ଗଳ୍ପ

ଅଦିନ ବର୍ଷା

Shreebatsa Prasad Nath's odia story Adina Barshaa

ଆଉ କେବେ ଭୈରବ ତାନରେ ନାଚି ନାଚି ଅତି ବୃଷ୍ଟିପାତ ଘଟାଇ ଚାଲିଯାଏ ଆପଣା ବାଟରେ । ଅଦିନ ମେଘ ଆସେ କ୍ଷଣକ ପାଇଁ ପୁଣି ଚାଲିଯାଏ ଦଣ୍ଡ କରେ ।

ଅଦିନ ବର୍ଷା

ସମସ୍ତେ ଜାଣନ୍ତି, ବର୍ଷାଋତୁରେ ହୁଏ ବର୍ଷା । ନିଦାଘ ପରେ ମାଟି ମାଆକୁ କରେ ରଜଃସ୍ୱଳା । ଯାହାକୁ କହନ୍ତି ସୁଜଳା, ସୁଫଳା, ଶସ୍ୟ, ଶ୍ୟାମଳା । ବନାନୀର ତରୁଲତା ଅତି ଆନନ୍ଦରେ ପଲ୍ଲବୀ ଉଠନ୍ତି ତା’ର ପହିଲି ସାକ୍ଷାତ୍ରେ । କିଛି ଦିନାନ୍ତେ ଧରାରାଣୀ ସବୁଜ ପାଟପତନୀ ପରିଧାନ କରି ମନ ମତାଣିଆ ହସ ହସେ । ପଲ୍ଲୀପଥ କ୍ରମେ ହୁଏ କର୍ଦ୍ଦମାକ୍ତ । ତଥାପି ସେଥିରେ କି ଆନନ୍ଦ ! ଜୀବଜଗତ ଉଲ୍ଲସିତ ହୋଇପଡ଼ନ୍ତି ନୃତ୍ୟରତା ବର୍ଷା ନାୟିକାର ରିମ୍ଝିମ୍ ମେଘମହ୍ଲାର ରାଗିଣୀ ଶୁଣି । ଋତୁଚକ୍ର ଆବର୍ତ୍ତନରେ ଏହିଭଳି ପ୍ରତିବର୍ଷ ଆହ୍ଲାଦଦାୟିନୀ ବର୍ଷାସୁନ୍ଦରୀ ଧରାଧାମରେ ଅବତରଣ କରନ୍ତି- ଏହା କିଛି ନୂଆ କଥା ନୁହେଁ ।

ଏହା ସତ୍ତ୍ୱେ ଅଦିନରେ ମଧ୍ୟ ବେଳେ ବେଳେ ଦେଖାଦିଏ ବର୍ଷା, କିନ୍ତୁ ଅଳ୍ପ ସମୟ ପାଇଁ । କେବେ ଅବା ଛପି ଛପି ଆସି ମୁହଁ ଦେଖାଏ ସାମାନ୍ୟ ବୃଷ୍ଟିଧାରା ରୂପରେ । ଆଉ କେବେ ଭୈରବ ତାନରେ ନାଚି ନାଚି ଅତି ବୃଷ୍ଟିପାତ ଘଟାଇ ଚାଲିଯାଏ ଆପଣା ବାଟରେ । ଅଦିନ ମେଘ ଆସେ କ୍ଷଣକ ପାଇଁ ପୁଣି ଚାଲିଯାଏ ଦଣ୍ଡ କରେ । ଧରଣୀବଧୂ ସତ ଚେଷ୍ଟା କଲେ ବି ତାକୁ ସେତେବେଳେ ଧରି ରଖିପାରେ ନାହିଁ କିଛିଦିନ ପାଇଁ । ସତେ ବର୍ଷାର ହୃଦୟ କେତେ ନିର୍ଲିପ୍ତ । ସେ ତା’ର କର୍ତ୍ତବ୍ୟ କରିଯାଏ ପ୍ରକୃତି ରାଣୀର ଇଙ୍ଗିତରେ । କାହା କଥା ମାନି ସେ ଚିରଦିନ ବାନ୍ଧି ହୋଇ ରହେ ନାହିଁ କାହାରି ପାଖରେ ।

ଆକାଶରେ ଖଣ୍ଡେ ଧଳା ଅଦିନିଆ ମେଘକୁ ଦେଖି ଏହିଭଳି କେତେ କ’ଣ ଭାବି ଚାଲିଛନ୍ତି ଅନ୍ୟମନସ୍କ ଭାବରେ ବୃଦ୍ଧ ଧରଣୀ ବାବୁ । ସତେ ଯେମିତି ତାଙ୍କର ଭାବୁକ ପ୍ରାଣ ମିଶି ଯାଇଛି ସେଇ ବର୍ଷା ଦେହରେ । ସମୟ ଖରାଦିନ ସାଢ଼େ ତିନିଟା କି ଚାରିଟା ଭିତରେ । ହାତରେ ତାଙ୍କର ଖଣ୍ଡିଏ ବେତ ବାଡ଼ି । ଅତି ବାର୍ଦ୍ଧକ୍ୟ ଅବସ୍ଥା ହେତୁ ଗୋଡ଼ ପଡୁଛି ଏଣେ ତେଣେ । ଯନ୍ତ୍ରଣା ଜର୍ଜ୍ଜରିତ ଧୀର ପାଦରେ ଚାଲିଛନ୍ତି, ଆଗ ଦୋକାନରୁ ତାଙ୍କର ନିତିଦିନିଆ ଅଭ୍ୟାସ ପାନ କେଇଖଣ୍ଡ ଆଣିବାକୁ । ଏତେ ବଡ଼ ସଂସାରରେ ତାଙ୍କର ଆପଣାର ବୋଲି କେହି ନାହିଁ । ଏ ବୃଦ୍ଧାବସ୍ଥାରେ ଘରେ ତାଙ୍କୁ ଏକୁଟିଆ ଜୀବନ ବିତାଇବାକୁ ପଡ଼େ । ସବୁକାମ କରନ୍ତି ସେ ନିଜ ହାତରେ, ଅତି କଷ୍ଟରେ ।

ପ୍ରତିବେଶୀମାନଙ୍କ ଠାରୁ ଶୁଣିବାକୁ ମିଳେ- ଯେତେବେଳେ ଧରଣୀବାବୁଙ୍କ ସ୍ତ୍ରୀ ଜୀବିତ ଥିଲେ, ସେ ତାଙ୍କୁ କରିଥିଲେ ଅତି ଫୁଲାଣିଆ । ତେଣୁ ସେ ସେତେବେଳେ ଫୁଲାଣିଆ ମନ ଘେନି କାଳାତିପାତ କରୁଥିଲେ ଅତି ଆନନ୍ଦରେ । ଶିକ୍ଷକତା ସିନା ତାଙ୍କର ନିତିଦିନିଆ ବେଉସା, କିନ୍ତୁ କବିପ୍ରାଣ ଘେନି ତାଙ୍କର ଜନ୍ମ । ଅବସର ସମୟରେ ଗୀତ ଲେଖି ଗାଇ ସେ ତାଙ୍କର ସାଂସାରିକ ଜୀବନକୁ ସ୍ୱପ୍ନବିଭୋର କରି ରଖିଥିଲେ । ନିତି ପ୍ରତି ତାଙ୍କ ଘରେ ଯାତରା । ପୁରୁଷ ଓ ସ୍ତ୍ରୀ ଲୋକ ତଥା ପିଲାମାନଙ୍କ ମେଳରେ ଛୁଟି ଦିନମାନଙ୍କରେ ତାଙ୍କ ଘର ଫାଟି ପଡୁଥିଲା । ସେ ଜଣାପଡ଼ନ୍ତି କେମିତି ଗୋଟିଏ ଭିନ୍ନ ମଣିଷ । ଲୋକେ ଭାବନ୍ତି- ହାୟ ! ଆଜି ସେଇ ଘରଣୀବାବୁ ଅଛନ୍ତି, କିନ୍ତୁ କାହିଁ ତାଙ୍କର ଅତୀତର ସୁଖ ସ୍ୱପ୍ନ । ତାଙ୍କର ସ୍ତ୍ରୀଗଲା ଦିନଠାରୁ ସତେ ଯେପରି ସବୁକିଛି ଚାଲିଯାଇଛି ତା’ ସାଙ୍ଗରେ । ଆହାଃ ! ଏତେ ଦୁଃଖରେ ଏ ଲୋକଟି କ’ଣ ପାଇଁ ବଞ୍ଚି ରହିଛି । ଅତି ହୀନମାନିଆ ଜୀବନ ଘେନି ବୋଧହୁଏ ଜୀଇଁ ରହିଛି କେବଳ ତାହାର ଲେଖା ପାଇଁ । ଏମିତି କେତେ କ’ଣ !

ଏହା ଭିତରେ କେତେବେଳେ ସେଇ ଧଳା ବାଦଲ ଖଣ୍ଡିକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଗଲାଣି ଧରଣୀବାବୁଙ୍କୁ ତାହା ଜଣା ନାହିଁ । ଚାହୁଁ ଚାହୁଁ ଧୂଳିଆ ତୋଫାନ ମାଡ଼ିଆସିଲା । ତାହାର ଧୂସର ବର୍ଣ୍ଣରେ, ତାଙ୍କ ଆଗ ହୋଇଗଲା ଅନ୍ଧାରୁଆ । ଆଉ ଆଗକୁ ଯାଇପାରିଲେ ନାହିଁ ସେ । ପ୍ରଚଣ୍ଡ ପବନ ଆଘାତରେ ପଡ଼ିଗଲେ ରାସ୍ତାକଡ଼ର ଗୋଟିଏ ବିଦ୍ୟୁତ ତା’ର ଖୁଣ୍ଟି ପାଖରେ । ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିଲା ଏବଂ କ୍ଷତବିକ୍ଷତ ହସ୍ତପଦରୁ ବାହାରୁଥିଲା ରକ୍ତଧାର । ସେ ଅଜ୍ଞାନ ଅବସ୍ଥାରେ ପଡ଼ି ରହିଥିଲେ ରାସ୍ତା କଡ଼ରେ ।

ତା’ପରେ ଝଡ଼ ଚାଲିଗଲା ତା’ ବାଟରେ । ଠିକ୍ ଏତିକିବେଳେ ସେଇ ରାସ୍ତାରେ ବାଇକ୍ରେ ଚାଲିଯାଉଥିଲେ ଦୁଇଜଣ । ଚାଳକ ଜଣକ ଯୁବକ ଓ ପଛରେ ବସିଥିଲା ଝିଅଟି । ଉଭୟେ ଗୋଟିଏ ଗଣମାଧ୍ୟମ ସଂସ୍ଥାରେ କାମ କରନ୍ତି । ଯୁବକ ହେଉଛନ୍ତି ସାନଭାଇ ଓ ପଛରେ ବସିଥିବା ଝିଅଟି ତାଙ୍କର ବଡ଼ ଭଉଣୀ । ସଂସ୍ଥାରେ କାମ ଶେଷ କରି ସେମାନେ ଫେରୁଥିଲେ ଘରକୁ । ସେଠାରେ ରାସ୍ତା କଡ଼ରେ ପଡ଼ିଥିବା ଜଣେ ଦୁର୍ଘଟଣାଗ୍ରସ୍ଥ ଲୋକକୁ ଦେଖି ବାଇକ୍ ବନ୍ଦ କରି ଧାଇଁଗଲେ ତାଙ୍କ ନିକଟକୁ । ପ୍ରଥମେ ଝିଅଟି ବଡ଼ ପାଟି କରି କହି ଉଠିଲା- “ଆରେ, ଏ ପରା ଧରଣୀ ବାବୁ । ସେଦିନ ଆମେ ତାଙ୍କ ଘରକୁ ଯାଇଥିଲେ ଫଟୋ ଓ ଲେଖା ପାଇଁ । ଏଠାରେ ତାଙ୍କର ଏ ଦୁର୍ଦ୍ଦଶା ଘଟିଲା କିପରି ?” ଯୁବକ ଜଣକ ମଧ୍ୟ ଚମକି ଉଠିଲେ ଦୁଃଖରେ । ଆଉ କାଳବିଳମ୍ୱ ନ କରି ସେମାନେ ସଙ୍ଗେ ସଙ୍ଗେ ରାସ୍ତା ଉପରୁ ଗୋଟିଏ ଗାଡ଼ି ଧରି ତାଙ୍କୁ ନେଇଗଲେ ନିକଟସ୍ଥ ଡାକ୍ତରଖାନାକୁ ।

ସେଠାରେ କିଛି ସୁଫଳ ମିଳିଲା ନାହିଁ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ପରାମର୍ଶ ଦେଲେ କଟକ ବଡ଼ ଡାକ୍ତରଖାନା ନେବା ପାଇଁ । ଆମ୍ୱ୍ରଲାନ୍ସ ଯୋଗେ ତାଙ୍କୁ ତତ୍‌କ୍ଷଣାତ୍ କଟକ ନେଇଗଲେ ଅତି ଦୁଃଖରେ ମର୍ମାହତ ହୋଇ ପଡ଼ିଥିବା ସେଇ ଭଉଣୀ ଓ ଭାଇ । ବଡ଼ ଡାକ୍ତରଖାନା ପହଞ୍ଚିବା ମାତ୍ରେ ଇମଜେନ୍ସି ୱାର୍ଡରେ ନାନା ପ୍ରକାର ଚିକିତ୍ସା ଆରମ୍ଭ ହୋଇଗଲା । ଡାକ୍ତର ଓ ନର୍ସମାନେ ବାରମ୍ୱାର ଆସି ରୋଗୀକୁ ଦେଖୁଥାନ୍ତି । ଆବଶ୍ୟକୀୟ ଔଷଧ ପତ୍ରର ମଧ୍ୟ ବ୍ୟବସ୍ଥା ଚାଲିଥାଏ । ବ୍ୟଥାତୁର ଅବସ୍ଥାରେ ସେଇ ଭଉଣୀଭାଇ ରୋଗୀର ଖଟିଆ ପାଖରେ ଦିନରାତି ଜଗି ବସିଥାନ୍ତି । ଭାଇ କେତେବେଳେ କେମିତି ବାହାରକୁ ଯାଏ ଦରକାରୀ ଜିନିଷ ଆଣିବା ପାଇଁ । କିନ୍ତୁ ଭଉଣୀ ଜଣକ ଖଟିଆ ପାଖରେ ମନମାରି ବସି ରହେ ଶଙ୍କାକୁଳ ହୃଦୟରେ କି ଦିନ କି ରାତି ! ଡାକ୍ତର ଓ ନର୍ସଙ୍କ ପରାମର୍ଶ ଅନୁସାରେ ସେ କାମ କରେ । ଅଖିଆ ଅପିଆ ଅଗାଧୁଆ ସାଙ୍ଗକୁ ପୁଣି ରାତି ଅନିଦ୍ରା ରହିବାରୁ ଜଣାପଡ଼େ ସେଇ ଝିଅଟିର ଚନ୍ଦ୍ରମା ବଦନକୁ ସତେ ଯେପରି ଖଣ୍ଡେ କଳା ବାଦଲ ଢାଙ୍କି ରହିଛି । ନିଜ ପ୍ରତି ତା’ର ଯତ୍ନ ନାହିଁ । ଶୁଖିଲା ମୁହଁ ଓ ସଜଳ ନେତ୍ରରେ ସେ ସର୍ବଦା ଚାହିଁ ରହିଛି ଧରଣୀବାବୁଙ୍କ ମୁଖମଣ୍ଡଳକୁ । କିନ୍ତୁ କାହିଁ ସେ ତ ଆଖି ଖୋଲି ଚାହୁଁ ନାହାନ୍ତି । ସେତେବେଳେକୁ ଗୋଟିଏ ରାତି ଓ ଗୋଟିଏ ଦିନ ବିତି ଗଲାଣି । ଅତି ଆଶ୍ଚର୍ଯ୍ୟର କଥା ଚିକିତ୍ସା ପାଇଁ ଅର୍ଥ ଦରକାର ପଡ଼ିବାରୁ ଭଉଣୀ ତା’ର ଅତି ଆଦରର ସୁନାହାରଟିକୁ ଭାଇ ମାଧ୍ୟମରେ ବିକ୍ରି କରି ସାରିଥିଲା । ସେଥିପାଇଁ ସେମାନଙ୍କ ମନରେ ନ ଥିଲା କୌଣସି ପ୍ରକାର ଶୋଚନା ସେମାନେ ଚାହୁଁଥିଲେ ତାଙ୍କର ସର୍ବସ୍ୱ ଯାଉ ପଛକେ ରୋଗୀ ଆରୋଗ୍ୟ ଲାଭ କରୁ । କାରଣ ପୂର୍ବରୁ ସେମାନେ ଧରଣୀବାବୁଙ୍କ ନିଃସଙ୍ଗ ଓ ଅସହାୟ ଜୀବନ ସହିତ ସାମାନ୍ୟ ପରିଚିତ ଥିଲେ ବୋଧହୁଏ ।

ଦିନ ଯାଇ ରାତି ଆସିଲା । ସେଦିନ ସନ୍ଧ୍ୟାବେଳେ ନିଜେ ବିଭାଗୀୟ ପ୍ରଫେସର ଆସିଲେ ଦେଖିବାକୁ । ଝିଅଟି ବସିବା ସ୍ଥାନରୁ ଚଞ୍ଚଳ ଉଠିପଡ଼ି ଅତି ଭଙ୍ଗା ଗଳାରେ ପଚାରିଲା- “ସାର୍, ଚବିଶି ଘଣ୍ଟା ତ ହୋଇଗଲା, ରୋଗୀର କାହିଁକି ଚେତା ଫେରୁନାହିଁ ?” ଡାକ୍ତରବାବୁ କିଛି ପରୀକ୍ଷା ନିରୀକ୍ଷା ପରେ କହିଲେ “ବ୍ୟସ୍ତ ହୁଅ ନାହିଁ । ଛାତି ଓ ମୁଣ୍ଡରେ ତାଙ୍କର ଆଘାତ ଲାଗିଛି । ତେବେ ମୁଣ୍ଡ ଅପେକ୍ଷା ଛାତିରେ ଅଧିକ ମାଡ଼ ହୋଇଯାଇଛି । ଧୈର୍ଯ୍ୟ ଧର, ଆଜି ରାତି ସୁଦ୍ଧା ନିଶ୍ଚୟ ସଂଜ୍ଞା ଫେରି ଆସିବ । ତେବେ ଆଉ କିଛି ଭଲ ଔଷଧ ଲେଖି ଦେଉଛି- ବଜାରରୁ କିଣି ଆଣିଲେ ଦିଆଯିବ ।”

ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ଗୋଟିଏ ହାତରେ ଧରି ସାନ ଭାଇ ପ୍ୟାଣ୍ଟ୍ ପକେଟ୍‌ରେ ଅନ୍ୟ ହାତଟି ପୁରାଇ କେତେ ଟଙ୍କା ଅଛି ଦେଖିବାକୁ ଯିବା ସମୟରେ ବଡ଼ ଭଉଣୀ ନିଜ ହାତରୁ ସୁନାମୁଦିଟି କାଢ଼ି ତା’ର ସେଇ ହାତକୁ ବଢ଼ାଇ ଦେଲା । ଏସବୁ ଘଟଣା ଏକାନ୍ତି ନିରବରେ ଘଟିଗଲା । ଔଷଧ ଆସିଲା, ରୋଗୀକୁ ଦିଆଗଲା । ଗତକାଲି ରାତିରେ ଆଖିର ପିଛଡ଼ା ତ ପଡ଼ିନାହିଁ । ତେବେ ଆଜି ରାତିରେ ସେମାନଙ୍କୁ ଅଧିକ ଜାଗ୍ରତ ରହିବାକୁ ପଡ଼ିବ । ଏହା ଭାବି ରାତି ସାଢ଼େ ନଅଟା କିମ୍ୱା ଦଶଟା ଭିତରେ ସବୁ ନିତ୍ୟକର୍ମ ଶେଷ କରିବାକୁ ଚେଷ୍ଟା କଲେ ।

ଖଟିଆ ଉପରେ ପୂର୍ବଭଳି ଚିତ୍ ହୋଇ ପଡ଼ି ରହିଛନ୍ତି ଧରଣୀବାବୁ ନିର୍ବାକ୍ ଓ ନିସ୍ତେଜ୍ ଅବସ୍ଥାରେ । ପାଖରେ ବସିଛନ୍ତି ଭାଇ ଭଉଣୀ ଦୁଇଜଣ, ରାତି ବଢ଼ି ବଢ଼ି ଚାଲିଛି, ରୋଗୀମାନଙ୍କ ପକ୍ଷେ ସତେ ଯେମିତି ତାହା କାଳରାତ୍ରୀ । ୱାର୍ଡରେ ଗହଳି ନାହିଁ କହିଲେ ଚଳେ । ରୋଗୀମାନେ ଖଟିଆ ଉପରେ ଶୋଇଛନ୍ତି । କାଁ ଭାଁ କେଉଁଠି କେମିତି ଅନୁଚ୍ଚ ପାଟି ତୁଣ୍ଡ ଶୁଭୁଛି । ନିଦ୍ରାରୁ ରକ୍ଷା ପାଇବା ପାଇଁ ଭଉଣୀ କହୁଛି ତା’ ସାନ ଭାଇକୁ- “ଆହାଃ ! କେଡ଼େ ସରଳ, ଅମାୟିକ ଲୋକ, ଏ ଧରଣୀ ବାବୁ ! ତାଙ୍କର ସ୍ନେହ, ଆଦର କେବେହେଲେ ଭୁଲି ହେବ ନାହିଁ । ଆମ ସଂସ୍ଥା ତାଙ୍କ ଠାରୁ କିଛି ପାଇବ ବୋଲି ଆଶା କରିଥିଲା । ହାୟ ! ବିଧାତା ଭଲ ଲୋକମାନଙ୍କ ଭାଗ୍ୟରେ କ’ଣ ଏଇଆ ଲେଖା ଥାଏ ।” ମଝିରେ ମଝିରେ କଥାକୁ ଲମ୍ୱାଇବା ପାଇଁ ସାନ ଭାଇ ତହିଁରେ କିଛି ସଂଯୋଗ କରୁଥାଏ । ମୋ ଉପରେ ତାହା ଥିଲା ଧରଣୀବାବୁଙ୍କ ଜୀବଦଶାର ଏକ ସଂକ୍ଷିପ୍ତ ପର୍ଯ୍ୟାଲୋଚନା ।

ଏହିଭଳି ବିଷାଦ ଭରା କଥାବାର୍ତ୍ତା ଭିତରେ ରାତି ଆସି ସାଢ଼େ ଚାରିଟା ହେଲାଣି । ରାତ୍ରିର ଶେଷ, ପାହାନ୍ତା ପ୍ରହର । ହଠାତ୍ ଝିଅଟି ଦେଖିଲା- ଧରଣୀବାବୁ ଆଖି ଖୋଲି ବିସ୍ମୟ ବିସ୍ଫାରିତ ନେତ୍ରରେ ଚାହିଁଛନ୍ତି ତାଙ୍କ ଉପରେ ଥିବା ଛାତକୁ । ତା’ର ମୁଖ ଉଜ୍ଜଳି ଉଠିଲା- ସେ ଅତି ଆବେଗ ଭରା ଅଶ୍ରୁଳ ନେତ୍ରରେ ତାଙ୍କ ମୁଣ୍ଡ ପାଖକୁ ଲାଗିଯାଇ କହି ପକାଇଲା- “ମୁଁ ପରା ତୁମର ବର୍ଷା, ଯାହାକୁ କେତେ ଭଲ ପାଉଥିଲେ । ମୋତେ ଚିହ୍ନିପାରୁ ନାହାଁନ୍ତି ?” ସେ ଆଉ କ’ଣ କହିବାକୁ ଯାଉଥିଲା । ଏତିକିବେଳେ ଝିଅଟିର ଭାଇ କହି ଉଠିଲା ଅତି ଉତ୍କଣ୍ଠାର ସହିତ- “ମୋ ନାଁ ଘନ । ଆମକୁ ଆପଣ କେତେ ସ୍ନେହ ଶ୍ରଦ୍ଧା କରନ୍ତି । କିଛି କ’ଣ ମନେ ପଡୁନାହିଁ ?”

ଧରଣୀବାବୁ ସେତେବେଳେ କିଛି କହିବା ଅବସ୍ଥାରେ ନ ଥିଲେ । କେବଳ ଅସ୍ପଷ୍ଟ ଭାବରେ ତାଙ୍କ ପାଟିରୁ ବାହାରି ପଡ଼ିଲା- “ଏଁ, ବର୍ଷା, ବର୍ଷା, ବର୍ଷା, ପୁଣି ଘନ !” ସେ ଅତି ଭୀତତ୍ରସ୍ତ ହେଲାପରି ଏତିକି କହି ଆଖି ମୁଦି ଦେଲେ । ସମ୍ଭବତଃ ଭାବିଲେ ଯେଉଁ ବର୍ଷା ଓ ମେଘଖଣ୍ଡ ବିଷୟରେ ଭାବି ଭାବି ରାସ୍ତାରେ ସେ ଦୁର୍ଘଟଣାଗ୍ରସ୍ତ ହେଲେ । ଏ ପୁଣି ସେଇ ବର୍ଷା, ସେଇ ଘନ । ସେହି ସମୟ ଠାରୁ କେମିତି ଗୋଟାଏ ଅବ୍ୟସ୍ତ ଯନ୍ତ୍ରଣାରେ ସେ ଛଟପଟ ହେବାକୁ ଲାଗିଲେ । ଶେଷକୁ ଅସହ୍ୟ ବେଦନାରେ ଚିତ୍କାର କଲାବେଳେ ତାଙ୍କ ପାଟି ବାଟେ ଝଲକାଏ ତାଜା ରକ୍ତ ବାହାରି ଆସିଲା । ତା’ପରେ ସବୁ ଶେଷ ।

ଏଭଳି ଶୋକାବହ ପରିସ୍ଥିତିର ସାମ୍ନା କରି ହୃଦୟର କୋହ ସମ୍ଭାଳି ନ ପାରି ବର୍ଷା ତଳେ ପଡ଼ିଗଲା । ସେତେବେଳେ ସେ ଜଡ଼ ପାଲଟି ଯାଇଥିଲା । ତା’ ଆଖିରୁ ଅବିରତ ବହି ଚାଲିଥିଲା ଶ୍ରାବଣର ବାରିଧାରା । ଆଉ ଘନ, ନିର୍ବାକ ଅବସ୍ଥାରେ ଗୋଟିଏ ଅସହାୟ ଲୋକକୁ ବଞ୍ଚାଇବା ଦିଗରେ ସେମାନେ ଅସମର୍ଥ ହୋଇ ପଡ଼ିଛନ୍ତି- ଏହା ଭାବି ବାରମ୍ୱାର ରୁମାଲ୍‌ରେ ଆଖି ପୋଛୁଥିଲେ । ଠିକ୍ ଏତିକିବେଳେ ଜଣେ ନର୍ସ ଡିସ୍ଚାର୍ଜ ଅର୍ଡର ତାଙ୍କ ହାତକୁ ବଢ଼ାଇ ଦେଇ କହିଲା- “ଶୀଘ୍ର ବେଡ୍ ଖାଲି କର ।” ସେତେବେଳେ ଡାକ୍ତରଖାନା ପାଚେରୀ ଉପରେ ଗୋଟିକିଆ ଡାମରା କାଉଟା ରାବୁଥିଲା- କା’ କା’ କା’ !

ଲୋକପ୍ରିୟ ଲେଖା

To Top