ଏ ସନ ଗଜା ମରୁଡ଼ି ମାରିଲା
ତା ଆର ସନ ବଢ଼ିରେ ଯାଇଥିଲା
ମୁଗ ବିରି ରହିଲା ନାଇଁ ବିଲରେ
ଛପର ଜାଇଥିଲା ବାତ୍ୟାରେ
କାନ୍ଥ ମୁକୁଳା ସେଇକାଳୁ
କାଠ ବାଉଁଶ ମିଳିଲା ନାଇଁ
ଡିହ ବନ୍ଧା ପଡ଼ିଲା ମହାଜନ ପାଖରେ ।
ତଥାପି ଆମେ ଅଛେ
ଘର କରିଛେ ଯେତେବେଳେ
ଡରିବା କି ବା’ ବତାସକୁ !!! ?
ପୁଅ ଗଲା ସୁରାଟ
ଲୁଗାକଳରେ କାମ କରିବାକୁ
ଝିଅଗଲା ଝାନ୍ସୀ
ମାଳତୀ ଅପା ସାଥିରେ
କେବେ ଫେରିବ କେଜାଣି;
ସ୍ତ୍ରୀ ଗଲା ବାପଘରକୁ
ଆଣିବ ବୋଲି ଭାଇଠୁ କରଜ
ସାନଭାଇ ଗଲା ଚାକିରି ଖୋଜି
କଲିକତାର ଚଟକଳକୁ
ବାହା ହେଇ ରହିଲା ସିଆଡ଼େ
ଖୋଜଖବର ନାହିଁ କୋଉକାଳୁ
ଚିଠି ଖଣ୍ଡେ ଦେବାକୁ ବି ବେଳ ନାହିଁ
ଚଣ୍ଡାଳର ।
ତଥାପି ମୁଁ ଅଛି
କେହି ଥାଉ କି ନଥାଉ ସାଥିରେ
ବା’ ବତାସରେ !!!!!