ଗଳ୍ପ

ଅଗ୍ନିକାଣ୍ଡ

Dr Bibhuti Pattanaik's odia story Agnikaanda

ସବୁ ସେଇ ଈଶ୍ୱରଙ୍କ ଇଚ୍ଛା, ମୁଁ ନିମିତ୍ତ ମାତ୍ର । ମୋ ଭଳି ଜଣେ ପାପିଷ୍ଠ ପୁରୁଷ ଦ୍ୱାରା ତମର ଯଦି କିଛି ଉପକାର ହୁଏ, ମୁଁ ତମ ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ।

ଅଗ୍ନିକାଣ୍ଡ

-: ପୂର୍ବରୁ :-

ବଳିଦତ୍ତ ଟାଇପ୍ ଫୋର୍ କ୍ୱାଟର୍ସର ଦକ୍ଷିଣ ପଟେ ଶିକ୍ଷା ଦପ୍ତରର ହେଡ୍ ଆସିଷ୍ଟାଣ୍ଟ ରମାକାନ୍ତବାବୁଙ୍କ କ୍ୱାଟର୍ସ । ବାମପଟେ ଓଭରସିଅର୍ ରତ୍ନାକର ରାଉଳଙ୍କ କ୍ୱାଟର୍ସ । କ୍ୟାପିଟାଲ୍ ମେଣ୍ଟେନାନ୍ସ ବିଭାଗର ଓଭର୍ସିଅର୍ ବୋଲି ରାଉଳ ବାବୁଙ୍କ ଭାଉ ବେଶି । ସରକାରୀ କ୍ୱାଟର୍ସ ମରାମତି କାମରୁ ଓଭର୍ସିଅର୍ ବାବୁ ବେଶ୍ ଦୁଇ ପଇସା ଉପୁରି ରୋଜଗାର କରନ୍ତି । ସେଥିପାଇଁ ତାଙ୍କ ସ୍ତ୍ରୀ ମନୋରମା ଏ କଲୋନୀର ଅନ୍ୟ କ୍ୱାଟର୍ସର ମହିଳାମାନଙ୍କୁ ଖାତିର କରନ୍ତି ନାଇଁ ।

ପ୍ରଥମେ ପ୍ରଥମେ ନୂଆ ଆସିଲାବେଳେ ମନୋରମା ତାଙ୍କ ଘରକୁ ଆସୁଥିବା ମାଛଠାରୁ ଆରମ୍ଭ କରି ମିଠା ପର୍ଯ୍ୟନ୍ତ-ସବୁଥିରୁ କିଛି କିଛି ଚାକର ହାତରେ ସରୋଜିନୀ ପାଖକୁ ପଠାଉଥିଲେ । ଛାଡ଼ଖାଇ ଦିନ ଗୋଟାଏ କିଲୋ ଖାସି ମାଂସ ଏବଂ ଗୋଟାଏ ଦେଢ଼ କିଲୋ ଓଜନର ରୋହିମାଛ ପଠାଇଥିଲେ ।

ସରୋଜିନୀ ଫେରାଇଦେଲା ।

ଠିକାଦାରମାନେ ଓଭର୍ସିଅର୍ ବାବୁଙ୍କୁ ଛାଡ଼ଖାଇ କରିବା ପାଇଁ ମାଛ, ମାଂସ ଭେଟି ପଠାନ୍ତି । ସେ ମାଗଣା ଭେଟିରୁ ଭାଗ ବସାଇବାକୁ ମନା କରିଦେଲା ସରୋଜିନୀ । କହିଲା- “ଆମ ଫ୍ରିଜ୍ ଖରାପ ହୋଇଯାଇଛି । ଏସବୁ ଆଇଁଷ ରଖିବା ପାଇଁ ଜାଗା ନାହିଁ । ମାଆକୁ କହିବୁ-ଏଣିକି ଆମ ଘରକୁ ମିଠା, ମାଛ, ମାଂସ କିଛି ପଠାଇବେ ନାହିଁ ।”

ଚାକର ଟୋକା କଅଣ କହିଲା କେଜାଣି, ଭଲ କଥାକୁ ଭୁଲ୍ ବୁଝି ମନୋରମା ଅସଭ୍ୟ ଭାଷାରେ ନାମ ନ ନେଇ ଦେଖେଇ ଶୁଣାଇ ଗାଳି ବର୍ଷିଗଲେ । ସରୋଜିନୀ ଯେତେ ବୁଝାଇଲା ଯେ, ସେ ପଚାମାଛ କିମ୍ୱା ବାସି ମାଂସ ବୋଲି ଫେରାଇ ଦେଇ ନାହିଁ- ସେ ବୁଝିଲେ ନାହିଁ । ସେହିଦିନୁ ରତ୍ନାକର ବାବୁଙ୍କ ପରିବାର ସହ ତାଙ୍କର ସକଳ ସମ୍ପର୍କ ଛିନ୍ନ ହୋଇଗଲା । କଥାବାର୍ତ୍ତା, ମୁହଁ ଚାହାଁଚାହିଁ ବନ୍ଦ ।

ସରସ୍ୱତୀ ପୂଜା ଦିନ ବଗିଚାର ଫୁଲ ଚୋରି ହୋଇଯିବ ବୋଲି ଭୋରରୁ ଅନ୍ୟ ଦିନ ଭଳି ଫାଟକର ତାଲା ଖୋଲି ନ ଥିଲା । କିନ୍ତୁ ସକାଳୁ ଉଠି ଦେଖିଲା ପାଚେରି ଡେଇଁ ଓଭର୍ସିଅର୍ ବାବୁଙ୍କ ପୁଅ ମନୁ ଫୁଲ ତୋଳି ନେଉଛି । ଗେଣ୍ଡୁ, କେଳିକୁସୁମ ଗଛ ଉପାଡ଼ି ପକାଇଛି । ଗୋଲାପ ଫୁଲ ତୋଳି ନେଲାବେଳେ ଟାଣି ହୋଇଯାଇ ଫୁଲକୁଣ୍ଡ ଗୋଟାଏ ଭାଙ୍ଗିଯାଇଛି ।

ସରୋଜିନୀ ଏ ଦୃଶ୍ୟ ଦେଖି ସମ୍ଭାଳି ପାରିଲା ନାହିଁ ।

ଦଉଡ଼ିଯାଇ ମନୁର ହାତକୁ ଧରି ଅଟକାଇ ଦେଲା । ଗେଟ୍‌ରେ ତଥାପି ତାଲା ଝୁଲୁଥିଲା । ପଳାଇବା ପାଇଁ ବାଟ ନ ପାଇ ସେ ବଡ଼ ପାଟିରେ କାନ୍ଦି ଉଠିଲା ।

ଫାଟକ ପାଖକୁ ମନୋରମା ଛୁଟି ଆସି ଚିତ୍କାର କରି ଉଠିଲେ- “ମୋ ପୁଅ ଦିହରେ ହାତ ଦେବା ପାଇଁ ତମେ କିଏ ?”

ସରୋଜିନୀ ଉତ୍ତର ଦେଲା- “ପୂଜା ପାଇଁ ମାଗିଥିଲେ ମୁଁ କ’ଣ ଫୁଲ ଦେଇ ନ ଥାନ୍ତି । ଏଇ ଦେଖ-ଫୁଲ ଚୋରି କରିବାକୁ ଆସି ତମ ପୁଅ ମୋ ଫୁଲ ବଗିଚାକୁ ଉଜାଡ଼ି ଦେଇଛି । ପିଲାଦିନୁ ଏ ଚୋରୀ ବିଦ୍ୟା ଶିଖିବା କ’ଣ ଭଲ ?”

ଗର୍ଜି ଉଠିଲେ ମନୋରମା ।

କ’ଣ କହିଲ ? ମୋ ପୁଅ ଚୋର ! ତମେ ତ ବାଞ୍ଝ । ପିଲା ଛୁଆର ମାଆ ହୋଇନ । ସେଥିପାଇଁ ମୋ ପୁଅକୁ ଦେଖି ସହି ପାରୁନାହଁ । ପୂଜା ପାଇଁ ଫୁଲ ଦୁଇଟା ତୋଳିଲା ବୋଲି ତାକୁ ଚୋର ବୋଲି କହୁଛ । ଆଜି ସକାଳୁ ବାଞ୍ଝ ସ୍ତ୍ରୀ ଲୋକର ମୁହଁ ଚାହିଁଲିଣି-ଖାଇବାକୁ ମିଳିବ କି ନାହିଁ କେଜାଣି ।

ମନୋରମାଙ୍କ ବନ୍ଧ୍ୟା ଆକ୍ଷେପକୁ ଦେହକୁ ନେଲା ନାହିଁ ସରୋଜିନୀ ।

ହସିଦେଇ କହିଲା- “ମୁଁ ତ ଗୋଟିଏ ପିଲାକୁ ସମ୍ଭାଳିପାରୁ ନାହିଁ, ଆଉ ଅଧିକ ପିଲାଛୁଆ ମୋର କ’ଣ ଦରକାର ?”

– ତମର ପୁଣି ଗୋଟାଏ ପିଲା ଆଇଲା କୁଆଡୁ ?

ଏତିକିବେଳେ ବଳିଦତ୍ତ ବଗିଚାରେ ପାଟିତୁଣ୍ଡ ଶୁଣି ଘରୁ ବାହାରି ଆସୁଥିଲା ।

ତା’ ଆଡ଼କୁ ଆଙ୍ଗୁଠି ଦେଖାଇ ସରୋଜିନୀ କହିଲା- “ଏଇ ମୋର ପୁଅ, ସ୍ୱାମୀ ଆଉ ବନ୍ଧୁ- ଥ୍ରୀ ଇନ୍ ୱାନ୍ !”

ବଳିଦତ୍ତକୁ ଦେଖି ମନୋରମା ମୁଣ୍ଡରେ ଓଢ଼ଣା ଦେଇ ନିଜ କ୍ୱାଟର୍ସକୁ ଫେରିଗଲେ । ଫାଟକ ଖୋଲା ହେବା ଆଗରୁ ଛିଣ୍ଡାଇଥିବା ଫୁଲତକ ଫୋପାଡ଼ି ଦେଇ ଓଭର୍ସିଅର୍ ବାବୁଙ୍କ ପୁଅ ମନୁ ପାଚେରି ଡେଇଁ ପାର୍ ହୋଇଗଲା ।

କଥାକୁ ଅଲଗା ବାଗରେ ଏଡ଼ାଇ ଦେଇଥିଲେ ସୁଦ୍ଧା ବନ୍ଧ୍ୟା ଅପବାଦ ଯେ ସରୋଜିନୀର ମର୍ମ ଭେଦ କରିଯାଇଛି, ତାହା ଅନୁଭବ କରି ବଳିଦତ୍ତର ମନ ହାହାକାର କରି ଉଠୁଥିଲା ।

ତା’ର ମନେ ପଡ଼ିଯାଇଥିଲା ତାଙ୍କ ବିଭାଗୀୟ ସଚିବଙ୍କ ସାନଭାଇ ବାବା ଯୋଗେଶ୍ୱରଙ୍କ କଥା । କାନରେ ଶୁଭି ଯାଉଥିଲା ତାଙ୍କ ପାଖରୁ ବିଦାୟ ନେଇ ଆସିଲା ବେଳେ ତାଙ୍କ ଶେଷ କଥା ପଦକ-“ସବୁ ସେଇ ଈଶ୍ୱରଙ୍କ ଇଚ୍ଛା, ମୁଁ ନିମିତ୍ତ ମାତ୍ର । ମୋ ଭଳି ଜଣେ ପାପିଷ୍ଠ ପୁରୁଷ ଦ୍ୱାରା ତମର ଯଦି କିଛି ଉପକାର ହୁଏ, ମୁଁ ତମ ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ।”

ଯାହା କହିବ ବୋଲି ମନେ ମନେ ବାରମ୍ୱାର ମୁଖସ୍ଥ କରି ଯାଇଥିଲା, ବାବାଙ୍କ ଜ୍ୟୋତିର୍ମୟ ମୁଖମଣ୍ଡଳକୁ ଚାହିଁ ଦେଲା ମାତ୍ରେ ସବୁ ଭୁଲିଗଲା ବଳିଦତ୍ତ । କିଛି ମାଗିପାରିଲା ନାହିଁ କି କହିପାରିଲା ନାହିଁ ।

ଏଥର କିନ୍ତୁ ତାକୁ ମୁହଁ ଖୋଲି କହିବାକୁ ହେବ । ସରୋଜିନୀକୁ ସାଙ୍ଗରେ ନେଇ ସେ ଆଶ୍ରମକୁ ଯିବ ।

ପ୍ରଥମେ ନାହିଁ ନାହିଁ କରୁଥିଲେ ବି ଶେଷରେ ଯୋଗେଶ୍ୱର ଧାମରେ ବାବୁଙ୍କୁ ଦର୍ଶନ କରିବାକୁ ଯିବା ପାଇଁ ରାଜି ହୋଇଗଲା ସରୋଜିନୀ ।

ଭାଦ୍ର ପୂର୍ଣ୍ଣମୀରେ ବାବାଙ୍କ ଜନ୍ମଦିନ । ସେଥିପାଇଁ ଆଶ୍ରମରେ ଉତ୍ସବ ହୁଏ । ଦର୍ଶନ ଦେବା ପାଇଁ ସେଦିନ ବାବା ଯୋଗେଶ୍ୱର କାହାକୁ ନାହିଁ କରନ୍ତି ନାହିଁ ।

ସେଇ ସୁଯୋଗରେ ଏକାଥରେ ଠାକୁର ଦେଖା, କଦଳୀ ବିକା ହୋଇଯିବ ବୋଲି ମନେ ମନେ ଖୁସି ହୋଇ ବଳିଦତ୍ତ ଦୁଇଦିନ ପାଇଁ ଅଫିସ୍‌କୁ ଛୁଟି ଦରଖାସ୍ତ ପଠାଇଦେଲା ।

ତା’ପରେ

ଲୋକପ୍ରିୟ ଲେଖା

To Top