କବିତା

ମୋହଭଙ୍ଗ

Poornachandra Pattanaik's odia poem Mohabhanga

ତୁମେ ତ ତରଳ, ତୁମ ସାନ୍ନିଧ୍ୟରେ
ମୋ ବରଫ ବିଗଳିତ ହେଉଥାଏ
ଆଉ ଏକ ସ୍ୱପ୍ନ ପରି
କେନ୍ଦ୍ରାୟିତ ମହାଶୂନ୍ୟତାରେ

ମୋହଭଙ୍ଗ

ସବୁସ୍ୱପ୍ନ ହଜିଗଲା ପରେ
ମୁଁ କେବଳ ବିନ୍ଦୁଟିଏ
ଉବୁଟୁବୁ ହେଉଥାଏ
ତୁମ ସପ୍ତ ମହାସମୁଦ୍ରରେ ।

ତୁମେ ତ ତରଳ, ତୁମ ସାନ୍ନିଧ୍ୟରେ
ମୋ ବରଫ ବିଗଳିତ ହେଉଥାଏ
ଆଉ ଏକ ସ୍ୱପ୍ନ ପରି
କେନ୍ଦ୍ରାୟିତ ମହାଶୂନ୍ୟତାରେ ।

ମୁଁ ସେହି ଉତ୍ତରଣର ପାହାଚମାନଙ୍କୁ
ଗଣୁଥାଏ ନିଃଶବ୍ଦରେ
ଆଉ ପାହାଚ ସବୁ
ଭୂଇଁରୁ ଶୂନ୍ୟକୁ
ଆଲମ୍ୱନର ମୁଦ୍ରାରେ
ରୂପରେ ରଙ୍ଗରେ ନାଦରେ
ପ୍ରତିଧ୍ୱନିତ, ପ୍ରତିବିମ୍ୱିତ ହେଉଥାନ୍ତି
ମୋ ମନର ଅନୁଚ୍ଚାରିତ ଶବ୍ଦରେ ।

ମୋର କେଉଁଠି ଭୁଲ୍ ରହିଲା କି ଭକତେ ?
ମୁଁ ତ ବାଷ୍ପାକୁଳ ସ୍ୱପ୍ନିଳ ଆଖଣ୍ଡଳ
ପରିତୃପ୍ତିର ବିନ୍ଦୁର ସ୍ପର୍ଶ ମାଗୁଛି,
ଲୋଡ଼ା କି ଅଲୋଡ଼ା ବୋଲି
ପ୍ରଶ୍ନ କରନାହିଁ
ମହାବାହୁ ବରାଭୟ ହାତତୋଳି
ଏଇମିତି ସବୁକାଳେ ଅଭୟ ଯାଚୁଛି ।

ଲୋକପ୍ରିୟ ଲେଖା

To Top