ଗଳ୍ପ

ମୁଁ ବି ମଣିଷ

ଆରେ ସେ ବାର ଦୁଆର ହେଲା ବୋଲି, ତୁମର କି ଅଧିକାର ଅଛି ତା’କୁ ବାଡ଼େଇବ ? କନେଷ୍ଟବଳ ଦୁହେଁ ଭୋଇବାବୁକୁ ଭିଡ଼ି ଧରିଲେ – ଚାଲ ବାବୁ ଥାନାକୁ ଚାଲ ।

ମୁଁ ବି ମଣିଷ

କଳା ନାଲି ଧଡ଼ିଆ ଗାମୁଛାଟାଏ ପିନ୍ଧି ଖାଲି ଦେହରେ ମୁଣ୍ଡରେ ଗୋଟିଏ ପିତ୍ତଳ ଥାଳିରେ ମଙ୍ଗଳା ମାଁଙ୍କ ମୂର୍ତ୍ତିଟିଧରି ପୋଲିସ୍ ଷ୍ଟେସନ୍ ଭିତରେ ପଶିଗଲା ୨୨/୨୩ ବର୍ଷର ଯୁବକଟିଏ । ଥାନା ବଡ଼ବାବୁଙ୍କ ଟେବୁଲ୍ ଉପରେ ମୂର୍ତ୍ତି ସହ ଥାଳି ଥୋଇଦେଇ ଭୋ ଭୋ ହୋଇ ବୁକୁଥରା କାନ୍ଦିପକାଇଲା ସେ ।

ଚକିତ ହୋଇ କନେଷ୍ଟବଳ ରାଧୁଆ ସାନ୍ତ୍ୱନା ଦେବାକୁ ଆଗେଇ ଆସିଲା । ତାକୁ -ଆରେ କ’ଣ ହେଲା ?…କାନ୍ଦୁଛୁ କାହଁକି ? ନିଜର ପ୍ରଜାପତିଆ ନିଶ ହଳକୁ ମୋଡ଼ି ପକେଇ ବଡ଼ବାବୁ ପାଟି କରିଉଠିଲେ- ଆରେ ଘଣ୍ଟପାଟିଆ ଥାନା ଭିତରକୁ ଆସିଲୁ କେମିତି ? ଜଲ୍ଦି ପଦାକୁ ବାହାରିଯାଆ । ବଡ଼ବାବୁଙ୍କ ଇସାରରେ କନେଷ୍ଟବଳ ରାଧୁଆ ଓ ମାଧବ ଦୁହେଁ ଘଣ୍ଟପାଟିଆର ହାତକୁ ଟାଣି କହିଲେ – ଜଲ୍ଦି ମୂର୍ତ୍ତି ଉଠା, ବାହାର୍, ନିକଲ୍ ।

ଥାନାବାବୁଙ୍କୁ ହାତଯୋଡ଼ି ଦେଇ ଯୁବକ ଜଣକ ଆକୁଳ କଣ୍ଠରେ କହି ପକାଇଲା – ଆଜ୍ଞା, ମୋ ନାଆଁ ସୁନାକର । ପ୍ରତି ମଙ୍ଗଳବାର ଓ ଶନିବାର ଦିନ ପେଟପାଟଣା ପାଇଁ ମାଁ ଙ୍କୁ ଧରି ଘର ଘର ବୁଲି ଘଣ୍ଟ ବଜେଇ ଭକତ ମାନଙ୍କୁ ପାଦୁକା, ସିନ୍ଦୂର ଦେବା ମୋ କାମ । ଲୋକମାନେ ଭାରି ଖାତିରି କରନ୍ତି ମୋତେ । ଆଜ୍ଞା ମୋ ବାପ ଅଜା ଅମଳରୁ ଏଇ ବେଉସା ଆମର । କାନ୍ଦି ପକେଇ ତଳେ ନଥ୍‌କରି ବସିଗଲା ଲୋକଟି । ବାଷ୍ପାରୁଦ୍ଧ କଣ୍ଠରେ କହିପକେଇଲା – ହେଲେ ଆଜ୍ଞା ଆଜି ଜଣେ ଭୋଇ ବାବୁ ମୋତେ ବାଡ଼େଇ ପକେଇଲେ ।

ଥାନାବାବୁ ଧମକେଇ କହିଲେ -ଆରେ ତୁ କିଛି କାରସାଦି କରିଥିବୁ ବୋଧେ ନ ହେଲେ ତାକୁ କ’ଣ ଭୂତ ଲାଗିଛି ତୁଚ୍ଛାଟାରେ ବାଡ଼େଇ ପକେଇଲା !

ବିନମ୍ର ହେଇ ସୁନାକର କହିଲା -ନାଇଁ ଆଜ୍ଞା, ମୁଁ ତାଙ୍କ ପଡ଼ିଶା ଘର ପାଖରେ ଘଣ୍ଟ ବଜାଉଥିଲି । ତୁ କାହିଁକି ଶୋଇଲା ବେଳେ ଡ଼ିଷ୍ଟପ୍ କରୁଛୁ କହି ମୋତେ ସେ ବାଡ଼ିଟାରେ ବାଡ଼େଇ ପକାଇଲେ । ଆପଣ ଚାଲନ୍ତୁ ,ଏକଥାର ବିଚାର କରନ୍ତୁ । ମୁଁ ଗରିବ ବୋଲି କ’ଣ ମୋ’ର ମାନ ମହତ ନାହିଁ ? ଘଣ୍ଟପାଟୁଆ ବୋଲି କ’ଣ ମୁଁ ମଣିଷ ନୁହେଁ? ମୋ’ର କ’ଣ ଆତ୍ମସମ୍ମାନ ନାହିଁ ?

ଲୋକଟିର କଥାରେ ଥାନାବାବୁ ସଂଭ୍ରମ ହୋଇଗଲେ । ଲୋକଟିର କଥାକୁ ବୁଝି ନବୁଝିଲା ପରି ଥାନାବାବୁ ଯାହା ଅଭିନୟ କରୁଥିଲେ କାହିଁକି କେଜାଣି ମନ ତାଙ୍କର ଦବିଗଲା । କନେଷ୍ଟବଳ ଦୁହିଁଙ୍କୁ ଇସାରା କଲେ ଘଣ୍ଟପାଟୁଆ ସାଙ୍ଗରେ ଠିକଣା ଜାଗାକୁ ଯିବା ପାଇଁ, ନିଜେ ମଧ୍ୟ ତଡ଼ିତ୍ ବେଗରେ ବାହାରି ପଡ଼ିଲେ । କନେଷ୍ଟବଳ ଦୁହେଁ ତା’ଠାରୁ ମଙ୍ଗଳା ମାଆଙ୍କ ପାଦୁକା ପାଇ ନିଜ ପିଲାଛୁଆଁ ମାନଙ୍କ ପାଇଁ ସିନ୍ଦୁର ନେଇ ପକେଟ୍‌ରେ ପୁରେଇ ସାରିଥିଲେ । ସାହି ଭିତରେ ଘଣ୍ଟପାଟୁଆ ପୋଲିସ୍ ଜିପ୍‌ରୁ ଓହ୍ଲେଇବା ଦେଖି ଲୋକ ମାନଙ୍କ ମନରେ ଉତ୍ସୁକତା ଭରି ରହିଥାଏ । ପିଲା ଠାରୁ ବୁଢ଼ାବୁଢ଼ୀ ଯାଏ ଘଣ୍ଟପାଟୁଆ ପଛରେ ଚାଲିଥା’ନ୍ତି । ଘଣ୍ଟପାଟୁଆ ହେଲେ ମଧ୍ୟ ସେ ଯେ ସମାଜର ସ୍ଥାୟୀ ବାସିନ୍ଦା -ତା’ର ବି ଆତ୍ମସମ୍ମାନ ଅଛି । ମଣିଷ ସାଙ୍ଗରେ ମଣିଷ ଯୁଝି ହେବାକୁ ଯେଉଁ ଅଫୁରନ୍ତ ଶକ୍ତି ଦରକାର । ତାହା ତା’ର କଳା ମଚ୍‌ମଚ୍‌ ବଳିଲା ବାହୁରେ ତ’ ନିଶ୍ଚିନ୍ତ ଭାବରେ ଥିଲା । କିନ୍ତୁ ତା’କୁ ଜିଣିପାରିବାର ସାମର୍ଥ୍ୟକୁ ବୁଦ୍ଧି ଖଟେଇ ଲୋକ ଲୋଚନକୁ ଆଣି ପାରିଥିଲା ସେ । ଯେଉଁ ମାନଙ୍କର ସମ୍ମୁଖରେ ତା’ର ବ୍ୟକ୍ତିତ୍ୱ ଓ ଆତ୍ମସମ୍ମାନ କ୍ଷାନ୍ତ ହୋଇଥିଲା । ଆଜି ତା’ ପଛରେ ସେହିମାନେ ପଟୁଆର ହୋଇ ଚାଲିଥାଆନ୍ତି । ଗର୍ବରେ ଘଣ୍ଟପାଟୁଆ ତେରେଚ୍ଛା ନଜର ଦେଇ ସଭିଁଙ୍କ ଆଡ଼କୁ ବୁଲି ବୁଲି ଚାହିଁ ଆଗେଇ ଚାଲିଥାଏ । ଏକ ନବନିର୍ମିତ୍ତ କୋଠାଘର ଆଡ଼େ ଠିଆହୋଇ ନିଜର ସମସ୍ତ ବଳ ଖଟେଇ ପାଟି କରିଉଠିଲା ଘଣ୍ଟପାଟୁଆ – ହୋ ବାବୁ, ବାହାରକୁ ଆସ, ଏବେ ତ ସଞ୍ଜ ହେଲାଣି, ଆଉ ତ ଡ଼ିଷ୍ଟପ୍ ହେବନାହିଁ ।

ଘଣ୍ଟପାଟୁଆର ସ୍ୱର ଶୁଣି ଭୋଇବାବୁଙ୍କର ଛାତି ଭିତରଟା ଧଡ଼ପଡ଼ ହୋଇଗଲା । ସ୍ତ୍ରୀ ତାଙ୍କର ଏଭଳି ଘଟଣାକୁ ସେତେବେଳେ ଭାରି ବିବାଦ କରିଥିଲେ । କହିଥିଲେ – ଜାଣିଲ ମଙ୍ଗଳା ମାଆଙ୍କ ପୂଜକ ସେ, ତାଙ୍କୁ ତୁମେ ହାତ ଉଠାଉଛ ? ଦେଖ ଛାଡ଼ିଦିଅ ।

କିନ୍ତୁ ଖରାବେଳେ ନାଲିପାଣିରୁ ବୋତଲଟିଏ ଠୁଙ୍କି ଦେଇ ମୁଣ୍ଡକୁ ତାଙ୍କର ପିତ୍ତ ଚଢ଼ିଯାଇଥିଲା ବୋଧେ, ସ୍ତ୍ରୀଙ୍କ କଥାକୁ ଆକ୍ଷେପ କରି ପାଖ ବାଡ଼ରୁ ବାଡ଼ିଟିଏ ଭାଙ୍ଗି ଆଣି ପିଟି ପକେଇଥିଲେ ଘଣ୍ଟପାଟୁଆକୁ । ଦିନଯାକ ଭୀତତ୍ରସ୍ତ ହୋଇ ସ୍ତ୍ରୀ ତାଙ୍କର ନ ଖାଇ – ନପିଇ ମଙ୍ଗଳା ମାଁ’ଙ୍କୁ ମନାସୁ ଥିଲେ । ଘଣ୍ଟପାଟୁଆର ବ୍ରଜଗମ୍ଭୀର ସ୍ୱର ଶୁଣି ଦୁହେଁ ହତ୍‌ଚକିତ ହୋଇ ପଡ଼ିଥିଲେ ।

ଘରୁ ବାହାରିବା ଡେରି ଦେଖି କନେଷ୍ଟବଳ ମାଧବ ବାବୁ ପଶିଗଲେ ଘରଭିତରକୁ । ଭୋଇବାବୁଙ୍କର ସାର୍ଟ କଲର୍‌ଟାକୁ ଝିଙ୍କିକରି ତାଙ୍କୁ ପଦାକୁ ଟାଣି ଆଣିଲେ । ନାଲି ଆଖି ଦେଖେଇ କହିଲେ – କିବେ ! ଦାଦାଗିରି କଲାବେଳେ ତ ବୀର୍ଯ୍ୟ ପୁରୁଷ ହୋଇଯାଉଛୁ, ଏବେ ପୁଣି ଚୁହା ହୋଇ ଘରେ ପଶୁଛୁ କାହିଁକି ? …. ଭୋଇବାବୁଙ୍କର ଭୟାତୁର ଚେହେରାରେ କାଳିମାର ଛାପ ବାରି ହୋଇ ଯାଉଥାଏ । ପୋଲିସ୍‌ର ଭୟରେ ସେ ଥରି ଉଠୁଥା’ନ୍ତି । କିଂ କର୍ତ୍ତବ୍ୟ ବିମୁଢ଼ ହୋଇ ତାଙ୍କ ପତ୍ନୀ ଚାହିଁ ରହିଥା’ନ୍ତି । ଅପଲକ ନେତ୍ରରେ ଗର୍ବର ଠାଣିରେ କିଛିଗୋଟେ ବଡ଼ ଗଡ଼ ଜିଣିଲା ପରି ଭୋଇବାବୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥାଏ ଘଣ୍ଟପାଟୁଆ ସୁନାକର । ମୁଣ୍ଡରେ ବୋହିଥାଏ ତାର ମାଆ ମଙ୍ଗଳାଙ୍କୁ । କପାଳରେ ଟାଣିଥାଏ ଲାଲ୍ ସିନ୍ଦୂରର ଗାର । ଯେପରି ମାଆଙ୍କୁ ତା’ର ନେଇ ଆସିଛି ନିଶାପ କରିବା ପାଇଁ, ମୁରୁକା ହସ ହସି ଭୋଇବାବୁଙ୍କୁ ଚାହିଁ କହିଲା – ଆଜ୍ଞା ଆମେ ମଙ୍ଗଳା ମାଆଙ୍କ ପୂଜକ । ମାଆଁ କ’ଣ କେବେ ତା ପୁଅର କଷ୍ଟଦେଖିପାରିବ ?

ଭୋଇବାବୁଙ୍କ ସ୍ତ୍ରୀ ଆକୁଳ ହୋଇ ଗୋଡ଼ ତଳେ ପଡିଗଲେ ଘଣ୍ଟପଟୁଆର, ପାଟିରୁ ଦି ପଦ ତାଙ୍କର ବାହାରି ପଡ଼ିଲା – ହେ ମାଆ ମଙ୍ଗଳା ତୁହିଁ ଭରସା, ଭୋଇବାବୁ ଲଜ୍ଜା ଓ ଅପମାନରେ ମୁଖକୁ ଘୋଡ଼େଇ ଆଣ୍ଠେଇ ପଡ଼ିଲେ ଘଣ୍ଟପାଟୁଆର ଗୋଡ଼ ତଳେ । ଲମ୍ୱ ହୋଇ ତଳେ ପଡ଼ିଯାଇ କ୍ଷମା ନିବେଦନ କଲେ – ମାଆ ‘ଲୋ ମୋର ଭୂଲ୍ ହୋଇଯାଇଛି, ଆଉ ଦିନେ ବି ଏମିତି ଭୂଲ୍ କରିବିନି । ହେ ଘଣ୍ଟପାଟୁଆ ଭାଇ କ୍ଷମା କରିଦିଅ ।

ସାହିର ପ୍ରତ୍ୟେକଟି ପିଲା ଛୁଆ ପୁରୁଷ ସ୍ତ୍ରୀଙ୍କର ସମାଗମ ଭୋଇବାବୁଙ୍କର ଘର ଆଗରେ ବୋଝେ ହୋଇଥିଲା । ଘଣ୍ଟପାଟୁଆର ସପକ୍ଷରେ ସମସ୍ତେ ଥିଲେ ଭୋଇବାବୁଙ୍କର ଲୋକ ବଳ ବି ନଥିଲା । ସେ ହୃଦୟଙ୍ଗମ କରିସାରିଥିଲେ । ସେ ପାପୀ, ଘୃଣ୍ୟ କାର୍ଯ୍ୟ କରିଛନ୍ତି । ସାହି ମାଇପେ ଟୁପୁରୁ-ଟାପର ଆରମ୍ଭ କରିଦେଇଥିଲେ – କେଡ଼େ ପାପୀ ଦେଖ ମଙ୍ଗଳା ମାଆଙ୍କ ପୂଜକ ଉପରେ ହାତ ଉଠେଇଲା ! ମାଆ ମଙ୍ଗଳା କ’ଣ ଛାଡ଼ିବେ ? ଧରମ ଛାଡ଼ିଲାଣି ୟାକୁ, କେହି କେହି ଆଲୋଚନାରତ ଥା’ନ୍ତି -ସେ କ’ଣ ମଣିଷ ନୁହେଁ । ଆରେ ସେ ବାର ଦୁଆର ହେଲା ବୋଲି, ତୁମର କି ଅଧିକାର ଅଛି ତା’କୁ ବାଡ଼େଇବ ? କନେଷ୍ଟବଳ ଦୁହେଁ ଭୋଇବାବୁକୁ ଭିଡ଼ି ଧରିଲେ – ଚାଲ ବାବୁ ଥାନାକୁ ଚାଲ ।

ଥାନା ବଡ଼ବାବୁ ଗାରଡ଼େଇଚାହିଁ କହିଲେ – ଏଇଟାକୁ ଭ୍ୟାନ୍‌ରେ ବସାଅ । ଥାନାରେ ୟା କଥା ବିଚାର ହେବ, ଭାରି ମାରହାତିଆ ହୋଇଛି । ମାମୁଁଘରକୁ ଗଲେ ଥୟ ପଡ଼ିଯିବ ।

ସନ୍ଧ୍ୟା ସମୟ ରତ-ରତ । ସଭିଏଁ ଏକଲୟରେ ଘଣ୍ଟପାଟୁଆକୁ ନେଇ ହେଉଥିବା ପ୍ରହସନର ମଜ୍ଜା ଉଠାଉଥିଲେ । କାହିଁକି କେଜାଣି ଘଣ୍ଟପାଟୁଆ ନୀରବ ହୋଇଗଲା । ହୃଦୟ ତା’ର ଆନ୍ଦୋଳିତ ହୋଇଗଲା । ତା’ର ବିବେକ ପଣିଆ ତାକୁ ସ୍ଥାଣୁ କରିଦେଲା । ବାକ୍‌ଶକ୍ତିହୀନ ପରି କିଛିସମୟ ସେ ନିସ୍ତବ୍ଧ ହୋଇଗଲା । ତା’ର ମଣିଷପଣିଆ ହୁଏତ ତା’ଆଗରେ ହସ୍ତପ୍ରସାରି ଠିଆ ହୋଇଯାଇଥିଲା ।

ଭୋଇବାବୁଙ୍କର ସ୍ତ୍ରୀ ଓ ତିନୋଟି ଅବୋଧ ଶିଶୁଙ୍କର କ୍ରନ୍ଦନ ତାକୁ ପ୍ରକୃତ ମନୁଷ୍ୟର ଉଚ୍ଛ ବ୍ୟକ୍ତିତ୍ୱର ରୂପ ମଧ୍ୟକୁ ଟାଣିଆଣିଥିଲା । ଥାନାବଡ଼ବାବୁଙ୍କର ବାଟକୁ ଓଗାଳି କହି ପକେଇଲା – ଆଜ୍ଞା ଟିକେ ଶୁଣିବେ, ବଡ଼ବାବୁ ବିଗିଡ଼ି ଗଲେ, କହିଲେ – ଆରେ ଦାଣ୍ଡଟାରେ ତାକୁ ମାରିଲେ ଲାଭ କ’ଣ? ଥାନାକୁ ଚାଲ୍ ସେଇଠି ସବୁ ଫଇସଲା ହୋଇଯିବ, ଊତ୍ତମ-ମଧ୍ୟମ ହୋଇଗଲେ ବାବୁଙ୍କର ହିରୋଗିରି ଛାଡ଼ିଯିବ । ନମ୍ରତାର ସହିତ ଦୁଇ ହାତଯୋଡ଼ି ପକେଇଲା ଘଣ୍ଟପାଟୁଆ -ଆଖିରେ ତା’ର ଆଖିଏ ଲୁହ ଜକେଇ ଆସିଥିଲା । ଆଗେଇ ଆସି କହିଲା – ସେକଥା ନୁହେଁ ଆଜ୍ଞା, ଭୋଇବାବୁଙ୍କୁ ଛାଡ଼ିଦିଅନ୍ତୁ, ସେ ତାଙ୍କ ଭୁଲ୍‌ର ଉଚିତ୍ ଶିକ୍ଷା ପାଇସାରିଲେଣି । ଚକିତ ହୋଇଗଲେ ବଡ଼ବାବୁ, ଇଏ କ’ଣ ସେହି ମଣିଷ କ୍ଷଣିକ ଆଗରୁ ଯିଏ ମାନବ ଅଧିକାରର ସମୀକ୍ଷା କରୁଥିଲା ?

ଧନ୍ୟ ଏହି ରୂପ ! ଚକିତ ହୋଇ କହିଲେ – କ’ଣ କହିଲୁ? ମୁଁ ତ ବୁଝିପାରୁନି, ଧୀର ଗଳାରେ ସୁନାକର କହିପକେଇଲା “ଯାହା ହେଲା ଆଜ୍ଞା, ସେ କଥା ଗଲା । ତାଙ୍କୁ ଛାଡ଼ି ଦିଅନ୍ତୁ ତାଗିଦ୍ କରି ବଡ଼ବାବୁ କହିଲେ – ଜାଣିଲୁ ଆଉ ଯେମିତି ମୁଁ କମ୍ପ୍ଲେନ୍ ନଶୁଣେ । ବଡ଼ବାବୁଙ୍କ ଇସାରାରେ କନେଷ୍ଟବଳ ଦୁହେଁ ଭୋଇ ବାବୁଙ୍କୁ ମୁକୁଳାଇ ଦେଲେ । ପୋଲିସ୍ ଭ୍ୟାନ୍‌ରୁ ବାହାରି ନିଜ ସତ୍ତାକୁ ପାଇ ଘଣ୍ଟପାଟୁଆକୁ ନିବିଡ଼ ଆଲିଙ୍ଗନ କରି କଇଁ-କଇଁ ହୋଇ କାନ୍ଦି ଉଠିଲେ ଭୋଇ ବାବୁ । ଅସ୍ପଷ୍ଟ ସ୍ୱରରେ କହିଚାଲିଥା’ନ୍ତି – ଭାଇ ମୋ’ର- ଭୁଲ୍ ହୋଇ ଯାଇଛି । ଘଣ୍ଟପାଟୁଆର ଆଖିରୁ ଅଭିମାନର ତତଲା ଲୁହ ଦୁଇ-ଧାର ବୋହି ପଡ଼ିଲା । ପାଟିରୁ ତା’ର ଅକସ୍ମାତ୍ ବାହାରି ପଡ଼ିଲା – ତୁମେ ପରା ମୋର ବଡ଼ଭାଇ । ଛାଡ଼, ସବୁ ଭୂଲିଯାଅ । ଯାହା ଘଟିବା କଥା ଘଟିଗଲା । ମାଆ ମଙ୍ଗଳା ତୁମକୁ ସାହା ହେବେ । ଘରକୁ ଯାଅ । ସଞ୍ଜ ନଇଁ ଆସୁଥାଏ । ଘଣ୍ଟପାଟୁଆ ଘଣ୍ଟଟି ବଜେଇ-ବଜେଇ ପେଟ ଦୁଲୁକେଇ ଆଗକୁ-ଆଗକୁ ଚାଲୁଥାଏ ନିର୍ବାକ୍ ଚିତ୍ତରେ । ସେ ସିନା ମଣିଷ ବୋଲି ଦାବି କରୁଥଲା । ସମାଜରେ ସେ ନ୍ୟୁନ ନୁହେଁ, ତା’ର ଗୁଜୁରାଣ ବି ଛୋଟ ନୁହେଁ । କିନ୍ତୁ ତା’ହୃଦୟ ଭିତରର ବିବେକ ପଣିଆର ପରିମାପ କରିବା ଯେ ଅକଳନ ସେ କଥା ହୁଏତ ସେ ଉପଲବ୍ଧି କରିପାରିଥିଲା ।

ଲୋକପ୍ରିୟ ଲେଖା

To Top