ଚଣ୍ଡାଳୁଣୀ ବୁଢ଼ୀ

Dr Gauranga Samantaray's odia prose Chandaaluni Budhi

ତୁମେ ବୁଢ଼ାବୁଢ଼ୀ ହେବା ପର୍ଯ୍ୟନ୍ତ ପୁତ୍ର ନଥିଲା ବୋଲି କେତେ କଷ୍ଟରେ ଥିଲ । ମୋତେ ପାଇ ଆନନ୍ଦ ହେଲ । ସେହିପରି ଅପୁତ୍ରିକ ଦୁଃଖୀ ବୁଢ଼ୀଟି ଯଦି ମୋ ମା’ ଡାକରେ ଏତେ ଖୁସି ହୋଇପାରେ, ମୁଁ ମା’ ନ ଡାକିବ କାହିଁକି ?

ଚଣ୍ଡାଳୁଣୀ ବୁଢ଼ୀ

ବୁଢ଼ୀଟିଏ । ଘର ଗୋକୁଳ । ବହୁତ ଗରିବ । ଫଳ ବିକି ବଡ଼ କଷ୍ଟରେ ପେଟ ପୋଷେ । ଶ୍ରୀକୃଷ୍ଣଙ୍କର ଅନନ୍ୟ ଭକ୍ତ । ସଦା ସର୍ବଦା ମନରେ କୃଷ୍ଣଭାବନା । ତେଣୁ ବୁଢ଼ୀ ଅତି ସୁଖୀ ଥିଲା । ଦିନେ ଦିନେ ଖାଇବାକୁ ପାଉ ନଥିଲା । ତା’ ସତ୍ତ୍ୱେ ଭଗବଦିଚ୍ଛା ଭାବି ଦୁଃଖ କରୁନଥିଲା କିମ୍ୱା ଦିନେ ହେଲେ ଭଗବାନଙ୍କୁ ନିଜ ଦୁଃଖ ଜଣାଇ ନଥିଲା ।

ଦିନେ ଫଳ ଟୋକେଇ ମୁଣ୍ଡାଇ ଗୋକୁଳ ସାରା ବୁଲି ଆସିଲା । ହେଲେ ଗୋଟିଏ ଫଳ ବିକ୍ରି ହେଲାନି । ସବୁଦିନେ କିଛି କିଛି ବିକ୍ରି ହୁଏ । ଆଜି ଆଦୌ ବିକ୍ରି ହୋଇନି । ଉପାସ ବୋଧହୁଏ ରହିବାକୁ ପଡ଼ିବ । ଆଉ ଗୋଟିଏ ଘର ବାକି ରହିଲା- ନନ୍ଦ ଭବନ । ଏ ପର୍ଯ୍ୟନ୍ତ ତାକୁ ଆସିବାକୁ ପଡ଼େନି । ଫଳ କିଛି କିଛି ବିକ୍ରି ହୋଇଥିଲେ ସେ ଫେରିଯାଏ । ଭାବେ ନନ୍ଦଘର- ରାଜାଘର- ତାଙ୍କର କ’ଣ ଫଳ ରଖିବେ ? ଆଉ ତାଙ୍କର ଯେଉଁ ନୀଳମଣି- ଚିନ୍ତାମଣି- ଘନଶ୍ୟାମ- ସେ ତ ଅଛି ଛୋଟ । ଫଳ ଖାଉଥିବ କି ନାହିଁ । ତା’ପରେ ମୋ ଭଳି ବୁଢ଼ୀଠାରୁ ଫଳ କିଣିବେ କି ନାହିଁ । ଏମିତି ଭାବୁ ଭାବୁ କେତେବେଳେ ଆସି ନନ୍ଦଭବନ ଆଗରେ ଥିବା ଗଛଟିଏ ତଳେ ଥକା ହୋଇ ମୁଣ୍ଡରୁ ଟୋକେଇ ଓହ୍ଲେଇ ବସି ପଡ଼ିଲା । ଡାକ ଛାଡ଼ିଲା, “ହେ କାହ୍ନା ! ଆ’ ଫଳ ନେ, ମିଠାଫଳ, ତାଜା ଫଳ, ସେଓ, ଅଙ୍ଗୁର, କଦଳୀ, ଆମ୍ୱ ।” କେବେ ତ ଆସିନାହିଁ । କାହ୍ନା ଫଳ ଖାଏ କି ନାହିଁ ଜାଣେ ନାହିଁ । ତଥାପି ଶେଷ ଚେଷ୍ଟା କରୁଛି ବୁଢ଼ୀ ।

ମା’ ଯଶୋଦା ଘରେ ନଥିଲେ । କୌଣସି କାମରେ ବାହାରକୁ ଯାଇଥିଲେ ଦୁଇଜଣ ଦାସୀଙ୍କ ଜିମାରେ କାହ୍ନାକୁ ଛାଡ଼ି । କାହ୍ନା ଏପଟ ସେପଟ ଚାହିଁଲା । ଦାସୀମାନେ କାହିଁ କେଉଁଠି ଦେଖାଯାଉନାହାନ୍ତି । ଧୀରେ ଧୀରେ ଘରୁ ବାହାରକୁ ଆସିଲା । ଚାଲିଲା ଗଛତଳେ ବସିଥିବା ବୁଢ଼ୀ ଆଡ଼େ ।

ଦେ’, ମୋତେ ଫଳ ଦେ’, କାହ୍ନା କହିଲା । ବୁଢ଼ୀ କହିଲା, “ପଇସା ।” ତୁ ତ ଫଳ ଦେବାକୁ ଡାକିଲୁ । ପଇସା କଥା ତ କହୁ ନଥିଲୁ । ବୁଢ଼ୀ କହିଲା- ଆଜି ଏ ଅଭାଗା କାହା ମୁହଁ ଦେଖିଥିଲା ଯେ ଫଳ ଆଦୌ ବିକ୍ରି ହେଲାନି । ରାଜାଘର ଦେଖି ଆସିଲି ଯେ ସେଠି ପୁଣି ମାଗଣା । ମୁଁ ମାଗଣାରେ ତୋତେ ଫଳ ଦେଇ ପାରିବିନି । ଯା’ ପଇସା ଆଣିବୁ, ଫଳଦେବି । କାହ୍ନା କହିଲା, “ମାଆ ଘରେ ନାହାନ୍ତି ମୁଁ ପଇସା କେଉଁଠୁ ଆଣିବି ?” ତୁ ବାକି ଦେଇଥା’, ଆର ଥରକୁ ଆସିଲେ ପଇସା ନେଇଯିବୁ । ନାହିଁ, ମୁଁ ବିନା ପଇସାରେ ତୋତେ ଫଳ ଦେଇ ପାରିବିନି । ମୋର ପହଲି ବିକ୍ରି, ପଇସା ଦରକାର କାହ୍ନା କହିଲା, ଆଚ୍ଛା ପଇସା ଛାଡ଼ି ଆଉ କ’ଣ ମାଗୁନୁ ।

“ମୋର ଆଉ କିଛି ଦରକାର ନାହିଁ, ପଇସା ଦରକାର”, ବୁଢ଼ୀ କହିଲା । ପଇସା ତ ନାହିଁ । “ଆମ ଖଳାରେ ଧାନ ଅଛି, ଧାନ ନେବୁ ?” ବୁଢ଼ୀ କହିଲା, “ହଁ ଧାନ ହେଲେ ଚଳିବ ।” କାହ୍ନା ଦୌଡ଼ି ଦୌଡ଼ି ଖଳାକୁ ଗଲା, ଆଞ୍ଜୁଳିଏ ଧାନ ଧରି ଦୌଡ଼ି ଦୌଡ଼ି ଆସିଲା ଓ ଟୋକେଇରେ ପକାଇ ଦେଲା, ହେଲେ ବାଟରେ ତା’ ଆଞ୍ଜୁଳାରୁ ସବୁତକ ଧାନ ଗଳି ପଡ଼ିଥିଲା, ଶେଷକୁ ମାତ୍ର ଗୋଟିଏ ଧାନ ଥିଲା ଯେ, ତାକୁ ଟୋକେଇରେ ପକାଇ ଫଳ ମାଗିଲା । ବୁଢ଼ୀ କହିଲା, “ଧାନ ତ ବୁଣିଦେଇ ଆସିଲୁ, ଫଳ କେଉଁଠୁ ନେବୁ ?” କାହ୍ନା କହିଲା, “ଆଉ କ’ଣ ମାଗେ, ମୁଁ ଦେବି, ପଇସା ଓ ଧାନକୁ ଛାଡ଼ି, ଧାନ ତ ବୁଣି ହୋଇଯାଉଛି ।” ଚଞ୍ଚଳ ଚଞ୍ଚଳ କହ କ’ଣ, ମା’ ଆସିବାବେଳେ ହୋଇଗଲାଣି, ମୋ କାନ ଧରି ମାରିବେ । ବାଡ଼ିରେ ବାଡ଼େଇବେ, ନ ହେଲେ ଦଉଡ଼ିରେ ବାନ୍ଧିବେ । ତୋ ପାଇଁ ମୁଁ କେତେ ଦଣ୍ଡ ପାଇବି ।

ବୁଢ଼ୀ ଚାହିଁଥିଲା ମୋହନ ଆଡ଼େ । ତା’ କଥାରେ ପେଟ ପୁରି ଯାଉଥିଲା । ତା’ ଚାହାଁଣିରେ ଦୁଃଖ ଭୁଲି ହୋଇ ଯାଉଥିଲା । କେତେ ସୁନ୍ଦର ଗୁଲୁଗୁଲୁଆ ପୁଅଟିଏ, ସତରେ ମନ ମୋହନ । ତା’ର ତ ପିଲାପିଲି ନାହାନ୍ତି, ଏମିତିଆ ପୁଅଟିଏ ତା’ର ଥାଆନ୍ତା କି ? ଏମିତି ମନ ଭୁଲାଣିଆ କଥା କହୁଥାନ୍ତା । ଏମିତି ମନକୁ ମୋହୁଥାନ୍ତା । ଦୁଃଖ ସୁଖ ଭୁଲି ଯାଉଥାନ୍ତି । ମୋତେ ମା’ ବୋଲି ଡାକୁଥାନ୍ତା । କାହ୍ନା ପୁଣି କହିଲା, “କ’ଣ କହୁନୁ, ପଇସା ଓ ଧାନକୁ ଛାଡ଼ି ଆଉ କ’ଣ ମାଗେ ।” ବୁଢ଼ୀ ଭାବୁଥିଲା, “ମା’ ବୋଲି ମୋତେ ଡାକନ୍ତା କି ? ଅପୁତ୍ରିକର ଶୋକ ମୁଁ ଭୁଲି ଯାଆନ୍ତି ।” ସାହସ ଓ ଧୈର୍ଯ୍ୟ ଧରି ବୁଢ଼ୀ କହିଲା- “କାହ୍ନା ମୋତେ ମା’ ବୋଲି ଡାକିପାରିବୁ ?” କାହ୍ନା କହିଲା- “ମୋତେ ଫଳ ଦେବୁ ।” ବୁଢ଼ୀ କହିଲା “ହଁ !” କାହ୍ନା କହିଲା “ମା’ ମା’ ମା’ ! ଦେ’ ଚଞ୍ଚଳ ଫଳ ଦେ’ ମୁଁ ଯାଏ । ମାଆ ଦେଖିଲେ ମୋତେ ବାଡ଼େଇବେ, ପୁଣି ତୋତେ ମାଆ ଡାକିଛି ବୋଲି ଜାଣିଲେ ବେଶୀ ବାଡ଼େଇବେ ।” ଆଚ୍ଛା କାହ୍ନା, ମୋ କୋଳରେ ଟିକେ ବସି ମୋତେ ମା’ ଡାକିବୁ । କାହ୍ନା କହିଲା, “ଟୋକେଇକ ଯାକ ଫଳ ଦେବୁ ?” ବୁଢ଼ୀ କହିଲା- “ହଁ ।” ଉଦୁଉଦୁଆ ଖରାବେଳ, ବୁଢ଼ୀ ତା’ର ଜୀର୍ଣ୍ଣଶୀର୍ଣ୍ଣ ଗୋଡ଼ ଦୁଇଟି ଲମ୍ୱାଇ ଦେଲା । ଆଖିରୁ ପ୍ରେମାଶ୍ରୁ ଝରୁଥାଏ । ନିନିମେଷ ନୟନରେ କାହ୍ନା ଓ ତା’ ମୁଖକୁ ଚାହିଁ ରହିଥାଏ । କେତେବେଳେ ମୋ ଗୋଡ଼ରେ ବସି ମୋତେ ମା’ ବୋଲି ଡାକିବ ।

ବିଶ୍ୱବ୍ରହ୍ମାଣ୍ଡ ନାୟକ ଜଗଦୀଶ୍ୱର ଅନ୍ତର୍ଯ୍ୟାମୀ, ଭଗବାନ, ଭାବଗ୍ରାହୀ । ଆଜି ବୁଢ଼ୀର ଜନ୍ମ ଜନ୍ମାନ୍ତର ସାଧନା ପୂର୍ଣ୍ଣ ହେବାକୁ ଯାଉଛି । ଭାବଗ୍ରାହୀ ଶ୍ୟାମସୁନ୍ଦର ବୁଢ଼ୀ କୋଳରେ ବସି ମା’ ମା’ ଡାକିଲେ, ମୁହଁକୁ ଆଉଁସି ଦେଇ କହିଲେ, “ମା’ ମୋର କେତେ ଶୁଖିଗଲାଣି, ତୁ ଆଉ କାଲିଠାରୁ ଫଳବିକି ଆସିବୁନି । ମା’ ମୋତେ ଟୋକେଇକ ଫଳ ଦେବୁ ତ ?”

ବୁଢ଼ୀ ସ୍ତବ୍ଦ । ମୋହନର ମା’ ଡାକରେ ମୋହିତ । ଟୋକେଇରୁ ଆଞ୍ଜୁଳା ଆଞ୍ଜୁଳା କରି ଫଳ କାହ୍ନାର ଛୋଟ ଆଞ୍ଜୁଳିରେ ଦେଇ ଚାଲିଛି । ହେଲେ ଏ କ’ଣ ? ଟୋକେଇକ ଫଳ ସରିଗଲା ଅଥଚ ତା’ ଆଞ୍ଜୁଳି ପୂର୍ଣ୍ଣ ହୋଇନାହିଁ । ଆଶ୍ଚର୍ଯ୍ୟ ହେଲା ବୁଢ଼ୀ । ଆଞ୍ଜୁଳାଏ ଧାନ ଆଣିଲା ବେଳକୁ ସବୁ ବୁଣି ହୋଇଗଲା ଯେ ଗୋଟିଏ ରହିଲା, ଅଥଚ ଟୋକେଇଏ ଫଳ ନେଲାବେଳକୁ ତା’ ଆଞ୍ଜୁଳି ପୁରୁନାହିଁ । ଯାହା ହେଉ ଆଜି ବିକ୍ରି ନ ହେଉ, ଟୋକେଇକ ଫଳ ମାଗଣା ଯାଉ ପଛେ କାହ୍ନା ମୋ କୋଳରେ ବସିଛି । ମା’ ଡାକି ଦରଦ ସ୍ନେହରେ ମୁଁ ଶୁଖିଗଲିଣି କହିଲା ଓ କାଲିଠାରୁ ଆଉ ଫଳ ବିକି ଆସିବୁନି ବୋଲି କହିଲା । ଏହି ଯଥେଷ୍ଟ । ଖାଲି ଟୋକେଇଟି ମୁଣ୍ଡରେ ରଖି ଘର ମୁହାଁ ହେଲା । କିନ୍ତୁ ଟୋକେଇ ତ ଖାଲି, ଏତେ ଓଜନ ଲାଗୁଛି କାହିଁକି ? ଘରେ ପହଞ୍ଚି ଟୋକେଇ ଦେଖିଲା । ହୀରା, ନୀଳା, ମୋତି, ମାଣିକ୍ୟଭରା ଟୋକେଇଟି । ଏଇଥିପାଇଁ କାହ୍ନା ମୋତେ କହୁଥିଲା, ପଇସା ଛାଡ଼ି କ’ଣ ମାଗୁଛୁ ମାଗ । ମାଗଣାରେ ଫଳ ଦେ । ବୁଢ଼ୀ ବୁଝିଲା, ତା’ର ଇଷ୍ଟଦେବ କାହ୍ନା ଆଜି ତା’ କଥା ଶୁଣିଛନ୍ତି, ତା’ କୋଳରେ ବସି ମା’ ଡାକିଛନ୍ତି । ଏ ଟୋକେଇକ ହୀରା, ନୀଳା, ମଣି ବଦଳରେ ତା’ ମା’ ଡାକ ଢେର ମୂଲ୍ୟବାନ୍ ।

ଏଣେ ଭବନରେ ମା’ ଯଶୋଦା ଆସି ପହଞ୍ଚିଲେଣି । ଦାସୀଦୁଇଜଣ ଲୁଚି କରି କାହ୍ନାର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିଲେ । କାହ୍ନା ପହଞ୍ଚିବା କ୍ଷଣି ମା’ଙ୍କୁ କହିଦେଲେ ଯେ କାହ୍ନା ବୁଢ଼ୀକୁ ମା’ ଡାକି ତା’ ଟୋକେଇକ ଫଳ କେମିତି ଆଣିଛି । ଯଶୋଦା ବାଡ଼ିଟିଏ ଧରି ବାଡ଼େଇବାକୁ ଆସୁଥିଲେ, କାହ୍ନା କହିଲା, “ମା’, ବୁଢ଼ୀର ପିଲାପିଲି ନାହିଁ, କେତେ କଷ୍ଟରେ ବଞ୍ଚିଛି, ମୁଁ ଯେତେବେଳେ ତାକୁ ମା’ ଡାକିଲି, ସେ ପରମ ଆନନ୍ଦରେ କାନ୍ଦୁ ଥିଲା । ଯଦି ମା’ଟିଏ ଡାକି ତା’ର କଷ୍ଟ ହରଣ କଲି, ତାକୁ ଏତେ ଆନନ୍ଦ ଦେଲି, ମା’ ଡାକି କିଛି ମୁଁ ଭୁଲ୍ କରିନି । ତୁମେ ବୁଢ଼ାବୁଢ଼ୀ ହେବା ପର୍ଯ୍ୟନ୍ତ ପୁତ୍ର ନଥିଲା ବୋଲି କେତେ କଷ୍ଟରେ ଥିଲ । ମୋତେ ପାଇ ଆନନ୍ଦ ହେଲ । ସେହିପରି ଅପୁତ୍ରିକ ଦୁଃଖୀ ବୁଢ଼ୀଟି ଯଦି ମୋ ମା’ ଡାକରେ ଏତେ ଖୁସି ହୋଇପାରେ, ମୁଁ ମା’ ନ ଡାକିବ କାହିଁକି ? ମା’ ଏ ଯେଉଁ ଫଳ ସେ ବୁଢ଼ୀ ଦେଇଛି, ଏହା ସୁସ୍ୱାଦୁ ଓ ଅମୃତତୁଲ୍ୟ । ଏହାକୁ ନେଇ ତୁ ସାରା ଗୋକୁଳରେ ବାଣ୍ଟିବୁ, ଦେଖିବୁ ସମସ୍ତେ କେତେ ଖୁସି ହେବେ ।” ଯଶୋଦା ନିଜେ ଗୋଟିଏ ଖାଇଲେ । ଏତେ ସ୍ୱାଦ, ଅମୃତତୁଲ୍ୟ ଫଳ ଜୀବନରେ ସେ କେବେ ଖାଇ ନ ଥିଲେ । କାହ୍ନା ଆଣିଥିବା ଆଞ୍ଜୁଳିଏ ଫଳ ସାରା ଗୋକୁଳରେ ବାଣ୍ଟିଲେ । ଏପରି ମଧୁର ଓ ସୁସ୍ୱାଦୁ ଫଳ ଖାଇ ସମସ୍ତେ ବୁଢ଼ୀକୁ ଧନ୍ୟ ଧନ୍ୟ କଲେ ।

ଲୋକପ୍ରିୟ ଲେଖା

To Top