କବିତା

ବିଦଗ୍‌ଧ ପର୍ବତ

Shambhunath Das's odia poem Bidagdha Parbata

କିନ୍ତୁ ପ୍ରତିଦିନ ମୋ ଛାତିକୁ ଲହୁଲୁହାଣ କରେ ସୂର୍ଯ୍ୟ
ଜବରଦସ୍ତ ଅତ୍ୟାଚାର କରେ ବିଭତ୍ସ ଅନ୍ଧାର
ଶରୀରକୁ ଚାବୁକ୍‌ରେ ରକ୍ତାକ୍ତ କରେ ଅଣଚାଶ ପବନ,
ମୁଁ କାନ୍ଦି ନାହିଁ କି ହୋଇ ନାହିଁ ବିଚଳିତ
ଯଦିଓ ଜ୍ୟୋତ୍ସ୍ନାରେ ଗାଧୋଇ ଦେଇଛି ଚନ୍ଦ୍ର
ଚଲାମେଘ ଘନ ଘନ ଆଙ୍କିଛି ଚୁମ୍ୱନ
ମୁଁ କେଭେ ହୋଇ ନାହିଁ ଉଲ୍ଲସିତ
ଅବା ଦେଖାଇନାହିଁ ଦାମ୍ଭିକର ପଣ ।

ବିଦଗ୍‌ଧ ପର୍ବତ

ମୁଁ ମୋ ଗର୍ଭରେ କରିଛି ପ୍ରତିପୋଷଣ
ଅସଂଖ୍ୟ ମୂଷା, ଠେକୁଆ, ନେଉଳ ଓ ସର୍ପ
ସେମାନଙ୍କର ହସଖେଳ ଦେଖି ମୁଁ ହୁଏନି ଉତ୍‌ଫୁଲ୍ଲିତ
କିବା ବାଦ-ବବାଦ, ମାର୍-ହାଣ୍ ନୀତିରେ
ମୁଁ ଲେମାନଙ୍କୁ କରିନାହିଁ ପ୍ରତ୍ୟାଖ୍ୟାନ
ବରଂ ସେମାନଙ୍କ ଜୀବନ ନିର୍ବାହ ନିମନ୍ତେ
ମୋ ବକ୍ଷରେ ସଜାଡ଼ି ରଖିଛି ଭିନ୍ନ ଭିନ୍ନ
ଫୁଲ-ଫଳର ସବୁଜ ଭଣ୍ଡାର ।

କିନ୍ତୁ ପ୍ରତିଦିନ ମୋ ଛାତିକୁ ଲହୁଲୁହାଣ କରେ ସୂର୍ଯ୍ୟ
ଜବରଦସ୍ତ ଅତ୍ୟାଚାର କରେ ବିଭତ୍ସ ଅନ୍ଧାର
ଶରୀରକୁ ଚାବୁକ୍‌ରେ ରକ୍ତାକ୍ତ କରେ ଅଣଚାଶ ପବନ,
ମୁଁ କାନ୍ଦି ନାହିଁ କି ହୋଇ ନାହିଁ ବିଚଳିତ
ଯଦିଓ ଜ୍ୟୋତ୍ସ୍ନାରେ ଗାଧୋଇ ଦେଇଛି ଚନ୍ଦ୍ର
ଚଲାମେଘ ଘନ ଘନ ଆଙ୍କିଛି ଚୁମ୍ୱନ
ମୁଁ କେଭେ ହୋଇ ନାହିଁ ଉଲ୍ଲସିତ
ଅବା ଦେଖାଇନାହିଁ ଦାମ୍ଭିକର ପଣ ।

ମୋ ବକ୍ଷରେ ନେବାକୁ ଆଶ୍ରୟ
ଅବା ମୋ ଟାଙ୍ଗଣ କୋଳରେ ନେବାକୁ ବିଶ୍ରାମ
ଧାଇଁ ଆସନ୍ତି ସମୟ-ଅସମୟେ ଅନେକ ଭଲ୍ଲ୍ରକ
ବାଘ-ସିଂହ ଅବା ହରିଣ-ଶମ୍ୱର
ଯୋଗାଇଛି ସେମାନଙ୍କୁ ବରାଭୟ ଆତିଥ୍ୟ
ସୁଯୋଗ ଦେଇଛି ସେମାନଙ୍କୁ କରିବାକୁ ନାଚ-କୁଦ
ପ୍ରତ୍ୟାବର୍ତ୍ତନରେ ଯେଉଁମାନେ ମୋ ମଥାରେ
ଆଙ୍କିଥାନ୍ତି ରକ୍ତର ତିଳକ ।

ଏତେ କଷ୍ଟ-ଯନ୍ତ୍ରଣାରେ ମୁଁ ନୁହେଁ ଜର୍ଜରିତ
ମୁଁ ଅନ୍ଧ କି ବଧିର ନୁହେଁ ମାତ୍ର
ମୂକ, ମୌନ, ନିଥର, ନିସ୍ପନ୍ଦ, ନିର୍ବେଦ
ଉତ୍ତୁଙ୍ଗ ଶରୀର ବିଶାଳ ବକ୍ଷ ମୋର
ଭାଙ୍ଗିବାକୁ ନିରବତା ଅହରହ କରୁଛି ଚିନ୍ତନ
ଗର୍ଭ ଫାଡ଼ି ବୋହିଯିବି ହୋଇ ଝରଝର
ସବୁଜ-ସୁନ୍ଦର କରିବାକୁ ମାଟି ମା’ ଶରୀର
କାରଣ ମୁଁ ଏ ସୁନ୍ଦର ସୃଷ୍ଟିର ବିଦଗ୍‌ଧ ପର୍ବତ ।

ଲୋକପ୍ରିୟ ଲେଖା

To Top