ଗଳ୍ପ

ଚାନ୍ଦର ମୁହଁ ବଙ୍କା

Laxmidhara Nayak's odia story Chandara Muhan Bankaa

ସତରେ କ’ଣ ଗରମ ତେଲ କାନରେ ପକାଇବ ଚନ୍ଦ୍ରା । ମୋଟେ ନୁହେଁ । ଏତେ ବୋକାମି ସେ ନିଶ୍ଚୟ କରିବ ନାହିଁ । ପୁଣି ଭାବିଲା- ତାକୁ ଭରସା କ’ଣ ?

ଚାନ୍ଦର ମୁହଁ ବଙ୍କା

-: ପୂର୍ବରୁ :-

– ସବୁ ସ୍ୱପ୍ନ ଥିଲା ଚାନ୍ଦ । ତୁ ବାହା ହେଇନୁ, କି ଶାଶୁଘର ଯାଇନୁ । ସମାଜ ସ୍ୱୀକୃତି ମିଳିନି, କି. . . ତୋତେ ତୋ ବାପା କନ୍ୟାଦାନ କରି ନାହାନ୍ତି । ଆତ୍ମା ସହିତ ଆତ୍ମା ଯୋଡ଼ି ହେବାର ମନ୍ତ୍ର ପଢ଼ାନଯାଇ, କଥାରେ କଥାରେ. . . ଲୁଚାରେ ଛପାରେ, ସମାଜ ବ୍ୟବସ୍ଥାକୁ ମୁହଁ ମୋଡ଼ି ଦେଇ. . . କାହାଠାରୁ ସିନ୍ଦୂର ପିନ୍ଧିବାଟା ବିବାହ ନୁହେଁ । ମା’ ! ସ୍ୱାମୀ-ସ୍ତ୍ରୀ ହେଇ ଯେଉଁମାନେ ସମାଜରେ ରହିବେ, ସେମାନେ ସମାଜ ବ୍ୟବସ୍ଥା ନ ମାନିବେ କିପରି ? ତୋତେ ମୋ ରାଣ ଚାନ୍ଦ. . . ସବୁ ଭୁଲିଯା’. . . ।

ସୁଧାଦେବୀ ଚନ୍ଦ୍ରାର ଛଳଛଳ ଲୁହକୁ ପଣତରେ ପୋଛିଲେ । ଚୁମାଟିଏ ଦେବାକୁ ଚାହୁଁଥିଲେ ଯେ. . . ମନେପଡ଼ିଲା- ତାଙ୍କ ଚାନ୍ଦର ମୁହଁ ଅଇଁଠା ହେବ । ଅଇଁଠା ମୁହଁରେ କେମିତି ଲକ୍ଷ୍ମୀପୁରାଣ ପଢ଼ିବ ।

ସୁଧାଦେବୀ ପଦ୍ମମଣ୍ଡଳ ମଝିରେ ହଳଦୀ ରଙ୍ଗର ମୁରୁଜରେ କେଶରଟିଏ କଲେ । ତା’ ଉପରେ ବୁନ୍ଦା ବୁନ୍ଦା କରି ପକାଇଲେ. . . କଳାମୁରୁଜ । ପଦ୍ମ କେଶର ଝଳି ଉଠିଲା ।

– ଏବେ ଧୁଆପୋଛା କରି, ଲକ୍ଷ୍ମୀଖଟୁଲି ଆଣ୍ ଚାନ୍ଦ । ପଦ୍ମମଣ୍ଡଳ ମଝିରେ ପୂର୍ବକୁ ମୁହଁ କରି ରଖ ।

ଚନ୍ଦ୍ରା ଖଟୁଲି ରଖିଲା । ପୂର୍ବ ବର୍ଷପରି, ଖଟୁଲି ମଝିରେ ନାଡ଼ ଛଡ଼ାଇ ରକ୍ତ ରଙ୍ଗର ପଦ୍ମଫୁଲଟିଏ ରଖିଲା । କେଶର ଉପରେ ଅକ୍ଷତ ଗୁଆଟିଏ ଥୋଇଲା. . . ।

ସୁଧାଦେବୀ ମୁହଁରେ ଲୁଗାବାନ୍ଧି, ଅଥାର ହାଣ୍ଡିରୁ ଦଶପୁରଦିଆ ମଣ୍ଡା ବାହାର କରୁ କରୁ କହିଲେ- “ପୂଜାଗୁଆରେ କଜ୍ଜ୍ୱଳରେ ସାନ ସାନ ଆଖି, ନାକ, ପାଟି, କାନ ଆଙ୍କିଦେ ଚାନ୍ଦ । ନୂଆ ନଡ଼ିଆପତ୍ରର କଞ୍ଚି ରଖିଛି- କବାଟ କୋଣରେ । ସେଇଥିରେ କରିବୁ । ପୁଅଡ଼ୋଳା ଦେବୁନି । ଜୀବନ୍ୟାସ ସମୟରେ ମୁଁ ଦେବି ।

. . . ଏହାପରେ, ଖଟୁଲିକୁ ଫୁଲରେ ସଜେଇବୁ । ନାଲି ଛିଟ କପଡ଼ା ଥାକରେ ଅଛି । ଖଟୁଲି ମେହେରାବିରେ ପକେଇବୁ । ଧଳା ଛିଟ ଗଣେଶ କଳସର । ଅରୁଆ ଧାନମଣ୍ଡଳାରେ କଳସ ରଖିବୁ । ସିନ୍ଦୂରରେ ଅର୍ଦ୍ଧଚନ୍ଦ୍ର କରିବୁ । ଆମ୍ୱଡ଼ାଳିଆ ସହିତେ, ଦୁବ ବରକୋଳି ପତ୍ର ରଖିବୁ ସେଥିରେ । କଳସରେ ପୁରା ପାଣି ଅଛି । ତୀର୍ଥଜଳ ଅଛି କାଚ ଶିଶିରେ । ସେଥିରେ ଢାଳି ଦେବୁ. . . ।

. . . ଦୁଇଟି ବ୍ରତ ଅଛି ପାଛିଆରେ । ତାକୁ ଗୁଆ ଦୁଇପାଖରେ ରଖିବୁ । ଗୋଟିଏ ଜେଜୀଙ୍କର. . . ଆରଟି ମୋର ।”

ଚନ୍ଦ୍ରା ପଚାରିଲା- “ବ୍ରତ କାହଁକି ପିନ୍ଧନ୍ତି ବୋଉ ?”

ସୁଧାଦେବୀ ଅଥାର-ହାଣ୍ଡିକୁ ଗ୍ୟାସ୍‌ଚୁଲ୍ଲାରୁ ଓହ୍ଲାଇ, ସିମର ବନ୍ଦ କଲେ । କହିକହି ପୂଜାଘରକୁ ଆସିଲେ- “ଗୁଆ ହେଉଛି. . . ମା ଲକ୍ଷ୍ମୀଙ୍କର କା । ତା’ ଦୁଇପାଖର ବ୍ରତରେ ଲକ୍ଷ୍ମୀ ଠାକୁରାଣୀଙ୍କ ପରଶ ଓ ଆଶିଷ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ଏହାକୁ ଯେଉଁ ସଧବା ପିନ୍ଧେ, ସେ ନିଜକୁ ହତଲକ୍ଷ୍ମୀ ବୋଲି ଭାବେ ନାହିଁ, କି ଲକ୍ଷ୍ମୀହରା କାମ କରେ ନାହିଁ । ବ୍ରତ ଏମିତିକା ବିଶ୍ୱାସର. . . ପୂଜା ଅଳଙ୍କାର ମା’ । ୟା’ ପାଖରେ କୌଣସି ସୁନା ଅଳଙ୍କାର ମୂଲ୍ୟ ରଖେନା ।”

ଚନ୍ଦ୍ରା କହିଲା- “ଦଶ ପ୍ରକାର ଫଳ ଅଛି ଡାଲାରେ । ମୁଁ ଛାତକୁଣ୍ଡରୁ ଦଶପ୍ରକାର ଫୁଲ ଆଣିବାକୁ ଉପରକୁ ଯିବି କି ?”

. . . ଯିବୁ ତ. . . ଭାଇକୁ ଉଠା ଦିହେଁ ଉପରୁ ଯିବ । ରାତିଟା. . . ! ଭାଇପରା ପାହାନ୍ତାରୁ ଉଠି ପଢ଼େ । ଦେଖିଲୁ, ଶୋଇଛି କି ପଢୁଛି ? ତା’ର ବି ଜନ୍ମଦିନ ଆଜି ତା’ ନୂଆ ପ୍ୟାଣ୍ଟସାର୍ଟ ବାପାଙ୍କ ଆଲମୀରାରୁ ଆଣି, ପୂଜା ଘରେ ରଖିବୁ ଚାନ୍ଦ. . . ।

ମୁଣ୍ଡପାଖ ବିଛଣାରେ ତକିଆ. . . ତା’ ଉପରେ ବାଁ ହାତର ପାପୁଲି । ପାପୁଲି ଉପରେ ଅଲରା କେଶର ମୁଣ୍ଡଟିକୁ ରଖିଦେଇ. . . ପଢୁ ପଢୁ ତରବରରେ, ଛଳନା କରି, ଶୋଇଯାଇଛି ଅରୁଣ । ଚନ୍ଦ୍ରା ତା’ ରୁମ୍‌କୁ ଆସୁଥିବାର ଶୁଣି. . . ଏମିତି ଘୁଙ୍ଗୁଡ଼ି ମାରିଲା. . . ଯେମିତି ଛାତ ଉଡ଼ିଯିବ । ଡାହାଣ ହାତ ଓ ଗୋଡ଼ ଦୁଇଟିକୁ ଏମିତି ଛିଞ୍ଚାଡ଼ିଲା ପରି ରଖିଛି. . . ଯେମିତି, ଜ୍ୟାମିତି ଜ୍ୟାମିତି ଲାଗୁଛି ।

ଚନ୍ଦ୍ରା ଡାକିଲା- “ଭାଇ ! ଆଲାର୍ମ ଦେଇ ନଥିଲୁ କି ? କ’ଣ ପାହାନ୍ତା ପଢ଼ିବା ଫୁସ୍ ହେଇଗଲା ? ଓ.ଏ.ଏସ୍. ପରୀକ୍ଷା ଯେମିତି ଫୁସ୍ ନ ହୁଏ । ଆଜି ତୋର ଜନ୍ମଦିନ । କାଳେ ମନେ ନଥିବ, ଅଲିଅଳ ପୁଅର । ବୋଉ ପଠେଇଛି. . . ଉଠେଇବାକୁ । ଉଠ୍, ନିତ୍ୟକର୍ମ ସାରି, ଗାଧୋଇପଡ଼ିବୁ ଯା’ । ଶୀତ ଲାଗିବ. . . । ପାଣି ଗରମ କରିଦେବି କି ?”

ଅରୁଣ ତ ଦ୍ୱିତୀୟ କୁମ୍ଭକର୍ଣ୍ଣ ।

ନ ଶୁଭୁଥିବାର ଛଳନାରେ ପଡ଼ିରହିଥାଏ ବିଛଣାରେ ।

ଚନ୍ଦ୍ରା ତା’ ପିଠିକୁ ହଲାଇ ଭାଇ ଭାଇ ଡାକିଲା. . . । ଅରୁଣ ଯେପରି କି ତୁଠପଥର । କିଏ କ’ଣ ଘଷୁ ତ. . . ଆଉଁଶୁ, ସେ ଗୋଟିଏ ଜାଗାରେ ସ୍ଥିର. . . । କେବଳ ଘୁଙ୍ଗୁଡ଼ିଟା ବନ୍ଦ ହେଲା ସିନା. . . ପୁରା ନିଶ୍ଚଳ ଜଡ଼ପିଣ୍ଡଟିଏ ପରି ।

ସବୁ ବୁଝିଗଲା ଚନ୍ଦ୍ରା. . . ।

କହିଲା- “କୁମ୍ଭକର୍ଣ୍ଣକୁ ଗରମ ତେଲ ଦରକାର. . . !”

ଅରୁଣ ଭାବୁଥାଏ- ସତରେ କ’ଣ ଗରମ ତେଲ କାନରେ ପକାଇବ ଚନ୍ଦ୍ରା । ମୋଟେ ନୁହେଁ । ଏତେ ବୋକାମି ସେ ନିଶ୍ଚୟ କରିବ ନାହିଁ । ପୁଣି ଭାବିଲା- ତାକୁ ଭରସା କ’ଣ ?

ତଥାପି ଅରୁଣ ଆଗପରି ଘାଲେଇ ଶୋଇରହିଲା. . . ।

ଚନ୍ଦ୍ରା ଫ୍ରିଜ୍‌ରୁ ଥଣ୍ଡାପାଣି ବଟଲଟା ଆଣି, କର୍କ ଖୋଲିଲା ଓ ଚଳାଏ ନେଇ, ସିଞ୍ଚି ଚାଲିଲା- ଭାଇର ଦେହସାରା । ସାନ ଚିତ୍କାରଟିଏ କରି, ଉଠିପଡ଼ିଲା ଅରୁଣ. . . ଧରିଲା ଭଉଣୀର କାନ. . . ।

ଚନ୍ଦ୍ରା ଆଃ ଆଃ ହେଉଥାଏ, କିନ୍ତୁ ତା’ ମୁହଁସାରା ନିର୍ମଳ ହସ କେରା କେରା ହେଇ, ଉଜ୍ଜ୍ୱଳ ଦିଶୁଥାଏ । ସୁଧାଦେବୀ ପୂଜାଘରୁ କହୁଥାନ୍ତି- “ଲାଗିଗଲ ଦିହେଁ, ନା !”

– “ଦେଖିଲୁ ଦେଖିଲୁ ବୋଉ, କେମିତି କାଲୁଆ ପାଣିରେ ତିନ୍ତେଇ ସାରିଲାଣି ।” ଅରୁଣ ଅଭିଯୋଗ କରୁଥାଏ ସିନା. . . ତାକୁ ମଜା ଲାଗୁଥାଏ ।

ସୁଧାଦେବୀଙ୍କ ଓଠରେ ମଧୁର ହସ କେରାଏ ଶୀତ ଅପରାହ୍ଣର ଧାନ କେନ୍ଦା ପରି ଚହଲିଗଲା. . . ।

ପୁଅ ରାଗି ନ ଥିଲା, କି. . . ଝିଅ ଭାଇ ହାତରୁ କାନ ଛଡ଼େଇବାକୁ ଚାହୁଁ ନଥିଲା । ପୂଜାଘରୁ ଥାଇ ବୋଉ କହିଲେ- “ତମ ଭାଇ-ଭାଉଣୀଙ୍କ ସ୍ନେହକୁ ମା’ ଲକ୍ଷ୍ମୀଠାକୁରାଣୀ ସବୁଦିନ ଏମିତି ରଖିଥାନ୍ତୁ । ହେଉ, ଅରୁ । ଯା’ ତ ଚାନ୍ଦ ସାଙ୍ଗରେ. . . ଛାତ ଉପରୁ ଫୁଲ ଆଣିବୁ । ଆଉ ଟିକକୁ ଭୋର୍ ହେବ. . . ଜଗନ୍ନାଥ ମନ୍ଦିରରୁ ମଙ୍ଗଳଆଳତି ଆରମ୍ଭ ହେଉ ହେଉ, ଯେମିତି ପୂଜାଘରୁ ଶଙ୍ଖ ବାଜେ । ତୋର ଆଜି ଜନ୍ମଦିନ ବାପା. . . ସଅଳ ସଅଳ କାମ ସାରି କି ଆ. . . !”

ବୋଉ ତୁନି ହେଲାରୁ, ଅରୁଣ ପଚାରିଲା- “କାନ କାଟିଲା ଚନ୍ଦ୍ରା !”

“. . . ତତେ ବି ଶୀତ ଲାଗୁଥିବ ଭାଇ !”

କାନ ଛାଡ଼ି, ତାକୁ ସାଉଁଳିଦେଲା ଅରୁଣ । ଶାଢ଼ି ପଣତରେ ଭାଇର ଫୁଙ୍ଗୁଳା ଦେହକୁ ପୋଛି ପକାଇଲା ଚନ୍ଦ୍ରା । ଦୁହେଁ ଛାତ ଉପରକୁ ଗଲେ. . . ।

ରଙ୍ଗ ବେରଙ୍ଗ କୁଣ୍ଡଟିମାନଙ୍କରେ ନାନା ଜାତିର ଫୁଲ ଫୁଟି, ଉଦ୍ୟାନଟିଏ କରିଦେଇଛନ୍ତି ଛାତକୁ । ଏତେ ଫୁଲ ଯେ. . . ପତ୍ର ବି ବାରିହେଉନି ।

ଏହାର ଶ୍ରେୟ, ଚନ୍ଦ୍ରାକୁ ଯାଏ ।

ଖୁବ୍ ଫୁଲପ୍ରେମୀ- ଚନ୍ଦ୍ରା. . . ।

ପର୍ବପର୍ବାଣି ନଥିଲେ, ପାଖୁଡ଼ାଟିଏ ବି ଛିଡ଼ାଇବା ମନା. . . ।

ତା’ପରେ

ଲୋକପ୍ରିୟ ଲେଖା

To Top