କବିତା

ଓଡ଼ିଶା କଙ୍କଡ଼ା

Dr Kalpana Mallick's odia poem Odisha Kankadaa

କଙ୍କଡ଼ା ସୋରେ
ବିଦେଶ ଭୂଇଁକୁ
ଭାଗ ନେବା ପାଇଁ
ଗଲା ଓଡ଼ିଶାର କଙ୍କଡ଼ା

ଓଡ଼ିଶା କଙ୍କଡ଼ା

ଓଡ଼ିଶା ପ୍ରଦେଶ କଙ୍କଡ଼ା
ସବୁ ପ୍ରଦେଶର କଙ୍କଡ଼ାଠୁ ଭିନ୍ନ
ବଡ଼ ଶକ୍ତିଶାଳୀ କଙ୍କଡ଼ା
ଗାଁ ପୋଖରୀରେ କଙ୍କଡ଼ା
ବିଲ ଖମାରରେ କଙ୍କଡ଼ା
ସାତକୋଶୀଆଠୁ
ଗହିରମଥା ଯାଏ
ସବୁଆଡ଼େ ଦେଖ କଙ୍କଡ଼ା
ରଙ୍ଗ ବେରଙ୍ଗର କଙ୍କଡ଼ା
ବଡ଼ ପୁଣି ଛୋଟ କଙ୍କଡ଼ା
ବିଦେଶ ବଜାରେ ନାଁ ବଢ଼ାଇଛି
ଓଡ଼ିଶା ସମୁଦ୍ର କଙ୍କଡ଼ା,
ଓଡ଼ିଆ ଭାଇ ତ କଙ୍କଡ଼ା ଧରେନି
ଖାଇଥାଏ ଖାଲି କଙ୍କଡ଼ା
ଖାଇ ଖାଇ ସିଏ କଙ୍କଡ଼ା ସବୁକୁ
ବନିଗଲା ନିଦା କଙ୍କଡ଼ା
ଶୁଣିଅଛି ଥରେ
କଙ୍କଡ଼ା ସୋରେ
ବିଦେଶ ଭୂଇଁକୁ
ଭାଗ ନେବା ପାଇଁ
ଗଲା ଓଡ଼ିଶାର କଙ୍କଡ଼ା
ସବୁ ପ୍ରଦେଶର ପ୍ୟାକିଂ ଠିକ୍ ଥିଲା
ଓଡ଼ିଶାର ଥିଲା ମୁକୁଳା
ବିମାନ ଭିତରେ ଖୋଲା କଙ୍କଡ଼ାକୁ
ଦେଖି ବୈମାନିକ ଭାବିଲା
କେମିତି ବିମାନ ଉଡ଼ାଇବି କୁହ

ଗୋଟିଏ ପ୍ୟାକେଟ୍
ରହିଛି ଖୋଲା
ବ୍ୟସ୍ତ ହୁଅ ନାହିଁ
ହେ ଚାଳକ ଭାଇ !
କହିଲା ଏକଥା ଜଣେ,
ଓଡ଼ିଶାର ଇଏ ଜାଣନି କି ତମେ
ବାହାରି ନଯିବ ସେ ସହଜରେ
କିଛି ଦୂର ଯାଏ ଉଡ଼ିଲା ବିମାନ
ପଛରୁ ଶୁଭିଲା କୋଳାହଳ
ପ୍ୟାକେଟ୍ ଭିତରେ ଓଡ଼ିଶା କଙ୍କଡ଼ା
ପଡୁଥାନ୍ତି ଖାଲି ଦୁଲ୍‌ଦାଲ୍
ହାଃ, ହୁଃ, କରି ବିମାନଯାତ୍ରୀଏ
ବସି କରୁଥାନ୍ତି ହମ୍ମାରଡ଼ି
ଗୋଟିଏ କଙ୍କଡ଼ା ବଡ଼କଷ୍ଟ କରି
ଧାଇଁ ଯାଉଥିଲା ଉଠିପଡ଼ି
ହଠାତ୍ କଙ୍କଡ଼ା ପଞ୍ଝାଏ ବାହାରି
ଧରିଲେ ତାହାର ଗୋଡ଼କୁ ଭିଡ଼ି
ବିଚରା କଙ୍କଡ଼ା ଧାଇଁ ଯାଉ ଯାଉ
ପଡ଼ିଲା ବନ୍ଧୁଙ୍କ କୂଟ ଚକ୍ରାନ୍ତେ
ବିମାନଟି ଯାଇ ରହିଲା ଉଡ଼ି
ସମସ୍ତେ ଦେଖିଲେ କଙ୍କଡ଼ା ଝୁଡ଼ି
ଓଡ଼ିଶା କଙ୍କଡ଼ା ଗୋଡ଼େ ଗୋଡ଼େ ଛନ୍ଦି
ଚୁପ୍‌ଚାପ୍ ଛନ୍ତି ଅନାଇ କରି,
ଭଦ୍ରବ୍ୟକ୍ତି ଜଣେ କହିଲେ ଆଗ
“ଆହେ ମହାଶୟ କଙ୍କଡ଼ାଗଣ
ଏମିତିକା ଯଦି ଟଣାଟଣି ହେବ
ଓଡ଼ିଶା କେମିତି ଆଗକୁ ଯିବ ??”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top