ଗଳ୍ପ

ବୃଷ୍ଟି ଓ ବିସ୍ଫୋରଣ

Dr Bibhuti Pattanaik's odia story Brushti O Bisphorana

କାଳୁବାବୁ ଅଙ୍କଲ୍ କ’ଣ ଆତ୍ମନିର୍ଭରଶୀଳ ସୁପୁରୁଷ ନୁହଁନ୍ତି । ଅସୁବିଧା ଭିତରେ ତାଙ୍କର ବୟସ ଟିକିଏ ବେଶି ହୋଇଯାଇଛି । ତୋର ବି କେଉଁ ବୟସ ବସିରହିଛି !

ବୃଷ୍ଟି ଓ ବିସ୍ଫୋରଣ

-: ପୂର୍ବରୁ :-

କାଳୁବାବୁ କଣ୍ଟ୍ରାକ୍ଟର ଚାଲିଗଲା ପରେ ଝିଅର ମୁହଁକୁ କରୁଣ ଚାହାଁଣିରେ ଚାହିଁ ରହିଲେ ଗୋଲକ ବିହାରୀ ।

ଚାହାଁଣିରେ ପ୍ରାର୍ଥନାର ମୁଦ୍ରା ।

ଗୀତା ଯଦି କାଳୀଚରଣଙ୍କୁ ବାହା ହେବାକୁ ରାଜି ହୋଇଯାଏ, ତାହା ହେଲେ ଘରଟା ରହିଯିବ । ରୀତାର ବାହାଘର ଆଉ ନୀତାର ଇଞ୍ଜିନିୟରିଂ ପଢ଼ିବା ପାଇଁ ମୂଳଧନ ମଧ୍ୟ ହାତକୁ ଆସିଯିବ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏକା ଥରେ ଦଶଲକ୍ଷ ଟଙ୍କା ହାତରେ ଧରିବାର ସୌଭାଗ୍ୟ କେବେ ଲାଭ କରି ନାହାନ୍ତି । ହାତ ମୁଠାକୁ ଆସି ନ ଥିଲେ ମଧ୍ୟ କାଳୁବାବୁ କଣ୍ଟ୍ରାକ୍ଟରର ଦଶଲକ୍ଷ ଟଙ୍କା ଦେବାର ପ୍ରସ୍ତାବ ଶୁଣିବା ମାତ୍ରେ ଗୋଲକ ବିହାରୀଙ୍କ ମନରେ ଲୋଭର ଏକ ଦିବ୍ୟ ଅନୁଭୂତିରେ ଥର ଥର ହେଉଛି । କିନ୍ତୁ ଦଶଲକ୍ଷ ଟଙ୍କା ଦେବାର ଯେଉଁ ସର୍ତ୍ତ ସେ ରଖି ଯାଇଛନ୍ତି- ସେ ସର୍ତ୍ତ ପୂରଣ କରିବା କଥା ଭାବିଲା ମାତ୍ରେ ସେ ଭୟ ପାଇ ଯାଉଛନ୍ତି ।

କାଳୀଚରଣଙ୍କ ବୟସ ପଚାଶ ପାଖାପାଖି । ଆଗରୁ ତିନିଥର ବାହା ହୋଇଥିବା କଥା ତାଙ୍କୁ ଜଣାଅଛି । ପ୍ରଥମ ସ୍ତ୍ରୀ କଳାହାଣ୍ଡି ଜିଲ୍ଲାର କେଉଁ ଗ୍ରାମରେ ରହୁଛନ୍ତି । ଚାଷବାସ କଥା ବୁଝାଶୁଝା କରୁଛନ୍ତି । ପ୍ରଥମ ସ୍ତ୍ରୀର ଗୋଟିଏ ପୁଅ ଅଛି ବୋଲି ଥରେ କଥା ପ୍ରସଙ୍ଗରେ କହୁଥିଲେ କାଳୀଚରଣ । କୌଣସି କଥା ତାଙ୍କ ପାଖରୁ ଲୁଚାଇ ନାହାନ୍ତି । ତାଙ୍କୁ ଦାୟମୁକ୍ତ କରିବା ପାଇଁ ସମ୍ଭବତଃ ସେ ଗୀତାକୁ ବାହାହେବା ଲାଗି ପ୍ରସ୍ତାବ ଦେଇଛନ୍ତି । ସେ କ’ଣ ଅର୍ଥଲୋଭରେ ତାଙ୍କର ଏ ପ୍ରସ୍ତାବ ଗ୍ରହଣ କରିପାରିବେ । ଜାଣିଶୁଣି ଝିଅଠାରୁ ବୟସରେ କୋଡ଼ିଏ ବର୍ଷ ବଡ଼ ଜଣେ ପୁରୁଷର ଚତୁର୍ଥ ପତ୍ନୀ ହେବାକୁ ସେ ତାକୁ କହିପାରିବେ ।

ଗୀତା କ’ଣ ଏ ପ୍ରସ୍ତାବରେ ରାଜି ହେବ ?

କାଳୁବାବୁ କଣ୍ଟ୍ରାକ୍ଟରର ବାହାଘର ପ୍ରସ୍ତାବ ସେ ଶୁଣିଛ, କିନ୍ତୁ ନ ଶୁଣିଲା ଭଳି ମୁଖଭଙ୍ଗୀ କରି ବସି ରହିଛି । ହଁ କି ନାହିଁ କିଛି କହୁ ନାହିଁ । କହିପାରୁ ନାହିଁ । ଝିଅକୁ ମଧ୍ୟ ପଚାରିପାରୁ ନାହାନ୍ତି ଗୋଲକ ବିହାରୀ ।

ଗୀତ ଲକ୍ଷ୍ୟ କରିଛି ବ୍ୟାଙ୍କରୁ ଘର ନିଲାମ ନୋଟିସ୍ ପାଇଲା ପରେ ବାପାଙ୍କ ମୁହଁରେ ଦୁଶ୍ଚିନ୍ତାର ଯେଉଁ କଳାମେଘ ଜମାଟ ବାନ୍ଧିଥିଲା କଣ୍ଟ୍ରାକ୍ଟର ଅଙ୍କଲ୍‌ଙ୍କର ଦଶ ଲକ୍ଷ ଟଙ୍କାର ଅଫର୍ ପାଇଲା ପରେ ସେ ଜମାଟ ବନ୍ଧା ଅନ୍ଧକାର ଆସ୍ତେ ଆସ୍ତେ ଫର୍ଚ୍ଚା ହୋଇଆସୁଛି । ସେ କେବଳ ହଁ କହି ଦେଲେ ଅବଶିଷ୍ଟ ପାଣିଚିଆ ଅନ୍ଧାର ଅପସରି ଯାଇ କଅଁଳ ଆଲୁଅରେ ମୁହଁ ତାଙ୍କର ଝଲସି ଉଠିବ । କିନ୍ତୁ ସେ ହଁ କହିବାକୁ ଚେଷ୍ଟା କଲାବେଳେ କିଏ ତା’ର ଜିଭ ଟାଣି ଧରୁଛି । କଣ୍ଠନଳୀ ଅଠା ଅଠା ହୋଇଯାଉଛି ।

ଟେବୁଲ୍ ଉପରେ ପଡ଼ିଥିବା ରଫ୍‌ଖାତା ଉପରେ ଜକ୍ ଜକ୍ କରୁଛି କାଳୁବାବୁ କଣ୍ଟ୍ରାକ୍ଟରଙ୍କ ମୋବାଇଲ୍ ନମ୍ୱର ।

ପ୍ରସ୍ତାବ ସମ୍ପର୍କରେ ବଡ଼ ଝିଅର କୌଣସି ପ୍ରତିକ୍ରିୟା ନ ପାଇ ଦଶଲକ୍ଷ ଟଙ୍କାରେ କାଳୀଚରଣଙ୍କୁ ଘରଟା ବିକ୍ରି କରିଦେବା କଥା ମନେ ମନେ ସ୍ଥିର କରି ନେଲେ ଗୋଲକ ବିହାରୀ ।

ରାତିରେ ଶୋଇଲା ବେଳେ ରୀତା ଖୁବ୍ ଅନୁନୟ ଭରା କଣ୍ଠରେ ଗୀତାକୁ କହିଲା- “ଅପା ! ତୁ କ’ଣ କାଳୁବାବୁ ଅଙ୍କଲକୁ ବାହା ହେବା ପାଇଁ ମନା କରିଦେଲୁ ?” ବାପା ଘର ବିକ୍ରି କରି ଦେବା ପାଇଁ ମନ ସ୍ଥିର କରି ଆମ ରହିବା ପାଇଁ ଶସ୍ତାରେ ଗୋଟିଏ ଭଡ଼ାଘର ଖୋଜୁଛନ୍ତି । ଅପା ! ପ୍ଲିଜ୍-

ଗୀତା କିଛି ଉତ୍ତର ନ ଦେଇ ସାନଭଉଣୀ ମୁହଁକୁ ଗୋଟାଏ ବଡ଼ ମାପର ପ୍ରଶ୍ନବାଚକ ଚିହ୍ନପରି ଅନାଇ ରହିଲା ।

ରୀତା ଏଥର ଦୃଢ଼ କଣ୍ଠରେ କହିଲା- “ଅପା ! ଏ ଘରଟା ହେଉଛି ଆମର ଭବିଷ୍ୟତ ! ଭବିଷ୍ୟତକୁ ବିକ୍ରି କରିଦେଲେ ବର୍ତ୍ତମାନଟା ମଧ୍ୟ ଆମ ପାଇଁ ଅଳୀକ ହୋଇଯିବ । ତୁ ତ କହୁଥିଲୁ କଳା, ଗୋରା, ଡେଙ୍ଗା, ଗେଡ଼ା, ଧନୀ-ଦରିଦ୍ର ଯେକୌଣସି ଲୋକ ସେ ଯଦି ଆତ୍ମନିର୍ଭରଶୀଳ ସୁପୁରୁଷ ହୋଇଥାଏ, ତାକୁ ବାହା ହେବାରେ ତୋର ଆପତ୍ତି ନାହିଁ । କାଳୁବାବୁ ଅଙ୍କଲ୍ କ’ଣ ଆତ୍ମନିର୍ଭରଶୀଳ ସୁପୁରୁଷ ନୁହଁନ୍ତି । ଅସୁବିଧା ଭିତରେ ତାଙ୍କର ବୟସ ଟିକିଏ ବେଶି ହୋଇଯାଇଛି । ତୋର ବି କେଉଁ ବୟସ ବସିରହିଛି !”

ତଥାପି ହଁ କି ନାହିଁ କିଛି ଉତ୍ତର ଦେଲା ନାହିଁ ଗୀତା ।

କେବଳ ଟିକିଏ ସାନ ଭଉଣୀ ମୁହଁକୁ ଚାହିଁ ହସିଦେଲା । ହସରେ କରୁଣ ରସ ବେଶି ପରିମାଣରେ ମିଶି ରହିଥିଲା ।

ସାନ ଭଉଣୀର ମୋବାଇଲରେ କାଳୀଚରଣଙ୍କ ନମ୍ୱର ଡାଏଲ୍ କଲା ଗୀତା । ତା’ର ନିଜର ମୋବାଇଲ ନାହିଁ ।

– ହଁ – ମୁଁ ଗୀତା କହୁଛି । ମୁଁ ଆପଣଙ୍କ ପ୍ରସ୍ତାବରେ ରାଜି ।

– ସବୁ ବୁଝିଶୁଝି ବାହା ହେବା ପାଇଁ ରାଜି ହେଉଛ ତ ? ତା’ ନ ହେଲେ ବାହାଘର ପରେ ପୁଣି ଅଶାନ୍ତି- ଅସନ୍ତୋଷ-

– ବୁଝିବାରେ କ’ଣ ଅଛି ? ମତେ ବାହାହେଲେ ତମେ ମୋ ବାପାଙ୍କୁ ଦଶଲକ୍ଷ ଟଙ୍କା କନ୍ୟା-ସୁନା ଦେବ । ଆଦିବାସୀ ସମାଜରେ ଏଇଭଳି ପ୍ରଥା ଅଛି ବୋଲି ଶୁଣିଛି । ଆମ ସମାଜରେ କନ୍ୟାପିତାଙ୍କୁ ବରପକ୍ଷକୁ ଯୌତୁକ ଦେବାକୁ ହୁଏ- ଆଦିବାସୀ ସମାଜରେ ବରପକ୍ଷ କନ୍ୟାପକ୍ଷକୁ ଭୋଜିଭାତ କରିବା ପାଇଁ ଟଙ୍କା, କୁକୁଡ଼ା ଆମ ମଦ ଭେଟି ଦିଅନ୍ତି । କିନ୍ତୁ ଆପଣଙ୍କର ତିନି ତିନି ଜଣ ଜୀବିତ ଥାଉ ଥାଉ ଆପଣ ମତେ ଦଶଲକ୍ଷ ଟଙ୍କା ଦେଇ କିଣିବାକୁ ଚାହୁଁଛନ୍ତି କାହିଁକି ?

– ମୋର ପ୍ରଥମ ସ୍ତ୍ରୀ ଓ ପୁଅ ଗ୍ରାମରେ ରହୁଛନ୍ତି । ଦ୍ୱିତୀୟ ସ୍ତ୍ରୀ ବାହାଘର ଆଗରୁ ରାୟପୁରର ଗୋଟିଏ ଇଂଲିଶ୍ ମିଡ଼ିୟମ୍ ସ୍କୁଲ୍‌ର ଟିଚର ଥିଲେ । ଛତିଶଗଡ଼ର ଝିଅ । ଜଣେ ସ୍ଥାନୀୟ ପାର୍ଲିଆମେଣ୍ଟ ମେମ୍ୱରଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ଭାବରେ ମତେ ଛାଡ଼ି ଦିଲ୍ଲୀ ଚାଲିଗଲେ । ତୃତୀୟ ସ୍ତ୍ରୀ ବରଗଡ଼ର ଜଣେ ଗୌନ୍ତିଆ ସହିତ ପଳାଇଲା । ପ୍ରଥମ ସ୍ତ୍ରୀ ସହିତ ମୋର କୌଣସି ସମ୍ପର୍କ ନାହିଁ ।

– ଆପଣଙ୍କ ଦ୍ୱିତୀୟ ଏବଂ ତୃତୀୟ ସ୍ତ୍ରୀ ଆପଣଙ୍କୁ ଛାଡ଼ି ଚାଲିଯାଇଛନ୍ତି ନା- ଆପଣ ସେ ଦୁହିଁଙ୍କୁ ବିକ୍ରି କରିଦେଇଛନ୍ତି ।

– ଏକା କଥା । ଯେଉଁ ଗାଈ ଗୁହାଳରେ ଦାନା ପାଣି ଖାଇ ବାନ୍ଧି ହୋଇ ରହିବାକୁ ଚାହାନ୍ତି ନାହିଁ- ବାହାରେ ଚରି ବୁଲି ଖାଇବା ଲାଗି ପଘା ଛିଣ୍ଡାଇ ପଳାଇ ଯାଆନ୍ତି ସେଇ ଓଲେଇ ଗାଈମାନଙ୍କ ମୁହଁରେ ତୁଣ୍ଡି ବାନ୍ଧି ଗୁହାଳକୁ ଫେରାଇ ନ ଆଣି ମୁଁ ବିକ୍ରି କରିଦିଏ । ଦ୍ୱିତୀୟ ଓ ତୃତୀୟ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ ମୁଁ ସେମାନଙ୍କ ମାଲିକମାନଙ୍କଠାରୁ ଟଙ୍କା ନେଇଛି । କିନ୍ତୁ ତମକୁ-

– ମୋର ବଜାର ଦର କିନ୍ତୁ ଦଶଲକ୍ଷ ଟଙ୍କା ହେବ ନାହିଁ । ମତେ ବିକ୍ରି କରିଦେବାକୁ ଚାହିଁଲେ ମଧ୍ୟ ଆପଣଙ୍କୁ ଏତେ ଟଙ୍କା ମିଳିବ ନାଇଁ ।

– ଗୀତା ! ତମକୁ ବିକିବା ପାଇଁ ମୁଁ କିଣୁ ନାହିଁ । ମୁଁ ତମକୁ ବାହା ହୋଇ ନୂଆ ଭାବରେ ବଞ୍ଚିବାକୁ ଚାହୁଁଛି । କିନ୍ତୁ ତମେ ମୋର ସମ୍ପତ୍ତି ଲୋଭରେ ମତେ ବାହା ହେବା ପାଇଁ ରାଜି ହୁଅ ନାହିଁ । ମୋର ପ୍ରଥମ ସ୍ତ୍ରୀର ପୁଅ ମୋ ସକଳ ସମ୍ପତ୍ତିର ଉତ୍ତରାଧିକାରୀ ହେବ । ସେଥିପାଇଁ ବିବାହ କଲେ ମଧ୍ୟ ତମେ ମୋ ସନ୍ତାନର ଜନନୀ ହେବାକୁ ଚାହିଁବ ନାହିଁ- ମୁଁ ମୋ ପ୍ରଥମ ସ୍ତ୍ରୀକୁ କଥା ଦେଇଛି-

– କାଳୀଚରଣ ! ମୁଁ ତମର ସମ୍ପତ୍ତି ଚାହେଁ ନାହିଁ, ସନ୍ତାନ ମଧ୍ୟ ନୁହେଁ । ମୁଁ କେବଳ ତମର ପତ୍ନୀ ହୋଇ ରହିବାକୁ ଚାହେଁ- ବାସ୍ !

ଆଉ କିଛି କହିପାରି ନଥିଲା ଗୀତା । ଦଶବର୍ଷ ଧରି ତା’ ଛାତି ଭିତରେ ବିନ୍ଦୁ ବିନ୍ଦୁ ହୋଇ ବାନ୍ଧି ହୋଇ ରହିଥିବା ଅବରୁଦ୍ଧ ଆବେଗ ହଠାତ୍ ବିସ୍ଫୋରିତ ହୋଇଗଲା । ଆରପଟୁ ଛଅଫୁଟ ଲମ୍ୱ କୃଷ୍ଣାଙ୍ଗ କଣ୍ଟ୍ରାକ୍ଟର ହାଲୋ ହାଲୋ ହୋଇ ହାଉଳି ଖାଉଥିଲେ ବି ଏପଟୁ କିଛି ଉତ୍ତର ଦେଇପାରୁ ନଥିଲା ଗୀତା ।

ତା’ର ଦୁଇ ଆଖିରୁ ଅଶ୍ରୁର ବୃଷ୍ଟି ଆରମ୍ଭ ହୋଇଯାଇଥିଲା ।

ଲୋକପ୍ରିୟ ଲେଖା

To Top