ପ୍ରବନ୍ଧ

ଏକାକ୍ଷର

ତ୍ରେତୟାରେ ରାବଣ ତିନୋଟି ଅକ୍ଷର, ଦ୍ୱାପରରେ କଂସ ଦୁଇଟି ଅକ୍ଷର, କଳିରେ ମୁଁ ଗୋଟିଏ ଅକ୍ଷର ।

ଏକାକ୍ଷର

ମାନବ ଭିତରେ ଅନେକ ଗୁଣ ଥିଲେ ମଧ୍ୟ ଏକ ଗୁଢ଼ ରହସ୍ୟ ହେଉଛି ମୁଁ । ମୁଁ, ର ମାୟାରେ ମାନବ କବଳିତ, ଆବଦ୍ଧ ଓ ଈର୍ଷା, ଅସୂୟା ସ୍ୱାର୍ଥର ଅଗ୍ନିରେ ସଦା ପ୍ରଜ୍ଜ୍ୱଳିତ ।

ପ୍ରତ୍ୟେକ ଯୁଗରେ ଗୋଟିଏ ଗୋଟିଏ ଅସୁର ଦେଖାଯାଆନ୍ତି । ସତ୍ୟଯୁଗରେ ମୁରାସୁର ଚାରୋଟି ଅକ୍ଷର । ତ୍ରେତୟାରେ ରାବଣ ତିନୋଟି ଅକ୍ଷର, ଦ୍ୱାପରରେ କଂସ ଦୁଇଟି ଅକ୍ଷର, କଳିରେ ମୁଁ ଗୋଟିଏ ଅକ୍ଷର । ଏହି ଏକାକ୍ଷର ରାକ୍ଷସ ଆଜି ଗୋଡ଼ାଇଛି ସମସ୍ତଙ୍କ ପଛରେ ଭଷ୍ମାସୁର ପରି ନିଜେ ନିଜକୁ ଭଷ୍ମ କରିବା ସକାଶେ । ମୁଁ’ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଅନ୍ୟର ସର୍ବନାଶ ହୋଇଗଲେ ମଧ୍ୟ ତା’ର ଶୋଚନା ନାହିଁ । ଏହି ଗୁଢ଼ ରହସ୍ୟ ହେଉଛି ସ୍ୱାର୍ଥପରତା । ନିଜ ସ୍ୱାର୍ଥ ଲାଗି ନିଜର ବାପା-ମାଆ, ପରିବାର ପର୍ଯ୍ୟନ୍ତ ଦୂରେଇ ଦେଉଛନ୍ତି । ମାତୃଭାଷା, ମାତୃଭୂମିକୁ କିଏ ପଚାରେ ? ଓଡ଼ିଶାବାସୀ ଓଡ଼ିଆ ଭୂଲିଗଲେଣି । ସମ୍ମାନହାନି, ଆଭିଜାତ୍ୟ କ୍ଷୁର୍ଣ୍ଣବୋଧ କରୁଛନ୍ତି, ମୁଁ ଓଡ଼ିଆ କହିବାକୁ ଓଡ଼ିଆମାନେ । ନିଜ ସଂସ୍କୃତି, ନିଜ ଭାଷା, ନିଜ ଦେଶପାଇଁ କେତେ ବୀତସ୍ପୃହ । ସାମ୍ପ୍ରତିକ ଯୁଗରେ ଓଡ଼ିଆ ବୋଲି ଅସମ୍ଭବ, ଅସ୍ୱାଭାବିକ ।

ନୀରଜାକୁ ଦେଖିଲେ କେହି ହେଲେ କହିବନି ତା’ର ପନ୍ଦର ବର୍ଷର ଝିଅ ଆଉ ଦଶ ବର୍ଷର ପୁଅ ଅଛି ବୋଲି । ତା’ର ଜ୍ୟୋତିସ୍ନିଗ୍ଧ ମୁହଁ, କେତକି ଫୁଲର ବର୍ଣ୍ଣ, ଅଙ୍ଗ-ପ୍ରତ୍ୟଙ୍ଗର ଗଠନ ଚମତ୍କୃତ ହେତୁ ବଡ଼ ଆକର୍ଷଣୀୟା, ସ୍ତ୍ରୀ ସୁଲଭ ସବୁଗୁଣ ଗୁଡ଼ିକ ତା’ ନିକଟରେ ବିଦ୍ୟମାନ । ଉଚ୍ଚଶିକ୍ଷିତା, ସମ୍ଭ୍ରାନ୍ତ ଘରର ହୋଇଥିବାରୁ ଓଡ଼ିଆଘରର ଚାଲିଚଳନ, ସୁମାର୍ଜିତ କଥାବାର୍ତ୍ତା, ଶାଳୀନତା ସବୁ ପରିଲକ୍ଷିତ ହେଉଥିଲା । ତା’ ଅନୁରୂପ ତା ଛୁଆମାନେ । ସ୍ୱାମୀ ସରକାରଙ୍କ ମୁଖ୍ୟ ସଚିବ ହୋଇଥିଲେ ମଧ୍ୟ ତାଙ୍କ ପରିବାରରେ ଇଂରାଜୀ ଢାଞ୍ଚା ବା ଅହଙ୍କାର, ମୁଁ’ କାର ନ ଥାଏ ।

କାଦମ୍ୱିନୀ ନୀରଜାର ସହପାଠିନୀ । ଜଣେ ଆଇ.ଏ.ଏସ୍. କର୍ମଚାରୀଙ୍କ କନ୍ୟା ଓ ବିଲାତ ଫେରନ୍ତା ଡାକ୍ତରଙ୍କ ସହଧର୍ମିଣୀ । ବହୁତ ଦିନପରେ ସପରିବାର ଆସିଛନ୍ତି ନୀରଜା ଘରକୁ । ନିବିଡ଼ତା ବଢିଯାଇଥିଲା ଦୁହିଁଙ୍କ ମଧ୍ୟରେ । ନୀରଜା ଅନୁରୋଧରେ ରାତ୍ରୀଭୋଜନ ସେଠାରେ ହେବା ସ୍ଥିର ହେଲା । ଏହି ଅବସରରେ କାଦମ୍ୱିନୀ ବଜାରକୁ ଗଲା କିଛି ଆବଶ୍ୟକୀୟ ଜିନିଷ କିଣିବା ସକାଶେ ତା’ସ୍ୱାମୀ ସହିତ । ଛୁଆମାନେ ରହିଲେ ନୀରଜା ନିକଟରେ । ନୀରଜା ଗଲା ରନ୍ଧା ଆୟୋଜନ ଦେଖିବ ।

ଏଣେ ସବୁ ଛୁଆ ଆରମ୍ଭ କରିଦେଲେ ଗପ-ସପ । କାଦମ୍ୱିନୀ ପୁଅ ମଣ୍ଟୁ ଆଉ ନୀରଜା ପୁଅ ଶୁଭ । ନିଜ ନିଜ ବିଦ୍ୟାଳୟ, ପାଠର ବିଷୟବସ୍ତୁକୁ ନେଇ । ଶୁଭ ପଚାରିଲା “ତୁମ ବିଦ୍ୟାଳୟର ଇତିହାସ, ଭୂଗୋଳ କିଏ ପଢ଼ାଉଛନ୍ତି ।” ତା ଉତ୍ତରରେ ମଣ୍ଟୁ କହିଲା ଭୂଗୋଳ, ଇତିହାସ ଆମ ସ୍କୁଲ୍‌ରେ ପଢ଼ାଯାଉନାହିଁ ।”

“ତେବେ ଆଉ କ’ଣ କ’ଣ ପଢ଼ାଯାଉଛି ?” ପଚାରିଲା ଶୁଭ ।

“ଆମ ସ୍କୁଲରେ ସାତଟା ସବ୍ ଜେକ୍ଟ ପଢ଼ାଯାଉଛି । ମ୍ୟାଥ, ସାଇନ୍ସ, ହିଷ୍ଟ୍ରୀ , ଜୋଗ୍ରାଫି, ଏମ୍.ଆଇ. ଏଲ୍., ହିନ୍ଦୀ, ଇଙ୍ଗ୍ଲିସ୍ ।” ବହୁତ ବେଳୁ ଠିଆ ହୋଇ ସବୁ କଥା ଶୁଣୁଥିଲା ନୀରଜା । ମନେ-ମନେ ଭାବୁଥାଏ ଓଡ଼ିଆଘରର ଛୁଆ । ଓଡ଼ିଶାର ବାସିନ୍ଦା ଭଲ ଭାବେ ଓଡ଼ିଆ କହି ପାରନ୍ତିନି କି ବୁଝିବି ପାରୁନି । ଆଉ କେଇଟା ଦିନରେ ହୁଏତ ଓଡ଼ିଆ ବିଲୁପ୍ତ ହୋଇଯିବ । କ’ଣ ଭାବି ସେମାନଙ୍କ ସହିତ ସେ’ବି ବସିଲା ତାଙ୍କ ନିକଟରେ ।

ମଣ୍ଟୁକୁ ପଚାରିଲା ନୀରଜା, “ଆଚ୍ଛା ମଣ୍ଟୁ ତୁମ ଘରେ ସବୁ କିଏ କିଏ ରହୁଛ ?” ମଣ୍ଟୁ କହିଲା, “ଆମ ଘରେ ମମି-ଡାଡ଼ି, ଅଙ୍କଲ-ଆଣ୍ଟି , ପିଣ୍ଟୁ-ବଣ୍ଟି ଅଙ୍କଲଙ୍କ ପୁଅ ଝିଅ ଆଉ ବୋଉ ।”‘ “ବୋଉ କିଏ ?” ପଚାରିଲା ନୀରଜା । ଉତ୍ତରରେ ମଣ୍ଟୁ କହିଲା, “ବୋଉ, ଡାଡିଙ୍କ ମମି” । “ତୁମ ଜେଜେବାପା ରହନ୍ତିନି ତୁମ ଘରେ ।” ମଣ୍ଟୁ କିଛି ବୁଝିପାରିଲା ନାହିଁ , ଜେଜେବାପାର ଅର୍ଥ । ନୀରଜା ବୁଝାଇ ଦେଲା, “ଜେଜେବାପା, ତୋ’ର ଡାଡିଙ୍କ ଡାଡି” । ମଣ୍ଟୁ କହିଲା, “ସେ ତ ଆକାଶରେ ରହନ୍ତି ।” ଆଶ୍ଚର୍ଯ୍ୟ ହୋଇଗଲା ନୀରଜା, ଭାବିଲା ସେ କ’ଣ ମରିଗଲେ । କାହିଁ ମୁଁ ତ କିଛି ଖବର ପାଇନି । ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ସେ କ’ଣ ମରିଗଲେ ?” “ନା-ନା ଆକାଶ ଗାଁରେ ଅଛନ୍ତି ।” ଟିକିଏ ଏପଟ ସେପଟ ଚିନ୍ତା କଲା ଭାବିଲା ଆକାଶ ଗାଁ ସେଟା ଫେରେ କେଉଁଠି ଅଛି । ଆଉ ଟିକିଏ ଗୁଢ଼ ଭାବେ ଚିନ୍ତା କରି ପଚାରିଲା, “ଆକାଶ ନା ଆସିକା ।” ହଠାତ୍ ଉଚ୍ଚସ୍ୱରରେ ମଣ୍ଟୁ କହିଲା ,”ହଁ-ହଁ ସେ ଆସିକାରେ ରହନ୍ତି ।” ସମୟ ହୋଇ ଯାଇଥିଲା ଛୁଆଙ୍କ ପାଇଁ ଜଳଖିଆ ଆଣିବା ସକାଶେ ଚାଲିଗଲା ନୀରଜା ।

ଜଳଖିଆ ତିଆରି କରିବା ସମୟରେ ଭାବୁଥାଏ, କି କଦାକାର ରୂପ ଧାରଣ କରିଛି ଆମ ଓଡ଼ିଆ ଭାଷା । ଆମର ଦମ୍ଭ-ଦାମ୍ଭୀକତା ହଜିଯାଇଛି; ବିଦେଶୀ ନିଶାର ପ୍ରଭାବ, ପ୍ରକୋପରେ । ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ବି ଅର୍ଦ୍ଧେକ ଲୋକ ଅଜ୍ଞାନୀ, ଆଉ ଅର୍ଦ୍ଧେକ ଅର୍ଦ୍ଧଜ୍ଞାନୀ । ଏମାନେ ପୁଣି କେଉଁ ଦଳରେ ଅନ୍ତର୍ଭୁକ୍ତ ହେବେ ?

କିଛି ସମୟପରେ ନୀରଜାର ସ୍ୱାମୀ ବିଜୟ ଓ ଶ୍ୱଶୁର ଘରକୁ ଫେରିଲେ । ସେମାନଙ୍କୁ ଦେଖି ମଣ୍ଟୁ କହିଲା, “ଗୁଡ୍ ଇଭିନିଙ୍ଗ୍ ଅଙ୍କଲ ।” ବିଜୟ ତାକୁ ଦେଖି ଖୁସି ହୋଇ ପଚାରିଲେ, “ତୋ ଡାଡ଼ି-ମମି କାହାନ୍ତି ?” ସେମାନେ ମାର୍କେଟିଙ୍ଗ୍କୁ ଯାଇଛନ୍ତି, ଏ ଜଣକ ତୁମ ଫାଦର ନା ଅଙ୍କଲ ?” ପଚାରିଲା ମଣ୍ଟୁ । ବିଜୟ କହିଲେ ,”ହଁ ସେ ମୋ ବାପା ।”

ଏହା ଶୁଣି ମଣ୍ଟୁ ତାଙ୍କ ପାଖକୁ ଦୌଡ଼ି ଯାଇ କହିଲା, ” ତୁମେ ବିଜୟ ଅଙ୍କଲଙ୍କ ଫାଦର୍ ନା ? ଗୁଡ୍ ଇଭିନିଙ୍ଗ୍ ।”

ଏହା ଶୁଣି ବିଜୟଙ୍କ ବାପା ଦେହରେ ସତେ ଯେମିତି ନିଆଁ ଲାଗିଗଲା, ତମ୍ପସାପ ପରି ଗର୍ଜି ଉଠି କହିଲେ ,”କ’ଣ କହିଲୁ ? ମୁଁ ପାଦ୍ରୀ, ମୁଁ କୁକୁଡ଼ା-ମଦ ଖାଉଛି ? ମୁଁ ସେଗୁଡ଼ାକର ନାଁ ଧରିଲେ ପଇତା ବଦଳାଉଛି । ଆହୁରି କ’ଣ ନା କହୁଛି, ଗୋଡ଼ ଧୋଇବନି ? ମୁଁ ତ କୋଉ କାଳୁ ଗୋଡ଼, ହାତ ଧୋଇ ସାରିଲିଣି । ବାହାରୁ ଆସିଲେ ଗୋଡ଼ ନ ଧୋଇ ଘରେ କିଏ ଚଳପ୍ରଚଳ ହୁଅନ୍ତି । ପାଦ୍ରୀ ବୋଲି ଗାଳି ଦେଉଛି ।”

ବିଜୟ ବାପାଙ୍କୁ ସବୁ ବିଷୟ ବୁଝାଇ ଦେଇ କହିଲେ, “ଇଂରେଜୀ ସ୍କୁଲ୍‌ରେ ପଢୁଛନ୍ତି । ତା’ ବ୍ୟତୀତ ଘରେ ବି ବାପା-ମାଆ ସମସ୍ତେ ଇଂରେଜୀ ଢାଞ୍ଚାରେ ଚାଲିଚଳନ ଓ କଥାବାର୍ତ୍ତା ହେଉଥିବାରୁ ଛୁଆମାନେ ସେହି ଅନୁରୂପ ବଢ଼ିଛନ୍ତି । ଏଣୁ ଏମାନେ ଭଲ ଭାବେ ଓଡ଼ିଆ କହିପାରନ୍ତିନି କି ବୁଝି ପାରନ୍ତିନି । ତାଙ୍କ ସବୁ କଥା ଇଂରେଜୀ ଢାଞ୍ଚା ।”

ବିଜୟ ବାପା କହିଲେ, “ତୁ ଆମ ଛୁଆଙ୍କୁ କେବେ ସେପରି ବିଦ୍ୟାଳୟରେ ପଢ଼ାଇବୁ ନାହିଁ । ଯଦି ପଢ଼ାଇବୁ ତୋ’ ପାଖରୁ ଅନ୍ନ-ଜଳ ଛୁଇଁବି ନାହିଁ ।”

କାଦମ୍ୱିନୀ ଓ ତା ସ୍ୱାମୀ ବଜାର ସଉଦା ସାରି ଫେରି ଆସିଲେ । ଧିରେନ୍ ବାବୁ ବିଜୟକୁ ଦେଖି ହ୍ୟାଲୋ ବିଜୟ କହି କର ମର୍ଦ୍ଦନ କଲେ ।

ଏହା ଶୁଣି ବିଜୟର ବାପା କହିଲେ, “ହଇରେ ବିଜୟ ତୁ’ ତ ମରଦ ଛୁଆ ତୋତେ କ’ଣ ହଇଲୋ ବିଜୟ, ହଇଲୋ ବିଜୟ କହୁଛି ଇଏ କିଏ କିରେ ?”

“ବାପା, ଏ ହେଉଛନ୍ତି ଧିରେନ୍ ବାବୁ, ନୀରଜାର ସାଙ୍ଗ କାଦମ୍ୱିନୀଙ୍କ ସ୍ୱାମୀ । ଆମ ଘରକୁ ଆସିଛନ୍ତି ବୁଲିବା ସକାଶେ । ଇଂରାଜୀ ଢାଞ୍ଚାରେ ସାଙ୍ଗ, ସାଥୀ, ପରିଚିତ, ଆତ୍ମୀୟସ୍ୱଜନଙ୍କୁ ଦେଖିଲେ “ହ୍ୟାଲୋ” ବୋଲି କୁହନ୍ତି ।”

ଆଶ୍ଚର୍ଯ୍ୟ ହୋଇ ବିଜୟର ବାପା କହିଲେ,”କ’ଣ ? ଇଙ୍ଗିରାଜୀମାନେ ମରଦ ମାନଙ୍କୁ ମାଇକିନିଆ କରି ଦିଅନ୍ତି ?”

ସନ୍ଧ୍ୟା ସମୟରେ ନୀରଜାର ଛୁଆମାନେ ପ୍ରାର୍ଥନା କଲେ, ସେଠାରେ କାଦମ୍ୱିନୀର ଛୁଆମାନେ ବି ଉପସ୍ଥିତ ଥାଆନ୍ତି, ଶୁଣୁଥାନ୍ତି । ପ୍ରାର୍ଥନା ଶେଷରେ ମଣ୍ଟୁ ପଚାରିଲା, “ଆଣ୍ଟି , ପ୍ରେର୍ ବେଳେ ‘ମୋ ଜୀବନ ସ୍ୱାମୀ’ ବୋଲି ପ୍ରେର୍ କରୁଛନ୍ତି, ତା’ ମାନେ ‘ମାଇ ଲାଇଫ୍ ହଜ୍‌ବ୍ୟାଣ୍ଡ୍’ ଏମିତି କି ପ୍ରାର୍ଥନା ? ”

ଏହି ସବୁ ପ୍ରଶ୍ନକୁ ଅନୁଧ୍ୟାନ କରି ନୀରଜା କହିଲା ବିଜୟକୁ,”ଦେଖ ଓଡ଼ିଆ ଭାଷାର ଗତି । ସେ କେତେବେଳେ ସ୍ରୋତସ୍ୱିନୀ ଜଳରେ ଭାସିଯାଉଛି ତ, ଆଉ କେତେବେଳେ ପବନର ଘୂର୍ଣ୍ଣିବାତ୍ୟାରେ ଚକାଭଉଁରୀ ଖେଳୁଛି । ଆଉ କେତେବେଳେ ମାଟିରେ ପୋତି ହୋଇ ଉଙ୍କି ମାରୁଛି ଉଠିବା ଚେଷ୍ଟାରେ । ଏହି ସବୁ ଆମମାନଙ୍କ ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ ଏଗୁଡିକୁ ଅତି ସାଧାରଣ ମନେ କରୁଛେ । ଦେଶ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥବା ବେଳେ ଓଡ଼ିଆ ଆଉ ଓଡ଼ିଶାବାସୀଙ୍କ ଚାଲିଚଳନକୁ ନିରୀକ୍ଷଣ କଲେ ଜଣାପଡ଼େ ସୁବର୍ଣ୍ଣ ଜୟନ୍ତୀ ପାଳନ ଏକ ପ୍ରହସନ । ଓଡ଼ିଆ ତାର ସ୍ୱାଭିମାନକୁ ମୂଳପୋଛ କରିସାରିଲାଣି । ରେଖା କଣିତ କେତେକ ବ୍ୟକ୍ତି ଧାଇଁଛନ୍ତି ଓଡ଼ିଆ ଭାଷାର ସୁରକ୍ଷା ପାଇଁ, ସେମାନେ କେତେଦୂର କୃତକାର୍ଯ୍ୟ ହେବେ ଭଗବାନଙ୍କୁ ଗୋଚର । ତଥାପି ପ୍ରତିଭାଶାଳୀ ବ୍ୟକ୍ତିମାନେ କ୍ଷୟବୃଦ୍ଧି ଉଭୟ ପରିସ୍ଥିତିକୁ ମୁକାବିଲା କରି, ସେମାନେ ହିଁ ବର୍ତ୍ତମାନର ନିରୀକ୍ଷକ ଓ ଭବିଷ୍ୟତର ନିର୍ଦ୍ଧାରଣ କରିପାରିବେ । ଓଡ଼ିଶାବାସୀଙ୍କ ଏଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେଲେ ଭାଷାର ଉନ୍ନତି ହୋଇ ବିଲୁପ୍ତରୁ ଉଦ୍ଧାର ପାଇବ । ନୀରଜାର ସବୁ ମନ୍ତବ୍ୟ ଶୁଣୁଥାଏ ବିଜୟ । ଭାବୁଥାଏ ଓଡ଼ିଆଙ୍କ ସଂସ୍କୃତି ଏତେ ତଳକୁ ଖସିଯାଇଛି ତାର ଭବିଷ୍ୟତ ଭାଗ୍ୟକୁ ନିର୍ଦ୍ଧାରଣ କରି ହେଉନାହିଁ ।

ଲୋକପ୍ରିୟ ଲେଖା

To Top