ଗପ ନୁହେଁ

Shakuntala Bindhani's odia story Gapa Nuhen

ଦୁହେଁ ମଧ୍ୟ ସମାନ ପଦବୀଧାରୀ, ବରିଷ୍ଠ କିରାଣୀ । ମାତ୍ର ଦୁହିଁଙ୍କ ଭିତରେ ପ୍ରବଳ ଭାବରେ ଅସମାନତା ।

ଗପ ନୁହେଁ

ଅସୀମ ମନ୍ଦିରର ହତା ଭିତରକୁ ପଶିଲା ସତ ମାତ୍ର ପାହାଚ ଡେଇଁ ମନ୍ଦିର ଭିତରେ ସୁଦୃଢ଼ ଆସ୍ଥାନ ଜମେଇ ବସିଥିବା ଠାକୁରଙ୍କୁ ଦର୍ଶନ କଲା ନାହିଁ ।

ସବୁଦିନ ପରି ଆଜି ବି ବସିଯାଇଥିବ ସେଇ ପାହାଚ ତଳେ ବସିଥିବା ଭିକାରୀ-ଭିକାରୁଣୀଙ୍କ ମେଳରେ । ବିକାରହୀନ ଭାବରେ ଚିପି ଚାପି ଦେଖୁଥିବ ତାଙ୍କ ଖଣ୍ଡିଆ ଗୋଡ଼ ହାତକୁ । କାହାର ଭତ୍ତା କାହାର କୌଣସି ଔଷଧ କି କମ୍ୱଳ ଆବଶ୍ୟକ ପଚାରି ବୁଝୁଥିବ । ଫେରିଲା ବେଳକୁ ତା’ ଟିପା ଖାତାରେ ତାଲିକାର କ୍ରମିକ ସଂଖ୍ୟା ଏକରୁ ଆରମ୍ଭ କରି ତିରିଶ, ଚାଳିଶ ଟପିଥିବ ନିଶ୍ଚେ । ଗଲାବେଳକୁ ସାଙ୍ଗ ହୋଇ କଲୋନୀରୁ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ, ଫେରିଲାବେଳକୁ ତା’ର ରାସ୍ତା ଅଲଗା ନତୁବା ବାହାନା କରି ଗୁଡ଼ାଏ ଦୂରତା ରଖି ଚାଲୁଥିବ ରଞ୍ଜନ । ଯା’ହେଲେ ବି, ମନର ବିକାରକୁ କ’ଣ ଟାଳି ହେବ !

ଅସୀମ କିଛି କହେନା ମାତ୍ର ତୀକ୍ଷଣ ନଜରରେ ତାକୁ ଦେଖେ । ଓଠ ନ ଖୋଲିଲେ ମଧ୍ୟ ତା’ର ନଜର କଥା କହେ । ବୁଝିପାରୁଛି ବନ୍ଧୁ, ତମର ଏ ବାହାନା. . . । ସେ ଦୃଷ୍ଟିକୁ ସାମ୍ନା କରି ହୁଏନା । ନଜର ବଞ୍ଚାଇ ରଞ୍ଜନ ରହିଯାଏ ଅନେକ ପଛରେ ତଟକା ଶାଗ କି କଖାରୁଫୁଲ କିଣିବାର ବାହାନା କରି ।

ବ୍ଲକ କଲୋନୀ । ଠିକ୍ ଗୋଟେ ଛୋଟ ଗାଁ ପରି । ନାଲି ଗୋଡ଼ି ମୋରମ ରାସ୍ତାର ଦୁଇ ପାଖରେ ଆଜ୍‌ବେଷ୍ଟସ୍ ଘର । ଏବେ ଅବଶ୍ୟ ରାସ୍ତା ପରିବର୍ତ୍ତିତ ହୋଇ ଅଧାଅଧି ପିଚୁ ହେଲାଣି ମାତ୍ର ଆଜ୍‌ବେଷ୍ଟସ୍ ବଦଳରେ କଂକ୍ରିଟ୍ ଛାତ୍ ହୋଇନାହିଁ । ନୂଆ ଭାବରେ ନିର୍ମାଣ ହେଇଥିବା କୋଠାଘର ବଡ଼ ସାର୍, ଓଭରସିଅର୍ ଓ ଇଞ୍ଜିନିୟର୍‌ମାନଙ୍କ କବ୍‌ଜାରେ । ତାଙ୍କ ପରି ବରିଷ୍ଠ କିରାଣୀଙ୍କୁ କିଏ ପଚାରିଲେ ?

ଅସୀମ ଓ ରଞ୍ଜନ ଘର ପାଖାପାଖି ନୁହେଁ, ସାମ୍ନାସାମ୍ନି ସକାଳୁ ସଞ୍ଜ ମୁହଁ ଚାହାଁ ଚାହିଁ, କଥାବାର୍ତ୍ତା । ଦୁହେଁ ମଧ୍ୟ ସମାନ ପଦବୀଧାରୀ, ବରିଷ୍ଠ କିରାଣୀ । ମାତ୍ର ଦୁହିଁଙ୍କ ଭିତରେ ପ୍ରବଳ ଭାବରେ ଅସମାନତା । ସବୁଠାରୁ ବଡ଼ ପାର୍ଥକ୍ୟ ତ ଅସୀମର ଦରଦୀ ହୃଦୟ । ଖୁବ୍ ଖିଆଲି ଏବଂ ମନକୁ ମସ୍ତିଷ୍କଠାରୁ ଅଧିକ ପ୍ରାଧାନ୍ୟ ଦେଉଥିବା ଅସୀମ କିନ୍ତୁ ରଞ୍ଜନ ପରି ସୁଖୀ ସଂସାର ଜୀଇଁ ପାରୁନଥିଲା । ସକାଳୁ ସକାଳୁ ମଙ୍ଗଳ ଆଳତି ନୁହେଁ, ଅସୀମ ସ୍ତ୍ରୀର ଅଶ୍ରାବ୍ୟ ଭାଷାରେ ପାଖ ପଡ଼ୋଶୀ ଘର କମ୍ପି ଉଠେ । ରଞ୍ଜନ ଗରମ ଚା’କପ୍‌ରେ ସୁଡ଼କୀ ମାରୁଥିବା ବେଳେ, ଅସୀମ ଝାଡୁ ଧରି ଦାଣ୍ଡ ଓଳାଏ । ମଲ୍ଲୀ ବୁଦାରେ ପାଣି ଢାଳେ, ବାର ବାର ବଜାର ଦଉଡ଼େ । ସ୍ତ୍ରୀ ଫରମାଇଶ ପୂରଣ କରି ହାଲିଆ ହେଲା ପର୍ଯ୍ୟନ୍ତ । ରଞ୍ଜନ ବଡ଼ ପାଟିରେ ପଢ଼ି ଶୁଣାଏ । ଖବର କାଗଜର ଶବ୍ଦ, ବାକ୍ୟ ଏବଂ ହେଡ୍ ଲାଇନ୍ । ଅଧିକ ବଡ଼ ପାଟିରେ ପଢ଼େ ମୁଖ୍ୟ ସମ୍ୱାଦର ଶିରୋନାମା । ଅନେକ ଥର ପଢ଼ିଲା ପରେ ମଧ୍ୟ ତା’ର ଖବର ପଢ଼ା ସରେ ନାହିଁ ଯେ ପର୍ଯ୍ୟନ୍ତ ଘଣ୍ଟାରେ ନଅଟା ନ ବାଜିଛି । ସେ ପର୍ଯ୍ୟନ୍ତ ଅସୀମ ଊଣା ଅଧିକେ ପନ୍ଦର ଥର ଚକ୍କର କାଟିଥିବ ଘରୁ ବାହାର, ବାହାରୁ ଘର ।

– ମଣିଷ କି ପଶୁ. . . ସ୍ତ୍ରୀ ଘର ଭିତରୁ ବିଡ଼ ବିଡ଼ ହୁଏ ।

– କେଜାଣି. . . ଦେଖିବାକୁ ତ ଦୁଇ ହାତ ଗୋଡ଼ର ମଣିଷ ।

– ପୁରୁଷ ହୋଇ ଉଁ ଚୁଁ ପଦେ ପାଟି ଫିଟୁନାହିଁ, ମାଇପିଟା ଚଉଦ ପୁରୁଷ ଉଝାଳି ଏତେ କଢ଼ାସମ୍ପା କରୁଛି । ହଇହୋ. . . ତମେ ତମ ବନ୍ଧୁକୁ କହୁନ. . . ।

– କ’ଣ କଟା ଘା’ରେ ଚୂନ. . . କି ଯେ ବୁଦ୍ଧି ତମର. . . । ଦୀର୍ଘନିଃଶ୍ୱାସ ନେଇ ଗାଧୁଆ ଘରକୁ ପଶିଲା ରଞ୍ଜନ । ଅସୀମ କଥା ଭାବୁ ଭାବୁ ମଗ୍ ପରେ ମଗ୍ ପାଣି ଢାଳି ଚାଲିଲା ଶୀତଦିନରେ ମଧ୍ୟ, ତାକୁ ଉଷୁମ ଲାଗୁଥିଲା ଦେହ ଅପେକ୍ଷା ମନରେ ଉତ୍ତାପ । ସେ ପୁଣି ତା’ର ବନ୍ଧୁ ଅସୀମ ପାଇଁ, ତାର ସୀମାହୀନ ଧୈର୍ଯ୍ୟ ଓ ସହିଷ୍ଣୁତା ପାଇଁ ।

ଘର ମାତ୍ର ଦୁଇ ବଖରା । ପଛକୁ ନିଜେ ଆଉ ଦୁଇ ବଖରା ଆଜ୍‌ବେଷ୍ଟସ୍ ଘର ତୋଳିଛି । ସେଇଥିରେ ବିରାଟ ପରିବାର । ତା’ର ସ୍ୱାମୀ ପରିତ୍ୟକ୍ତା ବଡ଼ ଭଉଣୀ ଓ ତା’ର ପୁଅ, ବିଧବା ପିଉସୀ, ବୃଦ୍ଧ ବାପା ମାଆ ନିଜର ଚାରୋଟି ପିଲା । ପୁଣି ଦୁଇଟି ଗାଈ । କେମିତି, କେମିତି ସମ୍ଭାଳୁଛି ଏତେ ସବୁ ଅସୀମ । ବେଳେ ବେଳେ ଆଶ୍ଚର୍ଯ୍ୟ ହୋଇଯାଏ । ଦରମା ଗଣ୍ଡାକ ବ୍ୟତୀତ ଆୟର କୌଣସି ପନ୍ଥା ନାହିଁ । ଯାହି ତାହି କେଇ ମାଣ ଚାଷ ଜମି, ତିନି ତିନୋଟି ଭଉଣୀ ବାହାଘରେ ବିକ୍ରି ସରିଛି । କେବଳ ଦରମା ଗଣ୍ଡାକ ଭରସା ।

ପାଖରେ ପଙ୍ଖା କରୁଥିଲେ ସ୍ତ୍ରୀ । ଗରମ ଭାତ, ଡାଲମା, ଭଜା, ସାଲାଡ୍ ଖାଉଥିଲା ରଞ୍ଜନ । ଗେହ୍ଲେଇ ହୋଇ କହିଲେ ।

– “ବୁଝିଲ, ତମ ବନ୍ଧୁଙ୍କ ଘରେ ଅଧାରୁ ଅଧିକ ଦିନ ଏଇ ଭାତ ଡାଲମା । ଏ ନ’ତୁଣ ଛଅ ଭଜା ହୁଏନି ବା ।”

– ଖାଉ ଖାଉ କାଶି ଉଠିଲା ରଞ୍ଜନ । ପାଣି ଗ୍ଲାସତକ ଢକ ଢକ କରି ପିଇଗଲା । ଯଦି ବା ଜାଣିଥିଲା, ପାଣି ପିଇବା ତା’ ଖାଦ୍ୟ ହଜମ ପ୍ରକ୍ରିୟାରେ ପ୍ରତିବନ୍ଧକ, ତଥାପି ପିଇଲା ।

– ମଲା ଆ’. . . ପାଣି ଗ୍ଲାସଟା ଉପରେ ରାଗ ଶୁଝିଲେ କ’ଣ ହେବ ଯେ, . . . ବୁଝଉନ ତମ ବନ୍ଧୁଙ୍କୁ. . . ।

କିଛି ନ କହି ହାତ ଧୋଇଲେ ରଞ୍ଜନ । ପ୍ୟାଣ୍ଟ ସାର୍ଟ ପିନ୍ଧି ବାହାରିଲା ଅଫିସ୍ । ଗଲାବେଳେ ଅସୀମ ସହ ବାଟରେ ପୁଣି ଦେଖା ହେଲା । ଲୋଚାକଚା ସାର୍ଟ, କେବେ ଆଇରନ୍ ବାଜି ନଥିବା ପ୍ୟାଣ୍ଟ, ହାତରେ ପ୍ଲାଷ୍ଟିକ୍‌ର ବ୍ୟାଗ୍. . . । ପଛରୁ ତା’ ସ୍ତ୍ରୀର ପାଟି ଶୁଭୁଥିଲା ।

– “ହେଇଟି, ଯାହା ଯାହା ତାଲିକା ଦେଲି, ସବୁ ଗୋଟି ଗୋଟି କରି ଆଣିବ. . . ଗୋଟିଏ ନ ଆଣିଲେ ନ ଚଳେ. . . ।” ଅଭାବ, ଅସୁବିଧାର ନିତିଦିନିଆ ଚିତ୍ର । କିଛି ନୂତନତ୍ୱ ନ ଥିଲା । ଆକାଉଣ୍ଟ ଉପରେ ଆଳୋଚନା କରୁ କରୁ ଦୁହେଁ ବ୍ଲକ୍ ଅଫିସ୍‌ରେ ପଶିଲେ । ପୁଣି ବୁଡ଼ିଗଲେ ଗଦା ଗଦା ଫାଇଲ୍‌ର ସ୍ତୂପ ଭିତରେ ।

—-x—-

– ହେଇ ରଞ୍ଜନ ବାବୁ. . . ଗଲ ଗଲ. . . ଜଲଦି ଯାଅ ବା ଅସୀମକୁ ମନା କର । କ’ଣ ନାଇଁ କ’ଣ ହବ. . . ସେ ବି.ଡ଼ି.ଓ. . . ।

ରଞ୍ଜନ କିଛି ବୁଝିପାରୁ ନଥିଲା, ତଥାପି ସେ ଦଉଡ଼ିଲା କଲମ ଛାଡ଼ି । ସବୁ କର୍ମଚାରୀ ହାଉଳି ଖାଉ ଖାଉ ଦଉଡୁଥିଲେ ବି.ଡ଼ି.ଓ.ଙ୍କ ରୁମ୍ ଆଡ଼କୁ । ବି.ଡ଼ି.ଓ.ଙ୍କ ଚିତ୍କାର, ଫାଇଲ୍ ଫୋପଡ଼ା ଏବଂ ସସ୍ପେଣ୍ଡ୍ ଶବ୍ଦ ବ୍ୟତୀତ ବାହାରକୁ ଆଉ ଯୋଉ ବଛା ବଛା ଇଂରାଜୀ ଶବ୍ଦ ସବୁ ଛିଟ୍କି ପଡୁଥିଲା, ତା’ର ଆକ୍ରମଣରେ ସମସ୍ତେ ଘାଏଲ୍ ହୋଇ କିଏ କୁଆଡ଼େ ଛିନ୍‌ଛତ୍ର ହୋଇଗଲେ ।

ମାତ୍ର ଯାଇ ପାରୁ ନଥିଲା ରଞ୍ଜନ । ସେ ଛିଡ଼ା ହୋଇଥିଲା ତ୍ରିଶଙ୍କୁ ଅବସ୍ଥା ତା’ର । କିଛି ବାହାର ଲୋକ ଏଭଳି ଘଟଣାର ଦେଖଣାହାରୀ ଥିଲେ । ସେଇମାନଙ୍କ ଉପରେ ସବୁତକ ଆକ୍ରୋଶ ସାରିଦେଲା ରଞ୍ଜନ ।

– କ’ଣ ଏଠି ଯାତ୍ରା ଚାଲିଛି ନା ରେଡ଼ିଓରେ ନାଟକ. . . ! ଯାଅ ପଳାଅ ଏଠୁ. . . !

– ମଲା ମୋର. . . ଆପଣମାନେ ତ ଆଜ୍ଞା ନିଜେ ଯାତ୍ରା କରୁଛନ୍ତି, ଡାଇଲଗ୍ ମାରୁଛନ୍ତି. . . ଆମ ଉପରେ ରାଗ କାହିଁକି ମ ? ନୂଆ ନୂଆ ନେତାଗିରି କରୁଥିବା ଟୋକା ଜଣକ ଓଲଟି ତୋରା ଦେଖାଇଲା ।

ସେ ପର୍ଯ୍ୟନ୍ତ ଅସୀମ ଛିଡ଼ା ହୋଇଥିଲା ଭିତରେ । ଭିତରୁ ସେମିତି ଗର୍ଜନ ତର୍ଜନ ଶୁଣା ଯାଉଥିଲା । କିନ୍ତୁ ଅସୀମର ସୋର୍ ଶବ୍ଦ କିଛି ନ ଥିଲା ।

– ଆଇ ସେ, ଗେଟ୍ ଆଉଟ୍. . . ଗେଟ୍ ଆଉଟ୍ ଏଣ୍ଡ ଗେଟ୍ ଲଷ୍ଟ୍. . . ।

– ସରି ସାର୍. . . ଭେରି ଭେରି ସରି. . . ।

– ସରିଟା କ’ଣ ତମ. . . ।

ଓଃ ଆଉ କିଛି ଶୁଣିବା ଅବସ୍ଥାରେ ନଥିଲା ରଞ୍ଜନ । କ’ଣ ମନ ହେଲା କେଜାଣି, କବାଟ ଖୋଲି ଭିତରକୁ ଧସେଇ ପଶିଲା । ଅସୀମର ଡେଣା ଧରି ଝିଙ୍କିଲା ।

– ଚାଲ୍ ଏଠୁ. . . ତୁ ମଣିଷ ନା ପଶୁ. . . କେମିତି ଶୁଣୁଛୁ ଏମିତି ଭାଷା. . . ।

ଅସୀମ ମୁହଁରେ ମ୍ଳାନ ହସ । ତା’ ହାତରୁ ହାତ ଛଡ଼ାଇ ସେମିତି ମୁଣ୍ଡ ଝୁକାଇ ଠିଆ ହୋଇ ରହିଲା ।

ନେଇଯାଅ ଏ ଇଡ଼ିଅଟ୍‌କୁ. . . ୟାରି ପାଇଁ ମୋର ସି.ସି.ଆର୍.ରେ ଧବା ଲାଗିବ
. . . ରାସ୍କେଲ୍ ବ୍ଲଡ଼ି ନନ୍‌ସେନ୍ସ ।

ଜୋର୍ କରି ଘୋଷାରି ଆଣିଲା ରଞ୍ଜନ ତା’ର ବାରଣ ନ ମାନି । ତା’ ସିଟ୍‌ରେ ନେଇ କଚି ଦେଲା ତାକୁ । ଅନ୍ୟ ସମସ୍ତ କର୍ମଚାରୀ ଘେରି ଯାଇଥିଲେ ତାକୁ ।

– କ’ଣ ହେଲା କୁହ ତ ଅସୀମ ବାବୁ. . . !

– ଏଇଟା କ’ଣ ତା’ ବାପର ଜାଗିରୀ. . . ଯା’ ମନ ହେଲା କହିଯିବ ।

– ଦୟାକରି ଚାକିରୀ ଦେଇଛି ଯେମିତି. . . ।

– ତାକୁ ଆସୋସିଏସନ୍‌ର ପାୱାର୍ ମାଲୁମ ନାହିଁ ବୋଧେ ।

– ଶଳାକୁ ପାନେ ନ ଦେଲେ ହେବ ନାହିଁ, ବଡ଼ ଉତ୍ପାତ ହେଲାଣି. . . ।

ବିଭିନ୍ନ ବାକ୍ୟରେ ସରଗରମ ହୋଇଗଲା ଅସୀମ ବସୁଥିବା କୋଠରୀଟି । ନିଜ ନିଜ ଟେବୁଲ୍ ଛାଡ଼ି ସମସ୍ତେ ଘେରି ଯାଇଥିଲେ ତାକୁ । ମାତ୍ର ଅସୀମ କାହାକୁ କିଛି ନ କହି ଡ୍ର’ରୁ ଫାଇଲ୍ ବାହାର କଲା । ଯେମିତି କିଛି ହିଁ ଘଟି ନାହିଁ । ସେ ନର୍ମାଲ୍ ଅଛି । ସ୍ୱାଭାବିକ, ତା’ ସହ କୌଣସି ବିଘଟଣ ଘଟି ନାହିଁ । କେହି ତାକୁ କୌଣସି କଟୁ କଥା କହି ନାହାଁନ୍ତି । ବାଧ୍ୟ ହୋଇ ବଡ଼ବାବୁ ମୁହଁ ଖୋଲିଲେ ତା’ର ଏ ପ୍ରତିକ୍ରିୟା ବିହୀନ ବ୍ୟବହାରରେ. . . । ଚଷମାଟାକୁ ନାକ ଉପରୁ ଟେକି କହିଲେ. . . ।

– ଆଚ୍ଛା, ବ୍ୟାପାରଟା କ’ଣ କୁହନ୍ତୁ ତ ଅସୀମ ବାବୁ. . . !

– ନାଇଁ ଆଜ୍ଞା କିଛି ନାହିଁ, ମୋର ଦୋଷ ଥିଲା ।

– କ’ଣ ଏମିତି ଗୁରୁଚଣ୍ଡାଳ ଦୋଷ କରିଦେଲ ଯେ ଏତେ ବଡ଼ ତୋଫାନ ବହିଗଲା. . . କଥାଟାକୁ କଅଁଳେଇ କହିଲେ ବଡ଼ବାବୁ ।

କିଛି ଉତ୍ତର ଦେଲାନି ଅସୀମ ।

ତା’ ପାଖରେ କିଛି ଉତ୍ତର ହିଁ ନ ଥିଲା । ଏଭଳି ପ୍ରଶ୍ନର ଉତ୍ତର ଦେଇ ପରିସ୍ଥିତିକୁ ଅଧିକ ସରଗରମ କରିବାକୁ ଚାହୁଁ ନଥିଲା । ସେ ଜାଣିଛି, ଠିକ୍ ଜାଣିଛି ତାକୁ ହମଦର୍ଦ୍ଦି ଦେଖାଉଥିବା ଲୋକମାନଙ୍କର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ । ନରମ ନରମ କଥା କହି ପରୋକ୍ଷରେ କି ଭଳି ଟିକା ଟିପ୍ପଣୀ ଦିଅନ୍ତି । ସର୍ବୋପରି ବି.ଡ଼ି.ଓ.ଙ୍କ ସାମ୍ନାରେ ଓଲଟା ସିଧା ଚୁଗୁଲି କଲା ବେଳେ ଯେଉଁ ଶକୁନିର ଚରିତ୍ରରେ ଅବତୀର୍ଣ୍ଣ ହୁଅନ୍ତି । ସମସ୍ତଙ୍କୁ ହାଡ଼େ ହାଡ଼େ ଚିହ୍ନିଛି ସେ ।

ଗାଳି ଦେବା- କଥା କଥାକେ ଚିଡ଼ିଚିଡ଼ି ହେବା, ବଡ଼ ପାଟିରେ ଚିତ୍କାର କରିବା ଅଧିକାଂଶ ବଡ଼ ଅଫିସରଙ୍କ ଲକ୍ଷଣ ବୋଲି ମାନି ନେଇଛି ଅସୀମ । ଚାକିରୀ କାଳ ଭିତରେ ଏଇଭଳି ଲକ୍ଷଣର ଅଧିକାରୀଙ୍କ ସହ ତା’ର ଆରମ୍ଭରୁ ପରିଚୟ ।

ସାରାଦିନ ଏ ଘଟଣାକୁ ନେଇ ବ୍ଲକ୍ ପରିସରର ଜଳବାୟୁ ବେଶ ଉତ୍ତପ୍ତ ଥିଲା । ସେ ଉତ୍ତାପ ଆହୁରି ବଢ଼ିଗଲା ଯେତେବେଳେ ଥୋକେ ତାକୁ ସପୋର୍ଟ କରି ନାରାବାଜି ଆରମ୍ଭ କଲେ । ବ୍ୟତିବ୍ୟସ୍ତ ହୋଇ ପଡ଼ିଲା ସେ । ସମସ୍ତଙ୍କୁ ହାତଯୋଡ଼ି ବାରମ୍ୱାର ମନା କଲା ଏପରି କାର୍ଯ୍ୟରୁ ବିରତ ରହିବା ପାଇଁ ।

ମାଇଚିଆ, ଡରୁଆ କହି ଫେରି ଯାଇଥିଲେ ସେମାନେ ଯେ ଯାହା ଆସ୍ଥାନକୁ । ଅସୀମ ନିଜକୁ ନିଜେ ପ୍ରଶ୍ନ କଲା । ସତରେ ସେ ମାଇଚିଆ, ଡରୁଆ. . . ହେଲେ ହୋଇଥିବ । ସେ ବୁଝିପାରୁନି ନିର୍ଭୀକର ସଂଜ୍ଞା, ପୁରୁଷତ୍ୱର ଡେଫିନେସନ୍. . . ।

ସାରାଦିନର ଅସ୍ୱସ୍ତି ପରେ ମଧ୍ୟ କାମରେ କୌଣସି ବିଶୃଙ୍ଖଳା ନଥିଲା । ବାକି ଜରୁରୀ କାମତକ ସାରି ଦୁହେଁ ସାଙ୍ଗ ହୋଇ ଫେରିଲେ । ଅସୀମ ଚୁପ୍‌ଚାପ୍ ଥିଲା । ରଞ୍ଜନ ମଧ୍ୟ ଥିଲା ।

ପରଦିନ ପ୍ରାତଃଭ୍ରମଣରେ ଦେଖା ହେଲା ଦୁହିଁଙ୍କର । ଚାଲୁ ଚାଲୁ ଅଧାବାଟରେ ଅଟକିଗଲା ଅସୀମ ।

– ରହିଗଲୁ ଯେ. . . ରଞ୍ଜନ ପଚାରିଲା ।

– ସାଗରିକାର ମା’ଙ୍କର ଦେହ ଖରାପ ଥିଲା ଭାବୁଛି ଟିକେ ଦେଖି ଦେଇଯିବି. . . ତୁ ଚାଲ. . . ମୁଁ ଆସୁଛି. . . ।

– ଆରେ ପାଗଳ ହେଲୁ ନା କ’ଣ. . . ତାକୁ ନେଇ ବ୍ଲକ୍ ଅଫିସ୍ ପଡୁଛି ଉଠୁଛି । ଅନ୍ଧଗଳିର ବଦ୍‌ନାମିଆ ଝିଅଟେ ସେ । ତୁ ଯିବୁ ତା’ ପାଖକୁ. . . ନା. . . ନା ଚାଲ ପୁଣି ତୋ ଘରେ ଖଣ୍ଡ ପ୍ରଳୟ ହେବ । ତା’ ହାତ ଧରି ଟାଣିଲା ।

ଅସୀମ କିଛି କହିଲାନି ମାତ୍ର ଜୋର୍ କରି ତା’ ହାତରୁ ନିଜ ହାତ ଖସାଇ ନେଇ ତୀବ୍ର ଜଳନ୍ତା ଦୃଷ୍ଟିରେ ଚାହିଁଲା ତାକୁ । ତା’ର ଏପରି ମନ୍ତବ୍ୟ ଅସୀମକୁ ଯେ ଆଦୌ ଭଲ ଲାଗିନାହିଁ ବୁଝିଲା ରଞ୍ଜନ । ଚୁପ୍‌ଚାପ୍ ତାକୁ ଅନୁସରଣ କଲା ।

– ଅସୀମ ଭାଇ ମୁଁ ଦୁଃଖିତ ଖୁବ୍ ଦୁଃଖିତ ମୋ ପାଇଁ କାଲି କେତେ ଗାଳି ଶୁଣିଲେ ଆପଣ. . . ପାରିବେ ଯଦି ମୋତେ କ୍ଷମା କରିଦେବେ. . . ସାଗରିକାର ଛଳ ଛଳ ଆଖି ହାତ ଯୋଡ଼ି ଠିଆ ହୋଇଥିଲା ଅସୀମ ସାମ୍ନାରେ ।

– ଆରେ ପାଗଳୀଟା. . . ଏ ତ ସବୁଦିନିଆ କଥା । କାଲି କ’ଣ ନୂଆ ହେଲା ନା କ’ଣ. . . ?

ତୁମର ଯଦି ବଡ଼ ଭାଇଟେ ଥାଆନ୍ତା । ତେବେ କ’ଣ ମୋତେ ଏ କାମ କରିବାକୁ ପଡ଼ିଥାନ୍ତା ? ଛାଡ଼ ସେ କଥା, ମା’ କେମିତି ଅଛନ୍ତି କୁହ ତ. . . !

– ଠିକ୍ ସମୟରେ ଆପଣ ହସ୍ପିଟାଲ୍ ନ ନେଇଥିଲେ ମା’ କ’ଣ ଆଉ ଥାଆନ୍ତା । ପୁଣି ଥରେ ଭାବପ୍ରବଣ ହୋଇଗଲା ସାଗରିକା । ରଞ୍ଜନ ଚମକିଗଲା ।

କାଲି ଅସୀମ ସାଗରିକାର ମା’ଙ୍କୁ ହସ୍ପିଟାଲ ନେଇଯାଇଥିଲା । ଯେଉଁଥି ପାଇଁ ଅଫିସ୍ ବିଳମ୍ୱରେ ପହଞ୍ଚିଲା । ଠିକ୍ ସମୟରେ ଆସେମ୍ୱଲି କ୍ୱୋଶ୍ଚିନ୍‌ର ଉତ୍ତର ପ୍ରସ୍ତୁତ କରି ପାରିଲା ନାହିଁ । ବି.ଡ଼ି.ଓ.ଙ୍କ ଠାରୁ ଏତେ ଗାଳି ଶୁଣିଲା. . . ।

ଛଅ ଫୁଟ୍ ଦୁଇ ଇଞ୍ଚ ଉଚ୍ଚତାଧାରୀ ରଞ୍ଜନ ସେଇ ପାଞ୍ଚଫୁଟ୍ ଚାରି ଇଞ୍ଚ ଉଚ୍ଚତା ବିଶିଷ୍ଟ ଅସୀମ ନିକଟରେ ନିଜକୁ ନିହାତି ଖର୍ବକାୟ ମନେକଲା । ଶରୀର ନୁହେଁ, ହୃଦୟବତ୍ତାରେ ଅସୀମ ଯେ କେତେ ଉପରେ । ତା’ ଠାରୁ, ଅନେକଙ୍କ ଠାରୁ ଅନେକ ଶୀର୍ଷରେ । ତା’ର ଖୁବ୍ ଇଚ୍ଛା ହେଲା ଦଉଡ଼ିଯାଇ ତାକୁ ଜୋର୍ କରି କୁଣ୍ଢାଇ ଧରିବ । ଯେଉଁ ଆଶ୍ଳେଷରେ ଥିବ କେବଳ ସମ୍ମାନ, ଭକ୍ତି ଏବଂ ଭଲ ପାଇବ ।

ଏଥର କବାଟ ଖୋଲି ସିଧା ସାଗରିକାର ଘର ଭିତରକୁ ପଶିଲା ରଞ୍ଜନ । ଅସୀମ, ସାଗରିକାର ଅସୁସ୍ଥ ମା’ଙ୍କ ନିକଟରେ ବସି ଆଶ୍ୱାସନା ଦେଉଥିଲା । ରଞ୍ଜନ ତା’ କାନ୍ଧରେ ନିଜ ହାତ ରଖିଲା ନିବିଡ଼ ଭାବରେ ।

ଲୋକପ୍ରିୟ ଲେଖା

To Top