବ୍ଧ ଓ ସ୍ଥାଣୁ ହୋଇଗଲା । ବ୍ୟାପକ ଆକାଶର ତାରା, ମୋ ପାଦତଳର ମାଟି, ମୁଁ ନିଜେ ଓ କୁମରଦାଦାର ଅସ୍ତିତ୍ତ୍ୱ ମିଳେଇଗଲା ଏକ ବିଚିତ୍ର ଶୂନ୍ୟତା ଭିତରେ । ମୋର ଅନୁଭବ କରିବାର ଶକ୍ତି ଓ ବିଚାରବୋଧ ସମ୍ପୂର୍ଣ୍ଣ ପୋଛି ହୋଇଗଲା ଏକ ଦାରୁଣ ଘଟଣାଟିର ଭୟାବହତାରେ । କଥାଟାକୁ ପୁଣିଥରେ ଭାବିବା ବେଳକୁ ଚାରି-ପାେଞ୍ଚାଟି ନାରୀ କଣ୍ଠର ସମ୍ମିଳିତ କାନ୍ଦଣା ସାରା ଗାଁ’ଟିକୁ ଅଶ୍ରୁଳ କରି ଦେଉଥିବାର ଶୁଣିଲି ।

ବାପାଙ୍କୁ ନିଦରୁ ଉଠେଇବା ଦରକାର ହେଲା ନାହିଁ । ସେ ବଳେ ଉଠିଆସିଥିଲେ ଏବଂ କୁମରଦାଦାର କଥା ଶୁଣି ପାରିଥିଲେ । ତାଙ୍କୁ ଦେଖିବାକ୍ଷଣି କୁମରଦାଦା ଅସହାୟତାରେ ଭାଙ୍ଗି ପଡ଼ିଲା- “ଭାଇ, ମୋର ସବୁ ସରିଗଲା ।”

ଆଉ କିଛି କଥା ନାହିଁ । ପାଗଳଙ୍କ ଭଳି ସେଠାରୁ ସେ ଚାଲିଗଲା । ଆମ ଘରକୁ ଲାଗି ଯଦୁଭାଇର ଘର । ତାଙ୍କ ଦରଜା ଉପରେ ସେହିପରି କରାଘାତ କରି ସେ ଘୋଷଣା କଲା ସେଇକଥା । ସେଠାରୁ ସେ ଗଲା ଆଉ ଏକ ଘରକୁ । ପୁଣି ତା’ ପାଖ ଘର ।

କୁମରଦାଦା କଥା ଆଉ ଭଲକରି ବୁଝି ହେଉ ନ ଥାଏ । ତା’ର ସମଗ୍ର ସତ୍ତା ରୂପାନ୍ତରୀତ ହୋଇଯାଇଥିଲା ଏକ ଅବ୍ୟକ୍ତ କୋହରେ । ସଂସାରର ସମସ୍ତ ଆଶଙ୍କା ଓ ଆଶାହୀନତା ସତେ ଯେପରି ଠୁଳ ହୋଇ ଏକ ମଣିଷର ଆକାର ଗ୍ରହଣ କରିଥିଲା । ଗୋଟାଏ ଜୀଅନ୍ତା ଆର୍ତ୍ତନାଦ ହୋଇ ସେ ଖାଲି ଧାଉଁଥିଲା । ଏ ଘର ଦରଜାରୁ ଅନ୍ୟ ଏକ ଦରଜା ପାଖକୁ । ସେ ହୁଏତ ଭାବୁଥିଲା, ଗାଁର ସବୁ ମଣିଷ ଉଠିଆସନ୍ତୁ ଯେଝା ବିଛଣାରୁ । ସଭିଁଏ ଠିଆହୁଅନ୍ତୁ ସଦ୍ୟ ସାପ କାମୁଡ଼ିଥିବା ମଞ୍ଜୁ ଚାରିପାଖରେ । ସେମାନଙ୍କର ବ୍ୟୁହ ଭିତରକୁ ଯେପରିକି ମରଣର ଥଣ୍ଡାହାତ ପଶି ପାରିବ ନାହିଁ । ଯଦି ମଞ୍ଜୁର ପ୍ରାଣବାୟୁ ପବନର ନିଃଶ୍ୱାସରେ ମିଶିଯିବାକୁ ତତ୍ପର ହୋଇଉଠେ, ତେବେ ସେମାନେ ସେ ପ୍ରାଣ ବାୟୁକୁ ଏଇ କଥା କୁହନ୍ତୁ -ଏଡ଼େ ଚଞ୍ଚଳ ଥକିଗଲୁ ? ଜମା ଅଠରଟା ବର୍ଷରେ ତୋର ଗୋରା, ନହକା ଦେହକୁ ଆଡ଼େଇ ଦେଇ ତୁ କେଉଁଆଡ଼େ ଯାଉଛୁ ଲୋ ମଞ୍ଜୁ ? ସଞ୍ଜବେଳେ ଆଉ କିଏ ତୁମ ପିଣ୍ଡାରେ ମିଞ୍ଜିମିଞ୍ଜି ଆଲୁଅ ପାଖରେ ବସି ଭାଗବତ ପଢ଼ିବ ? ରାତି ନ ପାହୁଣୁ କିଏ କୁଅରୁ ପାଣି କାଢ଼ିବ ? କିଏ ତୁମ ଅଗଣା ଓଳାଇବ, ଗାଈକୁ କୁଣ୍ଡା-ତୋରାଣୀ ଦେବ ? ତୋର ତ ଯିବା ବେଳ ହୋଇନାହିଁ ।

ବାପା ଓ ମୁଁ ଅଣନିଶ୍ୱାସୀ ହୋଇ ଧାଇଁଲୁ କୁମରଦାଦା ଘରଆଡ଼େ । ସେତେବେଳକୁ ଗାଁର କେତେ ଲୋକ ସେଠାରେ ଜମାହୋଇ ସାରିଲେଣି । ମୋର ସମ୍ପର୍କରେ ବଡ଼ବାପା ହେବେ – ଗୁରୁଚରଣ । ସେ ସାପ – ମନ୍ତ୍ର ଜାଣନ୍ତି । ପହଞ୍ଚି ଶୁଣିଲୁ, ସେ କେତେବେଳୁ ମଞ୍ଜୁକୁ ଝଡ଼ା-ଫୁଙ୍କା କରୁଛନ୍ତି ।

ସତକୁ ସତ, ମଞ୍ଜୁ ଚାରିପାଖରେ ଗୋଟାଏ ଶକ୍ତ ବ୍ୟୁହ ସୃଷ୍ଟି ହୋଇଥିଲା । ଚଟାଣଉପରେ ଧିକି ଧିକି ହୋଇ ଜଳୁଛି ଲଣ୍ଠନର ଶିଖା, କଳାକାଚ ଘୋଡ଼େଇ ହୋଇ । ଝାଳରେ ଜୁଡ଼୍ରବୁଡ଼୍ର ହୋଇ ମଞ୍ଜୁ ସାମନାରେ ବସି ଗୁଣିଆଁ ହୁଏତ ଚେଷ୍ଟା କରୁଛନ୍ତି, ଯେପରିକି ସାପର ବିଷ ମଞ୍ଜୁର ଶିରା-ପ୍ରଶିରାର ରକ୍ତକୁ ବିଷାକ୍ତ କରି ନ ଦିଏ । ମଞ୍ଜୁ ବଲବଲ କରି ଚାହିଁଛି, ତା ଚାରିପାଖରେ ଘେରି ରହିଥିବା ମଣିଷ ମାନଙ୍କର ବିଗଳିତ, କାତର ମୁହଁଗୁଡ଼ିକୁ ।

ବାପାଙ୍କ କଥାମାନି, ସଭିଏଁ ବାହାରି ଆସିଲେ ସେ ଘରୁ । ଘର ଭିତରକୁ ନିର୍ମଳ, ସ୍ୱଚ୍ଛ ପବନ ଯିବା ଖୁବ୍ ଦରକାର । ମଞ୍ଜୁ ଆମ୍ଭମାନଙ୍କର ଶଙ୍କାଗ୍ରସ୍ତ ମୁହଁ ଦେଖିବା ଆଦୌ ଉଚିତ୍ ନୁହେଁ । ଔଷଧ ପ୍ରୟୋଗ ପାଇଁ ବ୍ୟବହାର କରାଯାଉଥିବା ଇେଞ୍ଜକ୍ସନ୍ ସିରିଞ୍ଜ୍‌ର ଛୁୁଞ୍ଚିକୁ ଦେଖି ଯେଉଁ ମଣିଷ ଡରିଯାଇପାରେ, ତା’ ଦେହ ଭିତରେ ସାପର ବିଷ କ୍ରମେ ସଞ୍ଚରିତ ହୋଇଯାଉଛି ବୋଲି ଇଙ୍ଗିତ ଦେଲେ, ତା’ର ଅବସ୍ଥା ହେବ କ’ଣ ? ତୁମେ କେବେ ଦେଖିଛକି ମୃତ୍ୟୁର ଚେହେରା ? ତୁମେ ହୁଏତ କହିଦେଇପାର, ମୃତ୍ୟୁ ଏକ ରହସ୍ୟମୟ, ଅନ୍ଧକାର ଇଲାକା ଯା’ ଭିତରେ ଆମେ ସମ୍ପୁର୍ଣ୍ଣଭାବେ ହଜି ଯାଆନ୍ତି ଏକ ବିଚିତ୍ର ବିସ୍ମୃତିରେ । ଅଥଚ କେଡ଼େ ଦାରୁଣ ଏ ଶବ୍ଦ ! ଲହ ଲହ କରୁଥିବା ସାପର ଜିଭ, କୋକେଇରେ ବନ୍ଧାଯାଉଥିବା ମଣିଷର ଶରୀର ଆମକୁ ଚେତାଇଦିଏ ସେହି ଇଲାକାର ସର୍ବଗ୍ରାସୀ କ୍ଷମତା ସମ୍ପର୍କରେ । ମଞ୍ଜୁକୁ ଏମିତି ନିର୍ମମ ଭାବରେ ଏଇ କଥା ପ୍ରତି ଆମେ ସଚେତନ କରିଦେବା ଠିକ୍ ନୁହେଁ । ଆଶାର କଥା ଏହି ଯେ, ସବୁ ମଣିଷଙ୍କୁ ବିଷ ଘୋଷାରି ନେଇପାରେ ନାହିଁ ମୃତ୍ୟୁର ସାମ୍ରାଜ୍ୟ ଭିତରକୁ । ମଞ୍ଜୁ ସମ୍ପର୍କରେ ଆମେ ଏତେଟା ହତୋତ୍ସାହ ହେବାର କୌଣସି ଯଥାର୍ଥତା ନାହିଁ ।

ସାତ ମାଇଲ ଦୂରରେ ଥିବା ଡାକ୍ତରଖାନାରୁ ଡାକ୍ତରଙ୍କୁ ଡାକିବା ପାଇଁ ଲୋକ ପଠାଗଲା । ଅନ୍ୟଦିଗକୁ ପଠାଗଲା ଆହୁରି ଦୁଇଜଣ ଲୋକଙ୍କୁ । ସେମାନେ ଜଣେ ଖ୍ୟାତନାମା ଗୁଣିଆଁକୁ ଡାକିଆଣିବେ । ସାରା ଗାଁ ଅସ୍ଥିର ଓ ଚଞ୍ଚଳ ହୋଇପଡ଼ିଲା ଗୁଣିଆର ମନ୍ତ୍ର ହେଉ ବା ବୈଜ୍ଞାନିକର ଔଷଧ ହେଉ –ଯେଉଁ ବସ୍ତୁ ଉପରେ ଆମ୍ଭମାନଙ୍କର ବିଶ୍ୱାସ ଓ ଆସ୍ଥା ଥିଲା, ସେ ସବୁ ପ୍ରୟୋଗ କରିବା ପାଇଁ ମନରେ ଆଦୌ ଦ୍ୱିଧା କିମ୍ୱା ଆଳସ୍ୟ ନଥିଲା । ଆମେ ଯୁଦ୍ଧ ଘୋଷଣା କଲୁ । ଗୋଟିଏ ପାଖରେ ଯମ; ଅନ୍ୟ ପାଖରେ ଆମେ, ମଞ୍ଜୁପ୍ରତି ଆମର ମମତା, ଗୁଣିଆର ମନ୍ତ୍ର ।

ତଥାପି ଆମ୍ଭମାନଙ୍କର ହାତମୁଠା ବେଳେବେଳେ ଝାଳେଇ ଯାଉଥିଲା । ଅନୁଭବ କରୁଥିଲୁ, ସତେ ଯେପରି ଅନ୍ୟଦିଗକୁ କ୍ରମେ ଖସି ଯାଉଛି ଆମେ ପ୍ରାଣପଣେ ଧରିରଖିବାକୁ ଚେଷ୍ଟା କରୁଥିବା ଗୋଟାଏ ଅମୂଲ୍ୟ ଦରବ । କାନ୍ଦଣା କମୁନାହିଁ । ମଞ୍ଜୁର ମା’ ଓ ଜେଜେମା ହେରିକା କାନ୍ଦୁଥାନ୍ତି । ସେମାନଙ୍କର ବୁକୁଫଟା କାନ୍ଦଣାରେ ଥିଲା ରାଶି ରାଶି ପ୍ରତିବାଦ ଓ ନିବେଦନ ; ପୁଣି ଥିଲା ବିଶ୍ୱାସ ଓ ଆଶଙ୍କା ।

ଅକ୍ଟୋବର ମାସର ଶନିବାର ରାତି । ରାତିର ଅନ୍ଧକାର ସତ୍ତ୍ୱେ ମୁହୁର୍ତ୍ତଗୁଡ଼ାକ ବାଟବଣା ନହୋଇ ଆଗେଇ ଯାଉଛନ୍ତି । ସମୟ ସେତେବେଳକୁ ବାରଟା ପାଖାପାଖି ।

କୁମର ଦାଦାର ଘର ସାମ୍ନା ରାସ୍ତାରେ ଅପରାଧୀ ସାପଟିକୁ ଅକ୍ଷତ ଅବସ୍ଥାରେ ରଖାଯାଇଥିଲା । ସେଇଟାକୁ ବନ୍ଦୀ କରାଯାଇଥିଲା ଗୋଟାଏ ବଡ଼ ବାଉଁଶ ତିଆରି ବୋଝ ତଳେ । ସାପ ଯଦି ଦଂଶନ କରିବା ପରେ କେଉଁଆଡ଼େ ଖସି ଚାଲିଯାଏ, ତେବେ ମଣିଷ ଦେହରୁ ବିଷ ଓହ୍ଲାଏ ନାହିଁ ବୋଲି ଆମେ ଶୁଣିଛୁ । ମୁଁ ବୋଝଆଡ଼ୁ ଦୃଷ୍ଟି ଫେରାଇ କୁମର ଦାଦାର ଚାଳଘର, ଭୟଙ୍କର ଆକାଶଆଡ଼େ ଚାହିଁଲି ।

ଡିସେମ୍ୱର ମାସରେ ମଞ୍ଜୁ ଶାଶୁଘରକୁ ଯିବାର ଠିକ୍ ହୋଇଛି । ଦାଦା ଗରିବ ମଣିଷ । ମଞ୍ଜୁ ବାରମ୍ୱାର ଘରର ପିଣ୍ଡାଲିପେ । ତା’ସତ୍ତ୍ୱେ ବର୍ଷାଦିନରେ ଚାଳରୁ ପାଣିଗଳି ଗୋବରଲିପା ପିଣ୍ଡାରେ ଅସଂଖ୍ୟ ଗାତ ସୃଷ୍ଟି ହୋଇଯାଏ । କାନ୍ଥ ଉପରବାଟେ ବର୍ଷାପାଣି ଗଡ଼ିଆସେ ଦାରିଦ୍ର୍ୟର ଲୁହଭଳି । ଏ ଲୁହ ଠାଏ ଠାଏ ସ୍ଥାୟୀ ଚିହର୍ ଛାଡ଼ିଦେଇଯାଏ କାନ୍ଥର ଗାଲ ଉପରେ । ରୋଷେଇଘରୁ ଦିନେ ଦିନେ ଧୂଆଁ ଉଠେନାହିଁ । ଥଣ୍ଡା ଚୂଲି ଶୋଇଯାଏ । ଏକ ଅଭ୍ୟାସଗତ ବିଶ୍ରାମ । କେଡ଼େ ବେଗି ବୁଢ଼ା ହୋଇଗଲା କୁମରଦାଦା-ବୟସର ମାଡ଼ ଯୋଗୁଁ ନୁହେଁ, ଅଭାବ ଜନିତ ଶୂନ୍ୟତା ଯୋଗୁ । ଗୋଟାଏ ଶୀର୍ଣ୍ଣ, ହଳଦିଆ ଦେହଧରି ଅଳସ ଗତିରେ ଯିବାଆସିବା କରୁଥିବା ସ୍ତ୍ରୀ ଜଣକ ହେଉଛି ମଞ୍ଜୁର ମା’ ଖୁଡ଼ୀ । ଗୋଟାଏ ପ୍ରେତାତ୍ମାର ବାସ୍ତବ ଦେହ ।

ଅଭାବ ଅନାଟନର ଝିଅ ହେଉଛି ମଞ୍ଜୁ । ଅଠର ବର୍ଷର ଝିଅ । ଗୋରା ନହକା; ଅଥଚ ଉଜ୍ଜ୍ୱଳ ଦେହ । ଗାଁ ମାଇନର ସ୍କୁଲରୁ ଶିକ୍ଷା ସମାପ୍ତ କରିଛି । ଡିସେମ୍ୱର ମାସରେ ତାର ଯିବାର ଅଛି ଆଉ ଏକ ଅଭାବ ଅନାଟନର କୋଳ ଭିତରକୁ । ଆମେ ଭଲଭାବେ ଯାଣିଛୁ ଯେ, ସେ ଯାଉଥିବା ଅନ୍ୟଘରେ ମଧ୍ୟ ଦାରିଦ୍ର୍ୟ ଝୁଲିରହେ, ଘରର ଚାଳ ଉପରୁ, ସେଠାକାର ମଣିଷଙ୍କର ପେଟରୁ, ଫଟା ଲୁଗାର ଧଡ଼ିରୁ । ତେବେ, ଦାରିଦ୍ର୍ୟର ରୂପ, ଘର ଓ ମଣିଷର ପ୍ରକାର ଭେଦରେ ଅଲଗା ନୁହେଁ । ଏଥିପାଇଁ ମଞ୍ଜୁକୁ ମାନସିକ ପ୍ରସ୍ତୁତି ସଂଗ୍ରହ କରିବାକୁ ହୁଏତ ପଡ଼ିନାହିଁ ।

କେତେଦିନୁ କୁମରଦାଦା ଜିନିଷ ସଂଗ୍ରହ କରିଛି ମଞ୍ଜୁକୁ ବାଟେଇବା ପାଇଁ । ଖଟ, ପିତଳ ହାଣ୍ଡି, ଚଟୁ ଇତ୍ୟାଦି । ଏପରିକି କାନ ପାଇଁ ସୁନାରେ ତିଆରି କାନଫୁଲ । ପିଣ୍ଡାରେ ଚଉଡ଼ା ଖଟ ଉପରେ ଦାଦା ଶୁଏ । ଘର ଭିତରେ ଅନ୍ୟମାନେ । ରାତିରେ ମଞ୍ଜୁ ଅନୁଭବ କଲା, ତା’ ବେକ ଉପରେ କିଛି ଗୋଟାଏ କାମୁଡ଼ି ଦେବାର ଯନ୍ତ୍ରଣା । ଡାହାଣ ହାତରେ ନିର୍ଦ୍ଦିଷ୍ଟ ସ୍ଥାନଟିକୁ ଅନୁଭବ କଲା, ଗୋଟାଏ ମସୃଣ, ଲମ୍ୱା ଜିନିଷକୁ ସେ ଧରିପକାଇଲା । ତା’ର ନିଦ ଭାଙ୍ଗିଗଲା । ବ୍ୟସ୍ତତା ଓ ଭୟ ଭିତରେ ପାଟି କଲା ବେଳକୁ ଡାହାଣ ହାତର କହୁଣି ଉପରେ ସେ ଅନୁଭବ କଲା ଆହୁରି ଏକ ଦଂଶନ ।

ଘରର ସଭିଏଁ ଉଠି ପଡ଼ିଲେ । ଲଣ୍ଠନ ଜଳାଗଲା । ଖୋଜା ଚାଲିଲା ସେହି ନୃଶଂସ ଅପରାଧୀକୁ । କୋଠରୀର ଗୋଟିଏ କୋଣରେ ମୁହଁମାଡ଼ି ରହିଥିଲା ପିତଳ ହାଣ୍ଡି । ଏଇ ହାଣ୍ଡିକୁ ନେଇ ମଞ୍ଜୁ ଯିବାର କଥା ତା’ ଶାଶୁ ଘରକୁ । ଦେଖ, ଯୋଗ ଏମିତି ଯେ ସେଇ ହାଣ୍ଡି ପଛଆଡ଼େ ତାକିଜୁକି ହୋଇ ତିନିଫୁଟ ଲମ୍ୱର ଚିତିସାପ ଚୋରଟିଏ ଭଳି ଲୁଚି ରହିଛି । ଏତେବଡ଼ କାମ କରିସାରିବା ପରେ ତା’ର ବିଶ୍ରାମ ଲୋଡ଼ା । ମଞ୍ଜୁର ଜେଜେମା’ ମା’ ଓ ସାନ ଦୁଇ ଭଉଣୀ ଶୋଇଥିଲେ ତା’ ପାଖରେ । ନିଷ୍ଠୁର ସାପଟା ଆଉ କାହାରିକୁ ଦଂଶନ ନକରି ଗୋଟାଏ ସୁନ୍ଦର, ନିରିମାଖୀ, ବଢ଼ିଲା ଝିଅର ବେକକୁ କାହିଁକି ବା ପସନ୍ଦ କଲା? ବିଷ ପ୍ରୟୋଗ ପାଇଁ ସାପ କ’ଣ ଯେ କୌଣସି ମଣିଷର ଦେହକୁ ବାଛି ନିଏ ନାହିଁ ? ସାପର କ’ଣ ଏକ ନିର୍ଦ୍ଦିଷ୍ଟ ରୁଚିଅଛି ?

ଝଡ଼ା-ଫୁଙ୍କା ଚାଲିଛି । ଆମେ ଡାକ୍ତର ଓ ଅନ୍ୟ ଗୁଣିଆଙ୍କୁ ଅପେକ୍ଷା କରିଛୁ । ଅସ୍ଥିରତ ଓ ଆଶଙ୍କାରେ ଆମେ ସମସ୍ତେ ସମ୍ପୂର୍ଣ୍ଣରୂପେ ଅବସନ୍ନ ହୋଇ ପଡ଼ିଲୁଣି । ମୁଁ ଅନୁଭବ କରୁଥିଲି ଗୋଟାଏ ତୀବ୍ର ଯନ୍ତ୍ରଣା-ମୋର ଶରୀର ଉପରେ, ହୃଦୟରେ, ଆତ୍ମାରେ । ମୋର ସମସ୍ତ ଚେଷ୍ଟା ଓ ବିଜ୍ଞତାର ବାଡ଼ ଛିନଛତ୍ର ହୋଇଗଲା । ଦୁଇ ପାପୁଲିରେ ମୁହଁ ଘୋଡ଼ାଇ ମୁଁ କାନ୍ଦି ପକାଇଲିି ।

କେହିଜଣେ ମୋର ହାତକୁ ଧରିପକାଇଲା । ଦେଖିଲି, ସାମ୍ନାରେ ଠିଆ ହୋଇଛି ଖୁଡ଼ୀ । କରୁଣ ସ୍ୱରରେ କହିଲା -“ବାପରେ, ମଞ୍ଜୁଟା କ’ଣ ଚାଲିଯିବ ? ତୁ ତ କେତେ ପାଠ ପଢ଼ିଛୁ । ତୁ କ’ଣ ତାକୁ ବଞ୍ଚାଇ ପାରିବୁ ନାହିଁ ?” ମୋ ଉତ୍ତରକୁ ଅପେକ୍ଷା ନକରି ସେ ଏକ ରକମର ଚିତ୍କାର କଲା-“ଗାଁ ର ସବୁ ମଣିଷ ଏଇଠି ଅଛ । କେତେ କାମ କରୁଛ । ତୁମକୁ ସବୁ ଛାଡ଼ି ଦେଇ ମୋ ମଞ୍ଜୁ କ’ଣ ଚାଲିଯିବ? ତୁମେକ’ଣ ତାକୁ ଧରି ରଖି ପାରିବ ନାହିଁ ?”

ଖୁଡ଼ୀ ସ୍ୱରରେ ଏହାଠାରୁ ଆହୁରି କେତେ କଥା ଲୁଚି ରହିଥିଲା । ପୃଥିବୀର ମଙ୍ଗ ତଳକୁ ଖସି ଯାଉଥିବା ସୂର୍ଯ୍ୟକୁ କିଏ ଭଲା ଉଠେଇ ଆଣି ରଖିଦେଇ ପାରିବ ଆକାଶର ଛାତିରେ ? କିଏ କହ ଶୀତଋତୁକୁ ବରଖାସ୍ତ କରି ବସନ୍ତର କାନି ଟାଣିଆଣି ପାରିବ ନିର୍ଦ୍ଦିଷ୍ଟ ସମୟ ଆଗରୁ ? ମୋର ଆଉ ବୁଝିବାରେ ବାକି ରହିଲା ନାହିଁ ଯେ, ମଞ୍ଜୁ ଓଟାରି ହୋଇ ଯାଉଛି ଯମର ଅନ୍ଧାର ହାତ ଭିତରକୁ । ଏବେ ନିବେଦନର ସ୍ୱର ଅର୍ଥହୀନ । ନିର୍ମମତା ପାଇଁ ଆକୁଳିତ ପ୍ରତିବାଦ ବ୍ୟତୀତ ଆମର ଆଉ ଅଧିକ ବା କ’ଣ କରିବାର ଅଛି ?

ଡାକ୍ତର ଓ ଗୁଣିଆ ପହଞ୍ଚିଗଲେ । ଆମ ଭିତରେ କେତେ ଆଶାର ପାଖୁଡ଼ା ସୃଷ୍ଟି ହୋଇଗଲା । ସେ ଦୁଇଜଣଙ୍କ ପଛରେ ଆମେ ବି ଗଲୁ ମଞ୍ଜୁ ପାଖକୁ । ସେତେବେଳକୁ ମଞ୍ଜୁ ଆଉ କଥା କହିପାରୁ ନଥାଏ । ତା’ର ବେକ ସଳଖଭାବରେ ଧରି ରଖିପାରୁ ନଥାଏ ତା’ର ମୁଣ୍ଡକୁ । ତା’ ଆଖିପତା ଉପରକୁ ଓହ୍ଲାଇ ଆସୁଥିଲା ଶେଷହୀନ ନିଦର ମାୟା । ତା’ ପାଟିରୁ ଝରି ଆସୁଥିଲା ଲାଳ ମିଶ୍ରିତ ଏକ ଅଭୂତପୂର୍ବ ଫେଣ । ଗୁରୁଚରଣ ବଡ଼ବାପା ଅନ୍ୟମନସ୍କ ହୋଇ ପଡ଼ୁଥିଲେ । ମନ୍ତ୍ର ପଢ଼ିବାରେ ତାଙ୍କଠି ଆଉ ଏକାଗ୍ରତା କିମ୍ୱା ଉଦ୍‌ବେଗ ନ ଥିଲା; ତାହା ପଢ଼ିବାରେ ସେ କୌଣସି ଜରୁରୀ କାରଣର ପ୍ରେରଣା ପାଉ ନଥିଲେ ।

ଡାକ୍ତର ନିସ୍ପନ୍ଦ ହୋଇ ଆସୁଥିବା ଶରୀରଟିକୁ ଦେଖିନେଲେ । ସେ ତାଙ୍କର ଔଷଧ ବ୍ୟାଗ୍‌ଟି ଖୋଲିବାକୁ ଉଦ୍ୟତ ହେଲେ, ଚାହିଁଲେ ମଞ୍ଜୁ ଆଡ଼େ । ପୁଣି କ’ଣ ଭାବିଲେ କେଜାଣି, ବ୍ୟାଗଟିକୁ ବନ୍ଦକରି ଉଠି ଆସିଲେ ସେଠାରୁ । ସାଇକେଲ ହ୍ୟାଣ୍ଡେଲ୍‌ରେ ବ୍ୟାଗଟି ଝୁଲାଇବା ବେଳେ ବାପାଙ୍କୁ କହିଲେ – “ମୁଁ ନ ଆସିଲେ ଆପଣ କାଳେ ଖରାପ୍ ଭାବିବେ ବୋଲି ଚାଲି ଆସିଲି । ମୋର ଆଉ କିଛି କରିବାର ନାହିଁ । ପ୍ରକୃତରେ କାହାର କିଛି କରିବାର ନାହିଁ ।”

ସେ ଦୀର୍ଘଶ୍ୱାସ ତ୍ୟାଗକରି ଆଉ କିଛି କହିବା ପାଇଁ ଉଦ୍ୟତ ହେଲାବେଳେ, ସଦ୍ୟ ଆସିଥିବା ଗୁଣିଆ ଜଣକ କହିଲେ-“କୋକେଇ ପ୍ରସ୍ତୁତ କରିନିଅନ୍ତୁ ।”

ଗୁଣିଆଙ୍କ ଏହି ପ୍ରସ୍ତାବ ଭାରି ନିର୍ଦ୍ଦୟ ଜଣାପଡ଼ିଲା ଆମ୍ଭମାନଙ୍କୁ । ଦାଦା ଏକଥା ଶୁଣିପାରିଲା କି କ’ଣ । ସେ ଦୃଢ଼ତାର ସହିତ ଘୋଷଣା କଲା “ମଞ୍ଜୁ ଯଦି ଚାଲିଯାଏ, ତେବେ ମୁଁ ବି ଚାଲିଯିବି । ତୁମେ କ’ଣ ଭାବୁଛ ଯେ, ତା’ କୋକେଇକୁ ବି ମୁଁ କାନ୍ଧରେ ବୋହିବି ? ସେକଥା ହୋଇପାରିବ ନାହିଁ । ଆମେ ଦୁଇ ଜଣଯାକ ଯିବୁ ମଶାଣିକୁ ଏକା ସଙ୍ଗରେ ।”

ଦାଦାର ପ୍ରଶସ୍ତ ଅଗଣାଆଡ଼େ ଚାହିଁ, ମୁଁ ବସି ପଡ଼ିଲି ପିଣ୍ଡା ଉପରେ । ଚାରିବର୍ଷ ତଳର ଗୋଟିଏ ଅପରାହଣ ଜୀବନ୍ତ ହୋଇ ଠିଆ ହେଲା ମୋ ଆଗରେ । ଶନିବାରର ଅପରାହ୍ନ । ସେତେବେଳକୁ ଆମ୍ଭମାନଙ୍କର ଛାଇଗୁଡ଼ାକ ଲମ୍ୱା ହୋଇଯାଉଥିଲା । ଛ’ ଶହ ମଣିଷଙ୍କୁ ନେଇ ଗଢ଼ି ଉଠିଥିବା ଆମର ଛୋଟ, ପୁରୁଣା ଗାଁ ଉପରକୁ ଓହ୍ଲାଇ ଆସୁଥିଲା ମଳିନ ସନ୍ଧ୍ୟା । ସେ ସନ୍ଧ୍ୟାର ସମସ୍ତ ସ୍ନାୟୁ ଉପରେ ବିକ୍ଷୁବ୍ଧ ଶୋକର ଲୁହ ଅଜଶ୍ର ଲହଡ଼ି ହୋଇ ପହଁରି ଯାଉଥିଲା । ଦାଦା ଗାମୁଛାରେ ମୁହଁ ପୋଛି ହୋଇ କାନ୍ଧ ଉପରକୁ ଉଠାଇ ନେଇଥିଲା କୋକେଇର ଓଜନକୁ । ସେ’ଦିନ ବି ସେ ଦୃଢ଼ତାର ସହିତ ଘୋଷଣା କରୁଥିଲା ଯେ, ଗୋଲକର ଶବ ମଶାଣିରେ ଭସ୍ମୀଭୂତ ହେବା ଆଗରୁ ସେ ନିଜକୁ ଭସ୍ମୀଭୂତ କରିଦେଇଥିବ । ସେ ପାରିଲା ନାହିଁ । ଗୋଲକର ଶବ ଗଲା ମଶାଣିକୁ -ଭଙ୍ଗାହାଣ୍ଡି, ଅର୍ଦ୍ଧଦଗ୍ଧ କାଠ, ଛିଣ୍ଡା ମଶିଣା ଓ ଶୁଖିଲା ହାଡ଼ ପରିପୂର୍ଣ୍ଣ ନଈକୂଳର ଅପନ୍ତରାକୁ । ଗୋଲକର ନିସ୍ପନ୍ଦ ଦେହକୁ ସେ ନିଜେ ଥୋଇଦେଲା ଖଞ୍ଜା ଯାଇଥିବା ଶୁଖିଲା କାଠର କୋଳ ଭିତରେ । ସେ ନିଜେ ମୁଖାଗ୍ନି ଦେଇଥିଲା ।

ଅଠର ବର୍ଷରେ ବଡ଼ପୁଅ ଗୋଲକ ଚାଲିଯାଇଥିଲା । ଶନିବାର ଦିନ । କ’ଣ ବା ତା’ର ହୋଇଥିଲା ? ସକାଳେ ଆସି କହିଲା ଯେ, ତାକୁ ଭାରି କମ୍ପ ଲାଗୁଛି । ଜ୍ୱର । ଭୀଷଣ ତାତି । ଔଷଧ ପଥିର ବ୍ୟବସ୍ଥା କରୁ କରୁ ଦିନ ବାରଟା ସରିକି ସେ ଆଖି ବୁଜିଦେଇଥିଲା ।

ତିନି ଭଉଣୀ ଉପରେ ସେ ଥିଲା ଏକମାତ୍ର ଭାଇ । ଅଠର ବର୍ଷର ଯୁଆନ୍ ପିଲାଟେ । ତାକୁ ଫୁଙ୍କି ଉଡ଼ାଇଦେଲା ସାମାନ୍ୟ ଜ୍ୱର । ଏ ପୃଥିବୀରେ କ’ଣ କାହାରିକୁ ଜ୍ୱର ହେଉନାହିଁ ?

ଦାଦାର ସଂସାର ସେଇଦିନୁ ବିବର୍ଣ୍ଣ ହୋଇଯାଇଥିଲା । ଗୋଲକ ସାଙ୍ଗରେ ମରିବାକୁ ଚାହୁଁଥିବା ଦାଦା ବହୁଦିନ ଯାଏ ନିଜକୁ ସଂଯତ କରି ପାରି ନ ଥିଲା । କାହିଁକି ସେ ଖଟିବ ? କାହା ପାଇଁ ? ଝିଅମାନେ ଶାଶୁଘରକୁ ଚାଲିଗଲା ପରେ ତା’ର କେଉଁ ସଂଜ୍ଞା ଅବଶିଷ୍ଟ ରହିବ ? ପାହାନ୍ତା ପ୍ରହରର ପୋଡ଼ାଜହ୍ନ ? ବିଧବା ହୋଇ ଯାଇଥିବା ନାରୀର ଶଙ୍ଖା ?

ଗୋଲକ ଚାଲିଗଲା । ଗାଁ ଦାଣ୍ଡରେ ଉଚ୍ଛସିତ ସ୍ୱରର ହସ ଶୁଭିଲା ନାହିଁ । ଗୋଲକ କେଡ଼େ ମଜା କଥା କହି ହସାଇ ପାରୁଥିଲା ! ରଜବେଳେ ଗାଁ ମୁଣ୍ଡ ପଡ଼ିଆରେ ଡ୍ରାମା ହୁଏ । ଅଥଚ କେଡ଼େ ନିଃସ୍ୱ, ପ୍ରାଣହୀନ ଜଣାପଡ଼େ ସେ ଡ୍ରାମା ! ଗୋଲକ କାହିଁ ? ଥରେ ହେଲେ ମଶାଣିରୁ ଉଠିଆସି ଏହାକୁ ଜୀବନ୍ତ କରିଦିଅନ୍ତା କି ! ବାହାଘର ଭୋଜିରେ ଭାତ-ଡାଲି ପରଷିବାକୁ କିଏ ଆଉ ଅଣ୍ଟାଭିଡ଼ି ବାହାରି ଆସିବ ? ଗୋଲକ ତ ନାହିଁ !

ମୁଁ ଆଦୌ ଚିନ୍ତା କରିପାରୁ ନ ଥିଲି, ମଞ୍ଜୁ ଯଦି ସତକୁ ସତ ଚାଲିଯାଏ, ତେବେ ତାଙ୍କ ଘରେ ଅନ୍ୟମାନେ ବଞ୍ଚିବେ କିପରି ? ଆମେ କେଉଁ ସାନ୍ତ୍ୱନା ଦେବୁ ? ମୋର ବିବ୍ରତ ଚିନ୍ତାକୁ କଲବଲ କରି ଶୁଭିଲା ଉଚ୍ଚ ସ୍ୱରରେ ଯନ୍ତ୍ରଣା ଜର୍ଜରିତ କାନ୍ଦଣା ।

ମଞ୍ଜୁ ମରିଗଲା ।

ସବୁ ଯେପରି ଫଟୋଗ୍ରାଫିକ୍ ଚିତ୍ରର ସ୍ଥିର, ଅଚଞ୍ଚଳ ଆଭାସ ! ଗଛର ପତ୍ର ହଲୁନାହିଁ, ଆମେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ପଙ୍ଗୁ ହୋଇ ଯାଇଛୁ, ସମଗ୍ର ବ୍ରହ୍ମାଣ୍ଡ ଖାଲି ଗୋଟାଏ ଗତିହୀନ, କମ୍ପନହୀନ, ବିଶାଳ ଧୋକାବାଜ । ଆମେ ଯେ କୁଆଡ଼େ ବସି ରହିଥିଲୁ । ଆମ ଭିତରେ, ବାହାରେ କିଛି ଘଟୁନଥିଲା । ଏପରିକି ସେଇ କେତୋଟି ମୁହୂର୍ତ୍ତପାଇଁ ଆମ ଗାଁ କୁ ଜାବୁଡ଼ି ଧରି ରଖିଥିବା ବିହ୍ୱଳିତ କାନ୍ଦଣାକୁ ଆମେ କେହି ଶୁଣିପାରୁ ନ ଥିଲୁ ।

ଫରଚା ହୋଇ ଆସିଲାଣି । ଶନିବାରର ରାତି ଖଣ୍ଡ ଖଣ୍ଡ ହୋଇ ଫାଟି ଯାଉଛି । ଖୁଣ୍ଟକୁ ଆଉଜି ବସିଥିବା ଗୁରୁଚରଣ ବଡ଼ବାପା ଉଠିଆସିଲେ । ଗୋଟାଏ ଅପମାନବୋଧରେ ସେ ଭାରି ସଂକୁଚିତ ଦେଖା ଯାଉଥାନ୍ତି । ଗୁଣିଆ ଭାବରେ ମାତ୍ର ଦଶ ଦିନରେ ତାଙ୍କର ଏଇ ତୃତୀୟ ପରାଜୟ । ଏହା ପୂର୍ବରୁ ଅନ୍ୟ ଗାଁ ର ଦୁଇଜଣକୁ ସେ ସାପ ବିଷ ବିରୁଦ୍ଧରେ ଲଢେ଼ଇକରି ବଞ୍ଚାଇ ପାରି ନ ଥିଲେ । ସେ ଚାରିଆଡ଼ୁ ଆହତ ଦୃଷ୍ଟି ବୁଲାଇ ଆଣିଲେ । ମନକୁ ମନ କହିଲେ କ’ଣ ହୋଇଛି ଏ ପୃଥିବୀକୁ ? ଏଠାରେ କ’ଣ ମନ୍ତ୍ର ଆଉ କାମ କରିବ ନାହିଁ ? ସାପ କାମୁଡ଼ା ଯୋଗୁଁ ଶୋଇପଡ଼ୁଥିବା ମଣିଷର ନିଦ କ’ଣ ଭାଙ୍ଗିବ ନାହିଁ, ମନ୍ତ୍ରର ସ୍ପର୍ଶରେ ?

ମୁଁ ବି ଚାହିଁଲି ଚାରିଆଡ଼କୁ । ସବୁ ତ ଠିକ୍‌ଥିଲା ପରି ଲାଗୁଛି । ମଣିଷ ଜନ୍ମ ହେଉଛି, ସ୍ତନ ଚିପୁଡ଼ି କ୍ଷୀର ପିଉଛି । ସୂର୍ଯ୍ୟ ଆଗଭଳି ଚଳପ୍ରଚଳ କରୁଛି । ବର୍ଷା ହେଉଛି । କଣ ତେବେ ହଜି ଯାଉଛି ଏଠାରୁ ? ଏବେ ଏଣିକି ଯଦି ସାପର ବିଷ ସତ୍ୟ ହୁଏ; ଝଡ଼ା-ଫୁଙ୍କା ଯଦି ଖାଲି ପ୍ରତାରଣା ହୁଏ, ତେବେ କେମିତି ଆମେ ନିରାପଦ ଅନୁଭବ କରିବା ? କେହିଜଣେ ହେଲେ କହିଦିଅ କ’ଣ ଅଭାବ ରହୁଛି, ଏଠାରେ !

ଦାଦା ଚାରିବର୍ଷ ପରେ ପୁଣି କାନ୍ଦୁଛି । ତଥାପି କେଡ଼େ ନୂଆ ଜଣା ପଡ଼ୁଛି, ଏ କାନ୍ଦଣା ! ମଣିଷର ମୁହଁ ସିନା ପୁରୁଣା ଦେଖାଯାଏ; ହେଲେ ତାର ଲୁହର ଭାଷା ସବୁବେଳେ ସ୍ୱତନ୍ତ୍ର । ଏ ପୃଥିବୀରେ କେଉଁଠି ଭଲା ଗୋଟାଏ ପ୍ରକାରର ଯନ୍ତ୍ରଣା ରହିଛି !

ବାପା ତା’ର ଡାହାଣା ବାହାକୁ ଧରିଥାନ୍ତି । ସେ ଅଳି କରୁଥାଏ -“କେଉଁଠି ମୁଁ ମୋର ଛୁଆମାନଙ୍କୁ ଲୁଚାଇବି ? କାଲିଭଳି ସେମାନଙ୍କୁ ଅଠରବର୍ଷ ହୋଇଯିବ । ମାସରେ ଚାରିଟା ଶନିବାର । କ’ଣ କରିବି ମୁଁ ?”

ଦାଦା ଯଦି ତା’ ଛୁଆମନଙ୍କୁ ଲୁଚେଇବା ପାଇଁ ନିରାପଦ ସ୍ଥାନ ପାଆନ୍ତା କେଡ଼େ ଭିଡ଼ ହୁଅନ୍ତା ସେଠାରେ ! କାହାଠାରୁ ସେ ଲୁଚାଇବ ସେମାନଙ୍କୁ ? ଏମିତି କେଉଁ ଜିନିଷ ଅଛି, ଯାହା ଉପରେ ସମୟର ସୁଅ ଘସି ହୋଇପାରେ ନାହିଁ ? ଦଦରା ଚାଳଘରେ ରହୁଥିବା, ସାତସିଆଁ ଲୁଗା ପିନ୍ଧୁଥିବା ଦାଦା ଖୋଜୁଛି ଏମିତି ସ୍ଥାନ, ଯାହା ଉପରେ ଅଷ୍ଟାଦଶ ବର୍ଷ ଓ ଶନିବାର ଛାଇ ପଡ଼ିବ ନାହିଁ ! କିଏବା ସିଧା ସଳଖ ଡେଇଁଯିବ ସତର ବର୍ଷରୁ ଊଣେଇଶ ବର୍ଷକୁ, ଶୁକ୍ରବାରରୁ ରବିବାରକୁ ? ମୋତେ ଜଣାଯାଉଥିଲା, ଦାଦା ପାଇଁ ବର୍ତ୍ତମାନ କେବଳ ଗୋଟିଏ ବାରର ଅସ୍ତିତ୍ୱ ଅଛି – ଶନିବାର । ଅନ୍ୟ ସବୁ ବାର ଡାହା ମିଛ । ସମସ୍ତଙ୍କ ପାଇଁ ଊଣେଇଶ ବର୍ଷ, ଅପହଞ୍ଚ ସମୟର ଆକାଶ । ସେଠାକୁ ଗୋଲକର ହାତ ପାଏ ନାହିଁ, ପାଏ ନାହିଁ ମଞ୍ଜୁର ହାତ ।

ମାୟାଧର ଦାଦାଙ୍କର ମା’ । ସମ୍ପର୍କରେ ମୋର ଜେଜେମା ହେବେ । ବୁଢ଼ୀ ହେଲାଣି । ସେ ଗୋଟେ ଅଭିନବ ପ୍ରସ୍ତାବ ଦେଲା -“କୁମର ଗୋଟାଏ କାମ କରୁ । ଦି’ଟା ଯାକ ଝିଅଙ୍କୁ ସେ କାହାପାଖରେ ହେଲେ ବିକିଦେଉ । ପାଷାଣ ଯମ ଜାଣୁ ଯେ, କୁମରର ଆଉ କେହି ଛୁଆ ନାହାନ୍ତି । ବୁଢ଼ା ବାପଟା ଆଉ କେତେ ସହିବ ?”

ଏମିତି କଲେ ସାନ ଝିଅ ଦୁଇଟା ରକ୍ଷାପାଇ ପାରିବେ କି ନା, ମୁଁ ଭାବିପାରୁ ନଥିଲି । ମୁଁ କେବଳ ଏତିକି ଭାବୁଥିଲି ଯେ ବେଳେବେଳେ ଜନ୍ମିତ ଛୁଆମାନେ ବାପା, ମା’ଙ୍କୁ ହତଭାଗା କରିଦିଅନ୍ତି । ଏଇତ, ଆମ ଆଖିଆଗରେ ଦାଦା ଓ ଖୁଡ଼ୀ ସର୍ବହରା, ନିଃସ୍ୱ ଦେଖାଯାଉଛନ୍ତି । ଏମାନେ ଛୁଆ ଦି’ଟାକୁ ଜନ୍ମ ଦେଇଥିଲେ ସେମାନଙ୍କର ମରଣ ଦେଖିବାକୁ, ନିଜ କୋଳରୁ ଉଠାଇ କୋକେଇର କୋଳରେ ଖଞ୍ଜିଦେବାକୁ । ଗୋଲକ ଓ ମଞ୍ଜୁ ଖାଲି ସେଇଥିପାଇଁ ଜନ୍ମ ହୋଇଥିଲେ ସିନା !

ମୁଁ ଉଠିଲି ଘରକୁ ଫେରିବା ପାଇଁ । ସେତେବେଳ ସୁଦ୍ଧା ସୂର୍ଯ୍ୟ ଉଠି ନ ଥାଏ । ଗାଁ ର ଯେଉଁଲୋକମାନେ ସାରା ରାତି ଜଗି ବସିଥିଲେ, ଅଧିକାଂଶ ଫେରି ଗଲେଣି । କାହାର ବା ମନ ହେବ ସେଠାରେ ବେଶି ସମୟ କଟାଇବାକୁ ?

ବାରଣ୍ଡାର ଦୁଇ ଖମ୍ୱରେ ଡେରି ହୋଇ ମା’ ଓ ପ୍ରୀତି ବସିଥିଲେ । ନିର୍ବାକ ହୋଇ । ମୋତେ କେହି ପଚାରିଲେ ନାହିଁ । ମୁଁ ଶୋଇବା ଘରକୁ ଗଲି । ଖଟ ଉପରେ ଝିଅ ଶୋଇଥିଲା । ତା’ର ନିଶ୍ୱାସର ଶବ୍ଦ ଭାରି ଆଶ୍ୱାସନାମୟ ଜଣାଗଲା ମୋତେ । ତାକୁ ଦେଖିଲି ସମସ୍ତ ଆବେଗ ଓ ଏକାଗ୍ରତାର ସହିତ; ସତେ ଯେପରି ଏଇ ପ୍ରଥମକରି ଦେଖୁଛି ତା’କୁ ।

ମା’ ପାଖରୁ ଶୁଣିଛି, ପିଲାଦିନେ କାହାଣୀ ଶୁଣିବାକୁ ମୁଁ ଖୁବ୍ ଜିଦ୍ କରୁଥିଲି । ସଞ୍ଜବେଳେ ଦାଦା ପାଖରେ ମୋତେ ଛାଡ଼ି ଦିଆଯାଏ । ସେ ଆରମ୍ଭକରେ ରାଜା-ରାଣୀ କଥା । କାହାଣୀ ସରେ ନାହିଁ । ମୁଁ ଶୋଇପଡ଼େ । ସକାଳେ ମୁଁ ଦେଖେ, ଦାଦାର ଦଉଡ଼ିଆ ଖଟ ଉପରେ ମୁଁ ନାହିଁ । ଆମ ଘର ପଲଙ୍କ ଉପରେ ମୁଁ ଶୋଇଛି । ଦାଦାର କାହାଣୀ ଅଟକି ଯାଇଥାଏ ରାଜକୁମାରୀ ପାଖରେ । ସେ ଅପେକ୍ଷା କରି ରହିଛି ରାଜକୁମାରକୁ । ଘୋଡ଼ାରେ ଚଢ଼ି ସେ ଆସିବ ସେଇ ପୋଖରୀ ତୁଠକୁ । ରାଜକୁମାରୀ ଛନଛନ ଆଖିରେ ତା’ଆଡ଼େ ଚାହିଁ ଦେହ, ମୁଣ୍ଡରୁ ଖସିଯାଇଥିବା ଓଦା ଲୁଗାରେ ନିଜକୁ ଆବୃତ କରିବାକୁ ଚେଷ୍ଟାକରୁଥିବ, ଥରିଲା ହାତରେ । ତା ପରେ ଆଉ କ’ଣ ? ମୁଁ ଶୋଇପଡ଼େ । ଦାଦାର କଳ୍ପନାର କାହାଣୀ ରହିଯାଏ ସେଇଠି । ହେଲେ ମଞ୍ଜୁ ତ କଳ୍ପନା- ପ୍ରସୂତ ନୁହେଁ-ବାସ୍ତବ; ମୋ ପରି, ତୁମ ପରି । ମଞ୍ଜୁ ଆଉ କାହିଁକି ପୋଖରୀ ତୁଠକୁ ଯିବ ? କାହା ପାଇଁ ଅପେକ୍ଷା କରିବ ସେ ? ଏ ପୃଥିବୀରେ କଳ୍ପନାର କାହାଣୀ ଓ ବାସ୍ତବତାର କାହାଣୀ ଗୋଟିଏ ବିନ୍ଦୁରେ ମିଳିତ ହୋଇ ପରସ୍ପର ଭିତରେ ହଜିଯାଆନ୍ତି ବୋଲି ମୋର ଆଗରୁ ଧାରଣା ନ ଥିଲା ।

ମଞ୍ଜୁ ଆଉ ନାହିଁ । ଭୋକ କମିଯାଉଛି ବୋଲି ଚା’ ଖାଇବାକୁ ସେ ମୋତେ ବାରଣ କରିବ ନାହିଁ, ମୋର ଓଦା ଲୁଗା ଶୁଖେଇଦେବ ନାହିଁ । ଝିଅ ଆଖିରେ କଜଳ ଲଗାଇଦେବ ନାହିଁ । ମୁଁ ଦୀର୍ଘଶ୍ୱାସ ତ୍ୟାଗ କଲି ।

ଗାଁ ଚୌକିଦାର କେତେବେଳୁ ଥାନାରୁ ଫେରିଲାଣି । ସେଠାରେ ସେ ଖବର ଦେଇଛି । ପୋଲିସ୍ ଆସି କଥାଟାର ସତ୍ୟାସତ୍ୟ ଅନୁଧ୍ୟାନ କଲେ ଯାଇ ମଡ଼ା ଉଠିବ । ରାସ୍ତା ଉପରେ, ବାଉଁଶ ତିଆରି ବୋଝତଳେ ହତ୍ୟାକାରୀ ଚିତି ସାପଟି ବନ୍ଦୀ ହୋଇ ପଡ଼ି ରହିଛି । ଘର ଭିତରେ ବନ୍ଧନହୀନ ହୋଇ ପଡ଼ିଛି ମଞ୍ଜୁର ମୁର୍ଦ୍ଦାର । ଡେରିହୋଇ ଯାଉଛି । ସାରା ଗାଁ ଅଣନିଃଶ୍ୱାସୀ ହୋଇ ରୁନ୍ଧି ହୋଇ ପଡ଼ିଲାଣି ।

କାହିଁ ? ଅପରାହ୍ନ ତିନିଟା ବାଜିଲା । ଏ ଯାଏଁ ପୋଲିସ୍‌ର ଦେଖା ନାହିଁ । ଆମେ ସଭିଁଏ ବିକଳ ହୋଇ ପଡ଼ିଲୁ । ଦୁଇଥର ଲୋକ ପଠା ଯାଇଛି ଥାନାକୁ । ହଁ, ଯିବା, ଯିବା ବୋଲି ପୋଲିସ ଆସୁନାହିଁ । ମଡ଼ା ବାସୀ ହେଲେ ତାଙ୍କର ବା ଯାଏ କ’ଣ ? କେଡ଼େ ଅନାସକ୍ତ ସେମାନେ ।

ଚାରିଟା ବେଳକୁ ବିରକ୍ତିର ମୁହଁ ନେଇ ସେମାନେ ଆସିଲେ । ମାତ୍ର ପାଞ୍ଚ ମିନିଟ୍‌ର କାମ ।

ପୋଲିସ୍ ଫେରିଗଲାପରେ, କୋକେଇ ପ୍ରସ୍ତୁତ କରାହେଲା । ବହୁବେଳୁ କାନ୍ଦଣାର ସ୍ୱର ଥମି ଯାଇଥିଲା; କିନ୍ତୁ ମଞ୍ଜୁର ଦେହକୁ ଘରୁ କାଢ଼ିଆଣି କୋକେଇରେ ବାନ୍ଧିବା ବେଳକୁ ସେ ସ୍ୱର ଆହୁରି କରୁଣ, ଆହୁରି ବିଶାଦଗ୍ରସ୍ତ ହୋଇ ଯାଇଥିଲା ।

ଦାଦା ଠିଆ ହୋଇଥିଲା ପାଖରେ; ଅନ୍ୟ ମାଲଭାଇଙ୍କ ସହିତ । ନା, ସେ ମରିନାହିଁ । ସେ ମରି ନ ଥିଲା ଗୋଲକର ମୃତ୍ୟୁ ପରେ । ସେ ବସିପଡ଼ିଲା ତଳେ । କୋକେଇଟିକୁ କାନ୍ଧ ଉପରକୁ ଉଠାଇବାକୁ ହେବ । ଯନ୍ତ୍ରଣାରେ ମୋର ଆଖି ଆପଣାଛାଏଁ ବନ୍ଦ ହୋଇଗଲା । ମଞ୍ଜୁ ପାଇଁ ଆହୁରି ଦୁଇଧାର ଲୁହ ଝରି ଆସିଲା ମୋର ଗାଲ ଉପରେ ।

ମଞ୍ଜୁର ମୁର୍ଦ୍ଦାର ଆଉ ଭୂଇଁ ଉପରେ ନାହିଁ । ବର୍ତ୍ତମାନ ତାହା ଦାଦାର କାନ୍ଧରେ, ଅନ୍ୟ ମାଲଭାଇଙ୍କ କାନ୍ଧରେ । ଜଣେ ବାପା ପାଇଁ ନିଜ ଛୁଆର ମୁର୍ଦ୍ଦାର ଠାରୁ ବଳି ଆଉକିଛି ଓଜନିଆ ଜିନିଷ ପୃଥିବୀରେ ଅଛି କି ? ତଥାପି ଦାଦାର କମ୍ପିତ କାନ୍ଧ ଉପରୁ କୋକେଇଟା ଖସି ପଡ଼ୁନାହିଁ । ନଈକୂଳରେ ଶୁଖିଲା କାଠ ସଜାଡ଼ି ସେ ନିଜର ଦ୍ୱିତୀୟ ସନ୍ତାନକୁ ମୁଖାଗ୍ନି ଦେଇ ଫେରିବ ।

ବୁଧବାର ଆସିଲା । ଗାଁ ର ଝିଅମାନେ ଚାଉଳଭଜା ଓଷା କରୁଥିବାର ଦିନ । ସନ୍ଧ୍ୟାରେ ଆମ ଗାଁ ର ଅଣୁ ପରମାଣୁ ଭିତରେ ଗୋଟାଏ କୋହମିଶା ସ୍ୱର ଜଣକୁ ଖୋଜି ବୁଲିଲା-“ମଞ୍ଜୁ, ଲୋ ବାୟାଣୀ ! କିଲୋ, କେଉଁଠି ଶୋଇପଡ଼ିଲୁ କି ? ଉଠ୍ । ଚାଉଳଭଜା ଓଷାକୁ ସଭିଏଁ ଗଲେଣି । ଉଠ୍, ମା । ଉଠ୍ ।”

ସେ ସ୍ୱରରେ କ’ଣ ଥିଲା କେଜାଣି, ସମଗ୍ର ଗାଁ କାଙ୍ଗାଳ ସର୍ବହରା ଜଣା ପଡ଼ିଲା । ପାହାଡ଼ର ଶିଳା-ପ୍ରଶିଳା, ଶିଖ ଉପରେ ଥିବା ମନ୍ଦିରର ପତାକା, ମୁଣ୍ଡ ଉପରର ଆକାଶ-ସମସ୍ତେ ଅପରାଧୀ ଭଳି ନୀରବ ଓ ନତମସ୍ତକ ହୋଇଗଲେ । ଚାଲୁଥିବା ମଣିଷର ଗୋଡ଼, ଖାଉଥିବା ମଣିଷର ହାତ, ଭୁକୁଥିବା କୁକୁର ଓ ପାକୁଳି କରୁଥିବା ଗାଈର ପାଟି ମୋହଗ୍ରସ୍ତ ହେଲାଭଳି ଅଟକି ଗଲା ।

ଏବେ ମଧ୍ୟ ଏ ଡାକ ମଝିରେ ମଝିରେ ଶୁଣାଯାଏ । ଏ ଡାକ କେବେ ସରିଛି ନା ସରିବ ?

ଲୋକପ୍ରିୟ ଲେଖା

To Top