ଅଣୁଗଳ୍ପ

ରିଜେକ୍ଟ ମାଲ୍‌ର ଗରାଖ

Fakir Charan Ojha's odia short story Rijekt Maalra Garaakh

ହଁ. . . ଶବ ଡ୍ରେସ୍ ହେଉ କି ରିଜେକ୍ଟ ମାଲ୍ ହେଉ, ଶସ୍ତା ତ ! ଆମେ ଗରିବଗୁଡ଼ା ଶସ୍ତା ଜିନିଷ ଚାହୁଁ ।

ରିଜେକ୍ଟ ମାଲ୍‌ର ଗରାଖ

ଏବେ ବଡ଼ସହରରେ ଦେଢ଼ ହଜାର ଟଙ୍କିଆ ଶାଢ଼ୀ ମାତ୍ର ଦେଢ଼ଶହ ଟଙ୍କାରେ ବିକ୍ରି ହେଉଛି । ବଜାର ରାସ୍ତାକଡ଼ରେ ଶହେ ଟଙ୍କାରେ ତିନିଟା ଜାମା ବିକ୍ରି । ବୁଲେଇ ବିକ୍ରି କରିବାକୁ ଆସୁଛି ହଜାର ହଜାର ଟଙ୍କା ଦାମ୍‌ର କୋଟ୍ ମାତ୍ର ଶହେ ଟଙ୍କାରେ । ବାଃ, ଭାରି ଶସ୍ତା ତ ! ଶୀତଦିନ ସଞ୍ଜ ପହରେ ବିଭିନ୍ନ ମାଲ୍ ବୁଲେଇ ଫେରି କଲାବେଳେ ଚାଦରଟା ଘୋଡେ଼ଇ ହେଲେ ଅକଳିଆ । ସବୁବେଳେ ଖସିପଡୁଥିବ । ଚାଦର ଦାମ୍ ପୁଣି ୨୦୦ ଟଙ୍କାରୁ କମ୍ ନୁହେଁ । ଏଇ ଶହେ ଟଙ୍କିଆ କୋଟ୍ ଗୋଟା ରଖି ଦେହରେ ଗଳେଇ ପକେଇଲେ ସବୁ ଆଡୁ ସୁବିଧା । ହଁ, କୋଟ୍ କିଏ ନା ଆମେ କିଏ ? ହଜାର ହଜାର ଟଙ୍କା ଦାମ୍ । ହେଲେ ଇଏ ଜମା ଶହେ ଟଙ୍କା । ଆମ ଗୁଡ଼ାଙ୍କ ପାଇଁ ଇଏ ଭଲ । ଲୋକେ କହୁଛନ୍ତି ଏଗୁଡ଼ା ଶବ କୋଟ୍ । କଲିକତା, ବମ୍ୱେ ଭଳି ବଡ଼ ବଡ଼ ସହରର କୋଟ୍ ପିନ୍ଧା ଧନୀ ଲୋକମାନେ ମରିଗଲେ ତାଙ୍କ କୋଟ୍ ଗୁଡ଼ା ଶବ ସାଙ୍ଗରେ ମଶାଣିରେ ଫୋପାଡ଼ି ଦିଆଯାଏ । ମଶାଣି ରକ୍ଷକ କିମ୍ୱା ରଜକ ଏଗୁଡ଼ିକୁ ଗୋଟେଇ ନେଇ ସଫାକରି ବିକ୍ରି କରିଦିଅନ୍ତି । କେତେକ କହନ୍ତି- ସିନେମାବାଲା ବ୍ୟବହାର କରୁଥିବା କୋଟ୍ ଟିକେ ପୁରୁଣା ହେଲେ ଆଉ ସେମାନଙ୍କର ଚଳେନା । ଗରିବ ଲୋକମାନେ କିମ୍ୱା ଲଣ୍ଡ୍ରିବାଲା ତାକୁ ମୋଫତରେ ନେଇଯାଇ ଆଇରମ୍ କରି ଶସ୍ତାରେ ବିକି ଦିଅନ୍ତି । କେତେକ ଫେରିବାଲା ଜାମା ପ୍ୟାଣ୍ଟ ଖୁବ୍ କମ୍ ରେଟ୍‌ରେ ବୁଲେଇ ବିକ୍ରି କରନ୍ତି । ଶହେ ଟଙ୍କାରେ ତିନିଟା ସାର୍ଟ । ଏସବୁକୁ କେତେକ ବି ଶବ ଡ୍ରେସ୍ କହନ୍ତି । ଅବଶ୍ୟ କେହି କେହି ଏସବୁକୁ କମ୍ପାନୀର ରିଜେକ୍ଟ ମାଲ୍ ବୋଲି କହିଥାନ୍ତି । ହଁ. . . ଶବ ଡ୍ରେସ୍ ହେଉ କି ରିଜେକ୍ଟ ମାଲ୍ ହେଉ, ଶସ୍ତା ତ ! ଆମେ ଗରିବଗୁଡ଼ା ଶସ୍ତା ଜିନିଷ ଚାହୁଁ । ହାଟର ପୋକା, ଶୁଖୁଲା ଡ୍ୟାମେଜ୍ ପରିବା ଆମେ ଖାଉ । ପଚାମାଛ, ସମୁଦ୍ରର ବରଫ ଦିଆ ମାଛ ଆମେ ଖାଉ । ମଲା ଶୁଖିଲା ଶବମାଛ (ଶୁଖୁଆ) ଆମେ ଖାଉ । ଆଉ ଶବଙ୍କର ୩୦ ଟଙ୍କିଆ ଜାମା ୧୦୦ ଟଙ୍କିଆ କୋଟ୍ (ଶବଙ୍କର ହେଉ କି ଶିବବାବୁଙ୍କର ହେଉ) ଆମେ ପିନ୍ଧିବୁନି ତ ଆଉ କିଏ ପିନ୍ଧିବ ? କମ୍ପାନୀର ଡ୍ୟାମେଜ୍ ଶାଢ଼ୀ ଆସି ବଜାରରେ ଶହେ ଦେଢ଼ଶହ ଟଙ୍କାରେ ବିକ୍ରି ହେଲେ ପଚା ମାଛରେ ମାଛି ଘେରିଲା ଭଳି ଆମେ ଗରିବ ଗୁଡ଼ା ଘେରି ଯାଉ କିଣିବାକୁ । ୧୦୦ ଟଙ୍କାରେ ଚକ୍‌ଚକିଆ ଶାଢ଼ୀ ଦେଖି ଘରଣୀ ବି ତାକୁ ନେଇ ରଖିଦିଏ ପେଡ଼ିଲୁଗା ବା ଯିବା ଆସି ଲୁଗା କରି ପିନ୍ଧିବାକୁ । ଡାକ୍ତର ଆମକୁ ଫଳ ଖାଇବାକୁ କହିଲେ ୧୫୦ ଟଙ୍କିଆ ସେଓ ଥିଲା ବେଳେ ଆମେ ଶୁଖିଲା, ଗାଡ଼ିମାଡ଼ଖିଆ, ପେଟିଦାଗ କି ବରଫମାଡ଼ଖିଆ ୬୦ ଟଙ୍କିଆ ସେଓ କିଣିଖାଉ । ବଜାରର ଡ୍ୟାମେଜ୍ ମାଲ୍‌ର ଗରାଖ ଆମେ । ଏସବୁ ଆମର ଚଳେ । ଆମେ ଅଭାବୀ ଲୋକ ବିଚରା । ନୋହିଲେ ରିଜେକ୍ଟ ମାଲ୍‌ଗୁଡ଼ା ହୁଅନ୍ତା କ’ଣ ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top