ଗଳ୍ପ

ଇନ୍ଦ୍ରଧନୁର ରାଜପଥ

Manoj Das's odia story Indradhanura Raajapatha

ସେ ଦେଖିଲା, ପାହାଡ଼ପୁରୀରୁ ବାହାରି ସୂର୍ଯ୍ୟାସ୍ତକାଳୀନ ସଜଳ ଆକାଶ ଭିତରେ ଦେଇ ଅପୂର୍ବ ସୁନ୍ଦର ଇନ୍ଦ୍ରଧନୁଟିଏ ସ୍ରୋତ ସେପାରି ଯାଦୁପାହାଡ଼କୁ ସ୍ପର୍ଶ କରିଛି ।

ଇନ୍ଦ୍ରଧନୁର ରାଜପଥ

ଆକାଶ ଦିଶୁଥିଲା ରକ୍ତାରୁଣ । ନିର୍ଜନ ମୁଲକରେ, ପାହାଡ଼ର ପାଦଦେଶରେ ବିଶ୍ରାମ କରୁଥିଲେ ଗୁରୁସାଆନ୍ତ ଏବଂ ଅବୋଲକରା ।

ଗୁରୁ ଥିଲେ ଧ୍ୟାନମଗ୍ନ । ଧ୍ୟାନ ତାଙ୍କର ଭଙ୍ଗ ହେବା ମାତ୍ରେ ଉଦ୍‌ଗ୍ରୀବ ଓ ଉତ୍କଣ୍ଠିତ କଣ୍ଠରେ କହିଲା ଅବୋଲକରା, “ଗୁରୁଦେବ ! ଧ୍ୟାନଲୋକରେ ଆପଣ ହୁଏତ ସ୍ମରଣୀୟ କିଛି ଦେଖି ଥାଇପାରନ୍ତି, କିନ୍ତୁ ଖୋଲା ଆଖିରେ ମୁଁ ଯାହା ଦେଖିଲି ତାହା ଅବର୍ଣ୍ଣନୀୟ- ଏ ପାହାଡ଼ ଶୀର୍ଷରୁ ସେପଟ ପାହାଡ଼ ଶୀର୍ଷକୁ ବ୍ୟାପିଥିଲା. . . ।”

ଏକ ଅପୂର୍ବ ଇନ୍ଦ୍ରଧନୁ !

“ଗୁରୁଦେବ ! ଆପଣ ତ ଧ୍ୟାନ ମଝିରେ ଚୋରେଇ କରି ଚାହିଁବା ଲୋକ ନୁହଁନ୍ତି, କେମିତି ଜାଣିଲେ ?” – ଅବୋଲକରା ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

ବୋକା ! ତୋତେ କେତେଥର ଆଉ କହିବି ଯେ, ମୁଁ କ’ଣ କେମିତି ଜାଣିଲି, ତୁ ସେ ବିଷୟରେ କେବେ କିଛି ପ୍ରଶ୍ନ ଉଠାଇବୁ ନାହିଁ ।

ଭୁଲିଯାଇଥିଲି ଗୁରୁଦେବ, କ୍ଷମା କରିବେ । କିନ୍ତୁ ଧ୍ୟାନସ୍ଥ ଥିବା ସତ୍ତ୍ୱେ ଆପଣ ଯେତେବେଳେ ଇନ୍ଦ୍ରଧନୁଟି କଥା ଜାଣିପାରିଛନ୍ତି, ସେତେବେଳେ ସେ ଇନ୍ଦ୍ରଧନୁ ସାଧାରଣ ଇନ୍ଦ୍ରଧନୁ ମାତ୍ର ନୁହେଁ । ହେଇଟି, କମ୍ୱଳ ଏ ଯାଏଁ ମୁଁ ଗୋଟାଇ ନାହିଁ, ଛତା ବି ପୋତା ଅଛି । ଆପଣଙ୍କର ସ୍ନେହର ଅବୋଲକରା ଏହାର ରହସ୍ୟ ନ ଜାଣିବା ଯାଏଁ ନଉଠେ ।

ହଉ, ଶୁଣ. . . ସାଆନ୍ତେ ଉଠୁ ଉଠୁ ପୁଣି ଭାଙ୍ଗିମୋଡ଼ି ହୋଇ ବସିଲେ ଓ ଗପିଲେ- ଅନେକ ଦିନ ତଳର କଥା । ଏଇ ଯେଉଁ ଦୁଇ ପାହାଡ଼ ଦେଖୁଛୁ, ତହିଁ ମଝିରେ ବହମାନ ଥିଲା ଏକ ଗଭୀର ସ୍ରୋତ । ତା’ର ମହିମା ଏମିତି ଯେ, ତାକୁ କେହି ଅତିକ୍ରମ କରିପାରୁନଥିଲେ । ଅନ୍ୟ ତଟରେ ଅବସ୍ଥିତ ଥିଲା ଯାଦୁପୁରୀ, ଅତଏବ ସେପାଖର ସେ ପାହାଡ଼କୁ ଲୋକେ ଯାଦୁପାହାଡ଼ ବୋଲି କହୁଥିଲେ ।

ଏ ପଟର ଏ ପାହାଡ଼ ଉପରେ ଥିଲା ଏକ ରାଜପ୍ରସାଦ । ଖଣ୍ଡିଏ ଛୋଟିଆ ରାଜ୍ୟ ଉପରେ ରାଜୁତି କରୁଥିଲେ ଜଣେ ଭଲ-ମଣିଷ- ରାଜା ।

ଜଗତରେ ଯେତେ ଯେତେ ରାଜାପ୍ରାସାଦ ରହିଛି, ଅନ୍ତତଃ ସେତେ ରାଜକନ୍ୟା ବି ଥିବେ, କିନ୍ତୁ ସେ ପାହାଡ଼ପୁରୀର ରାଜକନ୍ୟା ଭଳି କନ୍ୟା କାହିଁ କେଉଁଠି ନଥିଲେ । ଆଃ, କି ଦିବ୍ୟ ସୁନ୍ଦରୀ ! ଯିଏ ତାଙ୍କୁ ଦେଖୁଥିଲା, ସ୍ୱତଃସ୍ଫୂର୍ତ୍ତ ଭାବରେ ଏତକ ନ କହି ତା’ର ଉପାୟ ନଥିଲା ।

ଆଖପାଖର ରାଜପୁତ୍ରମାନେ ଶୁଣିଲେ ପାହାଡ଼ପୁରୀର ରାଜକନ୍ୟାଙ୍କ ଖ୍ୟାତି । କିଏ ପଥିକ ରୂପରେ, କିଏ ବା ଯୋଗୀ ବେଶରେ ସେଠାକୁ ଆସି ଥରେ-ଅଧେ ତାଙ୍କୁ ଦେଖି ଦେଇଗଲେ ।

ଗଲେ ଯେ, କିନ୍ତୁ ପ୍ରାୟଶଃ ହୃଦୟଟିମାନ ରଖି ଦେଇଗଲେ ।

ରାଜାଙ୍କ ପାଖକୁ ବାରମ୍ୱାର ଦୂତ ଆସିଲେ । ସାଧାରଣତଃ ସେମାନେ ଲଳିତ ସଙ୍ଗୀତ ଜରିଆରେ ସେମାନଙ୍କ ପ୍ରେରକ ରାଜପୁତ୍ରମାନଙ୍କ ଅନିନ୍ଦ୍ୟ ରୂପଗୁଣର ବର୍ଣ୍ଣନା ଦେଉଥିଲେ- ବାଦ୍ୟ ସମାହାରରେ ।

ରାଜା କାହା ପ୍ରସ୍ତାବ ଗ୍ରହଣ କରିବେ, ସେ ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ବ୍ୟାପାର କିନ୍ତୁ ବିସଦୃଶ ଆକାର ଧାରଣ କଲା ।

କଥା ହେଲା, ଅଦୂରରେ ରହିଥିଲା ଏକ ବୃହତ୍ ରାଜ୍ୟ । ସେଠାର ନରପତି- ତାଙ୍କ ନାମ ଧରି ମହିଷାସୁର- ନିଜକୁ ଆଜୀବନ ତରୁଣ ଓ ଚିରନ୍ତନ ବରପାତ୍ର ବୋଲି ମନେକରୁଥିଲେ । ତାଙ୍କ ଦୂତ ରୂପେ ଯିଏ ଆସିଲା, ସିଏ ଗାୟକଟିଏ ନୁହେଁ, ତାଙ୍କର ଦୁର୍ଦ୍ଧର୍ଷ ସେନାପତି ।

“ଆପଣ ଆଜିଯାଏ କେମିତି କନ୍ୟାଦାନ ସକାଶେ ତିଥି ସ୍ଥିର କରିନାହାନ୍ତି ?” – ସେ ପାହାଡ଼ପୁରୀର ଭଲ-ମଣିଷ-ରାଜାଙ୍କୁ ଏ ପ୍ରଶ୍ନ କଲା ।

କହିବା ବାହୁଲ୍ୟ, ଏ ପ୍ରଶ୍ନର ଉତ୍ତର ନଥିଲା କି ସେନାପତି ଉତ୍ତର ପାଇଁ ଅପେକ୍ଷା କରୁନଥିଲା । ଆଗାମୀ ରବିବାର ବିବାହ କରିଦେବା । ଆପଣ ସନ୍ଧ୍ୟାସୁଦ୍ଧା ସକନ୍ୟା ସବାନ୍ଧବ ଆମ ଉଆସରେ ପହଞ୍ଚିଲେ ଚଳିବ । ଏତକ କହି ସେନାପତି କୁମ୍ଭୀର ପାରୁଥିଲେ ଯେପରି ହସନ୍ତା, ସେହିପରି ହସିଲା । ମୁଁ ଲେଖାଯୋଖାରେ ଆମ ରାଜାଙ୍କର ମାମୁଁ । ତେଣୁ ଆମେ ପରସ୍ପର ସମୁଧୀ ବୋଲି ଡକାଡ଼କି ହେବା । – ଏହା କହି ସେ ଚାଲିଗଲା ।

ପ୍ରାୟଶଃ ମେଘାଚ୍ଛନ୍ନ ପାହାଡ଼ପୁରୀ ସେଦିନ ହେଲା ଶୋକାଚ୍ଛନ୍ନ । ମହିଷାସୁରକୁ କନ୍ୟାଦାନର ପ୍ରଶ୍ନ ନଥିଲା । ସେନାପତି କିନ୍ତୁ ନିଜକୁ ସମୁଧୀ ଜ୍ଞାନ କରିସାରିଲାଣି । ରବିବାର ଅତୀତ ହେବା ପରେ ଏବଂ ମହିଷାସୁର ପକ୍ଷର ମୋହଭଙ୍ଗ ହେବା ପରେ ଅବସ୍ଥା କ’ଣ ହେବ ?

ଏ ପ୍ରଶ୍ନର ଉତ୍ତର ଜଳଜଳ ଦିଶୁଥିଲା ଏବଂ ସୋମବାର ସକାଳ ସୁଦ୍ଧା ତାହା ସ୍ପଷ୍ଟ ହୋଇ ଦିଶିଲା- ଦିଗ୍‌ବଳୟରେ ଧୂଳିମେଘ ରୂପେ । ମହିଷାସୁର ସସୈନ୍ୟ ପାହାଡ଼ପୁରୀ ଅଭିମୁଖେ ମାଡ଼ି ଆସୁଥିଲା ।

ଭଲ-ମଣିଷ-ରାଜା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ । ସେଭଳି ପରିସ୍ଥିତିରେ ପ୍ରସ୍ତୁତି ଓ ସମାପ୍ତି ଭିତରେ ବିଶେଷ ବ୍ୟବଧାନର ସମ୍ଭାବନା ନଥିଲା । ଚାହୁଁ ଚାହୁଁ ମହିଷାସୁର କ୍ରୋଧ ଓ ଲାଳସାର ମୁଖ ବ୍ୟାଦାନ କରି ରାଜପ୍ରାସାଦ ଉପରକୁ ଚଢ଼ିଆସିଲା । ପ୍ରାସାଦର ପତନ ହେଲା । ପାହାଡ଼ପୁରୀର ପରାଭୂତ ସୈନ୍ୟଦଳ, ସନାପତି, ମନ୍ତ୍ରୀ, ଅମାତ୍ୟବର୍ଗ ଓ ରାଜପରିବାରର ସମସ୍ତଙ୍କୁ ନିମ୍ନରେ ବହମାନ ସ୍ରୋତ ଭିତରକୁ ଗଡ଼ାଇଦେବାର ନିର୍ଦ୍ଦେଶ ଦେବା ମହିଷାସୁର । କେବଳ ରାଜକନ୍ୟାଙ୍କୁ କେହି ଛୁଇଁବେ ନାହିଁ – ସେ ନିଜେ ଛୁଇଁବ- ଏ ସତର୍କବାଣୀ ସମସ୍ତଙ୍କୁ ଶୁଣାଇ ଦିଆଗଲା ।

କିନ୍ତୁ ରାଜକନ୍ୟାଙ୍କ ଦେଖା କାହିଁ । ବହୁ ଅନ୍ୱେଷଣ ପରେ ମହିଷାସୁର ତାଙ୍କୁ ପ୍ରାସାଦର ତ୍ରିତଳସ୍ଥ କୋଠରି ଭିତରେ ଆବିଷ୍କାର କରି ତାଙ୍କ ଆଡ଼େ ଅଗ୍ରସର ହେଲା । ମହିଷାସୁର ପାଟିରେ ମୁଠାଏ ମୁକ୍ତା ପୁରାଇଥାଏ- ତାହା ହେଲେ ସେ ହସିଲେ ମୁକ୍ତା ଝରେ ବୋଲି ରାଜକନ୍ୟାଙ୍କର ଧାରଣା ହେବ ।

ତାକୁ ଦେଖି ରାଜକନ୍ୟା ବାତାୟନ ଆରପାରିକୁ ଡେଇଁ ପଡ଼ିଲେ । ବାତାୟନର ଆୟତନ ଯଥେଷ୍ଟ ପ୍ରଶସ୍ତ ନ ଥିବା ହେତୁ ତହିଁ ଭିତରେ ଦେଇ ବାହାରିବା ସକାଶେ ମହିଷାସୁରକୁ ବହୁତ କ୍ଳେଶ ହେଲା ଏବଂ ସେଥିରେ ଏକ ମିନିଟ୍ ବିଳମ୍ୱ ହୋଇଗଲା । କିନ୍ତୁ କାହାନ୍ତି ରାଜକନ୍ୟା ।

ସେତେବେଳକୁ ପ୍ରାସାଦ ଶୀର୍ଷରୁ ଓ ତା’ର ଚତୁର୍ଦ୍ଦିଗରୁ ମହିଷାସୁରର ପାତ୍ର-ମିତ୍ର-ସୈନ୍ୟମାନେ ଗୋଟିଏ ଅକଳ୍ପନୀୟ ଦୃଶ୍ୟ ଦେଖୁଥିଲେ । ବିସ୍ମୟରେ ସେମାନେ ବାକ୍‌ରୁଦ୍ଧ ହୋଇଥିଲେ । ତେଣୁ ମହାରାଜା ମହିଷାସୁର ମୁକ୍ତାତକ ଥୁ ଥୁ କରିଦେଇ ରାଜକନ୍ୟା ଗଲେ କୁଆଡ଼େ ବୋଲି ବାରମ୍ୱାର ହୁଙ୍କାର ଦେଇ ପ୍ରଶ୍ନ କରିବା ସତ୍ତ୍ୱେ କେହି ଉତ୍ତର ଦେଲେ ନାହିଁ । ତେବେ ହତବାକ୍ ଜନତାର ଦୃଷ୍ଟି ଅନୁସରଣ କରି ସମୂହ ବିସ୍ମୟର ହେତୁ ଆବିଷ୍କାର କରିବାକୁ ମହିଷାସୁରର ବିଶେଷ ବିଳମ୍ୱ ହେଲା ନାହିଁ । ସେ ଦେଖିଲା, ପାହାଡ଼ପୁରୀରୁ ବାହାରି ସୂର୍ଯ୍ୟାସ୍ତକାଳୀନ ସଜଳ ଆକାଶ ଭିତରେ ଦେଇ ଅପୂର୍ବ ସୁନ୍ଦର ଇନ୍ଦ୍ରଧନୁଟିଏ ସ୍ରୋତ ସେପାରି ଯାଦୁପାହାଡ଼କୁ ସ୍ପର୍ଶ କରିଛି । ରାଜକନ୍ୟା ସେହି ଇନ୍ଦ୍ରଧନୁ ଉପରଦେଇ ସେପାରିକୁ ଦୌଡ଼ି ଚାଲିଯାଉଛନ୍ତି ।

ଆରେ ବୁଦ୍ଦୁମାନେ, ବଲବଲ କରି ଦେଖୁଛ କ’ଣ ?- ଏହି କହି ମହିଷାସୁର ସେ ଇନ୍ଦ୍ରଧନୁ ଉପରେ ଦେଇ ଦୌଡ଼ିବାକୁ ଉଦ୍ୟତ ହୋଇ ଯେମିତି ପାହାଡ଼ର ଶେଷ ଶିଳା ଉପରୁ ଗୋଡ଼ ବାହାର କରିଛି, ସେମିତି ପେଣ୍ଡୁଭଳି ତଳକୁ ଗଡ଼ିଯାଇ ପ୍ରଖର ସ୍ରୋତରେ ହଜିଗଲା ।

ପାତ୍ର-ମନ୍ତ୍ରୀମାନେ କିଛି ବିଳମ୍ୱରେ ହାହାକାର କଲେ- ରାଜକନ୍ୟା ସେମାନଙ୍କ ଦୃଷ୍ଟିପଥରୁ ଅନ୍ତର୍ହିତ ହେବା ପରେ ।

ତା’ପରେ

ଲୋକପ୍ରିୟ ଲେଖା

To Top